Unknown

 

 

 

 

 

 

 

 

 

ମୋର ଭାରତ

ଲେଖକ: ଜିମ୍ କରବେଟ୍

ଅନୁବାଦ

ଡକ୍ଟର ପ୍ରଫୁଲ୍ଲ କୁମାର କର, ଏମ୍. ଡି.

 

 

 

 

 

 

 

 

 

 

 

 

ବାପା ବୋଉଙ୍କୁ……

 

-ପ୍ରଫୁଲ୍ଲ

 

ଅନୁବାଦକର କଲମରୁ–

 

ବିଂଶ ଶତାବ୍ଦୀର ଆଦ୍ୟ ଭାଗରେ ଜିମ୍ କରବେଟ୍ ବହୁ ନରଖାଦକ ମାରି ଉତ୍ତର ପ୍ରଦେଶରେ ବିଶେଷ ସୁନାମ ଅର୍ଜନ କରିଥିଲେ । ୧୯୨୬ ମସିହାରେ ରୁଦ୍ରପ୍ରୟାଗର କୁଖ୍ୟାତ ମଣିଷଖିଆ ଚିତବାଘକୁ ମାରିବା ପରେ ତାଙ୍କ ନାଁ ଭାରତସାରା ବ୍ୟାପିଗଲା । ୧୯୪୪ ମସିହାରେ ତାଙ୍କ ପ୍ରସିଦ୍ଧ ପୁସ୍ତକ “man-eaters of kumaon” (କୁମାୟୁଁର ନରଖାଦକ) ପ୍ରକାଶ ପାଇଲା ଏବଂ ସେ କେବଳ ଉତ୍କୃଷ୍ଟ ଶିକାରୀ ଭାବେ ନୁହେଁ, ଜଣେ ଉଚ୍ଚକୋଟୀର ଲେଖକ ଭାବେ ମଧ୍ୟ ବିଶ୍ୱବିଖ୍ୟାତ ହୋଇ ଉଠିଲେ ।

 

କରବେଟ୍‌ଙ୍କ ଶିକାର କାହାଣୀ ପଢ଼ିଲେ ଦେହ ଶୀତେଇ ଉଠେ, ପ୍ରାଣ ପୁଲକି ଉଠେ ମଧ୍ୟ । ଏସବୁ ଗଳ୍ପର ସମ୍ମୁଖରେ ଥାଆନ୍ତି ଦୁର୍ଦ୍ଧର୍ଷ ମଣିଷଖିଆ ମହାବଳ ଓ ଚିତବାଘ । ଗାଉଁଲି ଲୋକଗୁଡ଼ିଏ ଆଉ ଲେଖକ ନିଜେ ରହିଯାଆନ୍ତି ପୃଷ୍ଠଭୂମିରେ । ପ୍ରତ୍ୟେକଟି ରୋମାଞ୍ଚକର ଗଳ୍ପରେ ମଜ୍ଜି ଯାଇ ପାଠକ ପୃଷ୍ଠଭୂମି ପ୍ରତି ଲକ୍ଷ୍ୟ ରଖିବାକୁ ଅବକାଶ ପାଏ ନାହିଁ । ଗଳ୍ପ ସରିବା ପରେ ମନକୁ ତା’ର ସ୍ୱତଃ ପ୍ରଶ୍ନ ଆସେ–କିଏ ଏଇ ଶିକାରୀ ଯିଏ ମାସ ମାସ ବର୍ଷ ବର୍ଷ ଧରି ଗାଁ ଗଣ୍ଡା ବଣଜଙ୍ଗଲରେ ରହି ନରଖାଦକ ଶିକାର କରୁଥିଲେ ? ଯେଉଁ ପାହାଡ଼ିଆ ଗାଉଁଲି ଲୋକଙ୍କ ମେଳରେ ସେ ରହୁଥିଲେ, ସେମାନେ ସବୁ କିଏ ? ନିଜ କଥା ବା ସେମାନଙ୍କ ବିଷୟରେ ସେ କିଛି ତ ଲେଖିଲେ ନାହିଁ !

 

ଉତ୍ତର ପ୍ରଦେଶର କୁମାୟୁଁ ଡିଭିଜନ୍‌ରେ ଲୋକେ ଆଜି ସୁଦ୍ଧା କରବେଟଙ୍କୁ ଗଭୀର ଶ୍ରଦ୍ଧା ଓ ସମ୍ମାନ କରନ୍ତି । କରବେଟ୍‌ ସେମାନଙ୍କୁ ନରଖାଦକଙ୍କ ଦାଉରୁ ବହୁବାର ରକ୍ଷା କରିଥିବାରୁ ତାଙ୍କ ପ୍ରତି ଲୋକଙ୍କର କୃତଜ୍ଞତା ରହିବା ଅତି ସ୍ୱାଭାବିକ । କରବେଟ୍‍ଙ୍କର ଅସୀମ ତ୍ୟାଗ, ସେବା ଓ ସାହସ ପାଇଁ ଭାରତ ସରକାର ମଧ୍ୟ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ Corbett National Park ଉତ୍ସର୍ଗ କରିଛନ୍ତି । କିନ୍ତୁ ଶ୍ରୀରାମ ଶର୍ମା, ରମେଶ ଚନ୍ଦ୍ର ପାଣ୍ଡେ ଆଦି ଏ ଅଞ୍ଚଳର ବହୁ ପର୍ଯ୍ୟବେକ୍ଷକ ଲେଖନ୍ତି ଯେ କରବେଟ୍‌ଙ୍କ ପ୍ରତି କୁମାୟୁଁର ଲୋକଙ୍କର ସ୍ନେହ ଓ ଶ୍ରଦ୍ଧା ଏତେ ଗଭୀର ଯେ ତାହା କେବଳ କୃତଜ୍ଞତା ଉପରେ ପ୍ରତିଷ୍ଠିତ ହୋଇ ପାରେନା । ସର୍ବସାଧାରଣଙ୍କ ସ୍ମରଣ ଶକ୍ତି ଯେ ଅତି କମ୍, ଏହା ଜଣାଶୁଣା କଥା । କରବେଟ୍‌ଙ୍କ ମୃତ୍ୟୁର ବହୁବର୍ଷ ପରେ ମଧ୍ୟ ଏ ଅଞ୍ଚଳରେ ତାଙ୍କ ସ୍ମୃତି ସଜୀବ ରହିବାର କାରଣ ହେଉଛି, ସେ କେବଳ ଜଣେ ସୁଦକ୍ଷ ଶିକାରୀ ନ ଥିଲେ–ସେ ଥିଲେ ଜଣେ ଅତି ଉଚ୍ଚକୋଟୀର ମଣିଷ । ତାଙ୍କର ସଚ୍ଚୋଟପଣିଆ, ଦୀନଦୁସ୍ଥଙ୍କ ପାଇଁ ସହାନୁଭୂତି, ଏ ଦେଶର ରାଜନୀତି, ଐତିହ୍ୟ ଓ ପରମ୍ପରା ପ୍ରତି ଗଭୀର ସମ୍ମାନ, ଜୀବଜନ୍ତୁ ଓ ବନ୍ୟସମ୍ପଦ ପ୍ରତି ଆନ୍ତରିକ ଶ୍ରଦ୍ଧା ଓ ସର୍ବୋପରି ଜୀବନବ୍ୟାପୀ ମାନବ ସେବା ତାଙ୍କର ଅଗଣିତ ଗରିବ ବନ୍ଧୁଙ୍କ ଦୃଷ୍ଟିରେ କରବେଟ୍‌ଙ୍କୁ ଅତି ଉଚ୍ଚକୁ ତୋଳି ନେଇଥିଲା ।

 

ଭାରତର ପ୍ରକୃତ ବନ୍ଧୁ ରୂପେ ଭାରତୀୟ ଜୀବନର ଘନିଷ୍ଠ ସମ୍ପର୍କରେ ଆସି କରବେଟ୍ ଯେଉଁ ସହାନୁଭୂତିଭରା ଅଭିଜ୍ଞତା ଲାଭ କରିଥିଲେ, ଏହି ସୁପ୍ରସିଦ୍ଧ ପୁସ୍ତକ “My india” ବା “ମୋର ଭାରତ” ରେ ସେ ତାହା ପ୍ରକାଶ କରିଛନ୍ତି । କେତେଜଣ ଭାରତୀୟଙ୍କ ବିଷୟରେ ସତ୍ୟ ଅନୁଭୂତି ମୂଳକ ଗଳ୍ପ କେତୋଟି ଲେଖି କରବେଟ୍ ଏ ଦେଶ ସହିତ ନିଜର ସମ୍ବନ୍ଧକୁ ଅଭିବ୍ୟକ୍ତ କରିଛନ୍ତି ଅତି ସହଜ ଓ ଅମାୟିକ ଭାବରେ । ଉତ୍ତର ପ୍ରଦେଶର ପାର୍ବତ୍ୟ ଅଞ୍ଚଳର ସରଳ ଗ୍ରାମବାସୀ, ବିହାରର ଗରିବ ରେଳବାଇ ମଜଦୁର୍, ଚୋରା ଶିକାରୀ କୁଅଁର ସିଂ, ଦୁର୍ଦ୍ଧର୍ଷ ଡକାୟତ ସୁଲତାନା, ସୁବର୍ଣ୍ଣ ଆଉ ହରିଜନ, ଗାଁ ମୁଖିଆରୁ ମଜୁରିଆ–ସମସ୍ତଙ୍କ ବିଷୟରେ ଲେଖିଛନ୍ତି ସେ–ସମାଲୋଚକର ଦୃଷ୍ଟିକୋଣରୁ ନୁହେଁ–ଜଣେ ଅନ୍ତରଙ୍ଗ ବନ୍ଧୁର ଦରଦଭରା ଭାଷାରେ । କରବେଟ୍‌ଙ୍କ ମାନବିକତାର ଯେତେ ଦୃଷ୍ଟାନ୍ତ ଏ ବହିରେ ଅଛି, ତାହା ଗୋଟି ଗୋଟି କରି ଉଲ୍ଲେଖ କରିବାକୁ ଏଠାରେ ସ୍ଥାନ ନାହିଁ । ପାଠକ ବହି ପଢ଼ି ତାହା ବୁଝି ପାରିବେ । ଏଭଳି ବହୁ ଘଟଣା କରବେଟ୍ ଏତେ ସଂକ୍ଷିପ୍ତ ଓ ସାମାନ୍ୟ ଭାବେ ଉଲ୍ଲେଖ କରିଛନ୍ତି ଯେ ବହିଟି ମନଯୋଗ ସହିତ ନ ପଢ଼ିଲେ ପାଠକ ତାହା ଲକ୍ଷ୍ୟ କରି ନ ପାରନ୍ତି ।

 

ସବୁଦେଶର ପିଲାମାନେ ବୀରତ୍ୱର ସତ କାହାଣୀ ପଢ଼ିବାକୁ ଭଲ ପାଆନ୍ତି । ଆମ ପିଲାମାନଙ୍କୁ ଏଭଳି ବହି କେତୋଟି ଦେବା ପାଇଁ କରବେଟଙ୍କ ଲେଖାଗୁଡ଼ିକର ଅନୁବାଦ ହାତକୁ ନେଇଥିଲି । ଜଣେ ଇଂରେଜଙ୍କ କର୍ମନିଷ୍ଠା ଏବଂ ଜାତି, ଧର୍ମ, ବର୍ଣ୍ଣ ଓ ଭାଷା ନିର୍ବିଶେଷରେ ମାନବ ସେବାର ଜୀବନ୍ତ କାହାଣୀ ସେମାନଙ୍କୁ ଉଦ୍‌ବୁଦ୍ଧ କରିବ ବୋଲି ମୋର ବିଶ୍ୱାସ । ଏ ବହିର ଆରମ୍ଭରେ ଭାରତରେ ଧର୍ମ, ବର୍ଣ୍ଣ ଓ ଭାଷାର ଭିନ୍ନତାକୁ ଚିତ୍ରଣ କରି ଶେଷରେ ଜାତୀୟ ଏକତା ପାଇଁ ସେ ଯେପରି ଭାବେ ଆବେଦନ କରିଛନ୍ତି, ତାହା ଆମ ପିଲାଙ୍କ ପକ୍ଷରେ ଏକାନ୍ତ ଶିକ୍ଷଣୀୟ । ସ୍ନେହ, ଦୟା, ସେବା ଓ ନିର୍ଭୀକ ମାନବିକତା ଯେ ସମସ୍ତ ମାନବଜାତିକୁ ଗୋଟିଏ ସୂତ୍ରରେ ବାନ୍ଧିଦିଏ–କରବେଟ୍‌ଙ୍କ ଜୀବନ ହିଁ ତା’ର ଏକ ପ୍ରକୃତ ନିଦର୍ଶନ । ଆମ ଦେଶର ଲୋକେ ଏହି ମହାମାନବଙ୍କ ଜୀବନରୁ ଗ୍ରହଣଯୋଗ୍ୟ ବହୁ ଉପାଦାନ ପାଇବେ । ଆମର ବନ୍ୟସମ୍ପଦ ପ୍ରତି କରବେଟ୍‌ଙ୍କ ଅଶେଷ ମମତା ଓ ଉତ୍ସୃଙ୍ଖଳ ଶିକାର ଉଦ୍ଦୀପନା ଯୋଗୁଁ ତାହା ଆଜି କିପରି ବିପନ୍ନ–ତାଙ୍କ ଲେଖାରୁ ଏହାର ଯଥେଷ୍ଟ ପ୍ରମାଣ ମିଳିବ ।

 

“କୁମାୟୁଁର ନରଖାଦକ” ର ଶେଷଭାଗରେ କରବେଟ୍‌ ଲେଖିଛନ୍ତି “ମୁଁ ସାହିତ୍ୟକ ନୁହେଁ–ସାମାନ୍ୟ ଶିକାରୀ ମାତ୍ର । ଜୀବନର ଅଧିକାଂଶ ବଣଜଙ୍ଗଲରେ କଟାଇଛି । ବର୍ଣ୍ଣନା ଦ୍ୱାରା ଘଟଣାକୁ ଜୀବନ୍ତ କରି ତୋଳିବାର ଶକ୍ତି ବା ଶୈଳୀ ମୋ ଭାଷାରେ ନାହିଁ ।” କରବେଟ୍‌ଙ୍କ ଲେଖା ପଢ଼ିଥିବା ଅସଂଖ୍ୟ ପାଠକ ପାଠିକା ଏଥିରେ ଏକମତ ହେବେ ନାହିଁ ଜାଣେ । କରବେଟ୍‌ଙ୍କ ଲେଖାରେ କୌଣସି ଗତାନୁଗତିକ ରୀତି, ଶୈଳୀ ବା ଆଳଙ୍କାରିକ ଛଟା ନ ଥିଲେ ସୁଦ୍ଧା ଅଭିବ୍ୟକ୍ତିର ସରଳତା, ବଳିଷ୍ଠତା ଓ ଆନ୍ତରିକତା ତାହାକୁ ଉଚ୍ଚକୋଟୀର ସାହିତ୍ୟ ସ୍ତରକୁ ତୋଳି ନିଏ ଏବଂ ଲେଖକଙ୍କ ଅସାଧାରଣ ବ୍ୟକ୍ତିତ୍ଵ, ଦୃଷ୍ଟିକୋଣ ଓ ମୂଲ୍ୟବୋଧ ପାଠକର ଅନ୍ତରକୁ ଗଭୀର ଭାବେ ସ୍ପର୍ଶ କରେ । ଅନୁବାଦରେ ମୂଳଲେଖାର ବିଷୟବସ୍ତୁ ଓ ତାହାର ପରିପ୍ରକାଶ ଅକ୍ଷୁଣ୍ଣ ରଖିବାକୁ ବିଶେଷ ଚେଷ୍ଟା କରିଛି । ଏଥିରେ ସଫଳ ହୋଇଛି କି ନାହିଁ ତାହା ସୁଧୀ ପାଠକବୃନ୍ଦ ବିଚାର କରିବେ ।

 

ବିଭିନ୍ନ ପଶୁପକ୍ଷୀ ଓ ଗଛପତ୍ରର ଓଡ଼ିଆ ନାମ ବହୁ ସ୍ଥାନରୁ ସଂଗୃହୀତ ହୋଇଛି । ଏଥିପାଇଁ E.P.Gee, Salim Ali, U.N.Kanjilal, Augustus Somerville ଆଦି ବିଶେଷଜ୍ଞମାନଙ୍କ ବହିରୁ ଓ Forest Research Institute & Colleges, Dehradun ରୁ ଅନେକ ସାହାଯ୍ୟ ପାଇଛି । “ନନ୍ଦନ କାନନ” ର କର୍ତ୍ତୃପକ୍ଷ ମଧ୍ୟ ଏଥିରେ ସାହାଯ୍ୟ କରିଥିଲେ । ଏମାନେ ସମସ୍ତଙ୍କ ନିକଟରେ ମୁଁ କୃତଜ୍ଞ । କେତେକ ହିମାଳୈୟ ଜନ୍ତୁଙ୍କ ପାଇଁ ଅନୁରୂପ ଓଡ଼ିଆ ଶବ୍ଦ ନ ଥିବାରୁ ହିନ୍ଦୀ ନାମ ବ୍ୟବହୃତ ହୋଇଛି । କରବେଟ୍ ଯାହାକୁ Mokameh Ghat ବୋଲି ଲେଖିଥିଲେ ବିହାରରେ ତା’କୁ “ମୋକାମା ଘାଟ” କୁହାଯାଏ । ଏହିପରି ବ୍ୟକ୍ତି ଓ ସ୍ଥାନମାନଙ୍କର ସଠିକ୍ ନାମ ଦେବା ପାଇଁ ଯଥାସମ୍ଭବ ଚେଷ୍ଟା କରାଯାଇଛି । ଶିକାର ଓ ଜଙ୍ଗଲ ସମ୍ପର୍କୀୟ ଶବ୍ଦଗୁଡ଼ିକ ପୁରୀ ଜିଲ୍ଲାର ନୟାଗଡ଼ ଏବଂ ଗଞ୍ଜାମ ଜିଲ୍ଲାର ତପ୍ତପାଣି, ମୋହନା ଓ ଚନ୍ଦ୍ରଗିରି ଅଞ୍ଚଳର ପ୍ରଚଳିତ ଭାଷାରୁ ନିଆଯାଇଛି ।

 

ପରିଶେଷରେ ଏତିକି କହି ରଖେ ଯେ ଓଡ଼ିଆ ଭାଷାରେ ଲେଖିବାର ଅଭ୍ୟାସ ମୋର ନ ଥିଲା । ‘ଝଙ୍କାର’ରେ ପ୍ରକାଶିତ କେତୋଟି କ୍ଷୁଦ୍ରଗଳ୍ପ ଓ କେତୋଟି ଅପ୍ରକାଶିତ ନାଟକ ବ୍ୟତୀତ ଓଡ଼ିଆରେ ଲେଖିବାରେ ଏହା ହିଁ ମୋର ପ୍ରଥମ ପ୍ରୟାସ କହିଲେ ଚଳେ । ଛାତ୍ରାବସ୍ଥାରେ ଇଂରାଜୀ ମାଧ୍ୟମରେ ଶିକ୍ଷା ଲାଭ କରିଥିଲି । ତା’ପରେ ଏ ପର୍ଯ୍ୟନ୍ତ ଭେଷଜ ବିଜ୍ଞାନ ଚର୍ଚ୍ଚା କରି ଆସିଛି । ତଥାପି ପିଲାଦିନେ ଜିମ୍ କରବେଟ୍‍ଙ୍କ ବହି ପଢ଼ି ମୁଁ ଏତେଦୂର ପ୍ରଭାବିତ ହୋଇ ପଡ଼ିଥିଲି ଯେ ତା’କୁ ଓଡ଼ିଆରେ ଅନୁବାଦ କରି ମୋର ଦେଶବାସୀ ପାଠକ ପାଠିକା ଓ ବିଶେଷ କରି ପିଲାମାନଙ୍କ ଆଗରେ ଥୋଇବା ପାଇଁ ପ୍ରବଳ ଇଚ୍ଛା ଜାଗି ଉଠିଥିଲା । ସେ ଇଚ୍ଛାର ପରିପୂରଣ ପାଇଁ ବହୁକାଳ ପରେ କାଗଜ କଲମ ଧରି ଲେଖି ବସିଲି । ମୋର ବହୁ ବନ୍ଧୁ, ଆତ୍ମୀୟ, ସହକର୍ମୀ ଓ ଛାତ୍ରଛାତ୍ରୀଙ୍କ ଠାରୁ ଅନେକ ଉତ୍ସାହ ଓ ସାହାଯ୍ୟ ପାଇଛି । ଏ ସମସ୍ତଙ୍କର ନିକଟରେ ମୁଁ କୃତଜ୍ଞ । ବିଶେଷତଃ ମୋର ପ୍ରକାଶକ ଦାସ ବ୍ରଦର୍ସର ସ୍ୱତ୍ୱାଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଦାସ ଓ ଶ୍ରୀ ଯତୀନ୍ଦ୍ର ନାଥ ଦାସ ଜିମ୍ କରବେଟ୍‍ଙ୍କ ପୁସ୍ତକଗୁଡ଼ିକର ଅନୁବାଦ ପ୍ରକାଶ କରିବା ପାଇଁ ଅନୁମତି ବହୁଶ୍ରମ ସ୍ୱୀକାର ପୂର୍ବକ M/s Oxford University Pressରୁ ଅଣାଇଛନ୍ତି । ଗୋପୀନାଥ ପ୍ରେସ୍‍ର ପରିଚାଳକ ଶ୍ରୀ ସତ୍ୟବାଦୀ ନନ୍ଦ ଏହାର ମୁଦ୍ରଣ ଦାୟିତ୍ୱ ଅତି ଯତ୍ନ ଓ ନିଷ୍ଠା ସହିତ ସମ୍ପାଦନ କରିଛନ୍ତି । ଏ ବହିରେ ଥିବା ମାନଚିତ୍ର ଦୁଇଟି ଆଙ୍କିଛନ୍ତି ମୋର ଛାତ୍ର ଶ୍ରୀ ମନୋଜ କିଶୋର ଛୋଟରାୟ । ସେମାନଙ୍କୁ ମୁଁ ଆନ୍ତରିକ ଧନ୍ୟବାଦ ଜଣାଉଛି । ଇତି ।

 

ଚିକିତ୍ସା ମହାବିଦ୍ୟାଳୟ

 

ବ୍ରହ୍ମପୁର, ଗଞ୍ଜାମ

ପ୍ରଫୁଲ୍ଲ କୁମାର କର

୨୭-୩-୧୯୭୦

 

Image

 

ସୂଚୀପତ୍ର

 

୧.

ଉତ୍ସର୍ଗ

୨.

ଭୂମିକା

୩.

ଗାଁ ସାଆନ୍ତାଣୀ

୪.

କୁଅଁର ସିଂ

୫.

ମୋତି

୬.

ଶାସନ ପୂର୍ବରୁ

୭.

ଜଙ୍ଗଲି ଆଇନ

୮.

ଭାଇ

୯.

ସୁଲତାନା–ଭାରତର ରବିନ୍ ହୁଡ୍‍

୧୦.

ଅନୁରକ୍ତି

୧୧.

ବୁଦ୍ଦୁ

୧୨.

ଲାଲାଜୀ

୧୩.

ଚମାରୀ

୧୪.

ମୋକାମା ଘାଟରେ ଜୀବନ

Image

 

ଉତ୍ସର୍ଗ

 

ଆପଣ ଯଦି ଭାରତ ଇତିହାସ ବା ଭାରତରେ ବ୍ରିଟିଶ୍‌ରାଜର ଉତ୍‌ଥାନ-ପତନ ସମ୍ବନ୍ଧରେ ଏକ ସମୀକ୍ଷା ପଢ଼ିବାକୁ ଚାହୁଁଥାଆନ୍ତି, ଏହି ପୃଷ୍ଠା କେତୋଟିରୁ ତାହା ଖୋଜି ପାଇବେ ନାହିଁ । ଏହି ଉପ-ମହାଦେଶ ପରସ୍ପର ବିରୋଧୀ ଦୁଇ ଭାଗରେ ବିଦୀର୍ଣ୍ଣ ହେବାର କାରଣ କିମ୍ବା ବିଚ୍ଛିନ୍ନ ଏହାର ଅଂଶ ଦୁଇଟି ଉପରେ ଓ ପରିଶେଷରେ ଏସିଆ ମହାଦେଶ ଉପରେ ଏହି ବିକଳ ବିଭକ୍ତିର ପରିଣାମ ମଧ୍ୟ ଏଥିରେ ବିଶ୍ଳେଷଣ କରାଯାଇନାହିଁ ।

 

ଏ ଦେଶରେ ସାରା ଜୀବନ କଟାଇ ଥିଲେ ସୁଦ୍ଧା ଘଟଣାପୂର୍ଣ୍ଣ ଏହି ନାଟକଟି ଅଭିନୀତ ହେଉଥିବା ବେଳେ ମୁଁ ରଙ୍ଗଭୂମିର ଏତେ ନିକଟରେ ଥିଲି ଓ ଅଭିନେତାମାନଙ୍କ ସହିତ ଏତେ ଘନିଷ୍ଠ ଭାବେ ଜଡ଼ିତ ଥିଲି ଯେ, ଏପରି ବିଷୟକୁ ନିରପେକ୍ଷ ଭାବେ ଲିପିବଦ୍ଧ କରିବା ପାଇଁ ଯେତେ ଅନୁଦୃଷ୍ଟି ଆବଶ୍ୟକ, ତାହା ମୁଁ ହାସଲ କରିପାରିଲି ନାହିଁ ।

 

ଯେଉଁ ଦେଶକୁ ମୁଁ ‘ମୋର ଭାରତ’ ବୋଲି ଜାଣେ, ସେଥିରେ ବାସ କରୁଥିବା ଚାଳିଶ କୋଟି ଅଧିବାସୀଙ୍କ ମଧ୍ୟରୁ ଶତକଡ଼ା ନବେ ଭାଗ ଦରିଦ୍ର ହେଲେ ମଧ୍ୟ ଅତି ଅମାୟିକ, ସଚ୍ଚୋଟ, ସାହସୀ, ବିଶ୍ଵସ୍ତ ଓ କର୍ମଠ । ନିଜ ଜୀବନ, ଧନ ଓ ଶ୍ରମଲବ୍‍ଧ ଉପାର୍ଜନକୁ ନିରାପଦରେ ଉପଭୋଗ କରିବାର ସାମାନ୍ୟ ସୁଯୋଗ ପାଇଁ ଏମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତି ଓ କ୍ଷମତାସୀନ ସରକାରଙ୍କୁ ନିବେଦନ ଜଣାନ୍ତି । ‘ଭାରତର ବୁଭୁକ୍ଷୁ ଜନତା’ ବୋଲି ଆଖ୍ୟାତ ଏଇ ଗରିବଙ୍କ ମେଳରେ ମୁଁ ବାସ କରୁଥିଲି ଓ ଅନ୍ତର ସହିତ ସେମାନଙ୍କୁ ଭଲ ପାଉଥିଲି । ଏଇ ପୃଷ୍ଠା କେତୋଟିରେ ମୁଁ କହିବାକୁ ଚାହେଁ ସେଇମାନଙ୍କ କାହାଣୀ । ‘ମୋର ଭାରତ’ ର ସେହି ଗରିବ ବନ୍ଧୁମାନଙ୍କ ଉଦ୍ଦେଶ୍ୟରେ ଏହି ପୁସ୍ତକଟି ବିନୀତ ଭାବେ ଉତ୍ସର୍ଗ କଲି ।

 

ଜିମ୍ କରବେଟ୍

Image

 

ଭୂମିକା

 

ମୋର ଉତ୍ସର୍ଗ ପତ୍ରଟି ପଢ଼ି ଆପଣ ହୁଏତ ପଚାରି ପାରନ୍ତି, “ଭାରତର ଯେଉଁ ଗରିବମାନଙ୍କ ବିଷୟ ଆପଣ ଉଲ୍ଲେଖ କଲେ–କିଏ ସେମାନେ ? ‘ମୋର ଭାରତ’ ବୋଲି ଆପଣ କାହାକୁ କହୁଛନ୍ତି ?” ଯଥାର୍ଥ ଆପଣଙ୍କର ପ୍ରଶ୍ନ । ଉତ୍ତରରୁ ଦକ୍ଷିଣକୁ ତଥା ପୂର୍ବରୁ ପଶ୍ଚିମକୁ ଦୀର୍ଘ ଦୁଇ ହଜାର ମାଇଲ ବିସ୍ତୃତ ଏହି ବିଶାଳ ଉପଦ୍ୱୀପର ଅଧିବାସୀଙ୍କୁ ଦୁନିଆ ଅଭ୍ୟାସବଶତଃ ‘ଭାରତୀୟ’ ବୋଲି ଆଖ୍ୟା ଦେଇଥାଏ । ଶବ୍ଦଟି ଭୌଗୋଳିକ ଦୃଷ୍ଟିକୋଣରୁ ସମୀଚୀନ ହୋଇପାରେ; କିନ୍ତୁ ଉପଯୁକ୍ତ ବାଖ୍ୟା ନ କରି ଏ ଦେଶର ସବୁ ଅଧିବାସୀଙ୍କୁ କୌଣସି ଗୋଟିଏ ନାମ ଦେବାକୁ ଗଲେ ବୁଝାମଣାରେ ଭୁଲ ହେବା ସ୍ୱାଭାବିକ । ଭାରତବର୍ଷର ଚାଳିଶ କୋଟି ଜନସଂଖ୍ୟା ବହୁ ବର୍ଣ୍ଣ, ଜାତି ଓ ଉପଜାତିର ସମ୍ମିଳନରେ ଗଠିତ । ବିବିଧ ଧର୍ମବିଶ୍ୱାସ ଦ୍ଵାରା ଏହି ଜନସମଷ୍ଟି ଜଟିଳତର ହୋଇଉଠେ । ଏ ଦେଶର ଜନସମାଜ ମଧ୍ୟରେ ଥିବା ବର୍ଣ୍ଣ ଓ ବିଶ୍ୱାସର ବିବିଧତ୍ୱ ସମଗ୍ର ଇଉରୋପ ମହାଦେଶରେ ମଧ୍ୟ ଦେଖିବାକୁ ମିଳେ ନାହିଁ । ଭାରତବର୍ଷ ପରିଶେଷରେ ଭାରତ ଓ ପାକିସ୍ତାନରେ ବିଭକ୍ତ ହେବା ମୂଳରେ କିନ୍ତୁ ଜାତିଗତ ପାର୍ଥକ୍ୟ ନ ଥିଲା–ଥିଲା ଧର୍ମଗତ ବିଭେଦ । ଏହି ପୃଷ୍ଠଭୂମି ଉପରେ ‘ମୋର ଭାରତ’ ବୋଲି ମୁଁ କାହାକୁ କହୁଛି ତାହା ବୁଝାଇବାକୁ ଚେଷ୍ଟା କରେ ।

 

ବିଶାଳ ଏହି ଦେଶର ଯେଉଁ ଅଂଶଟିରେ ଶୈଶବରୁ ଆରମ୍ଭ କରି ଦୀର୍ଘ ସତୁରୀ ବର୍ଷ ମୁଁ କଟାଇଛି, ତାହାକୁ ମୁଁ ‘ମୋର ଭାରତ’ ବୋଲି କହେ । ଗ୍ରାମ୍ୟଜୀବନର କେତୋଟି ଛବି ଭିତରେ ସେଠାକାର ଗ୍ରାମବାସୀଙ୍କ ଜୀବନ ଓ ଚରିତ୍ରକୁ ଚିତ୍ରଣ କରିବା ହିଁ ମୋର ଉଦ୍ଦେଶ୍ୟ । ଭାରତ ମାନଚିତ୍ରର ସୀମା କୁମାରୀକା ଅନ୍ତରୀପରୁ ଆରମ୍ଭ କରି ଗାଙ୍ଗେୟ ଉପତ୍ୟକା ଦେଇ ଉତ୍ତର ପ୍ରଦେଶର ଉତ୍ତରତମ ଅଞ୍ଚଳ ପର୍ଯ୍ୟନ୍ତ ଦୃଷ୍ଟି ବୁଲାଇ ଆଣନ୍ତୁ । ସେଠାରେ ହିମାଳୟ ପାଦଭୂମିରେ ଆପଣ ଖୋଜି ପାଇବେ ଶୈଳନିବାସ ନୈନିତାଲ । ଉତ୍ତର ପ୍ରଦେଶ ସରକାରଙ୍କର ଗ୍ରୀଷ୍ମନିବାସ ଏହି ନଗରୀ । ସମତଳ ଅଞ୍ଚଳର ପ୍ରଖର ଉତ୍ତାପରୁ ରକ୍ଷା ପାଇବା ପାଇଁ ଇଉରୋପୀୟ ଓ ଧନୀ ଭାରତୀୟମାନେ ଗ୍ରୀଷ୍ମକାଳରେ ଏଠାକୁ ଚାଲିଆସନ୍ତି । ଅପ୍ରେଲରୁ ନଭେମ୍ବର ମାସ ପର୍ଯ୍ୟନ୍ତ ସହରରେ ଜନସମାଗମ ଲାଗି ରହିଥାଏ । ଶୀତ ଦିନେ ମୁଷ୍ଟିମେୟ ଯେଉଁ କେତେଜଣ ସ୍ଥାୟୀ ବାସିନ୍ଦା ଏଠାରେ ପଡ଼ି ରହିଥାନ୍ତି, ମୁଁ ସେହିମାନଙ୍କ ମଧ୍ୟରୁ ଜଣେ । ଏବେ ନୈନିତାଲରୁ ଦୃଷ୍ଟି ଫେରାଇ ଗଙ୍ଗାନଦୀର ଗତିପଥ ଅନୁସରଣ କରି ବଙ୍ଗୋପସାଗର ଆଡେ଼ ଆଗେଇ ଚାଲନ୍ତୁ । ବାଟରେ ଆଲ୍ଲାହାବାଦ, ବନାରସ ଓ ପାଟନା ସହର ଅତିକ୍ରମ କରି ଆପଣ ମୋକାମା ଘାଟରେ ପହଞ୍ଚିବେ । ମୋର କର୍ମଜୀବନର ଦୀର୍ଘ ଏକୋଇଶ ବର୍ଷ ମୋକାମା ଘାଟରେ କଟିଛି । । ଭାରତ ମାନଚିତ୍ରର ଯେଉଁ ଦୁଇଟି ବିନ୍ଦୁକୁ କେନ୍ଦ୍ରକରି ମୋର ଚିତ୍ରଗୁଡ଼ିକୁ ମୁଁ ଅଙ୍କନ କରିଛି, ସେଥିରୁ ଗୋଟିଏ ନୈନିତାଲ ଓ ଅପରଟି ମୋକାମା ଘାଟ ।

 

ପଦଯାତ୍ରୀଙ୍କ ପାଇଁ ନୈନିତାଲକୁ ଅନେକ ଚଲାବାଟ ଅଛି । ମୋଟର ଯୋଗେ ସେଠାକୁ ଯିବା ପାଇଁ କିନ୍ତୁ ଗୋଟିଏ ମାତ୍ର ରାସ୍ତା । ପାର୍ବତ୍ୟ ଅଞ୍ଚଳର ସବୁଠାରୁ ସୁଗଠିତ ଓ ସୁରକ୍ଷିତ ଏହି ରାସ୍ତାଟିକୁ ନେଇ ଆମେ ଗର୍ବ ଅନୁଭବ କରୁ । କାଠଗୋଦାମ ରେଳପ୍ରାନ୍ତରୁ ଆରମ୍ଭ ହୋଇ ସହଜ ଗତିରେ ୪୫୦୦ ଫୁଟ ଉପରକୁ ଉଠି ରାସ୍ତାଟି ନୈନିତାଲରେ ପହଞ୍ଚେ । ବାଇଶ ମାଇଲ ଲମ୍ବ ଏହି ରାସ୍ତା ଦୁଇ କଡ଼ ନିବିଡ଼ ଜଙ୍ଗଲରେ ବାଘ, ସାପ ଓ ଅନ୍ୟାନ୍ୟ ବହୁ ବନ୍ୟଜନ୍ତୁ ଦେଖିବାକୁ ମିଳନ୍ତି । ପୂର୍ବରୁ ପଶ୍ଚିମକୁ ଲମ୍ବି ରହିଥିବା ଏକ ପାହାଡ଼ଘେରା ଉପତ୍ୟକାରେ ନୈନିତାଲ ନଗର । ଉପତ୍ୟକା ମଝିରେ ଛୋଟ ଗୋଟାଏ ହ୍ରଦ । ତିନି ପାଖରେ ଘେରି ରହିଥିବା ପର୍ବତଗୁଡ଼ିକ ମଧ୍ୟରୁ ସର୍ବୋଚ୍ଚ ଚୀନା ପର୍ବତର ଉଚ୍ଚତା ୮୫୬୯ ଫୁଟ । ଚତୁର୍ଥ ପାଖଟି ଖୋଲା । ମୋଟର ରାସ୍ତା ସେହି ଆଡ଼ୁ ସହରରେ ପ୍ରବେଶ କରି ହ୍ରଦକୂଳରେ ଶେଷ ହୁଏ । ହ୍ରଦର ପରିଧି ମାତ୍ର ଦୁଇ ମାଇଲ । ଉପରୁ ବାରମାସୀ ଝରଣାଟିଏ ତାହାକୁ ପାଣି ଯୋଗାଏ । ଉଛୁଳି ପଡ଼ୁଥିବା ପାଣିର ଧାର ରାସ୍ତା କଡ଼ଦେଇ ବହିଯାଏ ତଳକୁ । ଉପତ୍ୟକା ଉପର ଓ ତଳ ଅଂଶରେ ବଜାର । ଘେରି ରହିଥିବା ପାହାଡ଼ ଓ ଜଙ୍ଗଲଗୁଡ଼ିକ ବିଦ୍ୟାଳୟ, ଆମୋଦଶାଳା ଓ ଭୋଜନାଳୟରେ ପୂର୍ଣ୍ଣ । ହ୍ରଦ କୂଳରେ କେତୋଟି ନୌକାଘର ଓ ସୁନ୍ଦର ଏକ ଦେବାଳୟ । ନିକଟସ୍ଥ ପଥର ନିର୍ମିତ ଛୋଟ ମନ୍ଦିରଟିକୁ ଅତି ପବିତ୍ର ବୋଲି ଧରାଯାଏ । ମନ୍ଦିରର ବୃଦ୍ଧ ବ୍ରାହ୍ମଣ ପୂଜକ ମୋର ଆଜୀବନ ବନ୍ଧୁ ।

 

ହ୍ରଦଟିର ଉତ୍ପତ୍ତି ନେଇ ଭୂତତ୍ତ୍ୱବିତମାନେ ନାନା ମତ ଦିଅନ୍ତି । କେହି କହନ୍ତି ଯେ, ତୁଷାରକ୍ଷେତ୍ରର ଅପସାରଣ କିମ୍ବା ଭୁସ୍ଖଳନ ଯୋଗୁଁ ହ୍ରଦଟିର ସୃଷ୍ଟି । ଅନ୍ୟ କେତେକଙ୍କ ମତରେ ଆଗ୍ନେୟ ବିସ୍ଫୋରଣରୁ ଏହାର ଉତ୍ପତ୍ତି । ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ମହର୍ଷି ଅତ୍ରି, ପୁଲସ୍ତ୍ୟ ଓ ପୁଲହ ଏହାର ନିର୍ମାତା । ସ୍କନ୍ଦ ପୁରାଣରେ ଏହା ବର୍ଣ୍ଣନା କରାଯାଇଛି । ପ୍ରାୟଶ୍ଚିତ ଉଦ୍ଦେଶ୍ୟରେ ତୀର୍ଥଯାତ୍ରାରେ ବାହାରି ମହର୍ଷି ତିନି ଜଣ ଚୀନା ପର୍ବତରେ ପହଁଞ୍ଚିଲେ । ଶୋଷ ମେଣ୍ଟାଇବାକୁ ସେଠାରେ ପାଣି ନ ମିଳିବାରୁ ପର୍ବତର ପାଦଭୂମିରେ ହ୍ରଦଟିଏ ଖୋଳି ପବିତ୍ର ମାନସରୋବରରୁ ଜଳ ଆଣି ତା’କୁ ପୂର୍ଣ୍ଣ କରିଦେଲେ । ଋଷିମାନେ ଚାଲିଯିବା ପରେ ଏ ଅଞ୍ଚଳର ଅଧିଷ୍ଠାତ୍ରୀ ନୈନିଦେବୀ ଏହିଠାରେ ଅବସ୍ଥାନ କଲେ । ଜଙ୍ଗଲ ଓ ଜଳଦ୍ଵାରା ଆକୃଷ୍ଟ ହୋଇ ନାନା ପ୍ରକାର ପଶୁପକ୍ଷୀ ବହୁ ସଂଖ୍ୟାରେ ଏଠାରେ ବାସ କରିବାକୁ ଲାଗିଲେ । ଏହି ଜଙ୍ଗଲରେ ଏବେ ମଧ୍ୟ ନାନା ରକମ ପଶୁପକ୍ଷୀ ଦେଖିବାକୁ ମିଳନ୍ତି । ନୈନିଦେବୀଙ୍କ ମନ୍ଦିରର ଚାରି ମାଇଲ ବ୍ୟାସାର୍ଦ୍ଧ ଭିତରେ ବାଘ, ଚିତାବାଘ, ଭାଲୁ, ସମ୍ବର ଓ ଅନ୍ୟାନ୍ୟ ଅନେକ ପ୍ରକାର ବନ୍ୟଜନ୍ତୁ ମୁଁ ଦେଖିଛି । ବିଭିନ୍ନ ଜାତିର ସମୁଦାୟ ଶହେ ଅଠାଇଶ ପ୍ରକାର ପକ୍ଷୀ ଏହି ଜଙ୍ଗଲରେ ମୁଁ ଚିହ୍ନଟ କରିଛି ।

 

ପାର୍ବତ୍ୟ ଅଞ୍ଚଳର ଲୋକେ ତାଙ୍କର ଏହି ପବିତ୍ର ହ୍ରଦ ବିଷୟ କାହାକୁ ଜଣାଉ ନ ଥିଲେ-। ଏଠାର ଶାସକମାନେ ଜନରବଦ୍ଵାରା ଏ ହ୍ରଦ ସମ୍ବନ୍ଧରେ ଶୁଣିଥିଲେ ମଧ୍ୟ ଏହାର ସଠିକ ଅବସ୍ଥିତି ସେମାନଙ୍କୁ ଜଣା ନ ଥିଲା । ଶେଷରେ ଏହି ଶାସକବର୍ଗରୁ ଜଣେ କୌଶଳକ୍ରମେ ହ୍ରଦଟି ଖୋଜି ବାହାର କଲେ । ଜଣେ ସ୍ଥାନୀୟ ଲୋକ ମୁଣ୍ଡରେ ଓଜନିଆ ପଥରଟିଏ ଲଦି ନିର୍ଦ୍ଦେଶ ଦିଆଗଲା ଯେ ନୈନିଦେବୀଙ୍କର ହ୍ରଦ ପାଖରେ ନ ପହଞ୍ଚିବା ପର୍ଯ୍ୟନ୍ତ ତା’ ମୁଣ୍ଡରୁ ପଥରଟିଏ ଓହ୍ଲାଯିବ ନାହିଁ । କିଛି ଦିନ ଏଣେ ତେଣେ ବୁଲିବା ପରେ ଲୋକଟି ବାଧ୍ୟ ହୋଇ ଅନୁସରଣକାରୀଙ୍କୁ ହ୍ରଦଟି ଦେଖାଇ ଦେଲା । ପ୍ରାୟ ଛଅ ଶହ ପାଉଣ୍ଡ ଓଜନର ଏକ ବିରାଟ ପଥର ଏବେ ମଧ୍ୟ ହ୍ରଦ କୂଳରେ ପଡ଼ିଛି । ଏହା ସେହି କିମ୍ବଦନ୍ତୀର ପଥର ବୋଲି ଲୋକଙ୍କର ଧାରଣା । ପିଲାଦିନେ ଏ ଅଞ୍ଚଳର ଜଣେ ପଥରଟି ମୋତେ ଚିହ୍ନାଇ ଦେଇଥିଲେ । ଏତେ ବଡ଼ ପଥର ଜଣେ ବୋହି ପାରି ନ ଥିବ ବୋଲି ମୁଁ ସନ୍ଦେହ କରିବାରୁ ସେ କହିଥିଲେ, “ପଥରଟା ଅବଶ୍ୟ ବଡ଼ । କିନ୍ତୁ ତୁମେ ମନେ ରଖିବା ଉଚିତ ଯେ, ସେ କାଳର ଲୋକ ମଧ୍ୟ ଭାରି ବଳୁଆ ଥିଲେ ।”

 

ମୋ ସାଙ୍ଗରେ ଏବେ ଚୀନା ପର୍ବତ ଉପରକୁ ଚାଲନ୍ତୁ । ଦିଗନ୍ତ ବ୍ୟାପୀ ଏଠାକାର ଦୃଶ୍ୟସମ୍ଭାର ଦେଖିବାପାଇଁ ସଙ୍ଗରେ ଭଲ ଦୁର୍ବିନ୍‍ଟିଏ ନେଇଥାଆନ୍ତୁ । ତୀଖ ଆମର ରାସ୍ତା । କିନ୍ତୁ ଦୁଇ ପାଖର ସୁନ୍ଦର ବୃକ୍ଷଲତା ଓ ପଶୁପକ୍ଷୀଙ୍କ ଦେଖି ତିନି ମାଇଲ ଆରୋହଣର କ୍ଲାନ୍ତି ଆପଣ ଭୁଲିଯିବେ । ପୁରାଣର ସେହି ଋଷିମାନଙ୍କ ପରି ଆପଣ ଯଦି ତୃଷାର୍ତ୍ତ ହୋଇ ପଡ଼ନ୍ତି, ପର୍ବତ ଉପରେ ସ୍ଵଚ୍ଛ ଶୀତଳ ଝରଣାଟିଏ ମୁଁ ଦେଖାଇଦେବି । ତାହାରି କୂଳରେ ମଧ୍ୟାହ୍ନ ଭୋଜନ କରି ଆପଣ ବିଶ୍ରାମ କରିବେ ।

 

ମଧ୍ୟହ୍ନ ଭୋଜନ ଶେଷ ହେଲା । ବିଶ୍ରାମ ଆପଣ କରିସାରିଲେ । ଏବେ ଉତ୍ତର ଦିଗକୁ ଦୃଷ୍ଟି ଦିଅନ୍ତୁ । ଏଠାର ଠିକ୍ ତଳୁ ପର୍ବତ ପାଦଭୂମିରୁ ଆରମ୍ଭ ହୋଇଥିବା ନିବିଡ଼ ଜଙ୍ଗଲ କୋଶୀ ନଦୀର କୂଳ ପର୍ଯ୍ୟନ୍ତ ମାଡ଼ି ଯାଇଛି । ନଦୀର ଆର ପାଖ ସମାନ୍ତର ଗିରିଶ୍ରେଣୀ ମଧ୍ୟରେ ବିକ୍ଷିପ୍ତ କେତେଗୋଟି ଗାଁ । ଏହି ଗିରିଶ୍ରେଣୀରୁ ଗୋଟିକରେ ଆଲମୋରା ଓ ଅନ୍ୟଟିରେ ରାଣୀଖେତ ସହର ଅବସ୍ଥିତ । ଉପାନ୍ତର ଅନ୍ୟ ଗିରିଶ୍ରେଣୀ ମଧ୍ୟରୁ ସର୍ବୋଚ୍ଚ ଡୁଙ୍ଗାର ବୁକାଲ ପର୍ବତ ୧୪,୨୦୦ ଫୁଟ ଉଚ୍ଚ ହୋଇଥିଲେ ସୁଦ୍ଧା ବିରାଟକାୟ ହିମାଳୟ ତୁଳନାରେ ତାହାର ଉଚ୍ଚତା ଖର୍ବ ହୋଇଛି । ଏଠାରୁ ଉତ୍ତରକୁ ସରଳଭାବେ ଠିକ ଷାଠିଏ ମାଇଲ ଦୂରରେ ତ୍ରିଶୂଳ ପର୍ବତ । ଏହି ୨୩,୪୦୬ ଫୁଟ ଉଚ୍ଚ ଶିଖରର ପୂର୍ବ ଓ ପଶ୍ଚିମ ପାଖରେ ତୁଷାରାବୃତ ପର୍ବତ ଶ୍ରେଣୀ ଅନବଚ୍ଛିନ୍ନ ଭାବେ ଶହ ଶହ ମାଇଲ ଲମ୍ବି ଯାଇଛି । ତ୍ରିଶୂଳର ପଶ୍ଚିମ ଦିଗ ପର୍ବତଗୁଡ଼ିକୁ ପ୍ରଥମେ ଲକ୍ଷ୍ୟ କରନ୍ତୁ । ଏହାଙ୍କୁ ଘେରି ରହିଥିବା ତୁଷାରକ୍ଷେତ୍ର ଦୃଷ୍ଟିପଥରୁ ଯେଉଁଠାରେ ଅନ୍ତର୍ହିତ ହୋଇଯାଏ, ସେହିଠାରୁ ଗଙ୍ଗୋତ୍ରୀ ଗିରିପୁଞ୍ଜର ଆରମ୍ଭ । ଗଙ୍ଗୋତ୍ରୀର ଉପକଣ୍ଠରେ ପବିତ୍ର କେଦାରନାଥ ଓ ବଦ୍ରିନାଥ ତୀର୍ଥ ଉପରିସ୍ଥ ତୁଷାରନଦୀ ଓ ପର୍ବତମାଳା । ଏବେ ତ୍ରିଶୂଳର ପୂର୍ବ ଦିଗକୁ ଦେଖନ୍ତୁ । ଭାରତର ସର୍ବୋଚ୍ଚ ପର୍ବତ ନନ୍ଦାଦେବୀ(୨୫୬୮୯ ଫୁଟ)ର ଶୀର୍ଷଭାଗଟି କେବଳ ଏଠାରୁ ଦେଖାଯାଉଛି । ନନ୍ଦାଦେବୀ ନିକଟସ୍ଥ ପ୍ରସିଦ୍ଧ ନନ୍ଦକୋଟ ପର୍ବତ ପାର୍ବତୀଙ୍କର ଶୁଭ୍ର ଉପାଧାନ ବୋଲି ପୁରାଣରେ ବର୍ଣ୍ଣିତ । ନନ୍ଦକୋଟର ସାମାନ୍ୟ ପୂର୍ବକୁ ପଞ୍ଚଚୁଲ୍ଲୀ ପର୍ବତର ସୁନ୍ଦର ଶିଖର ସମୂହ । ପାଣ୍ଡବମାନେ କୈଳାସ ଯାତ୍ରା କରିବାବେଳେ ଏଗୁଡ଼ିକୁ ଚୁଲ୍ଲି ରୂପେ ବ୍ୟବହାର କରିଥିଲେ ବୋଲି ପ୍ରବାଦ ଅଛି । ତ୍ରିସନ୍ଧ୍ୟାରେ ଏହି ପର୍ବତଶ୍ରେଣୀର ବର୍ଣ୍ଣସମାରୋହ ବାସ୍ତବରେ ଦର୍ଶନୀୟ । ଉଷାର ଆଗମରେ ଏହା ପରେ ପରେ ଘନନୀଳ, ଗୋଲାପୀ ଓ ରଜତ ବର୍ଣ୍ଣ ଧାରଣ କରିବା ବେଳେ ଚୀନା ଓ ତାହାର ମଧ୍ୟବର୍ତ୍ତୀ ପର୍ବତଗୁଡ଼ିକ ଉପରେ ରାତ୍ରିର ଘନ ଅଞ୍ଚଳ ବିଛାଇ ହୋଇ ରହିଥାଏ । ଦିନର ପ୍ରଖର ଆଲୁଅରେ ଏଗୁଡ଼ିକ ଶୁଭ୍ର ଶୀତଳ ଦେଖାଯାଆନ୍ତି । ଦିନାନ୍ତରେ ଅସ୍ତଗାମୀ ସୂର୍ଯ୍ୟର ସ୍ପର୍ଶରେ ସେମାନେ ପୁଣି ଥରେ ଗୋଲାପୀ, ସ୍ଵର୍ଣ୍ଣ ବା ରକ୍ତ ରଙ୍ଗରେ ରଞ୍ଜିତ ହୋଇ ଉଠନ୍ତି ।

 

ଏବେ ତୁଷାରମୟ ଉତ୍ତରାଞ୍ଚଳରୁ ଦୃଷ୍ଟି ଫେରାଇ ଦକ୍ଷିଣ ଦିଗକୁ ଚାହାଁନ୍ତୁ । ଦୃଷ୍ଟିପଥର ଶେଷ ସୀମାରେ ବରେଲି, କାଶୀପୁର ଓ ମୋରାଦାବାଦ ସହର । ନିକଟତମ କାଶୀପୁର ଏଠାରୁ ଠିକ୍ ପଚାଶ ମାଇଲ ଦୂର ଏବଂ ପଞ୍ଜାବ ଓ କଲିକତାକୁ ସଂଯୋଗ କରୁଥିବା ପ୍ରଧାନ ରେଳରାସ୍ତା ଉପରେ ତାହାର ଅବସ୍ଥିତି । ରେଳପଥ ଓ ତଳ ପାର୍ବତ୍ୟଭୂମି ମଧ୍ୟରେ ଥିବା ଚାଳିଶ ମାଇଲ ପ୍ରସ୍ଥବିଶିଷ୍ଟ ସମତଳ ଅଞ୍ଚଳ ତିନି ଭାଗରେ ବିଭକ୍ତ । ପ୍ରଥମ କୋଡ଼ିଏ ମାଇଲ ଚାଷଜମି । ମଧ୍ୟବର୍ତ୍ତୀ ଦଶ ମାଇଲ ଘାସଜମିକୁ ‘ତରାଇ’ କୁହାଯାଏ । ତରାଇର ପ୍ରାନ୍ତରୁ ଆରମ୍ଭ ହୋଇ ପର୍ବତର ପାଦ ପର୍ଯ୍ୟନ୍ତ ଲମ୍ବି ଆସିଥିବା ବୃକ୍ଷଲତାପୂର୍ଣ୍ଣ ଅଞ୍ଚଳ ‘ଭାବର’ ନାମରେ ଆଖ୍ୟାତ । ଭାବରର କେତେକ ସ୍ଥାନରେ ଜଙ୍ଗଲ ସଫା ହୋଇ ଚାଷଜମି ଆବାଦ କରାଯାଇଛି । ଉର୍ବର ଏହି ଜମିଗୁଡ଼ିକରେ ଫସଲ କରି, ଏଠାର ନିର୍ମଳ ଝରମାନଙ୍କରୁ ପାଣି ନେଇ ଭାବର ଜଙ୍ଗଲ ଭିତରେ ଛୋଟ ବଡ଼ କେତେ ଜନବସତି ଗଢ଼ି ଉଠିଛି ।

 

ଏଠାକୁ ନିକଟତମ ଗ୍ରାମ ସମୂହର ନାମ ‘କାଲାଦୁଙ୍ଗୀ’ । ସଡ଼କ ପଥରେ ନୈନିତାଲଠାରୁ ଏହା ପନ୍ଦର ମାଇଲ ଦୂର । ପୁଞ୍ଜୀଭୂତ ଏହି ପଲ୍ଲୀଗୁଡ଼ିକର ଉପରିଭାଗରେ ଛୋଟ ଯେଉଁ ଗାଁଟି ଏଠାରୁ ଦେଖାଯାଉଛି, ସେଇଟି ମୋର ଗାଁ–‘ଛୋଟି’ ହଲଦ୍ୱାନୀ’ । ଗାଁକୁ ଘେରି ରହିଛି ତିନି ମାଇଲ ଲମ୍ବ ଏକ ପଥର ପାଚେରୀ । ତଳ ପାର୍ବତ୍ୟଭୂମିର ପ୍ରାନ୍ତ ଦେଇ ଘୁରି ଆସିଥିବା ରାସ୍ତାଟି ନୈନିତାଲ ସଡ଼କ ସହିତ ଯେଉଁଠି ମିଶିଛି, ସେହି ଛକ ଉପରେ ମୋର ଘର । ବଡ଼ ବଡ଼ ଗଛ ଉହାଡ଼ରୁ କେବଳ ତା’ର ଛାତଟି ଆମକୁ ଦେଖାଯାଉଛି ।

 

ଏହି ଅଞ୍ଚଳର ପାଦପର୍ବତଗୁଡ଼ିକ ପ୍ରାୟ ସମ୍ପୂର୍ଣ୍ଣ ଭାବେ ଲୁହା ପଥରରେ ଗଢ଼ା । ସମଗ୍ର ଉତ୍ତର ଭାରତରେ ଲୁହା ତିଆରି ପ୍ରଥମେ କାଲାଦୁଙ୍ଗୀ ଠାରେ ହିଁ ଆରମ୍ଭ ହୋଇଥିଲା ଓ ଏଥିପାଇଁ ‘ଭାବର’ ଜଙ୍ଗଲରୁ ଜାଳେଣୀକାଠ ଯୋଗାଇ ଦିଆଯାଉଥିଲା । କୁମାୟୁଁ ଡିଭିଜନର ତତ୍‍କାଳୀନ ଶାସନକର୍ତ୍ତା ଜେନେରାଲ ସାର ହେନ୍‌ରୀ ରାମ୍‌ସେ ଆଶଙ୍କା କଲେ ଯେ କାରଖାନାକୁ ଜାଳ ଯୋଗାଇ ଭାବର ଜଙ୍ଗଲ ଧ୍ୱଂସ ପାଇଯିବ । ପ୍ରଭାବ ଓ ମର୍ଯ୍ୟାଦା ଦୃଷ୍ଟିରୁ ରାମ୍‌ସେଙ୍କୁ ସେତେବେଳେ ‘କୁମାୟୁଁ ର ରାଜା’ ବୋଲି ଆଖ୍ୟା ଦିଆଯାଉଥିଲା । ଶେଷରେ ସେ ନିଜେ ହସ୍ତକ୍ଷେପ କରି ଲୁହା କାରଖାନା ସବୁ ବନ୍ଦ କରି ଦେଇଥିଲେ । ଚୀନା ପର୍ବତ ଓ କାଲାଦୁଙ୍ଗୀ ଗ୍ରାମଗୁଚ୍ଛ ମଧ୍ୟରେ ଥିବା ଛୋଟ ପାହାଡ଼ଗୁଡ଼ିକ ନିବିଡ଼ ଶାଳବଣରେ ଆବୃତ । ଏଠାରୁ ଆମଦାନୀ ହେଉଥିବା ଶାଳକାଠର ତକ୍ତା ଭାରତର ବିଭିନ୍ନ ରେଳବାଇକୁ ଯୋଗାଇ ଦିଆଯାଏ । ଅଦୂରରେ ପାହାଡ଼ ପଛରେ ଛପି ରହିଥିବା ହ୍ରଦଟିର ନାମ ଖୁର୍ପାତାଲ । ହ୍ରଦ ଚାରିପାଖ କ୍ଷେତମାନଙ୍କରୁ ଭାରତର ସର୍ବୋତ୍କୃଷ୍ଟ ନୈନିତାଲ ଆଳୁ ଉତ୍ପନ୍ନ ହୁଏ । ଆପଣଙ୍କ ଡାହାଣ ପାଖରେ ବହୁ ଦୂରରେ ସୂର୍ଯ୍ୟକିରଣ ପଡ଼ି ଗଙ୍ଗାନଦୀର ଜଳ ଝଲମଲ କରୁଛି । ବାଁ ପାଖରେ ସୁଦୂର ଶାରଦା ନଦୀର ଧାର ଉପରେ ସୂର୍ଯ୍ୟାଲୋକର ଆଭାସ । ଏହିଠାରେ ପରସ୍ପରଠାରୁ ଦୁଇ ଶହ ମାଇଲ ବ୍ୟବଧାନରେ ନଦୀ ଦୁଇଟି ପାଦପର୍ବତରୁ ଅବତରଣ କରି ସମତଳଗାମିନୀ ହୁଅନ୍ତି ।

 

ଏବେ ପୂର୍ବ ଦିଗକୁ ଚାହିଁ ଦେଖନ୍ତୁ । ସମୀପସ୍ଥ ଓ ମଧ୍ୟବର୍ତ୍ତୀ ଅଞ୍ଚଳକୁ ପୁରୁଣା ଗେଜେଟିଅରମାନଙ୍କରେ ‘ଷାଠିଏ ହ୍ରଦର ଅଞ୍ଚଳ’ ବୋଲି ବର୍ଣ୍ଣନା କରାଯାଉଥିଲା । ଏଥିରୁ ଅନେକ ହ୍ରଦ ଏବେ ପୋତି ହୋଇଗଲାଣି । ମୋର ଦିହାତିରେ କେତୋଟି ପୋତି ହୋଇଯିବାର ମୁଁ ଦେଖିଛି । ବଡ଼ ବଡ଼ ଯେଉଁ ହ୍ରଦ କେତୋଟି ରହିଯାଇଛି, ତନ୍ମଧ୍ୟରୁ ନୈନିତାଲ, ସାତତାଲ, ଭୀମତାଲ ଓ ନାକୁଚିଆତାଲ ଅନ୍ୟତମ । ନାକୁଚିଆତାଲ ଆରପାରିରେ ତିନିକୋଣିଆ ‘ଛୋଟି କୈଳାସ’ ପର୍ବତ । ପବିତ୍ର ଏହି ପର୍ବତରେ ବାସ କରୁଥିବା ଜୀବଜନ୍ତୁମାନେ ଅବଧ୍ୟ; ସେମାନଙ୍କୁ ମାରିଲେ ଦେବତାମାନେ ରୁଷ୍ଟ ହୁଅନ୍ତି । ଗତ ମହାଯୁଦ୍ଧରୁ ଛୁଟିରେ ଫେରିଥିବା ଜଣେ ସୈନିକ ବାରଣ ନ ମାନି ଏହି ପର୍ବତରେ ପାହାଡ଼ିଆ ଛେଳିଟିଏ ମାରିଦେଲା । ପରେ ପରେ ବିନା କାରଣରେ ତା’ର ଗୋଡ଼ ଖସିଗଲା ଓ ଦୁଇ ଜଣ ସହଚରଙ୍କ ଆଖି ଆଗରେ ହଜାରେ ଫୁଟ ତଳକୁ ପଡ଼ି ସେ ପ୍ରାଣ ହରାଇଲା । ଛୋଟି କୈଳାସ ଆରପାଖରେ କାଲାଆଗର ଗିରିମାଳା । ଏଠାରେ ଚୌଗଡ଼ର ମଣିଷଖିଆ ବାଘକୁ ଦୀର୍ଘ ଦୁଇ ବର୍ଷ ମୁଁ ଖୋଜି ବୁଲୁଥିଲି * । ଏହାର ପ୍ରାନ୍ତରୁ ଆରମ୍ଭ ହୋଇ ଦୃଷ୍ଟିପଥରୁ କ୍ରମେ ଅପସରି ଯାଇଥିବା ଶୈଳଶ୍ରେଣୀମାନ ନେପାଳରେ ଅବସ୍ଥିତ ।

 

*

“କୁମାୟୁଁର ନରଖାଦକ” ବହିରେ ଏ ବିଷୟଟି ଅଛି । –ଅନୁବାଦକ

 

ଏଥର ପଶ୍ଚିମକୁ ଦୃଷ୍ଟି ଫେରାନ୍ତୁ । ଏହା ପୁର୍ବରୁ କିନ୍ତୁ ଚୀନା ପର୍ବତରୁ କେତେ ଶହ ଫୁଟ ତଳକୁ ଓହ୍ଲାଇ ଆପଣଙ୍କୁ ଦେଓପଟ୍ଟା ପାହାଡ଼ ଉପରକୁ ଯିବାକୁ ହେବ । ୭୯୯୧ ଫୁଟ ଉଚ୍ଚ ଏହି ପଥୁରିଆ ପାହାଡ଼ଟି ଚୀନା ପର୍ବତକୁ ଲାଗି ରହିଛି । ଏହାର ପାଦଭୂମିରେ ଥିବା ପ୍ରଶସ୍ତ ଉପତ୍ୟକା ଘଞ୍ଚ ଜଙ୍ଗଲରେ ପୂର୍ଣ୍ଣ । । ଚୀନା ଓ ଦେଓପଟ୍ଟା ମଧ୍ୟସ୍ଥିତ ଗିରିସଙ୍କଟରୁ ଆରମ୍ଭ ହୋଇ ଏହି ବନଭୂମି ଡାଚୌରୀ ମଧ୍ୟଦେଇ କାଲାଦୁଙ୍ଗୀ ପର୍ଯ୍ୟନ୍ତ ବିସ୍ତାର କରି ରହିଛି । ଅନ୍ୟ ହିମାଳୈୟ ଜଙ୍ଗଲମାନଙ୍କ ତୁଳନାରେ ଏଠାରେ ଉଦ୍ଭିଦ ଓ ଜନ୍ତୁସମ୍ପଦର ପ୍ରାଚୁର୍ଯ୍ୟ ଦେଖାଯାଏ । ସୁନ୍ଦର ଏହି ଉପତ୍ୟକାର ଶେଷ ସୀମାରୁ ଆରମ୍ଭ ହୋଇଥିବା ପର୍ବତଶ୍ରେଣୀ ନିରବଚ୍ଛିନ୍ନ ଭାବେ ଗଙ୍ଗାନଦୀ କୂଳ ପର୍ଯ୍ୟନ୍ତ ଆଗେଇ ଯାଇଛି । ଗଙ୍ଗାର ଜଳଧାରାରେ ସୂର୍ଯ୍ୟକିରଣର ଝଲକ ପୁର୍ବରୁ ଆପଣ ଲକ୍ଷ୍ୟ କରିଥିଲେ-। ଗଙ୍ଗା ଆରପାରିରେ ଶିବାଲିକ ଗିରିମାଳା । ଆଦିମ ଯୁଗର ଏହି ପ୍ରାଚୀନ ଗିରିମାଳା ଉତ୍ତୁଙ୍ଗ ହିମାଳୟଠାରୁ ଆହୁରି ବୟସ୍କ, ଆହୁରି ପୁରାତନ ।

Image

 

Unknown

ଗାଁ ସାଆନ୍ତାଣୀ

 

ଚୀନା ପର୍ବତରୁ ଯେଉଁ ଗାଁ ଗୁଡ଼ିକ ଆପଣ ଦେଖିଥିଲେ, ଚାଲନ୍ତୁ ସେଥିରୁ ଗୋଟିକରେ ବୁଲି ଆସିବା । ଗାଁ ମୁଣ୍ଡ ପାହାଡ଼ କଡ଼ରେ ଗାରପରି ଯାହା ଦୂରରୁ ଦିଶୁଥିଲା, ସେଗୁଡ଼ିକ ପ୍ରକୃତରେ ଚାଷ ଜମି । ପାହାଡ଼ କଡ଼କୁ ପାହାଚ ପରି କାଟି ଏହି କ୍ଷେତଗୁଡ଼ିକ ପ୍ରସ୍ତୁତ କରାଯାଇଛି । ଏଥିରୁ କେତୋଟି କ୍ଷେତ ମାତ୍ର ଦଶ ଫୁଟ ଓସାର ହୋଇଥିଲେ ସୁଦ୍ଧା ତା’କୁ ବାନ୍ଧି ରଖିବା ପାଇଁ ତିରିଶ ଫୁଟ ଉଚ୍ଚ ପଥରବନ୍ଧ ଦରକାର । ପ୍ରତି କ୍ଷେତର ଗୋଟିଏ ପାଖରୁ ପାହାଡ଼ ତୀଖ ଭାବେ ଉପରକୁ ଉଠିଥାଏ; ଆର ପାଖରୁ ଗଡ଼ିଯାଇଥାଏ ଅନେକ ତଳକୁ । ଅଣଓସାରିଆ ଏହି କ୍ଷେତଗୁଡ଼ିକରେ ହଳ ବୁଲାଇବା ଯେତିକି ଦୁଷ୍କର ସେତିକି ବିପଜ୍ଜନକ । ଏ ଅଞ୍ଚଳରେ ବ୍ୟବହୃତ ହେଉଥିବା ଲଙ୍ଗଳର ଈଷ ଅପେକ୍ଷାକୃତ ଛୋଟ । ଏହି ଲଙ୍ଗଳରେ ପାହାଡ଼ିଆ ଗୋରୁଙ୍କୁ ଯୋଚି ଏଠାରେ ହଳ ବୁଲାଇବା ସମ୍ଭବ ହୁଏ । ଗୋରୁଗୁଡ଼ିକ ଆକାରରେ ଛୋଟ କିନ୍ତୁ ମଜବୁତ । ଜନ୍ମରୁ ପାହାଡ଼ ପର୍ବତ ମଧ୍ୟରେ ଚଳିଥିବାରୁ ସଂକୀର୍ଣ୍ଣ ସ୍ଥାନରେ ସେମାନେ ନିରାପଦରେ ଖୋଜ ପକାଇବାରେ ଅଭ୍ୟସ୍ତ ।

 

ଦୃଢ଼ସଂକଳ୍ପ ସହିତ ଅସୀମ ଶ୍ରମ ସ୍ଵୀକାର କରି ଗ୍ରାମବାସୀମାନେ ଏହି ଜମିଗୁଡ଼ିକୁ ଆବାଦ କରିଥାନ୍ତି । ଗାଁ ଭିତରେ ତାଙ୍କର ଗୋଟିଏ ସାହାଲା ଘର । ଘରଗୁଡ଼ିକର ଛାତ ସବୁ ପଟାପଥରରେ ତିଆରି । ବସ୍ତି ଭିତର ଦେଇ ଯାଇଥିବା ଅଣଓସାରିଆ ଢାଲୁ ରାସ୍ତାଟି ଭାବରର ଜଙ୍ଗଲ ଓ ସମତଳ ଭୂମିରୁ ବାହାରି ହିମାଳୈୟ ପାର୍ବତ୍ୟ ଅଞ୍ଚଳ ଭିତରେ ନିଜକୁ ହଜାଇ ଦିଏ । ଏ ଗାଁର ବାସିନ୍ଦା ମାନେ ମୋତେ ଚିହଁନ୍ତି । ଥରେ ସେମାନେ ନିଜ ଭିତରେ ଭେଦା କରି ମୋ ପାଖକୁ ଜରୁରୀ ତାରବାର୍ତ୍ତାଟିଏ ପଠାଇ ଥିଲେ । ବାର୍ତ୍ତା ଧାଉଡ଼ିଆଦ୍ୱାରା ନୈନିତାଲରେ ପହଞ୍ଚିବା ପରେ ତାର ଯୋଗେ ମୋ ପାଖକୁ ପଠାଗଲା । ମୁଁ ସେତେବେଳେ ମୋକାମା ଘାଟରେ କାମ କରୁଥାଏ । ଜରୁରୀ ଡାକରା ପାଇଁ ମଣିଷଖିଆ ବାଘ ଦାଉରୁ ଏମାନଙ୍କୁ ରକ୍ଷାକରିବା ପାଇଁ ମୁଁ ଯେତେ ଶୀଘ୍ର ସମ୍ଭବ ଆସି ଏଠାରେ ପହଞ୍ଚିଥିଲି ।

 

ଦିନେ ଖରାବେଳେ ଏ ଗାଁରେ ଗୋଟିଏ ବିଶେଷ ଦୁର୍ଘଟଣା ଘଟିଯିବା ପରେ ତାର ଦ୍ୱାରା ମୋତେ ଡକାଇବା ଜରୁରୀ ହୋଇ ଉଠିଲା । ବସ୍ତି ଉପର ଏହି କ୍ଷେତରେ ଜଣେ ସ୍ତ୍ରୀଲୋକ ଓ ତା’ର ବାର ବର୍ଷର ଝିଅ ଗହମ କାଟୁଥିଲାବେଳେ ବାଘଟାଏ ହଠାତ୍ ସେଠାରେ ଦେଖାଦେଲା । ଝିଅଟି ପ୍ରାଣ ବିକଳରେ ମା’ ପାଖକୁ ଧାଇଁ ଆସୁ ଆସୁ ବାଘର ଗୋଟିଏ ଚାପୁଡ଼ାରେ ତା’ର ମୁଣ୍ଡ ଦେହରୁ ଛିଡ଼ି ଅଲଗା ହୋଇଗଲା । ଦେହଟା ଛିଟିକିଯାଇ ତଳେ ନ ପଡ଼ୁଣୁ ବାଘ ତା’କୁ ଝାମ୍ପି ନେଇ ଜଙ୍ଗଲ ଭିତରକୁ ପଳାଇଲା । ମୁଣ୍ଡଟି ମା’ର ଗୋଡ଼ ପାଖରେ ପଡ଼ି ରହିଥାଏ ।

 

ତାରବାର୍ତ୍ତା ଜରୁରୀ ହେଲେ ମଧ୍ୟ ପହଞ୍ଚିବାକୁ ଅନେକ ସମୟ ଲାଗେ । ତା’ପରେ ରାସ୍ତା ଓ ରେଳଯୋଗେ ହଜାରେ ମାଇଲ ଯାତ୍ରା କରି ଓ ଶେଷ କୋଡ଼ିଏ ମାଇଲ ପାଦରେ ଚାଲି ମୁଁ ଏଠାରେ ଆସି ପହଞ୍ଚିବାବେଳକୁ ତାରବାର୍ତ୍ତା ପଠାଯିବା ଓ ମୋର ପହଞ୍ଚିବା ଭିତରେ ସପ୍ତାହଟିଏ ବିତିଗଲା । ସେହି ଅବକାଶରେ ବାଘ ଆଉ ଜଣେ ସ୍ତ୍ରୀଲୋକକୁ ମାରିଦେଲା । ଏହି ସ୍ତ୍ରୀଲୋକଟିକୁ ମୁଁ ପୂର୍ବରୁ ଚିହ୍ନିଥିଲି । ନୈନିତାଲରେ ଆମ ପଡ଼ୋଶୀଙ୍କ ହତା ଭିତରେ ସେ ଅନେକ ବର୍ଷଯାଏ ତା’ର ସ୍ୱାମୀ ଓ ପିଲାମାନଙ୍କ ସହିତ ରହୁଥିଲା । ସେଦିନ ସେ ଦଳେ ସ୍ତ୍ରୀ ଲୋକଙ୍କ ସହିତ ଗାଁ ପାଖ ପାହାଡ଼ରୁ ଘାସ କାଟୁଥିବାବେଳେ ବାଘ ତାହାକୁ ଆକ୍ରମଣ କରି ସମସ୍ତଙ୍କ ଆଖି ଆଗରେ ଟେକି ନେଇଗଲା । କାନ୍ଦବୋବାଳି ଶୁଣି ପୁରୁଷମାନେ ଦଳ ବାନ୍ଧି ଅତି ସାହସର ସହିତ ବାଘକୁ ଗୋଡ଼ାଇ ତଡ଼ି ଦେଲେ । ସ୍ତ୍ରୀ ଲୋକ କେତେ ଜଣ ଏହି ଦୁଃସମ୍ବାଦ ନେଇ ନୈନିତାଲ ଧାଇଁଲେ । ସେତେବେଳେକୁ ମୋ ପାଖକୁ ତାରବାର୍ତ୍ତା ପଠାଯାଇଥାଏ । ଅନ୍ୟ ଉପରେ ଗଭୀର ବିଶ୍ୱାସ ରଖିବା ଭାରତୀୟ ମନୋଭାବର ଏକ ବିଶେଷତ୍ୱ । ଖବର ପାଇବା ମାତ୍ରେ ମୁଁ ଯେ ନିଶ୍ଚୟ ଆସିବି, ଏହି ନିର୍ଭର ବିଶ୍ୱାସ ରଖି ଲୋକେ ଶବକୁ ଖଣ୍ଡେ ଚଦରରେ ଗୁଡ଼ାଇ ତିରିଶ ଫୁଟ ଉଚ୍ଚ ଗୋଟିଏ ରୋଡାଡେନଡ୍ରନ୍ ଗଛ ଅଗରେ ଝୁଲାଇ ରଖିଲେ । ବାଘ ସେଠାରୁ ଅଳ୍ପ ଦୂରରେ ଶୋଇ ରହି ତାଙ୍କ କାର୍ଯ୍ୟକଳାପ ସବୁ ଲକ୍ଷ୍ୟ କରୁଥିଲା ବୋଲି ପରେ ତା’ର ଗତିବିଧିରୁ ଜଣା ପଡ଼ିଲା । ବାଘର ଘ୍ରାଣଶକ୍ତି ଏତେ ଦୁର୍ବଳ ଯେ ଶବ ଗଛ ଉପରେ ବନ୍ଧା ହେବା ନ ଦେଖିଥିଲେ ସେ କଦାପି ତା’କୁ ଖୋଜି ପାଇ ନ ଥାନ୍ତା ।

 

ନୈନିତାଲରେ ଖବର ପହଞ୍ଚିବା ପରେ ମୃତା ସ୍ତ୍ରୀଲୋକର ସ୍ୱାମୀ ମୋ ଭଉଣୀ ମ୍ୟାଗିକୁ ଏ ଦୁଃସମ୍ବାଦ ଦେଲା । ପରଦିନ ମୋର ପହଞ୍ଚିବାର ଥାଏ । ମ୍ୟାଗି କାଳବିଳମ୍ବ ନ କରି ପାହାନ୍ତାରୁ ଆମ ଲୋକ କେତେଜଣ ଘଟଣାସ୍ଥଳକୁ ପଠାଇଲା । ଶବ ନିକଟରେ ଗଛରେ ମଞ୍ଚା ବାନ୍ଧି ମୋତେ ଅପେକ୍ଷା କରିବାକୁ ସେମାନଙ୍କୁ କୁହାଯାଇଥାଏ l ଲୋକେ ଗାଁରୁ ମଞ୍ଚା ବାନ୍ଧିବାର ସରଞ୍ଜାମ ସବୁ ଯୋଗାଡ଼ କରି ରୋଡାଡେନଡ୍ରନ୍ ଗଛ ପାଖରେ ପହଞ୍ଚି ଦେଖନ୍ତି ଯେ, ବାଘ ଇତି ମଧ୍ୟରେ ଗଛ ଚଢ଼ି ଚଦର ଚିରି ଶବକୁ ନେଇ ପଳାଇଛି । ହାତରେ ଅସ୍ତ୍ରଶସ୍ତ୍ର କିଛି କିଛି ନ ଥିବା ସତ୍ୱେ ସେମାନେ ସାହସ ବାନ୍ଧି ଘୋଷରାଦାଗ ଅନୁସରଣ କରି ଅଧ ମାଇଲ ଦୂରରେ ଶବକୁ ଅଧାଖିଆ ଅବସ୍ଥାରେ ପାଇଲେ । ନିକଟସ୍ଥ ଗୋଟିଏ ଓକ୍ ଗଛରେ ମଞ୍ଚା ବନ୍ଧାହେଲା । ମଞ୍ଚା ବନ୍ଧା ସରିଛି କି ନାହିଁ, ନୈନିତାଲର ନୂଆ ସୌଖୀନ ଶୀକାରୀ ଜଣେ ଦୈବାତ୍ ସେଠାରେ ପହଞ୍ଚିଗଲେ । ମୋର ବନ୍ଧୁ ବୋଲି ନିଜର ପରିଚୟ ଦେଇ ନିଜେ ମଞ୍ଚା ଉପରେ ରହିବେ କହି ମୋର ଲୋକଙ୍କୁ ସେଠାରୁ ଚାଲିଯିବାକୁ ସେ ବାଧ୍ୟ କଲେ ।

 

ମୁଁ ସେତେବେଳକୁ ନୈନିତାଲରେ ପହଞ୍ଚିଥାଏ । ଲୋକ ମୋତେ ଖବର ଦେବାକୁ ଫେରିଲେ । ତେଣେ ଶିକାରୀ ତାଙ୍କ ବନ୍ଧୁକବୁହାଳୀ ଏବଂ ଖାଦ୍ୟଝୁଡ଼ି ଓ ଲଣ୍ଠଣ ବୋହୁଥିବା ଭାରୁଆ ସହିତ ମଞ୍ଚା ଉପରେ ଯାଇ ବସିଲେ । କୃଷ୍ଣପକ୍ଷ ରାତି । କିଟିକିଟି ଅନ୍ଧାର । ଘଣ୍ଟାଏ ଜଗିବା ପରେ ବନ୍ଧୁକବୁହାଳୀ ଶିକାରୀଙ୍କୁ ପଚାରିଲା ସେ, ବାଘ ଆସି ଶବକୁ ନେବାବେଳେ ସେ ଗୁଳି କଲେ ନାହିଁ କାହିଁକି ? ବାଘ ଇତି ମଧ୍ୟରେ ଶବ ପାଖକୁ ଆସିଥିବ ବୋଲି ଶିକାରୀ ବିଶ୍ୱାସ କରିପାରିଲେ ନାହିଁ । ଭଲକରି ଦେଖିବା ପାଇଁ ଲଣ୍ଠଣ ଲଗାଇ ତା’କୁ ରସିରେ ବାନ୍ଧି ତଳକୁ ଖସାଇବାବେଳେ ଅକସ୍ମାତ୍ ସେଇଟା ହାତରୁ ଖସି ତଳେ ପଡ଼ିଗଲା । ଖରାଦିନ । ଗଛ ମୂଳେ ଶୁଖିଲା ଘାସପତ୍ର ଜମିଥାଏ । ମୁହୂର୍ତ୍ତ ମଧ୍ୟରେ ନିଆଁ ତାହା ପ୍ରଚଣ୍ଡ ବେଗରେ ଜଳିବାକୁ ଲାଗିଲା । ଶିକାରୀ ଖୁବ୍ ସାହସ ସହିତ ଗଛରୁ ଓହ୍ଲାଇ ନିଜ କୋଟରେ ବାଡ଼େଇ ନିଆଁ ନିଭାଇବାକୁ ଚେଷ୍ଟା କଲେ । ନିଆଁ ତ ଲିଭିଲା ନାହିଁ, କୋଟରେ ନିଆଁ ଲାଗି ସେଟା ମଧ୍ୟ ଜଳିବାକୁ ଲାଗିଲା । ଏତିକିବେଳେ ଶିକାରୀଙ୍କର ହଠାତ୍ ମନେ ପଡ଼ିଗଲା ଯେ ମଣିଷଖିଆ ବାଘ ନିକଟରେ ଲୁଚି ଥାଇପାରେ । କୋଟ୍‌ଟି ନିଆଁରେ ଫିଙ୍ଗିଦେଇ ଦୃତଗତିରେ ମଞ୍ଚା ଉପରକୁ ଉଠି ସେ ଆଶ୍ୱସ୍ତ ହେଲେ ।

 

ନିଆଁ ଆଲୁଅରେ ଦେଖାଗଲା ଯେ ଶବ ଆଉ ସେଠାରେ ନାହିଁ । ସେତେବେଳକୁ କିନ୍ତୁ ଶବ ଓ ବାଘ ପାଖରୁ ଶିକାରୀଙ୍କ ମନ ପୂରା ଛାଡ଼ିଗଲାଣି । ନିରାପଦରେ କିପରି ଫେରିବେ ଓ ସରକାରୀ ଜଙ୍ଗଲରେ ନିଆଁ ଲଗାଇବାର ପରିଣାମ କ’ଣ ହେବ, ଏ ଦୁଇଟି ଚିନ୍ତା ତାଙ୍କୁ ଘାରିଥାଏ-। ପବନ ଜୋରରେ ନିଆଁ ଗଛ ପାଖରୁ କିଛି ବାଟ ପଛେଇ ଗଲା ଓ ଆଠ ଘଣ୍ଟା ପରେ କୁଆପଥର ସହ ଅସରାଏ ବର୍ଷା ହୋଇ ନିଆଁ ଲିଭିଗଲା । ସେତେବେଳକୁ କିନ୍ତୁ ବହୁ ବର୍ଗମାଇଲ ଆକ୍ରାନ୍ତରେ ଜଙ୍ଗଲ ପୋଡ଼ି ଧ୍ଵଂସ ହୋଇଯାଇଥାଏ । ମଣିଷଖିଆ ବାଘ ଶିକାର ସହିତ ଏହା ହେଲା ଏଇ ଶିକାରୀଙ୍କର ପ୍ରଥମ ପରିଚୟ । ପ୍ରଥମ ପ୍ରୟାସରେ ନିଆଁରେ ସିଝିବା ଓ ପାଣିରେ ଭିଜିବାର ଯେଉଁ ତିକ୍ତ ଅନୁଭୂତି ହୋଇଗଲା, ତା’ପରେ ସେ ଏପରି ଦୁଃସାହସ ଆଉ କେବେ କରି ନାହାନ୍ତି । ପରଦିନ ସକାଳୁ ସେ କ୍ଳାନ୍ତ ହୋଇ ନୈନିତାଲ ଫେରୁଥିବାବେଳେ ଆଉ ଗୋଟିଏ ବାଟରେ ମୁଁ ଘଟଣା ସ୍ଥଳକୁ ଆସୁଥିଲି । ଅବଶ୍ୟ ସେତେବେଳଯାଏଁ ପୂର୍ବରାତିର ଘଟଣାସବୁ ମୋତେ ଜଣା ନ ଥିଲା ।

 

ମୋର ଅନୁରୋଧ କ୍ରମେ ଗ୍ରାମବାସୀମାନେ ମୋତେ ରୋଡାଡେନଡ୍ରନ୍ ଗଛ ପାଖକୁ ନେଇଗଲେ । ଶବକୁ ପୁଣି ଦଖଲ କରିବା ପାଇଁ ବାଘ ଦୃଢ଼ସଂକଳ୍ପ ସହିତ କଠିନ ଚେଷ୍ଟା କରିଥିଲା, ତାହା ଦେଖି ମୁଁ ଆଚମ୍ବିତ ହୋଇଗଲି । ଭୂଇଁରୁ ପ୍ରାୟ ପଚିଶ ଫୁଟ ଉପରେ ଚିରା ଚଦରଟି ଗଛ ଅଗରେ ଝୁଲୁଥାଏ । ଗଛଗଣ୍ଡିରେ ବାଘର ନଖ ଚିହ୍ନ । ଗଛ ଚାରିପାଖ ନରମ ମାଟିରେ ତା’ର ପାହୁଲ ଦାଗ ପଡ଼ିଥାଏ ଓ ଲଟାବୁଦା ସବୁ ଭାଙ୍ଗି ଦଳି ହୋଇ ଯାଇଥାଏ । ଗଛରୁ ଅନ୍ତତଃ କୋଡ଼ିଏ ଥର ଖସି ପଡ଼ିବା ପରେ ବାଘ ଚଦର ଚିରି ଶବକୁ ନେଇଛି ବୋଲି ସ୍ପଷ୍ଟ ଜାଣିପାରିଲି । ସେଠାରୁ ଅଧ ମାଇଲ ଦୂର ଓକ୍ ଗଛ ପର୍ଯ୍ୟନ୍ତ ଶବକୁ ଘୋଷାରି ନେଇଥିଲା । ଗଛ ଉପରେ ମଞ୍ଚାଟି ବନ୍ଧା ହୋଇ ରହିଥିବା ଦେଖିଲି । ଜଙ୍ଗଲ ପୋଡ଼ି ଯାଇଥିବା ଯୋଗୁଁ ଏଠାରୁ ଆଗକୁ ଘୋଷରା ଦାଗ ଆଉ ବାରି ହେଲାନାହିଁ । ତେବେ ବାଘ ଯେଉଁଆଡ଼େ ଯିବାର ବେଶି ସମ୍ଭାବନା ତାହା ଅନୁମାନ କରି ଚାଲିଲି । ପ୍ରାୟ ମାଇଲିଏ ପରେ ମୃତା ସ୍ତ୍ରୀଲୋକର ମୁଣ୍ଡଟି ଦରପୋଡ଼ା ଅବସ୍ଥାରେ ଅକସ୍ମାତ୍ ମିଳିଗଲା । ଶହେ ଗଜ ଦୂରରେ ଚକଡ଼ାଏ ଗହଳିଆ ଜଙ୍ଗଲ ନିଆଁରୁ ବର୍ତ୍ତିଯାଇଥାଏ । ତାହାକୁ ତନ୍ନ ତନ୍ନ କରି ଖୋଜିଲି ଓ ସେହିଠାରୁ ଆରମ୍ଭ କରି ପାଞ୍ଚ ମାଇଲ ପର୍ଯ୍ୟନ୍ତ ଜଙ୍ଗଲକୁ ଟିକିନିଖି କରି ଖୋଜି ଉପତ୍ୟକା ଶେଷ ମୁଣ୍ଡରେ ପହଞ୍ଚିଲି । ଘଣ୍ଟା ଘଣ୍ଟା ଧରି ଜଙ୍ଗଲର ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ଖୋଜି ସୁଦ୍ଧା ବାଘର ଚିହ୍ନବର୍ଣ୍ଣ କିଛି ପାଇଲି ନାହିଁ । ମଞ୍ଚା ପାଖରେ ସେହି ସୌଖୀନ ଶିକାରୀଙ୍କର ଆର୍ବିଭାବଠାରୁ ବାଘ ମାରିବା ପର୍ଯ୍ୟନ୍ତ ଯେଉଁ ସମୟତକ ବିତିଗଲା, ତା’ଭିତରେ ଆହୁରି ପାଞ୍ଚ ଜଣ ବାଘ ମୁହଁରେ ପ୍ରାଣ ହରାଇଲେ ।

 

ଦିନସାରା ଜଙ୍ଗଲରେ ବୁଲି ନିରାଶ ହୋଇ ସନ୍ଧ୍ୟା ପରେ ଏ ଗାଁକୁ ଫେରିଲି । ଗାଁ ମୁଖିଆଙ୍କ ସ୍ତ୍ରୀ ମୋ ପାଇଁ ରୋଷାଇ କଲେ । ଝିଅମାନେ ଠାଆ କରି ପିତ୍ତଳ ବାସନାରେ ଖାଇବାକୁ ବାଢ଼ିଦେଲେ । ଆଦରରେ ସେମାନେ ସବୁ ବେଶି ବେଶି ବାଢ଼ିଥାଆନ୍ତି । ଦିନତମାମ ଓପାସ ଥିବାରୁ ଆନନ୍ଦରେ ମୁଁ ସବୁତକ ଖାଇଦେଲି । ନିକଟରେ ଝରଣାଟିଏ ଥାଏ । ବାସନ ଧୋଇ ଆଣିବା ପାଇଁ ଗୋଟାଇବା ମାତ୍ରେ ମୁଖିଆଙ୍କ ଝିଅ ତିନି ଜଣ ଧାଇଁ ଆସି ମୋ ହାତରୁ ବାସନ ଛଡ଼ାଇ ନେଲେ । ବ୍ରାହ୍ମଣ କନ୍ୟା ସେମାନେ । ମୋର ଅଇଁଠା ବାସନ ଧରି ସେଦିନ କିନ୍ତୁ ହସି ହସି ସେମାନେ କହିଥିଲେ ଯେ, ‘ରୋଗ ସାଧୁ’ଙ୍କ ବାସନ ଧୋଇଦେଲେ ତାଙ୍କ ଜାତି ଚାଲିଯିବ ନାହିଁ ।

 

ମୁଖିଆ ଆଜି ଆଉ ନାହାନ୍ତି । ଝିଅମାନେ ବିଭା ହୋଇ ଗାଁରୁ ବିଦାୟ ନେଲେଣି । ମୁଖିଆଙ୍କ ସ୍ତ୍ରୀ କିନ୍ତୁ ଏବେ ସୁଦ୍ଧା ଏଠାରେ । ଚୀନା ପର୍ବତରେ ବୁଲି ବୁଲି ଆମେ କ୍ଳାନ୍ତ ହୋଇ ତାଙ୍କ ଗାଁରେ ପହଞ୍ଚିଛୁ । ଭଦ୍ରମହିଳା ଆମ ପାଇଁ ଯେଉଁ ଚାହା କରିବେ ତାହା ପାଣିରେ ନ ହୋଇ ନିରୁତା ଦୁଧରେ ତାଳଗୁଡ଼ ପଡ଼ି ତିଆରି ହେବ । ପାହାଡ଼ରୁ ଗଡ଼ିବା ବେଳୁଁ ସେ ଆମକୁ ଦେଖିଛନ୍ତି । ଘର ଆଗରେ ପୁରୁଣା ଗାଲିଚା ଖଣ୍ଡେ ବିଛାହୋଇ ସେଥିରେ ଘୁରଡ଼* ଚମଡ଼ା ପକା ବେତ ଚୌକି ଯୋଡ଼ିଏ ପଡ଼ି ସାରିଲାଣି ।

 

*

ହିମାଳୈୟ ଅଞ୍ଚଳର ଏକ ପ୍ରକାର ପାହାଡ଼ିଆ ଛେଳି ।

 

ସ୍ୱାଗତ ଜଣାଇବା ପାଇଁ ଚୌକି ପାଖରେ ଭଦ୍ରମହିଳା ନିଜେ ଛିଡ଼ା ହୋଇଛନ୍ତି । ଦର୍ଶନଯୋଗ୍ୟା ଏହି ମହିଳାଙ୍କୁ ଭଲଭାବେ ଲକ୍ଷ୍ୟକରି ଦେଖନ୍ତୁ । ଏଠାରେ ପରଦା ପ୍ରଥା ନାହିଁ, ଆପଣଙ୍କ ଦୃଷ୍ଟି ତାଙ୍କୁ ଅପ୍ରତିଭ କରିବ ନାହିଁ । ବାଳ ସବୁ ଧଳା ହୋଇଗଲାଣି । ବୟସର ଛାପରେ ମୁହଁଟି ଶେତା କିନ୍ତୁ ସେଥିରେ ଗାରଟିଏ ବା ଦାଗଟିଏ ପଡ଼ିନାହିଁ । ଏହାଙ୍କୁ ପ୍ରଥମେ ଯେବେ ଦେଖିଥିଲି, ଏହି ବାଳର ରଙ୍ଗ ଥିଲା କଜ୍ଜ୍ଵଳ ପରି କଳା । ଗଣ୍ଡଦେଶରେ ଗୋଲାପୀ ରଙ୍ଗର ଆଭା ଫୁଟି ଉଠୁଥିଲା । ବ୍ରାହ୍ମଣ କନ୍ୟା ସେ–ଶହେ ପୁରୁଷ ନୈଷ୍ଠିକ ବ୍ରାହ୍ମଣଙ୍କର ରକ୍ତ ତାଙ୍କ ଧମନୀରେ । ସବୁ ଦେଶରେ ଲୋକେ ନିଜ ବଂଶ ବୁନିଆଦି ନେଇ ଗର୍ବ କରନ୍ତି । କିନ୍ତୁ କୁଳୀନତା ପ୍ରତି ଭାରତବର୍ଷରେ ଯେପରି ଗଭୀର ସମ୍ମାନ ଦେଖାଯାଏ, ତାହା ଅନ୍ୟତ୍ର ଦେଖିବାକୁ ମିଳେ ନା । ଗାଁରେ ବିଭିନ୍ନ ଜାତିର ଲୋକେ ଅଛନ୍ତି । ସେମାନଙ୍କ ରକ୍ଷଣାବେକ୍ଷଣାର ଭାର ଏହି ମାତୃତୁଲ୍ୟା ମହିଳାଙ୍କ ଉପରେ । ତାଙ୍କ ବିଧାନ ବିରୁଦ୍ଧରେ କେହି ପ୍ରତିବାଦ କେବେ କରେ ନାହିଁ । ତାଙ୍କ ଆଦେଶ ଅମାନ୍ୟ କରିବାର ପ୍ରଶ୍ନ ମଧ୍ୟ ଉଠେ ନାହିଁ । ଏହି କ୍ଷମତା ବଜାୟ ରଖିବା ପାଇଁ ସୈନ୍ୟସାମନ୍ତ ଦରକାର ହୁଅନ୍ତି ନାହିଁ । ସେ ବ୍ରାହ୍ମଣ–ଭାରତର ସବୁ ଜାତିଙ୍କଠାରୁ ଶ୍ରେଷ୍ଠ । ଶାସନ ଦାୟିତ୍ଵ ଯେ ତାଙ୍କ ଜନ୍ମଗତ ଅଧିକାର, ଏ ଧାରଣା ସମସ୍ତଙ୍କ ମନରେ ବଦ୍ଧମୂଳ ହୋଇ ରହିଛି ।

 

କିଛି ବର୍ଷ ହେଲା କୃଷିଜାତ ଦ୍ରବ୍ୟଗୁଡ଼ିକର ଦରଦାମ ଟିକେ ତେଜିଥିବାରୁ ଗାଁର ଆର୍ଥିକ ଅବସ୍ଥାରେ ଯେଉଁ ସାମାନ୍ୟ ବିକାଶ ଘଟିଛି, ଏ ଦେଶର ମାପକାଠିରେ ତାହାକୁ ସଚ୍ଛଳତା କୁହାଯାଇପାରେ । ଅନ୍ୟମାନଙ୍କ ପରି ଏହି ଭଦ୍ରମହିଳା ମଧ୍ୟ ବେଶ୍ କିଛି ଲାଭ କରିପାରିଛନ୍ତି । ସେ ଯୌତୁକ ଆଣିଥିବା ଗହଣାରୁ କେବଳ ସୁନାକଣ୍ଠିଟି ଏ ପର୍ଯ୍ୟନ୍ତ ତାଙ୍କ ବେକରେ ଅଛି । ଆଗର ସେହି ସରୁ ରୂପାହାରଟି ଅନ୍ୟ ଗହଣା ସହିତ ଚୁଲ୍ଲି ମୁଣ୍ଡରେ ପୋତା ସାରିଲାଣି । ତା’ ସ୍ଥାନରେ ବେକରେ ଏବେ ନିଦା ସୁନାର ଗୋଟିଏ ବନ୍ଧନୀ । କାନରେ ସେ କେବେ କିଛି ପିନ୍ଧୁ ନ ଥିଲେ । ଆଜିକାଲି ଦୁଇ କାନରେ ଦୁଇ ମାଳ ସୁନା ଫାସିଆ । ନାକରେ ପାଞ୍ଚ ଇଞ୍ଚ ଓସାର ଗୁଣାର ଭାର ସମ୍ଭାଳିବା ପାଇଁ ସରୁ ସୁନାଜଞ୍ଜିରଟିଏ ଡାହାଣ କାନଯାଏ ଲମ୍ବି ଯାଇଛି । ଏ ଅଞ୍ଚଳର ଉଚ୍ଚ ଜାତିର ମହିଳାଙ୍କ ପରି ପରିଧେୟ । ଗରମ କନାର ଚିପା କାଞ୍ଚୁଲି ଉପରେ ଶାଲର ଉପରାଣ । ତଳେ ଛାପା କନାର ବଡ଼ ଘାଗରା । ପାଦରେ ଜୋତା ନାହିଁ । ଖାଲିପାଦରେ ରହିବା ଏଠାରେ ପବିତ୍ରତାର ଚିହ୍ନ ବୋଲି ଧରାଯାଏ ।

 

ଚାହା କରିବା ପାଇଁ ଭଦ୍ରମହିଲା ଭିତରକୁ ଗଲେଣି । ଏତିକିବେଳେ ରାସ୍ତା ଆରପାଖ ମୁଦି ଦୋକାନକୁ ଲକ୍ଷ୍ୟ କରନ୍ତୁ । ଦୋକାନୀଟି ମୋର ଅତି ପୁରାତନ ବନ୍ଧୁ । ନମସ୍କାର କରି ଆମକୁ ସିଗାରେଟ ଡବାଏ ଉପହାର ଦେବାପରେ ସେ ଭାଡ଼ି ଉପରେ ପୁଣି ଚକା ପକାଇ ବସିଲାଣି । ଗ୍ରାମବାସୀ ଓ ଯାତ୍ରୀମାନଙ୍କ ନିତ୍ୟବ୍ୟବହାର୍ଯ୍ୟ ଅଳ୍ପ କେତୋଟି ଜିନିଷରେ ତା’ର ବ୍ୟବସାୟ । ଚାଉଳ, ଡାଲି, ଅଟା, ଘିଅ, ଲୁଣ ସବୁ ଭାଡ଼ି ଉପରେ ସଜା ହୋଇ ରହିଛି । ନୈନିତାଲରୁ ଶସ୍ତାରେ କିଣା ହୋଇଥିବା ବାସି ମିଠା ମଧ୍ୟ ଏଠାରେ ମିଳେ । ରାଜମଣୋହି ଯୋଗ୍ୟ ଏଠାକାର ବିଖ୍ୟାତ ନୈନିତାଲ ଆଳୁ ଏବଂ ଏ ଅଞ୍ଚଳର ବଡ଼ ବଡ଼ ମୂଳା ଦୋକାନରେ ମହଜୁଦ୍‍ ଅଛି । ମୂଳାଗୁଡ଼ାକ ଏତେ ରାଗ ଯେ କେହି ତା’କୁ ଚୋବାଇ ଖାଇଲେ ଦେଖଣାହାରୀର ଆଖିରୁ ମଧ୍ୟ ଲୁହ ଝରିପଡ଼େ । ଥାକ ଉପରେ ସିଗାରେଟ୍‍ ଡବା ଓ ଦିଆସିଲିଗୁଡ଼ିଏ ସଜା ହୋଇଛି । ଭାଡ଼ି ତଳେ ଟିଣେ କିରାସିନୀ-। ଭାଡ଼ିକୁ ଟିକିଏ ଛାଡ଼ି ଦୋକାନୀର ହାତ ପାଖରେ କରେଇଏ ଦୁଧ ଅଳ୍ପ ନିଆଁରେ ଧୀରେ ଧୀରେ ଫୁଟୁଛି । ଦିନ ତମାମ ଏ ଦୁଧ ଏମିତି ଫୁଟୁଥିବ ।

 

ଦୋକାନ ଆଗରେ କେଇଜଣ ଗରାଖ । ଛୋଟ ପୁଅଟିଏ ତା’ର ସାନ ଭଉଣୀର ହାତଧରି ସମସ୍ତଙ୍କ ଆଗରେ ଛିଡ଼ା ହୋଇଛି । ହାତରେ ତା’ର ଗୋଟିଏ ପଇସା । ସେତେକ ପାଇ ସେ ଆଜି ନିଜକୁ ବିପୁଳ ସମ୍ପଦର ଅଧିକାରୀ ମନେକରେ । ଏହି ବିରାଟ ପାଣ୍ଠିକୁ ମିଠା କିଣିବାରେ ଖଟାଇବା ତା’ର ଉଦ୍ଦେଶ୍ୟ । ଦୋକାନୀ ପଇସାଟି ନେଇ ବାକ୍‍ସରେ ପକାଇଲା । ଥାଳିକୁ ମାଛି ଘଉଡ଼ାଇ ମିଠାଇଟିଏ ବାଛି ସଯତ୍ନରେ ଦୁଇଭାଗ କରି ଆଗ୍ରହରେ ବଢ଼ି ଆସିଥିବା ଛୋଟ ଛୋଟ ହାତ ଦୁଇଟିରେ ଖଣ୍ଡେ ଲେଖାଏଁ ଧରାଇ ଦେଲା । ପିଲା ଦୁହେଁ ମହାଆନନ୍ଦରେ ଚାଲିଗଲେ । ତା’ପରେ ଆଗେଇ ଆସିଲା ଜଣେ ହରିଜନ ସ୍ତ୍ରୀଲୋକ । ସଉଦା ନେବା ପାଇଁ ହାତରେ ମାତ୍ର ଦୁଇ ଅଣା ପଇସା । ସେଥିରୁ ଅଣାଏ ଅଟା କିଣିବାରେ ଗଲା । ଏହି ଖଦଡ଼ିଆ ଚକିପେଷା ଅଟା ଆମ ପାହାଡ଼ିଆ ଲୋକଙ୍କର ପ୍ରଧାନ ଖାଦ୍ୟ । ତିନି ପ୍ରକାର ଡାଲିରୁ ବାଛି ସବୁଠାରୁ ଶସ୍ତା ଡାଲି ଦୁଇ ପଇସାର ସେ କିଣିଲା । ବାକି ଦୁଇ ପଇସାରେ କିଛି ଲୁଣ ଓ ମୂଳାଟିଏ ଧରି ରୋଷାଇ ଆରମ୍ଭ କରିବାକୁ ଚାଲିଗଲା । ଯିବା ଆଗରୁ ଦୋକାନୀକୁ ସଲାମ୍ କରିବାକୁ ସେ ଭୁଲିଲା ନାହିଁ । ଦୋକାନୀ ଏଠାକାର ଜଣେ ଗଣ୍ୟମାନ୍ୟ ଲୋକ । ସମସ୍ତେ ତା’କୁ ଖୁବ୍ ଖାତିର କରନ୍ତି ।

 

ସ୍ତ୍ରୀ ଲୋକଟି ସଉଦା କିଣୁଥିବା ବେଳେ ଦୂରରୁ ପାଟିତୁଣ୍ଡ ଶୁଭୁଥିଲା । ଧାଡ଼ିଏ ଖଚରଙ୍କ ପିଠିରେ ଲୁଗାଗାଣ୍ଠି ବୋଝେଇ କରି ଦଳେ ବେପାରୀ ଏଆଡ଼େ ଆସୁଥିବା ଏବେ ଦେଖାଗଲାଣି । ମୋରାଦାବାଦରୁ ତନ୍ତ ଲୁଗା ନେଇ ବଣ ପାହାଡ଼ ଭିତରେ ଲୁଚି ରହିଥିବା ଛୋଟ ଛୋଟ ବଜାରମାନଙ୍କରେ ବିକ୍ରି କରିବାକୁ ସେମାନେ ଯାଉଛନ୍ତି । ପାହାଡ଼ିଆ ଢାଲୁ ରାସ୍ତାରେ ଚଢ଼ି ଖଚରଗୁଡ଼ିକ ଝାଳରେ ଗାଧୋଇ ପଡ଼ିଲେଣି । ଥକ୍‌କା ମାରିବା ପାଇଁ ସେମାନଙ୍କୁ ଟିକିଏ ସମୟ ଦେବା ଦରକାର । ସେହି ଅବସରରେ ବେପାରୀ ଚାରି ଜଣ ପ୍ରତ୍ୟେକେ ଗ୍ଲାସେ କରି ଦୁଧ ପିଇ ଦୋକାନ ଆଗ ବେଞ୍ଚରେ ବସି ସିଗାରେଟ୍‍ ଟାଣୁଛନ୍ତି । ପାର୍ବତ୍ୟ ଅଞ୍ଚଳର ଏପରି ଶହ ଶହ ଦୋକାନରେ ଦୁଧ ଛଡ଼ା ଅନ୍ୟ ପାନୀୟ ମିଳେ ନାହିଁ । ତଥାକଥିତ ସଭ୍ୟତାର ସଂସ୍ପର୍ଶରେ ଆସିଥିବା ଅଳ୍ପ କେତେଜଣଙ୍କୁ ବାଦ୍ ଦେଲେ ଏ ଅଞ୍ଚଳର ଲୋକେ ମଦ୍ୟପାନ କରନ୍ତି ନାହିଁ । ‘ମୋର ଭାରତ’ର ନାରୀମାନଙ୍କ ମଧ୍ୟରୁ କେହି ସୁରାପାନ କରିବା କେବେ ଶୁଣାଯାଇ ନାହିଁ ।

 

ଗାଁକୁ ଖବରକାଗଜ ଆସେ ନାହିଁ । କେହି ନୈନିତାଲ ଗଲେ ସେଠାରେ ଖବର ନେଇ ଆସେ । ବାହାର ଦୁନିଆର ଖବର ପାଇଁ ଗ୍ରାମବାସୀମାନେ ଯାତ୍ରୀ ଓ ବେପାରୀଙ୍କ ଉପରେ ନିର୍ଭର କରନ୍ତି । ଭାରତର ସୁଦୂର ସମତଳ ଅଞ୍ଚଳର ଖବର ସବୁ ବେପାରୀମାନେ ଏଠାକୁ ନେଇ ଆସନ୍ତି । ଫେରିବା ବେଳେ ପାହାଡ଼ିଆ ଅନ୍ୟ ଗାଁ ଗଣ୍ଡାର ଖବରମାନ ତାଙ୍କଠାରୁ ଶୁଣିବାକୁ ମିଳେ ।

 

ଚାହା ତିଆରି ସରିଲାଣି । ତମ୍ବାତାଟିଆର ଫନ୍ଦକୁ ଲାଗି ଚାହା ଢଳା ହୋଇଛି । ତାଟିଆ ସାବଧାନରେ ଧରିବେ–ନଚେତ ହାତରୁ ଚମ ଉତୁରି ଯିବ । ଗ୍ରାମବାସୀଙ୍କ ନଜର ଏ ପର୍ଯ୍ୟନ୍ତ ବେପାରୀଙ୍କ ଉପରେ ଥିଲା । ଏବେ ସେମାନେ ଆମକୁ ଅନାଇ ଦେଖୁଛନ୍ତି । ଆଜି ଏ ଗାଁର ଅତିଥି ଆପଣ । ସମସ୍ତଙ୍କ ଆଖି ଏବେ ଆପଣଙ୍କ ଉପରେ । ଚାହା ଭଲ ନ ଲାଗିଲେ ମଧ୍ୟ ସବୁତକ ଶେଷ କରିବାକୁ ହେବ । ତାଟିଆ ତଳେ ଅଳ୍ପ କିଛି ରହିଗଲେ ଚାହା ଆପଣ ପସନ୍ଦ କଲେ ନାହିଁ ବୋଲି ସେମାନେ ଭାବିବେ । ଆଉ ଗୋଟିଏ ବିଷୟରେ ଆପଣଙ୍କୁ ଆଗରୁ ଚେତାଇ ଦିଏ । ଆଦର ଯତ୍ନରେ ମୁଗ୍‌ଧ ହୋଇ କେତେକ ଅତିଥି ଅର୍ଥଦ୍ୱାରା ଏମାନଙ୍କ ସୌଜନ୍ୟର ପ୍ରତିଦାନ ଦେବାକୁ ପ୍ରୟାସ ଦିଅନ୍ତି । କିନ୍ତୁ ସାବଧାନ ! ଆପଣ ସେପରି କିଛି କରିବେ ନାହିଁ । ଏଠାକାର ଲୋକେ ଯେତିକି ଅତିଥିବତ୍ସଳ, ସେତିକି ସରଳ । କିନ୍ତୁ ସେମାନଙ୍କ ଆତ୍ମସମ୍ମାନ ଜ୍ଞାନ ଅତି ଉଚ୍ଚକୋଟୀର । ଆତିଥ୍ୟର ଦାମ ଦେବାର ଅବତାରଣା କଲେ ସେମାନେ ଗଭୀର ଭାବେ ଅପମାନିତ ହେବେ । ଚାହା ବା ସିଗାରେଟ୍‍ର ଦାମ ଦେବା ସମ୍ବନ୍ଧରେ ସାମାନ୍ୟ ସୂଚନା ମଧ୍ୟ ଆପଣ ଦେବେ ନାହିଁ ।

 

ଫେରିବା ସମୟ ହେଲା । ଗାଁ ଛାଡ଼ି ଆମେ ଚାଲି ଆସିଲୁ । ଏପରି ହଜାର ହଜାର ଗାଁ ଏଠାକାର ବଣ ପାହାଡ଼ ଅନ୍ତରାଳରେ ଲୁଚି ରହିଛି । ଚୀନାପର୍ବତ ଉପରୁ ଦୁର୍ବିନ ଯୋଗେ ଆପଣ ବହୁଦୂରରୁ ସେଗୁଡ଼ିକୁ ଦେଖିଥିଲେ । କିନ୍ତୁ ମୋର ଜୀବନର ସବୁଠାରୁ ଉତ୍କୃଷ୍ଟ ଅଂଶଟି ଏଇ ଗାଁ ଗଣ୍ଡାରେ କଟିଛି । ଏଠାରେ ସ୍ୱାଗତର ଯେଉଁ ସୂଚନା ଆମେ ପାଇଲେଁ, ଆମକୁ ଯେତେ ଆଦର ଅଭ୍ୟର୍ଥନା ମିଳିଲା ଓ ବିଦାୟବେଳେ ପୁଣି ଆସିବା ପାଇଁ ଯେପରି ସାଦର ନିମନ୍ତ୍ରଣ କରାଗଲା–ସେଥିରେ ନିହିତ ଥିବା ଗଭୀର ଆନ୍ତରିକତା ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରେ ନାହିଁ । ‘ମୋର ଭାରତ’ର ଏଇ ସରଳ ଗ୍ରାମବାସୀମାନଙ୍କୁ ଯେଉଁମାନେ ଅନ୍ତରଙ୍ଗ ଭାବେ ଚିହ୍ନନ୍ତି ଓ ହୃଦୟ ଦେଇ ଭଲ ପାଆନ୍ତି, କେବଳ ସେହିମାନେ ହିଁ ତାଙ୍କ ସ୍ନେହ ଓ ସଦିଚ୍ଛାର ଗଭୀରତା ଉପଲବ୍‌ଧି କରିପାରିବେ ।

Image

 

କୁଅଁର ସିଂ

 

କୁଅଁର ସିଂ ଚାନ୍ଦିନୀଚୌକ ଗାଁର ମୁଖିଆ । ଜାତିରେ ସେ ଠାକୁର । ମୁଖିଆ ହିସାବରେ ସେ ଭଲ କି ମନ୍ଦ ତାହା ମୁଁ ଜାଣେନା କିନ୍ତୁ ସେ ଯେ ଚୋରା ଶିକାରରେ ସିଦ୍ଧହସ୍ତ ଓ କାଲାଦୁଙ୍ଗୀର ସବୁ ଚୋରା ଶିକାରୀଙ୍କଠାରୁ ପକ୍‌କା, ଏ କଥାଟି ମୋତେ ଭଲଭାବେ ଜଣା । ମୋର ବଡ଼ ଭାଇ ଟମ୍‌ଙ୍କ ପ୍ରତି ତାଙ୍କର ବଡ଼ ଶ୍ରଦ୍ଧା ଥାଏ । ମୁଁ ମଧ୍ୟ ଟମ୍‌ଙ୍କୁ ଖୁବ୍ ଭଲପାଏ । ଏହି ଦୁଇଟି କାରଣରୁ କୁଅଁର ସିଂଙ୍କ ସହିତ ମୋର ବେଶ୍‍ ସଦ୍‌ଭାବ ଥାଏ ।

 

ଟମ୍ ଶିକାରକୁ ଗଲେ ଅଧିକାଂଶ ସମୟରେ କୁଅଁର ସିଂଙ୍କୁ ସଙ୍ଗରେ ନେଇଯାନ୍ତି । ଟମ୍‌ଙ୍କ ବିଷୟରେ ନାନା କାହାଣୀ କୁଅଁର ସିଂଙ୍କଠାରୁ ଶୁଣିବାକୁ ମିଳେ । ସେଥିରୁ ଗୋଟିଏ ଗପ ମୋତେ ସବୁଠାରୁ ଭଲଲାଗେ ଓ ବାରମ୍ବାର ଶୁଣିଥିଲେ ମଧ୍ୟ ପୁଣି ଥରେ ଶୁଣିବାକୁ ଇଚ୍ଛା ହୁଏ । ଟମ୍ ଓ ଏଲସ୍ ନାମକ ଜଣେ ଭଦ୍ରଲୋକଙ୍କ ମଧ୍ୟରେ ହୋଇଥିବା ଗୋଟିଏ ପ୍ରତିଯୋଗିତାକୁ ନେଇ ଏ କାହାଣୀ । ଘଟଣାର ପୂର୍ବବର୍ଷ ରାଇଫଲ ନିଶାଣରେ ଭାରତବର୍ଷରେ ସର୍ବୋକୃଷ୍ଟ ବିବେଚିତ ହୋଇ ଟମ୍ ବି. ପି. ଆର. ଏ. ସ୍ଵର୍ଣ୍ଣପଦକ ପାଇଥାନ୍ତି । ତାଙ୍କଠାରୁ ଗୋଟିଏ ନମ୍ବର କମ୍ ରଖି ଏଲସ୍ ସେହି ପ୍ରତିଯୋଗିତାରେ ହାରିଥାନ୍ତି ।

 

ଘଟଣାକ୍ରମେ ଥରେ ପରସ୍ପରକୁ ଅଜଣାରେ ଟମ୍ ଓ ଏଲସ୍ ଦୁହେଁ ଗାରୁପ୍‌ପୁ ପାଖ ଜଙ୍ଗଲରେ ଶିକାର କରୁଥିଲେ । ଟମ୍ ସେଦିନ ବଡ଼ିସକାଳୁ ଉଠି ଜଙ୍ଗଲରେ ପଶିବାବେଳକୁ ଗଛ ଉପରୁ ପାହାନ୍ତିଆ କୁହୁଡ଼ି ଛାଡ଼ି ଆସୁଥାଏ । ଭୋର ବେଳା ଜଙ୍ଗଲର ଗୋଟିଏ ଖାଲୁଆ ଜାଗାରେ ହରିଣ, ବାର୍‌ହା ଆଦି ଜନ୍ତୁ ମିଳନ୍ତି । ସେଠାକୁ ଯିବା ବାଟରେ ଏକ ଉଠାଣି ଉପରେ ଟମ୍‌ଙ୍କ ସହିତ ଏଲିସ୍‌ଙ୍କର ଦୈବାତ୍ ଦେଖା ହୋଇଗଲା । ଟମ୍‌ଙ୍କ ସାଙ୍ଗରେ କୁଅଁର ସିଂ ଥାନ୍ତି । ବୁଦ୍ଦୁ ବୋଲି ନୈନିତାଲର ଜଣେ ଶିକାରୀ ଏଲିସ୍‌ଙ୍କ ସହିତ ଆସିଥାଏ । ବୁଦ୍ଦୁକୁ ଜଙ୍ଗଲ ତଥ୍ୟ ବିଶେଷ ଜଣା ନ ଥିବାରୁ କୁଅଁର ସିଂ ତା’କୁ ଦୁଇ ଆଖିରେ ଦେଖିପାରନ୍ତି ନାହିଁ । ସମ୍ଭାଷଣ ପରେ ଏଲିସ୍ କହିଲେ ଯେ, ରାଇଫଲ ପ୍ରତିଯୋଗିତାରେ ସେ ମାତ୍ର ଗୋଟିଏ ନମ୍ବର ପାଇଁ ହାରିଥିଲେ । କିନ୍ତୁ ଜନ୍ତୁ ମାରିବାରେ ସେ ଯେ ଟମ୍‌ଙ୍କଠାରୁ ଅଧିକ ନିପୁଣ, ଏକଥା ସେ ପ୍ରମାଣ କରିଦେବେ । ପ୍ରତ୍ୟେକେ ଦୁଇଟି ଲେଖାଏଁ ଗୁଳିମାରି ନିଜ କରାମତି ଦେଖାନ୍ତୁ ବୋଲି ସେ ପ୍ରସ୍ତାବ ଦେଲେ । ଟମ୍ ଏଥିରେ ରାଜି ହେବାରୁ ଗୁଳା ଉଠାଗଲା । ଏଲିସ୍ ସେଥିରେ ଜିତି ପ୍ରଥମେ ଗୁଳି କରିବାର ସୁଯୋଗଟି ବାଛିନେଲେ । ତା’ପରେ ପ୍ରତିଯୋଗୀ ଦୁହେଁ ସହକାରୀ ଦୁହିଁଙ୍କୁ ନେଇ ଅତି ସନ୍ତର୍ପଣରେ ସେହି ଖାଲ ଆଡ଼େ ଆଗେଇଲେ । ଏଲିସ୍ ରାଇଫଲ ପ୍ରତିଯୋଗିତାରେ ବ୍ୟବହାର କରିଥିବା ତାଙ୍କର ୪୫୦ ମାର୍ଟିନୀହେନ୍‍ରୀ ରାଇଫଲଟି ଧରିଥାନ୍ତି । ଟମ୍‌ଙ୍କ ହାତରେ ଥାଏ ତାଙ୍କର ୪୦୦ ୱେଷ୍ଟ୍‌ଲି–ରିଚାର୍ଡ ଏକସ୍‌ପ୍ରେସ୍‌ ରାଇଫଲ । ଏ ରାଇଫଲ ସେତେବେଳେ ଖୁବ୍ କମ ସଂଖ୍ୟାରେ ଭାରତକୁ ଆସିଥାଏ । ଦୁଷ୍ପ୍ରାପ୍ୟ ତାଙ୍କର ଏହି ରାଇଫଲ ପାଇଁ ଟମ୍ ଯଥାର୍ଥରେ ଟିକେ ଗର୍ବ ଅନୁଭବ କରୁଥାନ୍ତି ।

 

ଉଠାଣିରେ ଠିକ୍ ତଳକୁ ଖସିଲା ଘାସର ଚକଡ଼ାଏ ଜଙ୍ଗଲ । ଜଙ୍ଗଲ ଆରପାଖରେ ଖଣ୍ଡେ ଜାଗା ବଣପୋଡ଼ିରେ ପଦା ହୋଇ ଯାଇଥାଏ । ନୂଆ କରି କଅଁଳିଥିବା ଛନଛନିଆ ଘାସ ଚରିବା ପାଇଁ ଜନ୍ତୁମାନେ ସଞ୍ଜ ସକାଳେ ଆସି ସେଠାରେ ପଡ଼ନ୍ତି । ସେଦିନ ଏମାନଙ୍କ ଅସାବଧାନତା କିମ୍ବା ପବନର ପ୍ରତିକୂଳ ଗତି ଯୋଗୁଁ ଗୋଟିଏ ସୁଦ୍ଧା ଜନ୍ତୁ ସେଠାରେ ଦେଖିବାକୁ ମିଳିଲେ ନାହିଁ । ଘାସବଣରେ ଜନ୍ତୁ ଲୁଚିଥିବେ ବୋଲି କୁଅଁର ସିଂ ମତ ଦେଲେ । ତାଙ୍କର ପରାମର୍ଶରେ ବୁଦ୍ଦୁ ଓ ସେ ଘାସରେ ନିଆଁ ଲଗାଇଦେଲେ ।

 

ବଣରେ ନିଆଁ ଭଲଭାବେ ଧରିଯିବା ପରେ ସେ ଭିତରୁ ପଲ ପଲ ଝିଣ୍ଟିକା ବାହାରିଲେ-। ଝିଣ୍ଟିକା ଖାଇବା ପାଇଁ ନାନା ଜାତିର ପକ୍ଷୀ ସେଠାରେ ରୁଣ୍ଡ ହେଉଥାନ୍ତି । ଏତିକିବେଳେ ଘାସବଣ ଆର ପାଖରୁ କ’ଣ ଗୋଟାଏ ହଲଚଲ ହେବା ଦେଖାଗଲା । ଚାହୁଁ ଚାହୁଁ ସେଠାରୁ ବଡ଼ ବାର୍‌ହା ଦୁଇଟା ବହାରିପଡ଼ି ପଦା ଜାଗା ଦେଇ ତିନି ଶହ ଗଜ ଦୂର ଜଙ୍ଗଲ ଆଡ଼େ ଛୁଟି ଚାଲିଲେ-। ଦୀର୍ଘକାୟ ଏଲିସ୍ ଅତି ସନ୍ତର୍ପଣରେ ଆଣ୍ଠୁ ମାଡ଼ି ବସି ପଛ ବାର୍‌ହାକୁ ସାବଧାନରେ ଲକ୍ଷ୍ୟକରି ଗୁଳି ଚଳାଇଲେ । ଗୁଳି ବାର୍‌ହା ପଛଗୋଡ଼ ଫାଙ୍କରେ ତଳେ ବାଜି ଧୂଳି ଉଡ଼ାଇଲା । ଏଲିସ୍ ରାଇଫଲ ଖସାଇ ତା’କୁ ଦୁଇ ଶହ ଗଜ ଦୂରତ୍ୱ ପାଇଁ ସଜାଡ଼ି ନେଲେ ଓ ନୂଆ ଗୁଳିଟିଏ ଭରି ଏଥର ବାରହାକୁ ଲକ୍ଷ୍ୟକରି ଫୁଟାଇଲେ । ଗୁଳିଟା ବାର୍‌ହାର ଠିକ୍ ଆଗରେ ବାଲିରେ ଭୁଷି ହୋଇଗଲା ।

 

ଦ୍ଵିତୀୟ ଥର ବନ୍ଧୁକ ଫୁଟିବା ମାତ୍ରେ ବାର୍‌ହା ଦୁଇଟା ହଠାତ୍ ଡ଼ାହାଣକୁ ଘୁରି ଆହୁରି ବେଗରେ ଧାଇଁବାକୁ ଲାଗିଲେ । ତାଙ୍କ କଡ଼ ଦୁଇଟି ଏବେ ଶିକାରୀଙ୍କ ଆଡ଼କୁ ବୁଲିଗଲା । ଏଥର ଟମ୍‌ଙ୍କ ପାଳି । ତେଣେ ଜନ୍ତୁ ଦୁଇଟି ଜଙ୍ଗଲ ପାଖରେ ପହଞ୍ଚିଗଲେଣି । ଆଉ ଅଳ୍ପକେ ସେମାନେ ବନ୍ଧୁକର କ୍ଷେପଣସୀମାରୁ ବାହାରି ଯିବେ । ଟମ୍ ପୂର୍ବପରି ଗୋଡ଼ ଜମାଇ ସେହିଠାରେ ଛିଡ଼ାହୋଇଥାନ୍ତି । ତାଙ୍କ ରାଇଫଲଟି ଧୀରେ ଧୀରେ ଉପରକୁ ଉଠି ପରେ ପରେ ଦୁଇ ଥର ଗର୍ଜି ଉଠିଲା । ମୁଣ୍ଡରେ ଗୁଳି ଖାଇ ବାର୍‌ହା ଦୁଇଟି ସେହିଠାରେ ଲେଉଟି ପଡ଼ିଲେ ।

 

କୁଅଁର ସିଂ ଏହିଠାରେ କାହାଣୀ ଶେଷ କରନ୍ତି । ଶେଷରେ ସେ ସବୁବେଳେ ଯାହା କହନ୍ତି, ତାହା ତାଙ୍କରି ଭାଷାରେ ଉଦ୍ଧାର କଲି । ସେ କହନ୍ତି, “ତା’ପରେ ଆମ ସହରୀଆ ଶିକାରୀ ବୁଦ୍ଦୁ ଆଡ଼େ ମୁଁ ବୁଲି ଚାହିଁଲି । ତା’ ତେଲ ସରସର ମୁଣ୍ଡଟା ଦେଖି ମୋର ହାଡ଼ ଜଳୁଥାଏ । କହିଲି 'ତୋ’ ସାହେବ ମୋ’ ସାହେବକୁ ନିଶାଣ କରିବା ଶିଖାଇ ଦେବ ବୋଲି ବହାଦୂରୀ କରୁଥିଲୁ ପରା ! ଏବେ ନିଜ ଆଖିରେ ଦେଖିଲୁ ତ ? ତୁମ ମୁହଁରେ କଳା ଲଗାଇବାକୁ ଚାହିଁଥିଲେ ମୋ’ ସାହେବ ଗୋଟାଏ ଗୁଳିରେ ବାର୍‌ହା ଦୁଇଟା ମାରି ପାରିଥାନ୍ତା । ଦୁଇଟା ଗୁଳି ତା’ର ଦରକାର ହୁଅନ୍ତା ନାହିଁ ।” ଗୋଟିଏ ଗୁଳିରେ ଦୁଇଟା ବାର୍‌ହା କିପରି ମରାଯାଏ, ତା’ କୁଅଁର ସିଂ ମୋତେ କହି ନାହାନ୍ତି ବା ମୁଁ ତାଙ୍କୁ କେବେ ପଚାରି ନାହିଁ । ଟମ୍‌ଙ୍କ ଉପରେ ମୋର ଏତେ ବିଶ୍ୱାସ ଥାଏ ଯେ, ସେ ଚାହିଁଲେ ଗୋଟିଏ ଗୁଳିରେ ଦୁଇଟା ବାର୍‌ହା ଅକ୍ଳେଶରେ ମାରିପାରିବେ ବୋଲି ମୁଁ ସହଜରେ ବିଶ୍ୱାସ କରିଯାଏ ।

 

ଯେଉଁଦିନ ମୋତେ ପ୍ରଥମ କରି ବନ୍ଧୁକଟିଏ ଦିଆଗଲା, ସେ ଦିନ କୁଅଁର ସିଂ ସମସ୍ତଙ୍କ ଆଗରୁ ଆସି ମୋ ସହିତ ସାକ୍ଷାତ କରିଥିଲେ । ମାନ୍ଧାତା ଅମଳର ଦାରୁଖୁନ୍ଦା ଦୁଇନଳିଆ ବନ୍ଧୁକଟିର ଡାହାଣ ନଳୀଟା ଫାଟି ଆଁ କରିଥାଏ । ଭଙ୍ଗା ମୁଠାଟି ନଳୀ ସହିତ ପିତ୍ତଳ ତାରରେ ବନ୍ଧା । ସେଦିନ କିନ୍ତୁ ଅତି ଗର୍ବରେ ଦଦରା ବନ୍ଧୁକଟି କୁଅଁର ସିଂଙ୍କ ହାତକୁ ବଢ଼ାଇ ଦେଇଥିଲି । ବନ୍ଧୁକର ଦୋଷ ବିଷୟରେ ସାମାନ୍ୟ ସୂଚନା ମଧ୍ୟ ନ ଦେଇ ସେ କେବଳ ତା’ର ଗୁଣ ଗାଇବାକୁ ଲାଗିଲେ । ବାଁ ପାଖ ନଳୀଟି ବେଶ ଲମ୍ଵ ଓ ମଜବୁତ୍ ଓ ସେଟା ଅନେକ ଦିନଯାଏ ଭଲ କାମ ଦେବ–ଏମିତି କେତେ କ’ଣ । ମୁଁ ସେତେବେଳେ ଆଠ ବର୍ଷର ପିଲା । ତାଙ୍କର ଗୋଟିଏ କଥାରେ ମୋ ମନ ଗର୍ବରେ ଫୁଲି ଉଠିଥିଲା । ସେ କହିଥିଲେ ‘ଏଥର ତୁମେ ଆଉ ପିଲା ନୁହଁ । ଏ ବନ୍ଧୁକଟି ହାତରେ ଧରି ତୁମେ ବଡ଼ ମଣିଷଙ୍କ ପରି ଜଙ୍ଗଲରେ ଯେଣେ ଇଚ୍ଛା ତେଣେ ଯାଇପାରିବ । ତା’ ଆଗରୁ କିନ୍ତୁ ତୁମର ଗଛଚଢ଼ା ଶିଖିବା ଦରକାର । ତମ ଆମ ପରି ଶିକାରୀଙ୍କ ପାଇଁ ଗଛଚଢ଼ା ଅଭ୍ୟାସ କରିବା କାହିଁକି ଏଡ଼େ ଜୁରୁରୀ, ତା’ ମୁଁ ଅଙ୍ଗେ ନିଭାଇଥିବା କଥା ଶୁଣିଲେ ବେଶ୍ ବୁଝିପାରିବ ।’

 

‘ଗତ ଅପ୍ରେଲ ମାସରେ ଦିନେ ହର ସିଂ ଆଉ ମୁଁ ଶିକାର କରିବାକୁ ବାହାରିଲୁ । ହର ସିଂ କେଡ଼େ କଚ୍ଚା ଶିକାରୀ ତା’ ତ ତୁମେ ଜାଣ । ଜଙ୍ଗଲ ଭିତରେ ଭଲ ମନ୍ଦ, ଶୁଭ ଅଶୁଭ ଜ୍ଞାନ ତା’ର ଆଦୌ ନାହିଁ । ରାତି ନ ପାହୁଣୁ ଆମେ ଘରୁ ବାହାରି ଥିଲୁଁ । ଗାଁ ମୁଣ୍ଡରେ କୋକିଶିଆଳୀଟାଏ ଆମ ଆଗରେ ରାସ୍ତା ଡେଇଁ ଚାଲିଗଲା । ଅଲକ୍ଷଣଟା ଦେଖିବା ମାତ୍ରେ ମୁଁ ଫେରିଯିବାକୁ ଚାହିଁଲି । ହର ସିଂ ମୋ କଥା ହସି ଉଡ଼ାଇ ଦେଲା । ଯୋଗ ତ ଖରାପ; ତା’ କଥାରେ ପଡ଼ି ତା’ରି ସାଙ୍ଗରେ ଚାଲିଲି । ଗାରୁପ୍‍ପୁ ପାଖରେ ଗୋଟିଏ ହରିଣକୁ ମୁଁ ଗୁଳି କଲି କିନ୍ତୁ ଅକାରଣରେ ମୋର ଲାଖ ଭଣ୍ଡୁର ହୋଇଗଲା । ଟିକିଏ ପରେ ହର ସିଂ ଗୋଟିଏ ମୟୂରକୁ ଗୁଳି କରି ତା’ର ଡେଣା ଭାଙ୍ଗିଦେଲା । ମୟୂରଟା କିନ୍ତୁ ବଡ଼ ବଡ଼ ଘାସରେ ପଶି କୁଆଡ଼େ ଲୁଚିଗଲା ଯେ ତା’କୁ ଗୋଡ଼ାଇ ଆମେ ଆଉ ଖୋଜି ପାଇଲୁ ନାହିଁ । ତା’ପରେ ଜଙ୍ଗଲ ତମାମ୍ ଖୋଜି ଆଉ କିଛି ଶିକାର ହାବୁଡ଼ ପଡ଼ିଲେ ନାହିଁ । ନିରାଶ ହୋଇ ସଞ୍ଜବେଳକୁ ଘର ଆଡ଼େ ମୁହାଁଇଲୁ ।’

 

‘ସେତେବେଳକୁ ଆମେ ଦୁଇ ଥର ବନ୍ଧୁକ ଆବାଜ କରିଥାଉ । ଜଙ୍ଗଲରକ୍ଷୀ କାଳେ ଆମକୁ ଛକିଥିବ ବୋଲି ଭାବି ରାସ୍ତା ବାଟେ ଆଉ ଫେରିଲୁ ନାହିଁ । ଝାଟିବୁଦା ଓ କଣ୍ଟାଳିଆ ବାଉଁଶବଣ ଭିତର ଦେଇ ଶୁଖିଲା ନାଳଟିଏ ଯାଇଥାଏ । ତା’ରି ବାଲି ଉପରେ ଦୁହେଁ କଥାବାର୍ତ୍ତା ହୋଇ ଚାଲିଲୁ । ଦୂର୍ଯୋଗ ଦେଖ–ବାଘଟାଏ କାହୁଁ ଆସି ନାଳରେ ପଶି ଆମ ବାଟ ଓଗାଳିଲା । ଆମକୁ ମିନିଟିଏ ଯାଏ କଟମଟ କରି ଅନାଇବା ପରେ ତା’ ଆସିବା ବାଟରେ ସେ ପୁଣି ଫେରିଗଲା ।’

 

‘କିଛିବେଳ ଅପେକ୍ଷା କରି ଆମେ ଯିବାକୁ ବାହାରିଲୁ । ଦୁଇ ପାହୁଣ୍ଡ ଆଗେଇଛୁ, ବାଘ ପୁଣି ଆସି ନାଳରେ ପଶିଲା । ଏଥର ସେ ଚୁପଚାପ୍ ନ ରହି ଲାଙ୍ଗୁଡ଼ ଛଟଛଟ କରି ରାଗରେ ଘାଉଁଘାଉଁ ହେଉଥାଏ । ଆମେ ଦୁହେଁ ହଲଚଲ ନ ହୋଇ ସ୍ଥିର ଭାବେ ଛିଡ଼ାହୋଇ ରହିବାରୁ ବାଘ କିଛିଟା ଶାନ୍ତ ହୋଇ ନାଳରୁ ବାହାରି ତା’ ବାଟରେ ଫେରିଗଲା । ଏଥର ସେ ଜଙ୍ଗଲରେ ପଶିବା ମାତ୍ରେ ପଲେ ବଣ କୁକୁଡ଼ା ସେଠାରୁ ରାବ ଦେଇ ଉଠିଲେ । ସେଥିରୁ ଗୋଟିଏ ଉଡ଼ିଆସି ଆମ ଆଗରେ ଗୋଟିଏ ‘ହାଲଦୁ’ ଗଛଡ଼ାଳରେ ବସିପଡ଼ିଲା । କୁକୁଡ଼ାକୁ ଆଖି ଆଗରେ ଦେଖି ହର ସିଂ ଆଉ ଲୋଭ ସମ୍ଭାଳି ପାରିଲା ନାହିଁ । ମୁଁ ମନା କରିବାରୁ କହିଲା ଯେ କୁକୁଡ଼ାଟା ମାରିଲେ ଖାଲି ହାତରେ ଘରକୁ ଫେରିବାକୁ ପଡ଼ିବ ନାହିଁ, ବନ୍ଧୁକ ଆବାଜରେ ବାଘ ହୁଏତ ଡରି ପଳାଇବ । ଏହା କହି ମୁଁ ନାହିଁ କରୁ କରୁ କୁକୁଡ଼ାକୁ ସେ ଲାଛିଦେଲା ।’

 

‘ପର ମୁହୂର୍ତ୍ତରେ ଭୀଷଣ ଗର୍ଜନ କରି ବାଘଟା ଝାଟିବୁଦାରୁ ବାହାରି ଆମ ଆଡ଼େ ଛୁଟି ଆସିଲା । ନାଳ କଡ଼ରେ କେତୋଟି ‘ରୁନି’ ଗଛ ଥାଏ । ଦୁହେଁ ଅତର୍ଚ୍ଛରେ ଦୁଇଟି ଗଛ ଆଡ଼େ ଧାଇଁଲୁ । ପିଲାଦିନରୁ ମୋର ଗଛଚଢ଼ା ଅଭ୍ୟାସ । ମୋ’ ଗଛଟା ବାଘର ଖୁବ୍ ପାଖରେ ଥିଲେ ମଧ୍ୟ ସେ ସେଠାରେ ପହଞ୍ଚିବା ବେଳକୁ ମୁଁ ବନ୍ଧୁକ ଧରି ବହୁତ ଉପରକୁ ଚଢ଼ି ସାରିଥାଏ । ହର ସିଂକୁ କିନ୍ତୁ ଗଛଚଢ଼ା ଜଣାନାହିଁ । ବାଘ ମୋତେ ଛାଡ଼ି ତା’ ଆଡ଼େ ଛୁଟିଯିବା ବେଳକୁ ସେ ତଳେ ଛିଡ଼ାହୋଇ ଡାଳକୁ ହାତ ବଢ଼ାଇଥାଏ । ବାଘ ହର ସିଂକୁ କାମୁଡ଼ା ରାମ୍ପୁଡ଼ା କିଛି ନ କରି ପଛ ଗୋଡ଼ରେ ଛିଡ଼ାହୋଇ ଗଛଗଣ୍ଡି ସହିତ ମିଶାଇ ତା’କୁ କୁଣ୍ଢାଇ ଧରିଲା । ତା’କୁ ସେମିତି ଚାପିରଖି ନଖରେ ଗଛ ଆରପାଖରୁ ସେ କାଠ ବକଳ ସବୁ ବିଦାରି ପକାଉ ଥାଏ । ହର ସିଂର ବିକଳ ଆର୍ତ୍ତନାଦ ସହିତ ବାଘର ଭୀଷଣ ଗର୍ଜନ ! ଅନ୍ୟ ଉପାୟ ନ ଦେଖି ଗଛ ଡାଳକୁ ଗୋଡ଼ରେ ଭିଡ଼ିଧରି ବନ୍ଧୁକ ଉପରମୁହାଁ କରି ଫୁଟାଇଲି । ପାଖରୁ ବନ୍ଧୁକ ଶବ୍ଦ ଶୁଣି ବାଘ ଡିଆଁ ମାରି ଜଙ୍ଗଲ ଭିତରକୁ ପଳାଇଲା । ହରସିଂ ଗଛମୂଳରେ କଚାଡ଼ି ପଡ଼ିଲା ।’

 

‘ଟିକିଏ ବେଳ ଅପେକ୍ଷା କରିବା ପରେ ନିଃଶବ୍ଦରେ ଗଛରୁ ଓହ୍ଲାଇ ହର ସିଂ ପାଖକୁ ଗଲି । ପହଞ୍ଚି ଦେଖେ ଯେ, ବାଘ ହର ସିଂର ପେଟକୁ ଲାହିମୁଣ୍ତାରୁ ପିଠି ମଝିହାଡ଼ ଯାଏ ନଖରେ ଚିରି ମେଲା କରିଦେଇଛି । ଅନ୍ତପୁଟାଗୁଡ଼ାକ ପଦାକୁ ବାହାରି ଭୂଇଁରେ ଲୋଟୁଥାଏ । କ’ଣ କରିବି ବୋଲି ମୋତେ ବୁଦ୍ଧି ବାଟ ଦିଶିଲା ନାହିଁ । ହର ସିଂକୁ ଛାଡ଼ିଦେଇ ଯିବା କଥା ଉଠୁ ନାହିଁ । ଏଣେ ଅନ୍ତପୁଟାଗୁଡ଼ା ପୁଣି ପେଟରେ ପୁରାଇବାକୁ ହେବ ନା କାଟି ଫୋପାଡ଼ି ଦେଲେ ଚଳିବ–ତାହା ମୋତେ ଜଣା ନ ଥାଏ । ବଡ଼ ପାଟିରେ କଥା କହିବାର ଉପାୟ ନାହିଁ । ପାଟି ଶୁଣି ବାଘ ପୁଣି ଫେରିଲେ ସର୍ବନାଶ ! ତୁନି କରି ହର ସିଂକୁ ତା’ର ମତ ପଚାରିଲି । ସେ କହିଲା ଯେ ଅନ୍ତଗୁଡ଼ାକ ପେଟ ଭିତର ଜିନିଷ । ଭିତର ଜିନିଷ ଭିତରକୁ ଯିବା ଭଲ । ତା’ପରେ ସେ ଚିତ୍‌ହୋଇ ଶୋଇଲା । ଅନ୍ତପୁଟା ଓ ସେଥିରେ ଲାଗିଥିବା ଘାସପତ୍ର, କାଠିକୁଟା ସବୁ ମୁଁ ଠେଲାଠେଲି କରି ତା’ ପେଟରେ ପୁରାଇଲି । ସେଗୁଡ଼ିକ ପୁଣି ଯେପରି ବାହାରି ନ ଆସେ, ସେଥିପାଇଁ ମୋ ପଗଡ଼ି ଖୋଲି ତା’ ପେଟରେ ଶକ୍ତ କରି ଗୁଡ଼ାଇ ବାନ୍ଧିଲି । ଗାଁ ସେଠାରୁ ସାତ ମାଇଲ ଦୂର । ବନ୍ଧୁକ ଦୁଇଟି ଧରି ମୁଁ ଆଗରେ ଚାଲିଲି । ପଗଡ଼ିକୁ ପେଟରେ ଚାପି ଧରି ହର ସିଂ ପଛେ ପଛେ ଚାଲିଥାଏ ।’

 

‘(କିଛି ବାଟ ଯିବା ପରେ ରାତି ହୋଇଗଲା । ଗାଁକୁ ନ ଫେରି କାଲାଦୁଙ୍ଗୀ ଡାକ୍ତରଖାନା ଗଲେ ଭଲ ହୁଅନ୍ତା ବୋଲି ହର ସିଂ କହିଲା । ଡାକ୍ତରଖାନାକୁ ଅଧିକା ତିନି ମାଇଲ ବାଟ । ବନ୍ଧୁକ ଦୁଇଟି ବଣରେ ଲୁଚାଇଦେଇ ସେହିଆଡ଼େ ଚାଲିଲୁ । ପହଞ୍ଚିବା ବେଳକୁ ଡାକ୍ତରଖାନା ବନ୍ଦ ହୋଇଗଲାଣି । ଅଳ୍ପ ଦୂରରେ ଡାକ୍ତରବାବୁଙ୍କ ବସା । ସେତେବେଳ ଯାଏ ସେ ଶୋଇ ନ ଥାନ୍ତି । ମୋଠାରୁ ଏ ବୃତ୍ତାନ୍ତ ଶୁଣି ଲଣ୍ଠନ ଲଗାଇ ସେ ନିଜେ ହରସିଂକୁ ନେଇ ଡାକ୍ତରଖାନା ଚାଳିଆରେ ପଶିଲେ ଓ ଆଲାଡ଼ିଆ ବୋଲି ଜଣେ ତମାଖୁ ବେପାରୀକୁ ଡାକିବାକୁ ମୋତେ ପଠାଇଲେ । ତମାଖୁ ବେପାର କରିବା ଛଡ଼ା ଆଲାଡ଼ିଆ ମାସକୁ ପାଞ୍ଚଟଙ୍କା ଦରମାରେ ସେଠାକାର ପୋଷ୍ଟମାଷ୍ଟର କାମ ତୁଲାଉଥାଏ । ତା’କୁ ମୁଁ ଡ଼ାକି ଆଣିବା ପରେ ହର ସିଂକୁ ଗୋଟିଏ ଦଉଡ଼ିଆ ଖଟରେ ଶୁଆଇ ଦିଆଗଲା । ଆଲାଡ଼ିଆ ଲଣ୍ଠନ ଦେଖାଇଲା । ମୁଁ ମାଂସ ଦୁଇଫଡ଼ା ମିଶାଇ ଧରିଲି ଓ ଡାକ୍ତରବାବୁ ତା’କୁ ସିଲାଇ କଲେ । ଡାକ୍ତରବାବୁ ବୟସରେ ପିଲା–ହେଲେ ମଣିଷ ହିସାବରେ ସେ ଭାରି ଭଲ । ମୁଁ ଦୁଇଟଙ୍କା ଯାଚିଲି କିନ୍ତୁ ସେ ନେଲେ ନାହିଁ । ତେବେ ହର ସିଂକୁ ସେ ଏମିତି ପାନେ ଔଷଧ ପିଆଇ ଦେଲେ ଯେ ତା’କୁ କଷ୍ଟ ଆଉ ବାଧିଲା ନାହିଁ । ଗାଁକୁ ଫେରିବାବେଳକୁ ଆମ ଦୁଇ ଘରେ କାନ୍ଦ ବୋବାଳି ପଡ଼ିଛି । ଆମକୁ ଡକାୟତ ମାରିଦେଲେ ବା ବାଘ ଭାଲୁ ଖାଇଗଲେ ଭାବି ମାଇପି ଲୋକେ ଡକା ପକାଉଥାନ୍ତି । ସେ ଯାହା ହେଉ ସାହେବ, ଏଥିରୁ ସାରକଥାଟି ହେଲା ତମ ଆମ ପରି ଶିକାରୀ ପ୍ରଥମେ ଗଛଚଢ଼ା ଶିଖିବା ଦରକାର । ହର ସିଂକୁ ପିଲାଦିନେ ଏ କଥା କେହି ଚେତାଇ ଦେଇଥିଲେ ସେ ଦିନ ଆମକୁ ଏତେ ହଟହଟା ହେବାକୁ ପଡ଼ି ନଥାନ୍ତା ।)’*

 

* ହର ସିଂ କୁ ଆକ୍ରମଣ କରିଥିବା ବାଘୁଣୀ ନିକଟବର୍ତ୍ତୀ ଜଙ୍ଗଲରେ ସଦ୍ୟ ସନ୍ତାନ ପ୍ରସବ କରିଥିବା ସମ୍ଭବ ମନେ ହୁଏ । ଏପରି ଅବସ୍ଥାରେ ସେ ମନୁଷ୍ୟର ସାନ୍ନିଧ୍ୟରେ ରୁଷ୍ଟ ହେବା ସ୍ୱାଭାବିକ । ସେଦିନ ସେ ରାଗରେ ଅଠର ଇଞ୍ଚ ମୋଟ ‘ରୁନି’ ଗଛଟିରୁ ଛଅ ଇଞ୍ଚ ବହଳାରେ କାଠ ଛେଲି ପକାଇଥିଲା । ଏହାର ଅନେକ ଦିନ ପର ଯାଏ ଏଠାକାର ସବୁ ଶିକାରୀ ଓ ଚୋରା ଶିକାରୀ ଗାରୁପ୍‍ପୁ ଜଙ୍ଗଲରେ ଏହି ଗଛକୁ ସ୍ଥାନ ନିରୂପକ ଚିହ୍ନ ଭାବେ ବ୍ୟବହାର କରୁଥିଲେ । ପଚିଶ ବର୍ଷ ପରେ ଗଛଟି ବଣପୋଡ଼ିରେ ଜଳିଯାଇ ନିଶ୍ଚିହ୍ନ ହୋଇଗଲା ।

 

ବାଘୁଣୀର ଆକ୍ରମଣ କିମ୍ବା ବନ୍ଧୁର ଦୁଶ୍ଚିକିତ୍ସାର କୌଣସି ମନ୍ଦ ପରିଣାମ ହର ସିଂ ଭୋଗ କରି ନ ଥିଲା । ଘଟଣାର ଅନେକ ବର୍ଷ ପରେ ସେ ବୁଢ଼ା ବୟସରେ ସ୍ୱାଭାବିକ ଭାବେ ପ୍ରାଣତ୍ୟାଗ କଲା ।

 

ପିଲାଦିନେ ଭଙ୍ଗା ବନ୍ଧୁକଟି ଧରି କୁଅଁର ସିଂଙ୍କ ସହିତ ବଣ ଜଙ୍ଗଲରେ ଅନେକ ବର୍ଷ ଘୁରି ବୁଲିଛି ଓ ଜଙ୍ଗଲ ସମ୍ବନ୍ଧରେ ବହୁ ତଥ୍ୟ ତାଙ୍କଠାରୁ ଶିଖିଛି । ଶହ ଶହ ବର୍ଗମାଇଲ ବିସ୍ତୃତ ଏହି ଜଙ୍ଗଲ ଭିତରେ ଗୋଟିଏ ମାତ୍ର ରାସ୍ତା । ଏଭଳି ଜଙ୍ଗଲରେ ସ୍ଥାନ ଓ ବାଟ ଚିହ୍ନିବା ପାଇଁ ମନରେ କିପରି ମାନଚିତ୍ର ଆଙ୍କି ନେବାକୁ ହୁଏ, ତାହା ମୁଁ ପ୍ରଥମେ କୁଅଁରସିଂଙ୍କ ଠାରୁ ଶିଖିଥିଲି-।* ଜଙ୍ଗଲର ପ୍ରତ୍ୟେକଟି ବଡ଼ ଗଛ, ନାଳ, ପାଣି ଗଡ଼ିଆ ଏପରିକି ଜନ୍ତୁଙ୍କ ଚଲାବାଟକୁ ମଧ୍ୟ ଆମେ ଗୋଟିଏ କରି ନାଁ ଦେଇଥାଉ । ଦାରୁଖୁନ୍ଦା ବନ୍ଧୁକରେ ଗୁଳି ଯେତେ ଦୂର ଯାଏ, ସେଇ ଅନୁପାତରେ ଆମେ ଦୂରତା ମାପ କରୁ ଓ ଚାରିଦିଗ ଅନୁସାରେ ଦିକ୍‌ସାଧନ କରିଥାଉ । କୁଅଁର ସିଂ ଡକାୟତଙ୍କ ଭୟରେ ଅନେକ ସମୟରେ ବହୁଦିନ ଯାଏ ଗାଁରୁ ବାହାରନ୍ତି ନାହିଁ । ସେତେବେଳେ ମୁଁ ଏକୁଟିଆ ବଣକୁ ଯାଏ ଓ ସମ୍ବର, ହରିଣ ବା ବାର୍‍ହା ମାରିଲେ ତା’କୁ ଏକାକୀ ବୋହି ଆଣିପାରେ ନାହିଁ । ଶାଗୁଣାଙ୍କ ନଜର ଏଡ଼ାଇବା ପାଇଁ ଶିକାରକୁ ଭଲ ଭାବେ ଘୋଡ଼ାଇ ରଖି ତା’କୁ ନେଇ ଆସିବା ପାଇଁ କୁଅଁର ସିଂକୁ ଖବର ଦେଇଥାଏ । ଆମ ଘର ଅପେକ୍ଷା ତାଙ୍କ ଗାଁରୁ ଜଙ୍ଗଲ ତିନି ମାଇଲ ପାଖରେ ପଡ଼େ । ଆମ ମାନଚିତ୍ର ଅନୁସାରେ ଜାଗାଟି ମୁଁ ସହଜରେ ସୂଚାଇ ଦିଏ । ଶିକାର ଘଞ୍ଚ ଜଙ୍ଗଲରେ ଅତି ଭଲ ଭାବେ ଲୁଚା ହୋଇଥିଲେ ମଧ୍ୟ କୁଅଁର ସିଂ ଅତି ସହଜରେ ତା’କୁ ଖୋଜି ପାଆନ୍ତି । କେବେ କେମିତି ମହାବଳ ବା ଚିତାବାଘ ଜନ୍ତୁ ମାରି ଜଙ୍ଗଲରେ ପକାଇଥିଲେ ଦୁରରୁ ଗଛରେ ଶାଗୁଣା ଜମିବା ଦେଖି ଆମେ ମଲା ଜନ୍ତୁଟିକୁ ଖୋଜିବାକୁ ବାହାରୁ । ଦିନ ରାତି ନିର୍ବିଶେଷରେ ଦିଗ ଓ ଦୂରତା ନିର୍ଣ୍ଣୟ କରି ଠିକ୍ ଜାଗାରେ ପହଞ୍ଚିବାକୁ ଆମ ଦୁହିଁଙ୍କର କେବେ କିଛି ଅସୁବିଧା ହୁଏ ନାହିଁ ।

 

*

ଲେଖକଙ୍କ ‘‘ଜଙ୍ଗଲ ତଥ୍ୟ’’ ବହିଟି ଦ୍ରଷ୍ଟବ୍ୟ । –ଅନୁବାଦନ

 

ପାଠପଢ଼ା ସରିବା ପରେ ସ୍କୁଲ ଛାଡ଼ି ମୁଁ ବଙ୍ଗ ଦେଶରେ ଚାକିରି ଆରମ୍ଭ କଲି । ବର୍ଷରେ ମାତ୍ର ତିନି ସପ୍ତାହ କାଲାଦୁଙ୍ଗୀ ଆସିବାକୁ ସୁଯୋଗ ପାଏ । ଏମିତି ଥରେ ଗାଁକୁ ଆସି କୁଅଁର ସିଂ ସେ ଭିତରେ ଅଫିମ ଅଭ୍ୟାସ କରିଛନ୍ତି ଶୁଣି ମନରେ ବଡ଼ ଦୁଃଖ ହେଲା । ଅଫିମ ଆମ ତଳ-ପାର୍ବତୀୟ ଲୋକଙ୍କର ପ୍ରଧାନ ଶତ୍ରୁ । ମାଲେରିଆରେ କୁଅଁର ସିଂଙ୍କ ସ୍ୱାସ୍ଥ୍ୟ ପୂରା ଭାଙ୍ଗି ଯାଇଥାଏ । ବାରମ୍ବାର ମୋତେ କଥାଦେଇ ସୁଦ୍ଧା ଅଫିମ ଛାଡ଼ିବାକୁ ତାଙ୍କ ଶକ୍ତି ପାଏ ନାହିଁ । ବେଳୁବେଳ ଏଇ କଦର୍ଯ୍ୟ ଅଭ୍ୟାସ ବଢ଼ିଚାଲିଲା । ଥରେ ଫେବୃୟାରୀ ମାସରେ ଗାଁକୁ ଫେରି ଶୁଣିଲି ସେ କୁଅଁର ସିଂ ଶକ୍ତ ବେମାର । ମୋ ଆସିବା କଥା ରାତାରାତି କାଲାଦୁଙ୍ଗୀ ସାରା ଖବର ହୋଇ ଯାଇଥାଏ । ପରଦିନ ସକାଳୁ କୁଅଁର ସିଂଙ୍କ ଅଠର ବର୍ଷର ସାନପୁଅ ଧାଇଁ ଆସି ଜଣାଇଲା ଯେ ତା’ ବାପାଙ୍କର ଶେଷ ସମୟ ହୋଇଗଲାଣି ଓ ମରିବା ଆଗରୁ ସେ ମୋତେ ଥରେ ଦେଖିବାକୁ ଚାହୁଁଛନ୍ତି ।

 

ଚାନ୍ଦିନିଚୌକର ମୁଖିଆ ଭାବେ କୁଅଁର ସିଂ ଏ ଅଞ୍ଚଳର ଜଣେ ବିଶିଷ୍ଟ ଲୋକ । ବର୍ଷକୁ ଚାରି ହଜାର ଟଙ୍କା ସେ ଖଜଣା ଦିଅନ୍ତି । ପଟାପଥର ଛାତ ଦିଆ ତାଙ୍କ ବିରାଟ ପଥର କୋଠାରେ ମୁଁ କେତେ ଥର ତାଙ୍କର ଆତିଥ୍ୟ ଉପଭୋଗ କରିଛି । ସେଦିନ ସେଠାକୁ ଯିବାବେଳେ କିଛି ଦୂରରୁ ସ୍ତ୍ରୀ ଲୋକଙ୍କ ବାହୁନା ଶୁଣାଗଲା । କୋଠା ପାଖରେ କୁଅଁର ସିଂ ତାଙ୍କ ଚାକର ପାଇଁ କୁଡ଼ିଆ ବଖରାଏ ତିଆରି କରିଥିଲେ । କାନ୍ଦଣା ସେଇଆଡ଼ୁ ଶୁଭୁଥାଏ । ବାଟ ଭାଙ୍ଗି ସେଠାକୁ ଯିବାବେଳେ କୁଅଁର ସିଂଙ୍କ ପୁଅ କହିଲା ଯେ ପିଲାଙ୍କ ପାଟିଗୋଳରେ ଘରେ ସେ ଶୋଇ ନ ପାରିବାରୁ ତାଙ୍କୁ ଚାକର ବସାକୁ ଅଣାହୋଇଛି । ଆମକୁ ଦେଖି କୁଅଁର ସିଂଙ୍କ ବଡ଼ପୁଅ କୁଡ଼ିଆରୁ ବାହାରି ଆସି ଜଣାଇଲା ଯେ ତାଙ୍କର ଚେତା ବୁଡ଼ିଗଲାଣି । ସବୁ ଶେଷ ହେବାକୁ ଆଉ ବେଶି ଡେରି ନାହିଁ ।

 

ଦ୍ୱାର ପାଖରେ ଛିଡ଼ା ହୋଇ କୁଡ଼ିଆ ଭିତରକୁ ଅନାଇଲି । ଧୂଆଁରେ ଅନ୍ଧାରିଆ ଘରଟି ଆହୁରି ଅସ୍ପଷ୍ଟ ହୋଇ ଉଠୁଥାଏ । ଅନ୍ଧାରକୁ ଆଖି ଆରେଇ ଯିବା ପରେ ଦେଖିଲି ଯେ କୁଅଁର ସିଂ ଉଲଗ୍ନ ଅବସ୍ଥାରେ ଚଦର ଖଣ୍ଡିଏ ଘୋଡ଼ାଇ ହୋଇ ତଳେ ମାଟିରେ ପଡ଼ିଛନ୍ତି । ପାଖରେ ବୁଢ଼ା ଜଣେ ବସି ତାଙ୍କ ହାତ ଟେକି ଧରି ଅବଶ ଅଙ୍ଗୁଳିଗୁଡ଼ିକୁ ଗୋଟିଏ ଗାଈ ଲାଙ୍ଗୁଡ଼ରେ ମୁଠାଇ ଧରିଛି । ଗାଈ ଲାଙ୍ଗୁଡ଼ ଧରାଇ ମୃତ ବ୍ୟକ୍ତିକୁ ତପ୍ତବୈତରଣୀ ପାରି କରାଇବା ପାଇଁ ଏ ଆୟୋଜନ । ମୁଣ୍ଡ ପାଖରେ ଲୁହା ଉମ୍ଭେଇରେ ଘଷି ନିଆଁ ଜଳୁଛି । ପୁରୋହିତ ଜଣେ ନିଆଁ ପାଖରେ ବସି ଘଣ୍ଟି ବଜାଇ ମନ୍ତ୍ର ପଢ଼ିବାରେ ବ୍ୟସ୍ତ । ଘର ଭିତରେ ଲୋକ ହାଉଯାଉ–ସୋରିଷ ପକାଇବାକୁ ରାହା ନାହିଁ । ତା’ ଭିତରେ ପୁଣି ସ୍ତ୍ରୀ ଲୋକ ଦଳେ ଏକାଠି ବସି ବାହୁନା ପକାଉ ଥାଆନ୍ତି ।

 

ଏ ଭଳି ପରିବେଶରେ ଭାରତରେ ବହୁଲୋକ ପ୍ରତିଦିନ ମୃତ୍ୟୁବରଣ କରନ୍ତି । ମୋର ବନ୍ଧୁଙ୍କୁ କିନ୍ତୁ ଏପରି ଭାବେ ମରିବାକୁ ଦେବି ନାହିଁ ବୋଲି ଦୃଢ଼ସଂକଳ୍ପ କରି ମୁଁ ଆସିଥିଲି । ଘରେ ପଶି ପ୍ରଥମେ ଲୁହା ଉମ୍ଭେଇଟି ଉଠାଇଲି । ତାତିଲା ଲୁହାରେ ହାତ ଫୋଟକା ହୋଇଗଲା । କିନ୍ତୁ ସେଥିକୁ ଭ୍ରୁକ୍ଷେପ ନ କରି ଉମ୍ଭେଇଟା ନେଇ ବାହାରେ ଫିଙ୍ଗିଦେଲି । ଫେରିଆସି ପଘା କାଟି ଗାଈକୁ ପଦାରେ ଛାଡ଼ିଦେଇ ଆସିଲି । କାହାକୁ କିଛି ନ କହି ମୁଁ ନୀରବରେ ଏସବୁ କରି ଚାଲିଥାଏଁ-। କ୍ରମେ ଲୋକମାନେ ମୋ କାର୍ଯ୍ୟକଳାପ ସବୁ ଲକ୍ଷ୍ୟ କରିବାକୁ ଲାଗିଲେ । ପାଟିଗୋଳ ଥମି ଆସିଲା । ହାତ ଧରି ପୁରୋହିତଙ୍କୁ ବାହାରକୁ ବାଟେଇ ଦେବାବେଳେ ସମସ୍ତେ ଅବାକ୍ ହୋଇ ମୋତେ ଅନାଇଥାନ୍ତି । ଦ୍ୱାର ପାଖରେ ଛିଡ଼ା ହୋଇ ସେମାନଙ୍କୁ ଘରୁ ବାହାରି ଯିବାକୁ କହିଲି । ବିନା ଆପତ୍ତିରେ ସମସ୍ତେ ତୁନି ହୋଇ ବାହାରି ଗଲେ । ଏଇ ଅନ୍ଧକୂପରେ ଏତେ ଲୋକ ଖୁନ୍ଦି ହୋଇଥିଲେ ଦେଖି ଆଶ୍ଚର୍ଯ୍ୟ ଲାଗିଲା । ଘର ଖାଲି ହେବା ପରେ କୁଅଁର ସିଂଙ୍କ ବଡ଼ ପୁଅକୁ ଡାକି ତଟକା ଦୁଧ ଦୁଇ ସେର ଶୀଘ୍ର ଗରମ କରି ଆଣିବା ପାଇଁ ବରାଦ କଲି । ଲୋକଟି କିଛି ବୁଝି ନପାରି ବଲ ବଲ କରି ମୋ ମୁହଁକୁ ଅନାଇ ରହିଲା । ଆଉ ଥରେ ବୁଝାଇ କହିବା ପରେ ସେ ଦୁଧ ଆଣିବା ପାଇଁ ତରତର ହୋଇ ଚାଲିଗଲା ।

 

ଦଉଡ଼ିଆ ଖଟଟିଏ କାନ୍ଥକୁ ଡେରା ହୋଇଥିଲା । ଖଟଟି ଘର ମଝିକୁ ଟାଣି ଆଣି କୁଅର ସିଂଙ୍କୁ ଟେକି ନେଇ ସେଥିରେ ଶୁଆଇଲି । ଘରେ ଭୀଷଣ ଗରମ । ଘସି ଓ ପୋଡ଼ା ଘିଅର ଧୂଆଁ ସହିତ ଝାଳର ଉତ୍କଟ ଗନ୍ଧ ମିଶି ଶ୍ୱାସ ରୋଧ କରୁଥାଏ । ରୋଗୀର ପ୍ରଚୁର ଖୋଲା ପବନ ନିତାନ୍ତ ଦରକାର । ଘରର ଗୋଟିଏ ବୋଲି ଛୋଟ ଝରକା ପଟା ମରାହୋଇ ବୁଜାଯାଇଥିଲା । ପଟା ସବୁ ଭାଙ୍ଗି ଝରକା ମେଲାଇ ଦେବା ମାତ୍ରେ ପାଖ ଜଙ୍ଗଲରୁ ଝଲକାଏ ଖୋଲା ପବନ ଘରକୁ ପଶି ଆସିଲା ।

 

କୁଅଁର ସିଂଙ୍କୁ ଖଟକୁ ଟେକିନେବା ବେଳେ ତାଙ୍କ ଦେହ କେତେ ଦୁର୍ବଳ ଓ ଜୀବନୀଶକ୍ତି କେତେ କ୍ଷୀଣ ଓ ନିସ୍ତେଜ ହୋଇପଡ଼ିଛି, ତାହା ସ୍ପଷ୍ଟ ଜାଣି ପାରିଥିଲି । ଆଖି ଦୁଇଟି ତାଙ୍କର କୋରଡ଼ରେ ପଶି ଯାଇଥାଏ । ଓଠ ନୀଳବର୍ଣ୍ଣ । ଅତି କଷ୍ଟରେ ସେ ନିଶ୍ୱାସ ନେଉଥାନ୍ତି । କିଛି ବେଳ ଖୋଲା ପବନ ପାଇବା ପରେ ନିଶ୍ୱାସ ତାଙ୍କର କ୍ରମେ ସହଜ ହୋଇ ଆସିଲା । ଖଟରେ ବସି ମୁଁ ତାଙ୍କୁ ଅନାଇ ଦେଖୁଥାଏଁ ଓ ବାହାରୁ ତାଙ୍କ ବନ୍ଧୁବାନ୍ଧବଙ୍କ କଥାବାର୍ତ୍ତା ସବୁ ଶୁଣୁଥାଏ । ଏତିକିବେଳେ ଦେଖିଲି ଯେ କୁଅଁର ସିଂ ଆଖି ମେଲାଇ ମୋତେ ଚାହିଁଛନ୍ତି । ସେ ଆଡ଼କୁ ନ ଅନାଇ ମୁଁ ତାଙ୍କରି ଉଦ୍ଦେଶ୍ୟରେ କହିବାକୁ ଆରମ୍ଭ କଲି ।

 

‘କାଳ କେବଳ ବଦଳିଲା ନାହିଁ, କୁଅଁର କକା–ତା’ ସଙ୍ଗେ ତମେ ବି ସତେ କେତେ ବଦଳିଗଲ ! ସେ କାଳ ହୋଇଥିଲେ, ତମକୁ ଘରୁ କାଢ଼ିଆଣି ଅଛୁଆଁ ଭିକାରୀ ପରି ଚାକର କୁଡ଼ିଆରେ ଏମିତି ଭୂଇଁରେ ପକାଇବାକୁ କିଏ ସାହସ କରିଥାନ୍ତା ? ତମ ଭଲପାଇଁ ଯେତେ ଯାହା କହିଲି, କେଉଁଥିକୁ କାନ ଦେଲନାହିଁ । କାଳକୂଟ ବିଷଗୁଡ଼ାକ ଖାଇ ଶେଷରେ କି ଅବସ୍ଥା ନ ହେଲ ! ଡାକରା ପାଇ ଆସିବାକୁ ମୁଁ ଆଉ ଟିକେ ଡେରି କରିଥିଲେ ଏତେବେଳକୁ ତମେ ମଶାଣିକୁ ବୁହାହୋଇ ଯାଉଥାଆନ୍ତ ! ଗାଁ ମୁଖିଆ ତମେ । ଏଡ଼େ ବଡ଼ ଘରର ମୁରବୀ । କାଲାଦୁଙ୍ଗୀରେ ତମ ପରି ଶିକାରୀ ଆଉ କିଏ ଅଛି ? ତମ ଗୋଡ଼ ଯେଉଁଠି ପଡ଼ୁଥିଲା, ଲୋକେ ସେଇଠି ମୁଣ୍ଡ ଲଗାଉଥିଲେ । ସେ ମାନ ସମ୍ମାନ ସବୁ ଗଲା କୁଆଡେ଼ ? ଦେହରେ ତମର ଯେଉଁ କଉଡ଼ିଏ ଜୋର ଥିଲା–ତା’ ଆଜି କାହିଁ ? କେଡ଼େ ଅୟସରେ ତମେ ଖିଆପିଆ କରୁଥିଲ ! ତମ ପୁଅ ଆଜି କହିଲା ଯେ ଗତ ଷୋହଳ ଦିନ ହେଲା ତମ ପାଟିକୁ ପାଣି ଯାଇନାହିଁ । ଚାରିଆଡ଼େ ‘ଗଲା’ ‘ଗଲା’ ‘ଗଲା’ ବୋଲି ହୁରି ପଡ଼ିଛି । ତେବେ ସେ ସବୁ କଥା ପଛକୁ ଥାଉ । ତମେ ଆଜି ମରୁନାହଁ । ମୋର ଛୋଟକୁହାଟି ମାନିଲେ ତମେ ଆହୁରି ଢେର ବର୍ଷ ବଞ୍ଚିବ । ଗାରୁପ୍‌ପୁ ଜଙ୍ଗଲରେ ଯଦି ମୋ ସାଙ୍ଗେ ଆଉ ଶିକାର ନ କରିପାର ସେଥିରେ ଯାଏ ଆସେ କ’ଣ ? ତମର କ’ଣ ମାଂସ କେବେ ଅଭାବ ହେବ ? ମୁଁ ଯେତେବେଳେ ଯାହା ଶିକାର କରିବି, ଆଗପରି ତମ ପାଇଁ ମାଂସ ଭାଗେ ଆଣି ଦେଇଯିବି ।’

 

‘ଆଜି ମୋ କଥା ସବୁ ମନ ଦେଇ ଶୁଣ । ହାତରେ ପଇତା ଆଉ ଓସ୍ତପତ୍ର ଧରି ବଡ଼ ପୁଅ ମୁଣ୍ଡ ଛୁଇଁ ତମେ ହଲପ କରିବ ଯେ ସେ ହଳାହଳ ବିଷ ଆଉ କେବେ ଛୁଇଁବ ନାହିଁ । ହଲପ ଭାଙ୍ଗିଲେ ଯାହା ଘଟିବ ତମେ ଜାଣ । ଏବେ ସେ କଥା ଥାଉ । ପୁଅ ତମପାଇଁ ଦୁଧ ଆଣିବାକୁ ଯାଇଛି । ଏ ଭିତରେ ଆମେ ଦୁହେଁ ଆଗପରି ଖଣ୍ଡେ ଖଣ୍ଡେ ସିଗାରେଟ୍‍ ଟାଣିବା ।’

 

କୁଅଁର ସିଂ ଏକ ଲୟରେ ମୋ ମୁହଁକୁ ଅନାଇଥିଲେ । ମୋ କଥା ସରିବା ପରେ ସେ ଧୀରେ ଧୀରେ କହିଲେ, ‘ମୋର ପରା କାଳ ପୁରିଲାଣି ! ମୁଁ ସିଗାରେଟ୍‍ ଟାଣିବି କେମିତି ?’

 

ମୁଁ କହିଲି, ‘କାଳ ପୂରିବା କଥା ସବୁ ଛାଡ଼ । ମୁଁ କହିଲି ପରା–ତମେ ଏବେ ମରୁ ନାହଁ । ଆଉ ସିଗାରେଟ୍‍ କେତୋଟି ଟାଣିବ, ତା’ ମୁଁ ବତାଇ ଦେଉଛି ।’ ଡବାରୁ ସିଗାରେଟ ଦୁଇଖଣ୍ଡ କାଢ଼ି ଖଣ୍ଡକରେ ନିଆଁ ଧରାଇ ତାଙ୍କ ଓଠରେ ଲଗାଇଲି । ସିଗାରେଟ୍‍ଟି ସେ ଅତି ଧୀରେ ଟାଣିବାକୁ ଆରମ୍ଭ କଲେ । ପ୍ରଥମେ ଟିକେ କାଶ ହେଲା । ସିଗାରେଟ୍‍ କାଢ଼ି ଧରି କାଶ କମିବା ପରେ ତା’କୁ ପୁଣି ଥରେ ଓଠରେ ଲଗାଇ ସେ ସ୍ୱଚ୍ଛନ୍ଦରେ ଟାଣିବାକୁ ଲାଗିଲେ । ଠିକ୍ ସେତିକିବେଳେ ଗୋଟିଏ ବଡ଼ ପିତ୍ତଳ ବାସନରେ ଦୁଧ ନେଇ ତାଙ୍କ ପୁଅ ଆସି ହାଜର ହୋଇଗଲା । ଏ ଦୃଶ୍ୟ ଦେଖି ସେ ଏମିତି ତାଟକା ହୋଇଗଲା ଯେ, ମୁଁ ଧରି ପକାଇ ନ ଥିଲେ ତା’ ହାତରୁ ବାସନଟି ଖସି ପଡ଼ିଥାନ୍ତା-। ଯାହାକୁ ସେ ମଲାପରି ଦେଖି ଯାଇଥିଲା, ଫେରିବା ବେଳକୁ ସେ ଯେ ମୋ ଟୋପି ଉପରେ ମୁଣ୍ଡ ରଖି ସିଗାରେଟ୍ ଟାଣୁଥିବ, ଏକଥା ଦେଖି ଯେ କେହି ଅବାକ୍ ହୋଇଥାନ୍ତା । ଦୁଧ ପିଆଇବା ପାଇଁ ସେ ଘରେ ବାସନ କିଛି ନ ଥିଲା । ପୁଅ ଯାଇ ତାଟିଆଟିଏ ଆଣିବା ପରେ କୁଅଁର ସିଂଙ୍କୁ କିଛି ଦୁଧ ପିଆଇଲି ।

 

ସେ ଦିନ ଅନେକ ରାତି ଯାଏ କୁଅଁର ସିଂଙ୍କ ପାଖରେ ରହିଲି । ପ୍ରାୟ ସେରେ ଦୁଧ ପିଇ ସେ ଶାନ୍ତିରେ ଶୋଇବା ପରେ ମୁଁ ଘରକୁ ଫେରିବାକୁ ବାହାରିଲି । ଯିବା ଆଗରୁ ତାଙ୍କ ପୁଅକୁ କହିଗଲି ଯେ ସେ ସେଇଠି ବସି ରହିବ ଓ କୁଅଁର ସିଂଙ୍କ ନିଦ ଭାଙ୍ଗିଲେ ତାଙ୍କୁ ଅଳ୍ପ ଅଳ୍ପ ଦୁଧ ପିଆଇବ । କାହାକୁ କୌଣସି ଆଳରେ ଏ ଘରେ ପଶିବାକୁ ଦେବ ନାହିଁ । ମୋ କଥା ନ ମାନି କେହି ଯଦି ଏଠାକୁ ଆସେ, ତେବେ ଫଳାଫଳ ପାଇଁ ମୁଁ ତା’କୁ ହିଁ ପୂରାପୁରି ଦାୟୀ କରିବି ।

 

ପରଦିନ ସକାଳୁ ଠିକ ସୂର୍ଯ୍ୟୋଦୟ ବେଳକୁ ଚାନ୍ଦିନିଚୌକରେ ପହଞ୍ଚି ଦେଖିଲି ଯେ କୁଅଁର ସିଂ ଓ ତାଙ୍କ ପୁଅ ଦୁହେଁ ନିଘୋଡ଼ ନିଦରେ ଶୋଇଛନ୍ତି । ପାଖରେ ପିତ୍ତଳ ବାସନଟି ଖାଲି ହୋଇ ପଡ଼ିଛି ।

 

ଅଫିମ ଖାଇବେ ନାହିଁ ବୋଲି ସଂକଳ୍ପ କରି କୁଅଁର ସିଂ ତାହା ଅକ୍ଷରେ ଅକ୍ଷରେ ପାଳନ କଲେ । ପୂର୍ବସ୍ୱାସ୍ଥ୍ୟ ତାଙ୍କର ଅନେକାଂଶରେ ଫେରି ଆସିଲା । ମୋ ସହିତ ଶିକାରକୁ ନ ଗଲେ ମଧ୍ୟ ଅନେକ ସମୟରେ ସେ ମୋ ପାଖକୁ ବୁଲି ଆସୁଥିଲେ । ଏହାର ଚାରିବର୍ଷ ପରେ ନିଜ ଘରେ ଶାନ୍ତିରେ ଶୋଇ ରହି ସେ ସ୍ୱାଭାବିକ ଭାବେ ମୃତ୍ୟୁବରଣ କଲେ ।

Image

 

ମୋତି

 

ମୋତିର ଚେହେରାରୁ ଜଣାପଡ଼େ ଯେ ବଡ଼ ଜାତିରେ ତା’ର ଜନ୍ମ । ଉଚ୍ଚଜାତିର ଭାରତୀୟଙ୍କ ପରି ସୁକୁମାର ସୁନ୍ଦର ତା’ର ଗଢ଼ଣ । ଜାତିରେ ବଡ଼ ହେଲେ କ’ଣ ହେବ, କପାଳଟା ତା’ର ଭାରି ଛୋଟ । ସାନ ଭାଇ ଭଉଣୀ ଦୁଇଟିଙ୍କ ବୋଝ ତା’ଉପରେ ଲଦି ଦେଇ ବାପ ମା ଦୁହେଁ ଆଖି ବୁଜିବା ବେଳକୁ ବୟସ ତା’ର ମାତ୍ର ଚଉଦ ବର୍ଷ ।

 

ସେତେବେଳେକୁ ସେ ଛଅ ବର୍ଷ ହେଲା ବିଭା ହୋଇଥାଏ । କାଲାଦୁଙ୍ଗୀରୁ ବାର ମାଇଲ ଦୂର କୋଟାଦୁନ୍ ଗାଁରେ ତା’ ଶ୍ୱଶୁର ଘର । ବାହାଘର ପରଠାରୁ ସେ ତା’ ସ୍ତ୍ରୀକୁ କେବେ ଦେଖି ନଥିଲା । ଏବେ ଏକୁଟିଆ ଘର ସମ୍ଭାଳିବାକୁ ହେବ ଦେଖି ସେ ପ୍ରଥମେ ଯାଇ ତା’ର ବାରବର୍ଷର ସ୍ତ୍ରୀକୁ ଘରକୁ ନେଇ ଆସିଲା ।

 

ପୈତୃକ ସମ୍ପତ୍ତି ଛଅମାଣ ଜମି । ପିଲା ଚାରୋଟି ବହୁ ଚେଷ୍ଟା କରି ସୁଦ୍ଧା ସେତକ ନେଇ ଆଣି ଥୋଇ ପାରିଲେ ନାହିଁ । ତା’ ଉପରେ ପୁଣି ମୋତି ଓ ତା’ ଭାଇ ଭଉଣୀ ସମସ୍ତେ ମାଲେରିଆ ରୋଗୀ । ମୋତି ସ୍ତ୍ରୀ ପାହାଡ଼ ଉପର ଗାଁରୁ ଆସିବାରୁ ମାଲେରିଆରୁ ରକ୍ଷା ପାଇଥାଏ-। ଚାଷକାମ ବଳାଇବାରୁ ମୋତି ବାଧ୍ୟ ହୋଇ ଜଣଙ୍କୁ “ସାଗୀ” କଲା । ସ୍ଥାନୀୟ ଭାଷାରେ “ସାଗୀ” ଅର୍ଥ ସାହାଯ୍ୟକାରୀ । ସାଗୀ ଖାଇପିଇ ମୁନିବ ଘରେ ରହେ ଓ ବର୍ଷସାରା ତା’ ସହିତ ଖଟେ । ଫସଲରୁ ଅଧେ ସେ ଭାଗନିଏ ।

 

ସମସ୍ତଙ୍କ ଚଳିବା ଭଳି ଘରଟିଏ ଦରକାର । ଜଙ୍ଗଲରୁ ଘାସ ବାଉଁଶ କାଟିବା ପାଇଁ ଅନୁମତି ନେଇ ଦଲମତକ ମୁଣ୍ଡରେ ଅନେକ ବାଟ ବୋହିଆଣି ମୋତି ବହୁ କଷ୍ଟରେ ଘର ତିଆରି କଲା । ଏ ଅଞ୍ଚଳର ପ୍ରବଳ ଝଡ଼ ତୋଫାନରେ କିନ୍ତୁ ଘରଟି ବାରମ୍ବାର ଭାଙ୍ଗିଯାଏ । ଥରକୁ ଥର ତା’କୁ ମରାମତି କରିବା ମୋତି ଉପରେ ବଡ଼ ବୋଝ ହୋଇପଡ଼େ । ସେଥିରୁ ତା’କୁ ନିଷ୍କୃତି ଦେବା ପାଇଁ ଚାରି ଫୁଟ ନିଅଁ ଉପରେ ଚଉଡ଼ା ବାରଣ୍ଡା ରଖି ତା’ ପାଇଁ ତିନି ବଖରା ପକ୍‌କା ଘର ମୁଁ ତୋଳି ଦେଲି ।

 

ଜନ୍ତୁଙ୍କ ଦାଉରୁ ଫସଲ ରକ୍ଷା କରିବା ପାଇଁ ଲୋକେ ଗାଁ ଚାରିପଟେ କଣ୍ଟାବାଡ଼ଟିଏ ଘେରାଇ ଥାଆନ୍ତି । ବାଡ଼ ବାନ୍ଧିବାରେ ଯେତେ ପରିଶ୍ରମ ଓ ସମୟ ଲାଗେ, ସେଇ ଅନୁପାତରେ ସେଥିରୁ ଲାଭ ମିଳେ ନାହିଁ । ବୁଲା ଗାଈଗୋରୁ ଓ ବଣଜନ୍ତୁ ବାଡ଼ ଭାଙ୍ଗି ପଶି ଫସଲ ଉଜାଡ଼ି ଦିଅନ୍ତି । ଫଳରେ ଚାଷୀ ବା ତା’ ପରିବାରର କାହାକୁ ରାତି ଉଜାଗର ରହି କ୍ଷେତ ଜଗିବାକୁ ପଡ଼େ-। ଗୋଳା ବାରୁଦ ଉପରେ ସେତେବେଳେ କଡ଼ା କଟକଣା । ଗାଁର ଚାଳିଶ ଘର ଲୋକଙ୍କ ପାଇଁ ସରକାର ଗୋଟିଏ ମାତ୍ର ଏକନଳିଆ ଦାରୁଖୁନ୍ଦା ବନ୍ଧୁକ ମଞ୍ଜୁର କରିଥାନ୍ତି । ବନ୍ଧୁକଟି ପୁଣି ଇଜମାଲି ସମ୍ପତ୍ତି; ପାଳି ଅନୁସାରେ ସେଟା ରାତିକେ ଜଣକ ଭାଗରେ ପଡ଼େ । ଅନ୍ୟମାନଙ୍କ ପାଇଁ ଚେଇଁ ବସି ରାତିସାରା ଟିଣ ବାଡ଼େଇବା ଛଡ଼ା ଅନ୍ୟ ଉପାୟ ନ ଥାଏ । କ୍ଷେତରେ କେବେ କେମିତି ବାର୍‌ହା, ଝିଙ୍କ ଆଦି ମରନ୍ତି । କିନ୍ତୁ ଯେତେ ଯାହା କଲେ ମଧ୍ୟ ଜନ୍ତୁଙ୍କୁ କେତେକେ ସମ୍ଭାଳି ହୁଏ ! ଚାରିଆଡ଼େ ତ ଜଙ୍ଗଲ–କୁଆଡ଼େ କେତେ ଜଗିବେ ? ଲୋକଙ୍କ ଦୁରବସ୍ଥା ଦେଖି ଗାଁ ଚାରିପଟେ ପଥର ପାଚେରୀଟିଏ ଘେରଇବାକୁ ମୁଁ ସ୍ଥିର କଲି । ସେତେବେଳେ ମୋକାମା ଘାଟରେ ଠିକାଦାରୀ ଆରମ୍ଭ କରିଥାଏ । ସେଥିରୁ ଲାଭ କିଛି ମିଳିବା ମାତ୍ରେ କାମଟି ଆରମ୍ଭ କରିଦେଲି । ଯାହା ଅଳ୍ପ କିଛି ପାଏ, ସବୁ ଏଥିରେ ଲଗାଏ । ଅଭାବ ଅସୁବିଧା ଭିତରେ ପାଚେରୀ ତିଆରି ସରିବାକୁ ଦୀର୍ଘ ଦଶବର୍ଷ ଲାଗିଗଲା । ଛଅ ଫୁଟ ଉଚ୍ଚ ଓ ତିନି ମାଇଲ ଲମ୍ବ ଏହି ପାଚେରୀଟି ଆଜି ଯାଏଁ ଆମ ଗାଁକୁ ଘେରି ରହିଛି । ହଲଦ୍ୱାନୀରୁ ରାମନଗର ଯାଇଥିବା ମୋଟର ରାସ୍ତା କାଲାଦୁଙ୍ଗୀ ପାଖରେ ବୋଆର ପୋଲ ଅତିକ୍ରମ କରି ଜଙ୍ଗଲରେ ପଶେ । ଠିକ୍ ପୋଲ ପାଖରେ ପହଞ୍ଚିବା ପୂର୍ବରୁ ରାସ୍ତାଟି ଏଇ ପାଚେରୀ କଡ଼ ଦେଇଯାଏ ।

 

ଅନ୍ୟ ଜନ୍ତୁଙ୍କ ଅପେକ୍ଷା ଗୋଟାଏ ବାର୍‍ହାର ଉତ୍ପାତରେ ଗାଁ ଲୋକେ ବଡ଼ ବ୍ୟତିବ୍ୟସ୍ତ ହେଉ ଥାଆନ୍ତି । ବାର୍‍ହାଟା ଆକାରରେ ମଇଁଷି ବାଛୁରୀ ପରି । ତା’ର ବଡ଼ ବଡ଼ ବଙ୍କା ଦାନ୍ତ ଦୁଇଟା ଦେଖିଲେ ଭୟ ଲାଗେ । ଲୋକେ ତାକୁ “ସଇତାନ” ବୋଲି ନାଁ ଦେଇ ଥାଆନ୍ତି । ପିଲାବେଳେ ସେ ବାଡ଼ ଭିତରେ ଗଳିପଶି ଫସଲ ଖାଇ ଗଣ୍ଡି ବଢ଼ାଉ ଥିଲା । ପାଚେରୀ ତିଆରି ହେବା ପରେ କିଛି ଦିନ ଯାଏ ଭିତରକୁ ପଶି ନ ପାରି ସେ ଗୋଟିଏ ନୂଆ ଫିକର କଲା । ପାଚେରୀର ବାହାର ପାଖ ଖାବଖାବୁଡ଼ା ହୋଇଥାଏ । ପଥର ସନ୍ଧିରେ ଗୋଡ଼ ଦେଇ ପାଚେରୀ ଡେଇଁବାକୁ ସେ ଶିଖିଗଲା । କେତେଥର ସେ ଛୁର୍‌ରା ମାଡ଼ ଖାଇଲା ଓ ତା’ ଯିବା ବାଟରେ ରକ୍ତ ଦାଗ ମଧ୍ୟ ଅନେକ ଥର ଦେଖାଗଲା । କିନ୍ତୁ କେଉଁଥିରେ ନ ମରି ଦିନୁଦିନ ସେ ଆହୁରି ଚାଲାଖ ହେବାକୁ ଲାଗିଲା ।

 

ଡିସେମ୍ବର ମାସ । ବେଶ୍ ଶୀତ ପଡ଼ିଥାଏ । ଦିନେ ବଡ଼ି ସକାଳୁ ରବିନ୍‍କୁ * ସାଙ୍ଗରେ ନେଇ ମୁଁ ଗାଁ ବାଟେ ବୁଲି ଯାଉଥିଲି । ଆଗରେ ଦୌଡ଼ାଦୌଡ଼ି କରି ବଣବୁଦାରୁ ଚକୋର ଚଢ଼େଇ ଘଉଡ଼ାଇବାରେ ରବିନ୍‍ର ବଡ଼ ଆନନ୍ଦ । ସକାଳେ ସଞ୍ଜେ ଚକୋରଙ୍କ ରାବ ଶୁଣିବାକୁ ଭଲଲାଗେ ବୋଲି ରବିନ୍ ଛଡ଼ା ଆମ ଗାଁର ଆଉ କେହି ଏ ଚଢ଼େଇଙ୍କ ସଙ୍ଗେ ଲାଗନ୍ତି ନାହିଁ । ବିଲରେ ଗୋଟିଏ ପାଣିମାହାରା ପାଖ କାଦୁଆ ମାଟିରେ “ସଇତାନ”ର ଖୋଜ ଦେଖି ତାହା ଅନୁସରଣ କରି ମୋତିର ଘରବାଡ଼ି ଚକଡ଼ାରେ ପହଞ୍ଚିଲି । ଘର ଆଗରେ ମୋତି ସ୍ତ୍ରୀ ଖପ୍‌ପା ହୋଇ ଅଣ୍ଟାରେ ହାତ ଦେଇ ତାଙ୍କ ଆଳୁ କିଆରୀ ଅନାଇ ଛିଡ଼ା ହୋଇଥାଏ । ଦେଖିଲି ଯେ କିଆରୀଟିର ଆଉ ଅବସ୍ଥା ନାହିଁ । ରାତିରେ ‘ସଇତାନ’ ସେଥିରେ ପଶି ସବୁ ଶେଷ କରି ଦେଇଛି । ଆଳୁ ପାକଳ ହୋଇ ନ ଥିଲା । ‘ସଇତାନ’ ସେ ଦିନ ବୋଧହୁଏ ଟିକିଏ ବେଶି ଭୋକିଲା ଥିଲା । କଅଁଳିଆ ଆଳୁ ପାଇ ସେ କିଛି ବାକି ରଖି ନ ଥାଏ ।

 

*

ଲେଖକଙ୍କ କୁକୁର । ଶିକାରରେ ରବିନ୍‍ ଲେଖକଙ୍କୁ ଅନେକ ସାହାଯ୍ୟ କରୁଥିଲା । ତା’ ବିଷୟ ତାଙ୍କର ସବୁ ବହିରେ–ବିଶେଷ କରି ‘‘କୁମାୟୁଁ ର ନରଖାଦକ’’ ରେ ବିଷଦ ଭାବେ ବର୍ଣ୍ଣନା କରାଯାଇଛି । –ଅନୁବାଦକ ।

 

ମୋତେ ଦେଖିଦେବା ମାତ୍ରେ ମୋତି ସ୍ତ୍ରୀ ମୋତି ଉଦ୍ଦେଶ୍ୟରେ ଗାଳିଗୁଲଜ ଆରମ୍ଭ କରିଦେଲା । କହିଲା, “ପୁନ୍ୱା ବାପା ଦୋଷରୁ ଶେଷରେ ଏଇଆ ହେଲା । କାଲି ଯେମିତି ହାତରେ ବନ୍ଧୁକଟା ପଡ଼ିଛି–ନିଜ କ୍ଷେତବାଡ଼ି ଜଗିବେ କ’ଣ, କାଲୁର ଗହମ କିଆରୀରେ ଯାଇଁ ବସିଲେ । ସେଠି କୁଆଡ଼େ ସମ୍ବର ପଡ଼ିବେ ଆଉ ଇଏ ତାଙ୍କୁ ମାରିବେ । ରାତିସାରା ସେ ସେଆଡେ଼ । ଏଣେ ସଇତାନ ଆସି ଏଠି କ’ଣ କରୁଛି ଦେଖନ୍ତୁ !” ପୁନ୍ଵା ମୋତିର ପୁଅ । ଭାରତୀୟ ସ୍ତ୍ରୀଲୋକମାନେ ସ୍ୱାମୀର ନାଁ ମୁହଁରେ ଧରନ୍ତି ନାହିଁ । ପିଲା ହେବା ଆଗରୁ ସ୍ୱାମୀକୁ “ଘରର ମିଣିପ” ଓ ପରେ ତାକୁ “ପଢ଼ୁଆଁ ପିଲାର ବାପ” ବୋଲି କୁହାଯାଏ । ମୋତିର ତନୋଟି ପିଲାଙ୍କ ଭିତରୁ ପୁନ୍ଵା ବଡ଼ । ସେ ଜନ୍ମ ହେବା ପରେ ମୋତିକୁ ସମସ୍ତେ ପୁନ୍ୱା ବାପ ଓ ମୋତି ସ୍ତ୍ରୀକୁ “ପୁନ୍ଵା ମା” ଡାକନ୍ତି ।

 

କାମରେ ବା କଥାରେ ମୋତି ସ୍ତ୍ରୀର ସମକକ୍ଷ ଆମ ଗାଁରେ କେହି ନ ଥିଲେ । ପୁନ୍ଵା ବାପର ଦୋଷ ଗୁଣ ଉପରେ ମନ ଖୋଲି ଅନେକ ମନ୍ତବ୍ୟ ଦେବା ପରେ କଥାଟାକୁ ସେ ହଠାତ୍ ମୋ ଆଡ଼କୁ ବୁଲାଇ ଆଣିଲା । କହିଲା, ମୁଁ ପଇସା ନଷ୍ଟ କରି ଏମିତି ପାଚେରୀଟା କଲି ଯେ ତା’କୁ ସାମାନ୍ୟ ଘୁଷୁରିଟାଏ ବି ଡେଇଁ ଯାଉଛି ! ଘୁଷୁରୀଟାକୁ ମାରିବାକୁ ଯଦି ମୋର କ୍ଷମତା ନାହିଁ, ଅନ୍ତତଃ ପାଚେରୀଟାକୁ ତ ଆଉ କିଛି ଉଠାଇ ଦେଇ ପାରିବି !! କ’ଣ କହିବି କିଛି ଭାବି ନ ପାରି ମୁଁ ଇତସ୍ତତଃ ହେଉଥାଏ । ମୋ ଉପରେ ଏ ତମ୍ବିତଲବ ଚାଲିଥିବା ବେଳେ ଦୈବାତ୍ ମୋତି ଆସି ସେଠାରେ ପହଞ୍ଚିଗଲା । ତା’ ସ୍ତ୍ରୀ ପାଖରେ ତା’କୁ ଜୁଟାଇ ଦେଇ ରବିନ୍‌କୁ ଡାକି ମୁଁ ପଛେଇ ପଛେଇ ଖସି ଆସିଲି ।

 

X X X

 

ସେ ଦିନ ଉପରଓଳା ପାଚେରୀ ବାହାରେ ‘ସଇତାନ’ ର ଖୋଜା ପଡ଼ିଥିବା ଦେଖିଲି । ଖୋଜି ବାରି ବଣ ବାଟେ ଓ ବୋଆର୍ ନଈକୂଳରେ ଦୁଇ ମାଇଲ ଯାଇ ଦେଖିଲି ଯେ, ବାର୍‍ହା କଣ୍ଟାବୁଦା ଓ ଭୁତିଆରୀର ଗୋଟାଏ ଜଟାଳିଆ ଝୋପରେ ପଶିଛି । ସଞ୍ଜ ବୁଡ଼ିବା ପୂର୍ବରୁ ସେଥିରୁ ସେ ବାହାରିବା ଖୁବ୍ ସମ୍ଭବ । ଦିନ ଥାଉ ଥାଉ ମୋ ହାବୁଡ଼େ ପଡ଼ିଲେ ତା’କୁ ଛାଡ଼ିବି ନାହିଁ ବୋଲି ସ୍ଥିର କଲି ।

 

ନଈକୂଳରେ ଗୋଟିଏ ବଡ଼ ପଥର ଉହାଡ଼ରେ ଲୁଚି ବସିଲି । ଟିକିଏ ପରେ ଜଙ୍ଗଲ ଉପରମୁଣ୍ଡରେ ମାଈ ସମ୍ବରଟିଏ ହମ୍ବାଳିବାକୁ ଆରମ୍ଭ କଲା । ସେଠାରେ ବାଘ ଅଛି ବୋଲି ଜଙ୍ଗଲର ଜୀବଜନ୍ତୁଙ୍କୁ ସେ ସତର୍କ କରାଇ ଦେଉଥାଏ । ସେ ପାଖ ଜଙ୍ଗଲରେ ବାଘ ମିଳନ୍ତି । ଏହାର କିଛି ବର୍ଷ ପରେ ବିଖ୍ୟାତ ବାଘ “ପୌଲଗଡ଼ର କୁମାର”* କୁ ମୁଁ ସେହିଠାରେ ମାରିଥିଲି । ପନ୍ଦର ଦିନ ତଳେ ଶିକାରୀ ଦଳେ କାଲାଦୁଙ୍ଗୀରେ ଆସି ପହଞ୍ଚି ଥିବା କଥା ମନେ ପଡ଼ିଲା । ଦଳରେ ଶିକାରୀ ଥାଆନ୍ତି ତିନି ଜଣ କିନ୍ତୁ ହାତୀ ଥାଆନ୍ତି ଆଠ । ବୋଆର୍ ନଈ ଏ କୂଳରେ ଶିକାର କରିବାକୁ ମୁଁ ଅନୁମତି ନେଇଥାଏ । ନଈ ଆରପାରିରେ ତାଙ୍କର ଶିକାର କରିବା କଥା । ଯେଉଁ ବାଘଟିକୁ ମାରିବାକୁ ସେମାନେ ଆସି ଥାଆନ୍ତି, ସେ କିନ୍ତୁ ନଈ ଏପାରି ମୋ ଇଲାକାରେ ରହୁଥାଏ । ତା’କୁ ଲୋଭ ଦେଖାଇ ଆରକୂଳକୁ ନେବା ପାଇଁ ଶିକାରୀମାନେ ସେଠାରେ ଜଙ୍ଗଲରେ ସର୍ବମୋଟ ଚଉଦଟି ମଇଁଷି ବାନ୍ଧିଥାଆନ୍ତି । କିନ୍ତୁ ମଇଁଷିଗୁଡ଼ିକର ହେପାଜତ୍ କିଛି ନ କରିବା ଫଳରେ ବାଘ ଦୁଇଟି ମଇଁଷି ମାରିବାବେଳକୁ ଅନ୍ୟଗୁଡ଼ିକ କେବଳ ଅଣହେଳାରୁ ମରିଥାଆନ୍ତି । ଗତ ରାତି ପ୍ରାୟ ନଅଟା ବେଳେ ସେପାରି ଜଙ୍ଗଲରୁ ଓଜନଦାର ରାଇଫଲ୍‌ର ଆବାଜ ଶୁଣିଥିଲି ବୋଲି ମନେ ପଡ଼ିଲା ।

 

*

ଲେଖକଙ୍କ ‘‘କୁମାୟୁଁର ନରଖାଦନ’’ ବହିରେ ଏ ବିଷୟ ବର୍ଣ୍ଣନା କରାଯାଇଛି । –ଅନୁବାଦକ

 

ପଥର ଉହାଡ଼ରେ ଜଗି ବସି ଦୁଇ ଘଣ୍ଟା ବିତିଗଲା । ବାର୍‌ହାର ଦେଖା ନାହିଁ । ସମ୍ବରଟି ପୂର୍ବପରି ବୋବାଇ ଚାଲିଛି । ମାଛି ଅନ୍ଧାର ହେଲାଣି । ଆଉ ଅପେକ୍ଷାରେ ଲାଭ ନାହିଁ ଦେଖି ନଈ ପାରି ହୋଇ “କୋଟା” ରାସ୍ତାରେ ଚାଲିଲି । ରାସ୍ତା କଡ଼ରେ ଜାଗାଏ ଗୁମ୍ଫାଗୁଡ଼ିଏ ପଡ଼େ । ଏଥିରୁ ଗୋଟିକରେ ପ୍ରକାଣ୍ଡ ଅଜଗର ସାପଟିଏ ରହୁଥିବା ମୋତେ ଜଣାଥାଏ । ତା’ପରେ, ମାସେ ତଳେ ଜଙ୍ଗଲ ବିଭାଗର ବିଲ୍ ବେଏଲି ସେଇ ଗୁମ୍ଫା ନିକଟରେ ବାରଫୁଟିଆ ଅହିରାଜ ସାପଟାଏ ଗୁଳିକରି ମାରିଥିଲେ । ଗୁମ୍ଫା ପାଖ ରାସ୍ତାତକ ଅତି ସାବଧାନରେ ଅତିକ୍ରମ କରି ଗାଁ ମୁଣ୍ଡରେ ପହଞ୍ଚିଲି । ସେଠାରୁ ମୋତିକୁ ଡାକଦେଇ ବଡ଼ି ଭୋରରୁ ମୋ ସାଙ୍ଗେ ଜଙ୍ଗଲକୁ ଯିବା ପାଇଁ ପ୍ରସ୍ତୁତ ରହିବାକୁ କହିଗଲି ।

 

ମୁଁ କାଲାଦୁଙ୍ଗୀ ଜଙ୍ଗଲରେ ଶିକାର କରିବାବେଳେ ମୋତି ଅନେକ ବର୍ଷ ମୋ ସଙ୍ଗରେ ବରାବର ଯାଉଥିଲା । ଶିକାର ପାଇଁ ଡାକରା ପାଇଲେ ସେ ହେଳା ନ କରି ଠିକ୍ ସମୟରେ ପହଞ୍ଚିଯାଏ । ମୋତି ଯେମିତି ସାହସୀ ସେମିତି ବୁଦ୍ଧିମାନ୍ ଓ ଶିକାର କରିବାରେ ତା’ର ପ୍ରବଳ ଆଗ୍ରହ । ଭଲ ଶିକାରୀର ଅନେକ ଲକ୍ଷଣ ତା’ଠାରେ ଥିଲା । ଶୁଖିଲା ଘାସପତ୍ର ଉପରେ ନିଃଶବ୍ଦରେ ସେ ଚାଲିପାରେ ଓ ଜନ୍ତୁଙ୍କ ଗତିବିଧି ଉପରେ ତୀକ୍ଷ୍‌ଣ ନଜର ରଖି ଜଙ୍ଗଲରୁ ଶବ୍ଦ ସୂଚନା ପାଇବା ପାଇଁ କାନ ଡେରିଥାଏ । ସେଦିନ ପାହାନ୍ତାରେ ଆମେ ଦୁହେଁ ଜଙ୍ଗଲରେ ପଶିବାବେଳେ ଘାସପତ୍ର ସବୁ କାକରରେ ଓଦା । ପଶୁପକ୍ଷୀଙ୍କ କୋଳାହଳରେ ଜଙ୍ଗଲଟି ମୁଖରିତ-। ପୂର୍ବ ସନ୍ଧ୍ୟାରେ ସମ୍ବର ହମ୍ବାଳିବା ଶୁଣି ମୁଁ ଅନୁମାନ କରିଥିଲି ଯେ ସମ୍ବରର ଛୁଆକୁ ବାଘ ମାରି ଦେଇଛି ଓ ବାଘକୁ ଦେଖୁଥିବା ଯାଏ ସମ୍ବରଟି ବୋବାଉଛି । ମୋ’ ଠାରୁ ଏ କଥା ଶୁଣି ମୋତି ଖୁସିଟାଏ ହୋଇଗଲା । ମାଂସ ଖାଇବାକୁ ତା’ର ଭାରି ସଉକ କିନ୍ତୁ କିଣିବାକୁ ପଇସା ଜୁଟେ ନାହିଁ-। ବାଘ ମାରିଥିବା ଜନ୍ତୁଟିଏ ପାଇବା ତା’ ପକ୍ଷରେ ମହାଆନନ୍ଦର କଥା ।

 

ପୂର୍ବ ସନ୍ଧ୍ୟାରେ ମୋ’ଠାରୁ ଉତ୍ତରକୁ ପ୍ରାୟ ପନ୍ଦର ଶହ ଗଜ ଦୂରରେ ସମ୍ବରଟି ବୋବାଉ ଥିବା ଅନୁମାନ କରିଥିଲି । କିନ୍ତୁ ସେଠାରେ ପହଞ୍ଚି ଶିକାରକୁ ଠାବ କରିବା ପାଇଁ ରକ୍ତଦାଗ, ଘୋଷରା ଚିହ୍ନ ବା ଜନ୍ତୁର ରୁମ ଟିକେ ମଧ୍ୟ ଖୋଜି ପାଇଲୁ ନାହିଁ । ତା’ ସତ୍ତ୍ୱେ ବାଘ ନିଶ୍ଚୟ ସମ୍ବର ମାରିଛି ବୋଲି ମୋର ଦୃଢ଼ ଧାରଣା ଥାଏ । ସେଠାରୁ କେଇ ଶହ ଗଜ ଦୂର ଏକ ପାହାଡ଼ ତଳୁ ଅଗହିର ଖାଲ ଦୁଇଟି ପରସ୍ପର ଠାରୁ ପ୍ରାୟ ତିରିଶି ଗଜ ବ୍ୟବଧାନରେ ଶହେ ଗଜ ଆଗେଇ ଆସି ଆମ ଠାରୁ ଅଳ୍ପ ଦୂରରେ ମିଶିଥାଆନ୍ତି । ଦୁଇ ଖାଲ ମଝିରେ ଛୋଟ ଛୋଟ ବୁଦାର ଜଙ୍ଗଲ । ମୋତି କହିଲା ଯେ ସେ ଡାହାଣ ପାଖ ଖାଲରେ ପଶି ଖୋଜିବ ଓ ବାଁ ପାଖ ଖାଲଟି ମୁଁ ଖୋଜିବି । ତିରିଶି ଗଜ ତଫାତରୁ ଦୁହେଁ ଦୁହିଁଙ୍କୁ ସହଜରେ ଦେଖିପାରିବୁ ଭାବି ତା’ ପ୍ରସ୍ତାବରେ ମୁଁ ରାଜି ହୋଇଗଲି ।

 

ଖାଲରେ ପଶିଲୁଁ । ଭୂଇଁକୁ ଟିକିନିଖି ପରୀକ୍ଷା କରି ଅତି ଧୀରେ ଆଗେଇବାକୁ ହେଉଥାଏ । ମଝିରେ ମଝିରେ ଆଖି ଫେରାଇ ମୋତି ଉପରେ ମୁଁ ନଜର ରଖିଥାଏ । ଏହିପରି ପ୍ରାୟ ଶହେ ଗଜ ଯିବା ପରେ ମୋତି ଆଡ଼କୁ ଥରେ ଚାହିଁଦେବା ମାତ୍ରେ ଦେଖିଲି ଯେ ସେ ହଠାତ୍ ଆର୍ତ୍ତନାଦ କରି ଉଠି ପଛକୁ ଡେଇଁ ପଡ଼ିଲା ଓ ବିକଟ ଚିତ୍କାର କରି ପ୍ରାଣ ବିକଳରେ ଧାଇଁବାକୁ ଲାଗିଲା । ଜଙ୍ଗଲର ନିର୍ଜନତା ଭିତରେ ମଣିଷର ବିକଳ ଆର୍ତ୍ତନାଦ ଅତି ଭୟଙ୍କର ଶୁଣାଯାଏ । ଅଜଣା କେତେ ଆଶଙ୍କା ମନରେ ଖେଳିଗଲା । ଭୟ ହେଲା ଯେ ମୋତେ ତଳମୁହାଁ ହୋଇ ଯାଉ ଯାଉ ଅଜାଣତରେ ବାଘ ଉପରେ ଗୋଡ଼ ପକାଇ ଦେଇଛି । ଖାଲ ଭିତରୁ ମୋତିର ମୁଣ୍ଡଟି କେବଳ ମୋତେ ଦିଶୁଥାଏ । ବାଘ ତା’କୁ ଆହତ କରିଛି ନା ଆକ୍ରମଣ କରିବାକୁ ଗୋଡ଼ାଇଛି–ତା’ ଜାଣିବାର ଉପାୟ ମଧ୍ୟ ନ ଥାଏ । ବାଘ ଦେଖାଯିବା ମାତ୍ରେ ଗୁଳି ଚଳାଇବାକୁ ପ୍ରସ୍ତୁତ ହୋଇ ମୋତିର ଠିକ୍ ଫୁଟେ ପଛକୁ ମୁଁ ବନ୍ଧୁକ ଲକ୍ଷ୍ୟ କରି ଧରିଲି । ମୋତି ବିନା ବାଧାରେ ପ୍ରାୟ ଶହେ ଗଜ ଦୌଡ଼ିଯିବା ଦେଖି ଭରସା ହେଲା ହେ ବାଘ ତା’ ପଛରେ ନାହିଁ । ମୁଁ ଆସିବା ଯାଏ ସେହିଠାରେ ସ୍ଥିର ହୋଇ ଅପେକ୍ଷା କରିବାକୁ ତା’କୁ ଡ଼ାକ ପକାଇ ତାହାରି ଆଡ଼େ ଧାଇଁଲି ।

 

ମୁଁ ପହଞ୍ଚିଲାବେଳକୁ ମୋତି ଗୋଟିଏ ଗଛକୁ ଆଉଜି ଛିଡ଼ା ହୋଇଥାଏ । ତା’ ଦେହରେ କ୍ଷତ କିମ୍ୱା ଲୁଗାପଟାରେ ରକ୍ତ ନ ଦେଖି ସାହସ ଫେରିଲା । ମୋତେ ଦେଖିବା ମାତ୍ରେ ମୋତି ଆତଙ୍କଭରା ସ୍ଵରରେ ‘ବାଘ କାହିଁ ?’ ବୋଲି ପଚାରିଲା । ଉତ୍ତରରେ କହିଲି ଯେ ତା’ କପାଳ ଜୋରରୁ ବାଘ ଏଠାରେ ନାହିଁ । ତା’ ନ ହେଲେ ତା’ ଦୌଡ଼ ଦେଖି ନ ଆସୁଥିବା ବାଘ ବି ଗୋଡ଼ାଇ ଆସିଥାଆନ୍ତା । ମୋତି କ୍ଷୀଣ ସ୍ଵରରେ ଖନେଇ ଖନେଇ କହିଲା, ‘‘ପାଟି କରି ଦୌଡ଼ିବା ଠିକ୍‍ ହେଲା ନାହିଁ, ସାହେବ । କିନ୍ତୁ–ମୁଁ ଆଉ–ରହି–ପା–ରି–ଲି–ନି–।” ପାଟିରୁ କଥା ନ ସରୁଣୁ ତା’ ଦେହ ଝୋଲା ମାରିଗଲା । ମୁଁ ଧରୁ ଧରୁ ହାତରୁ ଖସିଯାଇ ସେ ଅଚେତ ହୋଇ ତଳେ କଚାଡ଼ି ପଡ଼ିଲା । ମୁହଁ ତା’ର ଶେତା ପଡ଼ି ଯାଇଥାଏ । ଦୀର୍ଘ କେତେ ମିନିଟ୍ ସେ ହଲଚଲ ନ ହେବା ଦେଖି ଆଶଙ୍କା ହେଲା ଯେ ଉଭୟ ସଙ୍ଘାତରେ ହୁଏତ ତା’ ପ୍ରାଣ ଚାଲିଯାଇଛି ।

 

ଆକସ୍ମିକ ଏପରି ଦୁର୍ଯୋଗ ପାଇଁ ଜଙ୍ଗଲରେ କିଛି କରିବାର ଉପାୟ ନ ଥାଏ । ମୋତିକୁ ଚିତ୍ କରି ଶୁଆଇ ଲୁଗାପଟା ସବୁ ହୁଗାଳି ତା’ ହାତ ଗୋଡ଼ ଓ ଛାତିକୁ କେବଳ ଘସା ଆଉଁସା କରିବାରେ ଲାଗିଲି । ଅନେକ ସମୟ ବିତିଗଲା । ମୁଁ ପ୍ରାୟ ଆଶା ହରାଇବା ଉପରେ । ଏତିକିବେଳେ ମୋତି ଆଖି ମେଲାଇ ମୋତେ ଚାହିଁଲା ।

 

ଟିକିଏ ସାଷ୍ଟମ ହୋଇ ସେ ଗଛକୁ ଆଉଜି ବସିବା ପରେ ଖଣ୍ଡେ ସିଗାରେଟ୍‌ରେ ନିଆଁ ଧରାଇ ତା’ ଓଠରେ ଦେଲି ଓ ବ୍ୟାପାରଟା ଠିକ୍ କ’ଣ ବୋଲି ପଚାରିଲି । ମୋତି କହିଲା, “ଖାଲି ଭିତରେ ମୁଁ ଧୀରେ ଧୀରେ ଚାଲିଥାଏ । ତଳକୁ ଅନାଇ ଚାଲିଛି–ଅନ୍ୟ ଆଡ଼େ ନଜର ନାହିଁ । ଗୋଟିଏ ପତ୍ର ଉପରେ କେଇ ବୁନ୍ଦା ରକ୍ତ ପଡ଼ିଥିବା ପରି ଦେଖାଗଲା । ଭଲ କରି ଦେଖିବା ପାଇଁ ଆଗକୁ ଝୁଙ୍କି ପଡ଼ିଲି । ତା’ ପରେ ମୁହଁ ଉଠାଇ ଯାହା ଦେଖିଲି, ସାହେବ, ସେ କଥା କ’ଣ କହିବି-? ତିନି ଚାରି ପାହୁଣ୍ଡ ଦୂରରୁ ବାଘଟାଏ ପାଟି ଆଁ କରି ମୋ ମୁହଁକୁ ଚାହିଁଛି । ପାଟିରୁ ଧାର ଧାର ରକ୍ତ ଝରି ତା’ ଛାତିସାରା ବୋଳି ହୋଇଛି । ମନେ ହେଲା ଯେମିତି ଆଉ ମୁହୂର୍ତ୍ତକେ ମୋ ଉପରକୁ ସେ କୁଦି ପଡ଼ିବ । ମୋ ବୁଦ୍ଧି ହଜିଗଲା । ପାଟି କରି ପ୍ରାଣ ବିକଳରେ ଧାଇଁ ପଳାଇ ଆସିଲି ।” ବାଘ ଶୋଇଥିବା ଜାଗାଟି ବେଶ୍ ଖୋଲା, ସେଠାରେ ଲଟାବୁଦା ବେଶି ନାହିଁ ଓ ସମ୍ବର ବା ଅନ୍ୟ କୌଣସି ମଲା ଜନ୍ତୁ ସେଠାରେ ପଡ଼ିନାହିଁ ବୋଲି ମୋତି କହିଲା ।

 

ମୋତିକୁ ସେହିପରି ବସିବାକୁ କହି ସିଗାରେଟ୍ ଲିଭାଇ ଅନୁସନ୍ଧାନରେ ବାହାରିଲି । କଥାଟା କିମିତି ଅଡ଼ୁଆ ଲାଗୁଥାଏ । ରକ୍ତମୁଖା ବାଘ । ମଣିଷ ତା’ର ଏତେ ପାଖକୁ ଆସି ଦୌଡ଼ି ପଳାଇବା ସତ୍ତ୍ୱେ ସେ ଆକ୍ରମଣ କାହିଁକି ନ କଲା, ତାହା ମୁଁ ବୁଝିପାରୁ ନ ଥାଏ । ମୋତି ଯେଉଁଠାରେ ଚିତ୍କାର କରି ଉଠିଥିଲା, ଅତି ସନ୍ତର୍ପଣରେ ସେ ଯାଏଁ ଯାଇ ଦେଖିଲି ଯେ ବାଘ ଆଉ ସେଠାରେ ନାହିଁ । ଟିକେ ଆଗରୁ ଉଠି ସେ ଚାଲିଯାଇଛି । ସେଠାରେ ସେ ବାରମ୍ବାର ଗଡ଼ିଥିବା ହେତୁ ଚକଡ଼ାଏ ଜାଗାରୁ ଶୁଖିଲା ପତ୍ର ସବୁ ଆଡ଼େଇ ହୋଇ ଯାଇଥାଏ । ପାଖରେ ମନ୍ଦାଏ ରକ୍ତ ଝରି ଜମାଟ ବାନ୍ଧି ରହିଥାଏ । ଆର ପାଖକୁ ବୁଲିଯାଇ ବାଘର ଯିବା ବାଟରେ ଅସ୍ପଷ୍ଟ ଧାରେ ରକ୍ତ ଅଙ୍କା ବଙ୍କା ହୋଇ ପଡ଼ିଥିବା ଦେଖିଲି । ଧାରଟି ଆଠ ବାଙ୍କ ହୋଇ ପାହାଡ଼ ପାଖ ଯାଏ ପଡ଼ିଥାଏ ଓ ପାହାଡ଼ କଡ଼ରେ କେତେ ଶହ ଗଜ ଯାଇ ଗୋଟିଏ ଗହିର ଅଣଓସାରିଆ ଝୋଲାରେ ପଶିଥାଏ-। ଝୋଲା ଭିତରେ ଛୋଟ ଝରଣାଟିଏ । ବାଘ ଝରଣା କୂଳରେ କିଛି ବାଟ ଯିବା ପରେ ଝୋଲା ଉପର ପାହାଡ଼ ସନ୍ଧିରେ ପଶି କୁଆଡ଼େ ଚାଲିଯାଇଥାଏ । ସେଠାରୁ ଫେରିଆସି ଜମାଟ ବାନ୍ଧିଥିବା ରକ୍ତମନ୍ଦାଟିକୁ ଆଉ ଥରେ ପରୀକ୍ଷା କଲି । ସେଥିରୁ ଭଙ୍ଗାଦାନ୍ତ ଓ ଛୋଟ ହାଡ଼ କେଇଖଣ୍ଡ ପାଇବା ପରେ ଘଟଣାର କ୍ରମାନ୍ଵୟ ସ୍ପଷ୍ଟ ହୋଇଉଠିଲା ।

 

ଦୁଇଦିନ ପୂର୍ବେ ରାତିରେ ଯେଉଁ ବନ୍ଧୁକ ଆବାଜ ଶୁଣିଥିଲି, ସମ୍ଭବତଃ ସେଇ ଗୁଳିମାଡ଼ରେ ବାଘର ତଳପାଟି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇ ଯାଇଥିଲା । ଆହତ ବାଘଟି ପ୍ରାଣ ବିକଳରେ ତା’ର ପୂର୍ବ ପରିଚିତ ଏଇ ଜଙ୍ଗଲକୁ ପଳାଇ ଆସିଛି । ତଳପାଟିର ଆଘାତ ଜନ୍ତୁଙ୍କୁ ସବୁଠାରୁ ବେଶି କଷ୍ଟ ଦିଏ । ବାଘଟି ଦୁଇ ଦିନ କିଛି ଖାଇ ନାହିଁ । ଜ୍ୱର ଓ ରକ୍ତହାନି ତା’କୁ ଆହୁରି ଦୁର୍ବଳ କରି ଦେଇଛି । ସେ ଦିନ ସନ୍ଧ୍ୟାରେ ସେ ଯନ୍ତ୍ରଣାରେ ଏଠାରେ ଛଟପଟ ହେଉଥିବାବେଳେ ସମ୍ବର ତା’କୁ ଦେଖି ବୋବାଉଥିଲା । ମୋତି ତା’ ସଙ୍ଗେ ମୁହାଁମୁହିଁ ହୋଇଯିବା ବେଳକୁ ବାଘଟି ବୋଧହୁଏ ସମ୍ପୂର୍ଣ୍ଣ ସଚେତ ନ ଥିଲା । ତାହା ନ ହୋଇଥିଲେ ମୋତି କଦାପି ବଞ୍ଚି କରି ଫେରି ନ ଥାଆନ୍ତା । ମୋତିର ଚିତ୍କାରରେ ବାଘ ଚେଇଁ ଉଠିଛି । ତା’ପରେ ଟଳମଳ ହୋଇ ସେ ପାହାଡ଼ ତଳକୁ ଯାଇଛି ପାଣିର ସନ୍ଧାନରେ ।

 

ମୋର ଅନୁମାନ ସବୁ କେତେ ଦୂର ଠିକ୍ ତାହା ପରୀକ୍ଷା କରିବା ପାଇଁ ନଈ ପାରି ହୋଇ ଦୁହେଁ ଆରପାଖ ଜଙ୍ଗଲରେ ପଶିଲୁ । ସେଠାରେ ଚଉଦଟି ମଇଁଷି ବନ୍ଧା ଯାଇଥିବା କଥା ଆଗରୁ କହିଛି । ଗୋଟିଏ ଗଛରେ ଶିକାରୀଙ୍କ ମଞ୍ଚା ପୂର୍ବ ପରି ବନ୍ଧା ହୋଇଥାଏ । ମଞ୍ଚା ତଳେ ମଇଁଷି ଖାଉଥିବା ବେଳେ ବାଘ ଉପରେ ଗୁଳିମାଡ଼ ହୋଇଥିଲା । ମଢ଼ ପାଖରୁ ଧାରେ ରକ୍ତ ନଈକୂଳ ଯାଏ ପଡ଼ିଥାଏ । ତା’ ଦୁଇ ପାଖରେ ଅନୁସରଣ କରିଥିବା ହାତୀଙ୍କ ପାହୁଲ ଦାଗ । ମୋତିକୁ ସେଠାରେ ଛାଡ଼ି ଉଜାଣି ନଈ ପାରି ହୋଇ ନିଜ ଶିକାର ଇଲାକାରେ ପହଞ୍ଚିଲି । ରକ୍ତଧାର ଓ ହାତୀଙ୍କ ଖୋଜ ବାରି ନଈକୂଳରୁ ପ୍ରାୟ ଛଅ ଶହ ଗଜ ଦୂର ଚକଡ଼ାଏ ଘଞ୍ଚ ଜଙ୍ଗଲ ଯାଏ ଗଲି । ବାଘ ଏଇ ଜଙ୍ଗଲରେ ପଶିଥାଏ । କିନ୍ତୁ ହାତୀଗୁଡ଼ିକ ଜଙ୍ଗଲ ଧାରରେ କିଛି ସମୟ ଛିଡ଼ା ହେବା ପରେ କାଲାଦୁଙ୍ଗୀ ଫେରି ଯାଇଥାନ୍ତି ।

 

ଗତ ସନ୍ଧ୍ୟାରେ “ସଇତାନ”କୁ ଖୋଜି ମୁଁ ଏଆଡ଼େ ଆସିବା ବେଳେ ଶିକାରୀମାନେ ହାତୀଙ୍କୁ ନେଇ ଏଠାରୁ ଫେରୁଥିଲେ । ମୁଁ କୁଆଡ଼େ ଯାଉଛି ବୋଲି ତାଙ୍କ ଭିତରୁ ଜଣେ ପଚାରିଲେ-। ମୋ ଉତ୍ତର ଶୁଣି ସେ ଆଉ କ’ଣ କହିବାକୁ ଯାଉଥିଲେ । କିନ୍ତୁ ଅନ୍ୟ ଶିକାରୀ ଦୁଇଜଣ ସେଥିରେ ବାଧା ଦେଇ ତାଙ୍କୁ କିଛି କହିବାକୁ ଦେଲେ ନାହିଁ । ମୁଁ ଚାଲି ଚାଲି ଯେଉଁ ଜଙ୍ଗଲରେ ପଶୁଥିଲି, ସେଥିରେ ଘାଇଲା ବାଘ ଅଛି ବୋଲି ସେମାନଙ୍କୁ ଭଲ ଭାବେ ଜଣାଥିଲା । ମୋତେ ସତର୍କ କରିଦେବା ତ ଦୂର କଥା, ସେ ସମ୍ବନ୍ଧରେ ସାମାନ୍ୟ ସୂଚନା ମଧ୍ୟ ସେମାନେ ଦେଲେ ନାହିଁ । ମୋତେ ନିଶ୍ଚିତ ମୃତ୍ୟୁ ମୁହଁକୁ ପଠାଇ ଦେଇ ନିଜ ରହଣୀସ୍ଥାନ କାଲାଦୁଙ୍ଗୀ ଜଙ୍ଗଲ ବଙ୍ଗଳାକୁ ସେମାନେ ସ୍ୱଚ୍ଛନ୍ଦରେ ଫେରି ଯାଇ ପାରିଲେ ।

 

ନଈ ସେପାରିରେ ମୋତିକୁ ଛାଡ଼ି ଆସିଥାଏ । ଗାଁ ସେଠାରୁ ମାତ୍ର ତିନି ମାଇଲ ଦୂର । ସେତିକି ରାସ୍ତା ଯିବାପାଇଁ ଢେର ସମୟ ଲାଗିଲା । ମୋତିକୁ ଭାରି ଦୁର୍ବଳ ଲାଗୁଥାଏ । ମଝିରେ ମଝିରେ ଅଟକି ସେ ଥକ୍‌କା ମାରେ । ତା’କୁ ଘରେ ପହଞ୍ଚାଇ ଦେଇ ମୁଁ ସିଧାସଳଖ ଜଙ୍ଗଲ ବଙ୍ଗଳାକୁ ଚାଲିଲି । ପହଞ୍ଚି ଦେଖେ, ଶିକାରୀ ତିନିଜଣ ଜିନିଷପତ୍ର ବାନ୍ଧି ରାତି ଗାଡ଼ିରେ ହଲଦ୍ୱାନୀ ଯିବାକୁ ବାହାରିଛନ୍ତି । ବଙ୍ଗଳା ବାରଣ୍ଡା ତଳ ପାହାଚରେ ଛିଡ଼ାହୋଇ ଅଳ୍ପ ସମୟ ପାଇଁ ବାକ୍ୟାଳାପର ଯେଉଁ ସୁଯୋଗ ମିଳିଲା, ସେଥିରେ ମୋର ଯାହା ତାଙ୍କୁ କହିବାକୁ ଥିଲା ସବୁ ରୋକ୍‌ଠୋକ୍ ଶୁଣାଇ ଦେଲି । ଗୋଟିଏ ନିମନ୍ତ୍ରଣ ରକ୍ଷା କରିବାକୁ କାଳେ ଡେରି ହୋଇଯିବ ବୋଲି ସେମାନେ ବାଘକୁ ଦମଦାର୍ କରି ଛାଡ଼ି ଯାଉଛନ୍ତି ଶୁଣି ରାଗ ସମ୍ଭାଳି ପାରିଲି ନାହିଁ । ତାଙ୍କୁ ଶୁଣାଇ ଦେଇ ଆସିଲି ଯେ ଭୟର ସଂଘାତରେ ମୋତିର ଯଦି କିଛି ଅନିଷ୍ଟ ହୁଏ କିମ୍ବା ମୋର ଗ୍ରାମବାସୀ କେହି ଯଦି ଘାଇଲା ବାଘ ମୁହଁରେ ପଡ଼ି ପ୍ରାଣ ହରାଏ ତେବେ ସେମାନଙ୍କ ବିରୁଦ୍ଧରେ ମୁଁ ନରହତ୍ୟାର ଅଭିଯୋଗ ଆଣିବି ।

 

କଥାବାର୍ତ୍ତା ପରେ ଶିକାରୀମାନେ ଚାଲିଗଲେ । ଆହତ ବାଘଟିକୁ ଯନ୍ତ୍ରଣାରୁ ମୁକ୍ତ କରିବା ଭାର ଶେଷରେ ମୋ ଉପରେ ପଡ଼ିଲା । ପରଦିନ ସକାଳୁ ଓଜନଦାର ରାଇଫଲ୍‌ଟିଏ ଧରି ପାହାଡ଼ ତଳ ଝୋଲାରେ ପଶିଲି । ଅଳ୍ପ ଓସାର ଏହି ଝୋଲାଟିର ପ୍ରତ୍ୟେକ ଅଂଶ ସହିତ ମୁଁ ପୁର୍ବରୁ ଭଲଭାବେ ପରିଚିତ । ସେପରି ସଂକୀର୍ଣ୍ଣ ସ୍ଥାନରେ ଆହତ ବାଘ ସହିତ ସମ୍ମୁଖ ସାକ୍ଷାତ କେତେ ବିପଜ୍ଜନକ ତାହା ମୋତେ ବେଶ୍ ଜଣାଥାଏ । ସେଦିନ କିନ୍ତୁ ସଫଳ ଶିକାରର ଗୌରବ ଉଦ୍ଦେଶ୍ୟରେ ନୁହେଁ–କେବଳ କର୍ତ୍ତବ୍ୟ ଦୃଷ୍ଟିରୁ ଏ ଦୁଃସାହସ କରିବାକୁ ମୁଁ ବାଧ୍ୟ ହୋଇଥିଲି । ବାଘକୁ ମାରିଥିଲେ ତା’ ଚମଡ଼ା ମୁଁ ପୋଡ଼ି ଦେଇଥାନ୍ତି । ଝୋଲାରେ ପଶି କିଛି ବାଟ ଯିବା ପରେ ରକ୍ତଧାର ଆଉ ବାରି ହେଲା ନାହିଁ । ତା’ ସତ୍ତ୍ୱେ ଝୋଲାଟିକୁ ଆଦ୍ୟରୁ ପ୍ରାନ୍ତଯାଏ ତନ୍ନ ତନ୍ନ କରି ଖୋଜିଲି । ଦୁଇ ପାଖ ପାହାଡ଼ର ଅନ୍ଧିସନ୍ଧି ସବୁ ଦିନତମାମ ଖୋଜି ସୁଦ୍ଧା ବାଘର ସନ୍ଧାନ ପାଇଲି ନାହିଁ ।

 

ଦଶ ଦିନ ପରେ ଜଙ୍ଗଲରକ୍ଷୀ ଜଣେ ଜଙ୍ଗଲରେ ଘୁରି ବୁଲିବାବେଳେ ମୃତ ବାଘଟିକୁ ଶାଗୁଣା ଖାଇ ପ୍ରାୟ ଶେଷ କରି ଦେଇଥିବା ଦେଖିଲେ । ସେହି ବର୍ଷ ଗ୍ରୀଷ୍ମଋତୁରେ ସରକାର ଆଇନ କରି ସୂର୍ଯ୍ୟାସ୍ତରୁ ସୂର୍ଯ୍ୟୋଦୟ ଭିତରେ ବାଘ ଶିକାର ନିଷେଧ କରିଦେଲେ । ଆହତ ଜନ୍ତୁକୁ ଶେଷ କରିବାକୁ ଶିକାରୀକୁ ବାଧ୍ୟ କରିବା ପାଇଁ ନିୟମ ପ୍ରଣୟନ କରାଗଲା । ଏପରି ଘଟଣା ଘଟିଲେ ତୁରନ୍ତ ଜଙ୍ଗଲ କର୍ମଚାରୀଙ୍କ ନିକଟରେ ଓ ପୋଲିସ୍‍ ଫାଣ୍ଡିରେ ଏତଲା ଦେବା ବ୍ୟବସ୍ଥା ମଧ୍ୟ ଜାରିହେଲା ।

 

ବାଘ ମୁହଁରୁ ମୋତି ବଞ୍ଚିଗଲା । କିନ୍ତୁ ଏହାପରଠାରୁ ତା’ର ଘୋର ଦୁର୍ଦ୍ଦିନ ଆସି ପହଞ୍ଚିଲା । ପ୍ରାୟ ପାଞ୍ଚମାସ ପରେ ନିଜ କ୍ଷେତରେ ଗୋଟିଏ ଚିତାବାଘକୁ ସେ ଗୁଳି କରି ଆହତ କଲା । ପରଦିନ ସକାଳୁ ଜଙ୍ଗଲରେ ବାଘକୁ ଖୋଜୁ ଖୋଜୁ ତା’ର ଆକ୍ରମଣରେ ସେ ଶୋଚନୀୟ ଭାବେ କ୍ଷତବିକ୍ଷତ ହେଲା । ସେଥିରୁ ଭଲ ହୋଇ ନ ଉଠୁଣୁ ଗୋହତ୍ୟା ମହାପାପରେ ସେ ଭାଗୀ ହୋଇ ବସିଲା । ପାଖ ଗାଁର ଗୋଟିଏ ବୁଢ଼ୀ ଗାଈକୁ କ୍ଷେତରୁ ଘଉଡ଼ାଇ ଦେବାବେଳେ ମୂଷାଗାତରେ ପଡ଼ି ଗାଈର ଗୋଡ଼ ଭାଙ୍ଗିଗଲା । ମୋତିର ସମସ୍ତ ସେବା ଯତ୍ନ ସତ୍ତ୍ୱେ ଗାଈଟି ସେହିଠାରେ ପଡ଼ି ପଡ଼ି ମରିଗଲା । ହିନ୍ଦୁ ପକ୍ଷରେ ଗୋହତ୍ୟା ଠାରୁ ମହାପାପ ଆଉ କିଛି ହୋଇ ନ ପାରେ । ତାହାର ପ୍ରାୟଶ୍ଚିତ ଗାଁରେ ହୋଇପାରିବ ନାହିଁ ଓ ସେଥିପାଇଁ ହରଦ୍ଵାର ଯିବାକୁ ହେବ ବୋଲି ଗାଁ ପୁରୋହିତେ ବ୍ୟବସ୍ଥା ଦେଲେ । ଟଙ୍କା କେତୋଟି ଧାର ଉଧାର କରି ମୋତି ହରଦ୍ୱାର ଗଲା । ବଡ଼ ଦେଉଳରେ ପଣ୍ଡିତମାନଙ୍କୁ ଭେଟି ଦୋଷ ଜଣା କଲା । ମନ୍ଦିରରେ କିଛି ଦାନ ଧର୍ମ କରିବା ପରେ ଶୁଦ୍ଧ ହେବା ପାଇଁ ଧର୍ମାଧୀଶମାନେ ଆଦେଶ ଦେଲେ । ଶୁଦ୍ଧିକ୍ରିୟା ବେଳେ ତା’କୁ କ’ଣ କରିବାକୁ ଭଲ ଲାଗେ ବୋଲି ପଚାରାଗଲା । ମୋତି ସରଳ ଲୋକ; ଛନ୍ଦ କପଟ ଜାଣେ ନାହିଁ । ସିଧାସଳଖ କହିଦେଲା ଯେ ଶିକାର କରିବାକୁ ଆଉ ମାଂସ ଖାଇବାକୁ ସେ ସବୁଠାରୁ ବେଶି ଭଲ ପାଏ । ସେହିଦିନ ଠାରୁ ଶିକାର କରିବା ଓ ମାଂସ ଖାଇବା ମନା ବୋଲି ତା’କୁ ଆଦେଶ ଦିଆଗଲା ।

 

ପାପରୁ ମୁକ୍ତ ହୋଇ ମୋତି ହରଦ୍ୱାରରୁ ଫେରିଲା । ଏ କଠୋର ପ୍ରାୟଶ୍ଚିତରୁ କିନ୍ତୁ ସେ ଜୀବନସାରା ମୁକ୍ତି ପାଇଲା ନାହିଁ । ଶିକାର କରିବାରେ ତା’ର ସବୁଦିନେ ବଡ଼ ସଉକ । ଗାଁର ଇଜମାଲି ଦଦରା ବନ୍ଧୁକଟି କେବେ କେମିତି ତା’ ଭାଗରେ ପଡ଼େ । ପୁଣି ଗାଁ ସୀମା ସରହଦ ବାହାରେ ତା’କୁ ଶିକାର କରିବାକୁ ମନା । ଏତେ ବାଧା ସତ୍ତ୍ୱେ ସେ ମଝିରେ ମଝିରେ ଶିକାର ମାରୁଥିଲା । କେବେ କେମିତି ମୋ ରାଇଫଲଟି ମୁଁ ତା’କୁ ବ୍ୟବହାର କରିବାକୁ ଦିଏ । ସେପରି କରିବା ବେଆଇନ ହୋଇଥିଲେ ସୁଦ୍ଧା ତା’ ଆଗ୍ରହ ଦେଖି ମୁଁ ନିଜକୁ ଅଟକାଇପାରେ ନାହିଁ । ଶିକାର କରିବା ତ ବନ୍ଦ ହେଲା । ତା’ଉପରେ ମାଂସ ନ ଖାଇବାର ଅନ୍ୟ ବ୍ୟବସ୍ଥାଟି ମୋତିର ଜୀବନକୁ ବିଷମୟ କରିଦେଲା । ଆଗରୁ ସେ ଯେ ନିତି ମାଂସ ଖାଉଥିଲା ତାହା ନୁହେଁ । ମାସକୁ ଥରେ ଅଧେ ମାଂସ କିଣିବାକୁ ସେ ପଇସା ପାଏ । ତେବେ କ୍ଷେତରେ ବାର୍‍ହା ଝିଙ୍କ ଆଦି ଜନ୍ତୁଙ୍କ ଅଭାବ ନ ଥାଏ । ମଝିରେ ମଝିରେ ସେଠି ହରିଣ ମଧ୍ୟ ମରନ୍ତି । ଗାଁର ଜଣେ ଯାହା ମାରିବ ସେଥିରୁ ସମସ୍ତେ ଭାଗ ପାଇବେ ବୋଲି ମୁଁ ନିୟମ କରିଥାଏ । ଫଳରେ ମୋତିର ମାଂସ କେବେ ଅଭାବ ହେଉ ନ ଥିଲା । ଏବେ ଶିକାର କରିବା ଓ ମାଂସ ଖାଇବାରୁ ବଞ୍ଚିତ ହୋଇ ତା’ ମନ ଓ ସ୍ୱାସ୍ଥ୍ୟ ଏକ ସଙ୍ଗେ ଭାଙ୍ଗିପଡ଼ିଲେ ।

 

ହରଦ୍ୱାରରୁ ଫେରିବା ପରେ ଶୀତ ଦିନେ ମୋତିକୁ କାଶ ଧରିଲା । ମୋ ତୁଟୁକା ଔଷଧରେ କିଛି ଫଳ ହେଲା ନାହିଁ । ମୋର ଜଣେ ଡାକ୍ତର ବନ୍ଧୁ ଥରେ କାଲାଦୁଙ୍ଗୀ ବାଟେ ଯାଉଥିଲେ । ତାଙ୍କୁ ଅନୁରୋଧ କରି ମୋତିକୁ ପରୀକ୍ଷା କରାଇଲି । ତା’କୁ ଯକ୍ଷ୍ମା ହୋଇଛି ଶୁଣି ଦୁଃଖର ସୀମା ରହିଲା ନାହିଁ । ଗାଁରୁ ତିରିଶ ମାଇଲ ଦୂରରେ ଭୱାଲି ଯକ୍ଷ୍ମା ନିବାସ । ବନ୍ଧୁଙ୍କ ପରାମର୍ଶରେ ମୋତିକୁ ସେଠାକୁ ପଠାଇଲି । ପାଞ୍ଚଦିନ ପରେ ସେଠାକାର ସୁପରିନ୍‌ଟେନ୍‌ଡେଣ୍ଟ୍‌ଙ୍କ ଠାରୁ ଚିଠି ଖଣ୍ଡେ ଧରି ସେ ଫେରିଲା । ସେଥିରୁ ଜାଣିଲି ଯେ ସେ ଭଲ ହେବାର ଆଶା ଆଉ ନାହିଁ ଓ ଯକ୍ଷ୍ମା ନିବାସରେ ତା’କୁ ରଖି କିଛି ଲାଭ ହେବ ନାହିଁ । ଜଣେ ଡାକ୍ତର ଧର୍ମଯାଜକ ସେତେବେଳେ ମୋ ପାଖରେ ରହୁଥାଆନ୍ତି । ଅନେକ ବର୍ଷ ସେ ଗୋଟିଏ ଯକ୍ଷ୍ମା ନିବାସରେ କାମ କରୁଥିଲେ । ମୋତି ଖୋଲା ଜାଗାରେ ଶୋଇବ ଓ କେଇ ଟୋପା ପାରାଫିନ୍ ତେଲ ପକାଇ ଦିନକୁ ଦୁଇ ଗ୍ଲାସ ଦୁଧ ପିଇବ ବୋଲି ସେ ନିର୍ଦ୍ଦେଶ ଦେଲେ । ତାହା ହିଁ କରାଗଲା । ଶୀତଦିନ ସାରା ମୋତି ମୋ ପାଖରେ ରହିଲା । ରାତିରେ ସେ ଆମର ବାହାର ବାରଣ୍ଡାରେ ଶୁଏ । ସକାଳୁ ଆମ ଗାଈ ଦୁହାଁ ହେବା ପରେ ଦୁଇ ଗ୍ଲାସ ଗଜରା ଦୁଧ ସେ ପିଏ ।

 

ଭାରତର ସବୁ ଗରିବଙ୍କ ପରି ମୋତି ଥିଲା ଭାଗ୍ୟବାଦୀ । ଦୁରାରୋଗ୍ୟ ବେମାରି ବିରୁଦ୍ଧରେ ଲଢ଼ିବା ପାଇଁ ତା’ ଦେହରେ ବା ମନରେ ଜୋର ନ ଥିଲା । ଖରା ଦିନ ହେବାରୁ ମୁଁ ବାଧ୍ୟ ହୋଇ ଗାଁ ଛାଡ଼ିଲି । ଯିବା ପୂର୍ବରୁ ମୋତିର ଚିକିତ୍ସା ପାଇଁ ସବୁ ବ୍ୟବସ୍ଥା କରିଗଲି । ମୁଁ ଚାଲିଯିବା ପରେ କିନ୍ତୁ ମୋତି ତା’ର ଶେଷ ଆଶା ହରାଇ ବସିଲା । ମାସକ ପରେ ଆମର ସମସ୍ତ ଚେଷ୍ଟା ପଣ୍ଡ କରି ସେ ଚିରଦିନ ପାଇଁ ଆଖି ବୁଜିଲା ।

 

ଆମ ପାହାଡ଼ିଆ ସ୍ତ୍ରୀ ଲୋକଙ୍କ ପରି ପରିଶ୍ରମୀ ଭାରତରେ ଅନ୍ୟତ୍ର ବିରଳ । ସେମାନଙ୍କ ଭିତରେ ମଧ୍ୟ ପୁନ୍ଵା ମା’ ପରି ପରିଶ୍ରମୀ ଲୋକ କ୍ଵଚିତ ଦେଖାଯାଆନ୍ତି । ମଣିଷଟି ସାନ ହେଲେ ବି ସେ ଯେମିତି କାମିକା ସେମିତି ମଜବୁତ୍ । ବୟସ ତା’ର ବେଶି ହୋଇ ନ ଥାଏ । ତାଙ୍କ ଜାତିରେ କିନ୍ତୁ ବିଧବା ବିବାହ ମନା । ମୋତି ଚାଲିଯିବା ପରେ ପିଲା ତିନୋଟି ଧରି ଅସୀମ ସାହସ ସହିତ ସେ ଜୀବନ ସଂଗ୍ରାମ ପାଇଁ ପ୍ରସ୍ତୁତ ହୋଇଗଲା ।

 

ପୁନ୍ୱା ସେତେବେଳେ ବାର ବର୍ଷର ପିଲା । ଗାଁର ଜଣେ ଦୁଇଜଣଙ୍କଠାରୁ ସାହସ ପାଇ ଚାଷବାସ କାମ ସବୁ ସେ ହାତକୁ ନେଲା । ଦଶବର୍ଷର ଝିଅ କୁନ୍ତୀ ବାହା ହୋଇ ସାରିଥାଏ । ଶାଶୁ ଘରକୁ ଯିବାକୁ ତା’ର ଆହୁରି ପାଞ୍ଚବର୍ଷ ଥାଏ । ମା ଝିଅ ଦୁହେଁ ମିଶି ଘରକାମ ସବୁ ତୁଲାନ୍ତି । ପୁନ୍ୟା ମା ବଡ଼ ସଫାସୁତୁରା ଲୋକ । ପିଲାମାନଙ୍କ ଓ ନିଜ ଲୁଗାପଟା ଯେତେ ପୁରୁଣା ତାଳିପକା ହେଲେ ବି ମଇଳା ମସିଆ କେବେ ହେବ ନାହିଁ । ଲୁଗାସଫା, ରୋଷେଇବାସ, ଲୁଗା ମରାମତି, ପାଣିଅଣା, ବାସନ ମଜା–କୁନ୍ତୀ କେଉଁ କାମରେ ଉଣା ନ ଥିଲା । ଏହାଛଡ଼ା ଜଙ୍ଗଲରୁ କାଠ ଗୋଟାଇବା, ବିଲ ବାଛିବା, ଗୋରୁ ଗାଈଙ୍କ ପାଇଁ କଅଁଳ ଘାସ ପତ୍ର ଆଣିବାରୁ ଗହମ ପାଛୁଡ଼ିବା ଓ ଧାନ କୁଟିବା ପର୍ଯ୍ୟନ୍ତ ସବୁ କାମ ତା’କୁ କରିବାକୁ ପଡ଼େ । ଦୁଇ ମାଇଲ ଦୂର ବଜାରରୁ ସଉଦା ଆଣିବା ପୁଣି କୁନ୍ତୀର କାମ । ସାନ ପୁଅ ଶେର୍ ସିଂର ବୟସ ମୋଟେ ଆଠ ବର୍ଷ । ତା’ ବୟସକୁ ଚାହିଁ ସେ ମଧ୍ୟ କାମରେ ଲାଗିଥାଏ । ସିନ୍ଦୂରା ଫାଟିଲା ବେଳୁ ରାତିରେ ଶୋଇବା ଯାଏ ତା’କୁ ଫୁରୁସତ ନ ଥାଏ । ଗାଈଗୋରୁଙ୍କ କାମ ସାରି ଦରକାର ପଡ଼ିଲେ ସେ ବଡ଼ ଭାଇ ସାଙ୍ଗରେ ଲଙ୍ଗଳ ମୁଠାରେ ହାତ ପକାଏ ।

 

ଶେର୍ ସିଂର କେଉଁ କଥାରେ ଚିନ୍ତା ନ ଥାଏ । ମନ ତା’ର ସଦା ଆନନ୍ଦ । ହସ ଖୁସିରେ ଦିନଗୁଡ଼ିକ ତା’ର ପାଣିପରି ବୋହିଯାଏ । ତା’ ଜିମା ଦୁଇ ହଳ ବଳଦ, ବାରଟି ଗାଈ, ଆଠଟି ବାଛୁରୀ ଓ ଷଣ୍ଢଟିଏ ଥାଆନ୍ତି । ସକାଳୁ ଗାଈ ଦୁହାଁ ସାରି ଗୋରୁ ଫିଟାଇ ଶେର୍ ସିଂ ଗୁହାଳ ସଫା କରେ । ମା’ ତା’ର ସବୁଦିନ ପରି ରୁଟି ଓ କଞ୍ଚାଲଙ୍କା ବଘରା ବୁଟଡ଼ାଲି କରି ତା’କୁ ଡାକ ଦିଏ । ଦୁଧତକ କୁନ୍ତୀକୁ ଧରାଇ ଦେଇ ଶେର୍ ସିଂ ଖାଇବସେ । ଖାଇ ସାରି ଘର କାମ ଯାହା ବାକି ଥାଏ ତା’କୁ ସାରିଦିଏ । ବାଛୁରୀଗୁଡ଼ିକୁ କୁନ୍ତୀ ଜିମାରେ ଛାଡ଼ି ଗୋରୁ ନେଇ ସେ ଜଙ୍ଗଲକୁ ବାହାରି ପଡ଼େ-। ଗୋରୁଙ୍କୁ ଗୋଠ ବାନ୍ଧି ରଖିବାକୁ ହୁଏ–ଗୋଠଛଡ଼ା ହୋଇ ଏଣେ ତେଣେ ବୁଲିଲେ ବାଘ ଖାଇଯିବା ଭୟ । ଟାଙ୍ଗିଆ ଖଣ୍ଡେ କାନ୍ଧରେ ପକାଇ ଏଇ ଛୋଟ ଭୁତୁରାମୁଣ୍ଡା ପିଲାଟି ଗୋଠ ପଛେ ପଛେ ଚାଲିଥାଏ । ମଝିରେ ମଝିରେ ଗୋରୁଙ୍କ ନାଁ ଧରି ଡାକ ପକାଉ ଥାଏ । ଗୀତ ଗାଇବାରେ ତା’ର ସବୁଦିନେ ଭାରି ସଉକ । ବୋଆର୍ ପୋଲ ପାରି ହୋଇ ସେ ଜଙ୍ଗଲରେ ଲୁଚିଯିବା ପର୍ଯ୍ୟନ୍ତ ଦୂରରୁ ତା’ ଗୀତ ଗାଁକୁ ଶୁଣାଯାଉଥାଏ ।

 

ଶେର୍ ସିଂ ତା’ ଷଣ୍ଢର ନାଁ ଦେଇଥାଏ 'ଲାଲୁ’ । ଲାଲୁର ରଙ୍ଗ କିନ୍ତୁ ପ୍ରକୃତରେ ନାଲି ନୁହେଁ କସରା । ବେକ ଓ କାନ୍ଧରେ କଳାରଙ୍ଗର ଗୁଡ଼ିଏ ଛାପ । ପିଠିରେ ବେକରୁ ଲାଞ୍ଜଯାଏ କଳା ଗାରଟିଏ । ଲାଲୁ କାଲି ସକାଳେ ବାଛୁରୀ ଥିଲା । ଏବେ ଯାଏ ପିଲାଦିନର ଦୁଷ୍ଟାମି ସେ ଛାଡ଼ି ନାହିଁ । ଟାଣୁଆ ତା’ର ଛୋଟ ଶିଙ୍ଘ ଦୁଇଟିକୁ ବ୍ୟବହାର କରିବାକୁ ତା’ର ବଡ଼ ଆଗ୍ରହ । ଶେର୍ ସିଂର ଲାଲୁକୁ ବଡ଼ ଶରଧା । ପିଲାଦିନେ ଲାଲୁ ମା’ଠାରୁ ଦୁଧ ଖାଇଥିବାରୁ ସେ ତା’କୁ ନିଜ ଭାଇ ବୋଲି ମନେ କରେ ।

 

ମଣିଷ ଓ ପଶୁ ବହୁକାଳ ସମାନ ବିପଦର ସମ୍ମୁଖୀନ ହେଲେ ପରସ୍ପର ଉପରେ ତାଙ୍କର ଆସ୍ଥା ଓ ବିଶ୍ୱାସ ସେହି ଅନୁପାତରେ ବଢ଼ିଯାଏ । ଶେର୍ ସିଂର ବାପ ଗୋସାଇଁ ବାପ ଏଇ ଜଙ୍ଗଲ ପାହାଡ଼ର ମଣିଷ । ସେମାନଙ୍କ ପରି ଶେର୍ ସିଂର ମଧ୍ୟ ବନ୍ୟଜନ୍ତୁଙ୍କୁ ଲେଶ ମାତ୍ର ଭୟ ନ ଥାଏ । ତା’ ସଙ୍ଗରେ ଥାଏ ଲାଲୁ । ନିଜ ଶକ୍ତି ଉପରେ ଲାଲୁର ପ୍ରଗାଢ଼ ବିଶ୍ୱାସ । କାହାକୁ ଭୟ କରିବା ତା’ ଜାତକରେ ନାହିଁ । ଶେର୍ ସିଂ ପାଖରେ ଥିଲେ ଲାଲୁ ଯେତିକି ସାହସ ପାଏ, ଲାଲୁ ଉପରେ ଶେର୍ ସିଂର ମଧ୍ୟ ସେତିକି ନିର୍ଭର । ଦୁହେଁ ଏକାଠି ଥିଲେ ଡର ଭୟ ତାଙ୍କୁ ଛୁଇଁ ଯାଏ ନାହିଁ । ଫଳରେ ଗୋରୁ ନେଇ ଶେର୍ ସିଂ ଜଙ୍ଗଲର ଯେତେ ଭିତରକୁ ପଶିଯାଏ ଅନ୍ୟ ପିଲାମାନେ ସେତେ ଦୂର ଯିବାକୁ ସାହସ କରନ୍ତି ନାହିଁ । ଗହନ ଜଙ୍ଗଲରେ ଏକାଟିଆ ଘାସ ଲଟା ଚରି ଶେର୍ ସିଂର ଗୋରୁଗୁଡ଼ିକ ଫୁଲି କରି ଥାଆନ୍ତି । ଜଙ୍ଗଲର ଏତେ ଭିତରକୁ ଯାଇ ସୁଦ୍ଧା ସେଥିରୁ କେହି କେବେ ବାଘ ହାବୁଡ଼ରେ ପଡ଼ିବା ଶୁଣା ନ ଥାଏ ।

 

ଆମ ଗାଁରୁ ଚାରିମାଇଲ ଦୂରରେ ଜଙ୍ଗଲ ଭିତରେ ସୁନ୍ଦର ଗୋଟିଏ ଉପତ୍ୟକା । ଉତ୍ତରରୁ ପ୍ରାୟ ପାଞ୍ଚ ମାଇଲ ଏହାର ବିସ୍ତୃତି । ଉତ୍ତର ପ୍ରଦେଶର ପାଞ୍ଚ ହଜାର ବର୍ଗମାଇଲ ଜଙ୍ଗଲରେ ଏପରି ସୁରମ୍ୟ ସ୍ଥାନ ଅନ୍ୟ କେଉଁଠାରେ ନାହିଁ । ପ୍ରାକୃତିକ ସୌନ୍ଦର୍ଯ୍ୟ, ଜୀବଜନ୍ତୁଙ୍କ ପ୍ରାଚୁର୍ଯ୍ୟ ଓ ଫଳପୁଷ୍ପର ସମ୍ଭାର ଦୃଷ୍ଟିରୁ ସ୍ଥାନଟି ପ୍ରକୃତରେ ଅତୁଳନୀୟ । ଉପତ୍ୟକାର ଉପର ମୁଣ୍ଡରେ ଗୋଟିଏ ବୁଢ଼ା ଜାମୁ ଗଛ । ଗଛ ମୂଳରେ ଗୋଟିଏ ପଥର ଖୋଲରେ ଅଜଗର ସାପଟିଏ ରହେ । ସେହି ଖୋଲରୁ ଝରଣାଟିଏ ପ୍ରବଳ ବେଗରେ ବାହାରି କ୍ରମେ ଆକାରରେ ବଢ଼ି ଉପତ୍ୟକା ତଳ ଆଡ଼କୁ ବହି ଚାଲେ । ନିର୍ମଳ ସ୍ୱଚ୍ଛ ଏହି ଜଳଧାରା ନାନା ରକମ ମାଛଙ୍କ ସମାବେଶରେ ସଜୀବ । ଝରଣା ଦୁଇ ପାଖ ଜଙ୍ଗଲରେ ସମୁଦାୟ ପାଞ୍ଚ ପ୍ରକାର ମାଛରଙ୍କା ଚଢ଼େଇ ଦେଖିବାକୁ ମିଳନ୍ତି । କୂଳରୁ ଅତଡ଼ା ଖସି ଜାଗା ଜାଗାଏ ଖାଲ ହୋଇ ଯାଇଥାଏ । ସ୍ଥିରଜଳ ଭରା ଏହି ଖାଲଗୁଡ଼ିକରେ ଗଜରୁଥିବା ଜାତିଏ କଅଁଳିଆ ଘାସ ସମ୍ବର ଓ କୂଟ୍‌ରାଙ୍କ ଅତି ପ୍ରିୟ ଖାଦ୍ୟ । ଫଳ, ଫୁଲ ଓ ସବୁଜ ଘାସପତ୍ର ଆକର୍ଷଣରେ ତୃଣଚର, ଫଳଭୋଜୀ ଓ ମଧୁପାୟୀ ନାନା ପଶୁପକ୍ଷୀ ଏହି ଜଙ୍ଗଲକୁ ଚାଲିଆସନ୍ତି । ସେମାନଙ୍କୁ ଅନୁସରଣ କରି ଆସୁଥିବା ମାଂସଭୋଜୀ ପଶୁପକ୍ଷୀମାନେ ଏଠାକାର ଜଟାଳିଆ ବେତ ବଣରେ ଛପି ରହିବାକୁ ଯଥେଷ୍ଟ ସୁବିଧା ପାଆନ୍ତି ।

 

ଏହି ଉପତ୍ୟକାରେ ବୁଲିବାକୁ ମୁଁ ଅତି ଭଲପାଏ । ଶୀତ ଦିନେ ଥରେ ସନ୍ଧ୍ୟା ବେଳେ ଏଠାରେ ଛିଡ଼ା ହୋଇ ଏହାର ଦୃଶ୍ୟ ସମ୍ଭାର ମୁଁ ଉପଭୋଗ କରୁଥାଏ । ହଠାତ ମନେ ହେଲା ଅଳ୍ପ ଦୂରରେ ବାଁ ପାଖ ଘାସ ବଣରେ କଅଣ ଯେପରି ହଲଚଲ ହେଉଛି । ଅନେକ ସମୟ ସେଆଡ଼େ ନିରେଖି ଦେଖିଲି ଯେ ପାହାଡ଼ର ତୀଖ ଗଡ଼ାଣିର ଗହଳିଆ ଘାସବଣରେ ଜନ୍ତୁଟିଏ ଚରୁଛି । ରଙ୍ଗ ତା’ର ସମ୍ବର ଠାରୁ ସଫା–ଆକାର କୁଟୁରା ଅପେକ୍ଷା ବଡ଼ । ଛପି ଛପି ସେଇଆଡ଼େ ଆଗେଇଲି । ଏତିକିବେଳେ ଅଳ୍ପ ଦୂରରୁ ବାଘଟାଏ ହେଣ୍ଟାଳିବାକୁ ଆରମ୍ଭ କଲା । ଜନ୍ତୁଟି ମୁଣ୍ଡ ଟେକି ସେଇଆଡ଼େ ଚାହିଁଲା । ଆଶ୍ଚର୍ଯ୍ୟ ହୋଇ ଦେଖିଲି ଯେ ଜନ୍ତୁଟି ମୋର ଅତି ପରିଚିତ ଲାଲୁ । ମୁଣ୍ଡ ଉଠାଇ ସେ ସ୍ଥିର ହୋଇ କିଛି ସମୟ ବାଘର ହେଣ୍ଟାଳ ଶୁଣିଲା । ବାଘ ତୁନି ହେବା ପରେ ସେ ସ୍ଵଚ୍ଛନ୍ଦରେ ପୁଣି ଥରେ ଚରିବାକୁ ଲାଗିଲା । ସେ ସବୁ ସଂରକ୍ଷିତ ଜଙ୍ଗଲରେ ଗୋରୁ ଚରିବା ମନା । ତାହା ଛଡ଼ା ସେଠାରେ ବାଘ ଭୟ ବି ଥାଏ । ଲାଲୁକୁ ନାଁ ଧରି ଡାକିଲି । କିଛି ସମୟ ଇତସ୍ତତଃ ହେବା ପରେ ସେ ମୋ ପଛେ ପଛେ ପାହାଡ଼ ଚଢ଼ିଲା । ଗାଁରେ ପହଞ୍ଚିଲାବେଳକୁ ଶେର୍ ସିଂ ଗୁହାଳରେ ଗୋରୁ ବାନ୍ଧୁଥାଏ । ଲାଲୁକୁ ନିଷିଦ୍ଧ ଜଙ୍ଗଲରୁ ଖୋଜି ପାଇଥିବା କଥା କହିଲି । ଶେର୍ ସିଂ କିନ୍ତୁ ସେଥିରେ ବିଶେଷ ଗୁରୁତ୍ୱ ଦେଲା ନାହିଁ । ହସି କରି କହିଲା, “ଲାଲୁ ପାଇଁ ଭୟ ନାହିଁ ସାହେବ । ଜଙ୍ଗଲ ବାବୁ ମୋ ସାଙ୍ଗ । ମୋ ଲାଲୁକୁ ସେ କେବେ କାଞ୍ଜିଆହୋଦାରେ ପକାଇବେ ନାହିଁ । ଆଉ ବାଘ ! ବାଘ ହାବୁଡ଼ରୁ ଲାଲୁ ନିଜକୁ ସହଜେ ରକ୍ଷା କରିପାରିବ ।”

 

କିଛି ଦିନ ପରେ ଜଙ୍ଗଲ ବିଭାଗର ମୁଖ୍ୟ ସ୍ମିଥିସ୍ ସାହେବ ଗସ୍ତ କ୍ରମରେ ସସ୍ତ୍ରୀକ ଆସି କାଲାଦୁଙ୍ଗୀରେ ପହଞ୍ଚିଲେ । ଡେରାର ସରଞ୍ଜାମ ସବୁ ଓଟ ପିଠିରେ ଲଦା ହୋଇ ପଛରେ ଆସୁଥାଏ । ଓଟଦଳ ଜଙ୍ଗଲରୁ ବାହାରି ବୋଆର୍ ପୋଲ ପାଖରେ ପହଞ୍ଚିବା ମାତ୍ରେ ବାଘ ତାଙ୍କ ଆଗରେ ରାସ୍ତା ଉପରେ ଗାଈଟାଏ ମାରିଦେଲା । ସଇସମାନେ ପାଟିତୁଣ୍ଡ କଲେ । ବାଘ ଗାଈକୁ ରାସ୍ତାରେ ପକାଇ ଦେଇ କୁଦା ମାରି ଜଙ୍ଗଲ ଭିତରକୁ ପଳାଇଲା । ସ୍ମିଥିସ୍ ଦମ୍ପତି ସକାଳୁ ଆମ ବାରଣ୍ଡାରେ ବସି କଫି ଖାଉଥାଆନ୍ତି । ସଇସଙ୍କ ଠାରୁ ଖବର ଶୁଣି ବାଘ ମାରିବା ପାଇଁ ଶ୍ରୀମତୀ ସ୍ମିଥିସ୍ ଆଗ୍ରହ ପ୍ରକାଶ କଲେ । ତାଙ୍କ ଗହଣରୁ ଲୋକ ଦୁଇଜଣ ନେଇ ମୁଁ ମଞ୍ଚା ବାନ୍ଧିବାକୁ ଗଲି । ପହଞ୍ଚି ଦେଖେ, ବାଘ ଇତି ମଧ୍ୟରେ ଫେରିଆସି ଗାଈକୁ ଜଙ୍ଗଲ ଭିତରକୁ ପ୍ରାୟ କୋଡ଼ିଏ ଗଜ ଘୋଷାରି ନେଇଛି । ସେଠାରେ ମଞ୍ଚା ବନ୍ଧା ହେବା ପରେ ଶ୍ରୀମତୀ ସ୍ମିଥିସ୍‌ଙ୍କୁ ଡକାଇଲି । ଜଣେ ଜଙ୍ଗଲରକ୍ଷୀ ସହିତ ତାଙ୍କୁ ମଞ୍ଚାରେ ବସାଇ ନିଜେ ରାସ୍ତା କଡ଼ ଗୋଟିଏ ଗଛରେ ଚଢ଼ିଲି । ବାଘର ଫଟୋ ଉଠାଇବାକୁ ମୋର ବିଶେଷ ଇଚ୍ଛା ଥାଏ ।

 

ଦିନ ଚାରିଟା ବାଜି ଥାଏ । ଅଧଘଣ୍ଟା ପରେ ଦୂରରୁ କୁଟୁରାଟିଏ ଭୁକିବାକୁ ଆରମ୍ଭ କଲା-। ବାଘ ସେଇଆଡ଼େ ଛପିଥିବ ବୋଲି ଆମେ ଆଗରୁ ଅନୁମାନ କରିଥିଲୁ । କୁଟୁରାଟି ଆମକୁ ଆହୁରି ସତର୍କ କରିଦେଲା । ଠିକ୍ ଏତିକିବେଳେ ରାସ୍ତାରେ ଲାଲୁ ଆସୁଥିବା ଦେଖାଗଲା । ରକ୍ତ ମଳାଏ ସେ ପର୍ଯ୍ୟନ୍ତ ରାସ୍ତା ଉପରେ ଜମାଟବାନ୍ଧି ରହିଥାଏ । ଲାଲୁ ଅତି ସାବଧାନରେ ତାହା ଶୁଙ୍ଘିବା ପରେ ରାସ୍ତା ଛାଡ଼ି ଜଙ୍ଗଲ ଭିତରକୁ ମୁହାଁଇଲା । ମୁଣ୍ଡ ଟେକି ନାକ ଫୁଲାଇ ଗନ୍ଧ ବାରି ସେ ଆଗୋଉଥାଏ । ମଲା ଗାଈଟିକୁ ଦେଖି ସେ ରାଗରେ ଅସମ୍ଭାଳ ! ମଢ଼ ଚାରିପଟେ ବୁଲି ନାକସିଟିକା ମାରି ଖୁରାରେ ଭୂଇଁ ଖୋଳି ପକାଉଥାଏ । ଅଗତ୍ୟା ଗଛ ଡାଳରେ କ୍ୟାମେରା ଝୁଲାଇ ରଖି ମୁଁ ତଳକୁ ଓହ୍ଲାଇଲି । ଲାଲୁ ସେଠାରୁ ହଟିବାକୁ ନାରାଜ । ତା’ର ଅନିଚ୍ଛା ସତ୍ତ୍ୱେ ତା’କୁ ଅଡ଼ାଇ ନେଇ ଗାଁ ମୁଣ୍ଡରେ ପହଞ୍ଚାଇ ଦେଇ ଆସିଲି । ଗଛ ଉପରକୁ ଚଢ଼ିଛି କି ନାହିଁ, ଲାଲୁ ମୋ ପଛେ ପଛେ ଫେରିଆସି ପୁଣି ଥରେ ରଣହୁଙ୍କାର ଦେବାକୁ ଆରମ୍ଭ କଲା । ତା’କୁ ଘଉଡ଼ି ଦେବା ପାଇଁ ଶ୍ରୀମତୀ ସ୍ମିଥିସ୍ ମଞ୍ଚାରୁ ଜଙ୍ଗଲରକ୍ଷୀକୁ ପଠାଇଲେ । ମୋ ଗଛ ପାଖ ଦେଇ ଗଲାବେଳେ ଲାଲୁକୁ ବୋଆର୍‍ ପୋଲ ପାରି କରାଇ ଦେବାକୁ ଲୋକଟିକୁ କହିଲି । ବାଘ ଆସିବା ସମୟ ହୋଇଯାଇଥାଏ । ଏଠାକୁ ଆଉ ନ ଫେରି ଶ୍ରୀମତୀ ସ୍ମିଥିସଙ୍କ ହାତୀ ପାଖରେ ରହିଯିବାକୁ ତା’କୁ ନିର୍ଦ୍ଦେଶ ଦେଲି । କିଛି ସମୟ ହେଲା କୁଟୁରାର ଭୁକା ବନ୍ଦ ହୋଇଥାଏ ଓ ବାଘ ସ୍ଥାନ ପରିବର୍ତ୍ତନ କରୁଛି ବୋଲି ଜଣା ପଡ଼ୁଥାଏ । ହଠାତ୍ ମଞ୍ଚାର କେତେ ଗଜ ପଛରୁ ପଲେ ବଣ କୁକୁଡ଼ା ରାବିବାକୁ ଆରମ୍ଭ କରିଦେଲେ । ମୁଁ କ୍ୟାମେରା ସଜାଡ଼ି ଧରିଲି । ଶ୍ରୀମତୀ ସ୍ମିଥିସ ରାଇଫଲ୍ ଉଠାଇ ପ୍ରସ୍ତୁତ ହୋଇଗଲେ । ଠିକ୍ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଲାଲୁ ତୃତୀୟ ଥର ଆସି ସେଠାରେ ହାଜର ହୋଇଗଲା । (ପରେ ଜାଣିଲୁ ଯେ ଏଥର ସେ ପୋଲବାଟେ ନ ଫେରି ନଈ ବନ୍ଧରେ କିଛି ବାଟ ତଳକୁ ଯାଇ ନଈ ପାରି ହୋଇ ଜଙ୍ଗଲ ତଳଆଡ଼ୁ ବୁଲି ଆସି ସେଠାରେ ପହଞ୍ଚିଥିଲା ।) ପହଞ୍ଚିବା ମାତ୍ରେ ବାଘର ଗନ୍ଧ ବାରି ପାରି ସେ ଶିଙ୍ଘ ନୁଆଁଇ ହମ୍ବାରଡ଼ି ଦେଇ ଛୁଟିଲା ସେଇ ଆଡ଼େ-। ଗାଈ ପାଖକୁ ପଛାଇ ଆସି ସେ ପୁଣି ଥରେ ଖେଦିଯାଏ । ବାଘକୁ ଆକ୍ରମଣ କରିବାକୁ ଏପରି ସେ ସମୁଦାୟ ତିନିଥର ପ୍ରୟାସ କଲା ।

 

ମଇଁଷି ପଲ ବାଘକୁ ତା’ ଶିକାର ପାଖରୁ ଘଉଡ଼ାଇ ଦେବା (୧) ଓ ଗୋରୁଗୋଠର ଆକ୍ରମଣରେ ଚିତାବାଘ ଶିକାର ଛାଡ଼ି ପଳାଇବା ମୁଁ ଆଖିରେ ଦେଖିଛି । ମୋ ଦେଖିବାରେ ଗୋଟିଏ ହିମାଳୈୟ ଭାଲୁ ଥରେ ବାଘ ସହିତ ଲଢ଼ି ତା’ ମୁହଁରୁ ଶିକାର ଛଡ଼ାଇ ନେଇଥିଲା (୨) ।

 

(୧)

ଲେଖକଙ୍କ ‘‘କୁମାୟୁଁର ନରଖାଦକ’’ ବହିରେ ଏ ବିଷୟଟି ଅଛି ।

 

 

(୨)

‘‘ମନ୍ଦିରର ବାଘ ଓ କୁମାୟୁଁର ଅନ୍ୟ ନରଖାଦକ’’ ବହିରେ ଲେଖକ ଘଟଣାଟି ବର୍ଣ୍ଣନା କରିଛନ୍ତି ।

 

 

 

–ଅନୁବାଦକ

 

ଏହାଛଡ଼ା ଅନ୍ୟ କୌଣସି ଜନ୍ତୁ–ବିଶେଷ କରି ଲାଲୁପରି ଛୋଟ ଷଣ୍ଢଟିଏ–ବାଘ ସହିତ ଏକାକୀ ଲଢ଼ିବାକୁ ସାହସ କରିବା ଏଥି ପୂର୍ବରୁ ମୁଁ କେବେ ଦେଖି ନ ଥିଲି ।

 

ଯେତେ ସାହସୀ ହେଲେ ମଧ୍ୟ ଷଣ୍ଢ ବାଘର ସମକକ୍ଷ ହେବ କିପରି ? ଲାଲୁର ଔଦ୍ଧତ୍ୟରେ ବାଘ ରାଗି ଉଠି ହମ୍ବା ରଡ଼ିର ଜବାବ ଦେଇ ଘାଉଁଘାଉଁ ହେଉଥାଏ । ଲାଲୁର କିଛି ଅନିଷ୍ଟ ହେଲେ ଗୋଟିଏ ଛୋଟ ପିଲାର ମନ ଯେ ପୂରା ଭାଙ୍ଗିଯିବ–ଏ କଥା କେବଳ ମୋତେ ହିଁ ଜଣାଯାଏ । ଲାଲୁକୁ ସାହାଯ୍ୟ କରିବାକୁ ଓହ୍ଲାଇ ବି ବିଚାରୁଛି, ଏତିକିବେଳେ ଶ୍ରୀମତୀ ସ୍ମିଥିସ୍ ସ୍ଵଭାବସିଦ୍ଧ ଉଦାରତା ଦେଖାଇ ବନ୍ଧୁକ ନୁଆଁଇ ଦେଲେ ଓ ବାଘ ମାରିବାର ଏହି ସୁବର୍ଣ୍ଣ ସୁଯୋଗଟି ଜାଣିଶୁଣି ଛାଡ଼ିଦେଲେ । ହାତୀ ନେଇ ଆସିବାକୁ ମୁଁ ମାହୁନ୍ତକୁ ଡାକଦେଲି । ପାଟି ଶୁଣି ବାଘ ତରକି ପଳାଇଲା । ଲାଲୁ ଶାନ୍ତଶିଷ୍ଟ ପିଲାଟି ପରି ମୋ ପଛେ ପଛେ ଗାଁକୁ ଫେରିଲା । ତା’କୁ ଖଟାଇବା ପାଇଁ ଶେର୍ ସିଂ ଅପେକ୍ଷା କରିଥାଏ । ଲାଲୁର ଆହ୍ଵାନ ବାଘ ଗ୍ରହଣ କରି ନ ଥିବାରୁ ଶେର୍ ସିଂ ଅପେକ୍ଷା କରିଥାଏ । ଲାଲୁର ଆହ୍ୱାନ ବାଘ ଗ୍ରହଣ କରି ନ ଥିବାରୁ ଶେର୍ ସିଂ ଯେତିକି ଆଶ୍ୱସ୍ତି ହେଲା, ମୁଁ ମଧ୍ୟ ସେତିକି ନିଶ୍ଚିନ୍ତ ହେଲି ।

 

ସେହି ରାତି ଓ ପରଦିନ ସନ୍ଧ୍ୟାରେ ବାଘ ଫେରିଆସି ମଢ଼କୁ ଖାଇଥିଲା । ଶ୍ରୀମତୀ ସ୍ମିଥିସ୍ ତା’କୁ ମାରିବାକୁ ଆଉ ଥରେ ଚେଷ୍ଟା କରି ବିଫଳ ହେଲେ । ମୁଁ କିନ୍ତୁ ତା’ର ଚଳଚ୍ଚିତ୍ରଟିଏ ଉଠାଇ ନେଇ ପାରିଲି । ଏଥିରେ ବାଘ ବନ୍ଧରୁ ଓହ୍ଲାଇ ପାଣି ପିଉଥିବା ଦେଖିଯାଏ । ପାଠକଙ୍କ ମଧ୍ୟରୁ କେତେଜଣ ଏହି ଚଳଚ୍ଚିତ୍ରଟି ଦେଖିଥିବେ ।

 

ଜଙ୍ଗଲ ଥିଲା ଶେର୍ ସିଂର ଏକ ମାତ୍ର କ୍ରୀଡ଼ାଭୂମି । ଜଙ୍ଗଲରେ ଘୁରି ବୁଲିବାରେ ତା’ର ଆନନ୍ଦ ଓ ଆଗ୍ରହ ଦେଖି ମୋର ନିଜ ପିଲାଦିନ କଥା ମନେ ପଡ଼େ । ସେଇ ବୟସରେ ମୁଁ ତା’ରି ପରି ଅଧିକାଂଶ ସମୟ ବଣ ଜଙ୍ଗଲରେ ଖେଳି ବୁଲି କଟାଉଥିଲି । ଜଙ୍ଗଲର କୌଣସି ଘଟଣା ଶେର୍ ସିଂର ତୀକ୍ଷ୍‌ଣ ଦୃଷ୍ଟି ଏଡ଼ାଇ ପାରେ ନାହିଁ । ନାଁ ତା’ର ଶେର୍ ସିଂ–ପ୍ରକୃତରେ ବାଘ ପରି ତା’ର ସାହସ । ବୁଦ୍ଧି ତା’ର କମ୍ ପ୍ରଖର ନୁହେଁ । ଏତେ କମ୍ ବୟସରେ ଜଙ୍ଗଲ ସମ୍ବନ୍ଧରେ ତା’ର ଜ୍ଞାନ ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ହୁଏ ।

 

ବୋଆର୍‍ ପୋଲ ଆର ପାଖ ତିନିଛକିରେ କୋଟା ଓ ରାମନଗର ରାସ୍ତା ଦୁଇଟି ମୋରାଦାବାଦ୍ ପୁରୁଣା ସଡ଼କ ସହିତ ମିଶେ । ସନ୍ଧ୍ୟାବେଳେ ଏହି ରାସ୍ତାରୁ ଗୋଟିକରେ ଆମେ ବୁଲିବାକୁ ଭଲପାଉ । ଗାଈ ଲେଉଟାଣି ବେଳକୁ ଶେର୍ ସିଂ ସେହି ଛକ ବାଟେ ଗାଁକୁ ଫେରେ । ଗଳା ଛାଡ଼ି ଗୀତ ଗାଇ ଗାଇ ସେ ଫେରୁଥାଏ । ନିଜେ ସେ ନଜର ଉପରକୁ ଆସିବାର ବହୁ ପୂର୍ବରୁ ତା’ ସରୁ ସ୍ୱରଟି ଦୂରରୁ ଶୁଣାଯାଏ । ଆମକୁ ଦେଖି ଶେର୍ ସିଂ ହସି କରି ସଲାମ କରେ । ତା’ପରେ ସାରାଦିନର ବିଶେଷ ଖବରଗୁଡ଼ିକ ସେ ଏକ ନିଶ୍ଵାସରେ କହି ବସେ । କହେ, “ସେ ବଡ଼ ବାଘଟା ଆଜି କୋଟାରୁ ନୟାଗାଓଁ ଆଡ଼େ ଯାଇଛି । ରାସ୍ତାରେ ତା’ ପାହୁଲ ଦାଗ ପଡ଼ିଛି । ଆଜି ଖରାବେଳେ ଧୁନିଗଡ଼ ବେତ ବଣ ତଳ ମୁଣ୍ଡରେ ସେ ଗରଜୁ ଥିଲା । ସାର୍ୟାପାନି ପାଖରେ ଆଜି ଶିଙ୍ଗବାଡ଼ିଆ ଶୁଣି ଗଛରେ ଚଢ଼ି ଦେଖିଲି ଯେ ହରିଣ ଦି’ଟା ଲଢ଼େଇ ଲାଗିଛନ୍ତି । ସେଥିରୁ ଗୋଟାଏ ଭାରି ମୋଟା ହୋଇଛି; ତା’ର ଶିଙ୍ଗ ଦି’ଟା ବି ଖୁବ୍ ବଡ଼ । କେବେଠୁଁ ଆମେ ହରିଣ ମାଂସ ଖାଇନୁ ସାହେବ ! ସେଟାକୁ ମାରିଲେ ହୁଅନ୍ତା ନାହିଁ ?” ବଡ଼ ବଡ଼ ପତ୍ରରେ ଗୁଡ଼ାଇ ଲଇ ପଟୁକାରେ ବାନ୍ଧି ଗୋଟିଏ ପୁଡ଼ିଆ ସେ ମୁଣ୍ଡାଇ ଥାଏ । ପଚାରେ, “କ’ଣ ମୁଣ୍ଡାଇଛି କହିଲେ ? ଏଇଟା ଘୁଷୁରି ଫଡ଼ିଆଟାଏ । ଗଛରେ ଶାଗୁଣା ଜମିବା ଦେଖି ଆଖ ପାଖ ଲଟାବୁଦାରେ ତଲାସ କଲି । ଚିତାବାଘ କାଲି ରାତିରେ ଘୁଷୁରି ମାରି ବୁଦାତଳେ ଲୁଚାଇ ଦେଇ ଯାଇଥିଲା । ସେ ଅଳ୍ପ ଖାଇଥିଲା । ମୁଁ ଫଡ଼ିଆଟାଏ କାଟି ଆଣିଲି । ଚିତାବାଘଟାକୁ ମାରିବେ ? ଚାଲନ୍ତୁ ଆପଣଙ୍କୁ ବୁଦାଟା ଦେଖାଇ ଦେବି ।” ପତ୍ର କେତୋଟି କଣ୍ଟାରେ ସିଇଁ ଖଲିପତ୍ର କରି ସେଥିରେ ସେ ମହୁ ଫେଣାଟିଏ ଗୁଡ଼ାଇ ଧରିଥାଏ । କହେ, “ଗୋଟାଏ ହାଲ୍‍ଦୁ ଗଛ କୋରଡ଼ରେ ମହୁ ଫେଣାଟାଏ ପାଇଲି । ଖଣ୍ଡେ କାଟି ଆଣିଛି ଆପଣଙ୍କ ପାଇଁ । ହେଲେ, ଏଟାକୁ ନେବେ କେମିତି ? ୟାକୁ ଧରିଥିବେ–କୁଟୁରା କି ହରିଣଟାଏ ହାବୁଡ଼ି ପଡ଼ିଗଲେ ତା’କୁ ମାରିବେ କିମିତି ? ଏଇଟା ଥାଉ । ମୁଁ କାମ ସାରି ନିଜେ ଆପଣଙ୍କ ଘରେ ପହଞ୍ଚାଇ ଦେବି ।” ତା’ର ଛୋଟ ଟାଙ୍ଗିଆଟିରେ ହାଲ୍‌ଦୁ ଗଛ କୋରଡ଼ରୁ ମହୁ ଫେଣା କାଟିବାକୁ ଅନ୍ତତଃ ପକ୍ଷେ ଦୁଇ ଘଣ୍ଟାରୁ ବେଶି ଲାଗିଥିବ । ମୁହଁ ହାତରେ ମହୁମାଛି ବିନ୍ଧିଥାନ୍ତି । ଗୋଟାଏ ଆଖି ଫୁଲି ବନ୍ଦ ହୋଇ ଯାଇଥାଏ । ସେଥିପାଇଁ ତା’ର ଲୟ ନ ଥାଏ; ସେ କଥା କହିବାକୁ ବି ତା’ର ମନେପଡ଼େନା । ସେ ଅପ୍ରସ୍ତୁତ ହୋଇଯିବ ଜାଣି ସେ କଥା ମୁଁ ମଧ୍ୟ ଉଠାଏ ନାହିଁ ।

 

ସେଦିନ ରାତିରେ ମହୁ ଫେଣା ନେଇ ଶେର୍ ସିଂ ଆମ ଘରକୁ ଆସିଥିଲା । ଆମେ ଖାଇ ବସି ଥାଉ । ପାଦ ଚିପି ଚିପି ସେ ଖାଇବା ଘରେ ପଶିଲା । ହାତରେ ତା’ର ପିତ୍ତଳ ଥାଳିଟିଏ ଘଷା ମଜା ହୋଇ ସୁନା ପରି ଚକ୍ ଚକ୍ କରୁଥାଏ । ଥାଳି ସହିତ ମହୁଫେଣାଟି ଖାଇବା ଟେବୁଲରେ ରଖି ଡାହାଣ ହାତ କହୁଣୀକୁ ସେ ବାଁ ହାତରେ ଛୁଁଇଲା । ପାର୍ବତ୍ୟ ଅଞ୍ଚଳର ଏହି ସମ୍ମାନସୂଚକ ଇଙ୍ଗିତଟି ଆଜିକାଲି ଲୋପ ପାଇବାକୁ ବସିଲାଣି ।

 

ଶେର୍ ସିଂକୁ ଆମ ଘରେ ଭାରି ସଙ୍କୋଚ ଲାଗେ । ତା’ର ସ୍ଵାଭାବିକ ପ୍ରଗଲ୍‌ଭତା ହଠାତ୍ ଯେପରି କୁଆଡ଼େ ଉଭେଇ ଯାଏ । ଜଗି ରହି କଥା କହୁ କହୁ ପାଟି ଖନି ବାଜିଯାଏ–ସତେ ଯେମିତି ଜିଭରେ ଲେଉଟୁ ନ ଥିବା କଥାଗୁଡ଼ିକୁ ସେ ଗିଳି ଦେଉଛି । ସେଦିନ ଟେବୁଲ ଉପରେ ଥାଳିଟି ରଖିଦେଇ ସେ ଯିବାକୁ ବାହାରିଲା । ପରଦିନ ସକାଳୁ କୁନ୍ତୀ ଆସି ଥାଳି ନେଇଯିବ । କବାଟ ପାଖରେ ଅଟକି ଛିଡ଼ା ହୋଇ ମୁହଁ ପୋତି ଗୋଡ଼ରେ କାର୍ପେଟରେ ଗାର ଟାଣୁ ଟାଣୁ ସେ କହିଲା, “ଗୋଟାଏ ଜାଗାରେ ଗୁଡ଼ାଏ ଚଢ଼େଇ ଅଛନ୍ତି । କାଲି ଚଢ଼େଇ ମାରିବାକୁ ଯିବେ ? ତା’ ହେଲେ ଗୋରୁଙ୍କୁ କୁନ୍ତୀ କିମା ଦେଇ ମୁଁ ଆପଣଙ୍କ ସାଙ୍ଗରେ ଯିବି ।”

 

ଚଢ଼େଇ ଶିକାରରେ ଶେର୍ ସିଂର ନିଜ ରୂପ ପ୍ରକାଶ ପାଏ । ତା’ପରି ଗାଁର ସବୁ ପିଲା ଶିକାରକୁ ଯିବାକୁ ଗୋଡ଼ ଟେକି ରହିଥାଆନ୍ତି । ସେମାନଙ୍କ ପରି ମୋର ମଧ୍ୟ ସେଥିରେ ମହା ଆନନ୍ଦ । ଦିନଯାକର ଆମୋଦ ଉତ୍ତେଜନା ପରେ ଚଢ଼େଇଟିଏ ନେଇ ଘରକୁ ଫେରିବା ଆଶା ସମସ୍ତଙ୍କର ଥାଏ । ଖରାବେଳ ଖିଆପିଆ ପାଇଁ ମୁଁ ବନ୍ଦୋବସ୍ତ କରିଥାଏ । ମୋର ଲୋକ ଜଣେ ସମସ୍ତଙ୍କ ପାଇଁ ମିଠାଇ ଓ ଭଜା ବୁଟ ନେଇ ଜଙ୍ଗଲର ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚେ । ଶିକାର ଭିତରେ ଏଇ ସାମାନ୍ୟ ବଣଭୋଜିର ଆୟୋଜନ ପିଲାଙ୍କୁ ଆହୁରି ଖୁସି କରି ଦିଏ ।

 

ଶିକାର ଆରମ୍ଭ ହୁଏ । ସୁବିଧା ଜାଗାଟିଏ ଦେଖି ମୁଁ ଜଗି ବସେ । ଚକଡ଼ାଏ ଜଙ୍ଗଲ ଆର ପାଖରୁ ଶେର୍ ସିଂ ଓ ତା’ର ବନ୍ଧୁମାନେ ଧାଡ଼ି ବାନ୍ଧି ଚଢ଼େଇ ଘଉଡ଼ାଇ ଆଣନ୍ତି । ପାଟିଗୋଳ ଭିତରେ ଶେର୍ ସିଂର ସ୍ୱର ସବୁଠାରୁ ବେଶି ଶୁଣାଯାଏ । ଗହଳିଆ ବଣବୁଦା ଭିତରକୁ ବିନା ଶୋଚନାରେ ସେ ଆଗଭର ହୋଇ ପଶିଯାଏ । ଚଢ଼େଇଟିଏ ବାହାରିବା ମାତ୍ରେ ସେ ବଡ଼ ପାଟିରେ ଡାକ ଦିଏ, “ଗଲା, ସାହେବ, ଗଲା !” । ବେଳେ ବେଳେ ବୁଦା ଉହାଡ଼ରୁ ସମ୍ବର ବା ହରିଣଟାଏ ସଶଦ୍ଦେ ଖେପା ମାରି ଉଠେ । ପିଲାଏ ଭୟରେ ଛିନ୍ନଛତ୍ର ହୋଇ ଯାଆନ୍ତି । ଶେର୍ ସିଂ ସେମାନଙ୍କୁ ସାହସ ଦେଇ ପଳାଇ ନା ଯିବାକୁ ଡାକ ପକାଉ ଥାଏ । ଦଶ ବାର ଚକଡ଼ା ବଣ ବାଡ଼ିଆ ହେବା ପରେ ଶିକାର ସରେ । ସେତେବେଳକୁ ମୟୂର ଓ ବଣ କୁକୁଡ଼ା ମିଶି ଦଶ ବାରଟି, ଦୁଇ ତିନୋଟି ଠେକୁଆ ଓ କେବେ କେମିତି ବାର୍‍ହା ବା ଝିଙ୍କିଟିଏ ମରାହୋଇ ଥାଆନ୍ତି । ସେତକ ଶିକାରୀ ଓ ସାହାଯ୍ୟକାରୀଙ୍କ ଭିତରେ ବାଣ୍ଟ ହେବା କଥା । ଶିକାର ଅଳ୍ପ ହୋଇଥିଲେ କେବଳ ସାହାଯ୍ୟକାରୀ ମଧ୍ୟରେ ତାହା ବଣ୍ଟା ହୁଏ । ଦିନ ଶେଷରେ ମୟୂରଟିଏ କାନ୍ଧରେ ପକାଇ ଶେର୍ ସିଂ ବୀରଦର୍ପରେ ସମସ୍ତଙ୍କ ଆଗେ ଆଗେ ଚାଲେ । ଗର୍ବରେ ତା’ ଗୋଡ଼ ତଳେ ପଡ଼ୁ ନ ଥାଏ ।

 

ସମୟ ବସି ନାହିଁ । ପିନ୍ଵାର ବାହାଘର ହୋଇଗଲାଣି । ଛଅମାଣ ଜମିରେ ଦୁଇ ଭାଇଙ୍କ ଗୁଜୁରାଣ ଚଳିବ ନାହିଁ । ଶେର୍ ସିଂକୁ ରୋଜଗାର କରିବାକୁ ହେବ । ତା’ର, ଏଇ ପ୍ରିୟ ଗାଁ ଓ ଅତି ପ୍ରିୟ ଏଇ ଜଙ୍ଗଲ ଛାଡ଼ି ତା’କୁ ଚାଲିଯିବାକୁ ହେବ ଦୂରକୁ । ଅନେକ ଚିନ୍ତା କରି ଗାଁରେ ତା’କୁ ରଖିବା ପାଇଁ ଗୋଟିଏ ଉପାୟ ସ୍ଥିର କଲି । କାଠଗୋଦାମରେ ମୋର ଜଣେ ବନ୍ଧୁଙ୍କର ମୋଟର ମରାମତି କାରଖାନା ଥାଏ । ନୈନିତାଲ ସଡ଼କରେ ତାଙ୍କର ଗୁଡ଼ିଏ ମୋଟର ଗାଡ଼ି ଚଳାଚଳ ହେଉଥାଏ । ମୋଟର କାମ ଶିଖିବା ପାଇଁ ଶେର୍ ସିଂକୁ ତାଙ୍କ ପାଖରେ ରଖାଇ ଦେବାକୁ ଠିକ୍ କଲି । ଇଚ୍ଛା ଥିଲା, ତାଲିମ ପାଇବା ପରେ ସେ ମୋ ପାଖରେ ରହିବ ଓ ମୋ ମଟର ଚଳାଇବ । ଶୀତ ଦିନେ ମୋ ସଙ୍ଗେ ସେ ଶୀକାରକୁ ଯିବ ଆଉ ଖରାଦିନେ ଆମେ ନୈନିତାଲ ଗଲେ କାଲାଦୁଙ୍ଗୀ ଘର ଓ ବଗିଚା ଦେଖାଚାହାଁ କରିବ । ଗାଁ ଛାଡ଼ି ଅନ୍ୟ ଆଡ଼େ ଯିବା ତା’ର ଦରକାର ହେବ ନାହିଁ । ଯେଉଁ ଘରେ ସେ ଜନ୍ମ ହୋଇ ବଡ଼ ହୋଇଛି, ସେଠାରୁ ଡାକେ ବାଟରୁ ବେଶି ଦୂରକୁ ତା’କୁ ଯିବାକୁ ପଡ଼ିବ ନାହିଁ । ଯେଉଁ ଦିନ ଶେର୍ ସିଂକୁ ଏକଥା ଫିଟାଇ କହିଲି, ଆନନ୍ଦରେ ତା’ ମୁଁହରୁ କଥା ବାହାରି ନଥିଲା ।

 

ନଭେମ୍ବର ମାସରେ ଆମେ କାଲାଦୁଙ୍ଗୀ ଫେରିବା ପରେ ଶେର୍ ସିଂ କାଠଗୋଦାମ ଯିବା କଥା । ଅକ୍ଟୋବର ମାସରେ ତା’କୁ ମାଲିଗ୍‌ନାଣ୍ଟ ମାଲେରିଆ ହୋଇ ସନ୍ନିପାତ ଧରିଗଲା । ଆମେ କାଲାଦୁଙ୍ଗୀରେ ପହଁଞ୍ଚିବାର କିଛି ଦିନ ପୂର୍ବରୁ ତା’ର କାଳ ହୋଇଗଲା ।

 

ଜୀବନରେ ଆମେ କେତେ ଆକାଙ୍‍କ୍ଷା ରଖୁ, କେତେ କଳ୍ପନା କରିଥାଉ । ସେଥିରୁ କେତୋଟି ବିଫଳ ହୋଇଗଲେ ଯେତେ ଦୁଃଖ ବା ଅନୁଶୋଚନା ହୁଏ, ବିଚାର କରି ଦେଖିଲେ ସେଥିରେ ବିଶେଷ କାରଣ ଥିଲା ପରି ମନେହୁଏ ନାହିଁ । ପାହାଡ଼ ଜଙ୍ଗଲ ଭିତରେ ହସିଖେଳି ଗୀତଗାଇ ଶେର୍ ସିଂର ପିଲାଦିନଟି ଆନନ୍ଦରେ କଟି ଯାଇଥିଲା । ଆଜିର ଏଇ ପରିବର୍ତ୍ତନଶୀଳ ଦୁନିଆଁରେ ସେ ବଞ୍ଚିଥିଲେ କେତେକାଳ ସେହିପରି ଆନନ୍ଦରେ, ସେମିତି ନିଶ୍ଚିନ୍ତରେ ଜୀବନ କାଟି ପାରି ଥାଆନ୍ତା–ତା’ କିଏ ବା କହିପାରିବ ?

 

ଦ୍ଵିତୀୟ ମହାଯୁଦ୍ଧରେ ମୋ ସ୍ଵାସ୍ଥ୍ୟ କିଛିଟା ଖରାପ ହୋଇଯାଇଥାଏ । ସ୍ଥାନ ପରିବର୍ତ୍ତନ ଆବଶ୍ୟକ ଜାଣି ଆମ ପ୍ରଜାମାନଙ୍କୁ ଡକାଇ ପଠାଇଲି । ଏଥି ପୂର୍ବରୁ ଦୁଇ ଥର ସେମାନଙ୍କୁ ଡକାଇ ଯାହା ସବୁ କହିଥିଲି, ସେଇ ପ୍ରସ୍ତାବ ପୁଣି ଥରେ ଉଠାଇବାକୁ ମୋର ଇଚ୍ଛା ଥାଏ । ମୁଁ ଚାହୁଁଥିଲି ଯେ ସେମାନେ ଚାଷବାସ କରୁଥିବା ମୋ ଜମିଗୁଡ଼ିକ ଏଣିକି ନିଜେ ଦଖଲ ନିଅନ୍ତୁ ଓ ଗାଁ ଚଳାଇବା ଦାୟିତ୍ୱ ଏଥର ତାଙ୍କ ହାତକୁ ଯାଉ । ପ୍ରଜାଙ୍କ ତରଫରୁ ପୁନ୍ଵା ମା’ କଥାବାର୍ତ୍ତା କରୁଥାଏ । ସ୍ପଷ୍ଟ ଭାବେ କଥା କହିବାରେ ତା’ପରି ଆଉ କେହି ସେଠାରେ ନ ଥାଆନ୍ତି । ମୋର ବକ୍ତବ୍ୟ ସବୁ ଶେଷ ହେବା ପରେ ସେ ଛିଡ଼ା ହୋଇ କହିଲା, “ଆମକୁ ଡକାଇ ମିଛରେ ସବୁ କାମଦାମ ନଷ୍ଟ କଲେ । ଜମିତଳ ଆମକୁ ଦେଇ ଆପଣ ଆମ ଦାୟିତ୍ୱରୁ ଖଲାସ ପାଇବେ । କିନ୍ତୁ ଜମି ଦଖଲ ନେଲେ ଆମେ ତ ଆଉ ଆପଣଙ୍କ ଲୋକ ହୋଇ ରହିବୁ ନାହିଁ ! ଆପଣଙ୍କୁ ଆମେ ଛାଡ଼ିବାକୁ ରାଜି ନୋହୁଁ–ଏ କଥା ତ ଆଗରୁ ବୁଝାଇ କହିଛୁ । ଏବେ ମୁଁ କେବଳ ଗୋଟିଏ କଥା ପଚାରୁଛି । ‘ସଇତାନ’ ସେଦିନ ପାଚେରୀ ଡେଇଁ ମୋ ଆଳୁ କିଆରୀ ଉଜାଡ଼ି ଦେଲା । ତା’ ପୁଅ ଏବେ ଗାଁରେ ପଶି ଉତ୍ପାତ କରୁଛି । ପୁନ୍ଵା କି ଗାଁର ଆଉ କେହି ତ ତା’କୁ ମାରି ପାରିବେ ନାହିଁ । ମୁଁ କେତେ ରାତି ଉଜାଗର ରହି ଟିଣ ବାଡ଼ୋଉଥିବି ?”

 

ସଇତାନ ସେତେବେଳକୁ ମଲାଣି । ତା’କୁ ମାରିବା ପାଇଁ ଅନେକ ଚେଷ୍ଟା କରାଗଲା । ଅନେକ ଥର ସେ ଛୁର୍‌ରା ମାଡ଼ ଖାଇଲା । କେଉଁଥିରେ ନ ମରି ସେ ସେହିପରି ଉତ୍ପାତ କରି ଚାଲିଥାଏ । ଯୋଗକୁ ଦିନେ ରାତିରେ ତା’କୁ ବାଘ ମାଡ଼ି ବସିଲା । ରାତିସାରା ବାଘ ସହିତ ଲଢ଼ି ସକାଳ ଆଡ଼କୁ ସେ ମଲା । ସେ ମାରିଛି କି ନାହିଁ, ତା’ର ଏଇ ଯୋଗ୍ୟପୁତ୍ରଟି ନିଜ ଆଡ଼ୁ ଗାଁ ଉପରେ ଦୌରାତ୍ମ୍ୟ ଆରମ୍ଭ କରିଦେଲା ।

 

ମ୍ୟାଗି ଓ ମୁଁ ଦିନେ ପାହାଡ଼ ତଳେ ବୁଲୁଥାଉ । ବଣପୋଡ଼ିରେ ପାହାଡ଼ କଡ଼ରୁ ପଟାଏ ଜଙ୍ଗଲ ପଦା ହୋଇଯାଇ ଥାଏ । ସେଇ ବାଟେ ଦୁହେଁ ଚାଲିଥାଉଁ । ପଛରେ ଥାଏ ଆମ କୁକୁର ଡେଭିଡ଼୍‌ । ସୂର୍ଯ୍ୟ ଅସ୍ତ ଗଲେଣି । ଏତିକିବେଳେ ଦେଖିଲି ଯେ ଆମ ଠାରୁ ପ୍ରାୟ ତିନିଶହ ଗଜ ଆଗକୁ ‘ସଇତାନ’ ର ପୁଅ ପଦା ଜାଗାଟି ପାରି ହୋଇ ଗାଁ ଆଡ଼େ ଧାଇଁଛି । ସେ ଅନେକ ଦୂରରେ ଥିଲେ ମଧ୍ୟ ଏ ସୁଯୋଗ ଛାଡ଼ିବାର ନୁହେଁ । ତା’ ଯିବା ବାଟରେ ଗହିରିଆ ଖାଲଟିଏ ଥାଏ । ରାଇଫଲକୁ ତିନି ଶହ ଗଜ ଦୂରତ୍ୱ ପାଇଁ ସଜାଡ଼ି ନେଇ ଗୋଟିଏ ଗଛ କେନାରେ ତା’କୁ ଭରା ଦେଇ ବାର୍‍ହା ଖାଲ ପାଖରେ ପହଞ୍ଚିବା ଯାଏ ଅପେକ୍ଷା କଲି । ଖାଲି ଧାରରେ ସେ ଟିକିଏ ଅଟକି ଯିବା ମାତ୍ରେ ଘୋଡ଼ା ଟିପି ଦେଲି । ବାର୍‍ହାଟା ଏକ କୁଦାକେ ଖାଲ ଭିତରକୁ ଡେଇଁ ପଡ଼ିଲା ଓ ଆର ପାଖରୁ ଲସର ପସର ହୋଇ ଉଠି ଆଖି ପିଛୁଳାକେ ଚମ୍ପଟ ଦେଲା । ଗୁଳି ବାଜି ନାହିଁ ବୋଲି ମ୍ୟାଗି ସନ୍ଦେହ କଲା । ଡେଭିଡର ଚାହାଣୀରେ ମଧ୍ୟ ସେଇ ପ୍ରଶ୍ନ । କିନ୍ତୁ ଗଛ ଉପରେ ଭରାଦେଇ ମୁଁ ସ୍ଥିର ଭାବେ ଲକ୍ଷ୍ୟ କରିଥିଲି ଓ ବାର୍‍ହାର କଳା ଚମଡ଼ା ଉପରେ ରାଇଫଲର ରୂପା ମାଛିଟି ସ୍ପଷ୍ଟ ଭାବେ ଦେଖି ଗୁଳି ଚଳାଇଥିଲି । ଦୂରତ୍ୱର ଅନୁମାନ କାଳେ ଭୁଲ ହୋଇଥିବ ଭାବି ଖାଲର ଧାର ଯାଏ ଗଲି । ବାର୍‌ହାର ଖୋଜ ସେଠାରେ ଭୂଇଁରେ ଦବି ଯାଇଥାଏ । ଆର ପାଖରୁ ମୋଟ ଧାରେ ରକ୍ତ ଦୁଇ ଶହ ଗଜ ଦୂରରେ ଥିବା ଅଣଓସାରିଆ ପଟାଏ ଗହଳିଆ ଜଙ୍ଗଲ ଭିତରକୁ ପଡ଼ିଥାଏ । ସେତେବେଳକୁ ସଞ୍ଜ ହେଲାଣି । ମ୍ୟାଗି ପୁଣି ସାଙ୍ଗରେ ଅଛି । ଜଙ୍ଗଲରେ ଏବେ ନ ପଶି ପରଦିନ ସକାଳୁ ବାର୍‌ହାକୁ ଖୋଜିବାକୁ ସ୍ଥିର କରି ଫେରିଲି । ଖୁବ୍ ମୋଟ ଧାରେ ରକ୍ତ ଝରିଥିବା ଦେଖି ଆଶା ହେଲା ଯେ ରାତି ଭିତରେ ବାର‌୍‌ହାଟା ମରିଯିବ ଓ ସକାଳେ ତା’କୁ ଖୋଜି ପାଇବାକୁ କିଛି ଅସୁବିଧା ହେବ ନାହିଁ ।

 

ବନ୍ଧୁକ ଆବାଜ ଶୁଣି ପୁନ୍ଵା ବୋଆର୍ ପୋଲ ପାଖରେ ଅପେକ୍ଷା କରିଥିଲା । ମୋତେ ଦେଖି ସେ ଆଗ୍ରହରେ “କଣ ହେଲା ?” ବୋଲି ପଚାରିଲା । କହିଲି ଯେ ସଇତାନର ପୁଅ ଗୁଳି ଖାଇଛି ଓ ରକ୍ତଧାରରୁ ସେ ଖୁବ୍ ଘାଇଲା ହେଲା ପରି ମନେ ହେଉଛି । ପୁନ୍ଵା ଖୁସିଟାଏ ହୋଇଗଲା । କଥା ହେଲା ଯେ ପରଦିନ ସକାଳୁ ମୁଁ ତା’କୁ ଠିକ୍ ଜାଗାଟି ଦେଖାଇ ଦେବି ଓ ସେ ଲୋକ ସଜିଲ କରି ବାର୍‌ହାକୁ ସେଠାରୁ ନେଇ ଆସିବ । ପୁନ୍ୱା ହାବିଲ୍‌ଦାରଙ୍କ ସହିତ ସକାଳେ ବୋଆର୍‍ ପୋଲ ପାଖରେ ଅପେକ୍ଷା କରିଥିବ ବୋଲି କହିଲା । ହାବିଲ୍‌ଦାର ବୁଢ଼ା ଗୁର୍ଖା ଲୋକ । ସୈନ୍ୟବାହିନୀରୁ ଫେରି ସେ ପୋଲିସ ଚାକିରି କରୁଥିଲେ । ବର୍ଷେ ତଳେ ଚାକିରିରୁ ଅବସର ନେଇ ସ୍ତ୍ରୀ ଓ ଦୁଇ ପୁଅଙ୍କ ସହିତ ଆମ ଗାଁରେ ସେ ଘର କରି ରହିଥାଆନ୍ତି । ଆମେ ତାଙ୍କୁ ଜମି ଖଣ୍ଡେ ଦେଇଥାଉ । ହାବିଲ୍‌ଦାରଙ୍କ ସହିତ ଗାଁ ଲୋକଙ୍କର ଖୁବ୍ ସଦ୍‌ଭାବ ଥାଏ । ସବୁ ଗୁର୍ଖାଙ୍କ ପରି ହାବିଲ୍‌ଦାରଙ୍କର ବାର୍‌ହା ମାଂସରେ ଭାରି ଆଶା । ବାର୍‌ହା ମରା ହେଲେ ଆଉ କେହି ଭାଗ ପାଉ ବା ନ ପାଉ, ହାବିଲ୍‌ଦାର ଯେ ତାଙ୍କ ଭାଗଟି ନିଶ୍ଚୟ ନେବେ–ଏଇଟା ଜଣାଶୁଣା କଥା ।

 

ପରଦିନ ସକାଳୁ ପୁନ୍ଵା ଓ ହାବିଲ୍‌ଦାର ପୋଲ ପାଖରେ ଅପେକ୍ଷା କରିଥିଲେ । ଗୋଟିଏ ଚଲାବାଟରେ ଯାଇ ଆମେ ରକ୍ତଧାର ପାଖେ ପହଞ୍ଚିଲୁ ଓ ତାହା ଅନୁସରଣ କରି ଜଙ୍ଗଲ ଯାଏ ଗଲୁ । ଅନ୍ୟମାନଙ୍କୁ ପଦାରେ ଛାଡ଼ି ମୁଁ ଏକାକୀ ଜଙ୍ଗଲରେ ପଶିଲି । ସେମାନଙ୍କୁ ସାଙ୍ଗରେ ନ ନେବାର ଯଥେଷ୍ଟ କାରଣ ଥିଲା । ଅନ୍ୟ ଜନ୍ତୁଙ୍କ ଅପେକ୍ଷା ବାର୍‌ହା ଓ ଭାଲୁ ଆହତ ଅବସ୍ଥାରେ ଅତି ହିଂସ୍ର ହୋଇଉଠନ୍ତି । ଆକ୍ରମଣ କଲେ ସେମାନେ ପ୍ରାଣରେ ନ ମାରି ଛାଡ଼ନ୍ତି ନାହିଁ । ଘାଇଲା ବାର୍‌ହା ମଣିଷକୁ ହାବୁଡ଼େ ପାଇଲେ ଦାନ୍ତରେ ଫଡ଼ା ଫଡ଼ା କରି ବିଦାରି ପକାଏ । ସେ ଭଳି ଭୟଙ୍କର ଜନ୍ତୁର ପିଛା ଧରିଲେ ପଦେ ପଦେ ବିପଦ ପାଇଁ ପ୍ରସ୍ତୁତ ହୋଇ ଅତି ସନ୍ତର୍ପଣରେ ଆଗେଇବାକୁ ହୁଏ । ଜଙ୍ଗଲରେ ପଶି ପ୍ରଥମେ ବାର୍‌ହା ରହିଥିବା ସ୍ଥାନଟି ଠାବ କଲି । ସେ ଯେଉଁଠି ଥିବ ବୋଲି ଭାବିଥିଲି, ରାତିସାରା ସେ ଠିକ୍ ସେଇଠି ଶୋଇଥିଲା । ରାତି ଭିତରେ ସେ ମରିଯିବ ବୋଲି ମୋର ଅନୁମାନ ଠିକ୍ ହେଲା ନାହିଁ । ବାର୍‌ହା ସକାଳୁ ଉଠି ଚାଲିଯାଇଛି ଦେଖି ସିଟି ମାରି ପୁନ୍ଵା ଓ ହାବିଲଦାରଙ୍କୁ ପାଖକୁ ଡାକିଲି । ବାର୍‌ହାର ଗତି ଚିହ୍ନ ଅନୁସରଣ କରି ତନିହେଁ ପୁଣି ଆଗେଇଲୁ ।

 

ପଦା ଜାଗାଟି ଟପି ବାର୍‌ହା ପାହାଡ଼ ଆର ପାଖ ଘଞ୍ଚ ଜଙ୍ଗଲ ଆଡ଼େ ମୁହାଁଇ ଥାଏ । ପୂର୍ବ ସନ୍ଧ୍ୟାରେ ସେ ସେହି ଜଙ୍ଗଲରୁ ବାହାରିଥିଲା । ସକାଳୁ ରକ୍ତଶ୍ରାବ ଥମି ଯାଇ ଧାରଟି ଅପେକ୍ଷାକୃତ କ୍ଷୀଣ ହୋଇଥାଏ । କିଛି ବାଟ ଯିବା ପରେ ଶୁଖିଲା ପତ୍ର ସବୁ ପବନରେ ଏଣେତେଣେ ଉଡ଼ି ଯାଇଥିବାରୁ ରକ୍ତଧାର ଆଉ ବାରି ହେଲା ନାହିଁ । ଆଗକୁ ଚକଡ଼ାଏ ଶୁଖିଲା ଘାସର ଜଙ୍ଗଲ । ଅଣ୍ଟାଏ ଉଚ୍ଚ ଘାସରେ ପଶି ଯିବାକୁ ହେବ । ବାର୍‌ହା ପାହାଡ଼ ଆରପାଖ ଜଙ୍ଗଲରେ ଥିବ ଓ ଘାସ ବଣ ଆରପାଖରୁ ତା’ ଖୋଜ ସହଜରେ ବାରି ହେବ ଭାବି ଆମେ ବିନା ଦ୍ଵିଧାରେ ବଣରେ ପଶିଗଲୁ ।

 

ମୁଁ ଆଗେ ଆଗେ ଚାଲିଥାଏ । ପୁନ୍ଵା ଥାଏ ମୋର ଠିକ୍ ପଛରେ । ହାବିଲଦାର୍ କିଛି ବାଟ ପଛରେ ପଡ଼ିଥାଆନ୍ତି । ଘାସ ଭିତରେ କେଇ ପାହୁଣ୍ଡ ଯିବା ପରେ ଗୋଟିଏ କଣ୍ଟା ବୁଦାରେ ମୋ ମୋଜା ଲାଗିଗଲା । ତା’କୁ ଛଡ଼ାଇବା ପାଇଁ ମୁଁ ଆଗକୁ ଝୁଙ୍କି ପଡ଼ିଲି । କଣ୍ଟାରୁ ଆଡ଼େଇ ହୋଇ ପୁନ୍ଵା ମୋର ଡାହାଣକୁ ଘୁଞ୍ଚିଗଲା । ମୋଜାରୁ କଣ୍ଟା ଛଡ଼ାଇ ମୁଁ ସଳଖି ହେଉଛି, ଏତିକିବେଳେ ଘାଇଲା ବାର୍‌ହାଟା ହଠାତ୍ ଘାସ ଭିତରୁ ବିଜୁଳି ବେଗରେ ଛୁଟି ଆସିଲା । ପୁନ୍ଵା ଧଳା ଲୁଗା ଜାମା ପିନ୍ଧିଥିଲା । ବାର୍‌ହା ରାଗରେ ଗଁ ଗଁ ହୋଇ ତାହାରି ଆଡ଼େ ମାଡ଼ିଗଲା । ବାର୍‌ହାକୁ ଆଉ ମୁହୂର୍ତ୍ତେ ଆଗରୁ ଦେଖି ପାରିଥିଲେ ପୁନ୍ଵା ପାଖରେ ପହଞ୍ଚିବା ପୂର୍ବରୁ ମୁଁ ତା’କୁ ମାରି ଦେଇଥାଆନ୍ତି । କିନ୍ତୁ ନଇଁଥିବା ଯୋଗୁଁ ମୋତେ ସେତିକି ସମୟ ମିଳିଲା ନାହିଁ । ବାର୍‌ହାକୁ ମୁଁ ଦେଖିବା ବେଳକୁ ସେ ପୁନ୍ଵାକୁ ତଳେ ପକାଇ ମାଡ଼ି ବସିଲାଣି । କରୁଣ ସ୍ୱରରେ ଥରେ ‘ସାହେବ’ ବୋଲି ଚିତ୍କାର କରିବାକୁ ପୁନ୍ଵା ଯାହା ସମୟ ପାଇଛି । ଗୁଳି ଚଳେଇଲେ ପୁନ୍ଵା ଦେହରେ ବାଜିବାର ଆଶଙ୍କା । ବାର୍‌ହାକୁ ନିଜ ଆଡ଼କୁ ଆକର୍ଷଣ କରିବା ଉଦ୍ଦେଶ୍ୟରେ ଜୋରରେ ପାଟିକରି ଉପରମୁହାଁ ବନ୍ଧୁକ ଫୁଟାଇଲି । ମୋତେ କୌଣସି ହିଂସ୍ରଜନ୍ତୁ ଆକ୍ରମଣ କଲେ ଏହି କାର୍ଯ୍ୟପନ୍ଥା ଅବଲମ୍ବନ କରିବାକୁ ଅନ୍ୟମାନଙ୍କୁ ମୁଁ କେତେଥର ପରାମର୍ଶ ଦେଇଛି । ସେଦିନ ତାହା ହିଁ କରିବା ଛଡ଼ା ଅନ୍ୟ ଉପାୟ ନ ଥିଲା ।

 

ବନ୍ଧୁକ ଫୁଟିବା ମାତ୍ରେ ବାର୍‌ହା ପୁନ୍ଵାକୁ ଛାଡ଼ିଦେଇ ତୀର ବେଗରେ ବୁଲିପଡ଼ି ମୋତେ ଆକ୍ରମଣ କଲା । ଫୁଟା ଗୁଳିଟା ବାହାର କରି ବନ୍ଧୁକରେ ନୂଆ ଗୁଳିଟିଏ ଚଢ଼ାଇବାକୁ ସମୟ ନ ଥିଲା । ମୋର ଡାହାଣ ହାତ ଛାଏଁ ଉଠିଯାଇ ବାର୍‌ହା କପାଳରେ ପଡ଼ିଗଲା । ପ୍ରକାଣ୍ଡ ଏହି ବାର୍‌ହାଟା ଚାହିଁଥିଲେ ମୋତେ ସହଜରେ ଫୋପାଡ଼ି ଦେଇ ଥାଆନ୍ତା । ମୋ ଆୟୁଷ ବୋଧହୁଏ ପୂରି ନ ଥିଲା ସେ ଦିନ । କପାଳରେ ହାତ ପଡ଼ିଯିବା ମାତ୍ରେ ବାର୍‌ହା ହଠାତ୍ କାହିଁକି ଅଟକି ଗଲା-। ତା’ ମୁଣ୍ଡକୁ ମୁଁ ମାଡ଼ି ଧରିବାକୁ ଚେଷ୍ଟା କରୁଥାଏ । ବାର୍‌ହା ତା’ର ବଡ଼ ବଡ଼ ଦାନ୍ତ ଦୁଇଟାରେ ମୋ ହାତକୁ ଚିରିଦେବା ଚେଷ୍ଟାରେ ଥାଏ । ଦାନ୍ତ ମୋ ହାତରେ ବାଜୁ ନ ଥିଲେ ମଧ୍ୟ ତା’ କରଡ଼ା ଟାଉଁସିଆ କପାଳରେ ଘଷି ହୋଇ ପାପୁଲିରୁ ଚମଡ଼ା ଉତୁରି ଯାଉଥାଏ । କିଛି ସମୟ ଏପରି କରିବା ପରେ ବାର୍‌ହାଟା କେଜାଣି କାହିଁକି ଫେରି ପଡ଼ି ପଳାଇବାକୁ ବସିଲା । ସେଇ ସୁଯୋଗରେ ମୁଁ ତା’ ଦେହରେ ପରେ ପରେ ଦୁଇଟି ଗୁଳି ବସାଇ ଦେଲି । ବାର୍‌ହା ମୁହଁ ମାଡ଼ି ସେହିଠାରେ ଟଳି ପଡ଼ିଲା ।

 

ପ୍ରାଣ ବିକଳରେ ଥରେ ‘ସାହେବ’ ବୋଲି ଡାକିଦେଇ ପୁନ୍ଵା ଆଉ ସୋରଶବ୍ଦ କିଛି କରି ନ ଥାଏ । ଘାସ ଭିତରେ ସେ କେଉଁଠି ପଡ଼ିଛି, ତା’ ମଧ୍ୟ ମୋତେ ଦିଶୁ ନ ଥାଏ । ବାର୍‌ହା ତା’କୁ ତାଳୁରୁ ତଳିପା ଯାଏ ଫଡ଼ା ଫଡ଼ା କରି ଚିରି ପକାଇଛି ବୋଲି ଭୟ ହେଲା । ପୁନ୍ଵା ମା’କୁ କ’ଣ କହିବି କିଛି ଭାବିପାରିଲି ନାହିଁ । ସେ ‘ମୋତେ ଯାହା କହିବ, ତା’ ଭାବିଲା ବେଳକୁ ମନରେ ଦୁଇ ଗୁଣ ଦକା ପଶିଲା । ଦେହଟା ଗୋଟାପଣେ ଥରୁଥାଏ । ଡରି ମରି ପୁନ୍ଵା ପାଖରେ ପହଞ୍ଚି ଦେଖେ ଯେ ସେ ଆଖି ବୁଜି ଚିତ୍‌ହୋଇ ତଳେ ପଡ଼ିଛି । ତା’ର ଲୁଗା ଜାମାରେ ରକ୍ତ ନ ଦେଖି ଟିକିଏ ସାହସ ଫେରିଲା । ତା’ କାନ୍ଧକୁ ହଲାଇ ‘କେମିତି ଲାଗୁଛି ?’ ବୋଲି ପଚାରିଲି । ପୁନ୍ଵା କ୍ଷୀଣ ସ୍ୱରରେ ଉତ୍ତର ଦେଲା ଯେ ତା’ ମେରୁଦଣ୍ଡ ଭାଙ୍ଗିଯାଇଛି–ତା’ ପ୍ରାଣ ଏବେ ଯିବା ଉପରେ । ଦୁଇ ପାଖରେ ଗୋଡ଼ ଦେଇ ତା’କୁ ଧୀରେ ଧୀରେ ଉଠାଇ ବସାଇଲି । ହାତ ଖସାଇ ନେବା ପରେ ସେ ବସି ରହିଛି ଦେଖି ତା’ ମେରୁଦଣ୍ଡ ଭାଙ୍ଗି ନାହିଁ ବୋଲି ଭରସା ହେଲା । ପରୀକ୍ଷା କରି ଦେଖିଲି ଯେ ମେରୁଦଣ୍ଡ ପୂରା ଠିକ୍ ଅଛି । ପୁନ୍ଵାର ହାତ ନେଇ ତା’ ପିଠିରେ ଲଗାଇ ତା’କୁ ମଧ୍ୟ ଏହା ଦେଖାଇଲି । ପୁନ୍ଵା ନିଜେ ପଛକୁ ଅନାଇ ଦେଖିବା ପରେ ଅସଲ କଥାଟା ବୁଝିପାରିଲା । ସେ ତଳେ ପଡ଼ିଥିବା ବେଳେ ତା’ ପିଠି ତଳେ କାଠ ଖଣ୍ଡେ ରହିଯାଇଥିଲା । ଚେତା ଫେରିବା ପରେ ସେଇଠି କଷ୍ଟ ହେବାରୁ ସେ ଭାବିଲା ଯେ ତା’ ମେରୁଦଣ୍ଡ ଭାଙ୍ଗିଯାଇଛି ।

 

ହାବିଲ୍‌ଦାର୍ ସାହେବ ସେତେବେଳେ ଯାଏ ଦୂରରେ ଛିଡ଼ା ହୋଇଥାନ୍ତି । ପୁରୁଖା ଯୋଦ୍ଧା ହୋଇଥିବାରୁ ହଠାତ୍ ଲଢ଼େଇରେ ପଶି ନ ଯାଇ ସେ ପୃଷ୍ଠଭୂମିରୁ ଅବସ୍ଥା ଲକ୍ଷ୍ୟ କରୁଥାଆନ୍ତି । କିନ୍ତୁ ମାଂସ ବଣ୍ଟା ହେବା ବେଳକୁ ସବୁଠାରୁ ବଡ଼ ଭାଗଟି ସେ ଆବୋରି ବସି ଏହି ଦାବି ସପକ୍ଷରେ ନାନା ଯୁକ୍ତି ବାଢ଼ିଲେ । ବାର୍‌ହା ଶିକାରରେ ସେ ସକ୍ରିୟ ଅଂଶ ନେଇଥିବା ବେଳେ ଗାଁ ଲୋକେ ଦୂରରେ ରହି କେବଳ ବନ୍ଧୁକ ଆବାଜ ଶୁଣୁଥିଲେ । ସେମାନଙ୍କ ସହିତ ତାଙ୍କ ଭାଗ ସମାନ ହେବ କିପରି ? ତା’ହେଲେ ଶିକାର କରିବା ଓ ଶିକାର ଦେଖିବା ଭିତରେ ଫରକ୍‌ କ’ଣ ରହିଲା ? ଅବଶ୍ୟ ସେ ନିଜେ ବାର୍‌ହା ମାରିଛନ୍ତି ବୋଲି କହୁନାହାନ୍ତି ! ତେବେ ସାହାଯ୍ୟ ଦେବା ପାଇଁ ତ ସେ ପ୍ରସ୍ତୁତ ହୋଇ ଅପେକ୍ଷା କରିଥିଲେ ! କେହି ସାହାଯ୍ୟ ମାଗିଥିଲେ ସେ ନିଶ୍ଚୟ ଆଗେଇ ଆସିଥାଆନ୍ତେ ! ଏଇଟା ତ କିଛି କମ୍ କଥା ନୁହେଁ ! ! ହାବିଲ୍‌ଦାର୍‌ଙ୍କୁ ସେଦିନ ଦୁଇ ଭାଗ ମାଂସ ମିଳିଥିଲା । ଘଟଣାର କିଛି ଦିନ ପରେ ଶିକାରରେ ବିଶେଷ ଅଂଶ ନେଇ ସେ ଯେପରି ବୀରତ୍ଵ ଦେଖାଇ ଥିଲେ, ତାହା ବର୍ଣ୍ଣନା କରି ସମସ୍ତଙ୍କୁ ଚମତ୍କିତ କରି ଦେଉଥାଆନ୍ତି ।

 

ସମୟର ସ୍ରୋତ ବୋହିଯାଉଛି । ପୁନ୍ୱା ଆଜି ତା’ ଘରର ମୁରବୀ । ତା’ ବାପ ପାଇଁ ଯେଉଁ ଘରଟି ମୁଁ ତୋଳି ଦେଇଥିଲି, ପିଲା କୁଟୁମ୍ବ ଧରି ସେ ଏବେ ଯାଏ ସେଥିରେ ରହିଛି । କୁନ୍ତୀ ଗାଁରୁ ବିଦା ହୋଇ ଶାଶୁଘରକୁ ଗଲାଣି । ପୁନ୍ଵା ମାଁ ବୋହୂ ହୋଇ ଆସିଲା ବେଳେ ଯେମିତି କାମ କରୁଥିଲା, ଏବେ ମଧ୍ୟ ଠିକ୍ ସେହିପରି କାମ କରି ଚାଲିଛି । କିନ୍ତୁ ଶେର୍ ସିଂ ଆଉ ନାହିଁ । ଆଗରୁ ଯାଇ ସେ ସ୍ଵର୍ଗରେ ମୋ ପାଇଁ ଅପେକ୍ଷା କରିଛି ।

 

ମହାଯୁଦ୍ଧର କେତୋଟି ବର୍ଷ ମ୍ୟାଗିକୁ ଶୀତଦିନେ କାଲାଦୁଙ୍ଗୀରେ ଏକାକୀ ରହିବାକୁ ପଡ଼ିଲା । ପାଖରେ ତା’ର ଯାନବାହାନ କିଛି ନ ଥାଏ । ନିକଟତମ ସହର ସେଠାରେ ଚଉଦ ମାଇଲ ଦୂର । ତା’ ନିରାପତ୍ତା ପାଇଁ ମୋ ମନରେ କିନ୍ତୁ ଆଶଙ୍କା କେବେ ହୋଇନାହିଁ । ମୋର ଦୃଢ଼ ବିଶ୍ୱାସ ଥାଏ ଯେ ‘ମୋର ଭାରତ’ର ଏଇ ଗରିବ ବନ୍ଧୁମାନଙ୍କ ପାଖରେ ଥିବା ପର୍ଯ୍ୟନ୍ତ ତା’ର କୌଣସି ଆପଦ ଅସୁବିଧା କେବେ ହେବ ନାହିଁ ।

Image

 

ଶାସନ ପୂର୍ବରୁ

 

ମୋର ବନ୍ଧୁ ଆଣ୍ଡରସନ୍ ଥରେ ଶୀତଦିନେ ତରାଇ ଅଞ୍ଚଳକୁ ଗସ୍ତରେ ଯାଇଥାଆନ୍ତି । ମୁଁ ତାଙ୍କ ସଙ୍ଗରେ ଥାଏ । ହିମାଳୟ ପାଦଭୂମିରେ ଥିବା ବିନ୍ଦୁଖେରାରୁ ଡେରା ଉଠାଇ ସେ ଦିନ ଆମର ବୋକ୍‌ସାର୍‌ ଯିବା କଥା । ଜାନୁଆରୀ ମାସ ଶୀତୁଆ ସକାଳ । ଜଳଖିଆ ଖାଇ ଦୁହେଁ ବାହାରି ପଡ଼ିଲୁ । ଗୋଟିଏ ବୁଲାଣି ବାଟେ ଯାଇ ବୋକ୍‌ସାରରେ ଟିକେ ଡେରିରେ ପହଞ୍ଚିବୁ ବୋଲି ସ୍ଥିର କରିଥାଉଁ । କଥା ଥାଏ ଯେ ଆମ ଲୋକେ ସେ ଭିତରେ ସରଞ୍ଜାମ ସବୁ ବନ୍ଧାବନ୍ଧି କରି ସିଧା ରାସ୍ତାରେ ଆଗରୁ ଯାଇ ବୋକ୍‌ସାରରେ ପହଞ୍ଚିବେ । ଆମେ ପହଞ୍ଚିବା ବେଳକୁ ତମ୍ବୁଗୁଡ଼ିକ ଟଣା ସରିଥିବ ।

 

ବିନ୍ଦୁଖେରାରୁ ସିଧା ରାସ୍ତାରେ ବୋକ୍‌ସାର୍‌ ଗଲେ ବାଟରେ ପରେ ପରେ ଦୁଇଟି ଛୋଟ ନଈ ପଡ଼େ । ପୋଲ ନ ଥିବାରୁ ନଈରେ ପଶି ପାରି ହେବାକୁ ହୁଏ । ଲୋକେ ଓଟ ପିଠିରେ ଡେରାର ସରଞ୍ଜାମ ସବୁ ବୋଝାଇ କରି ନଈରେ ପଶି ଯିବାବେଳେ ଚିକିଟା ମାଟିରେ ଗୋଟିଏ ଓଟର ଗୋଡ଼ ଖସି ତମ୍ବୁଗୁଡ଼ିକ ପାଣିରେ ପଡ଼ିଗଲା । ଏଇ ଦୁର୍ଘଟଣା ଯୋଗୁଁ ବାଟରେ ସେମାନେ ଅନେକ ସମୟ ଅଟକି ଗଲେ । ଆମେ ଏଣେ ବାଟସାରା କଳାଚକୋର ଚଢ଼େଇ ଶିକାର କରି ମନଖୁସିରେ ବୁଲିବୁଲି ଆସି ବୋକ୍‌ସାରରେ ପହଞ୍ଚି ଦେଖୁ ଯେ ସେତେବେଳେ ଯାଏ ଓଟଙ୍କ ପିଠିରୁ ଲଦନ ଓହ୍ଲା ସରିନାହିଁ ।

 

ବୋକ୍‌ସାର୍‌ ଗାଁରୁ କେଇଶହ ଗଜ ଛଡ଼ାରେ ଆମ ଡେରା ପାଇଁ ଜାଗା ଠିକ୍ ହୋଇଥାଏ-। ଆଣ୍ଡର୍‌ସନ୍‌ଙ୍କ ଗସ୍ତ ସେ ଅଞ୍ଚଳ ପାଇଁ ଏକ ବିଶେଷ ଘଟଣା । ତାଙ୍କୁ ପାଛୋଟି ନେବାକୁ ଗାଁ ଯାକ ଲୋକ ରୁଣ୍ଡ ହୋଇଥାନ୍ତି । ଦରକାର ପଡ଼ିଲେ ଡେରା ପକାଇବାରେ ସାହଯ୍ୟ କରିବାକୁ ମଧ୍ୟ ସେମାନେ ତତ୍ପର ଥାନ୍ତି ।

 

ସାର୍ ଫ୍ରେଡେରିକ୍ ଆଣ୍ଡରସନ୍‍ ସେତେବେଳେ ତରାଇ–ଭାବର ଅଞ୍ଚଳରେ ସରକାରୀ ଭୂସମ୍ପତ୍ତିର ତତ୍ତ୍ୱାବଧାରକ ଥାଆନ୍ତି । ତାଙ୍କର ଅମାପ ଦୟା ଓ ଲୋକବତ୍ସଳତା ଏହି ଜନବହୁଳ ଅଞ୍ଚଳରେ ତାଙ୍କୁ ସମସ୍ତଙ୍କର ପ୍ରିୟପାତ୍ର କରିଥାଏ । ଜାତି ଧର୍ମ ନିର୍ବିଶେଷରେ ଲୋକଙ୍କ ପ୍ରତି ତାଙ୍କର ଗଭୀର ଶ୍ରଦ୍ଧା ଓ ସହାନୁଭୂତି ଥିବା ଯୋଗୁଁ ହଜାର ହଜାର ବର୍ଗମାଇଲ ବ୍ୟାପି ଏହି ଶାସନ ଅଞ୍ଚଳରେ ତାଙ୍କ ପରି ଜନପ୍ରିୟ ଶାସକ ଆଉ କେହି ନ ଥିଲେ । ଆଣ୍ଡରସନ୍ ଯେ କେବଳ ଦୟାବାନ ଥିଲେ, ତାହା ନୁହେଁ; ତାଙ୍କ ଅସାଧାରଣ ସ୍ମରଣ ଶକ୍ତି ମଧ୍ୟ ଶାସନ କାର୍ଯ୍ୟରେ ତାଙ୍କୁ ବିଶେଷ ସାହାଯ୍ୟ କରୁଥିଲା । ସେ ଭଳି ସ୍ମରଣଶକ୍ତି କେବଳ ଆଉ ଜଣଙ୍କଠାରୁ ମୁଁ ଦେଖିଛି । ସେ ହେଉଛନ୍ତି ଜେନେରାଲ୍ ସାର୍ ହେନ୍‌ରୀ ରାମ୍‌ସେ । ଆଣ୍ଡର୍‌ସନ୍‌ଙ୍କ ପୂର୍ବରୁ ଦୀର୍ଘ ଅଠାଇଶ ବର୍ଷ କାଳ ରାମ୍‌ସେ ଏ ଅଞ୍ଚଳର ଶାସନକର୍ତ୍ତା ଥିଲେ । ଆଣ୍ଡର୍‌ସନ୍‌ଙ୍କ ପରି ସେ ମଧ୍ୟ ସ୍କଟଲାଣ୍ଡବାସୀ । ଏ ଦୁହେଁ ଥରେ ଯାହାକୁ ଦେଖନ୍ତି ବା ଯାହାର ନାଁ ଥରେ ଶୁଣନ୍ତି, ତା’କୁ କେବେ ଭୁଲନ୍ତି ନାହିଁ ବୋଲି ଲୋକମୁଖରୁ ଶୁଣାଯାଏ । ପ୍ରତ୍ୟେକକୁ ମନେ ରଖି ପୂର୍ବେ କେବେ ଓ କେଉଁଠାରେ ତା’ ସହିତ ସାକ୍ଷାତ ହୋଇଥିଲା, ତାହା ସ୍ମରଣ କରିପାରୁଥିବାରୁ ଦୁହେଁ ଏ ଅଞ୍ଚଳରେ ସରଳ ଅଧିବାସୀଙ୍କର ବିଶେଷ ପ୍ରିୟ ହୋଇ ପାରିଥିଲେ । ରାମ୍‌ସେଙ୍କର ଏ ଅଞ୍ଚଳରେ ଏତେ ପ୍ରଭାବ ଥିଲା ଯେ ଶାସକ ମହଲରେ ତାଙ୍କୁ ‘କୁମାୟୁଁର ଅନଭିଷିକ୍ତ ରାଜା’ ବୋଲି ଆଖ୍ୟା ଦିଆଯାଉଥିଲା ।

 

ବ୍ରିଟିଶ୍ ସାମ୍ରାଜ୍ୟବାଦର ଇତିହାସ ଲେଖା ହେବା ବେଳେ ତାହାର ପତନରେ “ଶାସନ” ଯେଉଁ ବିଶେଷ ଅଂଶଗ୍ରହଣ କରିଥିଲା, ତା’କୁ ଯଥେଷ୍ଟ ଗୁରୁତ୍ୱ ଦିଆଯିବା ଦରକାର । ଆଣ୍ଡର୍‌ସନ୍‌ ଓ ରାମ୍‌ସେଙ୍କ ସମୟରେ ସେ ଭଳି ଶାସନ ଚାଲୁ ନ ଥିଲା । ନାଲିଫିତାରେ ଛନ୍ଦି ନ ହୋଇ ସେମାନେ ମୁକ୍ତ ଭାବେ କାର୍ଯ୍ୟ ଚଳାଉ ଥିବାରୁ ସେ କାଳର ଶାସନ ସଫଳ ଓ ଜନପ୍ରିୟ ହୋଇ ପାରିଥିଲା ।

 

ରାମ୍‌ସେ ଏକାଧାରରେ ଏ ଅଞ୍ଚଳର ବିଚାରପତି ଏବଂ ଶାସନ ତଥା ପୋଲିସ, ଜଙ୍ଗଲ ଓ ପୂର୍ତ୍ତବିଭାଗର ମୁଖ୍ୟ ଥିଲେ । ଏ ସବୁ ଦାୟିତ୍ୱ ତୁଲାଇ ନିଜ ଶାସନ ଇଲାକାରେ ସେ ନିୟମିତ ପାଦରେ ଚାଲି ଗସ୍ତ କରୁଥିଲେ । ଗସ୍ତରେ ଯିବାବେଳେ ବିଚାର ଓ ଶାସନ ସମ୍ପର୍କୀୟ ତାଙ୍କର ଅଧିକାଂଶ କାର୍ଯ୍ୟ ସମ୍ପନ୍ନ ହେଉଥିଲା । ଗୋଟିଏ ଡେରାରୁ ଆଉ ଗୋଟିକୁ ଯିବା ବାଟରେ ତାଙ୍କ ସହିତ ଦଳେ ଲୋକ ସଦାସର୍ବଦା ଚାଲିଥାନ୍ତି । ବାଟସାରା ଦେବାନି ଓ ଫୌଜଦାରୀ ମୋକଦ୍ଦମାର ଦୋତରଫା ବିଚାର ଚାଲିଥାଏ । ବାଦୀ ପକ୍ଷର ଜମାନବନ୍ଦୀ ସରିବା ପରେ ପ୍ରତିବାଦୀ ପକ୍ଷର ଶୁଣାଣି ହୁଏ ଓ ଶେଷରେ ସବୁ ଦିଗରୁ ବିଚାର କରି ରାମ୍‌ସେ ରାୟ ଦିଅନ୍ତି । କେହି ଛାଡ଼ ପାଏ, କାହାକୁ ଅର୍ଥଦଣ୍ଡ ଦିଆଯାଏ ଓ କାହାପ୍ରତି ଜେଲଦଣ୍ଡ ଆଦେଶ ହୁଏ । ତାଙ୍କ ରାୟ ବିରୁଦ୍ଧରେ କେହି କେବେ ଆପତ୍ତି କରିବା ଜଣା ନ ଥାଏ । ଅର୍ଥଦଣ୍ଡ ପାଇଥିବା ବ୍ୟକ୍ତି ନିଜେ ଯାଇ ଠିକ୍ ସମୟରେ ସରକାରୀ ଖଜଣାଖାନାରେ ଜରିମାନା ଦାଖଲ କରେ । ଜେଲଦଣ୍ଡ ପାଇଥିବା ଆସାମୀ ନିକଟତମ ଜେଲଖାନାରେ ନିଜେ ହାଜିରା ଦେଇ ମିଆଦି ଅନୁସାରେ ଜେଲ ଭୋଗ କରେ । ଏହି ବ୍ୟବସ୍ଥାର ବ୍ୟତିକ୍ରମ କେବେ ହୁଏ ନାହିଁ ।

 

ରାମ୍‌ସେଙ୍କ ତୁଳନାରେ ଆଣ୍ଡରସନଙ୍କ ଶାସନକ୍ଷେତ୍ର ସୀମିତ ହୋଇଥିଲେ ସୁଦ୍ଧା ତାଙ୍କୁ ମଧ୍ୟ ପ୍ରଶସ୍ତ କ୍ଷମତା ଦିଆ ଯାଇଥାଏ । ସେ ଦିନ ବୋକ୍‌ସାରରେ ଆମେ ପହଞ୍ଚିବା ବେଳକୁ ତମ୍ବୁଗୁଡ଼ିକ ଟଣା ସରିବାକୁ ଆହୁରି ଅନେକ ଡେରିଥାଏ । ସମବେତ ଲୋକମାନଙ୍କୁ ବସିବାକୁ କହି ଆଣ୍ଡରସନ୍ ଶୁଣାଇଦେଲେ ଯେ ସେହି ଅବସରରେ ଆପତ୍ତି ଅଭିଯୋଗ ସବୁ ବିଚାର ହେବ । କାହାର କିଛି ଆବେଦନ କରିବାକୁ ଥିଲେ ତାହା ମଧ୍ୟ ବିଚାର କରାଯିବ ।

 

ବୋକ୍‌ସାର୍ ପାଖ ଗୋଟିଏ ଗାଁର ମୁଖିଆ ସର୍ବପ୍ରଥମେ ଆବେଦନ ପତ୍ରଟିଏ ଦାଖଲ କଲେ । ବୋକ୍‌ସାର୍ ଓ ତାଙ୍କ ଗାଁର ଚାଷ ଜମି ସବୁକୁ ଗୋଟିଏ ନାଳ ପାଣି ଯୋଗାଏ ଓ ନାଳଟି ବୋକ୍‌ସାର୍ ଗାଁ ଭିତର ଦେଇ ଯାଏ । ବର୍ଷା ସେ ବର୍ଷ କମ୍‍ ହୋଇଥିଲା । ନାଳରେ ଯେତିକି ପାଣି ଆସୁଥାଏ ତାହା ଦୁଇ ଗାଁକୁ ନିଅଣ୍ଟ । ବୋକ୍‌ସାର୍ ଉପରେ ଥିବାରୁ ସେଠାକାର ଲୋକେ ସୁବିଧା ଦେଖି ସବୁ ପାଣି ନିଜ ଜମିରେ ମଡ଼ାଇ ଦେଲେ । ପାଣି ଅଭାବରୁ ତଳ ଗାଁର ଧାନ ଫସଲ ପୂରା ଉଜୁଡ଼ି ଗଲା । ଅଭିଯୋଗର ଜବାବ ଦେଇ ବୋକ୍‌ସାରର ମୁଖିଆ ତଳ ଗାଁକୁ ପାଣି ଛାଡ଼ି ନ ଥିବା କଥା ସିଧାସଳଖ ମାନିଗଲେ । ନିଜ ପକ୍ଷରୁ ଯୁକ୍ତି ଦେଖାଇ ସେ କହିଲେ ଯେ ପାଣିତକ ଦୁଇ ଗାଁ ଭିତରେ ବାଣ୍ଟ ହୋଇଥିଲେ କାହାକୁ ଅଣ୍ଟି ନ ଥାନ୍ତା । ଫଳରେ ଦୁଇଟି ଯାକ ଗାଁର ଫସଲ ନଷ୍ଟ ହୋଇଥାନ୍ତା । ପାଣି ବାଣ୍ଟ ନ ହେବାରୁ ଅନ୍ତତଃ ବୋକ୍‍ସାରର ଫସଲତକ ରକ୍ଷା ପାଇଗଲା ।

 

ବୋକ୍‌ସାରରେ ସେତେବେଳକୁ ଫସଲ ଅମଳ ସରିଥାଏ । ଅଭିଯୋଗ ଓ ଜବାବ ଶୁଣିବା ପରେ ଆଣ୍ଡର୍‌ସନ୍‌ ରାୟ ଦେଲେ ଯେ ବୋକ୍‌ସାରରେ ଆଦାୟ ହୋଇଥିବା ଫସଲ ଦୁଇ ଗାଁ ଭିତରେ ବାଣ୍ଟି ହେବ ଓ ଗାଁ ଦୁଇଟିର ଧାନ ଜମିର ରକବା ଅନୁପାତରେ ତାହା ଭାଗ କରାଯିବ-। ବୋକ୍‌ସାର୍‌ର ଲୋକେ ଏଇ ନିଷ୍ପତ୍ତିକୁ ନ୍ୟାୟସଙ୍ଗତ ବୋଲି ମାନି ନେଲେ । କିନ୍ତୁ ନିଜ ତରଫରୁ ସେମାନେ ଆଉ ଗୋଟିଏ ଆପତ୍ତି ଉଠାଇ କହିଲେ ଯେ, ଫସଲ ଆମଦାନୀ ଓ ଅମଳ କରିବାର ପରିଶ୍ରମ ପାଇଁ ତାଙ୍କୁ କିଛି ମିଳିଲା ନାହିଁ । ଆବେଦନକାରୀ ଏହାକୁ ଖଣ୍ଡନ କରି ଦର୍ଶାଇଲେ ଯେ, ଫସଲ ଆମଦାନୀ ବା ଅମଳ ହେବା ବେଳେ ସେମାନଙ୍କଠାରୁ କୌଣସି ସାହାଯ୍ୟ ଲୋଡ଼ା ଯାଇ ନ ଥିଲା । ଆଣ୍ଡର୍‌ସନ୍‌ ଏହି ଯୁକ୍ତିକୁ କାଏମ ରଖିଲେ । ତାଙ୍କ ନିର୍ଦ୍ଦେଶ ଅନୁସାରେ ଫସଲ ଭାଗ କରିବା ପାଇଁ ମୁଖିଆ ଦୁହେଁ ଏକାଠି ସେଠାରୁ ଚାଲିଗଲେ । ତା’ପରେ ଦ୍ଵିତୀୟ ଆବେଦନପତ୍ରଟି ଆଣ୍ଡର୍‌ସନ୍‌ଙ୍କ ଆଗରେ ପେଶ୍ କରାଗଲା ।

 

ଆବେଦକର ନାଁ ‘ଚାଡ଼ି’ । ସେ ନାଲିସ୍ କରିଥାଏ ଯେ ତା’ ସ୍ତ୍ରୀ ‘ଟିଲ୍‌ନି’ କୁ ‘କାଲୁ’ ହରଣ କରି ନେଇଛି । ପ୍ରକାଶ ଥାଏ ଯେ ଘଟଣାର ତିନି ସପ୍ତାହ ପୂର୍ବରୁ କାଲୁ ନାନା ପ୍ରକାର ଇସାରା ଇଙ୍ଗିତ କରି ଟିଲ୍‌ନିର ମନ ନେବାକୁ ଚେଷ୍ଟା ଚଳାଇଲା । ଚାଡ଼ି ତା’କୁ ଆକଟ କରିବା ସତ୍ତ୍ୱେ ସେ ମନା ମାନିଲା ନାହିଁ । ଟିଲ୍‌ନି ଏବେ ଚାଡ଼ିକୁ ଛାଡ଼ି କାଲୁ ଘରେ ଯାଇ ରହିଛି । କାଲୁ ହାଜର ଅଛି କି ବୋଲି ଡାକରା ପଡ଼ିଲା । ଆମ ଆଗରେ ବସିଥିବା ଲୋକଙ୍କ ଭିତରୁ ଜଣେ ଛିଡ଼ା ହୋଇ ନିଜକୁ କାଲୁ ବୋଲି ଚିହ୍ନା ଦେଲା ।

 

ଧାନବଣ୍ଟା ମୋକଦ୍ଦମା ଚାଲିଥିବା ବେଳେ ଗାଁର ସ୍ତ୍ରୀ ଲୋକମାନେ ସେଥିରେ ବିଶେଷ ଆଗ୍ରହ ଦେଖାଉ ନ ଥିଲେ । ଜମିଜମା ମାମଲାରେ ମରଦମାନେ ମୁଣ୍ଡ ଖେଳାଇବା କଥା । ମାଇପ ଲୋକଙ୍କୁ ସେଥିରୁ କ’ଣ ମିଳିବ ? କିନ୍ତୁ ନାରୀହରଣ ମୋକଦ୍ଦମାଟି ପଡ଼ିବା ମାତ୍ରେ ନାରୀମହଲରୁ ଗଭୀର ଆଗ୍ରହ ପ୍ରକାଶ ପାଇଲା । ଉପସ୍ଥିତ ମହିଳାମାନଙ୍କ ଭାବଭଙ୍ଗୀ, ଏପରିକି ସେମାଙ୍କର ନିଶ୍ୱାସର ଖରଗତିରୁ ତାଙ୍କ ମନର ଆବେଗ ସ୍ପଷ୍ଟ ଜାଣି ହେଉଥାଏ ।

 

ଚାଡ଼ିର ଅଭିଯୋଗ ସେ ସ୍ୱୀକାର କରୁଛି କି ନାହିଁ ବୋଲି ପଚରା ଯିବାରୁ କାଲୁ ଦୃଢ଼ କଣ୍ଠରେ ଜବାବ ଦେଲା ଯେ ଟିଲ୍‌ନି ରହିବା ପାଇଁ ସେ କୁଡ଼ିଆଟିଏ ଯୋଗାଇ ଦେଇଥିବା କଥା ସତ । କିନ୍ତୁ ଟିଲ୍‌ନି ସ୍ୱଇଚ୍ଛାରେ ଆସି ସେଥିରେ ରହିଛି । ତା’କୁ ସେ ଜୋରକରି ସେଠାକୁ ନେଇ ଆସିଥିବା ଅଭିଯୋଗ ଠିକ ନୁହେଁ । ଟିଲ୍‌ନିକୁ ତା’ ସ୍ୱାମୀକୁ ଫେରାଇ ଦେବାକୁ ସେ ରାଜି ଅଛି କି ନାହିଁ ବୋଲି ପ୍ରଶ୍ନ ହେବାରୁ କାଲୁ କହିଲା ଯେ, ଟିଲ୍‌ନି ନିଜ ଇଚ୍ଛାରେ ଘର ଛାଡ଼ି ଚାଲି ଆସିଛି । ତା’କୁ ଜୋର ଜବରଦସ୍ତି କରି ଚାଡ଼ି ପାଖକୁ ପଠାଇବା ପାଇଁ ସେ ପ୍ରସ୍ତୁତ ନୁହେଁ । ଟିଲ୍‌ନିକୁ ଖୋଜା ପଡ଼ିଲା । ମହିଳାମାନଙ୍କ ଭିତରୁ ଜଣେ ଆଗେଇ ଆସି ଆଣ୍ଡର୍‌ସନ୍‌ଙ୍କ ଉଦ୍ଦେଶ୍ୟରେ କହିଲା, “ମୋ ନାଁ ଟିଲ୍‌ନି । ହଜୁର ମୋତେ କାହିଁକି ଖୋଜୁଛନ୍ତି ?”

 

ଝିଅଟିର ବୟସ ପ୍ରାୟ ଅଠର । ଦେଖିବାକୁ ବେଶ୍ ଡଉଲ ଡାଉଲ । ବେଶଭୂଷା ଏଇ ଅଞ୍ଚଳର ରୀତିରେ । ମୁଣ୍ଡରେ ଫୁଟେ ଉଚ୍ଚ ତିନିକୋଣିଆ ଜୁଡ଼ା ଉପରେ କଳା ଶାଢ଼ିର ଓଢ଼ଣା । ପରିଧେୟ ନାଲି ରଙ୍ଗର ଚିପା କାଞ୍ଚୁଲି ଓ ରଙ୍ଗୀନ୍ କନାର ବଡ଼ ଘାଗରା । ହାତରେ କେଇପଟ ରୂପା ଚୁଡ଼ି । ବେକରେ କାଚର ମାଳେ ପନି କଣ୍ଠି ଓ ସାର ସାର ହୋଇ ପଡ଼ିଥିବା ସରୁ ରୂପା ହାରଟିଏ ।

 

ସ୍ୱାମୀକୁ ଛାଡ଼ି ଚାଲି ଆସିବାର କାରଣ ଆଣ୍ଡରସନ ତା’କୁ ପଚାରିଲେ । ଚାଡ଼ିକୁ ଅଙ୍ଗୁଳି ଦେଖାଇ ଟିଲ୍‌ନି ତାଚ୍ଛଲ୍ୟ ସହିତ କହିଲା, “ଆପଣ ନିଜେ ତା’କୁ ଅନାଇ ଦେଖନ୍ତୁ ହଜୁର । ଲୋକଟା ଖାଲି ମଇଳା ମସିଆ ନୁହେଁ, ଭାରି କୃପଣ ମଧ୍ୟ । ବାହା ହୋଇ ଦୁଇ ବର୍ଷ ତା’ ସଙ୍ଗେ ମୁଁ ଘର କଲି । ତା’ ଭିତରେ ସେ ଗହଣାଟିଏ କି ଲୁଗା ଖଣ୍ଡେ ମୋତେ ଦେଇ ନାହିଁ । ଯାହା ଗହଣାଗାଣ୍ଠି ଲୁଗାପଟା ମୁଁ ପିନ୍ଧିଛି, ସବୁ କାଲୁର ।” ଫେରି ଯିବାକୁ ସେ ରାଜି ଅଛି କି ବୋଲି ପଚରା ଯିବାରୁ ଟିଲ୍‌ନି ଦୃଢ଼ ଭାବେ କହିଲା ଯେ, ଚାଡ଼ି ପାଖକୁ ସେ କଦାପି ଫେରିବ ନାହିଁ ।

 

ତରାଇ ପରି ଅସ୍ଵାସ୍ଥ୍ୟକର ଅଞ୍ଚଳର ବାସ କରୁଥିବା ଏଇ ଆଦିବାସୀମାନଙ୍କ ଠାରେ ଦୁଇଟି ଅତି ଉତ୍କୃଷ୍ଟ ଗୁଣ ଦେଖାଯାଏ । ସେଥିରୁ ଗୋଟିଏ ହେଲା ସେମାନଙ୍କ ପରିଚ୍ଛନ୍ନତା ଓ ଅନ୍ୟଟି ସେଠାକାର ନାରୀମାନଙ୍କ ବ୍ୟକ୍ତିଗତ ସ୍ୱାଧୀନତା । ତରାଇ ଅଞ୍ଚଳର ଗ୍ରାମ ଓ ବାସଗୃହରେ ଯେପରି ପରିଚ୍ଛନ୍ନତା ବିରାଜୁଥାଏ ତାହା ଭାରତରେ ଅନ୍ୟତ୍ର ଦେଖିବାକୁ ମିଳେ ନାହିଁ । ପୁଣି ଏ ଦେଶର ଅନ୍ୟ କୌଣସି ଠାରେ ଜଣେ ଯୁବତୀ ନିଜ ଗ୍ରାମବାସୀ ଓ ଦୁଇ ଜଣ ବିଦେଶୀଙ୍କ ଆଗରେ ଛିଡ଼ା ହୋଇ ନିଜ ପକ୍ଷରୁ ଏ ଧରଣର ଯୁକ୍ତି ବାଢ଼ିଦେବାକୁ କେବେ ସୁଯୋଗ ପାଇ ନ ଥାନ୍ତା ବା ସାହସ କରି ନ ଥାନ୍ତା ।

 

ଚାଡ଼ିକୁ ତା’ର ବକ୍ତବ୍ୟ ପଚରାଗଲା । ସେ କହିଲା, “ହଜୁର୍ ମା’ ବାପ ! ନ୍ୟାୟ ବିଚାର ପାଇଁ ମୁଁ ଆସିଛି । ମୋ ସ୍ତ୍ରୀକୁ ହଜୁର୍ ଯଦି ଫେରାଇ ନ ଦିଅନ୍ତି, ତେବେ ତା’ ପାଇଁ ଖେସାରତ ମଞ୍ଜୁର କରନ୍ତୁ ।” ଆଣ୍ଡର୍‌ସନ୍‌ ପଚାରିଲେ, “ତମେ କେତେ ଟଙ୍କା ଦାବି କରୁଛ ?” ଚାଡ଼ି ଉତ୍ତର ଦେଲା, “ଦେଢ଼ଶହ ଟଙ୍କା ମୋର ହକ ହେଉଛି ।” ସଙ୍ଗେ ସଙ୍ଗେ ଘେରି ବସିଥିବା ଲୋକଙ୍କ ଭିତରୁ ଏହି ଦାବି ବିରୁଦ୍ଧରେ ତୀବ୍ର ପ୍ରତିବାଦ ପ୍ରକାଶ ପାଇଲା । “ବହୁତ ଦାବି କରୁଛି” “ଏତେ ହକ ହେଉ ନାହିଁ” “ଝିଅଟା ଏତେ ଟଙ୍କାର ଯୋଗ୍ୟ ନୁହେଁ” ଇତ୍ୟାଦି ଇତ୍ୟାଦି ନାନା ମନ୍ତବ୍ୟ ଚାରିଆଡ଼ୁ ଶୁଣାଗଲା ।

 

ଟିଲ୍‌ନି ପାଇଁ ଦେଢ଼ ଶହ ଟଙ୍କା କ୍ଷତି ପୁରାଣ ଦେବା ବିଷୟ ଆଣ୍ଡର୍‌ସନ୍‌ କାଲୁକୁ ପଚାରିଲେ । କାଲୁ କହିଲା ଯେ ଏ ଦାବି ଅତି ବେଶି ହେଉଛି । ଚାଡ଼ି ମୋଟେ ଶହେ ଟଙ୍କା ଦେଇ ଟିଲ୍‌ନିକୁ ଆଣିଥିଲା ବୋଲି ସମସ୍ତେ ଜାଣନ୍ତି । ଟିଲ୍‌ନି ସେତେବେଳେ “ନୂଆ” ଥିଲା । ୟା ଭିତରେ ଦୁଇ ବର୍ଷ ବିତି ଗଲାଣି । ଏବେ ସେ ପଚାଶ ଟଙ୍କାରୁ କଦାପି ବେଶି ହେବ ନାହିଁ ।

 

ଇତିମଧ୍ୟରେ ଗ୍ରାମବାସୀମାନେ ଦୁଇ ଦଳ ହୋଇ ନିଜ ନିଜ ଭିତରେ ଘମାଘୋଟ ଆଲୋଚନା ଆରମ୍ଭ କରି ଦେଇଥାନ୍ତି । ଥୋକାଏ କହୁଥାନ୍ତି ଯେ ଚାଡ଼ି ବହୁତ ବେଶି ଦାବି କରୁଛି । କାଲୁ ଯାହା ଯାଚୁଛି ତାହା ଯଥେଷ୍ଟ ନୁହେଁ ବୋଲି ଆଉ କେତେକ ମତ ଦେଉଥାନ୍ତି । ଆଲୋଚନା ପ୍ରସଙ୍ଗରେ ଟିଲ୍‌ନିର ରୂପ ଗୁଣ ସବୁ ଟିକି ନିଖି ବିଶ୍ଳେଷଣ କରାଯାଉଥାଏ । ସୁନ୍ଦର ତା’ର ମୁହଁ ଉପରେ କୌତୁକର ହସଟିଏ ଟାଣି ଟିଲ୍‌ନି କୌତୂହଳ ସହିତ ସବୁ ଶୁଣୁଥାଏ ।

 

ଦୁଇ ପକ୍ଷର ମନ୍ତବ୍ୟ ଶୁଣିବା ପରେ ଆଣ୍ଡର୍‌ସନ ଖେସାରତ୍ ଦାବିକୁ ପଞ୍ଚସ୍ତରୀ ଟଙ୍କାରେ ଧାର୍ଯ୍ୟ କଲେ । ସେହିଠାରେ ଟଙ୍କା ଦାଖଲ କରିବାକୁ କାଲୁକୁ ଆଦେଶ ଦିଆଗଲା । କାଲୁ କମରପଟି ତଳୁ ଗାଞ୍ଜିଆ ବାହାର କରି ଟଙ୍କାଗୁଡ଼ିଏ ଆଣ୍ଡର୍‌ସନ୍‌ଙ୍କ ଗୋଡ଼ ପାଖରେ କୁଢ଼ାଇ ଦେଲା । ଗଣତି ହୋଇ ସେଥିରୁ ସମୁଦାୟ ବାଉନ୍‌ଟି ରୂପାଟଙ୍କା ମିଳିଲା । କାଲୁର ଦୁଇ ଜଣ ବନ୍ଧୁ ଆଉ ତେଇଶି ଟଙ୍କା ଆଣି ଦାଖଲ କଲେ । ଚାଡ଼ି ଟଙ୍କାତକ ଗଣି ତାହା ଠିକ ଅଛି ବୋଲି ଜଣାଇଲା ।

 

ଏ ସବୁ କାରବାର ଚାଲିଥିବା ଗାଁ ଆଡ଼ୁ ଜଣେ ରୁଗ୍‌ଣା ସ୍ତ୍ରୀ ଲୋକ ସଭା ଆଡ଼େ ଆସୁଥିବା ମୁଁ ଲକ୍ଷ୍ୟ କରିଥାଏ । ଅତି କଷ୍ଟରେ ସେତକ ବାଟ ଚାଲିଆସି ସଭାରେ ଅନ୍ୟମାନଙ୍କ ଠାରୁ ଟିକିଏ ଆଡ଼େଇ ହୋଇ ସେ ବସିଲା । ବହୁଦିନ ମାଲେରିଆ ଭୋଗି ତା’ ଗୋଡ଼ ହାତରେ ଫୁଲା ପଡ଼ିଥାଏ । ମୁହଁଟି ଶୁଖି ଶେତା; ପିଳେହି ବଢ଼ି ପେଟ ଫୁଲିଥାଏ । ଚାଡ଼ି ଟଙ୍କା ଗଣିନେବା ପରେ ସ୍ତ୍ରୀ ଲୋକଟି ବହୁକଷ୍ଟରେ ଛିଡ଼ା ହୋଇ ଆଣ୍ଡର୍‌ସନ୍‌ଙ୍କ ଉଦ୍ଦେଶ୍ୟରେ କହିଲା “ଏବେ ମୋ କଥା କ’ଣ ହେବ ହଜୁର୍ ?” ଆଣ୍ଡର୍‌ସନ୍‌ ପଚାରିଲେ, “ତୁମେ ପୁଣି କିଏ ?” ରୋଗିଣୀ ଉତ୍ତର ଦେଲା, “ମୁଁ କାଲୁର ସ୍ତ୍ରୀ ।”

 

କ୍ଳାନ୍ତ, ଭାବହୀନ ସ୍ୱରରେ ବିଚାରୀ ତା’ ଦୁଃଖ ଜଣାଇବାକୁ ଲାଗିଲା । ଏଠାରେ ତା’ର ନିଜର ବୋଲି କେହି ନାହିଁ । କାଲୁ ଏବେ ଆଉ ଗୋଟିଏ ସ୍ତ୍ରୀ ଆଣିଲାଣି । ଖଟି ଖାଇବାକୁ ତା’ ଦେହରେ ଜୋର ନାହିଁ । ଭୋକ ଉପାସରେ ଗଡ଼ି ମରିବା ଛଡ଼ା ତା’ର ଅନ୍ୟ ଗତି ନାହିଁ । ଏତିକି କହି ପଣତ କାନିରେ ମୁହଁ ଲୁଚାଇ ସେ ନୀରବରେ କାନ୍ଦିବାକୁ ଲାଗିଲା । କୋହ ଉପରେ କୋହ ଉଠି ତା’ ଦୁର୍ବଳ ଦେହଟି ଥରି ଯାଉଥାଏ ।

 

କାଲୁର ପ୍ରଥମ ସ୍ତ୍ରୀ ଥିବା କଥା ସେ ପର୍ଯ୍ୟନ୍ତ କେହି ଉଠାଇ ନ ଥିଲେ । ଅପ୍ରତ୍ୟାଶିତ ଭାବେ ଏ ସମସ୍ୟାଟି ଉଠି ପରିସ୍ଥିତିକୁ ଜଟିଳ କରିଦେଲା । ଆଣ୍ଡର୍‌ସନ୍‌ ବଡ଼ ଅଡ଼ୁଆରେ ପଡ଼ିଗଲେ । ସମାଧାନର କୌଣସି ସହଜ ପନ୍ଥା ଖୋଜି ପାଇବା କଷ୍ଟକର । ସଭାରେ ସମସ୍ତେ ନୀରବ । ହଠାତ୍ ଟିଲ୍‌ନି ରୋଗିଣୀ ପାଖକୁ ଧାଇଁ ଯାଇ ତା’କୁ କୁଣ୍ଢାଇ ଧରି କହିଲା, “ତୁମେ କାନ୍ଦନା ଭଉଣୀ । ତମର ଘରଦ୍ୱାର ନାହିଁ ବୋଲି କିଏ କହିଲା ? ମୋ ପାଇଁ ଯେଉଁ ନୂଆ ଘର ତିଆରି ହୋଇଛି, ତମେ ମୋ ପାଖରେ ସେଇଠି ରହିବ । ତମର ସେବା ଯତ୍ନ ସବୁ ମୁଁ ନିଜେ କରିବି । ମୋର ଯାହା ଅଛି ସେଥିରୁ ଅଧେ ତମର । ଆଉ କାନ୍ଦନା ତମେ–ମୋ ସଙ୍ଗେ ଘରକୁ ଚାଲ ।”

 

ରୋଗିଣୀକୁ ନେଇ ଟିଲ୍‌ନି ସେଠାରୁ ଚାଲିଗଲା । ସଭା ଶେଷ ହେଲା । ଆଣ୍ଡର୍‌ସନ୍‌ ଛିଡ଼ା ହୋଇ ଆଖି ପୋଛୁଥାନ୍ତି । ମୁଁ ତାଙ୍କୁ ଅନାଇଛି ଦେଖି ସେ କହି ବସିଲେ ଯେ ଏଇ ପାହାଡ଼ିଆ “ଥଣ୍ଡା ପବନ” ଲାଗି ତାଙ୍କ ଆଖି ନାକରୁ ପାଣି ବୋହୁଛି । ଆଖି ପୋଛିବାର ଅସଲ କାରଣଟା କିନ୍ତୁ ମୋ ପାଖରୁ ଛପି ରହିଲା ନାହିଁ । “ଥଣ୍ଡା ପବନ” ଲାଗି ସଭାରେ ଆହୁରି କେତେଜଣଙ୍କ ନାକ ଆଖିରୁ ମଧ୍ୟ ପାଣି ବୋହୁଥିବା ଲକ୍ଷ୍ୟ କଲି । ଯିବାକୁ ବାହାରିଛୁ–ଏତିକିବେଳେ ଚାଡ଼ି ଆଣ୍ଡର୍‌ସନ୍‌ଙ୍କ ପାଖକୁ ଆସି ତା’ର ଆବେଦନ ପତ୍ରଟି ଫେରସ୍ତ ନେବାକୁ ଚାହିଁଲା । କାଗଜଟି ପାଇ ସେ ତା’କୁ ଟିକି ଟିକି କରି ଚିରି ଫୋପାଡ଼ି ଦେଲା । ତା’ପରେ ଅଣ୍ଟାରୁ ଟଙ୍କା ପୁଡ଼ାଟି ବାହାର କରି ଆଣ୍ଡର୍‌ସନ୍‌ଙ୍କୁ ଦେଇ କହିଲା, “କାଲୁ ଆଉ ମୁଁ ଏକା ଗାଁର ଲୋକ । ତା’କୁ ଏବେ ଦୁଇ ଜଣଙ୍କୁ ପୋଷିବାକୁ ପଡ଼ିବ । ତା’ଭିତରୁ ଜଣେ ରୋଗୀ–ତା’ର ପଥି ଦରକାର । କାଲୁକୁ ତା’ ଟଙ୍କା ଫେରାଇ ଦେବାକୁ ହଜୁର୍ ମୋତେ ଅନୁମତି ଦିଅନ୍ତୁ ।”

 

‘ଶାସନ’ ପୂର୍ବରୁ ନିଜ ଇଲାକାରେ ଗସ୍ତ କରି ଆଣ୍ଡରସନ୍‍ ଓ ରାମ୍‌ସେ ଏପରି ହଜାର ହଜାର ମୋକଦ୍ଦମା ଫଇସଲା କରୁଥିଲେ । ତାଙ୍କ ନ୍ୟାୟନିଶାପରେ ଦୁଇ ପକ୍ଷ ସନ୍ତୁଷ୍ଟ ହୋଇ ଫେରୁଥିଲେ । ମୋକଦ୍ଦମା ଚଳାଇବା ପାଇଁ ଗୋଟିଏ ପଇସା ସୁଦ୍ଧା ଖର୍ଚ୍ଚ କରିବାକୁ ପଡ଼ୁ ନ ଥିଲା । ସେ କାଳ ଚାଲିଗଲା । ତା’ପରେ ଆସିଲା ‘ନାଲିଫିତାର ଯୁଗ’ । ଆପତ୍ତି ଅଭିଯୋଗର ବିଚାର ପାଇଁ ଲୋକେ କଚେରୀ ଅଦାଲତକୁ ଧାଇଁଲେ । ମାଲି ମୋକଦ୍ଦମା ଚଳାଇ ବାଦୀ ପ୍ରତିବାଦୀ ଦୁଇ ପକ୍ଷ କାଙ୍ଗାଳ ହେଲେ । ବିଚାରଦ୍ୱାରା ସମସ୍ୟାର ସମାଧାନ ନ ହୋଇ ଦୁଇ ପକ୍ଷର ଭେଦଭାବ ବରଂ ବଢ଼ିବାକୁ ଲାଗିଲା । ଗାଁ ଗାଁରେ ବାଦ ବିବାଦ, କଳି ତକରାଳର ମଞ୍ଜି ବୁଣା ହେଲା । ମୋକଦ୍ଦମା ପରେ ମୋକଦ୍ଦମା ଲାଗି ଆଇନଜୀବୀଙ୍କ ଧନଦୌଲତ ବଢ଼ିଲା ଓ “ମୋର ଭାରତ”ର ଗରିବ ଚାଷୀ ମୂଲିଆମାନେ ସାମାନ୍ୟ ତାଙ୍କର ସର୍ବସ୍ୱ ହରାଇ ଉଚ୍ଛନ୍ନ ହେବାକୁ ଲାଗିଲେ ।

Image

 

Unknown

ଜଙ୍ଗଲି ଆଇନ

 

ହରକ୍ୱାର ସହିତ କୁନ୍ତୀର ବାହାଘର ହେବା ବେଳକୁ ଦୁହିଁଙ୍କ ବୟସ ମିଶି ଦଶ ବର୍ଷରୁ କମ ହୋଇଥାଏ । ସେତେବେଳେ ଭାରତରେ ବାଲ୍ୟବିବାହ ସ୍ୱାଭାବିକ ଭାବରେ ଚଳୁଥିଲା । ମହାତ୍ମା ଗାନ୍ଧୀ ଓ ମିସ୍ ମେୟୋ ଜନ୍ମଗ୍ରହଣ କରି ନ ଥିଲେ ଏ ପ୍ରଥା ଆଜିଯାଏ ଠିକ୍ ସେହିପରି ଚାଲୁଥାଆନ୍ତା ।

 

ଦୁନାଗିରି ପର୍ବତ ତଳେ ଅଳ୍ପ କେଇ ମାଇଲ ବ୍ୟବଧାନରେ ହରକ୍ୱାର ଓ କୁନ୍ତୀଙ୍କ ଗାଁ । ବାହାଘର ଆଗରୁ ଦୁହେଁ ଦୁହିଁଙ୍କୁ କେବେ ଦେଖି ନ ଥିଲେ । ବାହାଘର ଦିନ ନୂଆ ଲୁଗା ଜାମା ପିନ୍ଧି କେତୋଟି ମୁହୂର୍ତ୍ତ ପାଇଁ ସେମାନେ ହୋଇ ଉଠିଥିଲେ ବନ୍ଧୁବାନ୍ଧବମାନଙ୍କର ଅତି ଆଦରର ପାତ୍ର । ସେଦିନ ତାଙ୍କୁ ପେଟପୂରା ପୁରି ହାଲୁଆ ଖାଇବାକୁ ମିଳିଥିଲା–କେବଳ ଏଇ କଥାଟି ଅନେକ ଦିନଯାଏ ଦୁହିଁଙ୍କର ମନେ ଥାଏ । ଦିନଟି ଥିଲା ବରପିତା ଓ କନ୍ୟାପିତାଙ୍କ ପାଇଁ ମଧ୍ୟ ସ୍ମରଣୀୟ । ଗାଁ ମହାଜନେ ସାହାପକ୍ଷ ହେବାରୁ ସିନା ପୁରୋହିତେ କାଳ ବେଳ ଦେଖି ଶୁଭ କାମଟି ବଢ଼ାଇ ଦେଲେ ! ନ ହେଲେ କି ହୀନସ୍ଥା ସେମାନେ ହୋଇ ନ ଥାନ୍ତେ !! ପିଲାଙ୍କ ବୟସ ହୋଇଯାଇଥାଏ-। ବାହାଘର କରି ନ ଥିଲେ ସାଇଭାଇ ଜାତିପାଟକରେ ମୁଣ୍ଡଟେକି ହୋଇଥାନ୍ତା-? ମହାଜନ ଗରିବଙ୍କ ମା’ ବାପ । ଆତୁର ଦେଖି ଖାତାପତ୍ରରେ ନୂଆ କରି ତାଙ୍କ ନାଁ ଚଢ଼ାଇ ଠିକ୍ ସମୟରେ ଟଙ୍କା କିଛି ଉଧାର ଦେଇଦେଲା । ସେ ଶହକେ ପଚାଶ ସୁଧ ନେବ ତ ନେଉ ! ଅଭାବ ଅସୁବିଧା ବେଳେ ପାଖରେ ଛିଡ଼ା ହେଉଛି ତ ! ଠାକୁରେ କୃପାକଲେ ତା’ ଦେଣାରୁ କିଛି ଶୁଝି ଦେଇ ହେବ । ଆଗକୁ ପୁଣି ଆଉ ପିଲାଙ୍କ ବାହାଘର ଅଛି । ମହାଜନକୁ ଏବେଠୁ ମନାଇ ନ ରଖିଲେ ସେତେବେଳେ କିଏ ତାଙ୍କୁ ସାହା ହେବ ?

 

କୁନ୍ତୀ ଗରିବ ଘର ଝିଅ । ବାହା ହୋଇ ବାପ ଘରକୁ ଫେରିଆସି ସେ ଆଗ ପରି କାମରେ ଲାଗିଗଲା । କେବଳ ତା’ ପୋଷାକପତ୍ରରେ ସାମାନ୍ୟ ଯାହା ପରିବର୍ତ୍ତନ ଘଟିଥାଏ । ଆଗେ ସେ ଜାମା ଖଣ୍ଡେ ପିନ୍ଧୁଥିଲା । ଏବେ ବିବାହିତା ସ୍ତ୍ରୀ ଲୋକଙ୍କ ପରି ତା’କୁ କାଞ୍ଚୁଲି, ଘାଗରା ଓ ଓଢ଼ଣୀ ପିନ୍ଧିବାକୁ ପଡ଼ିଲା ।

 

ବାପ ଘରେ ଖେଳି ବୁଲି କେତୋଟି ବର୍ଷ ପାଣି ପରି ବହିଗଲା । ତା’ ପରେ ଆସିଲା ଶାଶୁଘରକୁ ଯିବା ସମୟ । ମହାଜନେ ସାହାଯ୍ୟ ଦେବାକୁ ପୁଣି ଥରେ ଆଗେଇ ଆସିଲେ । ନୂଆ ଶଙ୍ଖା ଶାଢ଼ୀ ପିନ୍ଧି ଆଖିରୁ ଲୁହ ଝରାଇ ବାଳିକା ବୋହୂଟିଏ ଚାଲିଲା ତା’ର ବାଳକ ବରର ଘରକୁ । ଗରିବଙ୍କ ସଂସାରରେ ବସିଖିଆ କେହି ନ ଥାନ୍ତି । ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ କାମ ଖଞ୍ଜା ହୋଇଥାଏ । ପ୍ରତ୍ୟେକ ମନ ଖୁସିରେ ତା’ କାମ ତୁଲାଏ । ଶାଶୁଘରକୁ ଆସି କୁନ୍ତୀର ଦୈନନ୍ଦିନ ଜୀବନରେ ବିଶେଷ କିଛି ପରିବର୍ତ୍ତନ ଘଟିଲା ନାହିଁ । ମା’ ପାଖରେ ସେ ଯେଉଁ କାମ କରୁଥିଲା, ଶାଶୁ ପାଖରେ ଠିକ୍ ସେଇ କାମରେ ଲାଗିଗଲା ।

 

କୁନ୍ତୀ ରୋଷେଇବାସରେ ଶାଶୁ ନଣନ୍ଦଙ୍କୁ ସାହାଯ୍ୟ କରେ । ସକାଳଖିଆ ସରିବା ପରେ ମୂଲ ଲାଗିବା ପାଇଁ ବଡ଼ରୁ ସାନଯାଏ ସମସ୍ତେ ବାହାରି ପଡ଼ନ୍ତି । ଆମେରିକାନ୍ ମିଶନ ସ୍କୁଲରେ ଗୀର୍ଜ୍ଜା ଘରଟିଏ ତୋଳା ହେଉଥାଏ । ହରକ୍ୱାରର ବାପ ସେଠାରେ ରାଜମିସ୍ତ୍ରୀ କାମ କରେ । ବାପର ବୃତ୍ତି ଶିଖିବାକୁ ହରକ୍ୱାରର ଭାରି ଇଚ୍ଛା । ତେବେ ମିସ୍ତ୍ରୀ କାମ ଶିଖିବା ଯାଏ ତା’କୁ ମୁଲିଆ କାମ କରିବାକୁ ହେବ । ମିସ୍ତ୍ରୀମାନଙ୍କ ପାଖକୁ ସେ ଇଟା ଚୂନ ଯୋଗାଏ । ଦଶ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ମଜୁରି ପାଏ ଦୁଇ ଅଣା । ଏଣେ କୁନ୍ତୀ ବାସନ ମାଜି ସାରି ଶାଶୁ ନଣନ୍ଦଙ୍କ ସାଙ୍ଗରେ ଗାଁ ମୁଖିଆଙ୍କ ବିଲରେ ଯାଇ ପହଞ୍ଚେ । ସେଠାରେ ଦଶ ଘଣ୍ଟା ଖଟି ସେ ଅଣାଏ ମଜୁରି ଆଣେ । ସଞ୍ଜବେଳକୁ ହାଲିଆ ହୋଇ ସମସ୍ତେ ଘରକୁ ଫେରନ୍ତି । ଘରଟି ପୁଣି ତାଙ୍କ ନିଜର ନୁହେଁ-। ମୁଖିଆଙ୍କୁ କୁହାବୋଲା କରି ତାଙ୍କରି ଜାଗାରେ ସେମାନେ ବସା ଖଣ୍ଡିଏ ବାନ୍ଧିଥାନ୍ତି । ବଡ଼ମାନେ କାମକୁ ଯିବା ପରେ ପିଲାଏ ଖରାବେଳ ସାରା କାଠ ପତର ଗୋଟାଇ ଆଣି ଘରେ ଜମାଇଥାନ୍ତି । ଚୂଲି ଲାଗେ । ଖିଆପିଆ କରିବା ପାଇଁ ଚୂଲିନିଆଁ ଛଡ଼ା ଆଲୁଅର ଅନ୍ୟ ବ୍ୟବସ୍ଥା ନ ଥାଏ । ବାସନତକ ମାଜି ଧୋଇ ସଜାଡ଼ି ରଖିବା ପରେ ଯେଝା ଜାଗାକୁ ଯିଏ ଶୋଇବାକୁ ଯାଆନ୍ତି-। ବାପ ଓ ପୁଅମାନେ ଏକାଠି ଶୁଅନ୍ତି । କୁନ୍ତୀ ତା’ ଶାଶୁ ନଣନ୍ଦଙ୍କ ପାଖରେ ଶୋଇପଡେ଼ ।

 

ରାଣୀଖେତ ସେନାନିବାସରୁ ତିନି ମାଇଲ ଦୂରରେ ହରକ୍ୱାରର କକାର ଗାଁ । ଛାଉଣୀରେ ସୈନ୍ୟମାନେ ରହିବା ପାଇଁ ଘର ଗୁଡ଼ିଏ ତିଆରି ହେଉଥାଏ । ହରକ୍ୱାର ପାଇଁ ସେଠାରେ ରାଜମିସ୍ତ୍ରୀ କାମ ଖଣ୍ତେ ସହଜରେ ଯୋଗାଡ଼ ହୋଇଗଲା । ଖାଦାନରୁ ପଥର ବୋହି ଆଣି ଘର ତିଆରି ପାଖରେ ଯୋଗାଇବା ପାଇଁ କୁନ୍ତୀକୁ ମୂଲିଆଣି କାମଟିଏ ମିଳିଲା । ରହିବାକୁ ହରକ୍ଵାରର କକା ତା’ ଗାଁରେ କୁଡ଼ିଆଟିଏ ଯୋଗାଇଦେଲା । ଅଳ୍ପ କେତୋଟି ଘରକରଣା ଜିନିଷ ଧରି ହରକ୍ଵାର ଓ କୁନ୍ତୀ ନିଜ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଲେ । ହରକ୍ୱାରକୁ ସେତେବେଳେ ଅଠର ବର୍ଷ ହୋଇଥାଏ । କୁନ୍ତୀର ବୟସ ମାତ୍ର ଷୋହଳ ।

 

ରାଣୀଖେତରେ ଚାରି ବର୍ଷ କାମ ଚାଲିଲା । ସେ ଭିତରେ କୁନ୍ତୀର ଦୁଇଟି ପିଲା ହୋଇଥାନ୍ତି । ଚତୁର୍ଥ ବର୍ଷ ନଭେମ୍ବର ମାସରେ କାମ ସରିଲା । ନୂଆ କାମ ଖଣ୍ତେ ଖୋଜିବାକୁ ହେବ । ଅଳ୍ପ ରୋଜଗାରରେ ସଂସାର ଚଳାଇ ଯାହା ଦୁଇ ପଇସା ବଞ୍ଚିଥାଏ, ତା’ ଦିନ କେଇଟାକୁ ନିଅଣ୍ଟ । ନୂଆ କାମ ଖଣ୍ତେ ଅତି ଶୀଘ୍ର ନ ମିଳିଲେ ନ ଚଳେ ।

 

ସେ ବର୍ଷ ଟିକେ ଆଗରୁ ଥଣ୍ଡା ପଡ଼ି ନାହିଁ ନ ଥିବା ଶୀତ ହେଉଥାଏ । ଚାରି ପ୍ରାଣୀଙ୍କ ପାଇଁ ଘରେ ଶୀତଲୁଗା ଖଣ୍ତେ ନ ଥାଏ । ହରକ୍ୱାର ତେଣେ ସପ୍ତାହ ହେଲା କାମ ଖୋଜି ଖୋଜି ଥକିଲାଣି; କାମ ମିଳିବାକୁ ନାହିଁ । ଏତିକିବେଳେ ଖବର ମିଳିଲା ଯେ ପାହାଡ଼ ତଳ କାଲାଦୁଙ୍ଗୀ * ମୁଲକରେ ନାଳ ମୁହାଣଟିଏ ତିଆରି ହେଉଛି । ବଣ ପାହାଡ଼ ଭିତରେ ସେଠାକୁ ପଚାଶ ମାଇଲ ବାଟ । ମନରେ କେତେ ଆଶା ନେଇ ଅତି ଉତ୍ସାହରେ ସ୍ଵାମୀ ସ୍ତ୍ରୀ ଦୁହେଁ କାଲାଦୁଙ୍ଗୀ ବାହାରିଲେ । ଘରକରଣା ଜିନିଷ କେତୋଟି ମୁଣ୍ଡାଇ ପାଳି କରି କାଖେଇ ବଣ ପାହାଡ଼ ରାସ୍ତାରେ ଉଠି ପଡ଼ି ଦୁହେଁ ଚାଲିଥାନ୍ତି । ରାତିରେ ପିଲାଙ୍କୁ ନେଇ ଗଛ ମୂଳେ ଶୋଇ ପଡ଼ନ୍ତି । ସକାଳୁ ଉଠି ପୁଣି ବାଟ ଧରନ୍ତି । ଏହିପରି ଛଅ ଦିନ ଅନବରତ ବାଟ ଚାଲି ଦୁହେଁ କ୍ଳାନ୍ତ ହୋଇ ଆସି କାଲାଦୁଙ୍ଗୀରେ ପହଞ୍ଚିଲେ ।

 

*

କରବେଟ୍‍ କାଲାଦୁଙ୍ଗୀ ଅନ୍ତର୍ଗତ ଛୋଟି ହଲଦ୍ୱାନୀ ଗ୍ରାମର ବାସିନ୍ଦା । –ଅନୁବାଦକ

 

ସେତେବେଳକୁ ହାତରୁ ପଇସା ସରିଲାଣି । ଏଠି ତ ଗାଁ ମହାଜନ ନାହିଁ ଯେ କିଛି ଧାର ଉଦ୍ଧାର କରି ଗରଜ ଚଳାଇ ଦେବେ ! ତାଙ୍କ ପରି ଦଳିତ ସମ୍ପ୍ରଦାୟର କେତେ ଭୂମିହୀନ ମଜଦୂର ଶୀତଦିନ ଆରମ୍ଭରେ ପାହାଡ଼ିଆ ଗାଁ ଗଣ୍ଡାରୁ ଗଡ଼ି କାଲାଦୁଙ୍ଗୀରେ କୁଡ଼ିଆ କରି ରହନ୍ତି । ବଡ଼ ବଡ଼ ଏଇ କୁଡ଼ିଆ ଗୁଡ଼ିକରେ ସମୁଦାୟ ତିରିଶଟି ପରିବାର ଏକାଠି ଚଳିବା ଭଳି ଜାଗା ଥାଏ । କିନ୍ତୁ ହରକ୍ୱାର ଓ କୁନ୍ତୀ ପହଞ୍ଚିବା ବେଳକୁ କୁଡ଼ିଆ ସବୁ ଭରପୂର । କେଉଁଥିରେ ଆଉ ମୁଣ୍ଡ ଗୁଞ୍ଜିବାକୁ ରାହା ନ ଥାଏ । ନିଜ ପାଇଁ ଅଲଗା କରି ଚୂଲିଚାଳ ଖଣ୍ଡେ ତିଆରି କରିବାକୁ ଦୁହେଁ ଜାଗା ଖୋଜିଲେ । ଜଙ୍ଗଲ ପାଖରେ ରହିଲେ ଜାଳ ଗୋଟାଇବାକୁ ସୁବିଧା । ତେଣେ ବଜାର ବେଶି ଦୂର ହେଲେ ଚଳିବ ନାହିଁ । ଶେଷରେ ଜଙ୍ଗଲ ଧାରରେ ସୁବିଧା ଜାଗାଟିଏ ବାଛି ପତ୍ର କୁଡ଼ିଆଟିଏ ତିଆରି କରିବାକୁ ଆରମ୍ଭ କଲେ । ଦିନ ସାରା ଦୁହେଁ ମୂଲ ଲାଗନ୍ତି । ସକାଳେ ସଞ୍ଜେ ଘର ତିଆରି ପାଇଁ ଯାହା ସମୟ ମିଳେ । ବହୁଦିନ ଲାଗି କୁଡ଼ିଆଟି ତିଆରି କରିବା ପରେ ହରକ୍ୱାର ଓ କୁନ୍ତୀ ପିଲାଙ୍କୁ ନେଇ ସେଠାକୁ ଚାଲି ଆସିଲେ । ସେତେବେଳେ ତାଙ୍କ ପୁଅ ପୁନ୍ଵା ତିନି ବର୍ଷର ପିଲା । ଝିଅ ପୁତ୍‍ଲିର ବୟସ ମାତ୍ର ଦୁଇ ବର୍ଷ ।

 

ଯେଉଁ ଜଙ୍ଗଲ ଧାରରେ ହରକ୍ୱାର ବସା କରି ରହିଲା, ସେଟି ଥିଲା ମୋର ଅତି ପ୍ରିୟ ଶିକାରଭୂମୀ । ପିଲାଦିନେ ଦଦରା ଦାରୁଖୁନ୍ଦା ବନ୍ଧୁକଟିଏ ଧରି ସେଇ ଜଙ୍ଗଲରେ ମୁଁ କେତେ ବଣ କୁକୁଡ଼ା ଓ ମୟୂର ମାରିଛି । ପରେ ହାତରେ ଆଧୁନିକ ରାଇଫଲ୍ ଧରି ବଡ଼ ଶିକାର ସନ୍ଧାନରେ ଏହାର ଅନ୍ଦି ସନ୍ଧି ସବୁ ଖୋଜି ବୁଲିଛି । ଏ ଜଙ୍ଗଲର ପ୍ରତ୍ୟେକ ଅଂଶ ସହିତ ମୁଁ ଭଲ ଭାବେ ପରିଚିତ । ଏଥିରେ ରହୁଥିବା ଜୀବଜନ୍ତୁଙ୍କ ହିସାବ ମୁଁ ମୁହେଁ ମୁହେଁ ରଖିଥାଏ । ହରକ୍ଵାର ଏଠି ବସା ବାନ୍ଧିବାବେଳେ ଏଇ ଜଙ୍ଗଲରେ ପାଞ୍ଚଟି ମହାବଳ ବାଘ, ଆଠଟି ଚିତା ବାଘ ଓ ଦଳ ବାନ୍ଧି ଚାରୋଟି ଭାଲୁ ରହିଥାନ୍ତି । ବଣ କୋଳି ଓ ମହୁ ଲୋଭରେ ହିମାଳୈୟ କଳାଭାଲୁ ଦୁଇଟି ଏଠାକୁ ଗଡ଼ିଥିବା ମୋତେ ଜଣାଥାଏ । ପାଞ୍ଚମାଇଲ ଦୂର ଘାସ ବଣରେ ରହୁଥିବା ଗୁଡ଼ିଏ ଗଧିଆ ବାଘ ରାତିରେ ଏ ଜଙ୍ଗଲରେ ପଶି ଚିତା ଓ ମହାବଳ ବାଘଙ୍କ ଉଚ୍ଛିଷ୍ଟ ଖୋଜି ଖାଆନ୍ତି । ହଳେ ବଳିଆ କୁକୁର ମୁଁ ଏଠାରେ ଦେଖିଥାଏ । ଏହାଛଡ଼ା ବିଲୁଆ, କୋକିଶିଆଳି, ଚିତ୍ରୋଳା ଶାଳିଆପତନି ଓ କଟାସ ଆଦି ନାନା ରକମର ବଣ ବିରାଡ଼ି, ଦୁଇଟି ଅଜଗରଙ୍କ ସମେତ ନାନା ଜାତିର ସାପ, ଦୁଇ ପ୍ରକାର ଇଗଲ ଚଢ଼େଇ ଓ ଶହ ଶହ ଶାଗୁଣା ମଧ୍ୟ ଏଠାରେ ରହନ୍ତି । ହରିଣ, ସମ୍ବର, ବାର୍‌ହା, ମାଙ୍କଡ଼ ପ୍ରଭୃତି ଜନ୍ତୁଙ୍କ ହିସାବ ମୁଁ ଦେଉନାହିଁ । ଏମାନେ “ହିଂସ୍ରଜନ୍ତୁ” ହୋଇ ନ ଥିବାରୁ ସେମାନଙ୍କ ପାଇଁ ଏ କାହାଣୀରେ ସ୍ଥାନ ନାହିଁ ।

 

କୁଡ଼ିଆ ତିଆରି ସରିବା ପରଦିନ ନାଳ ମୁହାଣ ଠିକାଦାର ପାଖରେ ଦିନକୁ ଆଠ ଅଣା ମଜୁରିରେ ହରକ୍ୱାର ରାଜମିସ୍ତ୍ରୀ କାମଟିଏ ପାଇଲା । କୁନ୍ତୀ ତେଣେ ଜଙ୍ଗଲ ବିଭାଗରେ ଦୁଇ ଟଙ୍କା ସଲାମୀ ଦେଇ ପାହାଡ଼ କଡ଼ରୁ ଘାସ କାଟିବା ପାଇଁ ଅନୁମତି ଆଣିଥାଏ । ମହଣେ ଓଜନ ଘାସ ଗୋଛାଏ ମୁଣ୍ଡାଇ ପାହାଡ଼ିଆ ଢାଲୁ ରାସ୍ତାରେ ଚଢ଼ି ଓହ୍ଲାଇ ଚଉଦ ମାଇଲ ଯିବାପରେ ସେ ବଜାରରେ ପହଞ୍ଚେ । ଦୋକାନୀଙ୍କୁ ଘାସତକ ବିକି ଚାରିଅଣା ପଇସା ପାଏ । ଘାସବିକ୍ରିର ଠିକା ଧରିଥିବା ଇଜରାଦାର ତା’ ପାଉଣା ବାବଦକୁ ସେଥିରୁ ଅଣାଏ ନେଇଯାଏ । ତିନି ଅଣା ପଇସା ଧରି କୁନ୍ତୀ ଘରକୁ ଫେରେ । ସେତେବେଳେ ଖାଦ୍ୟଦ୍ରବ୍ୟ ସବୁ ଖୁବ୍ ଶସ୍ତା । ଦୁହିଙ୍କ ମଜୁରି ମିଶି ଛୋଟ ତାଙ୍କ ସଂସାରଟି ସୁରୁଖୁରୁରେ ଚଳିଯାଏ । ଖର୍ଚ୍ଚ ତୁଲାଇବା ବାଦେ ମାସକୁ ଥରେ ଅଧେ ମାଂସ କିଣି ଖାଇବାକୁ ମଧ୍ୟ ପଇସା ବଳିପଡ଼େ ।

 

କାଲାଦୁଙ୍ଗୀରେ ତିନି ମାସ ରହିବା କଥା । ସେଥିରୁ ଦୁଇଟି ମାସ ବେଶ ସୁଖ ଶାନ୍ତିରେ କଟିଗଲା । ଦିନ ସାରା ହାଡ଼ଭଙ୍ଗା ମେହେନତ ପଡ଼େ । ନିଶ୍ୱାସ ମାରିବାକୁ ଫୁରସତ ନ ଥାଏ । କିନ୍ତୁ ପିଲାଦିନୁ ଦୁହେଁ ଭିଡ଼କାମ ପ୍ରତି ଅଭ୍ୟସ୍ତ; ପରିଶ୍ରମକୁ ଖାତିର କରନ୍ତି ନାହିଁ । ପାଗ ଭଲ ଥିବାରୁ ପତ୍ର କୁଡ଼ିଆରେ ରହିବାକୁ କିଛି ଅସୁବିଧା ହୁଏନା । ପିଲାଙ୍କ ଦେହ ପା’ ମଧ୍ୟ ଭଲଥାଏ । ଏସବୁ ଉପରେ ଦୁଇ ବେଳ ଯେ ପେଟ ପୂରା ଖାଇବାକୁ ମିଳୁଛି–ଏହାକୁ ପରମ ସୌଭାଗ୍ୟ ମନେ କରି ଦୁଇ ପ୍ରାଣୀ ଆନନ୍ଦରେ କାଳ କାଟୁଥାନ୍ତି । ପିଲାଙ୍କୁ ଏକାକୀ ଘରେ ଛାଡ଼ି କାମକୁ ଯିବାକୁ ପ୍ରଥମେ ଟିକିଏ ଭୟ ଲାଗୁଥିଲା । ଏଥିର ଗୋଟିଏ ସହଜ ସମାଧାନ ସେମାନେ ଖୋଜି ପାଇଲେ-। ତାଙ୍କ ବସାରୁ କେଇ ଶହ ଗଜ ଦୂର ମଜୁରିଆ ବସ୍ତିର ଜଣେ ଛୋଟୀ ବୁଢ଼ୀ ପିଲାଙ୍କ ଉପରେ ଆଖି ରଖିବାକୁ ରାଜି ହେଲା । ବ୍ୟବସ୍ଥାଟି ଦୁଇ ମାସ ଯାଏ ଭଲ କାମ ଦେଲା । ଦିନସାରା ପିଲା ଦୁହେଁ ବୁଢ଼ୀ ଜିମା ରହନ୍ତି । ହରକ୍ୱାର ଚାରି ମାଇଲ ବାଟ ଚାଲି କାମ ପାଖରେ ପହଞ୍ଚେ । କୁନ୍ତୀ ଘାସ କାଟିବାକୁ ଚାଲିଯାଏ । ସଞ୍ଜରେ ଘରକୁ ଫେରିବା ବେଳକୁ ପିଲାଏ ତାଙ୍କ ବାଟ ଚାହିଁ ବସିଥାନ୍ତି ।

 

ଶୁକ୍ରବାର ଦିନ କାଲାଦୁଙ୍ଗୀରେ ହାଟ ବସେ । ଛୋଟ ଛୋଟ ଖୋଲା ଚାଳିଆରେ ଫଳମୂଳ, ପନିପରିବା ଆଦି ନାନା ଦ୍ରବ୍ୟ ଗଦା ହୋଇଯାଏ । ଆଖପାଖ ଗାଁଗଣ୍ଡାରୁ ଅନେକ ଲୋକ ଆସି ହାଟରେ ରୁଣ୍ଡ ହୁଅନ୍ତି । ଦିନସାରା କିଣାବିକା ପରେ ସଞ୍ଜବେଳକୁ ବଳକା ଜିନିଷର ଦାମ ଟିକିଏ ଖସେ । ଶସ୍ତାରେ ସଉଦା କିଣିବା ଆଶାରେ ହରକ୍ୱାର ଓ କୁନ୍ତୀ ସେଦିନ ଅଧଘଣ୍ଟା ଆଗରୁ କାମ ସାରି ଆସି ହାଟରେ ପହଞ୍ଚିନ୍ତି ।

 

ସେଦିନ ଶୁକ୍ରବାର । ହାଟପାଳି । କିଛି ପରିବା ଓ ଅଧସେର ଛେଳିମାଂସ କିଣି ସ୍ଵାମୀ ସ୍ତ୍ରୀ ସଞ୍ଜବେଳେ ଘରକୁ ଫେରିଲେ । ସବୁଦିନେ ତାଙ୍କୁ ପାଛୋଟି ନେବା ପାଇଁ ପୁନ୍ଵା ଓ ପୁତ୍‌ଲୀ ଦୁଆରମୁହଁରେ ଟାକି ବସିଥାନ୍ତି । ସେଦିନ ପିଲାଙ୍କୁ ସେଠାରେ ନ ଦେଖି ଦୁହେଁ ମଜୁରିଆ ବସ୍ତିରେ ଯାଇ ପଚାରିଲେ । ବୁଢ଼ୀ କହିଲା ଯେ ଖରାବେଳୁ ସେ ପିଲାଙ୍କୁ ଆଉ ଦେଖିନାହିଁ । ବସ୍ତି ପିଲାଏ ଚକ୍‌ରୀ ଖେଳ ଦେଖିବାକୁ ହାଟକୁ ଯାଇଥାନ୍ତି । ପୁନ୍ଵା ପୁତ୍‌ଲୀ ସେମାନଙ୍କ ସଙ୍ଗେ ଯାଇଥିବେ ବୋଲି ବୁଢ଼ୀ ମତ ଦେଲା । କଥାଟା ଅସମ୍ଭବ ନୁହେଁ । ପିଲାଙ୍କୁ ଖୋଜିବାକୁ ହରକ୍ୱାର ହାଟକୁ ଚାଲିଲା । କୁନ୍ତୀ ରୋଷେଇ ଆରମ୍ଭ କରିବାକୁ ଗଲା ଘରକୁ ।

 

ଘଣ୍ଟାଏ ପରେ ହରକ୍ୱାର ନିରାଶ ହୋଇ ଫେରିଲା । ସାଙ୍ଗରେ ତା’ର କେଇ ଜଣ ଗାଁ ଲୋକ । ସମସ୍ତେ ମିଶି ହାଟସାରା ଖୋଜ ତଲାସ କରି ପିଲାଙ୍କ ପତ୍ତା ପାଇ ନ ଥାନ୍ତି । ଅନେକ ଲୋକଙ୍କୁ ପଚରାଗଲା । ପିଲାଙ୍କୁ ଦେଖିଥିବା କଥା କହିଲେ ନାହିଁ । ପିଲା ଚୋରି ହେଉଛି ବୋଲି ଗୋଟିଏ ଜନରବ ସେତେବେଳେ ଭାରତବର୍ଷ ସାରା ବ୍ୟାପି ଯାଇଥାଏ । ବୁଲା ଫକୀର ଦଳ ପିଲା ଚୋରି କରି ଉତ୍ତର–ପଶ୍ଚିମ ସୀମାନ୍ତରେ ବିକି ଦେଉଛନ୍ତି ବୋଲି ଉଡ଼ା ଖବର ଶୁଣା ଯାଉଥାଏ । ଏ ଗୁଜବରେ କେତେ ସତ ଥିଲା ତାହା କହିପାରୁନାହିଁ । ତେବେ ଲୋକେ ଫକୀରଙ୍କୁ ମାର ଧର କରୁଥିବା ଓ ସ୍ଥାନେ ସ୍ଥାନେ ପୋଲିସ ହସ୍ତକ୍ଷେପ କରି ଫକୀରଙ୍କ ପ୍ରାଣରକ୍ଷା କରୁଥିବା ଖବର ବାରମ୍ବାର ଖବରକାଗଜରେ ବାହାରୁଥାଏ । ଭାରତବର୍ଷର ପ୍ରତ୍ୟେକ ବାପା ମା’ ଭୀତତ୍ରସ୍ତ ହୋଇ ରହିଥାଆନ୍ତି । ପିଲାଙ୍କୁ ନ ପାଇ ସମସ୍ତଙ୍କ ମନକୁ ପାପ ଛୁଇଁଲା । ଫକୀରମାନେ ହାଟରୁ ପିଲାଙ୍କୁ ଚୋରାଇ ନେଇଥିବା ସନ୍ଦେହ କରି କଥାଟି କୁନ୍ତୀକୁ ଫିଟାଇ କୁହାଗଲା ।

 

ଗାଁ ତଳମୁଣ୍ଡରେ ଥିବା ପୋଲିସ ଫାଣ୍ଡି ଦାୟିତ୍ୱରେ ବୁଢ଼ା ହେଡ୍ କନେଷ୍ଟବଲ୍ ଜଣେ ଥାଆନ୍ତି । ଫାଣ୍ଡିର ଆଉ ଦୁଇ ଜଣ କନଷ୍ଟେବଲ୍ ମଧ୍ୟ ବୁଢ଼ା ଲୋକ । ଗାଁବାଲାଙ୍କ ସଙ୍ଗେ ହରକ୍ୱାର ଓ କୁନ୍ତୀ ଫାଣ୍ଡିକୁ ଧାଇଁଲେ । ଦୁହେଁ ବଡ଼ ବିଚଳିତ ହୋଇ ପଡ଼ିଥାଆନ୍ତି । ହେଡ୍‍ କନେଷ୍ଟବଲ୍ ବୁଢ଼ାଟି ବଡ଼ ଦୟାଳୁ । ତାଙ୍କର ତ ପୁଣି ନିଜର ପିଲାଛୁଆ ଅଛନ୍ତି ! ସବୁ କଥା ମନ ଦେଇ ଶୁଣି ସେ ଇଜାହାର ଡାଏରୀ କଲେ ଓ ଦୁହିଁଙ୍କୁ ଅନେକ କଥା କହି ବୋଧ ଦେଲେ । କହିଲେ ଯେ, ରାତିରେ ତ ଆଉ କିଛି କରି ହେବ ନାହିଁ । ରାତି ପାହିଲେ ସେ ନାଗରାବାଲା ପଠାଇ କାଲାଦୁଙ୍ଗୀର ପନ୍ଦର ଖଣ୍ଡ ଗାଁର ପିଲା ହଜିବା କଥା ହୁଲିଆଜାରି କରାଇଦେବେ । ପଚାଶ ଟଙ୍କା ପୁରସ୍କାର ଘୋଷଣା କଲେ ପିଲା ଆହୁରି ସହଜରେ ମିଳିଯିବେ ବୋଲି ସେ ମତ ଦେଲେ । ଟଙ୍କା କଥା ଶୁଣି ହରକ୍ୱାର ଓ କୁନ୍ତୀ ତାଟକା ! ପଚାଶ ଟଙ୍କା ଜୀବନରେ ସେମାନେ ଏକାଠି କେବେ ଦେଖି ନାହାନ୍ତି । ଏତେଗୁଡ଼ିଏ ଟଙ୍କା କାହୁଁ ପାଇବେ ? କାଲାଦୁଙ୍ଗୀର ଜଣେ ବାସିନ୍ଦା * ଏକଥା ଶୁଣିପାରି ଟଙ୍କାତକ ନିଜେ ଦେବାକୁ ପ୍ରତିଶ୍ରୁତି ଦେଲେ । ନାଗରାବାଲା ସକାଳୁ ଗାଁ ଗାଁ ବୁଲି ପୁରସ୍କାର ଘୋଷଣା କରିଦେଲା ।

 

*

ଲେଖକ ଏହି ପରୋପକାରୀ ଲୋକଟିର ପରିଚୟ ଦେଇନାହାନ୍ତି । କରବେଟ୍‍ଙ୍କ ମହାନୁଭବତା ଦୃଷ୍ଟିରୁ ସେ ନିଜେ ଏହି ପ୍ରତିଶ୍ରୁତି ଦେଇଥିଲେ ବୋଲି ମୋର ବିଶ୍ୱାସ । –ଅନୁବାଦକ

 

ହରକ୍ୱାର ଓ କୁନ୍ତୀ କ’ଣ ଦି’ଟା ମୁହଁରେ ଦେଇ ରାତିସାରା ଉଜାଗର ରହିଲେ । ପିଲାଙ୍କ ଖାଇବା ପାଇଁ ସବୁ କାଢ଼ି ରଖି ହାଡ଼ଭଙ୍ଗା ଶୀତରେ ଦୁହେଁ ନିଆଁ ପାଖରେ ବସିଥାନ୍ତି । ଜବାବ ପାଇବେ ନାହିଁ ବୋଲି ଜାଣି ସୁଦ୍ଧା ମଝିରେ ମଝିରେ ବାହାରକୁ ଯାଇ ପିଲାଙ୍କ ନାଁ ଧରି ଡାକ ଦେଉଥାଆନ୍ତି ।

 

ରାତିସାରା ଅନାଇ ବସି ଦୁହେଁ ଗୋଟିଏ କଥା ଠିକ୍ କଲେ । ହଲଦ୍ୱାନୀରୁ ରାମନଗର ଯାଇଥିବା ରାସ୍ତା କାଲାଦୁଙ୍ଗୀ ପାଖରେ ନୈନିତାଲ ବାଜପୁର ସଡ଼କ ସହିତ ମିଶେ । ଏଇ ରାସ୍ତାରୁ ଗୋଟିକରେ ପିଲାଚୋର ଯାଇଥିବା ସମ୍ଭବ । ସକାଳ ସୁଦ୍ଧା ପିଲାଏ ନ ଫେରିଲେ ନିଜେ ଏହି ରାସ୍ତାମାନଙ୍କରେ ଯାଇ ଅନୁସନ୍ଧାନ କରିବେ ବୋଲି ଦୁହେଁ ଠିକ୍ କଲେ ।

 

ଶନିବାର ସକାଳ । ଦୁହେଁ ପାହାନ୍ତାରୁ ଯାଇ ହେଡ୍‍ କନେଷ୍ଟବଲ୍‍ଙ୍କୁ ଏ କଥା ଜଣାଇଲେ-। ହେଡ୍ କନେଷ୍ଟବଲ୍‍ ସେତେବେଳେକୁ ଘଟଣାର ବିବରଣୀ ଓ ପିଲାଙ୍କ ବର୍ଣ୍ଣନା ଡାକ ହରକରା ଦ୍ୱାରା ହଲଦ୍ୱାନୀ ପୋଲିସ୍ ଦାରୋଗାଙ୍କ ପାଖକୁ ପଠାଇବା ବନ୍ଦୋବସ୍ତ କରିଥାନ୍ତି । ଏହାଛଡ଼ା ସବୁ ରେଳଷ୍ଟେସନକୁ ଏ ବିଷୟ ତାର ଦ୍ୱାରା ଜଣାଇ ଦେବାକୁ ଦାରୋଗାବାବୁଙ୍କୁ ସେ ଅନୁରୋଧ କରିଛନ୍ତି ବୋଲି କହିଲେ । ହରକ୍ୱାର ଓ କୁନ୍ତୀଙ୍କ ମନରେ ଟିକିଏ ଦମ୍ଭ ଆସିଲା । ତା’ପରେ ପିଲାଙ୍କୁ ଖୋଜିବା ପାଇଁ ଦୁହେଁ ନିଜ ନିଜ ବାଟରେ ବାହାରି ଗଲେ । ରାମନଗର ଓ ହଲଦ୍ଵାନୀ ଥାନାରେ ମଧ୍ୟ ଏତଲା ଦେଇ ଆସିବାକୁ ହେଡ୍‍ କନେଷ୍ଟବଲ୍ ସେମାନଙ୍କୁ ପରାମର୍ଶ ଦେଇଥାଆନ୍ତି ।

 

ଅଠାଇଶ ମାଇଲ ବାଟ ଚାଲି କୁନ୍ତୀ ହଲଦ୍ୱାନୀରୁ ଫେରିବାବେଳକୁ ଦିନ ରତରତ ହେଉଥାଏ । ପିଲାଙ୍କ କଥା ବୁଝିବା ପାଇଁ ସେ ପ୍ରଥମେ ଫାଣ୍ଡିରେ ଯାଇ ହାଜର ହୋଇଗଲା । ସେ ନିଜେ ପିଲାଙ୍କର ଖୋଜଖବର କିଛି ପାଇ ନ ଥାଏ । ତେବେ ହେଡ୍‍ କନେଷ୍ଟବଲ୍ କହିବା ଅନୁସାରେ ହଲଦ୍ୱାନୀ ଥାନାରେ ଇଜାହାର ଦେଇ ଆସିଥାଏ । ହରକ୍ଵାର କିଛି ସମୟ ପରେ ରାମନଗରରୁ ଫେରିଲା । ଦିନକରେ ସେ ଛତିଶ ମାଇଲ ବାଟ ଚାଲିଥାଏ । ପିଲାଙ୍କୁ ନ ପାଇ ରାମନଗର ଥାନାରେ ସେ ମଧ୍ୟ ଏତଲା ଦେଇଥାଏ । ସ୍ୱାମୀ ସ୍ତ୍ରୀ ଦୁହେଁ ଫାଣ୍ଡିରୁ ଫେରିଲେ । ଗାଁ ଲୋକେ ଘରେ ତାଙ୍କୁ ଅପେକ୍ଷା କରି ବସିଥାଆନ୍ତି । ସେମାନଙ୍କ ଠାରୁ ଆଶ୍ୱାସନା ପାଇ ହାତଭାଗ୍ୟ ବାପା ମା’ ଦୁହେଁ ଟିକିଏ ଆଶ୍ୱସ୍ତ ହେଲେ ।

 

ରାତି ପାହିଲା । ସେଦିନ ରବିବାର । ପୂର୍ବଦିନର କାର୍ଯ୍ୟକ୍ରମର ପୁନରାବୃତ୍ତି ହେଲା । ଭୋରରୁ ଉଠି କୁନ୍ତୀ ନୈନିତାଲ ଗଲା । ହରକ୍ୱାର ଗଲା ବାଜପୁର । ପୁଣି ଥରେ ନିରାଶ ହୋଇ ଦୁହେଁ ସଞ୍ଜବେଳକୁ ଫେରିଲେ । ସେଦିନ କୁନ୍ତୀ ତିରିଶ ମାଇଲ ବାଟ ଚାଲିଥିଲା । ହରକ୍ୱାର ଚାଲିଥିଲା ବତିଶ ମାଇଲ । ବଣ ପାହାଡ଼ଭରା ଏହି ଦୁର୍ଗମ ରାସ୍ତାମାନଙ୍କରେ ହିଂସ୍ରଜନ୍ତୁ ଓ ଡକାୟତଙ୍କ ଭୟରେ ଲୋକେ ଦିନରେ ଦଳବାନ୍ଧି ଯିବାକୁ ମଧ୍ୟ ସାହସ କରନ୍ତି ନାହିଁ । ସେଥିରେ ଏକାଟିଆ ଯିବା ଭଳି ଦୁଃସାହସ କେହି ସ୍ୱପ୍ନରେ ସୁଦ୍ଧା କରେନା । ଗଭୀର ହତାଶରେ ଏ ହତଭାଗ୍ୟ ଦୁଇଜଣ ଜୀବନର ଆଶା ଛାଡ଼ି ଅକାତରରେ ସେଦିନ ଏହି ରାସ୍ତାରେ ଏକାକୀ ଆଗେଇ ଯାଇଥିଲେ ।

 

ଦିନଟା ପୁରା ଉପାସରେ କଟିଥାଏ । ସନ୍ଧ୍ୟାରେ କ୍ଳାନ୍ତ ଦେହ ମନ ନେଇ ଦୁହେଁ ଫେରିଆସି ଶୁଣିଲେ ଯେ ସେ ପର୍ଯ୍ୟନ୍ତ ପିଲାଙ୍କର ଖବର କିଛି ମିଳିନାହିଁ । ଏହି ମର୍ମଘାତୀ ସମ୍ବାଦରେ ଦୁହେଁ ପୂରା ଭାଙ୍ଗି ପଡ଼ିଲେ । ନିଜର ସମସ୍ତ ଚେଷ୍ଟା ତ ବ୍ୟର୍ଥ ହେଲା । ତା’ପରେ ନାଗରାଦିଆ, ହୁଲିଆଜାରି ଓ ପୋଲିସଙ୍କ ଖୋଜତଲାସ–କେଉଁଥିରେ ତ କିଛି ଫଳ ହେଲା ନାହିଁ ! ପୁଅ ଝିଅଙ୍କ ଆଶା ଛାଡ଼ି ମନସ୍ତାପରେ ଭାଗ୍ୟକୁ ଧିକ୍‍କାର କରିବା ଛଡ଼ା ଅନ୍ୟ ପନ୍ଥା ତାଙ୍କୁ ଦିଶିଲା ନାହିଁ । କପାଳ ଦୋଷରୁ ବା ଠାକୁର ଦେବତାଙ୍କ କୋପରୁ ସିନା ଦିନ ଦି’ ପହରରେ ପିଲାଧରା ଏ ଦାଉ ସାଧିଲା ! କିନ୍ତୁ ବିଧାତାଙ୍କ କୋପ ଦୃଷ୍ଟି ତାଙ୍କରି ଉପରେ କାହିଁକି ପଡ଼ିଲା, ତାହା ସେମାନେ ବୁଝିପାରିଲେ ନାହିଁ । କାଲାଦୁଙ୍ଗୀ ଆସିବା ବେଳେ ପୁରୋହିତଙ୍କ ପାଖରେ ଗଣାପୋଛା କରି ପାଞ୍ଜି ଦେଖି ଅନୁକୂଳରେ ଘରୁ ଗୋଡ଼ କାଢ଼ିଥିଲେ । ବାଟସାରା ଦିଅଁ ଦେଉଳ ଦେଖି ନିଜ ଶକ୍ତି ଅନୁସାରେ ଭୋଗରାଗ କରିଥିଲେ । ଅସ୍ପୃଶ୍ୟ ସେମାନେ; ମନ୍ଦିରରେ ତାଙ୍କୁ ପଶିବାକୁ ମନା । କିନ୍ତୁ ବାହାରୁ ହାତ ଯୋଡ଼ି ଦେବତାଙ୍କ କୃପାଭିକ୍ଷା କରିବାକୁ ତ ସେମାନେ କେବେ ହେଲେ ଭୁଲି ନାହାଁନ୍ତି-! ଠାକୁରଙ୍କ ପ୍ରାପ୍ୟତକ ନିଷ୍ଠାର ସହିତ ଦେବାକୁ ତ କେବେ ପଛାଇ ନାହାଁନ୍ତି ! ନିଜ ଦୁଃଖ ଧନ୍ଦାରେ ବ୍ୟସ୍ତ ଥାଆନ୍ତି ସେମାନେ–କାହାରି କ୍ଷତି ତ କେବେ କରନ୍ତି ନାହିଁ । ଠାକୁରେ କେଉଁ ଦୋଷରୁ ଏ ଦାରୁଣ ଦଣ୍ଡ ଦେଲେ ବୁଝି ନ ପାରି ଦୁହେଁ କେବଳ କପାଳକୁ ନିନ୍ଦା କରିବାକୁ ଲାଗିଲେ-

 

ସୋମବାର ସକାଳ । ଦେହରେ ଆଉ ଜୋର ନାହିଁ; ମନର ବଳ ପୂରା ଭାଙ୍ଗିଯାଇଛି । ଘରେ ଖାଇବାକୁ ନାହିଁ; କାମକୁ ନ ଗଲେ ନ ଚଳେ । କିନ୍ତୁ କାମକୁ ଆଉ କାହିଁକି ଯିବେ ? ସକାଳୁ ସଞ୍ଜ ଯାଏ ମୁଣ୍ଡଝାଳ ତୁଣ୍ଡରେ ମାରି ଯାହାଙ୍କ ପାଇଁ ଏତେ ଖଟୁଥିଲେ, ସେମାନେ ତ ଗଲେ–ଆଉ କାହା ପାଇଁ ଖଟିବେ ? ହରକ୍ୱାର ଦୁଆର ପାଖରେ ବସି ଶୂନ୍ୟ ଦୃଷ୍ଟିରେ ଅନାଇ ରହିଥାଏ ଦୂରକୁ । ଘରକୋଣରେ କୁନ୍ତୀ ନୀରବ ହୋଇ ବସିଥାଏ–କାନ୍ଦିବାକୁ ଆଖିରେ ଆଉ ଲୁହ ନାହିଁ ତା’ର । ଗାଁ ଲୋକେ ଯିବା ଆସିବା କରୁଥାଆନ୍ତି । ଏ ଗଭୀର ହତାଶା ଭିତରେ ସେମାନେ ଅବା କି ସାନ୍ତ୍ୱନା ଦେବେ ?

 

ସେଦିନ ସକାଳୁ ପ୍ରତାପପୁର ଗାଁର ଜଣେ ପ୍ରଜା ଗାଁ ମୁଖିଆଙ୍କ ମଇଁଷି ନେଇ ଜଙ୍ଗଲରେ ଚରାଇବାକୁ ଯାଇଥିଲା । ଲୋକଟି ମୋର ଚିହ୍ନା । ଗାଉଁଲୀ ମଳିମୁଣ୍ଡିଆ ଲୋକଟିଏ ସେ । ମୁଖିଆଙ୍କ ମଇଁଷି ଚରାଇ ଜୀବନଟା ତା’ର ଜଙ୍ଗଲରେ କଟିଯାଇଛି । ସେତେବେଳେ ବାଘ ଭୟ ଥାଏ । ଖରା ନଇଁବା ବେଳୁ ମଇଁଷିଙ୍କୁ ଗୋଠ କରି ଲୋକଟି ଗାଁକୁ ଫେରୁଥାଏ । ଗୋରୁ ମଇଁଷି ଯିବା ଆସିବା କରି ଜଙ୍ଗଲରେ ଅଣଓସାରିଆ ବାଟଟିଏ ହୋଇ ଯାଇଥାଏ । ମଇଁଷି ଗୋଠ ଧାଡ଼ି ହୋଇ ସେହି ବାଟେ ଚାଲିଥାନ୍ତି । ମଇଁଷାଳ ପଛରେ ଥାଇ ଲକ୍ଷ୍ୟ କଲା ଯେ ଗୋଟିଏ ଜାଗାରେ ପ୍ରତ୍ୟେକ ମଇଁଷି ଅଟକି ଯାଇ ଡାହାଣକୁ ଅନାଇ ଦେଖୁଛି । ପଛ ମଇଁଷି ତା’କୁ ଶିଙ୍ଘରେ ନ ପେଲିବା ପର୍ଯ୍ୟନ୍ତ ସେ ସେଠାରୁ ଘୁଞ୍ଚୁ ନାହିଁ । ମଇଁଷାଳ ନିଜେ ସେଠାକୁ ଯାଇଁ ଅନାଇ ଦେଖିଲା ଯେ କିଛି ଦୂରରେ ଗୋଟିଏ ଅଳ୍ପ ଗହୀର ଖାଲ ଭିତରେ ଦୁଇଟି ଛୋଟ ପିଲା ପଡ଼ିଛନ୍ତି ।

 

ପୂର୍ବଦିନ ତାଙ୍କ ଗାଁରେ ପିଲା ହଜିବା କଥା ନାଗରା ଦିଆଯିବା ବେଳେ ଏ ଲୋକଟି ମଇଁଷି ନେଇ ବଣକୁ ଯାଇଥିଲା । ରାତିରେ ଗାଁକୁ ଫେରି ଏ ବିଷୟ ସେ ଶୁଣିଥାଏ । ନ ଶୁଣିବ ବା କିପରି ? ପନ୍ଦର ଖଣ୍ଡ ଗାଁର ସମସ୍ତଙ୍କ ମୁହଁରେ କେବଳ ପିଲାଚୋରୀ କଥା । ପିଲାଙ୍କୁ ପାଇଲେ ପଚାଶ ଟଙ୍କା ପୁରସ୍କାର ମିଳିବ ବୋଲି ଧେଣ୍ଡୁରା ଦିଆଯାଇ ଥାଏ । ଏଇ ପିଲା ଦୁଇଟିଙ୍କୁ ଏତେ ଖୋଜା ଲାଗିଛି ବୋଲି ଲୋକଟି ତାଙ୍କୁ ଦେଖିଲା ମାତ୍ରେ ଜାଣି ପାରିଲା । ପିଲାଙ୍କ ଦେହରେ ଲୁଗାପଟା ନ ଥାଏ । ଦୁହେଁ କୁଣ୍ଢାକୁଣ୍ଢି ହୋଇ ପଡ଼ିଥାଆନ୍ତି । ତାଙ୍କୁ ହଲଚଲ ନ ହେବା ଦେଖି କେହି ପ୍ରାଣରେ ମାରି ପକାଇ ଦେଇଛି ବୋଲି ମଇଁଷାଳର ସନ୍ଦେହ ହେଲା । ପିଲାଙ୍କୁ କେମିତି ମରା ଯାଇଛି ଦେଖିବା ପାଇଁ ଲୋକଟି ଖାଲରେ ପଶିଲା । ଅଳ୍ପ ଛଡ଼ାରେ ବସି ଭଲ କରି ଅନାଇ ଦେଖେ ଯେ ପିଲା ଦୁଇଟି ପ୍ରକୃତରେ ମରି ନାହାନ୍ତି । ତାଙ୍କ ଶ୍ୱାସ ପ୍ରଶ୍ୱାସ ସ୍ୱାଭାବିକ ଗତିରେ ଚାଲିଛି । ଦୁହେଁ କେବଳ ଗାଢ଼ ନିଦରେ ଶୋଇ ପଡ଼ିଛନ୍ତି ।

 

ମଇଁଷାଳଟି ବ୍ରାହ୍ମଣ । ଛୋଟ ଜାତିର ପିଲାଙ୍କୁ ଛୁଇଁଲେ ତା’କୁ ଜାତି ପାଟକରେ ଧରିବେ-। କିନ୍ତୁ ତା’ର ନିଜର ତ ପୁଣି ପିଲାଛୁଆ ଅଛନ୍ତି । ଜାଣି ଶୁଣି ଛୋଟ ପିଲା ଦିଇଟାକୁ ଅପନ୍ତରାରେ ଛାଡ଼ି ଚାଲିଯିବ କେମିତି ? ଅକାଳେ ନିୟମୋ ନାସ୍ତି । ପିଲାଙ୍କୁ ଧୀରେ ହଲାଇ ସେ ନିଦରୁ ଉଠାଇଲା । ଚାଲିବାକୁ ତାଙ୍କର ଶକ୍ତି ନ ଥାଏ । ଦୁହିଙ୍କୁ କାନ୍ଧରେ ବସାଇ ମଇଁଷି ଗୋଠ ଗାଁ ଆଡ଼େ ବାଟେଇ ଦେଇ ମଇଁଷାଳ କାଲାଦୁଙ୍ଗୀ ବଜାର ଆଡ଼େ ମୁହାଁଇଲା । ଜଙ୍ଗଲରେ ଚଲାବାଟ ଗୁଡ଼ିକ ସବୁ ଉତ୍ତରରୁ ଦକ୍ଷିଣକୁ । କାଲାଦୁଙ୍ଗୀ ବଜାରକୁ ଯିବା ପାଇଁ ପଶ୍ଚିମ ଆଡ଼କୁ ଯିବାକୁ ହେବ-। ଲୋକଟି ଲଟା ବୁଦା ଭିତରେ ବାଟ କାଟି ଗହଳିଆ ଝଟା ଝୋପରୁ ଆଡ଼େଇ ହୋଇ ଚାଲିଥାଏ । ପିଲା ଦୁହିଁଙ୍କୁ କାନ୍ଧରେ ଧରି ରଖିବାକୁ ହେଉଥାଏ । ମଇଁଷାଳ ନିଜେ ମାଲେରିଆ ରୋଗୀ–ଦେହ ତା’ର ଦୁର୍ବଳ । ଏଣେ କାନ୍ଧ ଉପରେ ଏ ଅକଳିଆ ବୋଝ । ମଝିରେ ମଝିରେ ଅଟକି ଥକ୍‍କା ମେଣ୍ଟାଇ ସେ ଆହୁରି କିଛି ବାଟ ଆଗେଇ ଯାଏ । ଏମିତି ତା’କୁ ଛଅ ମାଇଲ ଯିବାକୁ ପଡ଼ିଲା । ବାଟସାରା ପୁତଲୀ ତୁନି ରହିଥାଏ; କଥା କହିବାକୁ ଜୋର ନ ଥାଏ ତା’ର । ପୁନ୍ୱା ଯାହା ପଦେ ଅଧେ କହୁଥାଏ । ଲୋକଟି ପଚାରି ବୁଝିଲା ଯେ ସେମାନେ ବଣରେ ଖେଳୁଥିଲେ । ଖେଳି ସାରି ଘରକୁ ବାଟ ପାଇଲେ ନାହିଁ ।

 

ରାତି ଘନେଇ ଆସୁଥାଏ । ଘରେ ଘରେ ଆଲୁଅ ଲାଗି ଅନ୍ଧାରରେ ମିଞ୍ଜି ମିଞ୍ଜି ଦିଶୁଥାଏ । ହରକ୍ୱାର ଘରେ କିନ୍ତୁ ଆଲୁଅ ନାହିଁ । ଅନ୍ଧାରରେ ସେ ଦ୍ୱାର ପାଖରେ ନୀରବରେ ବସି ଅନାଇ ରହିଥାଏ ଦୂରକୁ । ଏତିକିବେଳେ ଦେଖିଲା ଯେ ବଜାରଆଡ଼ୁ ପଞ୍ଝାଏ ଲୋକ ତା’ ଘରଆଡ଼େ ଆସୁଛନ୍ତି । କାନ୍ଧରେ କ’ଣ ଗୋଟିଏ ଧରି ଜଣେ ସମସ୍ତଙ୍କ ଆଗରେ ଚାଲିଛି । ଚାରିଆଡ଼ୁ ଲୋକେ ଧାଇଁ ଆସି ସେ ଦଳରେ ଯୋଗ ଦେଉଛନ୍ତି । ପାଟି ଗୋଳ ଭିତରେ “ହରକ୍ୱାରର ପିଲା ମିଳିଗଲେ” ବୋଲି ଅସ୍ପଷ୍ଟ ଭାବେ ଶୁଣାଯାଉଛି । ହରକ୍ୱାର ପ୍ରଥମେ କାନକୁ ବିଶ୍ୱାସ କରି ପାରିଲା ନାହିଁ । କିନ୍ତୁ ଲୋକମାନେ ତ ଠିକ୍ ତା’ରି ଘରଆଡ଼େ ଆସୁଛନ୍ତି ! ତାଙ୍କ କଥା ସବୁ ସ୍ପଷ୍ଟ ଶୁଣାଯିବା ପରେ ସନ୍ଦେହ ଆଉ ରହିଲା ନାହିଁ । ହତାଶା ଓ ଦୁର୍ବଳତା କୁନ୍ତୀର ସହ୍ୟସୀମା ଅତିକ୍ରମ କରିଥାଏ । କ୍ଳାନ୍ତ ହୋଇ ସେ ଘରକୋଣରେ ଶୋଇ ପଡ଼ିଥାଏ । ହରକ୍ୱାର ଧାଇଁ ଆସି ତା’କୁ ହଲାଇ ଉଠାଇ ଦେଲା । ଦୁହେଁ ଦ୍ୱାର ପାଖକୁ ଦୌଡ଼ିଯିବା ବେଳକୁ ପୁନ୍ଵା ଓ ପୁତଲୀଙ୍କୁ ନେଇ ମଇଁଷାଳ ସେଠାରେ ପହଞ୍ଚିଗଲା ।

 

କିଛି ସମୟ ପାଟିଗୋଳ ଭିତରେ କିଏ କ’ଣ କହୁଛ କିଛି ବାରି ହେଲା ନାହିଁ । କିଏ କାନ୍ଦି କାନ୍ଦି ପିଲାଙ୍କୁ ଆଦର କରୁଥାଏ ଓ କିଏ ହସି ହସି ତାଙ୍କୁ ଆଶୀର୍ବାଦ କରୁଥାଏ । କେହି ଧନ୍ୟବାଦ ଦେଉଥାଏ ତ ଅନ୍ୟ କେହି ଅଭିନନ୍ଦନ ଜଣାଉଥାଏ । ବହୁ ସମୟ ପରେ ଗୋଳଘଟା ଭାଙ୍ଗିଲା । ତା’ପରେ ପୁରସ୍କାର କଥା ଉଠିଲା । ଗରିବ ମଇଁଷାଳଟି ପାଇଁ ପଚାଶ ଟଙ୍କା ରାଜାର ଐଶ୍ୱର୍ଯ୍ୟ ସଙ୍ଗେ ସମାନ । ସେଥିରେ ସେ ତିନିଟା ମଇଁଷି କିମ୍ବା ଦଶଟା ଗାଈ କିଣି ପାରିବ । ତା’କୁ ଆଉ ପରର ଗୋଲାମୀ କରିବାକୁ ପଡ଼ିବ ନାହିଁ । କିନ୍ତୁ ମଇଁଷାଳଟି ଯେ ଏଡ଼େ ହୃଦୟବାନ ହୋଇଥିବ ତାହା କେହି ଭାବି ନ ଥିଲେ । ପୁରସ୍କାର କଥା ଉଠିବାରୁ ସେ କହିଲା ଯେ ସମସ୍ତେ ତା’କୁ ଯେତେ ଧନ୍ୟବାଦ ଦେଲେ ଓ ଆଶୀର୍ବାଦ କଲେ, ସେତିକି ହିଁ ତା’ ପକ୍ଷରେ ଯଥେଷ୍ଟ । ପଚାଶ ଟଙ୍କା ତ ଦୂର କଥା, ଗୋଟିଏ ପଇସା ସେ ଛୁଇଁବ ନାହିଁ ବୋଲି ଜିଦ୍ ଧରି ବସିଲା । ହରକ୍ୱାର ଓ କୁନ୍ତୀକୁ ଟଙ୍କାତକ ଜଚା ହେଲା । ଉପହାର ଭାବେ କିମ୍ବା ଧାରସୂତ୍ରରେ ସେତକ ଗ୍ରହଣ କରିବାକୁ ତାଙ୍କୁ ଅନେକ ବୁଝାଗଲା । ସେମାନେ କିନ୍ତୁ ମଙ୍ଗିଲେ ନାହିଁ । ପିଲାଙ୍କ ଆଶା ସେମାନେ ଛାଡ଼ି ଥିଲେ । ପିଲାଙ୍କୁ ଫେରି ପାଇବା ପରେ ତାଙ୍କର ଆଉ କିଛି ଦରକାର ନାହିଁ ବୋଲି କହିଲେ । ଗାଁ ଲୋକ ମନଖୁସିରେ ବଜାରରୁ ପୁରି, ମିଠାଇ, ଦୁଧ କିଣି ଆଣି ତାଙ୍କ ଘରେ ଜମାଇଥାନ୍ତି । ସେତିକରେ ତାଙ୍କର ଦିନାକେତେ ଚଳିଯିବ । ଦେହରେ ଟିକିଏ ଜୋର ଫେରିଲେ ସେମାନେ ପୁଣି କାମକୁ ଯିବେ ବୋଲି ଦୃଢ଼ ଭାବେ ଜଣାଇଲେ ।

 

ଶୁକ୍ରବାର ଦିନ ଖରାବେଳେ ପୁନ୍ଵା ଓ ପୁତଲୀ ବଣରେ ହଜିଥିଲେ । ସୋମବାର ସନ୍ଧ୍ୟା ପାଞ୍ଚଟାବେଳେ ମଇଁଷାଳ ଅକସ୍ମାତ୍ ତାଙ୍କୁ ପାଇଲା । ପୁନ୍ଵା ତିନି ବର୍ଷର ପିଲା । ପୁତ୍‌ଲୀର ବୟସ ମୋଟେ ଦୁଇ ବର୍ଷ । ଦୀର୍ଘ ସତସ୍ତରୀ ଘଣ୍ଟା ଧରି ଛୋଟ ପିଲା ଦୁଇଟି ଜଙ୍ଗଲରେ ଏକାକୀ ରହିଥିଲେ । ଏ ଜଙ୍ଗଲରେ ରହୁଥିବା ବନ୍ୟଜନ୍ତୁଙ୍କ ବିଷୟ ମୁଁ ଆଗରୁ କହିଛି । ସତସ୍ତରୀ ଘଣ୍ଟା ଭିତରେ ‘ହିଂସ୍ର’ ପ୍ରକୃତିର କେତେ ପଶୁପକ୍ଷୀ ପିଲା ଦୁହିଁଙ୍କୁ ଦେଖିଥିବେ ଓ ତାଙ୍କ ଗନ୍ଧ ଆଉ ଶବ୍ଦ ବାରିଥିବେ । କିନ୍ତୁ ମଇଁଷାଳ ବାପ ମା’ ଙ୍କ କୋଳକୁ ପିଲାଙ୍କୁ ଟେକି ଦେବାବେଳେ ତାଙ୍କ ଦେହରେ ତ ନଖଦନ୍ତର ଆଘାତ କିଛି ନ ଥିଲା ! ନିରାଶ୍ରୟ ଦୁଇଟି ନିରୀହ ପିଲାଙ୍କୁ ‘ହିଂସ୍ର ଜନ୍ତୁ’ କେହି ଆକ୍ରମଣ କଲେ ନାହିଁ କାହିଁକି ?

 

ଏ ପ୍ରସଙ୍ଗରେ ଆଉ ଗୋଟିଏ ଅନୁଭୂତି ମନେ ପଡ଼େ । ଥରେ ମାସକର ଗୋଟିଏ ଛେଳିଛୁଆକୁ ମାରିବା ପାଇଁ ବାଘୁଣୀଟିଏ ଛପି ଛପି ଆସୁଥିବା ମୁଁ ଦେଖିଲି । ଜାଗାଟି ବେଶ୍ ଖୋଲା । ବାଘୁଣୀକୁ କିଛି ଦୂରରୁ ଦେଖିପାରି ଛେଳିଛୁଆଟି ବୋବାଇବାକୁ ଆରମ୍ଭ କରିଦେଲା । ତା’ ସ୍ଵରରେ କଅଣ ଥିଲା କେଜାଣି, ବାଘୁଣୀ ଆଉ ଛପିବାକୁ ଚେଷ୍ଟା ନ କରି ସହଜ ଗତିରେ ଆଗେଇ ଆସିଲା ପାଖକୁ । ଦୁହିଁଙ୍କ ଭିତରେ ମାତ୍ର କେଇ ଗଜ ବ୍ୟବଧାନ । ଛେଳିଛୁଆଟି ହଠାତ ପାଖେଇ ଆସି ବାଘୁଣୀ ମୁହଁ ସହିତ ମୁଁ ଲଗାଇ ଛିଡ଼ା ହୋଇଗଲା । ପ୍ରବଳ ଉତ୍କଣ୍ଠାରେ ମୋ ଛାତି ଏଣେ ଦମ୍ ଦମ୍ ହେଉଥାଏ । ଅସହାୟ ଛେଳିଛୁଆଟି ସହିତ ମୁହଁକୁ ମୁହଁ ଲଗାଇ କିଛି ସମୟ ଛିଡ଼ା ହେବା ପରେ ଜଙ୍ଗଲର ରାଣୀ ବୁଲିପଡ଼ି ତା’ ଆସିବା ବାଟରେ ଫେରିଗଲା ।

 

ଦ୍ଵିତୀୟ ମହାଯୁଦ୍ଧ ପ୍ରାୟ ସରିବା ବେଳକୁ ଦିନେ ତିନି ଜଣ ବିଶିଷ୍ଟ ବ୍ରିଟିଶ ନେତାଙ୍କ ବକ୍ତୃତାର କେତୋଟି ଅଂଶ ମୁଁ ପଢ଼ିଥିଲି । ହିଟ୍‌ଲର୍‌ଙ୍କ ଯୁଦ୍ଧ ପ୍ରଣାଳୀର ବର୍ବରତାକୁ ନିନ୍ଦା କରି ସେମାନେ କହିଥିଲେ ଯେ ସଭ୍ୟ ମଣିଷଙ୍କ ସଂଘର୍ଷକୁ ସେ “ଜଙ୍ଗଲି ଆଇନ” ଅନୁସାରେ ପରିଚାଳିତ କରୁଛନ୍ତି । “ଜଙ୍ଗଲି ଆଇନ” ସହିତ ତୁଳନା କରି ହିଟ୍‌ଲରୀ ନୀତିର ହିଂସ୍ରତା ଓ ନିର୍ମମତା ଉପରେ ଗୁରୁତ୍ୱ ଦେବା ଥିଲା ବକ୍ତାମାନଙ୍କର ଉଦ୍ଦେଶ୍ୟ । କିନ୍ତୁ ମୋ ବିଚାରରେ ଜଙ୍ଗଲର ଜନ୍ତୁମାନଙ୍କ ପାଇଁ ପ୍ରଣୟନ କରୁଥିବା ଆଇନକୁ ସ୍ରଷ୍ଟା ଯଦି ମଣିଷ ଜାତି ପ୍ରତି ପ୍ରୟୋଗ କରିଥାଆନ୍ତେ-ହିଂସ୍ର ଜନ୍ତୁଙ୍କ ଅନ୍ତରରେ ପ୍ରବଳର ଦୁର୍ବଳ ପାଇଁ ଯେତେ ଅନୁକମ୍ପା ଥାଏ, ତାହାର କିୟଦଂଶ ଯଦି ମଣିଷ ହୃଦୟରେ ଥାଆନ୍ତା–ତେବେ ପୃଥିବୀରୁ ଯୁଦ୍ଧଭୟ ଚିରଦିନ ପାଇଁ ଅପସରି ଯାଇଥାଆନ୍ତା ।

Image

 

ଭାଇ

 

ଦୀର୍ଘ କେତେ ବର୍ଷ ପରେ ମିତ୍ରପକ୍ଷର ସୈନ୍ୟମାନଙ୍କୁ ଜଙ୍ଗଲ ଯୁଦ୍ଧକୌଶଳ ଶିକ୍ଷା ଦେବାର କାର୍ଯ୍ୟକ୍ରମ ଶେଷ ହେଲା । ଜୀବନର ଗତି ପୁଣି ଧାରାବାହିକ ଭାବେ ଚାଲିଲା । ଦିନେ ସକାଳୁ ଜଳଖିଆ ଖାଇସାରି ମୋ ଭଉଣୀ ମ୍ୟାଗି ଓ ମୁଁ ଆମ କାଲାଦୁଙ୍ଗୀ ଘର ବାହାର ବାରଣ୍ଡାରେ ବସିଥାଉ । ମ୍ୟାଗି ମୋ ପାଇଁ ଖାକି ରଙ୍ଗର ସ୍ୱେଟରଟିଏ ବୁଣୁଥାଏ । ମୋର ଅତି ଆଦରର ବନଶି ଛଡ଼ଟି କେତେବର୍ଷ ହେଲା ଘରେ ପଡ଼ି ପଡ଼ି ଖରାପ ହୋଇ ଆସୁଥିଲା । ସକାଳୁ ତା’କୁ ଘଷାମଜା କରି ମୁଁ ପ୍ରାୟ ସଫା କରି ସାରିଥାଏ । ଏତିକିବେଳେ ଜଣେ ଲୋକ ପାହାଚ ଚଢ଼ି ଆମ ବାରଣ୍ଡା ଉପରକୁ ଆସିଲା । ତା’ର ପୋଷାକ ଅତି ପୁରୁଣା ଓ ଅସଂଖ୍ୟ ତାଳିପକା ହୋଇଥିଲେ ସୁଦ୍ଧା ବେଶ୍ ସଫା ଦିଶୁଥାଏ । ହସି କରି ସଲାମ କରିବା ପରେ ଆମେ ତା’କୁ ଚିହ୍ନିପାରୁଛୁ କି ନାହିଁ ବୋଲି ଲୋକଟି ପଚାରିଲା ।

 

ଏଇ ପାହାଚ ଦେଇ ଯେତେ ଲୋକ ଆମ ଘରକୁ ଆସିଛନ୍ତି ବା ଆସନ୍ତି, ସମସ୍ତଙ୍କ ହିସାବ ରଖିବା ସମ୍ଭବ ହୁଏ ନାହିଁ । ପାହାଡ଼ ତଳ ଗୋଟିଏ ଚଉଛକିରେ ଥାଇ ଆମ ଘର ପ୍ରାୟ ସମସ୍ତଙ୍କ ଯିବା ଆସିବା ବାଟରେ ପଡ଼େ । ନିକଟରେ ଚାଷଜମି ଶେଷ ହୋଇ ତା’ ଧାରରୁ ଜଙ୍ଗଲ ଆରମ୍ଭ ହୋଇଥାଏ । ଲୋକେ ବିଲକୁ ବା ଜଙ୍ଗଲକୁ ଗଲେ ଆମ ଘର ପାଖ ଦେଇ ଯାଆନ୍ତି । ବାଟୋଇମାନଙ୍କୁ ମଧ୍ୟ ଆମ ଘର ସାମନା ଦେଇ ଯିବାକୁ ହୁଏ । ଏଥିରୁ ଅନେକେ ବାଟ ଭାଙ୍ଗି ଆସି ଆମ ପାଖରେ ପହଞ୍ଚିଯାନ୍ତି । ଏସବୁ ଅଞ୍ଚଳର ଜଳବାୟୁ ବିଶେଷ ସ୍ୱାସ୍ଥ୍ୟକର ନୁହେଁ । ପୁଣି ଏଠାକାର ଲୋକେ ଜଙ୍ଗଲର ଜନ୍ତୁଙ୍କ ନିକଟରେ ନିତି କାରବାର ହୁଅନ୍ତି । ଫଳରେ ବେମାର ପଡ଼ି ବା ବନ୍ୟଜନ୍ତୁଙ୍କ ଦ୍ଵାରା ଆକ୍ରାନ୍ତ ହୋଇ ଯେଉଁମାନେ ହଜାର ହଜାର ସଂଖ୍ୟାରେ ଆସି ଏଇ ଘରେ ଚିକିତ୍ସିତ ହୋଇଛନ୍ତି, ତାଙ୍କ ହିସାବ କେହି ରଖିନାହିଁ । ପିଲା, ବୁଢ଼ା, ଧନୀ, ଦରିଦ୍ର, ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ–ଜାତି ଧର୍ମ ବୟସ ନିର୍ବିଶେଷରେ ସମସ୍ତଙ୍କର ଆମ ଘରକୁ ଅବାଧ ପ୍ରବେଶ ଥାଏ । ତେବେ ଅଳ୍ପ କେତେଜଣ ଧୋବ ଧାଉଳିଆଙ୍କୁ ଛାଡ଼ିଦେଲେ ଏମାନେ ପ୍ରାୟ ସମସ୍ତେ ମଳିମୁଣ୍ଡିଆ ଗାଉଁଲି ଲୋକ । ନାନା କାରଣରୁ ସେମାନେ ଆମ ଦ୍ୱାରସ୍ଥ ହୁଅନ୍ତି । କିଏ ବେମାର–ତା’ର ଚିକିତ୍ସା ଦରକାର । ଅଭାବ ଅନଟନରେ ପଡ଼ି କେହି ସାହାଯ୍ୟ କିଛି ଚାହୁଁଥାଏ । କାହାର ଏଥିରୁ କୌଣସିଟିର ପ୍ରୟୋଜନ ନାହିଁ । ଟିକିଏ ସାହଚର୍ଯ୍ୟ ଓ କପେ ଚା’ପାଇଲେ ସେ ସନ୍ତୁଷ୍ଟ ।

 

ରୋଗ ଚିକିତ୍ସା କରି ବହୁ ବିଚିତ୍ର ଅନୁଭୂତି ମୁଁ ହାସଲ କରିଛି । ଦିନେ ସନ୍ଧ୍ୟାବେଳେ ଜଣେ ବୁଢ଼ୀକୁ ପେସୀମଞ୍ଜିର ପ୍ରଲେପଟିଏ ଦେଇ ତା’ ପୁଅର ବଥରେ ଲଗାଇବାକୁ କହିଥିଲି । ପରଦିନ ସକାଳୁ ସେ ଆସି ଫେରାଦ ହେଲା ଯେ ରୋଗୀ ବହୁ କଷ୍ଟରେ ଔଷଧଟି ଖାଇବା ପରେ ମଧ୍ୟ ସେଥିରୁ କିଛି ଉପକାର ମିଳିଲା ନାହିଁ । ଔଷଧ ବଦଳାଇବାକୁ ସେ ଜିଗର କଲା । ଥରେ ରାତିରେ ଜଣେ ମୁସଲମାନ ବୁଢ଼ୀ ଆସି ମ୍ୟାଗିକୁ ଜଣାଇଲା ଯେ ସନ୍ନିପାତ ହୋଇ ତା’ ସ୍ୱାମୀର ପ୍ରାଣ ଯିବା ଉପରେ । ମ୍ୟାଗି ତା’କୁ କେତୋଟି ଏମ୍‌ ଆଣ୍ଡ୍‌ ବି ୬୯୩ (M & B 693) ବଟିକା ଦେଲା । ସେତିକିରେ ରୋଗୀର ପ୍ରାଣ ରକ୍ଷା ହେବ ବୋଲି ବୁଢ଼ୀ ଆଦୌ ବିଶ୍ୱାସ କଲା ନାହିଁ । ପରଦିନ ସେ କିନ୍ତୁ ଖୁସି ମନରେ ଆଉ ଚାରିଜଣ ବୁଢ଼ୀଙ୍କୁ ସାଙ୍ଗରେ ନେଇ ପହଞ୍ଚିଲା । ପ୍ରତ୍ୟେକର ସେଇ ଔଷଧରୁ କିଛି ଲୋଡ଼ା । ତାଙ୍କ ସ୍ୱାମୀମାନେ ସମସ୍ତେ ବୁଢ଼ା ଲୋକ । କାହାକୁ କେତେବେଳେ ସନ୍ନିପାତ ହୋଇଯିବ–ତା’, ଆଗରୁ କିଏ କହିପାରିବ ? ଔଷଧଟି ପାଖରେ ଥିଲେ ଦରକାର ବେଳେ କାମରେ ଆସିବ ବୋଲି ସେମାନେ କହିଲେ ।

 

ଆଠ ବର୍ଷର ଝିଅଟିଏ ଦିନେ ଛଅ ବର୍ଷର ଗୋଟିଏ ପୁଅର ହାତ ଧରି ଆମ ଫାଟକ ପାଖରେ ପହଞ୍ଚିଲା । ଫାଟକର ଛିଟିକଣିକୁ ଝିଅଟିର ହାତ ପାଉ ନ ଥାଏ । ବହୁ ଚେଷ୍ଟା ପରେ ଫାଟକ ଖୋଲି ପୁଅଟିର ହାତକୁ ଶକ୍ତ କରି ମୁଠାଇ ଧରି ତା’କୁ ଆମ ବାରଣ୍ଡାରେ ସେ ନେଇ ଆସିଲା । ଛଅ ମାଇଲ ଦୂର ଗୋଟିଏ ଗାଁର ମୁଖିଆଙ୍କ ଝିଅ ସେ । ପୁଅଟି ତା’ ସଙ୍ଗେ ସ୍କୁଲରେ ଏକା ଶ୍ରେଣୀରେ ପଢ଼େ । ତା’ ଆଖିରେ କ’ଣ ବେମାରି ହୋଇଛି ଦେଖି ଝିଅଟି ଆପେ ଆପେ ତା’କୁ ଆମ ପାଖକୁ ନେଇ ଆସିଥାଏ । ପୁଅଟିକୁ ବାରଣ୍ଡାରେ ଚିତ୍ କରି ଶୁଆଇ ଦୁଇ ଆଣ୍ଠୁ ମଝିରେ ତା’ ମୁଣ୍ଡକୁ ଚାପି ଧରି ଝିଅଟି ମ୍ୟାଗିକୁ ଅନାଇ କହିଲା, “ଏଥର ଆପଣ ଯାହା କରିବେ କରନ୍ତୁ, ମିସ୍ ସାହେବ ।” ପୁଅଟିର ଆଖି ଭଲ ହେବାକୁ ପୂରା ସପ୍ତାହେ ଲାଗିଗଲା । ପ୍ରତିଦିନ ଅଧିକା ଚାରି ମାଇଲ ବାଟ ଚାଲି ଝିଅଟି ତା’କୁ ନିୟମିତ ଆଣି ଆମ ଘରେ ପହଞ୍ଚାଏ ।

 

ଥରେ ଦିଲ୍ଲୀ ଆଡ଼ର ଜଣେ କାଠକରତୀ ଛୋଟେଇ ଛୋଟେଇ ଆସି ଆମ ହତାରେ ପଶିଲା । ଗଛଟିଏ କାଟି ସେଦିନ ସକାଳୁ ତା’କୁ କରତିବାକୁ ଗଲାବେଳେ ପତ୍ର ଉହାଡ଼ରୁ ବାର୍‌ହାଟାଏ ବାହାରି ଆସି ତା’ ପେଣ୍ଡାକୁ ଆଣ୍ଠୁରୁ ଗୋଇଠିଯାଏ ଚିରି ଦେଇଥାଏ । ଲୋକଟି ଜାତିରେ ମୁସଲମାନ । ତାଙ୍କ ଧର୍ମରେ ଘୁଷୁରି ଛୁଇଁବା ମନା । ଗୋଡ଼ର କ୍ଷତକୁ ମୁଁ ନଜର ଦେବାବେଳେ ସେ ବାର୍‌ହାକୁ ଆବିଶ୍ରାନ୍ତ ଭାବେ ଅଭିଶାପ ଦେଇ ଚାଲିଥାଏ । ତା’କୁ ଦୋଷ ଦେଇ ମୁଁ କହିଲି ଯେ ବାର୍‌ହା ଆଗରୁ ପଳାଇ ନ ଯାଇଥିବା ଯୋଗୁଁ ନିଜ ଦୂରବସ୍ଥା ପାଇଁ ସେ ନିଜେ ହଁ ଦାୟୀ । ଲୋକଟି ତାତି ଉଠି ପଚାରିଲା, ‘‘ମୋର କେମିତି କାଇଲି ହେଲା ? ବାର୍‌ହା ପାଇଁ ତ ଏଡ଼େ ବଡ଼ ଜଙ୍ଗଲଟାଏ ପଡ଼ିଛି । ଏଠିକି ଆସି ମୋ ସାଙ୍ଗରେ ଧକ୍‌କା ଲଗାଇବା ତା’ର କ’ଣ ଦରକାର ଥିଲା ? ମୁଁ ତ ତା’ ସାଙ୍ଗରେ ଲାଗୁ ନ ଥିଲି ! ସେ ତ ସେଠି ଅଛି ବୋଲି ମୋତେ ଜଣା ନ ଥିଲା–ତା’ ସଙ୍ଗେ ଲାଗନ୍ତି ବା କେମିତି ?”

 

ଆଉ ଜଣେ କାଠକରତୀକୁ ନେଇ ବିଚିତ୍ର ଗୋଟିଏ ଅନୁଭୂତି ମନେ ପଡ଼େ । କାଠଗଡ଼ଟାଏ ଲେଉଟାଇବା ବେଳେ ତା’ ହାତକୁ “ଏତେ ବଡ଼” କଙ୍କଡ଼ାବିଛାଟାଏ ମାରିଦେଲା ବୋଲି ସେ ବିକଳ ହୋଇ ଆସି କହିଲା । ମୁଁ ଔଷଧ ଦେଲି । ଲୋକଟି ଆଗପରି ତଳେ ଗଡ଼ୁଥାଏ ଓ ଜଳାପୋଡ଼ା କମୁ ନାହିଁ ବୋଲି ଡକା ପକାଇ ଭାଗ୍ୟକୁ ନିନ୍ଦା କରି ବାହୁନୁଥାଏ । କିଛି ସମୟ ପରେ ସେ ହସି ହସି ଗଡ଼ୁଥିବା ଦେଖି ମୁଁ ତାଟକା ହୋଇଗଲି । ସେଦିନ ଗାଁ ପିଲାଙ୍କର ବାର୍ଷିକ ମେଳାଟିଏ ଏଠାରେ ଚାଲିଥାଏ । ଦୁଇ ଶହ ପିଲା ସେଥିରେ ଯୋଗ ଦେଇଥାନ୍ତି । ଦୌଡ଼ ପ୍ରତିଯୋଗିତାଗୁଡ଼ିକ ଶେଷ ହୋଇ ପିଲା ଓ ମା’ମାନଙ୍କୁ ମିଠାଇ ବଣ୍ଟା ସରିଥାଏ । କାଠକରତୀ ବିକଳ ହୋଇ ତଳେ ଗଡ଼ୁଥିବା ବେଳେ ଗୋଟିଏ କୌତୁକିଆ ଖେଳ ଆରମ୍ଭ ହୋଇଗଲା । ପିଲାଏ ଘେର ବାନ୍ଧି ଛିଡ଼ା ହେଲେ । ଗୋଟିଏ ଠୁଙ୍ଗାରେ ବାଦାମ ପେସ୍ତା ଆଦି ଭର୍ତ୍ତି କରି ଦୁଇ ଜଣ ଲୋକ ତା’କୁ ମଝିରେ ଝୁଲାଇ ଧରିଲେ । ପିଲାଟିଏ ଅନ୍ଧପୁଟୁଳି ବାନ୍ଧି ଠୁଙ୍ଗାକୁ ବାଡ଼ିରେ ଫଟାଇବାକୁ ଚେଷ୍ଟା କରିଥାଏ । ଶେଷରେ ଠୁଙ୍ଗା ଫଟାଇ ନ ପାରି ତା’କୁ ଝୁଲାଇ ରଖିଥିବା ଲୋକଙ୍କ ଭିତରୁ ଜଣକ ମୁଣ୍ଡରେ ସେ ବାଡ଼ିରେ ପାହାରେ ପକାଇଲା । ଦେଖେଣାହାରୀମାନେ ହସି ଉଠିଲେ । କାଠକରତୀଟି ସମସ୍ତଙ୍କଠାରୁ ବେଶି ହସୁଥାଏ । ମୁଁ ଆଶ୍ଚର୍ଯ୍ୟ ହୋଇ କଷ୍ଟ କିମିତି ଅଛି ବୋଲି ପଚାରିବାରୁ ସେ ଉତ୍ତର ଦେଲା ଯେ ବିନ୍ଧା ଛିଟିକା ସବୁ କେତେବେଳୁ ଉଭେଇ ଗଲାଣି; ଆଉ ଏମିତି ତାମସା ଯଦି ଦେଖିବାକୁ ମିଳେ, ତେବେ ଏଣିକି ତା’କୁ ନିତି କଙ୍କଡ଼ାବିଛା ବିନ୍ଧିଲେ ମଧ୍ୟ ତା’ର ଦୁଃଖ ନାହିଁ ।

 

ପେଶାଦାର ଚିକିତ୍ସକ ନ ହୋଇ ମଧ୍ୟ ରୋଗ ଚିକିତ୍ସା କରିବାର ସଉକ ଊଣା ଅଧିକେ ଆମ ପରିବାରରେ ସମସ୍ତଙ୍କର ଥିଲା । ମୋ ହେତୁ ପାଇବା ଦିନଠାରୁ ଘରେ ରୋଗ ଚିକିତ୍ସା ହେଉଥିବା ମୁଁ ଦେଖିଛି । ତେବେ, ଆମ ଘରକୁ ଯେ କେବଳ ରୋଗୀମାନେ ଆସନ୍ତି ତାହା ନୁହେଁ । କୃତଜ୍ଞତା ପ୍ରକାଶ କରିବା ପାଇଁ ବହୁ ସମୟ ଓ ଶ୍ରମ ନଷ୍ଟ କରି ଅନେକ ଲୋକ ଆମ ପାଖରେ ପହଞ୍ଚନ୍ତି । ଭାରତୀୟମାନଙ୍କର–ବିଶେଷତଃ ଭାରତର ଗରିବମାନଙ୍କର କୃତଜ୍ଞତା ଯେତିକି ଗଭୀର ସେତିକି ଦୀର୍ଘସ୍ଥାୟୀ । ସାମାନ୍ୟ ସାହାଯ୍ୟ ବା ଟିକିଏ ଦୟା ପାଇଲେ ସେମାନେ ତାହା କଦାପି ଭୁଲନ୍ତି ନାହିଁ । ଥରେ ଜଣେ ମହିଳାଙ୍କ ସର୍ଦ୍ଦି ଜ୍ଵର ଓ ଆଖି ବେମାରି ମ୍ୟାଗି ଔଷଧ ଦେଇ ଭଲ କରିଥିଲା । ରୋଗିଣୀଙ୍କ ସାଙ୍ଗରେ ଥିବା ତାଙ୍କ ଷୋହଳ ବର୍ଷର ପୁଅଟି ରହିବା ପାଇଁ ମୁଁ ଗାଁରେ ବନ୍ଦୋବସ୍ତ କରି ଦେଇଥିଲି । ଭଲ ହୋଇ ଘରକୁ ଫେରିବା ପରେ କୃତଜ୍ଞତାର ନିଦର୍ଶନ ସ୍ୱରୂପ ଏହି ମହିଳା “ନିଜ ହାତରେ” ତାଙ୍କ ବଗିଚାରୁ ଡାଳିମ୍ବ କେତୋଟି ତୋଳି ଆମ ପାଖକୁ ପଠାଇଥିଲେ । ତାଙ୍କ ଗାଁରୁ ଏଠାକୁ ଅନେକ ଦିନର ବାଟ । ଦିନ ଦିନ ଧରି ବାଟ ଚାଲି ତାଙ୍କ ପୁଅଟି ଡାଳିମ୍ବତକ ଆଣି ଆମକୁ ଉପହାର ଦେଲା ।

 

ଏଇ ଗଳ୍ପ ଆରମ୍ଭରେ ଜଣେ ଆଗନ୍ତୁକ ଆମ ଘରକୁ ଆସିଥିବା କଥା କହିଛି । ତା’ର ଠିକ୍ ଘଣ୍ଟାଏ ପୂର୍ବରୁ ଜଣେ ବୃଦ୍ଧ ଆମ ବାରଣ୍ଡାକୁ ଉଠି ଖୁଣ୍ଟକୁ ଆଉଜି ଚଟାଣ ଉପରେ ବସିଲେ । କିଛି ସମୟ ମୋତେ ଅନାଇ ଦେଖିବା ପରେ ନାପସନ୍ଦ ହେବାର ଭାବ ଦେଖାଇ ସେ ମୁଣ୍ଡ ହଲାଇ କହିଲେ, “ଏଇ କେଇଟା ବର୍ଷରେ ଆପଣ କେଡ଼େ ବୁଢ଼ା ହୋଇଗଲେ ସାହେବ ! ଆଗେ ତ ଆପଣ ଏମିତି ଦେଖାଯାଉ ନ ଥିଲେ !” ମୁଁ ଉତ୍ତର ଦେଲି, “ବୟସ କ’ଣ ବସିଛି ? ସେ ଦିନ ଆଉ ଆଜି ଭିତରେ ପରା ଦଶ ବର୍ଷ ବିତିଗଲାଣି ।” ବୃଦ୍ଧ କହିଲେ, “ଦଶ ବର୍ଷ ନୁହେଁ–ପୂରା ବାର ବର୍ଷ ତଳର କଥା ମୁଁ କହୁଛି । ସେଦିନ ମୁଁ ଯେମିତି ଥିଲି, ଆଜି ତ ଠିକ୍ ସେମିତି ଅଛି ! ସେ ଦିନର କଥା ସବୁ ମୋର କାଲି ପରି ମନେ ଅଛି ସାହେବ । ବଦ୍ରିନାଥ ତୀର୍ଥରୁ ଫେରୁଥାଏ । ବାଟ ଚାଲି ଚାଲି ହାଲିଆ । ପାଖରେ ପଇସାପତ୍ର ନାହିଁ–ଦଶଟି ଟଙ୍କା ଜରୁରୀ ଦରକାର । ଆପଣଙ୍କ ଫାଟକ ଖୋଲା ଅଛି ଦେଖି ଭିତରକୁ ପଶି ଠିକ୍ ଏଇଠି ବସି ଘଡ଼ିଏ ଥକ୍‌କା ମାରିଲି । ତା’ପରେ ଆପଣଙ୍କୁ କିଛି ସାହାଯ୍ୟ ମାଗିଥିଲି । ଆଜି ବି ମୁଁ ତୀର୍ଥ ସାରି ବନାରସରୁ ଫେରୁଛି । ଟଙ୍କା ପଇସାର ଏବେ ଅଭାବ ନାହିଁ । ସେ ଦିନ ଆପଣଙ୍କ ସାହାଯ୍ୟ ପାଇ ମୁଁ ଯେ ସୁରୁଖୁରୁରେ ଘରେ ପହଞ୍ଚି ପାରିଲି–କେବଳ ଏଇ କଥାଟି ଜଣାଇ ଦେବାକୁ ଆଜି ଆସିଛି । ପିଲାଛୁଆଙ୍କୁ ହଲଦ୍ୱାନୀରେ ଛାଡ଼ି ଆସିଛି । ଯୋଗକୁ ଆପଣଙ୍କ ଦେଖା ମିଳିଗଲା । ସେଦିନ ପରି ଏଇଠି ବସି ଟିକିଏ ଥକ୍‌କା ମାରିବି । ତା’ପରେ ହଲଦ୍ୱାନୀ ଫେରିଯିବି ।” ହଲଦ୍ୱାନୀ ସେଠାରୁ ଚଉଦ ମାଇଲ ଦୂର । ବାର ବର୍ଷ ତଳର ସାମାନ୍ୟ ସାହାଯ୍ୟକୁ ସ୍ଵୀକାର କରିବା ପାଇଁ ଏହି ଦୁର୍ବଳ ବୃଦ୍ଧ ଦୀର୍ଘ ଆଠାଇଶ ମାଇଲ ଚାଲିବାକୁ ପଛେଇ ନ ଥିଲେ ।

 

ସେ ଚାଲିଯିବାର ଘଣ୍ଟାକ ପରେ ତାଳିପକା ପୋଷାକ ପିନ୍ଧିଥିବା ଆଗନ୍ତୁକ ଜଣକ ପହଞ୍ଚିଲା । ଲୋକଟିକୁ ଦେଖି ମୁଁ ଦୋଦୋଚିହ୍ନା ହେଉଥାଏ । ତା’କୁ ମୁଁ ଚିହ୍ନେ ବୋଲି ଅସ୍ପଷ୍ଟ ଭାବି ଜାଣୁଥିଲେ ମଧ୍ୟ ତା’ ନାଁ ଗାଁ ମନେ ପଡୁ଼ ନ ଥାଏ । ଆମେ ଦୋଦୋପାଞ୍ଚ ହେଉଛୁ ଦେଖି ଲୋକଟି ତା’ କୋଟ୍ କମିଜ ଉତାରି ଦେଲା । ତା’ ଛାତି ଓ ଡାହାଣ କାନ୍ଧ ଉପରେ ନଜର ପଡ଼ିଯିବା ମାତ୍ରେ ମୁଁ ତା’କୁ ଚିହ୍ନି ପାରିଲି । ନାଁ ତା’ର ନରୱା । ଜାତିରେ ସେ ଡମ । ଟୋକେଇ ବୁଣି ପେଟ ପୋଷେ-। ତା’କୁ ଆମେ ନ ଚିହ୍ନିବାରେ ଆଶ୍ଚର୍ଯ୍ୟ ହେବାର କିଛି ନ ଥିଲା । ଛଅ ବର୍ଷ ତଳେ ଯେଉଁ ଅବସ୍ଥାରେ ଆମେ ତା’କୁ ଦେଖିଥିଲୁ, ତା’ର ଏବେକାର ଅବସ୍ଥା ସହିତ ତାହାର କୌଣସି ସାମଞ୍ଜସ୍ୟ ନ ଥିଲା । ସେତେବେଳେ ତା’ ଦେହରେ ହାଡ଼ ଚମ ଛଡ଼ା ଆଉ କିଛି ନ ଥାଏ । ବାଡ଼ିରେ ଭରା ଦେଇ ଏ ଦୁଇ ପାହୁଣ୍ଡ ଚାଲିବାକୁ ବଳ ପାଉ ନ ଥାଏ । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ସବଳ । ତା’ ଡାହାଣ କାନ୍ଧଟି କିନ୍ତୁ ଠିକ୍ ଆଗ ପରି ବଙ୍କା ରହିଥାଏ । ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଯାଇଥିବା ତା’ କାନ୍ଧହାଡ଼ଗୁଡ଼ିକ ଶେଷ ପର୍ଯ୍ୟନ୍ତ ଯୋଡ଼ି ନ ଥିଲେ ମଧ୍ୟ ଉପରୁ ଘାଆ ସବୁ ଶୁଖି ଚମ ସାଙ୍କୁଡ଼ି ଯାଇଥାଏ । ଡାହାଣ ହାତଟି ଅପେକ୍ଷାକୃତ ସରୁ ଦିଶୁଥାଏ ।

 

ଛଅ ବର୍ଷ ତଳେ ବଞ୍ଚିବା ପାଇଁ ଦୀର୍ଘ ତିନିମାସ ଧରି ଯେଉଁ କଠିନ ସଂଗ୍ରାମ ସେ ଚଳାଇଥିଲା, ତାହାର ପ୍ରତ୍ୟେକ ପର୍ଯ୍ୟାୟ ଆମେ ଆଖିରେ ଦେଖିଥିଲୁଁ । ଏବେ ତା’ର ସୁନ୍ଦର ସ୍ୱାସ୍ଥ୍ୟ ଦେଖି ଆଶ୍ଚର୍ଯ୍ୟ ନ ହୋଇ ରହି ପାରିଲୁ ନାହିଁ । ତା’ ଆଙ୍ଗୁଳିଗୁଡ଼ିକ ଚିରଦିନ ପାଇଁ ଅଚଳ ହୋଇଯିବ ବୋଲି ସେତେବେଳେ ଆଶଙ୍କା କରୁଥିଲୁଁ । ନରୱା ଆମ ଆଗରେ ହାତ ଚଳାଇ ଓ ମୁଠା ଫିଟାଇ ସବୁ ଆଙ୍ଗୁଳି ଭଲ କାମ କରୁଛନ୍ତି ବୋଲି ଦେଖାଇଲା । ଆଙ୍ଗୁଳିର ଶକ୍ତି ଅନେକାଂଶରେ ଫେରି ଆସିଛି ଓ ଟୋକେଇ ବୁଣିବାକୁ ଅସୁବିଧା ହେଉନାହିଁ ବୋଲି କହିଲା ।

 

ତିନି ମାସ କାଳ ସେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ବେଳେ ଆମେ ଦୁହେଁ ତା’କୁ କିଛିଟା ସାହାଯ୍ୟ କରିଥିଲୁ । ତା’ ଚିକିତ୍ସାର ବନ୍ଦୋବସ୍ତ ମୁଁ କରିଥିଲି । ତା’ର ସ୍ତ୍ରୀ ଓ ପିଲା ଦୁଇଟି ଚଳିବା ପାଇଁ ମ୍ୟାଗି ଆୟୋଜନ କରି ଦେଇଥିଲା । ନରୱା ତଳେ ମୁଣ୍ଡ ଲଗାଇ ମ୍ୟାଗିକୁ ପ୍ରଣାମ କରିବା ବେଳେ ତା’ର ସେ ଦିନର ଦୁରବସ୍ଥାର ପୂରା ଛବିଟି ମୋ ଆଖି ଆଗରେ ନାଚିଗଲା ।

Image

 

ନରୱାର ଦୁରବସ୍ଥା

 

ଆଲମୋରା ସହର ଠାରୁ ଅଳ୍ପ ଦୂରରେ ଗୋଟିଏ ପାହାଡ଼ିଆ ଗାଁରେ ନରୱା ଓ ହରିଆଙ୍କ ଘର । ରକ୍ତର ସମ୍ପର୍କ ନ ଥିଲେ ସୁଦ୍ଧା ପିଲାଦିନୁ ଏକ ଗାଁରେ ବଢ଼ିଥିବାରୁ ଦୁହେଁ ପରସ୍ପରକୁ ‘ଭାଇ’ ବୋଲି ଡାକନ୍ତି । ସେମାନେ ଜାତିରେ ଡମ । ଅଳ୍ପ କେତୋଟି ତାଙ୍କ ଜାତିଆଣ ବେଉଷା ଭିତରୁ ଟୋକେଇ ବୁଣାକୁ ଦୁହେଁ ବୃତ୍ତି ରୂପେ ବାଛି ନେଇ ଥାଆନ୍ତି । ଖରାଦିନେ ନିଜ ଗାଁରେ ରହି ଟୋକେଇ ବୁଣନ୍ତି । ଶୀତ ପଡ଼ିଲେ ଦୁହେଁ ପାହାଡ଼ରୁ ଗଡ଼ି କାଲାଦୁଙ୍ଗୀ ଆସନ୍ତି । କାଲାଦୁଙ୍ଗୀରେ ପନ୍ଦର ଫୁଟ ମୁହଁ ଥିବା ବଡ଼ ବଡ଼ ଡୋଲିରେ ଖାଦ୍ୟଶସ୍ୟ ରଖାହୁଏ । ଏପରି ଡୋଲିର ଖୁବ୍ ଚାହିଦା ଥିବାରୁ ନରୱା ଓ ହରିଆ ଶୀତଦିନ ସାରା ଏଠାରେ ଡୋଲି ବୁଣନ୍ତି । ତାଙ୍କ ଗାଁରେ ବୁଣାବୁଣି କାମ ପାଇଁ ପାହାଡ଼ିଆ ଶାଳିଆ ବାଉଁଶ ବ୍ୟବହାର ହୁଏ । ଇଞ୍ଚେ ମୋଟ ଓ କୋଡ଼ିଏ ଫୁଟ ଲମ୍ବ ଏଇ ସରୁ ବାଉଁଶ ପର୍ବତ ଉପରେ ଚାରି ହଜାରରୁ ଦଶ ହଜାର ଫୁଟ ଉଚ୍ଚରେ ମିଳେ । ଏଥିରୁ ସୁନ୍ଦର ବନଶି ଛଡ଼ ତିଆରି ହେଉଥିବା କଥାଟି ମଧ୍ୟ ଉଲ୍ଲେଖଯୋଗ୍ୟ । କାଲାଦୁଙ୍ଗୀ ପରି ସମତଳ ସ୍ଥାନରେ ଏ ପ୍ରକାର ବାଉଁଶ ମିଳେ ନାହିଁ । ସେଠାରେ ବଣରୁ ସାଧାରଣ ବାଉଁଶ ଆଣି କାମ କରିବାକୁ ହୁଏ ।

 

କାଲାଦୁଙ୍ଗୀର ବାଉଁଶ ବଣ ସବୁ ସଂରକ୍ଷିତ ଜଙ୍ଗଲ ଭିତରେ । ଆମ ପରି ଏଠାକାର ଯେଉଁ ବାସିନ୍ଦାମାନେ ଜଙ୍ଗଲ ପାଖରେ ଚାଷବାସ କରି ଚଳନ୍ତି, ନିଜ ବ୍ୟବହାର ପାଇଁ ବର୍ଷକୁ କେତୋଟି ବାଉଁଶ କାଟି ନେବା ପାଇଁ ସେମାନଙ୍କୁ ଅନୁମତି ମିଳେ । କିନ୍ତୁ ବ୍ୟବସାୟ ପାଇଁ ବାଉଁଶ ନେବାକୁ ହେଲେ ସଲାମୀ ଦାଖଲ କରି ଜଙ୍ଗଲରକ୍ଷୀ ଠାରୁ ଅନୁମତି ଆଣିବାକୁ ହୁଏ । ବାଉଁଶ ମୁଣ୍ଡ ବୋଝକେ ଦୁଇ ଅଣା ମାହାସୁଲ ପଡ଼େ । ଅନୁମତି ପତ୍ରଟି କଷ୍ଟ କରି ଲେଖିଥିବାରୁ ଜଙ୍ଗଲରକ୍ଷୀକୁ ମଧ୍ୟ ଅଣ୍ଟାଗୁଞ୍ଜା କିଛି ଦେବାକୁ ହୁଏ । ଦୁଇବର୍ଷିଆ ପାକଳ ବାଉଁଶ ବୁଣାବୁଣି ପାଇଁ ଭଲ । ବୋଝ ଦରରେ ମାହାସୁଲ ଲାଗୁଥିବାରୁ ବୋଝିଆ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ଯେତେ ବାଉଁଶ ବୋହି ପାରିବ, ସବୁକୁ ବିଡ଼ା ବାନ୍ଧିବାକୁ ଛାଡ଼େ ନାହିଁ ।

 

୧୯୨୯ ମସିହା ଡିସେମ୍ବର ମାସ ୨୨ ତାରିଖ । ବଡ଼ି ଭୋରରୁ ଉଠି ବାଉଁଶ ଆଣିବା ପାଇଁ ହରିଆ ଓ ନରୱା କାଲାଦୁଙ୍ଗୀ ବଜାର ପାଖ ତାଙ୍କ ବସାରୁ ବାହାରି ପଡ଼ିଲେ । ସେଠାରୁ ଆଠ ମାଇଲ ଦୂର ନଲନୀ ଗାଁରେ ଜଙ୍ଗଲରକ୍ଷୀ ରହେ । ତା’ଠାରୁ ଅନୁମତି ପତ୍ରଟିଏ ଲେଖାଇ ନେଇ ନଲନୀ ପାଖ ସରକାରୀ ଜଙ୍ଗଲରୁ ଦୁଇ ବୋଝ ବାଉଁଶ କାଟି ସନ୍ଧ୍ୟା ସୁଦ୍ଧା ସେମାନେ କାଲାଦୁଙ୍ଗୀ ବାହୁଡ଼ିବା କଥା । ଶୀତଦିନ–ପାହାନ୍ତିଆ ବେଳ । ପ୍ରଚଣ୍ଡ ଶୀତ ହେଉଥାଏ । ଖଣ୍ଡେ ଲେଖାଏ ମୋଟ ସୂତା ଚଦର ଘୋଡ଼ିହୋଇ ଦୁହେଁ ଆଗ ପଛ ହୋଇ ଚାଲିଆଥାନ୍ତି । ନାଳବନ୍ଧରେ ମାଇଲିଏ ଯାଇ ମୁହାଣ ପାଖରେ ପହଞ୍ଚିଲେ । ବଡ଼ ପାଚେରୀ କେତୋଟିରେ ନାଳ ମୁହାଣଟି ବନ୍ଧା । ସେଗୁଡ଼ିକୁ ପାରିହୋଇ ଗୋଟିଏ ନଈବନ୍ଧରେ ସରୁ ଚଲାବାଟ ଦେଇ ଦୁହେଁ ଚାଲିଲେ । ବାଟ ଦୁଇ ପାଖେ ବଡ଼ ବଡ଼ ପଥର । ଜାଗା ଜାଗାଏ ଚକଡ଼ାଏ କରି ଝାଟି ବୁଦାରେ ପଶି ଯିବାକୁ ପଡ଼ୁଥାଏ । (ବୋଆର୍‍ ନଈର ଏହି ଅଂଶ ସହିତ ମୁଁ ଭଲଭାବେ ପରିଚିତ । ପାଣିରେ ଖରା ପଡ଼ିଥିବା ବେଳେ ବନଶିରେ ଏଠାରେ ଦେଢ଼ ସେରରୁ ଦୁଇ ସେର ଓଜନ ରୋହି ମାଛ ମରନ୍ତି । ପାହାନ୍ତା ପହରରେ ଦୁଇଟି ଓଧ ଏଠାରେ ପାଣିରେ ଖେଳୁଥିବା ଦେଖାଯାଏ ।)

 

ବନ୍ଧରେ ଦୁଇ ମାଇଲ ଯିବା ପରେ ସେମାନେ ନଈରେ ପଶି ପାରି ହେଲେ । ନଈ ସେପାରିରେ ଥିବା ଘାସ ଓ ଗଛର ଘଞ୍ଚ ଜଙ୍ଗଲରେ ସକାଳେ ସଞ୍ଜେ ସମ୍ବର ଓ ମିରିଗ ଦଳ ପଡ଼ନ୍ତି-। କେବେ କେମିତି ଚିତା ଓ ମହାବଳ ବାଘ ମଧ୍ୟ ସେଠାକୁ ଚାଲି ଆସନ୍ତି । ଜଙ୍ଗଲର ମାଇଲିଏ ଭିତରକୁ ଜାଗାଏ ପାହାଡ଼ଗୁଡ଼ିଏ ପରସ୍ପର ନିକଟକୁ ପାଖେଇ ଆସିଥିବା ଦେଖାଯାଏ । କିଛି ବର୍ଷ ପୂର୍ବେ ମୋ କୁକୁର ରବିନ୍ ଏଠାରେ ବିଖ୍ୟାତ ବାଘ “ପୌଲଗଡ଼ର କୁମାର”*ର ପାହୁଲ ଦାଗ ଠଉରାଇ ବାହାର କରିଥିଲା । ଟିକିଏ ଆଗକୁ ପାହାଡ଼ଗୁଡ଼ିକ ପରସ୍ପର ଠାରୁ ପୁଣି ଦୂରେଇ ଯାଆନ୍ତି ଓ ପାହାଡ଼ ସନ୍ଧିରେ ଥିବା ଉପତ୍ୟକାଟି ସେଇ ଅନୁପାତରେ ଚଉଡ଼ା ହୋଇଯାଏ । ଉପତ୍ୟକାର ସ୍ଥାନୀୟ ନାମ “ସାମଲ୍‍ ଚୌର” । ଆଖ ପାଖ ଗାଁର ଲୋକେ ଏହାକୁ ଚରାଭୂମି ରୂପେ ବ୍ୟବହାର କରନ୍ତି । ଏଠାକାର ଜଙ୍ଗଲ ମଧ୍ୟ ଚୋରା ଶିକାରୀଙ୍କର ଅତି ପ୍ରିୟ ଶିକାରଭୂମି । ଚଲାବାଟର ଯେଉଁ ଅଂଶଟି ଉପତ୍ୟକା ଭିତରେ ଯାଇଥାଏ, ସେଥିରେ ମଣିଷ ଓ ବାଘ ପ୍ରାୟ ସମାନ ସଂଖ୍ୟାରେ ଯାତାୟାତ କରନ୍ତି । ସେ ବାଟେ ଗଲାବେଳେ ଟିକିଏ ସାବଧାନରେ ଯିବାକୁ ହୁଏ ।

 

*

“କୁମାୟୁ”ର ନରଖାଦକ” –ଅନୁବାଦକ

 

ଉପତ୍ୟକା ଉପର ପାଖରେ ବାଟଟି ପାହାଡ଼ରେ ତୀଖ ଭାବେ ଦୁଇ ମାଇଲ ଉଠି ନଲନୀ ଗାଁରେ ପହଞ୍ଚେ । ପାହାଡ଼ ତଳେ ପହଞ୍ଚିବାର ଠିକ୍ ପୂର୍ବରୁ ରାସ୍ତାଟି ବଡ଼ ବଡ଼ ଘାସର ପଟାଏ ଜଙ୍ଗଲ ଭିତରେ ଯାଇଥାଏ । ତିରିଶ ଗଜ ଚଉଡ଼ା ଏହି ଘାସବଣଟି ରାସ୍ତା ଦୁଇ କଡ଼ରେ ପ୍ରାୟ ପଚାଶ ଗଜ ଯାଏ ଲମ୍ବି ରହିଥାଏ । ବଣଟି ଅବଶ୍ୟ ଛୋଟ; କିନ୍ତୁ ସେଥିର ଆଠ ଫୁଟ ଉଚ୍ଚ ଘାସ ଭିତରେ ବାଟୋଇମାନେ ପୂରାପୂରି ଲୁଚିଯାଆନ୍ତି । ବଣ ପାଖରେ ପହଞ୍ଚିବା ବେଳକୁ ହରିଆ ଆଗରେ ଚାଲିଥାଏ । ନରୱା ଥାଏ ତା’ର କେଇ ପାହୁଣ୍ଡ ପଛରେ । ଆଗରେ ପାହାଡ଼ଚଢ଼ା ପଡ଼ିବ-। ଚଦର ଘୋଡ଼ି ହୋଇ ପାହାଡ଼ ଚଢ଼ି ହେବ ନାହିଁ ବୋଲି ଘାସବଣରେ ପଶିବାର ଟିକେ ଆଗରୁ ନରୱା ନିଜ ଚଦର ଖୋଲି ଆଠ ଭାଙ୍ଗ କରି ଡାହାଣ କାନ୍ଧରେ ପକାଇଥାଏ ।

 

ହରିଆ ପ୍ରଥମେ ଘାସବଣରେ ପଶିଲା । ତିନି ଚାରି ଗଜ ବାଟ ଯାଇଛି, ହଠାତ୍ ବାଘର କ୍ରୁଦ୍ଧ ଗର୍ଜନ ସହିତ ନରୱାର କରୁଣ ଆର୍ତ୍ତନାଦ ଶୁଣି ସେ ଫେରିପଡ଼ି ପଛକୁ ଧାଇଁଲା । ଘାସରୁ ବାହାରି ଆସି ଦେଖେ ଯେ ଠିକ୍ ବଣ ଧାରରେ ନରୱାକୁ ବାଘଟାଏ ମାଡ଼ି ବସିଛି । ନରୱା ଚିତ୍ ହୋଇ ତଳେ ପଡ଼ିଛି । ବାଘ ତା’ ଉପରେ ଲମ୍ବ ହୋଇ ପେଟେଇ ପଡ଼ି ତା’ ଡାହାଣ କାନ୍ଧକୁ କାମୁଡ଼ି ଧରିଛି । ବାଘ ପେଟ ତଳୁ ନରୱାର ପାଦ ଦୁଇଟି ପଦାକୁ ବାହାରି ଥାଏ । ହରିଆ ତା’ ବଳାଗଣ୍ଠିକୁ ଭିଡ଼ି ଧରି ସମସ୍ତ ଜୋର୍ ଲଗାଇ ବାଘ ପେଟ ତଳୁ ତା’କୁ ଟାଣିବାକୁ ଲାଗିଲା । ବାଘ ସଙ୍ଗେ ସଙ୍ଗେ ନରୱାକୁ ଛାଡ଼ି ହରିଆ ଆଡ଼େ ମୁହାଁଇ ଛିଡ଼ା ହୋଇଗଲା । ରାଗରେ ସେ ଆଖି ତରାଟି ଘାଉଁ ଘାଉଁ ହେଉଥାଏ । ହରିଆ ଜୀବନର ମାୟା ଛାଡ଼ି ବନ୍ଧୁକୁ ଘୋଷାରିବାରେ ଲାଗିଥାଏ । ନରୱାକୁ ବାଘ ପାଖରୁ କିଛି ବାଟ ଘୁଞ୍ଚାଇ ଆଣିବା ପରେ ହରିଆ ତା’କୁ କୁଣ୍ଢାଇ ଧରି ଚଲାଇ ନେବାକୁ ଚେଷ୍ଟା କଲା । କିନ୍ତୁ ଚାଲିବା ତ ଦୂର କଥା–ଛିଡ଼ା ହେବାକୁ ମଧ୍ୟ ନରୱାର ଶକ୍ତି ପାଇଲା ନାହିଁ । ବାଘଟା ଗର୍ଜ୍ଜନ କରି ବାଟ ଓଗାଳି ଥିବାରୁ ବାଟକୁ ଫେରିବାର ଉପାୟ ଆଉ ନ ଥିଲା । ଘାସବଣ କଡ଼େ କଡ଼େ ନରୱାକୁ ଅଧା ଟେକି ଅଧା ଘୋଷାରି ହରିଆ ବଣ ଆରପାଖରେ ପହଞ୍ଚିଲା । ସେଠାରୁ ନଲନୀ ଗାଁ ଯାଏ ପାହାଡ଼ ଉପରକୁ ତୀଖ ଉଠାଣି । ନରୱାକୁ କାନ୍ଧରେ ବୋହି ଦୁଇ ମାଇଲ ପାହାଡ଼ ଚଢ଼ି ନଲନୀରେ ତା’କୁ ପହଞ୍ଚାଇବା ପାଇଁ ହରିଆ ଯେଉଁ ଦୁଃସହ ପରିଶ୍ରମ କରିଥିବ ତାହା କେବଳ ଅତିମାନବଙ୍କ ପକ୍ଷରେ ହିଁ ସମ୍ଭବ । ବାଟରେ ନରୱାର ଅବସ୍ଥା ଦେଖିବାକୁ ତର ନ ଥିଲା । ଗାଁରେ ପହଞ୍ଚି ଦେଖିଲା ଯେ ତା’ ଡାହାଣ କାନ୍ଧର ହାଡ଼ଗୁଡ଼ିକ ଭାଙ୍ଗି ଗୁଣ୍ଡ ହୋଇଯାଇଛି ଓ କାନ୍ଧ, ପିଠି ଓ ଛାତିର ଡାହାଣ ପାଖରୁ ମାଂସ ବିଦାରି ହୋଇ ହାଡ଼ସବୁ ପଦାକୁ ଦିଶୁଛି । ନରୱାକୁ ଘୋଷାରି ଆଣିବା ବେଳେ ହରିଆ ତା’ ଚଦରଟି ଆଣିବାକୁ ଭୁଲି ନ ଥିଲା । ବାଘ ଚଦର ମିଶା କରି କାନ୍ଧକୁ କାମୁଡ଼ି ଥିବାରୁ ଚଦରର ଆଠଟିଯାକ ଭାଙ୍ଗରେ ଦାନ୍ତ ଫୁଟି ଯାଇଥାଏ । କାନ୍ଧରେ ଚଦରଟି ନ ଥିଲେ ବାଘ ନରୱାର ଛାତିକୁ ଆଗରୁ ପଛଯାଏ ଫୁଟାଇ ଦେଇଥାଆନ୍ତା । ଚଦରଟି କାନ୍ଧରେ ଥାଇ ନରୱାର ପ୍ରାଣ ବଞ୍ଚାଇ ଦେଲା ।

 

ନଲନୀରେ କିଛି ଚିକିତ୍ସା ହୋଇପାରିଲା ନାହିଁ । ଗାଁ ଲୋକେ ଓ ଜଙ୍ଗଲରକ୍ଷୀ ମିଶି କ’ଣ ବା କରିଥାଆନ୍ତେ ? ଶେଷରେ ଦୁଇ ଟଙ୍କା ଭଡ଼ାରେ ଖଚରଟିଏ ଆଣି ନରୱାକୁ ସେଥିରେ ବସାଇ ହରିଆ କାଲାଦୁଙ୍ଗୀ ଚାଲିଲା । ସିଧା ରାସ୍ତାରେ କାଲାଦୁଙ୍ଗୀ ସେଠାରୁ ଆଠ ମାଇଲ ଦୁର । ସେ ବାଟେ କିନ୍ତୁ ବାଘ ସଙ୍ଗେ ପୁଣି ଭେଟ ହେବାର ସମ୍ଭାବନା । ବୁଲାଣି ରାସ୍ତାରେ ମୂଷାବଙ୍ଗା ଗାଁ ଭିତର ଦେଇ ଗଲେ କାଲାଦୁଙ୍ଗୀକୁ ଅଠର ମାଇଲ ବାଟ । ଏଥିରୁ ପ୍ରଥମ ନଅ ମାଇଲ ପୁଣି ଦୁର୍ଗମ ପାହାଡ଼ିଆ ରାସ୍ତା । ଖଚର ପିଠିରେ ପକାଇବାକୁ ପଲାଣ ଖଣ୍ଡେ ନ ଥାଏ । କାଠ ତିଆରି ଗୋଟିଏ ମାଲବୁହା ହାଉଦା ଉପରେ ନରୱା ଅତି କଷ୍ଟରେ ବସିଥାଏ । ସବୁ ବାଧା ବିଘ୍ନ ଅତିକ୍ରମ କରି ହରିଆ ବହୁକଷ୍ଟରେ ତା’କୁ ଆଣି କାଲାଦୁଙ୍ଗୀରେ ପହଞ୍ଚାଇଲା ।

 

ଆମ ପାହାଚ ପାଖରେ ସେମାନେ ପହଞ୍ଚିବା ବେଳକୁ ମ୍ୟାଗି ବାହାର ବାରଣ୍ଡାରେ ବସି ଚାହା ଖାଉଥିଲା । ନରୱା ରକ୍ତରେ ଗୋଟାପଣେ ଗାଧୋଇ ପଡ଼ିଥାଏ । ହରିଆ ତା’କୁ ଖଚର ପିଠିରେ ସମ୍ଭାଳି ଧରିଥାଏ । ମ୍ୟାଗି ଚାହିଁଦେବା ମାତ୍ରେ ବୁଝିଗଲା ଯେ ଏ ଧରଣର ସାଙ୍ଘାତିକ ରୋଗୀକୁ ହାତକୁ ନେଇ ସେ ତୁଲାଇ ପାରିବ ନାହିଁ । ନରୱା ତେଣେ ବେହୋସ୍ ହେବା ଉପରେ । ତା’କୁ କଡ଼ା ଔଷଧ ପାନେ ଦେଇ ତା’ ବେକରୁ ଝୁଲାଟିଏ ଓହଳାଇ ମ୍ୟାଗି ସେଥିରେ ତା’ ହାତକୁ ଆଶ୍ରା ଦେଇ ରଖିଲା । ବିଛଣା ଚାଦରଟିଏ ଚିରି ନରୱାର କ୍ଷତଗୁଡ଼ିକରେ ପଟି ବାନ୍ଧିଦେଲା । ତା’ପରେ ଚିଠି ଖଣ୍ଡେ ଲେଖି ଆମ ଚାକର ସହିତ ଦୁହିଁଙ୍କୁ କାଲାଦୁଙ୍ଗୀ ଡାକ୍ତରଙ୍କ ପାଖକୁ ପଠାଇ ଦେଲା ।

 

ମୋର ବନ୍ଧୁ କେତେଜଣ ବଡ଼ଦିନ ଛୁଟିରେ କାଲାଦୁଙ୍ଗୀ ଆସିଥାଆନ୍ତି । ସେମାନଙ୍କ ସଙ୍ଗରେ ଚଢ଼େଇ ଶିକାରରେ ସକାଳୁ ବାହାରି ମୁଁ ସନ୍ଧ୍ୟାପରେ ଘରକୁ ଫେରିଲି । ମ୍ୟାଗି ଠାରୁ ସମସ୍ତ ବିଷୟ ଶୁଣି ପରଦିନ ସକାଳୁ କାଲାଦୁଙ୍ଗୀ ଡାକ୍ତରଙ୍କ ପାଖରେ ପହଞ୍ଚିଲି । ଡାକ୍ତରବାବୁଙ୍କ ବୟସ ବେଶି ନୁହେଁ; ଅନୁଭୂତି ମଧ୍ୟ ସେହି ଅନୁପାତରେ କମ୍ । ନରୱା ବଞ୍ଚିବାର ଆଶା ନାହିଁ ବୋଲି ମତ ଦେଇ ସେ କହିଲେ ଯେ ଡାକ୍ତରଖାନାରେ ରୋଗୀ ଭର୍ତ୍ତି କରିବାର ବ୍ୟବସ୍ଥା ନ ଥିବାରୁ ନରୱାକୁ ସେ ଯଥା ସମ୍ଭବ ଚିକିତ୍ସା ପରେ ବସାକୁ ଫେରାଇ ଦେଇଛନ୍ତି । ସେଠାରୁ ଫେରି ନରୱା ବସାରେ ପହଞ୍ଚିଲି । କୋଡ଼ିଏଟି ପରିବାର ସେହି ଗୋଟିଏ ଘରେ ଏକାଠି ବସା କରି ରହୁଥାଆନ୍ତି । ପ୍ରତ୍ୟେକ ପରିବାରର ଛୋଟ ଛୋଟ ଗୁଡ଼ିଏ ପିଲା ଏକାଠି ହୋଇ ଗହଳି ବଢ଼ାଉଥାନ୍ତି-। ଘରକୋଣରେ ନଡ଼ାପତ୍ରର ଗୋଟିଏ ଶେଯରେ ନରୱା ସେହି ଗୋଳମାଳ ଭିତରେ ପଡ଼ି ରହିଥାଏ-

 

ଏପରି ଅସ୍ୱାସ୍ଥ୍ୟକର ପରିବେଶରେ ଯାହା ହେବ ବୋଲି ଆଶଙ୍କା କରୁଥିଲି, ଶେଷରେ ତାହା ହିଁ ଘଟିଲା । ନରୱାର ଘାଆଗୁଡ଼ିକ ସବୁ ପାଚିବାକୁ ଆରମ୍ଭ କଲା । ଜ୍ୱରରେ ସେ କେତେବେଳେ ପ୍ରଳାପ କରେ । କେତେବେଳେ ତା’ ଚେତା ବୁଡ଼ିଯାଏ । ସ୍ତ୍ରୀ ତା’ର ପାଖରେ ବସି ଲୁହ ଗଡ଼ାଉଥାଏ । ହରିଆ ଓ ଅନ୍ୟ ବନ୍ଧୁମାନେ ସେବାରେ ଲାଗିଥାଆନ୍ତି । ଏସବୁ ସତ୍ତ୍ୱେ ନରୱାର ଅବସ୍ଥା ଦିନୁଦିନ ଆହୁରି ଖରାପ ହେଲା । ଏ ଧରଣର ରୋଗୀ ସମ୍ବନ୍ଧରେ ବିଶେଷ ଅଭିଜ୍ଞତା ନ ଥିଲେ ସୁଦ୍ଧା ମୁଁ ଜାଣିପାରିଲି ଯେ ଘାଆରୁ ଶୀଘ୍ର ପୂଜ ବାହାରି ନ ଗଲେ ନରୱା ‘ବଞ୍ଚିବ ନାହିଁ’ ବୋଲି ଡାକ୍ତରବାବୁଙ୍କ ଭବିଷ୍ୟତ ବାଣୀଟି ଫଳିବାର ବିଶେଷ ସମ୍ଭାବନା ଅଛି । ତା’କୁ ଡାକ୍ତରଖାନାରେ ରଖି ଚିକିତ୍ସା କରାଇବାର ଆୟୋଜନ କରିବା ପରେ ପୁଣି ନେଇ ସେଠାରେ ପହଞ୍ଚାଇଲି । ଡାକ୍ତରବାବୁଙ୍କ ସପକ୍ଷରେ ଏତିକି କୁହାଯାଇପାରେ ଯେ କାମଟିଏ ଥରେ ହାତକୁ ନେଲେ ସେ ଆଉ ଦୋଦୋପାଞ୍ଚ ହୁଅନ୍ତି ନାହିଁ । ଏଥର ଆଗ ପଛ ବିଚାର ନ କରି ଛୁରୀର ସଦ୍‌ବ୍ୟବହାର କରିବାକୁ ସେ ପଛେଇଲେ ନାହିଁ । ନରୱାର ଛାତି ଓ ପିଠିରେ ଯେଉଁ ଦାଗଗୁଡ଼ିକ ଚିରଦିନ ପାଇଁ ରହିଗଲା, ସେଥିରୁ ଅଧିକାଂଶ ବାଘ ନଖ ଦ୍ଵାରା ନ ହୋଇ ଡାକ୍ତରଙ୍କ ଛୁରୀ ଦ୍ଵାରା ହୋଇଥିଲା ।

 

ସେତେବେଳେ ଛୋଟ ଛୋଟ ଡାକ୍ତରଖାନାମାନଙ୍କରେ ରୋଗୀ ବା ତା’ର ସେବାକାରୀକୁ ଖାଇବାକୁ ଦେବାର ବ୍ୟବସ୍ଥା ନ ଥାଏ । ତା’ପରେ ଏମାନେ ହେଲେ ଗରିବ ମଜୁରିଆ । ରୋଜଗାର ନ କଲେ ତାଙ୍କ ଚୁଲି ଜଳେ ନାହିଁ । ତିନିବର୍ଷର ଝିଅ ଓ କୋଳପିଲାଟିକୁ ସମ୍ଭାଳି ସ୍ୱାମୀର ସେବା କରୁ କରୁ ନରୱାର ସ୍ତ୍ରୀକୁ ଦିନ ଅଣ୍ଟେ ନାହିଁ । ମୂଲ ଲାଗିବାକୁ ତା’କୁ ଫୁରସତ୍ ନ ଥାଏ । ତାଙ୍କ ଅବସ୍ଥା ଦେଖି ପରିବାରଟିର ଭରଣପୋଷଣର ଭାର ମ୍ୟାଗି ହାତକୁ ନେଲା । ତିନିମାସ ଯାଏ ନରୱା ପ୍ରଥମେ ଡାକ୍ତରଖାନାରେ ଓ ପରେ ତା’ ବସାଘରେ ଶେଯରେ ପଡ଼ି ରହିଲା । ତା’ ସ୍ତ୍ରୀ ସଦାସର୍ବଦା ପାଖେ ପାଖେ ଥାଏ । ଅବସ୍ଥା ଟିକିଏ ଭଲ ଆଡ଼କୁ ଆସିବା ପରେ ଦିନେ ବିଦାୟ ନେବା ପାଇଁ ସେ ଘୁଷୁରି ଘୁଷୁରି ଆସି ଘରେ ପହଞ୍ଚିଲା । ଦେହରେ ହାଡ଼ ସବୁ ଗଣି ହେଉଥାଏ । ମନେ ହେଉଥାଏ ଯେ ତା’ ଡାହାଣ ହାତଟା ଚିରଦିନ ପାଇଁ ଅକାମୀ ହୋଇଯିବ । ଛଅବର୍ଷ ତଳେ ଏଇ ଅବସ୍ଥାରେ ଆମଠାରୁ ସେ ବିଦାୟ ନେଲା । ପରଦିନ ହରିଆ ଓ ସ୍ତ୍ରୀ ପିଲାଙ୍କୁ ନେଇ ତାଙ୍କ ଗାଁକୁ ଫେରିଗଲେ ।

 

ନରୱାର ବସାକୁ ପ୍ରଥମ ଥର ଯିବାବେଳେ ହରିଆଠାରୁ ସବୁ କଥା ଶୁଣି ବାଘଟା ମଣିଷଖିଆ ନୁହେଁ ବୋଲି ଧାରଣା ହେଲା । ଏହା ଏକ ଆକସ୍ମିକ ଦୁର୍ଘଟଣା ଛଡ଼ା କିଛି ନୁହେଁ ବୋଲି ଭାବିଲି । ଏ ବିଷୟରେ କିନ୍ତୁ ସନ୍ଦେହ ରହିବା ଅନୁଚିତ । ବାଘ ମଣିଷଖିଆ ହୋଇଥିଲେ ତା’କୁ ତୁରନ୍ତ ମାରିଦେବା ଦରକାର । କାଳବିଳମ୍ବ ନ କରି ପରଦିନ ସକାଳୁ ଯାଇ ଘଟଣାସ୍ଥଳକୁ ଭଲଭାବେ ପରୀକ୍ଷା କରିବା ପରେ ଘଟଣାର କ୍ରମାନ୍ଵୟକୁ ପୁଣି ଥରେ ରୂପ ଦେବା ସହଜ ହେଲା । ହରିଆ ଓ ନରୱା ଯେଉଁ ବାଟେ ଯାଇଥିଲେ ତାହାର ପ୍ରତ୍ୟେକ ଅଂଶ ତନ୍ନ ତନ୍ନ କରି ପରୀକ୍ଷା କରି ଦେଖିଲି । ନଲନୀ ପାହାଡ଼ ତଳେ ରାସ୍ତାଟି ଘାସବଣ କଡ଼େ କଡ଼େ କିଛି ବାଟ ଯିବା ପରେ ବାଙ୍କି ଯାଇ ବଣରେ ପଶିଥାଏ । ବନ୍ଧୁ ଦୁହେଁ ଏହି ମୋଡ଼ ପାଖରେ ପହଞ୍ଚିବାର ଟିକିଏ ଆଗରୁ ବାଘ ସମ୍ବରଟିଏ ମାରି ତା’କୁ ବାଟ ଡାହାଣ କଡ଼ରେ ଘାସ ଭିତରେ ରଖିଥିଲା । ହରିଆ ବଣରେ ପଶିବାର ଖସ୍ ଖସ୍ ଶବ୍ଦ ଶୁଣି ବାଘ ତରକି ସେଠାରୁ ବାହାରି ଆସିଲା । ନରୱା ପଛରେ ଥିଲା । ମୋଡ଼ ପାଖରେ ସେ ପହଞ୍ଚିବାକୁ ଆହୁରି ଦୁଇ ଗଜ ଥାଏ । ବାଘ ଘାସ ଭିତରୁ ଦେଖି ନ ପାରି ହଠାତ୍‍ ବାହାରି ଆସିବା ବେଳେ ନରୱା ସହିତ ତା’ର ଧକ୍‍କା ହୋଇଗଲା । ମଣିଷ ସହିତ ଆକସ୍ମିକ ଭାବେ ମୁହାଁମୁହିଁ ହୋଇଗଲେ ପ୍ରତ୍ୟେକ ବନ୍ୟଜନ୍ତୁର ଆକ୍ରମଣ କରିବାର ପ୍ରବୃତ୍ତି ଜାଗିଉଠେ । ବାଘ ଠିକ୍ ସେହି କାରଣରୁ ନରୱାକୁ ଆକ୍ରମଣ କଲା ବୋଲି ମୁଁ ସ୍ଥିର କଲି । ତା’ପରେ, ମଣିଷଖିଆ ବାଘ ମଣିଷ ଶିକାର ପାଇଲେ ତା’କୁ ଶେଷ ନ କରି ଛାଡ଼େ ନାହିଁ । ବାଘଟା ମଣିଷଖିଆ ହୋଇଥିଲେ ନରୱାକୁ ଦରମରା କରି କେବେ ଛାଡ଼ିଦେଇ ନ ଥାନ୍ତା କିମ୍ବା ହରିଆ ତା’ ମୁହଁରୁ ନରୱାକୁ କଦାପି ଛଡ଼ାଇ ଆଣି ପାରି ନ ଥାନ୍ତା । ବାଘଟା ମଣିଷଖିଆ ନୁହେଁ ବୋଲି ହୃଦବୋଧ ହେବାରୁ ତା’କୁ ଛାଡ଼ି ଦିଆଗଲା । ମୋର “କୁମାୟୁଁର ନରଖାଦକ” ବହିରେ “ସାଧାରଣ ବାଘ” ଶିରୋନାମାରେ ଯେଉଁ ବାଘଙ୍କ ବିଷୟ ବର୍ଣ୍ଣନା କରିଛି, ଏ ବାଘକୁ ଶେଷରେ ସେହି ଦଳରେ ଅନ୍ତର୍ଭୁକ୍ତ କରିପାରିଲି ।

 

ଅସାଧାରଣ ସାହସିକତାର କେତେ ଦୃଷ୍ଟାନ୍ତ ମୁଁ ଦେଖିଛି । ଏପରି ଅନେକ ଘଟଣା ସମ୍ବନ୍ଧରେ ମୁଁ ଶୁଣିଛି ଓ ପଢ଼ିଛି । କିନ୍ତୁ ନରୱାକୁ ବାଘ ମୁହଁରୁ ଛଡ଼ାଇ ଆଣି ହରିଆ ଯେପରି ସାହସର ପରିଚୟ ଦେଲା, ସାହସିକତାର ସେଭଳି ଅପୂର୍ବ ଦୃଷ୍ଟାନ୍ତ ମୋତେ ଜଣାନାହିଁ । ବିପଦଶଙ୍କୁଳ ବିରାଟ ଅରଣ୍ୟର ନିର୍ଜନତା ଭିତରେ ଯେଉଁ ନିରସ୍ତ୍ର ପଥିକ ସାଥୀର ଆର୍ତ୍ତନାଦ ଶୁଣି ଫେରିଆସେ ନିଜ ଜୀବନଙ୍କୁ ବିପନ୍ନ କରି ଯିଏ କ୍ରୁଦ୍ଧ ମହାବଳ ବାଘ ମୁହଁରୁ ତା’କୁ ଛଡ଼ାଇ ଆଣେ–ମୁମୂର୍ଷୁ ବନ୍ଧୁକୁ କାନ୍ଧରେ ବୋହି ଦୁଇ ମାଇଲ ପାହାଡ଼ ଚଢ଼ିବାକୁ ଯେ ପଛାଏ ନାହିଁ–ତା’ ପରି ସାହସୀ ଏ ସଂସାରରେ ବିରଳ । ଏ ଘଟଣାର ସତ୍ୟତା ସମ୍ବନ୍ଧରେ ମୋର ତିଳେ ହେଲେ ସନ୍ଦେହ ନାହିଁ । ହରିଆଠାରୁ ବିବରଣୀଟି ଲେଖି ନେବା ପରେ ପରେ ନରୱାର ବକ୍ତବ୍ୟ ସହିତ ମୁଁ ତା’କୁ ମିଳାଇ ନେଇଥିଲି । ଦୁହିଙ୍କ ବିବୃତି ଅକ୍ଷରେ ଅକ୍ଷରେ ମିଶିଯାଇଥିଲା । ଏ ଭଳି ଅତୁଳନୀୟ ସାହସିକତାକୁ ସ୍ଵୀକୃତି କରାଇ ହରିଆକୁ ସମ୍ମାନିତ କରାଇବାକୁ ମୋ ଇଚ୍ଛା ଥିଲା । ଘଟଣାଟି ବର୍ଣ୍ଣନା କଲାବେଳେ ହରିଆ କିନ୍ତୁ ମୋର ଅସଲ ଉଦ୍ଦେଶ୍ୟ ଜାଣି ନ ଥିଲା । ସେ ଯେ ଅସାମାନ୍ୟ କିଛି କରିଛି, ଏ ଧାରଣା ମଧ୍ୟ ତା’ର ନ ଥିଲା । ମୋର ସବୁ ପ୍ରଶ୍ନର ଉତ୍ତର ଦେବା ପରେ ସେ ଡରି ଡରି ପଚାରିଲା, “ମୁଁ କିଛି ଦୋଷ କରିନାହିଁ ତ ସାହେବ ? ଏଥିପାଇଁ ମୋ ଉପରେ କି ନରୱା ଭାଇ ଉପରେ କିଛି ବିପଦ ପଡ଼ିବ ନାହିଁ ତ ?” କିଛିଦିନ ପରେ ନରୱାର ମୃତ୍ୟୁକାଳୀନ ଜମାନବନ୍ଦୀ ଲେଖିବା ବେଳେ ସେ ମୋତେ ଠିକ୍ ସେହି ପ୍ରଶ୍ନ ପଚାରିଥିଲା । ବେଦନାଭରା କ୍ଷୀଣ ସ୍ୱରରେ ସେ କହିଥିଲା, “ହରିଆ ଉପରେ ଯେମିତି କିଛି ଆପଦ ବିପଦ ନ ପଡ଼େ, ତା’ର ବ୍ୟବସ୍ଥା ଆପଣ କରିବେ ସାହେବ । ବାଘ ତ ମୋତେ ମାଡ଼ି ବସିଲା; ଏଥିରେ ତା’ର ବା ଦୋଷ କ’ଣ ? ଜୀବନକୁ ପାଣି ଛଡ଼ାଇ ମୋତେ ସେ ବାଘ ମୁହଁରୁ ବଞ୍ଚାଇଛି । ସେଥିପାଇଁ ତା’କୁ ଯେମିତି କିଛି ଜଞ୍ଜାଳ ସହିବାକୁ ନ ହୁଏ ।”

 

ହରିଆକୁ ସ୍ୱୀକୃତି ଓ ସମ୍ମାନ ମିଳିଲା ବୋଲି ଲେଖି ଏଇ ଗଳ୍ପଟି ଶେଷ କରି ପାରିଥିଲେ ମୁଁ ସୁଖୀ ହୋଇଥାଆନ୍ତି । ଖଣ୍ଡେ ମାନପତ୍ର ବା ସାମାନ୍ୟ ପୁରସ୍କାରଟିଏ ପାଇଥିଲେ ଏ ଅଜ୍ଞାତ, ଅସ୍ପୃଶ୍ୟ ବୀର ଦୁହିଁଙ୍କ ଜୀବନରେ କେତେ ଆଶା, କେତେ ଆନନ୍ଦ ସଞ୍ଚାର ହୋଇଥାଆନ୍ତା ! ତାହା କିନ୍ତୁ ହେବାର ନ ଥିଲା । ନିୟମ ଅନୁସାରେ ଏପରି ଘଟଣାର ସତ୍ୟତା ପ୍ରମାଣ କରିବା ପାଇଁ ଦୁଇଜଣ ନିରପେକ୍ଷ ଦର୍ଶକଙ୍କ ସାକ୍ଷ୍ୟ ଦରକାର । ଏପରି ଆକସ୍ମିକ ଦୁର୍ଘଟଣାରେ ଦର୍ଶକ ଅବା କାହୁଁ ମିଳିବେ ? ସାକ୍ଷୀ ବିନା ଏ ଘଟଣାକୁ ସ୍ଵୀକୃତି ଦିଆଯାଇ ପାରିବ ନାହିଁ ବୋଲି ସରକାର ଧରି ବସିଲେ । ନାଲିଫିତା ବିରୁଦ୍ଧରେ ସଂଗ୍ରାମ କରିବାର ଶକ୍ତି ମୋର ନ ଥିଲା । ମୁଁ ହାର ମାନିଲି ।

 

ଅସାଧାରଣ ବୀରତ୍ୱର ଏହି ଅପୂର୍ବ ଦୃଷ୍ଟାନ୍ତଟି ଶେଷ ପର୍ଯ୍ୟନ୍ତ ସ୍ଵୀକୃତି ପାଇଲା ନାହିଁ । ଏଥିର କାରଣ ଦେଖାଇ କୁହାଗଲା ଯେ ହରିଆର ଜମାନବନ୍ଦୀକୁ ପ୍ରମାଣ କରିବା ପାଇଁ ନିରପେକ୍ଷ ସାକ୍ଷୀ କେହି ନାହାନ୍ତି । ନରୱା ଛାତିରେ ନଖଦନ୍ତର ଚିହ୍ନ ଆଜି ସୁଦ୍ଧା ତା’ ଉକ୍ତିକୁ ସମର୍ଥନ କରେ । ରକ୍ତରେ ଓଦା ସେଇ ଫୁଟା ଚଦରଟି ଏବେ ଯାଏ ତା’ ପାଖରେ ଅଛି । ବିଚାରା ହରିଆ ପାଖରେ ସେତକ ପ୍ରମାଣ ମଧ୍ୟ ନାହିଁ ।

 

ସରକାର ସିଦ୍ଧାନ୍ତର ପୁନର୍ବିଚାର ପାଇଁ ମହାମାନ୍ୟ ସମ୍ରାଟଙ୍କ ନିକଟରେ ଆବେଦନ କରିବାକୁ ଇଚ୍ଛା କରିଥିଲି । କିନ୍ତୁ ତାହା ପୂର୍ବରୁ ବିଶ୍ଵଯୁଦ୍ଧ ଓ ତା’ର ଆନୁସଙ୍ଗିକ ବିଶୃଙ୍ଖଳାମାନ ଆରମ୍ଭ ହୋଇଗଲା । ଘୋର ଅନିଚ୍ଛା ସତ୍ତ୍ୱେ ଏଇ ଆଶାଟିକୁ ଶେଷରେ ଜଳାଞ୍ଜଳି ଦେବାକୁ ବାଧ୍ୟ ହେଲି ।

Image

 

Unknown

ସୁଲ୍‌ତାନା–ଭାରତର ରବିନ୍ ହୁଡ୍

 

“ମୋର ଭାରତ”ର କେତେଜଣଙ୍କ ମନରେ ଅପରାଧ ପ୍ରବୃତ୍ତି କାହିଁକି ଜାଗି ଉଠେ, ତାହା ବୁଝିବା କଷ୍ଟକର ନୁହେଁ । ଆଜୀବନ ଅଭାବ ଅନାହାର ସହି ଲୋକଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିପଡ଼େ ଓ ସେଥରୁ ରକ୍ଷା ପାଇବା ଆଶା କେତେକଙ୍କୁ ବିପଥରେ ଯିବାକୁ ପ୍ରଲୋଭିତ କରେ । ବିଶାଳ ଏହି ଭୂଖଣ୍ଡର ବିସ୍ତୀର୍ଣ୍ଣ ଅଂଶମାନ ଦୁର୍ଗମ ଜଙ୍ଗଲ ଦ୍ୱାରା ଆବୃତ । ବିଭିନ୍ନ ଅଞ୍ଚଳ ମଧ୍ୟରେ ସଂଯୋଗ ସ୍ଥାପନ କରିବା ଭଳି ଚଳାଚଳଯୋଗ୍ୟ ରାସ୍ତାର ଅଭାବ ଥାଏ । ଏସବୁ ପ୍ରତିବନ୍ଧକ ଅତିକ୍ରମ କରି ଅପରାଧୀଙ୍କୁ ଅକ୍ତିଆର କରିବା ସରକାରଙ୍କ ପକ୍ଷେ ଦୁଷ୍କର ହୋଇଉଠେ । ସବୁ ଦେଶ ପରି ଭାରତରେ ସାଧାରଣ ଅପରାଧୀ ମଧ୍ୟ ଥାଆନ୍ତି । ଏହାଛଡ଼ା ସରକାର ଏଠାକାର କେତେକ ସମ୍ପ୍ରଦାୟକୁ “ଅପରାଧୀ ସଂପ୍ରଦାୟ” ଆଖ୍ୟା ଦେଇ ସେମାନଙ୍କୁ ସ୍ୱତନ୍ତ୍ର ଉପନିବେଶମାନଙ୍କରେ ରଖି ସଂଯତ କରିବାକୁ ଚେଷ୍ଟା କରନ୍ତି ।

 

ଗତ ମହାଯୁଦ୍ଧ ସମୟରେ କେତୋଟି ଲୋକହିତକର କାର୍ଯ୍ୟକ୍ରମ ସହିତ ସଂପୃକ୍ତ ଥାଇ ଏପରି ଗୋଟିଏ ଉପନିବେଶରେ ପ୍ରବେଶ କରିବାକୁ କେତେଥର ସୁଯୋଗ ପାଇଥିଲି । ସେଥିର ବାସିନ୍ଦାଙ୍କ ଉପରେ ବିଶେଷ କଡ଼ା କଟକଣା ନ ଥିବାରୁ ସେମାନଙ୍କ ସହିତ ଓ ଉପନିବେଶ ଦାୟିତ୍ୱରେ ଥିବା ସରକାରୀ ପ୍ରତିନିଧିଙ୍କ ସହିତ ନାନା ବିଷୟ ଆଲୋଚନା କରିବା ସମ୍ଭବ ହେଲା । ଏହି ସମ୍ପ୍ରଦାୟକୁ ଅପରାଧ ମାର୍ଗରୁ ସୁଧାରିବା ପାଇଁ ସରକାର ସେମାନଙ୍କ ପାଇଁ ଗୁଡ଼ିଏ ନିଷ୍କର ଚାଷଜମି ଖଞ୍ଜି ଦେଇଥାନ୍ତି । ମୀରଟ୍ ଜିଲ୍ଲାର ବନ୍ୟାସେଚିତ ଅଞ୍ଚଳରେ ଥିବା ଏହି ଉର୍ବର ଜମିରୁ ଆଖୁ, ଗହମ, ଯବ, ରାଇସୋରିଷ ଆଦି ନାନା ଫସଲ ପ୍ରଚୁର ପରିମାଣରେ ଆମଦାନୀ ହୁଏ । ଏସବୁ ସତ୍ତ୍ୱେ ଏମାନେ ବେଆଇନ କାର୍ଯ୍ୟକଳାପରୁ ବିରତ ହୁଅନ୍ତି ନାହିଁ । ସରକାରୀ ପ୍ରତିନିଧି ଏଥିପାଇଁ ସମ୍ପ୍ରଦାୟର ଯୁବତୀମାନଙ୍କୁ ଦାୟୀ କରି କହିଲେ ଯେ କେବଳ ଧୁରନ୍ଧର ଅପରାଧୀଙ୍କ ଛଡ଼ା ଅନ୍ୟ କାହାକୁ ବିବାହ କରିବାକୁ ସେମାନେ ନାରାଜ । ଏଇ ସମ୍ପ୍ରଦାୟର ଲୋକେ ‘ଚୋରି’କୁ ନିଜର କୌଳିକ ବୃତ୍ତି ରୂପେ ଗ୍ରହଣ କରିଥାନ୍ତି । ବୟୋଜ୍ୟେଷ୍ଠମାନେ ଯୁବକମାନଙ୍କୁ ଚୋରି କରିବାରେ ତାଲିମ୍ ଦିଅନ୍ତି । ଚୋରାଧନର କିଛି ଅଂଶ ବିଦ୍ୟାଗୁରୁଙ୍କୁ ଦକ୍ଷିଣା ସ୍ୱରୂପ ଦିଆଯାଏ । ପୁରୁଷମାନେ ନିର୍ଦ୍ଦିଷ୍ଟ ସମୟ ପାଇଁ ଉପନିବେଶରୁ ବାହାରକୁ ଯିବାକୁ ଅନୁମତି ପାଆନ୍ତି । ସ୍ତ୍ରୀ ଲୋକମାନଙ୍କୁ କିନ୍ତୁ ବାହାରକୁ ଛଡ଼ାଯାଏ ନାହିଁ । ଶିକ୍ଷାନବିସକୁ ନିର୍ଦ୍ଦିଷ୍ଟ ତିନୋଟି ନିୟମ ମାନିବାକୁ ମୁରବୀମାନେ ଜୋର ଦେଇ ଶିଖାଇଥାନ୍ତି । ଏଥିରୁ ପ୍ରଥମଟି ହେଲା–ଚୋରି ଏକାକୀ କରିବାକୁ ହେବ; ଦଳବାନ୍ଧି ଚୋରି କରିବା ମନା । ଦ୍ଵିତୀୟରେ, ଅପରାଧସ୍ଥଳ ଉପନିବେଶରୁ ଯେତେ ଦୂର ହୁଏ ସେତେ ଭଲ । ଶେଷରେ, ଚୋରି କରିବା ବେଳେ କୌଣସି ହିଂସାତ୍ମକ କାଣ୍ଡ ଘଟାଯିବ ନାହିଁ-

 

ତାଲିମ୍ ପାଇବା ପରେ ଯୁବକମାନେ ଶିବିର ଛାଡ଼ି କଲିକତା, ବମ୍ବେ ପରି ଦୂରଦୂରାନ୍ତରେ ଥିବା ବଡ଼ ବଡ଼ ସହରମାନଙ୍କରେ ଧନୀ ଲୋକଙ୍କ ଘର ଖୋଜି ଘରୋଇ ଚାକର ଭାବେ ରହନ୍ତି ଓ ସୁବିଧା ଦେଖି ସୁନା ଅଳଙ୍କାର, ମୂଲ୍ୟବାନ ପଥର ଆଦି ସହଜରେ ଲୁଚା ହେବା ଭଳି ଜିନିଷମାନ ମୁନିବ ଘରୁ ଚୋରାଇ ଆଣନ୍ତି । ଥରେ ଏଇ ଉପନିବେଶ ପାଖରେ ମୁଁ କଳା ଚକୋର ଚଢ଼େଇ ଶିକାର କରିଥାଏ । ଉପନିବେଶର କେତେଜଣ ଯୁବକ ଆଖୁ କିଆରୀରୁ ଚଢ଼େଇ ଘଉଡ଼ାଇ ଶିକାରରେ ସାହାଯ୍ୟ କରୁଥାଆନ୍ତି । ଯୁବକ ଜଣେ ଗୁଳିମାଡ଼ ହୋଇଥିବା ଗୋଟିଏ ଚଢ଼େଇକୁ ଜଙ୍ଗଲରୁ ଖୋଜି ଆଣିବାରୁ ତା’କୁ ଆଠ ଅଣା ମଜୁରୀ ଉପରେ ମୁଁ ଦୁଇ ଅଣା ବକ୍‌ସିସ ଦେଲି । ସରକାରୀ ପ୍ରତିନିଧି କହିଲେ ଯେ ଏଇ ଯୁବକ ବର୍ଷେ କାଳ ବାହାରେ ରହି ତିରିଶି ହଜାର ଟଙ୍କା ମୂଲ୍ୟର ହୀରାଟିଏ ନେଇ କିଛି ଦିନ ତଳେ ଏଠାକୁ ଫେରିଛି । ସମ୍ପ୍ରଦାୟର ବିଶେଷଜ୍ଞମାନେ ପରୀକ୍ଷା କରି ହୀରାର ମୂଲ୍ୟ ନିରୂପଣ କରିବା ପରେ ସେଟି ଲୁଚାଇ ଦିଆଯାଇଛି । ଉପନିବେଶର ସର୍ବଶ୍ରେଷ୍ଠ ସୁନ୍ଦରୀ ଏଇ ଯୁବକକୁ ଆସନ୍ତା ତିଥିରେ ବାହା ହେବା ପାଇଁ କଥା ଦେଇଛି । ଅଳ୍ପ ଦୂରରେ ଛିଡ଼ା ହୋଇଥିବା ଆଉ ଜଣେ ଯୁବକ ବିଷୟରେ ସେ କହିଲେ ଯେ ନିଜ ମନୋନୀତ ଯୁବତୀ ଉପରେ ପ୍ରଭାବ ପକାଇବା ପାଇଁ ସେ ଏକ ଅଭିନବ ଉପାୟ ଉଦ୍ଭାବନ କରିଥିଲା । କଲିକତାରୁ ନୂଆ ମୋଟର ଗାଡ଼ିଟିଏ ଚୋରାଇ ସେ ତା’କୁ ଶଗଡ଼ ଦାଣ୍ଡିରେ ଏଠାକୁ ଚଲାଇ ଆଣିଥିଲା । ଏଥିପାଇଁ ସେ ଆଗରୁ ପଇସା ଖର୍ଚ୍ଚ କରି ମୋଟର ଚଳାଇବା ଶିଖିଥିଲା ।

 

କେତେକ ‘ଅପରାଧୀ ସମ୍ପ୍ରଦାୟ’ ଉପରୁ କାଇଦା କଟକଣା କିଛିଟା କୋହଳ କରାଯାଇଥାଏ । ସେ ଭିତରୁ କେତେ ଜଣ ଘର ଜଗୁଆଳ ଭାବେ ଚାକିରି ପାଆନ୍ତି । ଏ ଧରଣର ଜଗୁଆଳ ରାତିରେ ମୁନିବ ଘର ଆଗରେ ତା’ ଜୋତା ହଳକ ଥୋଇ ଦେଲେ ମୁନିବ ଚୋରଙ୍କ ଠାରୁ ରକ୍ଷାପାଏ । ଚୋରି ଭୟ ଦେଖାଇ ଏପରି ଅର୍ଥ ଆଦାୟ କରିବାକୁ କେହି ହୁଏତ ନାପସନ୍ଦ କରି ପାରନ୍ତି । କିନ୍ତୁ ଅଳ୍ପ ଖର୍ଚ୍ଚରେ ଚୋର ଦାଉରୁ ରକ୍ଷା ପାଇବାର ଏ ସୁଯୋଗ କୌଣସି ଗୃହକର୍ତ୍ତା କେବେ ଛାଡ଼େ ନାହିଁ । ଅପରାଧୀ ଭାବେ ଜଗୁଆଳର ପ୍ରତିପତ୍ତିକୁ ଚାହିଁ ତା’ ଦରମା ଠିକ୍ ହୁଏ ଓ ତାହା ମାସକୁ ତିନି ଟଙ୍କାରୁ ପାଞ୍ଚ ଟଙ୍କା ଭିତରେ ପଡ଼େ । ଜଗୁଆଳ ଘର ଜଗେ ନାହିଁ । କେବଳ ସନ୍ଧ୍ୟାବେଳେ ନିଜ ଜୋତା ଯୋଡ଼ିକ ଆଣି ମୁନିବ ଘର ଆଗରେ ଥୋଇଦିଏ ଓ ସକାଳୁ ଆସି ତା’କୁ ନେଇଯାଏ ।

 

ଭାଣ୍ଟୁ ସମ୍ପ୍ରଦାୟର ଲୋକେ ହିଂସାତ୍ମକ ଅପରାଧ କରୁଥିବାରୁ ତାଙ୍କ ଉପରେ କଡ଼ା କଟକଣା ଜାରି ହୋଇଥାଏ । ଏଇ ଗଳ୍ପର ନାୟକ ସୁଲ୍‌ତାନା ସେହି ସମ୍ପ୍ରଦାୟର ଲୋକ । ତା’କୁ ଧରିବା ପାଇଁ ଉତ୍ତର ପ୍ରଦେଶ ସରକାରଙ୍କ ସମସ୍ତ ଚେଷ୍ଟା ବ୍ୟର୍ଥ କରି ଏହି ପ୍ରସିଦ୍ଧ ଡକାୟତ ଦୀର୍ଘ ତିନି ବର୍ଷ କାଳ ନିରଙ୍କୁଶ ଶାସନ ଚଳାଇ ପାରିଥିଲା ।

 

ନୟାଗାଓଁ ଗାଁଟି ଦିନେ ହିମାଳୟ ପାଦଭୂମି ତରାଇ–ଭାବର ଅଞ୍ଚଳର ସବୁଠାରୁ ଉନ୍ନତ ଗାଁମାନଙ୍କ ଭିତରେ ଗଣାଯାଉଥିଲା । ସାର୍ ହେନ୍‌ରୀ ରାମ୍‌ସେ (“କୁମାୟୁଁ ର ରାଜା”) ହିମାଳୟ ଉପର ଅଞ୍ଚଳରୁ କେତେକ ପାହାଡ଼ିଆ ଲୋକଙ୍କୁ ଅଣାଇ ଏଠାରେ ବସବାସ କରାଇଥିଲେ । ଏହି ଲୋକଗୁଡ଼ିକ ଯେପରି କର୍ମଠ ସେହିପରି କଷ୍ଟସହିଷ୍ଣୁ । ଏଠାରେ ସେମାନେ ଜଙ୍ଗଲ କାଟି ଚାଷଜମି ଆବାଦ କଲେ ଏବଂ ଉର୍ବର ଏହି ଜମିଗୁଡ଼ିକୁ ଭଲଭାବେ ଚାଷ କରି ପ୍ରଚୁର ଫସଲ ଆମଦାନୀ କରିବାକୁ ଲାଗିଲେ । ଗାଁର ଶହେରୁ ବେଶି ବାସିନ୍ଦା ନୂଆ ପରିବେଶ ସହିତ ନିଜକୁ ଖାପ ଖୁଆଇ ସୁଖ ସ୍ୱାଚ୍ଛନ୍ଦ୍ୟରେ କାଳ କାଟିଲେ ।

 

ପ୍ରାୟ ଏକ ପୁରୁଷ ପର୍ଯ୍ୟନ୍ତ ସେମାନଙ୍କ ଶକ୍ତି ଓ ସ୍ୱାସ୍ଥ୍ୟ ଅକ୍ଷୁର୍ଣ୍ଣ ରହିଲା । ତା’ପରେ ଆସିଲା ମାଲେରିଆ । ସ୍ଥାନୀୟ ଭାଷାରେ ଏହାକୁ “ଭାବରୀ-ବୁଖାର୍” (ଭାବର୍‌ର ଜ୍ୱର) କୁହାଯାଏ-। ବିସ୍ତୀର୍ଣ୍ଣ ଏହି ଅଞ୍ଚଳରେ ରହୁଥିବା ଅଳ୍ପ କେତେ ଜଣ ଡାକ୍ତର ଏଠାକାର ଏହି ଚିରନ୍ତନ ଅଭିଶାପ କବଳରୁ ଲୋକଙ୍କୁ ରକ୍ଷା କରିପାରିଲେ ନାହିଁ । ଜଙ୍ଗଲ ବେଷ୍ଟିତ ନୟାଗାଓଁ ଗାଁଟି ପ୍ରଥମରୁ ମାଲେରିଆର ଶିକାର ହେଲା । ଲୋକେ ମଶା ମାଛି ପରି ମଲେ । ଗାଁ ପଦା ହୋଇଗଲା-। ଜମି ପଡ଼ିଆ ପଡ଼ିଲା । ଯେଉଁ କେତେ ଜଣ ଏଥିରୁ ବର୍ତ୍ତିଗଲେ, ସେମାନଙ୍କୁ ଆମ ଗାଁକୁ ଉଠାଇ ଅଣାଯିବା ପରେ ଚାରିଆଡ଼ୁ ଜଙ୍ଗଲ ମାଡ଼ି ଆସି ନାୟଗାଓଁକୁ ଗ୍ରାସ କରିବାକୁ ଲାଗିଲା । କିଛି ବର୍ଷ ପରେ ପଞ୍ଜାବର ଜଣେ ଡାକ୍ତର ପରିତ୍ୟକ୍ତ ଚାଷଜମିଗୁଡ଼ିକୁ ପୁଣି ଥରେ ଆବାଦ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ମାଲେରିଆରେ ପରେ ପରେ ଝିଅ ଓ ସ୍ତ୍ରୀଙ୍କୁ ହରାଇ ଶେଷରେ ସେ ନିଜେ ସେଥିରେ ପଡ଼ି ପ୍ରାଣ ହରାଇଲେ । ନୟାଗାଓଁ ଶେଷ ଥର ପାଇଁ ଜଙ୍ଗଲ ଗର୍ଭରେ ଲୁଚିଗଲା ।

 

ନୟାଗାଓଁ ଦିନେ ଆଖୁ, ଗହମ, ଧାନ ଓ ସୋରିଷ ଫସଲରେ ହସି ଉଠୁଥିଲା । ଜଙ୍ଗଲ ମାଡ଼ିଯିବା ପରେ ଉର୍ବର ଜମିଗୁଡ଼ିକ କଅଁଳିଆ ଛନଛନିଆ ଘାସରେ ଭରିଥିଲା । ଆମ ଗାଁ ସେଠାରୁ ମାତ୍ର ତିନି ମାଇଲ ଦୂର । ଗାଁ ଲୋକେ ଏଇ ଜମିଗୁଡ଼ିକୁ ଚରାଭୂମି ଭାବେ ବ୍ୟବହାର କରିବାକୁ ଲାଗିଲେ । ଜଙ୍ଗଲର ପଦା ଜାଗା ମାନଙ୍କରେ ଗାଈଗୋରୁ ନିୟମିତ ଚରିଲେ ମାଂସଭୋଜୀ ପଶୁ ସେଠାକୁ ଆସିବା ସ୍ୱାଭାବିକ । ଥରେ ଶୀତଦିନେ କାଲାଦୁଙ୍ଗୀ ଫେରି ଶୁଣିଲି ଯେ ଇତି ମଧ୍ୟରେ ବଡ଼ ଚିତାବାଘଟାଏ ଚରାଭୂମି ପାଖ ଜଙ୍ଗଲରେ ଆସ୍ଥାନ ଜମାଇ ଗାଁର ଅନେକ ଗାଈଗୋରୁ ମାରିଦେଲାଣି । ଆଖ ପାଖରେ ମଞ୍ଚା ବାନ୍ଧିବା ଭଳି ବଡ଼ ଗଛ ନ ଥିବାରୁ ମଢ଼କୁ ଜଗି ବସିବାର ଉପାୟ ନ ଥିଲା । ସକାଳେ ଚିତାବାଘ ବଣକୁ ଫେରିବାବେଳେ କିମ୍ବା ସନ୍ଧ୍ୟାରେ ଶିକାର ସନ୍ଧାନରେ ସେଥିରୁ ବାହାରିବାବେଳେ ସୁବିଧା ଦେଖି ତା’କୁ ମାରିବାକୁ ସ୍ଥିର କଲି । ଏଥିପାଇଁ ଜଙ୍ଗଲରେ ସେ ରହୁଥିବା ସ୍ଥାନକୁ ପ୍ରଥମେ ଠାବ କରିବା ଦରକାର । ପରଦିନ ସକାଳୁ ଅନୁସନ୍ଧାନ କରିବା ପାଇଁ ରବିନ୍‍କୁ ନେଇ ବାହାରି ପଡ଼ିଲି ।

 

ନାୟଗାଓଁ ଅନେକ ବର୍ଷ ହେବ ନିଶ୍ଚିହ୍ନ ହୋଇଯାଇଥିଲେ ସୁଦ୍ଧା ସ୍ଥାନୀୟ ଲୋକେ ଜଙ୍ଗଲର ସେହି ଅଂଶକୁ ଏବେ ଯାଏ “ନୟାଗାଓଁ” କହନ୍ତି । ସ୍ଥାନଟିର ଦକ୍ଷିଣ ଓ ପଶ୍ଚିମ ସୀମାରେ ଘନ ଜଙ୍ଗଲର ବେଷ୍ଟନୀ । ଏହାର ଉତ୍ତରରେ କାଣ୍ଡି ସଡ଼କ ଓ ପୂର୍ବ ସୀମାରେଖାରେ ‘ପୁରାତନ ଜାତୀୟ ରାଜପଥ’ ଯାଇଥାଏ । ରେଳରାସ୍ତା ନିର୍ମାଣ ହେବା ପୂର୍ବରୁ ଏହି ରାଜପଥ ଉତ୍ତରପ୍ରଦେଶର ସମତ୍ତଳ ଭୂମିକୁ କୁମାୟୁଁ ଆଭ୍ୟନ୍ତରୀଣ ଅଞ୍ଚଳ ସହିତ ସଂଯୋଗ କରୁଥିଲା । ଏବେ କିନ୍ତୁ କାଣ୍ଡି ସଡ଼କ ବା ଜାତୀୟ ରାଜପଥରେ ବିଶେଷ ଯାତାୟାତ ନଥାଏ ।

 

ପଶ୍ଚିମ ଓ ଦକ୍ଷିଣ ପାଖ ଜଙ୍ଗଲରେ ପଶିବା ପୂର୍ବରୁ ପ୍ରଥମେ ସଡ଼କ ଗୁଡ଼ିକୁ ପରୀକ୍ଷା କରି ଦେଖିବାକୁ ସ୍ଥିର କଲି । ପୂର୍ବ ସନ୍ଧ୍ୟାରୁ ସଡ଼କ ଦୁଇଟିରେ ଯାତ୍ରୀ ବା ଯାନବାହାନ ଚଳାଚଳ ନ ଥାଏ । ଧୂଳିରେ ଜନ୍ତୁଙ୍କ ପାହୁଲ ଦାଗ ସ୍ପଷ୍ଟ ବାରି ହେଉଥାଏ । କିଛି ବାଟ ଆଗକୁ ରାସ୍ତା ଦୁଇଟି ଗୋଟିଏ ଛକରେ ମିଶନ୍ତି । ଡକାୟତଙ୍କ ଠାରୁ ବାଟୋଇଙ୍କୁ ରକ୍ଷା କରିବା ପାଇଁ ପୂର୍ବେ ଏହି ଛକରେ ପୋଲିସ ପ୍ରହରୀ ମୁତୟନ କରାଯାଉଥିଲା । ଛକ ପାଖ ରାସ୍ତାରେ ଗୋଟିଏ ମାଈ ଚିତାବାଘର ପାହୁଲ ଦାଗ ପଡ଼ିଥାଏ । ଏଇ ବାଘୁଣୀଟି ଆମ ଗାଁ ତଳ ଭୁତିଆରି ବଣରେ ରହେ । ଗାଈଗୋରୁଙ୍କର କିଛି କ୍ଷତି ସେ କେବେ କରେ ନାହିଁ । ବରଂ ବାର୍‍ହା, ମାଙ୍କଡ଼ ଆଦି ଜନ୍ତୁଙ୍କ ଉତ୍ପାତରୁ ଫସଲ ରକ୍ଷା କରି ପ୍ରକାରାନ୍ତରେ ଆମକୁ ସାହାଯ୍ୟ କରେ । ତା’ ପାହୁଲ ଦାଗକୁ ପଛରେ ଛାଡ଼ି ଆମେ ରାଜପଥରେ ଗାରୁପ୍‌ପୁ ଆଡ଼େ ଆଗେଇଲୁ ।

 

ମୁଁ ଶିକାରକୁ ଯିବାବେଳେ ରବିନ୍ ସଦାସର୍ବଦା ମୋ ସଙ୍ଗରେ ଥାଏ । ବଡ଼ ବିଚକ୍ଷଣ କୁକୁର ସେ । ମୋ ହାତରେ ରାଇଫଲ ଦେଖି ଆମେ ବଡ଼ ଶିକାର ସନ୍ଧାନରେ ବାହାରିଛୁ ବୋଲି ସେ ଠଉରାଇ ନେଇଥାଏ । ଆଗରେ ମୟୂର କେତୋଟି ରାସ୍ତା ଡେଇଁ ଚାଲିଗଲେ । ରାସ୍ତାକଡ଼ରେ ବଣ କୁକୁଡ଼ା ଶୁଖିଲା ପତ୍ର ଖେଳାଉଥାନ୍ତି । ସେସବୁ ପ୍ରତି ଧ୍ୟାନ ନ ଦେଇ ରବିନ୍ ଗଭୀର ମନଯୋଗ ସହ ରାସ୍ତାରେ ଗୋଟିଏ ବାଘୁଣୀର ପାହୁଲ ଦାଗ ଅନୁସରଣ କରି ଚାଲିଥାଏ । ଅଧାବୟସର ଦୁଇଟି ଛୁଆଙ୍କ ସହିତ ଏ ବାଘୁଣୀ ପ୍ରାୟ ଘଣ୍ଟାଏ ପୁର୍ବରୁ ଏଇ ରାସ୍ତାରେ ଯାଇଥିଲା । ଚଉଡ଼ା ଏହି ରାସ୍ତା ଉପରକୁ ଜାଗା ଜାଗାଏ ଦୁବଘାସ ମାଡ଼ି ଆସିଥାଏ । କାକରରେ ଓଦା ମଳାଏ ଦୁବଘାସ ଉପରେ ବାଘଛୁଆ ଦୁଇଟି ଗଡ଼ାଗଡ଼ି ହୋଇ ଖେଳିଥିଲେ । ରବିନ କିଛି ସମୟ ଘାସକୁ ଶୁଙ୍ଘି ବାଘର ଭୀମ-ମଧୁର ଗନ୍ଧ ଗ୍ରହଣ କଲା ଓ ସେଥିରୁ ନୂଆ ଉତ୍ସାହ ପାଇଲା ପରି ପୁଣି ଥରେ ବାଘଙ୍କ ଗତିଚିହ୍ନ ଠଉରାଇ ଆଗେଇଲା । ପ୍ରାୟ ମାଇଲିଏ ପରେ ବାଘ ତିନୋଟି ରାସ୍ତା ଛାଡ଼ି ବନ୍ୟଜନ୍ତୁଙ୍କର ଗୋଟିଏ ଚଲାବାଟରେ ପୂର୍ବକୁ ଯାଇଥାଆନ୍ତି । ସେ ଆଡ଼େ ନ ଯାଇ ଆମେ ରାସ୍ତାରେ ଆହୁରି ପ୍ରାୟ ତିନି ମାଇଲ ଚାଲି ଗାରୁପ୍‌ପୁ ଜଙ୍ଗଲର ଦୁଇ ମାଇଲ ଉପରେ ପହଞ୍ଚି ଦେଖିଲୁ ଯେ ଜନ୍ତୁଙ୍କ ଚଲାବାଟଟିଏ ନୟାଗାଓଁ ଚରାଭୂମି ଆଡ଼ୁ ଆସି ରାସ୍ତାକୁ ତେର୍ଚ୍ଛାରେ କାଟି ଆରପାଖକୁ ଯାଇଛି । ଏହି ଚଲାବାଟରେ ଗୋଟିଏ ପ୍ରକାଣ୍ଡ ଅଣ୍ଡିରା ଚିତାବାଘର ପାହୁଲ ଦାଗ ଦେଖିବା ମାତ୍ରେ ମୁଁ ବୁଝିଗଲି ଯେ, ଆମେ ଏତେ ସମୟ ଧରି ଖୋଜୁଥିବା ଚିତାବାଘ ସେଇ ବାଟେ ଚରାଭୂମି ଆଡ଼ୁ ଆସି ରାସ୍ତା ଆରପାଖକୁ ଯାଇଛି । ଆକାର ତା’ର ସାଧାରଣ ଚିତାବାଘ ଠାରୁ ଯଥେଷ୍ଟ ବଡ଼ ମନେହେଲା । ଏଡ଼େ ବଡ଼ ଚିତାବାଘ ପକ୍ଷରେ ଥରକେ ଗୋଟିଏ ବଡ଼ ଗାଈର ଶଙ୍ଖି ମୋଡ଼ି ଦେବା ସହଜ । ପାହୁଲ ଦାଗରୁ ବାଘକୁ ଚିହ୍ନଟ କରିବାରେ ଭୁଲ ହେବା ସମ୍ଭାବନା ନ ଥିଲା-। ତା’ପରେ ଏଇ ଗୋଟିଏ ଜାଗାରେ ଏଡ଼େ ବଡ଼ ଦୁଇଟା ଚିତାବାଘ ଏକାଠି ମିଳିବା ମଧ୍ୟ ସମ୍ଭବ ନୁହେଁ । ଖୋଜ ଉଣ୍ଡି ଚିତାବାଘକୁ ଅନୁସରଣ କରିବାକୁ ରବିନ୍ ବଡ଼ ଆଗ୍ରହ ଦେଖାଉଥାଏ । କିନ୍ତୁ ମୁଁ ଆଉ ତା’କୁ ଆଗେଇବାକୁ ଦେଲି ନାହିଁ । ଚିତାବାଘ ରାସ୍ତା ଛାଡ଼ି ଗହଳିଆ ଝାଟି ଜଙ୍ଗଲରେ ପଶିଥାଏ । କେଇବର୍ଷ ତଳେ ଠିକ୍ ଏହିପରି ଜଙ୍ଗଲରେ କୁଅଁର ସିଂ ଓ ହର ସିଂ ବାଘ ମୁହଁରେ ପଡ଼ି ଆଉ ଅଳ୍ପକେ କିପରି ପ୍ରାଣ ହରାଇଥାନ୍ତେ, ତାହା ଆଗରୁ ବର୍ଣ୍ଣନା କରିଛି । ଚିତାବାଘ ପରି ତୀକ୍ଷଣ ଦୃଷ୍ଟିଶକ୍ତି ଓ ପ୍ରଖର ଶ୍ରବଣଶକ୍ତି ସମ୍ପନ୍ନ ଜନ୍ତୁକୁ ଏପରି ଜଙ୍ଗଲରେ ଅନୁସରଣ କରାଯାଏ ନାହିଁ । ତା’ପରେ ବାଘର ଭେଟ ପାଇବା ପାଇଁ ମୁଁ ଆଉ ଗୋଟିଏ ସହଜ ଉପାୟ ପାଞ୍ଚିଥାଏ । ଆଉ ଆଗକୁ ନ ଯାଇ ଜଳଖିଆ ଖାଇବାକୁ ଦୁହେଁ ସେହିଠାରୁ ଘରକୁ ଫେରିଲୁ ।

 

ଖିଆପିଆ ସାରି ଖରାବେଳେ ମ୍ୟାଗି ଓ ରବିନ୍ ସହିତ ଗାରୁପ୍‍ପୁ ପାଖ ରାସ୍ତାକୁ ଫେରିଲି । ଚିତାବାଘ ପୂର୍ବଦିନ ଗୋରୁ ମାରି ନ ଥିବାରୁ ମଢ଼କୁ ଜଗି ବସିବାର ସୁବିଧା ନ ଥିଲା । ସେ ଭିତରେ ସେ ବାର୍‌ହା ବା ହରିଣଟିଏ ମାରିଥିବାର ଖୁବ୍ ସମ୍ଭାବନା ଥିଲେ ମଧ୍ୟ ଆମର ଆଶା ଥାଏ ଯେ ଅଭ୍ୟାସ ଜୋର୍‌ରୁ ସେ ତା’ ନିୟମିତ ଯାତ୍ରାପଥରେ ଥରେ ହେଲେ ଚରାଭୂମି ଆଡ଼େ ବୁଲିଆସିବ । ସକାଳେ ସେ ଯେଉଁଠାରେ ଝାଟିବଣରେ ପଶିଥିଲା, ରାସ୍ତା କଡ଼ରୁ ଶହେ ଗଜ ଛାଡ଼ି ସେଠାରେ ବଡ଼ ବୁଦାଟାଏ ଥାଏ । ସେହି ବୁଦା ଉହାଡ଼ରେ ଆମେ ଲୁଚି ବସିଲୁ । ରବିନ୍ ଆମ ମଝିରେ ଶୋଇଥାଏ । ତିନିହେଁ ନୀରବ ହୋଇ ଜଙ୍ଗଲରୁ ପକ୍ଷୀଙ୍କ କଳରବ ଶୁଣୁଥାଉ । ଘଣ୍ଟାଏ ପରେ ମୟୂରଟିଏ ପୁଚ୍ଛ ଟେକି ମହା ଆଡ଼ମ୍ବରରେ ରାସ୍ତା ଡେଇଁ ଆରପାଖକୁ ଗଲା । ଠିକ୍ ପରେ ପରେ ଅଳ୍ପ ଦୂରରେ ଗହଳିଆ ବଣରୁ ଦଶ ବାରଟି ହରିଣ ଏକ ସଙ୍ଗେ ବୋବାଇ ଉଠି ଚିତାବାଘ ସେଠାରେ ଅଛି ବୋଲି ଜନ୍ତୁଜଗତକୁ ସତର୍କ କରିବାକୁ ଲାଗିଲେ । ବାଘ ସେଆଡ଼େ ଥିବ ବୋଲି ଆମେ ଅନୁମାନ କରିଥିଲୁ । ଦଶ ମିନିଟ ପରେ ହରିଣଟିଏ ଆହୁରି ନିକଟରୁ ଆତଙ୍କଧ୍ୱନି କରି ଆସନ୍ନ ବିପଦର ସୂଚନା ଦେଲା । ବାଘ ହରିଣଙ୍କଠାରୁ ଛପିବାକୁ ଚେଷ୍ଟା ନ କରି ଏଆଡ଼େ ଆଗୋଉଛି ଜାଣି ଆମେ ଅନୁମାନ କଲୁ ଯେ ପୂର୍ବରୁ ମାରିଥିବା କୌଣସି ଶିକାରକୁ ସେ ଖାଇବାକୁ ବାହାରିଛି ।

 

ରବିନ୍ ସେ ପର୍ଯ୍ୟନ୍ତ ନିଶ୍ଚଳ ଭାବେ ଶୋଇ ରହି ଜଙ୍ଗଲରୁ ଆସୁଥିବା ବିଭିନ୍ନ ଶବ୍ଦସୂଚନାକୁ ଗଭୀର ମନୋଯୋଗ ସହ ଶୁଣୁଥିଲା । ମୁଁ ଆଣ୍ଠୁ ଉପରକୁ ରାଇଫଲ୍ ଉଠାଇ ସଜାଡ଼ି ହୋଇ ବସିବା ମାତ୍ରେ ସେ ଥରିବାକୁ ଆରମ୍ଭ କଲା । ମୋ ବାଁ ଗୋଡ଼କୁ ଲାଗି ଶୋଇଥିବାରୁ ତା’ ଦେହର କମ୍ପନ ମୋତେ ସ୍ପଷ୍ଟ ଜଣା ପଡ଼ୁଥାଏ । ଅନ୍ୟ ଜନ୍ତୁଙ୍କ ଅପେକ୍ଷା କୁକୁର ଚିତାବାଘକୁ ବେଶି ଭୟ କରନ୍ତି । ରବିନ୍ ଏଥିରୁ ବାଦ୍ ଯାଇନାହିଁ । ବାଘ ବାହାରିବା ସମୟ ପାଖେଇ ଆସିଲା । ଆଉ ଟିକିଏ ପରେ ରାସ୍ତାକଡ଼ ବୁଦା ଆଡ଼େଇ ସେ ପ୍ରଥମେ ମୁଣ୍ଡଟି ପଦାକୁ କାଢ଼ିବ । ସେହିଠାରେ କିଛିକ୍ଷଣ ଅଟକି ରହି ରାସ୍ତା ଦୁଇ ଆଡ଼କୁ ଭଲଭାବେ ଅନାଇ ଦେଖିବା ପରେ ସେ ନିର୍ଭୟରେ ଆଗେଇ ଆସିବ ଆମ ଆଡ଼କୁ । ଗୁଳି ଖାଇ ସେ ସେହିଠାରେ ଟଳି ପଡ଼ୁ ବା ମାରାତ୍ମକ ଯନ୍ତ୍ରଣାରେ ଛାଟିପିଟି ହୋଇ ଗର୍ଜନ କରୁ, ରବିନ୍ ଶେଷ ପର୍ଯ୍ୟନ୍ତ ନିଶ୍ଚଳ ଓ ନୀରବ ରହିଥିବ । ଯେଉଁ ଭୟାନକ ଖେଳରେ ସେ ଆଜି ଅଂଶଗ୍ରହଣ କରୁଛି, ତାହାର ପ୍ରତ୍ୟେକଟି ରୋମାଞ୍ଚକର ପର୍ଯ୍ୟାୟ ସହିତ ସେ ଭଲଭାବେ ପରିଚିତ ।

 

ରାସ୍ତା ପାରି ହେବା ପରେ ମୟୂରଟି ପାଖରେ ଗୋଟିଏ କୋଳିଗଛ ଡାଳରେ ବସି ପାଚିଲା କୋଳି ଖାଉଥିଲା । ହଠାତ୍ କର୍କଶ ସ୍ୱରରେ ରାବ ଦେଇ ସେ ଦୂରର ଗୋଟିଏ ଥୁଣ୍ଟା ଗଛର ଡାଳରୁ ଉଡ଼ିଗଲା । ହରିଣଙ୍କ ସତର୍କ ଧ୍ଵନି ପରେ ମୟୂରର ଶବ୍ଦସୂଚନା ଆମକୁ ଆହୁରି ସାବଧାନ କରିଦେଲା । ଆଉ ବେଶି ଡେରି ନାହିଁ । କେଇ ମିନିଟ୍ ଭିତରେ ବାଘ ଚାରିଆଡ଼କୁ ଚାହିଁ ଅତି ସନ୍ତର୍ପଣରେ ରାସ୍ତାକୁ ଆଗେଇ ଆସିବ । ଗଭୀର ଉତ୍କଣ୍ଠାରେ ଆମେ ଅପେକ୍ଷା କରିଥାଉ । ଠିକ୍ ଏତିକିବେଳେ ବହୁ ଦୂରରେ ରାସ୍ତାରେ କେହି ଜଣେ ଆସୁଥିବା ମୋ ନଜରରେ ପଡ଼ିଗଲା । ଅନାଇ ଦେଖିଲି ଯେ, ଅନେକ ଦୂରରୁ ଜଣେ ଲୋକ ଏ ଆଡ଼େ ଧାଇଁଛି ଓ ଧାଉଁ ଧାଉଁ ସେ ବାରମ୍ବାର ପଛକୁ ଫେରି ଚାହୁଁଛି । ସୂର୍ଯ୍ୟ ପ୍ରାୟ ଅସ୍ତ ଯିବା ଉପରେ । ସନ୍ଧ୍ୟାବେଳେ ଏସବୁ ରାସ୍ତାରେ କେହି ଏକାକୀ କେବେ ଯାଆ ଆସ କରନ୍ତି ନାହିଁ । ଏ ସମୟରେ ଜଣେ ଏକାଟିଆ ଏ ବାଟେ ଧାଉଁଥିବା ଦେଖି ଆଶ୍ଚର୍ଯ୍ୟ ହେଲୁ । ପୁଣି ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ରାସ୍ତାରେ ମଣିଷ ଦେଖାଇଦେଲେ ଚିତାବାଘ ତରକି ପଳାଇବ । ଲୋକଟି ଯେତିକି ପାଖେଇ ଆସୁଥାଏ, ବାଘ ମାରିବାର ସୁଯୋଗ ସେତିକି ଦୂରେଇ ଯାଉଥାଏ ।

 

ଲୋକଟି ହୁଏତ ବିପଦରେ ପଡ଼ି ସାହାଯ୍ୟ ଆଶାରେ ଏ ଆଡ଼େ ଛୁଟିଛି । ଏପରି ପରିସ୍ଥିତିରେ ଦୁଃଖ କରି ଲାଭ କ’ଣ ? ପାଖକୁ ସେ ଆସିବା ପରେ ତା’କୁ ପାଖ ଗାଁର ଜଣେ ପ୍ରଜା ବୋଲି ମୁଁ ଚିହ୍ନିଲି । ଗତବର୍ଷ ଶୀତଦିନେ ଗାରୁପ୍‌ପୁ ଠାରୁ ତିନି ମାଇଲ ଦୂର ଗୋଟିଏ ଗୋଶାଳାରେ ସେ ମଇଁଷାଳ କାମ କରୁଥିଲା । ଲୋକଟି ଧାଇଁ ଆସୁ ଆସୁ ହଠାତ୍ ଆମକୁ ଦେଖି ଦେଇ ଚମକି ପଡ଼ି ଅଟକି ଗଲା । ତା’ପରେ ମୋତେ ଚିହ୍ନି ପାରି ସେ ପାଖେଇ ଆସି ଭୟଭରା ସ୍ୱରରେ କହିଲା, “ଶୀଘ୍ର ପଳାଇ ଯାଆନ୍ତୁ ସାହେବ, ନ ହେଲେ ଜୀବନ ରହିବ ନାହିଁ ! ସୁଲ୍‌ତାନାର ଲୋକେ ମୋ ପିଛା ଧରିଛନ୍ତି ।”

 

ଲୋକଟି ଅଣନିଶ୍ୱାସୀ ହୋଇ ଧଇଁସଇଁ ହେଉଥାଏ । ନିଶ୍ୱାସ ଫେରିବା ଯାଏ ଏଠି ବସି ଟିକିଏ ଥକ୍‍କା ମାରିବାକୁ ତା’କୁ କହିଲି । ମୋ କଥାକୁ କାନ ନ ଦେଇ ସେ ତା’ ପେଣ୍ଡାଟି ମୋତେ ଦେଖାଇ କହିଲା, “ସେମାନେ ମୋତେ କି ଅବସ୍ଥା କରିଛନ୍ତି ଦେଖନ୍ତୁ ! ମୋତେ ଧରିଲେ ସେମାନେ ନିଶ୍ଚୟ ପ୍ରାଣରେ ମାରି ଦେବେ । ଆପଣ ବି ପଳାଇ ଯାଆନ୍ତୁ–ନ ହେଲେ ପ୍ରାଣ ପାଇବେ ନାହିଁ ।” ପେଣ୍ଡାଟି ଆଣ୍ଠୁରୁ ଗୋଇଠି ପର୍ଯ୍ୟନ୍ତ ଚିରି ଯାଇଥାଏ । ମୁଣ୍ଡା ମୁଣ୍ଡା ରକ୍ତ ବହି ଧୂଳି ସହିତ ମିଶିଯାଇଥାଏ । ଏଠାରେ ନ ଅଟକିଲେ ମଧ୍ୟ ଆଉ ଦୌଡ଼ିବା ଦରକାର ନାହିଁ ବୋଲି ତା’କୁ ବୁଝାଇ କହିଲି । ମୋଠାରୁ ଦମ୍ଭ ପାଇ ଲୋକଟି ଛୋଟେଇ ଛୋଟେଇ ତା’ ଗାଁ ଆଡ଼େ ଚାଲିଗଲା । ରାସ୍ତାକୁ ଯାଇ ଚାରିଆଡ଼କୁ ଭଲ କରି ଅନାଇ ଦେଖିଲି । ଶେଷ ପର୍ଯ୍ୟନ୍ତ କିନ୍ତୁ ଚିତାବାଘ ବା ସୁଲ୍‌ତାନାର ଲୋକ–କାହାର ଦେଖା ପାଇଲି ନାହିଁ । ସନ୍ଧ୍ୟା ଘନେଇ ଆସୁଥାଏ । ଅସ୍ପଷ୍ଟ ଆଲୁଅରେ ଲକ୍ଷ୍ୟ କରିବା ଆଉ ସମ୍ଭବ ନୁହେଁ ଦେଖି ମ୍ୟାଗିକୁ ନେଇ ଘରରୁ ଫେରିଲି । ରବିନ୍ ବିରକ୍ତ ହୋଇ ଆମ ପଛେ ପଛେ ଚାଲିଥାଏ ।

 

ପରଦିନ ସକାଳୁ ମଇଁଷାଳଠାରୁ ପୂର୍ବଦିନର ଘଟଣା ସବୁ ଶୁଣିଲି । ଗୋଶାଳା ଓ ଗାରୁପ୍‌ପୁ ମଝିରେ ଥିବା ଜଙ୍ଗଲରେ ମଇଁଷି ଚରାଉଥିବା ବେଳେ ସେ ବନ୍ଧୁକ ଆବାଜ ଶୁଣିବାକୁ ପାଇଲା । ମୁଖିଆଙ୍କ ପୁତୁରା ସେଦିନ ଚୋରାରେ ହରିଣ ମାରିବା ପାଇଁ ବଡ଼ି ଭୋର୍‌ରୁ ବନ୍ଧୁକ ଧରି ବଣକୁ ଯାଇଥିଲା । ହରିଣ ମଲେ ତା’କୁ କେତେ ମାଂସ ମିଳିବ–ମଇଁଷାଳ ଗଛ ଛାଇରେ ବସି ଏଇ ବିଚାର କରୁ କରୁ ଖସ୍ ଖସ୍ ଶବ୍ଦ ଶୁଣି ପଛକୁ ଅନାଇ ଦେଖିଲା ଯେ ସେଥି ମଧ୍ୟରେ ପାଞ୍ଚଜଣ ଲୋକ ନିଃଶବ୍ଦରେ ପଛଆଡ଼ୁ ଆସି ତା’କୁ ଘେରି ଯାଇଛନ୍ତି । ତାଙ୍କୁ ବାଟ କଢ଼ାଇ ବନ୍ଧୁକିଆ ପାଖକୁ ନେଇଯିବାକୁ ଆଗନ୍ତୁକମାନେ ଆଦେଶ ଦେଲେ । ସେ ଶୋଇପଡ଼ିଥିଲା ଓ କିଛି ଶୁଣିନାହିଁ ବୋଲି ମଇଁଷାଳ ସଫେଇ ଦେବାରୁ ସେମାନେ କହିଲେ ଯେ ବନ୍ଧୁକିଆ ଯେତେବେଳେ ହେଲେ ଗୋଶାଳାକୁ ଫେରିବ । ଗୋଶାଳାକୁ ତାଙ୍କୁ ନେଇ ଯିବା ପାଇଁ ସେମାନେ ମଇଁଷାଳକୁ ବାଧ୍ୟ କଲେ-। ଅଗନ୍ତୁକମାନଙ୍କ ହାତରେ ବନ୍ଧୁକ ନ ଥାଏ । ତାଙ୍କ ଦଳପତି ପରି ଦେଖାଯାଉଥିବା ଲୋକଟି ଖୋଲା ତରବାରୀଟିଏ ଧରିଥାଏ । ପଳାଇବାକୁ ବା କାହାକୁ ଇସାରା ଦେବାକୁ ଚେଷ୍ଟା କଲେ ତା’ ମୁଣ୍ଡ କାଟିଦିଆଯିବ ବୋଲି ଦଳପତି ମଇଁଷାଳକୁ ସାବଧାନ କରାଇ ଦେଲା ।

 

ଜଙ୍ଗଲ ଭିତର ଦେଇ ଯିବାବେଳେ ଦଳପତି ପ୍ରକାଶ କଲା ଯେ ସେମାନେ ସୁଲ୍‌ତାନା ଦଳର ଲୋକ ଓ ସେଠାରୁ ଅଳ୍ପଦୁରରେ ସେମାନଙ୍କ ଛାଉଣୀ ପଡ଼ିଛି । ବନ୍ଧୁକ ଆବାଜ ଶୁଣି ବନ୍ଧୁକଟି ନେଇ ଆସିବାକୁ ସୁଲ୍‌ତାନା ତାଙ୍କୁ ପଠାଇଛି । ବନ୍ଧୁକଟି ସୁବିଧାରେ ମିଳିଯାଏ ତ ଭଲ । କିନ୍ତୁ କେହି ଯଦି ପ୍ରତିରୋଧ କରେ ଗୋଶାଳାରେ ସେମାନେ ନିଆଁ ଲଗାଇ ଦେବେ ଓ ମାଇଁଷାଳକୁ ପ୍ରାଣରେ ମାରିଦେବେ ବୋଲି ଧମକ ଦେଲେ । ଲୋକଟି ବଡ଼ ଦୋଘାଇରେ ପଡ଼ିଲା-। ଗୋଶାଳାରେ ରହୁଥିବା ତା’ର ସହଚରମାନେ କେହି ସାହସରେ ଉଣା ନୁହନ୍ତି । ଯଦି ଡ଼କାୟତଙ୍କୁ ସେମାନେ ବାଧା ଦିଅନ୍ତି ତେବେ ତା’କୁ ହିଁ ବଳି ପଡ଼ିବାକୁ ହେବ । ସେମାନେ ବାଧା ବିରୋଧ କିଛି ନ କଲେ ମଧ୍ୟ ତା’ର ନିସ୍ତାର ନାହିଁ । ଡକାୟତଙ୍କୁ ଗୋଶାଳାକୁ ବାଟ ଦେଖାଇଥ‌ିବା ଅପରାଧ ପାଇଁ ଅନ୍ୟ ମାଇଁଷାଳଙ୍କ ହାତରୁ ସେ ରକ୍ଷା ପାଇବ ନାହଁ । ଘୋର ଦୁଶ୍ଚିନ୍ତାରେ ଥଳକୂଳ ନ ପାଇ ବିଚରା ମ୍ରିୟମାଣ ହୋଇ ଚାଲିଥାଏ । ଯୋଗକୁ ଠିକ୍ ସେତିକିବେଳେ ଦଳେ ବଳିଆ କୁକୁର ଗୋଟିଏ ହରିଣକୁ ଗୋଡ଼ାଇ ଆଣି ତାଙ୍କ ପାଖ ଦେଇ ଚାଲିଗଲେ । ଡକାୟତମାନେ ସେଆଡ଼େ ଚାହୁଁଛନ୍ତି ଦେଖି ଲୋକଟି ରାସ୍ତାକଡ଼ର ବଡ଼ ବଡ଼ ଘାସ ଭିତରକୁ କୁଦି ପଡ଼ିଲା । ଦଳପତିର ଖଣ୍ଡାଚୋଟରେ ତା’ ଗୋଡ଼ଟି ଆଣ୍ଠୁରୁ ଗୋଇଠି ଯାଏଁ ଚିରିଗଲା । ଡକାୟତମାନେ ତା’କୁ ଧରିବାକୁ ଧାଇଁଲେ । ଗୋଡ଼ପ୍ରତି ଧ୍ୟାନ ନ ଦେଇ ପ୍ରାଣ ବିକଳରେ ପଳାଇ ଯାଇ ଶେଷରେ ସେ ଖସି ଆସିପାରିଲା । ପୁରୁଣା ରାଜପଥରେ ଗାଁ ଆଡ଼େ ଧାଉଁଥିବା ବେଳେ ଆକସ୍ମାତ୍ ଆମ ସହିତ ତା’ର ଦେଖାହେଲା ।

 

ସୁଲ୍‌ତାନା ଭାଣ୍ଟୁ ସମ୍ପ୍ରଦାୟର ଲୋକ । ଏହାକୁ “ଅପରାଧୀ ସମ୍ପ୍ରଦାୟ” କୁହାଯାଏ । ଗୋଟିଏ ଜାତିର ସବୁ ଲୋକଙ୍କୁ “ଅପରାଧୀ” ଆଖ୍ୟା ଦେଇ ସେମାନଙ୍କୁ ନଜିବାବାଦ୍ ଦୁର୍ଗରେ ବନ୍ଦୀ କରି ରଖିବା କେତେ ଦୂର ନ୍ୟାୟସଙ୍ଗତ, ତାହା ମୁଁ ଏଠାରେ ବିଚାର କରୁନାହିଁ । କେବଳ ଏତିକି କହିବା ଯଥେଷ୍ଟ ଯେ ତା’ର ଶହ ଶହ ଜାତିଭାଇଙ୍କ ସହିତ ସୁଲ୍‌ତାନା, ତା’ ଯୁବତୀ ସ୍ତ୍ରୀ ଓ ତା’ର ଛୋଟ ପୁଅଟିକୁ ଗୋଟିଏ ଖ୍ରୀଷ୍ଟୀୟ ସେବାଦଳ ଜିମାରେ ନଜିବାବାଦ୍ ଦୁର୍ଗରେ ଆବଦ୍ଧ କରାଯାଇଥିଲା । ସୁଲ୍‌ତାନା ସେତେବେଳେ ଯୁବକ । ଏଇ ଅବରୁଦ୍ଧ, ସୀମିତ ଜୀବନ ବିରୁଦ୍ଧରେ ବିଦ୍ରୋହ କରି ଦିନେ ରାତିରେ ସେ ଦୁର୍ଗ ପାଚେରୀ ଡେଇଁ ପଳାଇଗଲା । ସେଇ ପରସ୍ଥିତିରେ ଯେ କୌଣସି ତେଜସ୍ଵୀ ଯୁବକ ଠିକ୍ ତାହା ହିଁ କରିଥାନ୍ତା । ବର୍ଷକ ଭିତରେ ତା’କୁ କେନ୍ଦ୍ର କରି ଶହେ ଜଣ ବନ୍ଧୁକଧାରୀ ଡକାୟତଙ୍କର ଦଳଟିଏ ଗଢ଼ି ଉଠିଲା । ତରାଇ–ଭାବର ଜଙ୍ଗଲରେ ଛପି ରହି ଏହି ଦୁର୍ଦ୍ଦର୍ଷ ଡକାୟତ ଦଳ ପୂର୍ବରେ ଗୋଣ୍ଡା ଓ ପଶ୍ଚିମରେ ସାହାରାନ୍‌ପୁର ମଧ୍ୟରେ ଥିବା ଶହ ଶହ ମାଇଲ ପରିମିତ ଅଞ୍ଚଳରେ ଲୁଟ୍‌ତରାଜ କରିବାକୁ ଲାଗିଲେ । ନିକଟବର୍ତ୍ତୀ ପଞ୍ଜାବର ଗାଁଗୁଡ଼ିକ ଉପରେ ମଧ୍ୟ ଚଢ଼ାଉ କରିବାକୁ ସେମାନେ ପଛେଇଲେ ନାହିଁ ।

 

ସୁଲ୍‌ତାନା ଓ ତା’ ଡକାୟତ ଦଳର କାର୍ଯ୍ୟକଳାପ ସମ୍ବନ୍ଧରେ ସରକାରୀ ଦପ୍ତରରେ ମୋଟା ମୋଟା କେତେ ନଥିପତ୍ର ଗଚ୍ଛିତ ହୋଇ ରହିଛି । ସେସବୁ ନଥି ପାଖକୁ ମୋର ପ୍ରବେଶ ନାହିଁ । ଯେଉଁ ଘଟଣାଗୁଡ଼ିକ ସହିତ ମୁଁ ବ୍ୟକ୍ତିଗତ ଭାବେ ଜଡ଼ିତ କିମ୍ବା ଯାହା ମୁଁ ନିଜେ ଲକ୍ଷ୍ୟ କରି ଦେଖିବାକୁ ସୁଯୋଗ ପାଇଛି, କେବଳ ସେହିଗୁଡ଼ିକୁ ନେଇ ଏ କାହାଣୀଟି ଲେଖା । ସରକାରୀ ବିବରଣୀ ଓ ମୋ ଲେଖା ଭିତରେ ପାର୍ଥକ୍ୟ ବା ବିରୋଧ ଦେଖାଦେଲେ ସେଥିପାଇଁ ଦୁଃଖ ପ୍ରକାଶ କରିବି କିନ୍ତୁ ମୋର ଉକ୍ତିର ଗୋଟିଏ ଶବ୍ଦ ସୁଦ୍ଧା ପ୍ରତ୍ୟାହାର କରିବି ନାହିଁ ।

 

ଆମ କାଲାଦୁଙ୍ଗୀ ଘରଠାରୁ କେଇ ମାଇଲ ଦୂରରେ ଗାରୁପ୍‌ପୁ ଜଙ୍ଗଲରେ ଥରେ ସୁଲ୍‌ତାନା ଛାଉଣୀ ପକାଇଥିଲା । ସେହି ସମୟରେ ମୁଁ ପ୍ରଥମ ସୁଲ୍‌ତାନାର ନାଁ ଶୁଣିଲି । ପର୍‌ସୀ ଇଉଣ୍ଡହାମ୍ ସେତେବେଳେ କୁମାୟୁଁର କମିଶନ ଥାଆନ୍ତି । ତରାଇ–ଭାବର ଜଙ୍ଗଲସବୁ ତାଙ୍କ ଶାସନ ଇଲାକା ଭିତରେ । ସେହି ଜଙ୍ଗଲରେ ସୁଲ୍‌ତାନା ନିଜ ଆସ୍ଥାନ ଜମାଇଥାଏ । ତା’କୁ ଆୟତ୍ତ କରିବା ପାଇଁ ଫ୍ରେଡି ୟଙ୍ଗ୍ ନାମକ ଜଣେ ଦକ୍ଷ ଯୁବକ ପୋଲିସ ଅଫିସରଙ୍କୁ ପଠାଇବାକୁ ଉଇଣ୍ଡ୍‌ହାମ୍ ସରକାରଙ୍କୁ ଅନୁରୋଧ କଲେ । ଫ୍ରେଡି ସେତେବେଳକୁ ଉତ୍ତର ପ୍ରଦେଶରେ ଅଳ୍ପ କେଇ ବର୍ଷ ଚାକିରି କରିଥାନ୍ତି । ଫ୍ରେଡିଙ୍କ ନେତୃତ୍ୱରେ ତିନିଶହ ସିପାହୀଙ୍କର ଗୋଟିଏ “ଡକାୟତି ବିରୋଧୀ ସ୍ଵତନ୍ତ୍ର ପୋଲିସ ଫୌଜ” ଗଢ଼ାଯିବା ପାଇ ଉଇଣ୍ଡ୍‍ହାମ୍ ପ୍ରସ୍ତାବ ଦେଇଥିଲେ । ସରକାର ତାହା ମଞ୍ଜୁର କରି ସିପାହୀ ବାଛିବା ଅଧିକାର ଫ୍ରେଡିଙ୍କୁ ଦେଲେ । ପ୍ରତି ଜିଲ୍ଲାର ପୋଲିସ ଅଫିସରମାନେ ସୁଲ୍‌ତାନାକୁ ଧରି ସୁନାମ ଅର୍ଜନ କରିବାକୁ ବ୍ୟଗ୍ର ଥାଆନ୍ତି । ସେମାନଙ୍କ ସଂସ୍ଥାରୁ ଭଲ ଭଲ ସିପାହୀ ବାଛି ନେଇ ସ୍ଵତନ୍ତ୍ର ଫୌଜରେ ଭର୍ତ୍ତି କରିବାଦ୍ୱାରା ଫ୍ରେଡିଙ୍କୁ ନିଜ ସହକର୍ମୀ ମହଲରେ ଅତି ଅପ୍ରିୟ ହେବାକୁ ପଡ଼ିଲା ।

 

ଫ୍ରେଡି ତାଙ୍କ ଫୌଜ ଗଢ଼ୁଥିବା ବେଳେ ସୁଲ୍‌ତାନା ତରାଇ–ଭାବରର ଛୋଟ ଛୋଟ ସହରଗୁଡ଼ିକ ଉପରେ ଚଢ଼ାଉ କରି ହାତ ପକ୍‌କା କରୁଥାଏ । ରାମନଗରର ପଶ୍ଚିମ ପାଖ ଜଙ୍ଗଲରେ ସୁଲ୍‌ତାନାକୁ ଧରିବା ପାଇଁ ଫ୍ରେଡି ପ୍ରଥମ ଚେଷ୍ଟା କଲେ । ସେଠାରେ ବଡ଼ ବଡ଼ ଗଛଗୁଡ଼ିଏ ଜଙ୍ଗଲ ବିଭାଗଦ୍ଵାରା କଟା ହେଉଥାଏ ଏବଂ ବହୁ ସଂଖ୍ୟାରେ ଶ୍ରମିକ ଏଥିପାଇଁ ନିୟୋଗ କରାଯାଇଥାଏ । ସେଠାରୁ ଅଳ୍ପ ଦୂରରେ ସୁଲ୍‌ତାନାର ଛାଉଣୀ ପଡ଼ିଛି ବୋଲି ଜଣାଥାଏ-। ଶ୍ରମିକଙ୍କ ଦାୟିତ୍ୱରେ ଥିବା ଜଣେ ଠିକାଦାରଙ୍କୁ ହାତ କରି ସୁଲ୍‌ତାନାକୁ ଧରିବାକୁ ଉପାୟ କରାଗଲା । ଗୋଟିଏ ନାଚଗୀତର କାର୍ଯ୍ୟକ୍ରମ ଓ ତା’ପରେ ଭୋଜିର ଆୟୋଜନ କରାଯାଇ ଠିକାଦାରଙ୍କ ଜରିଆରେ ସୁଲ୍‌ତାନା ଓ ତା’ର ଅନୁଚର ସମସ୍ତଙ୍କୁ ନିମନ୍ତ୍ରଣ କରାଗଲା । ନିମନ୍ତ୍ରଣ ଗ୍ରହଣ କରି ସୁଲ୍‌ତାନା ସଦଳବଳେ ଉତ୍ସବରେ ଆସି ଯୋଗ ଦେଲା । କିନ୍ତୁ ଉତ୍ସବ ଆରମ୍ଭ ହେବାର ଠିକ୍ ପୂର୍ବରୁ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ କରି ପ୍ରଥମେ ଭୋଜି ଓ ପରେ ନାଚ ଗୀତ କରାଇବା ପାଇଁ ଠିକାଦାରଙ୍କୁ ସେ ରାଜି କରାଇ ଦେଲା । ପେଟପୂରା ଖାଇବା ପରେ ତା’ ଲୋକେ ନାଚ ଗୀତ ଆହୁରି ଭଲଭାବେ ଉପଭୋଗ କରିବେ ବୋଲି ସୁଲ୍‌ତାନା କହିଲା । ତା’ ଅନୁରୋଧ ପ୍ରତି ସମ୍ମାନ ଦେଖାଇ ଠିକାଦାର ତାହା ହଁ କରିବାକୁ ରାଜି ହେଲେ ।

 

ଫ୍ରେଡିଙ୍କ ପ୍ରରୋଚନାରେ ଠିକାଦାର ତା’କୁ ନିମନ୍ତ୍ରଣ କରିଛନ୍ତି ବୋଲି ସୁଲ୍‌ତାନା ବେଶ୍ ଭଲଭାବେ ଜାଣିଥାଏ । ଗୁପ୍ତଚରଙ୍କ ଦ୍ଵାରା ପୋଲିସ ପକ୍ଷର ଭିତିରି ଖବରସବୁ ସେ ଅତି ସହଜରେ ଜାଣିପାରେ । ପୋଲିସ ଫୌଜ ଓ ଡକାୟତ ଦଳ–ଖର୍ଚ୍ଚ କରିବା ପାଇଁ ପ୍ରତ୍ୟେକ ପାଖରେ ଅପରିମିତ ଅର୍ଥ ଥାଏ । ପାଶ୍ଚାତ୍ୟ ପରି ପ୍ରାଚ୍ୟରେ ମଧ୍ୟ ଅର୍ଥଲୋଭ ଦେଖାଇ ଗୁପ୍ତ ତଥ୍ୟମାନ ହାସଲ କରିବା ସହଜ । ଡକାୟତ ଦଳ ଓ ପୋଲିସ ଫୌଜ ଭିତରେ ଚାଲୁଥିବା ଛକା ପଞ୍ଝାର ପ୍ରଥମ କୌଶଳ ହେଲା ଯେ ଦୁହେଁ ନିଜ ନିଜ ଚାର ସଂସ୍ଥାକୁ ବଳିଷ୍ଠ କରି ଗଢ଼ିବେ । ଏଥିରେ କିନ୍ତୁ ଫ୍ରେଡିଙ୍କ ଅପେକ୍ଷା ସୁଲ୍‌ତାନା ଅଧିକ ସୁବିଧା ପାଏ । ଗୁପ୍ତ ସମ୍ବାଦ ବିନିମୟରେ ଦୁହେଁ ନିଜର ଚରମାନଙ୍କୁ ଅଜସ୍ର ଅର୍ଥ ଦିଅନ୍ତି । କିନ୍ତୁ ଡକାୟତମାନେ ଜୋର୍ କରି ବା ଭୟ ଦେଖାଇ ଯେପରି ସାହାଯ୍ୟ ଆଦାୟ କରନ୍ତି, ପୋଲିସ ପକ୍ଷ ତାହା କରିପାରେ ନାହିଁ । ପୋଲିସଙ୍କୁ କେହି ସାହାଯ୍ୟ ନ କଲେ ତା’ ବିରୁଦ୍ଧରେ କିଛି କରାଯାଏ ନାହିଁ । ଡକାୟତଙ୍କ ଉପରେ କିନ୍ତୁ ଆଇନ କାନୁନର ବାଧାବନ୍ଧନ ନ ଥାଏ । ସୁଲ୍‌ତାନାକୁ ସାହାଯ୍ୟ ନ କଲେ, ତା’ଠାରୁ କୌଣସି ତଥ୍ୟ ଗୋପନ ରଖିଲେ ବା ତା’ ସମ୍ବନ୍ଧରେ ପୋଲିସକୁ ସନ୍ଧାନ ଦେଲେ ସମ୍ପୃକ୍ତ ବ୍ୟକ୍ତି ବିରୁଦ୍ଧରେ ସେ କଠୋର ଶାସ୍ତି ବିଧାନ କରେ । ଫଳରେ ସୁଲ୍‌ତାନା ବିରୁଦ୍ଧରେ ଯିବାକୁ କେହି ସହଜରେ ସାହସ କରନ୍ତି ନାହିଁ ।

 

ସୁଲ୍‌ତାନା କେବଳ ଜୋର ଜୁଲମ କରି ଲୋକଙ୍କଠାରୁ ସାହାଯ୍ୟ ଆଦାୟ କରୁଥିଲା ବୋଲି ଭାବିବା ଭୁଲ । ଗରିବଙ୍କ ପାଇଁ ତା’ ଅନ୍ତରରେ ଗଭୀର ଅନୁକମ୍ପା ଭରି ରହିଥିଲା । ଗରିବଙ୍କଠାରୁ ସେ ପଇସାଟିଏ କେବେ ଲୁଟି ନିଏ ନାହିଁ । ଅଭାବଗ୍ରସ୍ତ କେହି ତା’ଠାରୁ ସାହାଯ୍ୟ ମାଗି ଖାଲି ହାତରେ କେବେ ଫେରେ ନାହିଁ । ଛୋଟ ଛୋଟ ଦୋକାନୀମାନଙ୍କଠାରୁ ଜିନିଷ ନେଲେ ସେ ଦୁଇଗୁଣ ଦାମ୍ ଦିଏ । ତା’ର ବଦାନ୍ୟତାର ପ୍ରତିଦାନରେ ଶହ ଶହ ଲୋକ ଲାଭର କୌଣସି ଆଶା ନ ରଖି ସ୍ଵେଚ୍ଛାରେ ତା’କୁ ସାହାଯ୍ୟ କରନ୍ତି । ଏମାନଙ୍କ ସାହାଯ୍ୟରେ ପୋଲିସଙ୍କ ପକ୍ଷର ଗୁପ୍ତ ତଥ୍ୟସବୁ ସେ ଅକ୍ଳେଶରେ ଜାଣିପାରେ ଓ ପୋଲିସ୍‌ର ଗତିବିଧି ଉପରେ ସହଜରେ ନଜର ରଖେ । ଠିକାଦାରଙ୍କ ନିମନ୍ତ୍ରଣ ଗ୍ରହଣ କଲାବେଳେ ସେ ଭଲଭାବେ ଜାଣିଥାଏ ସେ ଫ୍ରେଡିଙ୍କ ପ୍ରରୋଚନାରେ ତା’କୁ ଡକାଯାଇଛି ।

 

ଏଣେ ଉତ୍ସବ ପାଇଁ ବିରାଟ ଆୟୋଜନ ହୋଇଥାଏ । ଠିକାଦାର ଧନୀ ଲୋକ । ରାମନଗର ଓ କାଶୀପୁରରୁ ତାଙ୍କର ଅନେକ ବନ୍ଧୁ ନିମନ୍ତ୍ରିତ ହୋଇଥାଆନ୍ତି । ନାମଜାଦା ନାଚବାଲୀ ଓ ବଛା ବଛା ବାଜଣାଦାରମାନେ ଆସିଥାଆନ୍ତି । ଭୋଜିର ସାମଗ୍ରୀମାନ ବଳଦଗାଡ଼ିରେ ବୁହା ଲାଗିଥାଏ । ବିଶେଷ କରି ଡକାୟତଙ୍କ ପାଇଁ ଯଥେଷ୍ଟ “ପାନୀୟ” ମଧ୍ୟ ବନ୍ଦୋବସ୍ତ ହୋଇଥାଏ ।

 

ସୁଲ୍‌ତାନାର ସର୍ବନାଶ କରିବା ପାଇଁ ଆୟୋଜନ ସବୁ ସରିବା ପରେ ଠିକ୍ ସମୟରେ ପଂକ୍ତିଭୋଜନ ଆରମ୍ଭ ହେଲା । ବିଭିନ୍ନ ଜାତିର ଲୋକେ ଭିନ୍ନ ଭିନ୍ନ ଜାଗାରେ ବସି ଖାଉଥାଆନ୍ତି । ଚୁଲି ନିଆଁ ଓ ଅଳ୍ପ କେତୋଟି ଲଣ୍ଠଣର ଅସ୍ପଷ୍ଟ ଆଲୁଅରେ ସମବେତ ଅତିଥିମାନେ ପରସ୍ପରକୁ ସ୍ପଷ୍ଟ ଭାବେ ଦେଖିପାରୁ ନ ଥାନ୍ତି । ସେମାନଙ୍କ ମଧ୍ୟରେ ଯେ ସୁଲ୍‌ତାନା ଓ ତା’ର ଡକାୟତମାନେ ଅଛନ୍ତି, ଠିକାଦାରଙ୍କ ଅନ୍ୟ ଅତିଥିମାନେ ଏହା ଜାଣି ନ ଥିଲେ । ସେମାନେ ଆନନ୍ଦରେ ଭୂରିଭୋଜନ କରୁଥିବା ବେଳେ ସୁଲ୍‌ତାନାର ଲୋକେ ଜଗି ରଖି ଖାଉ ଥାଆନ୍ତି । ଭୋଜି ସରିବା ମାତ୍ରେ ଠିକାଦାରଙ୍କୁ ଗୋଟିଏ ପାଖକୁ ଡାକି ନେଇ ସୁଲ୍‌ତାନା ତାଙ୍କୁ ଧନ୍ୟବାଦ ଜଣାଇ କହିଲା ଯେ ସେମାନଙ୍କୁ ଦୂରବାଟ ଯିବାକୁ ହେବ । ନାଚ ଦେଖିବାକୁ ନ ରହି ସେମାନେ ସଙ୍ଗେ ସଙ୍ଗେ ବାହାରି ଯିବେ । ଯିବା ପୂର୍ବରୁ ଠିକାଦାରଙ୍କୁ ସେ ଅନୁରୋଧ କରିଗଲା ଯେ ନାଚଗୀତର କାର୍ଯ୍ୟକ୍ରମ ଯେପରି ଅବ୍ୟାହତ ରହେ । ସୁଲ୍‌ତାନାର ଅନୁରୋଧ ଉପେକ୍ଷା କରିବାକୁ ସାହସ କାହାର ଅଛି ? ଭୋଜି ପରେ ନାଚଗୀତ ଆରମ୍ଭ ହେବା ବେଳକୁ ସୁଲ୍‌ତାନା ତା’ ଦଳ ସହିତ ଜଙ୍ଗଲର ଅନ୍ଧକାରରେ ମିଳାଇ ଗଲାଣି ।

 

ନାଚ ସହିତ ସଙ୍ଗତ କରିବାର ବିବିଧ ବାଦ୍ୟଯନ୍ତ୍ର ମଧ୍ୟରୁ ମୃଦଙ୍ଗ ପ୍ରଧାନ । ମୃଦଙ୍ଗ ବାଜି ଉଠିବା ମାତ୍ରେ ସୁଲ୍‌ତାନାକୁ ସଦଳବଳେ ଘେରାଉ କରିବାପାଇଁ ଫୌଜ ନେଇ ଫ୍ରେଡି ଜଙ୍ଗଲରେ ଜଗିଥାଆନ୍ତି । ଡକାୟତଙ୍କ ପଳାୟନ ପଥ ଅବରୋଧ କରିବାପାଇଁ ଜଣେ ଜଙ୍ଗଲରକ୍ଷୀ ନେତୃତ୍ୱରେ ଆଉ ଦଳେ ସିପାହୀଙ୍କୁ ଆଗରୁ ପଠା ଯାଇଥାଏ । ଏହି ଦଳଟି ବାଟ ହରାଇ ରାତିସାରା ଜଙ୍ଗଲରେ ଭୂଆଁ ବୁଲିଲେ । ଜଙ୍ଗଲାରକ୍ଷୀ ବେଶ୍ ଚତୁର ଲୋକ । ସୁଲ୍‌ତାନା ସହିତ ତାଙ୍କୁ ଜଙ୍ଗଲରେ ଯେ ଏକାକୀ ରହିବାକୁ ପଡ଼ିବ–ବାଟବଣା ହେବା ପୂର୍ବରୁ ଏ କଥା ସେ ନିଶ୍ଚୟ ବିଚାର କରିଥିବେ । ଏତେ କଷ୍ଟ କରି ହଜିବାର ପ୍ରହସନ କରିବା କିନ୍ତୁ ବିଶେଷ ଦରକାର ନ ଥିଲା-। ଉତ୍ସବର କାର୍ଯ୍ୟନିର୍ଘଣ୍ଟରେ ସାମାନ୍ୟ ପରିବର୍ତ୍ତନ କରାଇ ପୋଲିସ ସଙ୍କେତ ପାଇବା ପୂର୍ବରୁ ଖସି ପଳାଇବା ପାଇଁ ସୁଲ୍‌ତାନା ଯଥେଷ୍ଟ ସୁଯୋଗ ଓ ସମୟ ପାଇଗଲା । ପୋଲିସ ଫୌଜ ଦୁର୍ଗମ ଜଙ୍ଗଲରେ ଅତି କଷ୍ଟରେ ଅଗ୍ରସର ହୋଇ ଠିକାଦାରଙ୍କ ଡେରା ଘେରାଉ କରିବା ପରେ କେବଳ କେତେଜଣ ନାଚବାଲୀ, ବାଜଣାଦାର ଓ ଠିକାଦାରଙ୍କ ବନ୍ଧୁମାନଙ୍କୁ ସେଠାରେ ଭୀତତ୍ରସ୍ତ ଅବସ୍ଥାରେ ଦେଖିବାକୁ ପାଇଲେ ।

 

ରାମନଗର ଜଙ୍ଗଲରୁ ଖସି ପଳାଇବା ପରେ ସୁଲ୍‌ତାନା ପଞ୍ଜାବ ଉପରେ ଅଭିଯାନ ଚଳାଇଲା । ପଞ୍ଜାବରେ ଲୁଚି ଛପି ରହିବା ଭଳି ଜଙ୍ଗଲ ନ ଥିବାରୁ ସେଠାରେ ସେ ବେଶି କାଳ ରହିଲା ନାହିଁ । ଅଳ୍ପଦିନ ରହଣି ଭିତରେ ଲକ୍ଷେ ଟଙ୍କାର ସୁନାଗହଣା ଲୁଟ କରି ସେ ଉତ୍ତର ପ୍ରଦେଶର ଘଞ୍ଚ ଜଙ୍ଗଲ ଆଡ଼େ ମୁହାଁଇଲା । ଫେରିବା ବାଟରେ ଗଙ୍ଗାନଦୀର ଗୋଟିଏ କରନାଳୀ ଉପରେ ପ୍ରତି ଚାରି ମାଇଲରେ ଗୋଟିଏ କରି ପୋଲ ପଡ଼େ । ସୁଲ୍‌ତାନାର ଗତିବିଧି ପୋଲିସବୁ ଜଣାଥିବାରୁ ପୋଲଗୁଡ଼ିକ ଉପରେ କଡ଼ା ପହରା ମୁତୟନ ହେବାର ସମ୍ଭାବନା ଥାଏ । ଏଥିରୁ ଗୋଟିଏ ପୋଲର ପହରା ବ୍ୟବସ୍ଥା ହୋଇ ନାହିଁ ବୋଲି ଚରଙ୍କଠାରୁ ଜାଣି ସୁଲ୍‌ତାନା ବାଟଭାଙ୍ଗି ସେହିଆଡ଼େ ଚାଲିଲା । ବାଟରେ ଗୋଟିଏ ବଡ଼ ଗାଁରେ ବାଜା ବାଜିବା ଶୁଣି ସେ ପଚାରି ବୁଝିଲା ଯେ ଜଣେ ଥିଲାବାଲା ଲୋକର ପୁଅ ସେଦିନ ବିଭା ହେଉଛି । ତା’କୁ ସେଠାକୁ ନେଇଯିବା ପାଇଁ ସୁଲ୍‌ତାନା ବାଟ କଢ଼ାଣିଆଙ୍କୁ ଆଦେଶ ଦେଲା ।

 

ଗାଁ ଦାଣ୍ଡରେ ଗୋଟିଏ ଖୋଲା ଜାଗାରେ ବରଯାତ୍ରୀ, କନ୍ୟାପକ୍ଷ ଓ ପ୍ରାୟ ହଜାରେ ନିମନ୍ତ୍ରିତ ଲୋକ ରୁଣ୍ଡ ହୋଇଥାଆନ୍ତି । ମଶାଲ ଆଲୁଅରେ ଚାରିଆଡ଼େ ଝଲସି ଉଠୁଥାଏ । ସୁଲ୍‌ତାନା ସଦଳବଳେ ସେଠାରେ ପହଞ୍ଚିଯିବା ମାତ୍ରେ ଚାରିଆଡ଼େ ଚହଳ ପଡ଼ିଗଲା । ସହଜ ସ୍ୱରରେ ସମସ୍ତଙ୍କୁ ବସିବାକୁ କହି ସୁଲ୍‌ତାନା ଜଣାଇ ଦେଲା ଯେ ତା’ କଥା ମାନି କାମକଲେ କାହାର କିଛି ଅନିଷ୍ଟ ହେବ ନାହିଁ । ତା’ପରେ ବରପିତା ଓ ଗାଁ ମୁଖିଆଙ୍କୁ ଡକାଇ ସେ କହିଲା ଯେ ଏହି ଶୁଭ ଦିନଟି ଉପହାର ଆଦାନ ପ୍ରଦାନ ପାଇଁ ପ୍ରକୃଷ୍ଟ ସମୟ । ମୁଖିଆଙ୍କ ନୂଆ ବନ୍ଧୁକଟି ସେ ନିଜପାଇଁ ଚାହେଁ । ତା’ର ଅନୁଚରମାନେ ମାତ୍ର ଦଶ ହଜାରଟି ଟଙ୍କା ପାଇଲେ ସନ୍ତୁଷ୍ଟ ହେବେ । ବନ୍ଧୁକ ଓ ଟଙ୍କା ଦାଖଲ ହେବାକୁ ଡେରି ହେଲା ନାହିଁ । ସେତକ ନେଇ ସମବେତ ଜନତାକୁ ଶୁଭେଚ୍ଛା ଜଣାଇ ସୁଲ୍‌ତାନା ତା’ ଦଳ ସହିତ ଗାଁରୁ ବାହାରିଗଲା । ପରଦିନ ସେ ଜାଣିଲା ଯେ ତା’ ଦଳର ଜଣେ ଉପନେତା ‘ପହଲବାନ’ ବାହାବେଦୀରୁ କନ୍ୟାକୁ ଉଠାଇ ଆଣିଛି । ସ୍ତ୍ରୀ ଲୋକଙ୍କୁ ଅବମାନିତ କରିବା ସୁଲ୍‌ତାନାର ନୀତି ବିରୁଦ୍ଧ । ‘ପହଲବାନ’ ପ୍ରତି କଠୋର ଶାସ୍ତି ବିଧାନ ହେଲା । ଉପଯୁକ୍ତ ଉପଢ଼ୌକନ ସହ କନ୍ୟାକୁ ସସମ୍ମାନେ ଫେରାଇ ପଠାଗଲା ।

 

ମଇଁଷାଳର ଗୋଡ଼ କାଟିବା ଘଟନା ପରଠାରୁ କିଛିଦିନ ଯାଏ ସୁଲ୍‌ତାନା ଆମ ଏଠାକାର ଜଙ୍ଗଲରେ ରହିଥିଲା । ଗୋଟିଏ ଜାଗାରେ ବେଶି ଦିନ ନ ରହି ସେ ବାରମ୍ବାର ସ୍ଥାନ ପରିବର୍ତ୍ତନ କରେ । ତା’ ଛାଉଣୀ ଉଠିଯିବା ପରେ ଜଙ୍ଗଲରେ ସେହି ସ୍ଥାନଗୁଡ଼ିକୁ ମୁଁ ବାରମ୍ବାର ଦେଖିବାକୁ ପାଏ । ଏହି ସମୟରେ ଦିନେ ମୋର ଗୋଟିଏ ବିଚିତ୍ର ଅନୁଭୂତି ହୋଇଥିଲା । ଆମ ଘରଠାରୁ ପାଞ୍ଚ ମାଇଲ ଦୂରରେ ଜଙ୍ଗଲର ଜାଗାଏ ପୋଡ଼ି ପଦା ହୋଇ ଯାଇଥାଏ । ଦିନେ ସନ୍ଧ୍ୟାବେଳେ ସେଠାରେ ଚିତାବାଘଟିଏ ମାରିଲି ଓ ଲୋକ ଆଣି ତା’କୁ ବୋହିନେବାକୁ ସମୟ ନ ଥିବାରୁ ନିଜେ ଛାଲ ଉତ୍ତାରି ନେଇ ଘରକୁ ଫେରିଲି । ପହଞ୍ଚି ଦେଖେ ଯେ ମୋର ଅତିପ୍ରିୟ ଶିକାର ଛୁରୀଟି ସେଠାରେ ଛାଡ଼ି ଦେଇ ଆସିଛି । ପରଦିନ ପାହାନ୍ତାରୁ ଛୁରୀ ଆଣିବାକୁ ଗଲି । ପଦା ଜାଗାଟିରେ ପହଞ୍ଚିବା ପୂର୍ବରୁ ସେଠାରୁ ଅଳ୍ପ ଦୂରରେ ଜାଗାଏ ନିଆଁ ଜଳୁଥିବାର କ୍ଷୀଣ ଆଭାସ ମିଳିଲା । ସୁଲ୍‌ତାନା ଏ ବଣରେ ରହିଛି ବୋଲି କେତେଦିନ ହେବ ଖବର ଶୁଣା ଯାଉଥାଏ । ହଠାତ୍ ଗୋଟାଏ ଖିଆଲରେ ଏ ବ୍ୟାପାରକୁ ତଦନ୍ତ କରିବାକୁ ସ୍ଥିର କଲି । କାକରଭିଜା ଘାସପତ୍ର ଉପରେ ନିଃଶବ୍ଦରେ ଆଗେଇ ହେଲା । ଗଛପତ୍ର ଆଢ଼ୁଆଳରେ ଲୁଚି ଛପି ପାଖକୁ ଯାଇ ଦେଖିଲି ଯେ ଗୋଟିଏ ଅଗହୀର ଟୋପରେ ନିଆଁ ଜାଳି କୋଡ଼ିଏ ପଚିଶ ଜଣ ଲୋକ ତା’କୁ ଘେରି ବସିଛନ୍ତି-। ପାଖରେ ତାଙ୍କ ବନ୍ଧୁକଗୁଡ଼ିକ ଗଛକୁ ଆଉଜା ହୋଇ ରହିଛି । ବନ୍ଧୁକନଳୀ ସବୁ ନିଆଁ ଆଲୁଅରେ ଚକ୍ ଚକ୍ କରୁଥାଏ । ସୁଲ୍‌ତାନାକୁ ପୂର୍ବରୁ ଦେଖି ନ ଥିଲେ ମଧ୍ୟ ମୁଁ ଶୁଣିଥାଏ ଯେ ସେ ଯୁବକ, କ୍ଷୁଦ୍ରକାୟ ଓ ସାମରିକ ଲୋକଙ୍କ ପରି ଖାକି ପୋଷାକ ପିନ୍ଧେ । ଏଇ ଲୋକଙ୍କ ଭିତରେ ସେପରି କେହି ନ ଥିଲେ ମଧ୍ୟ ମୋର ଦୃଢ଼ ଧାରଣା ହେଲା ଯେ ଏମାନେ ସୁଲ୍‌ତାନା ଦଳର ଲୋକ-। ଏ ପରିସ୍ଥିତିରେ ମୁଁ ବା କରେ କ’ଣ ? ପୋଲିସ ସାହାଯ୍ୟ ନେବାର ପ୍ରଶ୍ନ ଉଠୁନାହିଁ । କାଲାଦୁଙ୍ଗୀ ଫାଣ୍ଡିର ବୁଢ଼ା ହେଡ କନେଷ୍ଟବଲ୍ ଓ ଦୁଇଜଣ ବୟସ୍କ ସିପାହୀଙ୍କଠାରୁ କ’ଣ ବା ସାହାଯ୍ୟ ମିଳିବ-? ହଲଦ୍ଵାନୀରେ ପୋଲିସ ଫୌଜ ଅଛି ସତ–କିନ୍ତୁ ହଲଦ୍ଵାନୀ ଏଠାରୁ ପନ୍ଦର ମାଇଲ ଦୂର-

 

କ’ଣ କରିବି ଭାବୁଛି, ଏତିକିବେଳେ ଦଳ ଭିତରୁ ଜଣେ କହିଲା ଯେ ତାଙ୍କ ଯିବା ସମୟ ହେଲାଣି । ମୁଁ ବଡ଼ ଅଡ଼ୁଆରେ ପଡ଼ିଗଲି । ସେମାନଙ୍କ ଅଗୋଚରରେ ସେଠାରୁ ଖସିଯିବା ଆଉ ସମ୍ଭବ ନ ଥିଲା । ଦ୍ରୁତ ବେଗରେ ତାଙ୍କ ଆଡ୍ଡା ଭିତରକୁ ପଶିଯାଇ ବନ୍ଧୁକ ପାଖକୁ ଯିବା ବାଟ ଓଗାଳି ଦେଲି ଓ ଗୋଟିଏ ଢିପ ଉପରେ ଛିଡ଼ା ହୋଇ ସେମାନେ ଏଠାରେ କ’ଣ କରୁଛନ୍ତି ବୋଲୁ ଦୃଢ଼ ସ୍ୱରରେ କୈଫିୟତ ମାଗିଲି । ଲୋକଗୁଡ଼ିକ କିଛି ନ ବୁଝିଲା ପରି ବଲ ବଲ କରି ମୋତେ ଅନାଇ ରହିଲେ । ଶେଷରେ ଜଣେ ପ୍ରକୃତିସ୍ଥ ହୋଇ କହିଲା, “ଆମେ ତ କିଛି କରୁନାହୁଁ !” କିଛି ସମୟ ପଚରା ଉଚରା କରି ବୁଝିଲି ଯେ ସେମାନେ ଅଙ୍ଗାର ବେପାରୀ । କାଠ ଜାଳି ଅଙ୍ଗାର କରିବା ତାଙ୍କ କାମ । ବରେଲିରୁ ବାହାରି ଏ ବାଟେ ଯାଉ ଯାଉ ଜଙ୍ଗଲରେ ବାଟବଣା ହୋଇଥିଲେ-। ରାତି ପାହିଲେ ସେମାନେ ବାଟ ଧରିବେ । ପଛକୁ ଅନାଇ ଦେଖିଲି ଯେ ଗଛ ଗଣ୍ଡିକୁ ଆଉଜା ହୋଇ କୁରାଢ଼ୀ କେତୋଟି ରହିଛି ଓ କୁରାଢ଼ୀର ଚିକ୍‍କଣ ବେଣ୍ଟଗୁଡ଼ିକ ନିଆଁ ଆଲୁଅରେ ବନ୍ଧୁକନଳୀ ପରି ଚକ୍ ଚକ୍ କରୁଛି । ମୋର ଉଦ୍ଭଟ କଳ୍ପନା ମୋତେ ଏ ହାସ୍ୟାସ୍ପଦ ଅବସ୍ଥାରେ ପକାଇଛି ଜାଣି ଲଜ୍ଜିତ ହେଲି । କଥାଟା ସୁଧାରିବା ପାଇଁ ସେମାନଙ୍କ ସଙ୍ଗରେ ବସି ନିଆଁ ପୋଇଁଲି-। ମୋ ସିଗାରେଟ୍ ତକ ସମସ୍ତଙ୍କ ଭିତରେ ବଣ୍ଟାହେଲା । ଏଣୁ ତେଣୁ କଥାବାର୍ତ୍ତା ହେଉ ହେଉ ଚାରିଆଡ଼ ଫର୍ଚ୍ଚା ହୋଇ ଆସିଲା । ସେମାନଙ୍କୁ ବାଟ ଦେଖାଇ ଦେଇ ଛୁରୀ ନେଇ ମୁଁ ଫେରିଲି ।

 

ଦୀର୍ଘ ସମୟ ଧରି ରୁଦ୍ଧ ରହିଥିବା ଆବେଗ ଉତ୍ତେଜନା ମନରେ କେତେ ବିଚିତ୍ର ଭ୍ରାନ୍ତି ସୃଷ୍ଟି ନ କରେ ! ଥରେ ଗୋଟିଏ ସମ୍ବରର ମଢ଼ ପାଖରେ ଭୂଇଁରେ ବସି ବାଘ ଫେରିବା ପାଇଁ ମୁଁ ଅପେକ୍ଷା କରିଥାଏଁ । ମନେହେଲା ଯେ ବାଘ ଆସୁଛି–ଆସୁଛି–ଆହୁରି ପାଖକୁ ଆସୁଛି । ଶବ୍ଦର ବିରତି ନାହିଁ–କିନ୍ତୁ ବାଘର ଦର୍ଶନ ନାହିଁ । ଉତ୍କଣ୍ଠା କ୍ରମେ ଅସହ୍ୟ ହୋଇ ଉଠିଲା । ବନ୍ଧୁକ ଘୋଡ଼ାରେ ଟିପ ରଖି ବୁଲି ପଡ଼ି ଦେଖିଲି ଯେ, ମୋ କାନ ପାଖରେ ଗୋଟାଏ ସଁବାଳୁଆ କରଡ଼ା ପତ୍ରଟିଏ ମସ୍‌ମସ୍ କରି ଚୋବାଇ ଖାଉଛି । ଆଉଦିନେ ମଉଳା ସଞ୍ଜବେଳେ ଶିକାର ପାଖରେ ବାଘ ପାଇଁ ମୁଁ ଜଗି ବସିଥାଏ । ଦୃଷ୍ଟିକ୍ଷେତ୍ରର ଗୋଟିଏ କୋଣରୁ ବଡ଼ ଜନ୍ତୁଟିଏ ଧୀରେ ଧୀରେ ଆଗେଇ ଆସିବା ପରି ଜଣାଗଲା । ରାଇଫଲକୁ ଶକ୍ତ ଭାବେ ମୁଠାଇ ଧରି ଗୁଳି ଚଳାଇବାକୁ ଯାଇ ଦେଖେଁ ଯେ, ମୋ ମୁହଁ ଠାରୁ କେଇ ଇଞ୍ଚ ଛଡ଼ାରେ ଗୋଟିଏ ଶୁଖିଲା ଡାଙ୍ଗରେ ପିମ୍ପୁଡ଼ିଟିଏ ଆଗେଇ ଆସୁଛି । ସେଦିନ ସୁଲ୍‌ତାନା ବିଷୟ ମନରେ ଖେଳୁଥିବାରୁ ନିଆଁ ଝଲକରେ କୁରାଢ଼ୀବେଣ୍ଟ ମୋତେ ବନ୍ଧୁକନଳୀ ପରି ଦେଖାଗଲା । ଲୋକଗୁଡ଼ିକ ଅଙ୍ଗାର ବ୍ୟବସାୟୀ ବୋଲି ଜାଣିବା ପୂର୍ବରୁ ମୋ ଦେଖିବାରେ କିଛି ଭୁଲ ଥାଇପାରେ ବୋଲି ଲେଶ ମାତ୍ର ସନ୍ଦେହ ମୁଁ କରି ନ ଥିଲି । କୁରାଢ଼ୀକୁ ବନ୍ଧୁକୁ ବୋଲି ଭାବି ନେବା ପରେ ସେଗୁଡ଼ିକୁ ଆଉ ଥରେ ଭଲ ଭାବେ ଦେଖିବାର ଆବଶ୍ୟକତା ମଧ୍ୟ ମନକୁ ଛୁଇଁ ନଥିଲା ।

 

ଫ୍ରେଡିଙ୍କ ଦକ୍ଷ ପରିଚାଳନା ଓ ଉନ୍ନତ ପରିବହନ ବ୍ୟବସ୍ଥା ଯୋଗୁଁ ସୁଲତାନା ଉପରେ ପୋଲିସ ଫୌଜର ଚାପ ବଢ଼ିବାକୁ ଲାଗିଲା । ତା’ ଦଳରୁ କେତେଜଣ ପୋଲିସ ପାଖରେ ଧରାପଡ଼ିଲେ । କେତେକ ଭୟରେ ଦଳ ଛାଡ଼ି ପଳାଇଗଲେ । ଅନୁଚରଙ୍କ ସଂଖ୍ୟା ପୂର୍ବାପେକ୍ଷା ଅନେକ କମିଯିବାରୁ ପୋଲିସ ତାଡ଼ନାରୁ ଟିକେ ନିଷ୍କୃତି ପାଇବା ଆଶାରେ ସୁଲତନା ତା’ ଦଳର ଅବଶିଷ୍ଟ କେତେଜଣଙ୍କୁ ନେଇ ଜିଲ୍ଲାର ପୂର୍ବସୀମା ପର୍ଯ୍ୟନ୍ତ ପଛେଇ ଗଲା ଓ ପିଲିବିତ୍‍ ଠାରେ କେତେ ମାସ ଆସ୍ଥାନ ଜମାଇ ସୁଦୂର ଗୋରଖପୁର ପର୍ଯ୍ୟନ୍ତ ଲୁଟତରାଜ କରି ପାଣ୍ଠି ବଢ଼ାଇବାକୁ ଲାଗିଲା । ତା’ପରେ ଏଠାକାର ଜଙ୍ଗଲକୁ ଫେରି ଆସି ସେ ଖବର ପାଇଲା ଯେ ରାମପୁର ରାଜ୍ୟର ଜଣେ ନାଚବାଲି ଆମ ଗାଁରୁ ସାତ ମାଇଲ ଦୂର ଲାମାଚୁର ଗାଁର ମୁଖିଆଙ୍କ ଘରେ ରହୁଛି-। ନାଚବାଲୀ ହାତରେ ପ୍ରଚୁର ଧନ ଅଛି ବୋଲି ସୁଲ୍‌ତାନାକୁ ଜଣାଇ ଦିଆଯାଇଥାଏ । ଏଣେ ଡକାୟତଙ୍କ ଭୟରେ ମୁଖିଆ ଘର ଜଗିବା ପାଇଁ ତାଙ୍କର ତିରିଶି ଜଣ ପ୍ରଜା ଯୋଗାଡ଼ କରିଥାନ୍ତି । ଜଗୁଆଳଙ୍କୁ ଅସ୍ତ୍ରଶସ୍ତ୍ର କିଛି ଦିଆଯାଇ ନ ଥାଏ । ସୁଲ୍‌ତାନା ଦିନେ ରାତିରେ ସଦଳବଳେ ଆସି ମୁଖିଆଙ୍କ ଘର ଘେରାଉ କଲା । ନାଚବାଲୀ ଆଗରୁ ସୁରାକ୍‌ ପାଇ ତା’ ଟଙ୍କା ସୁନା ସବୁ ଧରି ବାଡ଼ି କବାଟ ବାଟେ ପଦାକୁ ପଳାଇ ଅନ୍ଧାରରେ କୁଆଡ଼େ ଲୁଚିଗଲା । ଡକାୟତମାନେ ମୁଖିଆ ଓ ତାଙ୍କ ପ୍ରଜାଙ୍କୁ ଧରି ଆଣି ଅଗଣାରେ ଠୁଳ କଲେ । ନାଚବାଲୀ ବିଷୟରେ କେହି କିଛି ଜାଣନ୍ତି ନାହିଁ ବୋଲି କହିବାରୁ ସେମାନଙ୍କୁ ବାନ୍ଧି ବାଡ଼େଇବାକୁ ହୁକୁମ ଦିଆଗଲା । ଜଣେ ପ୍ରଜା ଏ ହୁକୁମ୍‍ ବିରୁଦ୍ଧରେ ପ୍ରତିବାଦ କରି କହିଲା ଯେ ସୁଲ୍‌ତାନା ତାଙ୍କୁ ଯାହା କରିବ କରୁ କିନ୍ତୁ ମୁଖିଆଙ୍କୁ ମାଡ଼ ବା ଅପମାନ ଦେବାକୁ ତା’ର କୌଣସି ଅଧିକାର ନାହିଁ । ତା’କୁ ଚୁପ୍‌ ରହିବାକୁ ଧମକ ଦିଆଗଲା । ଡକାୟତ ଜଣେ ମୁଖିଆଙ୍କୁ ବାନ୍ଧିବା ପାଇଁ ଦଉଡ଼ି ମୁଠାଏ ଧରି ଆଗେଇବା ମାତ୍ରେ ପ୍ରଜାଟି ଚାଳରୁ ବାଉଁଶ ଖଣ୍ଡେ ଭିଡ଼ି ଆଣି ତା’କୁ ମାରିବାକୁ ଧାଇଁଗଲା । ଡକାୟତ ଜଣେ ସଙ୍ଗେ ସଙ୍ଗେ ଗୁଳି ଚଳାଇ ଦେଲା । ଛାତିରେ ଗୁଳି ଖାଇ ନିର୍ଭୀକ ପ୍ରଜାଟି ସେହିଠାରେ ଟଳି ପଡ଼ିଲା । ବନ୍ଧୁକ ଆବାଜ ଶୁଣି ଆଖପାଖ ଗାଁର ଲୋକେ କାଳେ ଅସ୍ତ୍ରଶସ୍ତ୍ର ଧରି ଆସିବେ ବୋଲି ଆଶଙ୍କା କରି ସୁଲ୍‌ତାନା ଦ୍ରୁତ ବେଗରେ ସେଠାରୁ ପଳାଇଗଲା । ଯିବାବେଳେ କିନ୍ତୁ ମୁଖିଆଙ୍କ ନୂଆ ଘୋଡ଼ାଟି ନେଇଯିବାକୁ ସେ ଭୁଲିଲା ନାହିଁ ।

 

ଏହି ସାହସୀ ପ୍ରଜାଟିକୁ ଏପରି ନୃଶଂସ ଭାବେ ହତ୍ୟା କରାଯାଇଥିବା ସମ୍ବାଦ ପରଦିନ ମୋ ପାଖରେ ପହଞ୍ଚିଲା । ମୃତ ବ୍ୟକ୍ତିର ପରିବାରରେ କିଏ ଅଛନ୍ତି ବୁଝିବା ପାଇଁ ମୁଁ ଲାମାଚୁରକୁ ଲୋକ ପଠାଇଲି । ସେମାନଙ୍କ ଭରଣପୋଷଣ ପାଇଁ ପାଣ୍ଠି ସଂଗ୍ରହ କରିବା ଉଦ୍ଦେଶ୍ୟରେ ଆଉ ଜଣେ ଲୋକ ହାତରେ ଚିଠି ଖଣ୍ଡେ ଦେଇ ଆଖପାଖ ଗାଁ ଗୁଡ଼ିକର ମୁଖିଆମାନଙ୍କ ପାଖକୁ ପଠାଇଲି । ଗରିବଙ୍କ ହୃଦୟରେ ଦୟାର ଅଭାବ ନ ଥାଏ । ଗ୍ରାମବାସୀଙ୍କଠାରୁ ଯେତିକି ବଦାନ୍ୟତା ମୁଁ ଆଶା କରିଥିଲି, ଠିକ୍ ସେହି ଅନୁପାତରେ ସାହାଯ୍ୟର ପ୍ରତିଶ୍ରୁତି ପାଇଲି । ଶେଷ ସୁଦ୍ଧା ଏ ପାଣ୍ଠି ସଂଗ୍ରହ କରିବା କିନ୍ତୁ ଦରକାର ପଡ଼ିଲା ନାହିଁ । ମୃତ ପ୍ରଜାଟି କୋଡ଼ିଏ ବର୍ଷ ତଳେ ନେପାଳରୁ ଏକାକୀ ଆସି ଏଠାରେ ବସବାସ କରି ରହୁଥିଲା । ଏଠାରେ ବା ନେପାଳରେ କେହି ତା’ ସ୍ତ୍ରୀ ପିଲା ବା ପରିବାର ସମ୍ବନ୍ଧରେ ସଠିକ ତଥ୍ୟ ଯୋଗାଇ ପାରିଲେ ନାହିଁ । ପର ପାଇଁ ଅକାତରରେ ପ୍ରାଣ ଦେଇଥିବା ଏହି ଅଜ୍ଞାତ ବୀରକୁ ତା’ର ଚରମ ତ୍ୟାଗ ପାଇଁ ଶେଷ ପର୍ଯ୍ୟନ୍ତ କୌଣସି ପ୍ରତିଦାନ ଦିଆଯାଇ ପାରିଲା ନାହିଁ ।

 

ଏଇ ମର୍ମନ୍ତୁଦ ଘଟଣା ଘଟିଯିବା ପରେ ସୁଲ୍‌ତାନା ବିରୁଦ୍ଧରେ ତାଙ୍କୁ ସାହାଯ୍ୟ କରିବା ପାଇଁ ଫ୍ରେଡିଙ୍କ ନିମନ୍ତ୍ରଣ ମୁଁ ଗ୍ରହଣ କଲି ଓ ମାସେ ପରେ ତାଙ୍କ ସଦର ମହକୁମା ହରଦ୍ୱାରରେ ପହଞ୍ଚି ତାଙ୍କ ସହିତ ଯୋଗ ଦେଲି । ଫ୍ରେଡିଙ୍କୁ ସାହାଯ୍ୟ କରିବା ପାଇଁ ଉଇଣ୍ଡ୍‌ହାମ୍ ତାଙ୍କ ତରଫରୁ ଧୁରନ୍ଧର ଆଦିବାସୀ ଶିକାରୀ ଚାରି ଜଣ ପଠାଇଥାନ୍ତି । ଉଇଣ୍ଡ୍‌ହାମ୍ ଅଠର ବର୍ଷକାଳ ମିର୍ଜ୍ଜାପୁରର ଜିଲ୍ଲାଧୀଶ ଥିବାବେଳେ ବାଘ ମାରିବା ପାଇଁ ବାଛି ବାଛି ଦଶ ଜଣ କୋହ୍ଲ ଓ ଦଶ ଜଣ ଭୂୟାଁ ଶିକାରୀ ନିଯୁକ୍ତ କରିଥିଲେ । ସେମାନଙ୍କ ଭିତରୁ ବଛା ହୋଇ ଆସିଥିବା ଏଇ ଶିକାରୀ ଚାରିଜଣଙ୍କ ସହିତ ପୂର୍ବରୁ ମୋର ବନ୍ଧୁତା ଥାଏ । ହରଦ୍ୱାରରେ ସେମାନେ ମୋତେ ଅପେକ୍ଷା କରିଥିଲେ । ଆମ ପାଞ୍ଚ ଜଣଙ୍କ ପାଇଁ ଫ୍ରେଡି ଗୋଟିଏ କାର୍ଯ୍ୟପନ୍ଥା ସ୍ଥିର କରିଥାଆନ୍ତି । ସୁଲ୍‌ତାନାର ଗତିବିଧି ସେତେବେଳେ ବଡ଼ ଚଞ୍ଚଳ ହୋଇ ଉଠିଥାଏ । କୌଣସିଠାରେ ସେ ଦିନକରୁ ବେଶି ରହୁ ନ ଥାଏ-। ନିଜର ସ୍ୱାଭାବିକ ଅସ୍ଥିରତା ଯୋଗୁଁ କିମ୍ବା ଫ୍ରେଡିଙ୍କ ପରିକଳ୍ପନାର କିଛି ପୂର୍ବାଭାସ ପାଇ ଥିବାରୁ ସେ ବାରମ୍ବାର ସ୍ଥାନ ପରିବର୍ତ୍ତନ କରି ପ୍ରତି ରାତିରେ ଦୀର୍ଘ ପଥ ଅତିକ୍ରମ କରୁଥାଏ । ଫ୍ରେଡିଙ୍କ ମତଲବ ଥାଏ ଯେ ଶିକାରୀ ଚାରିଜଣଙ୍କ ସହିତ ମୁଁ ଜଙ୍ଗଲରେ ସୁଲ୍‌ତାନାକୁ ଅନୁସରଣ କରି ତା’ ଛାଉଣୀ ପ୍ରଥମେ ଠାବ କରିବି ଓ ଆକ୍ରମଣ ଚଳାଇବା ପାଇଁ ସୁବିଧା ଜାଗାଟିଏ ବାଛି ପୋଲିସ ଫୌଜକୁ ବାଟ କଢ଼ାଇ ସେଠାକୁ ନେଇଯିବି ।

 

ହରଦ୍ୱାରରେ ଭାରି ଗରମ ପଡ଼ିଥାଏ । କିଛି ଦିନ ନିଶ୍ଚେଷ୍ଟ ହୋଇ ହୋଇ ବସି ଆମେ ବିରକ୍ତ ହୋଇଗଲୁ । ଶିକାରୀ ଚାରିଜଣଙ୍କ ସହିତ ପରାମର୍ଶ କରି ମୁଁ ଆଉ ଗୋଟିଏ ଉପାୟ ଠିକ୍ କଲି । ସେଦିନ ରାତିରେ ଖିଆପିଆ ସାରି ଫ୍ରେଡି ଓ ମୁଁ ବାରଣ୍ଡାରେ ଥଣ୍ଡା ଜାଗାଟିଏ ଦେଖି ଟିକେ ଆରାମରେ ବସିଥାଉ । ଆମ କଥାବାର୍ତ୍ତାକୁ କାନ ପାରିବା ପାଇଁ ପାଖରେ କେହି ନ ଥାନ୍ତି । ସେହି ସୁଯୋଗରେ ପ୍ରସ୍ତାବଟି ଫ୍ରେଡିଙ୍କ ଆଗରେ ପ୍ରକାଶ କଲି । ଯୋଜନାଟି ଅତି ସରଳ । ଚାରିଆଡ଼େ ସ୍ୱାଭାବିକ ଭାବେ ପ୍ରଘଟ କରାଯିବ ଯେ ଉଇଣ୍ଡ୍‍ହାମ୍ ବାଘ ଶିକାରକୁ ମୋତେ ନିମନ୍ତ୍ରଣ କରିଛନ୍ତି ଓ ତାଙ୍କ ଶିକାରୀମାନଙ୍କୁ ମଧ୍ୟ ଡକାଇଛନ୍ତି । ହଲଦ୍ୱାନୀକୁ ପାଞ୍ଚଖଣ୍ଡ ରେଳ ଟିକଟ ପ୍ରକାଶ୍ୟରେ କିଣାଯିବ । ଆମେ ପାଞ୍ଚ ଜଣ ନିଜ ବନ୍ଧୁକ ସଙ୍ଗରେ ନେବୁ ଓ ରାତିରେ ଫ୍ରେଡି ଆମକୁ ହରଦ୍ୱାର ଷ୍ଟେସନରେ ହଲଦ୍ୱାନି ଗାଡ଼ିରେ ବସାଇ ଦେଇ ଆସିବେ । ଅଧ ବାଟରେ ଆମେ ଗାଡ଼ିରୁ ଓହ୍ଲାଇ ଜଙ୍ଗଲରେ ପଶିବୁ । ତା’ପରେ ସୁଲ୍‌ତାନାକୁ ଧରି ଆଣି ଏଠାରେ ପହଞ୍ଚାଇବାର ପୂରା ଦାୟିତ୍ୱ ଓ ଅଧିକାର ଆମକୁ ଦିଆଯିବ ।

 

ଫ୍ରେଡି ଦୀର୍ଘକାୟ ଲୋକ । ବିଶାଳ ତାଙ୍କ ବପୁର ଓଜନ ଦୁଇ ଶହ ଚୌରାଅଶୀ ପାଉଣ୍ଡ-। ରାତିରେ ଖାଇ ସାରି ସେ ଢୁଳାନ୍ତି ବୋଲି ମୋତେ ଜଣାଥାଏ । ମୋ କଥା ସବୁ ସେ ନିଶ୍ଚଳ ହୋଇ ଆଖି ବୁଜି ଶୁଣୁଥିଲେ । କଥା ସରିବା ପରେ ଅନେକ ସମୟ ଯାଏ ସେହିପରି ଆଖିବୁଜି ବସିବାରୁ ସେ ଶୋଇ ପଡ଼ିଛନ୍ତି ବୋଲି ସନ୍ଦେହ ହେଲା । ଫ୍ରେଡି ପ୍ରକୃତରେ କିନ୍ତୁ ଶୋଇ ନ ଥିଲେ-। ଦୀର୍ଘ ସମୟ ଆଖିବୁଜି ରହିବା ପରେ ସେ ଉଠି ବସି ଦୃଢ଼ସ୍ୱରରେ କହିଲେ, “ଆପଣମାନଙ୍କ ନିରାପତ୍ତା ପାଇଁ ମୁଁ ଦାୟୀ । ଏପରି ଦୁଃସାହସିକ ପ୍ରସ୍ତାବ ମୁଁ କଦାପି ଗ୍ରହଣ କରିବି ନାହିଁ ।” ଯୁକ୍ତିତର୍କ କରି କିଛି ଫଳ ହେଲା ନାହିଁ । ନିଜ ସଙ୍କଳ୍ପରେ ସେ ଅଟଳ ରହିଲେ । ଅଗତ୍ୟା ପରଦିନ ସକାଳୁ ଶିକାରୀ ଚାରି ଜଣ ଓ ମୁଁ ନିଜ ନିଜ ଘରକୁ ଫେରିଗଲୁ । ପରେ ବୁଝିପାରିଲି ଯେ ମୋର ଏପରି ପ୍ରସ୍ତାବ ଦେବା ଉଚିତ ନ ଥିଲା ଓ ଫ୍ରେଡି ଯଥାର୍ଥରେ ତାହା ଗ୍ରହଣ କରି ନ ଥିଲେ । ସୁଲ୍‌ତାନାକୁ ଜୀବିତ ଅବସ୍ଥାରେ ଧରି ପାରି ନ ଥିଲେ ଆମେ ତା’କୁ ମାରିବାକୁ କଦାପି ଚେଷ୍ଟା କରି ନ ଥାନ୍ତୁ । ନିଜ ଜୀବନ ରକ୍ଷା କରିବା ପାଇଁ ଆମେ ଯେ ସମ୍ପୂର୍ଣ୍ଣ କ୍ଷମ–ଏଥିରେ ମଧ୍ୟ ସନ୍ଦେହ ନ ଥିଲା । ସୁଲ୍‌ତାନା ବା ଆମ ଜୀବନ ପ୍ରତି ଆପଦ ବିପଦର ପ୍ରଶ୍ନ ଉଠୁ ନ ଥିଲା । ଫ୍ରେଡି ପ୍ରସ୍ତାବଟି ଅଗ୍ରାହ୍ୟ କରିବାର ଅସଲ କାରଣ ହେଲା–ଆମ ପାଞ୍ଚଜଣଙ୍କ ଭିତରୁ କାହାରି ସରକାରୀ ପଦ ବା କ୍ଷମତା ନ ଥିଲା । ସୁଲ୍‌ତାନାକୁ ଧରିବା ଉଦ୍ୟମରେ କୌଣସି ନୀତିନିୟମର ଖିଲାପ ହୋଇ ଘାଣ୍ଟଚକଟ ଆରମ୍ଭ ହୋଇଥିଲେ ସରକାରଙ୍କ ତରଫରୁ ଆମ କାର୍ଯ୍ୟକଳାପକୁ ସମର୍ଥନ କରିବା ସମ୍ଭବ ହୋଇ ନ ଥାନ୍ତା ।

 

ତିନିମାସ ପରେ ହରଦ୍ୱାର ଆସିବା ପାଇଁ ଫ୍ରେଡିଙ୍କ ଠାରୁ ପୁଣି ଡାକରା ପାଇଲି । ସେତେବେଳେ ନିର୍ଦ୍ଧୁମ ବର୍ଷାଦିନ । ମୋ ଛଡ଼ା ଜଙ୍ଗଲ ବିଭାଗର ହର୍‌ବର୍ଟ ଓ ତରାଇ–ଭାବରର ତତ୍ତ୍ୱାବଧାରକ ଫ୍ରେଡ୍‍ ଆଣ୍ଡରସନ୍‍ ମଧ୍ୟ ଡାକରା ପାଇ ହରଦ୍ୱାର ଆସିଥାଆନ୍ତି । ପହଞ୍ଚି ଶୁଣିଲୁ ଯେ ଫ୍ରେଡି ସେଥିମଧ୍ୟରେ ନଜିବାବଦ୍ ଜଙ୍ଗଲରେ ସୁଲ୍‌ତାନାର ପ୍ରଧାନ ଛାଉଣୀ ଠାବ କରିଛନ୍ତି ଓ ପୋଲିସ ପକ୍ଷରୁ ଆକ୍ରମଣ ଯୋଜନା ପ୍ରସ୍ତୁତ ହୋଇସାରିଛି । ଛାଉଣୀ ଘେରାଉ କରିବାରେ ଆଣ୍ଡରସନ୍‍ ଓ ମୁଁ ଫ୍ରେଡିଙ୍କୁ ସାହାଯ୍ୟ କରିବୁ । ହରବର୍ଟ ଜଣେ ପ୍ରସିଦ୍ଧ ପୋଲୋ ଖେଳାଳୀ । ଭାରତୀୟ ଘୋଡ଼ାସବାର ବାହିନୀ ସହିତ ଫ୍ରାନ୍‍ସରେ ସେ ପ୍ରଥମ ବିଶ୍ୱଯୁଦ୍ଧରେ ଅଂଶଗ୍ରହଣ କରିଥିଲେ । ପଚାଶ ଜଣ ଘୋଡ଼ାସବାର ସିପାହୀ ନେଇ ସୁଲ୍‌ତାନାର ପଳାୟନ ପଥ ଅବରୋଧ କରିବା ଦାୟିତ୍ୱ ତାଙ୍କୁ ଦିଆଗଲା ।

 

ସୁଲ୍‌ତାନାର ଚାରସଂସ୍ଥାର ଦକ୍ଷତା ସମ୍ବନ୍ଧରେ ଫ୍ରେଡିଙ୍କର ଆଉ ସନ୍ଦେହ ନ ଥାଏ । କାହାକୁ କିଛି ନ ଜଣାଇ ବଡ଼ ସତର୍କତା ସହ ଭିତରେ ଭିତରେ ସବୁ ଆୟୋଜନ ହେଉଥାଏ । ଆମେ ତିନି ଜଣ ଓ ଫ୍ରେଡିଙ୍କର ଦୁଇଜଣ ସହକାରୀଙ୍କ ଛଡ଼ା ଆଉ କେହି ଏଥିରେ କିଛି ଟେର୍ ପାଇ ନ ଥାନ୍ତି । ପ୍ରତି ସନ୍ଧ୍ୟାରେ ସିପାହୀମାନେ ଅସ୍ତ୍ରଶସ୍ତ୍ର ଧରି ସାମରିକ କାଇଦାରେ ଅନେକ ଦୂର ଅଗ୍ରସର ହୋଇ ଫେରନ୍ତି । ଆମେ ମଧ୍ୟ ଅନେକ ରାସ୍ତା ବୁଲି ରାତିରେ ବଙ୍ଗଳାକୁ ଫେରୁ । ଶେଷରେ ଅଭିଯାନ ପାଇଁ ନିର୍ଦ୍ଦିଷ୍ଟ ଦିନ ଆସିଲା । ସେଦିନ ଆମେ ରେଳରାସ୍ତା ଅତିକ୍ରମ ନ କରି ରେଳବାଇ ମାଲ–ମହଜୁଦ୍ କେନ୍ଦ୍ର ଭିତର ଦେଇ ଷ୍ଟେସନରୁ କିଛି ଦୂରକୁ ଚାଲିଗଲୁ । ମାଲଗାଡ଼ିଟିଏ ଆଗରୁ ପ୍ରସ୍ତୁତ ହୋଇ ଅନ୍ଧାରରେ ଅପେକ୍ଷା କରିଥାଏ । ଆମକୁ ନେଇ ଗାଡ଼ିଟି କିଛି ଶବ୍ଦ ନ କରି ଧୀରେ ଧୀରେ ଷ୍ଟେସନରୁ ବାହାରିଗଲା । ଆମ ଗତିବିଧି ସବୁ ଗୋପନ ରଖିବାପାଇଁ ଅତି ନିଷ୍ଠାର ସହିତ ବ୍ୟବସ୍ଥା କରାଯାଇଥାଏ । ଶିବିରରେ ସବୁଦିନ ପରି ସିପାହୀଙ୍କ ପାଇଁ ରୋଷେଇବାସ ହେଉଥାଏ । ଆମେ ନିଜ ରାତ୍ରିଭୋଜନ ପାଇଁ ଧାରାବାହିକ ନିର୍ଦ୍ଦେଶମାନ ଦେଇଥାଉ । ରାତିରେ ଆମେ ଫେରିବୁ ନାହିଁ ବୋଲି କେହି ସନ୍ଦେହ କରିବାର ଅବକାଶ ନ ଥାଏ ।

 

ପଚାଶ ଜଣ ଘୋଡ଼ାସବାର ସିପାହୀଙ୍କ ସହିତ ହରବର୍ଟ ପୂର୍ବରାତିରୁ ତାଙ୍କର ଲକ୍ଷ୍ୟସ୍ଥଳ ଆଭିମୁଖରେ ବାହାରି ଯାଇଥାଆନ୍ତି । ତାଙ୍କ ଘୋଡ଼ାଗୁଡ଼ିକୁ ଆହୁରି ଆଗରୁ ନିଆଯାଇ ଜଙ୍ଗଲରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଏକାଠି ରଖା ଯାଇଥାଏ । ସେଠାକୁ ସିଧାସଳଖ ନ ଯାଇ ଗୋଟିଏ ବୁଲାଣି ବାଟରେ ଯିବାକୁ ହରବର୍ଟ ନିର୍ଦ୍ଦେଶ ପାଇଥାଆନ୍ତି ।

 

ଅନ୍ଧାର ହେବାର ଘଣ୍ଟାଏ ପରେ ଆମେ ଗାଡ଼ିରେ ବସିଥିଲୁ । ରାତି ନଅଟା ବେଳେ ଦୁଇଟି ଷ୍ଟେସନ ମଝିରେ ଘୋର ଜଙ୍ଗଲରେ ଗାଡ଼ି ଛିଡ଼ା ହେଲା । ଓହ୍ଲାଇବାପାଇଁ ଆଦେଶ ଡବାରୁ ଡବାରୁ ଚାପାଗଳାରେ ଜଣାଇ ଦିଆଗଲା । ସମସ୍ତେ ଓହ୍ଲାଇଯିବା ପରେ ଗାଡ଼ି ତା’ ବାଟରେ ଚାଲିଗଲା ।

 

ଅଢ଼େଇଶହ ସିପାହୀଙ୍କୁ ଧାଡ଼ିବାନ୍ଧି ଆମେ ଗନ୍ତବ୍ୟ ପଥରେ ବାହାରି ପଡ଼ିଲୁ । ଲକ୍ଷ୍ୟସ୍ଥଳ ସେଠାରୁ କୋଡ଼ିଏ ମାଇଲ ଦୂର । ଫ୍ରେଡି ଓ ଆଣ୍ଡରସନ୍ ଆଗରେ ଥାଆନ୍ତି । ଧାଡ଼ି ପଛରେ ମୁଁ ଚାଲିଥାଏ । ଦିନସାରା ପାଗ ମେଘୁଆ ଥିଲା । ଆମେ ଗାଡ଼ିରୁ ଓହ୍ଲାଇବା ବେଳୁ ବର୍ଷା ମୁଷଳଧାରାରେ କଚାଡ଼ୁ ଥାଏ । ସୁଲ୍‌ତାନାର ଚରମାନଙ୍କ ନଜର ଏଡ଼ାଇବା ପାଇଁ ବାଟରେ ପଡ଼ୁଥିବା ଗାଁଗୁଡ଼ିକରୁ ଦୂରେଇ ହୋଇ ଯିବାକୁ ବହୁ ବିଚାର ପରେ ନିର୍ଦ୍ଦିଷ୍ଟ ଗୋଟିଏ ଯାତ୍ରାକ୍ରମ ପ୍ରସ୍ତୁତ ହୋଇଥାଏ । ସେହି ଅନୁଯାୟୀ ପ୍ରଥମେ ଉତ୍ତରକୁ ଏକ ମାଇଲ ଓ ତା’ପରେ ପୂର୍ବକୁ ଦୁଇ ମାଇଲ ଯିବା ପରେ ପୁଣି ଉତ୍ତରକୁ ଓ ପଶ୍ଚିମକୁ ଏକ ମାଇଲ କରି ଯାଇ ବାକିତକ ରାସ୍ତା ଉତ୍ତରକୁ ଯିବାକୁ ଥାଏ । ଭାରତୀୟ ଗାଁ ଗଣ୍ଡାର ବୁଲା କୁକୁରଙ୍କ ପରି ଜଗୁଆଳ କୁକୁର ପୃଥିବୀରେ ଅନ୍ୟତ୍ର ଦେଖାଯାଆନ୍ତି ନାହିଁ । ଆମ ଗତିପଥ ଏପରି କୌଶଳ ସହ ନିର୍ଦ୍ଧାରଣ କରାଯାଇଥିଲା ଯେ ଗାଁ ଲୋକେ ତ ଦୂର କଥା–ବୁଲାକୁକୁରଟିଏ ସୁଦ୍ଧା ଆମ ଚଳାଚଳର ଟେର୍ ପାଇଲା ନାହିଁ ।

 

ଅବିରାମ ବର୍ଷା ଚାଲିଥାଏ । ଆଗରେ ଅଢ଼େଇ ଶହ ସିପାହୀ ଧାଡ଼ିବାନ୍ଧି ଚାଲିବା ଫଳରେ ବାଟ ପୂରା କାଦୁଅ ହୋଇଯାଏ । ପ୍ରତି ଦୁଇତିନି ପାହୁଣ୍ଡରେ କାଦୁଅରେ ମୁଁ ଆଣ୍ଠୁ ଯାଏ ଗଳିପଡ଼େ । ଦୁଇପଟେ ମାଇଲ ମାଇଲ ଧରି ହାତିଆଘାସର ବଣ । ଏ ଘାସର ଧାର କ୍ଷୁରପରି ଦାଢ଼ୁଆ ହୋଇଥିବାରୁ ଆଖି ଆଗରେ ହାତ ଦେଇ ଚାଲିବାକୁ ହେଉଥାଏ । ଏହାଦ୍ୱାରା ଭାରସାମ୍ୟ ରକ୍ଷା କରି ଖସଡ଼ା ରାସ୍ତାରେ ଚାଲିବା ଆହୁରି ଦୁଷ୍କର ହୋଇଉଠେ । ଏଥି ପୂର୍ବରୁ ନାନା କାରଣରୁ ଫ୍ରେଡିଙ୍କୁ ମୁଁ ଖୁବ୍ ପସନ୍ଦ କରୁଥିଲି । ସେଇ ରାତିରେ ତାଙ୍କ ପ୍ରତି ମୋର ଶ୍ରଦ୍ଧା ଓ ସମ୍ମାନ ଅନେକ ବଢ଼ିଗଲା । ଦଳର ନେତୃତ୍ୱ ନେଇ ଧାଡ଼ି ଆଗରେ ସେ ଅବିଶ୍ରାନ୍ତ ଗତିରେ ଆଗେଇ ଚାଲିଥାନ୍ତି । ଅବଶ୍ୟ ଆଗରେ ଚାଲୁଥିବାରୁ ମୋ ପରି ତାଙ୍କୁ କାଦୁଅରେ ପଡ଼ିବାକୁ ହେଉ ନ ଥାଏ । ତେବେ ତାଙ୍କ ଓଜନ ମୋ ଠାରୁ ଶହେ ଅଠେଇଶ ପାଉଣ୍ଡ ବେଶି । ବିଶାଳ ବପୁ ବୋହି ସେ ଯେପରି ତେଜରେ ଆଗଉଥାନ୍ତି, ତାହାକୁ ମୁଁ ପ୍ରଶଂସା ନ କରି ରହିପାରିଲି ନାହିଁ ।

 

ରାତି ନଅଟାରେ ଆମ ଯାତ୍ରା ଆରମ୍ଭ ହୋଇଥଲା । ରାତି ଦୁଇଟା ବେଳେ ମୋର ହଠାତ୍ ମନେ ହେଲା ଯେ ନିର୍ଦ୍ଦେଶ ଅନୁସାରେ ଉତ୍ତରକୁ ନ ଯାଇ ଆମେ ପୂର୍ବକୁ ଚାଲିଛୁ । ରାସ୍ତା ଠିକ୍ ଅଛି କି ନାହିଁ ବୋଲି ଫ୍ରେଡିଙ୍କୁ ପଚାରି ପଠାଇଲି । ସମ୍ପୂର୍ଣ୍ଣ ମୌନତା ରକ୍ଷା କରିବାକୁ କଡ଼ା ନିର୍ଦ୍ଦେଶ ଥାଏ । ପ୍ରଶ୍ନଟି ସିପାହୀଙ୍କ ଦ୍ୱାରା ଚାପାଗଳାରେ ଧାଡ଼ି ଆଗକୁ ପ୍ରେରିତ ହୋଇ ଅନେକ ସମୟ ପରେ ଉତ୍ତର ଆସିଲା । ଶୁଣିଲି ଯେ “କାପ୍ତାନ୍ ସାହେବ” (ଫ୍ରେଡି) ସବୁ ଠିକ୍ ଅଛି ବୋଲି କହୁଛନ୍ତି । ପୁଣି ଆଗେଇ ଚାଲିଲୁ । ବଡ଼ ବଡ଼ ଗଛର ଜଙ୍ଗଲ, ଝାଟିବୁଦା ଓ ମଝିରେ ମଝିରେ ଘାସବଣରେ ପଶି ଯିବାକୁ ହେଉଥାଏ । ଦୁଇଘଣ୍ଟା ଚାଲିବା ପରେ ମୁଁ ପରାମର୍ଶ କରିବାକୁ ଆଗକୁ ଯିବି ବୋଲି ଫ୍ରେଡିଙ୍କୁ ଖବର ଦେଇ ଧାଡ଼ି ଅଟକାଇବାକୁ ଅନୁରୋଧ କଲି । ଧାଡ଼ି ଅଟକିବା ପରେ ମୁଁ ଆଗକୁ ଚାଲିଲି । ବାଟସାରା ସିପାହୀମାନେ କ୍ଲାନ୍ତ ହୋଇ ନୀରବରେ ଓଦା ମାଟିରେ ବସିଥାଆନ୍ତି ବା ଗଛକୁ ଆଉଜି ଛିଡ଼ା ହୋଇଥାଆନ୍ତି ।

 

ଆମକୁ ବାଟ କଢ଼ାଇ ନେବା ପାଇଁ ଲୋକ ଚାରିଜଣ ସଜିଲ ହୋଇଥିଲେ । ଫ୍ରେଡି ଓ ଆଣ୍ଡର୍‌ସନ୍‌ଙ୍କ ସହିତ ସେମାନେ ଧାଡ଼ି ଆଗରେ ଥାଆନ୍ତି । ଫ୍ରେଡି ଭାବିଥିଲେ ଯେ ସିପାହୀ କେହି ଦଳଭ୍ରଷ୍ଟ ହେବାରୁ ମୁଁ ଧାଡ଼ି ଅଟକାଇବାକୁ କହିଛି । ଆମେ ସମସ୍ତେ ଯେ ବାଟବଣା ହୋଇ ଗୋଟିଏ ରାସ୍ତାରେ ଥରକୁ ଥର ଭୁଆଁ ବୁଲୁଛୁ–ଏ କଥା ସେ ପର୍ଯ୍ୟନ୍ତ କାହାକୁ ଜଣା ନ ଥାଏ । ଜୀବନର ଅଧିକାଂଶ ଜଙ୍ଗଲରେ କଟାଇ ମୋର ଦିଗ ନିର୍ଣ୍ଣୟ କରିବାର ଶକ୍ତି ଦିନରେ ଓ ରାତିରେ ସମାନ ଭାବେ କାମ କରେ । ମୋର ସ୍ଥିର ଧାରଣା ହୋଇଥାଏ ଯେ ଗତ ଦୁଇ ଘଣ୍ଟା ଧରି ଆମେ ଉତ୍ତରକୁ ନ ଯାଇ ପୂର୍ବକୁ ଯାଉଥିଲୁଁ । ଘଣ୍ଟାଏ ଆଗରୁ ଗୋଟିଏ ଶିମିଳୀ ଗଛ ଡାଳରେ ଶାଗୁଣା ବସାଟିଏ ମୁଁ ଦେଖିଥିଲି । ଘଣ୍ଟାଏ ପରେ ଆମେ ପୁଣି ସେଇ ଗଛ ତଳେ ଆସି ପହଞ୍ଚିଛୁ ଦେଖି ଫ୍ରେଡିଙ୍କୁ ଅଟକିବା ପାଇଁ ମୁଁ ଅନୁରୋଧ କରିଥିଲି ।

 

ବାଟ କଢ଼ାଣିଆ ଚାରିଜଣଙ୍କ ଭିତରୁ ଦୁଇଜଣ ଭାଣ୍ଟୁ ସମ୍ପ୍ରଦାୟର ଲୋକ । ଗତ ଦୁଇ ବର୍ଷ ଭିତରେ ଏ ଦୁହେଁ କେତେଥର ସୁଲ୍‌ତାନା ଦଳରେ ଯୋଗ ଦେଇଥିଲେ । କିଛିଦିନ ତଳେ ହରଦ୍ୱାର ବଜାର ଠାରେ ଏ ଦୁହିଁଙ୍କୁ ଗିରଫ କରାଯାଇଥିଲା । ଏମାନଙ୍କଠାରୁ ଆଦାୟ ହୋଇଥିବା ତଥ୍ୟ ଉପରେ ଭିତ୍ତିକରି ଏହି ଅଭିଯାନର ସବୁ ବ୍ୟବସ୍ଥା କରାଯାଇଥାଏ । ସୁଲ୍‌ତାନାର ଛାଉଣୀ ପାଖରେ ଆମକୁ ପହଞ୍ଚାଇ ଦେଲେ ତାଙ୍କୁ ଖଲାସ କରିଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥାଏ । ଅନ୍ୟ ଦୁଇଜଣ ଏଇ ଜଙ୍ଗଲ ଅଞ୍ଚଳର ଗାଈଆଳ । ଅଭିଯୋଗ ଥାଏ ଯେ ସୁଲ୍‌ତାନାର ଛାଉଣୀକୁ ଏମାନେ ଦୁଧ ଯୋଗାଉଥିଲେ । ସାରା ଜୀବନ ଏ ଜଙ୍ଗଲରେ ଗୋରୁ ଚରାଇ ଏହାର ଅନ୍ଧିସନ୍ଧି ସହିତ ଏମାନେ ଭଲଭାବେ ପରିଚିତ । ଆମେ ବାଟ ହରାଇଛୁ ବୋଲି ଚାରି ହେଁ ପ୍ରଥମେ ମାନିବାକୁ ନାରାଜ ହେଲେ । କିଛି ସମୟ ଖୋଳି ତାଡ଼ି ପଚାରିବା ପରେ ଇତସ୍ତତ ହୋଇ ସେମାନେ କହିଲେ ଯେ ତିରିଶ ମାଇଲ ଦୂରରେ ଥିବା ପାହାଡ଼ଗୁଡ଼ିକୁ ଦେଖିପାରିଲେ ସେମାନେ ଠିକ୍‍ ରାସ୍ତା ଜାଣି ପାରନ୍ତେ । ଅନ୍ଧାର ରାତି । ପାହାନ୍ତିଆ କୁହୁଡ଼ି ପଡ଼ି ଆସୁଥାଏ । ଏତେବେଳେ ପାହାଡ଼ ଅବା ଦେଖାଯିବ କିପରି ? ଭୟ ହେଲା ଯେ ଫ୍ରେଡିଙ୍କର ସୁଚିନ୍ତିତ ପରିକଳ୍ପନାଟି ଅଳ୍ପକେ ବ୍ୟର୍ଥ ହୋଇଯିବ । ତା’ଦ୍ଵାରା ଅନ୍ୟ ଯାହା କ୍ଷତି ହେଉ, ଆମକୁ ପରିହାସ କରିବା ପାଇଁ ସୁଲ୍‌ତାନାକୁ ସୁବର୍ଣ୍ଣ ସୁଯୋଗ ନିଶ୍ଚୟ ମିଳିଯିବ !

 

ଅନ୍ଧାରରେ ସୁଲ୍‍ତାନାର ଛାଉଣୀ ଉପରେ ଅତର୍କିତ ଆକ୍ରମଣ ଚଳାଇବା ଆମର ଉଦ୍ଦେଶ୍ୟ ଥିଲା । ରାତି ଭିତରେ ତା’ ଛାଉଣୀ ପାଖରେ ପହଞ୍ଚିବା ନିହାତି ଦରକାର । ଛାଉଣୀର ଦକ୍ଷିଣ ପାଖରେ ବଡ଼ ଖୋଲା ପଡ଼ିଆଟିଏ । ପଡ଼ିଆ ଧାରରେ ଗୋଟିଏ ବଡ଼ ଗଛ ଉପରେ ମଞ୍ଚାବାନ୍ଧି ପ୍ରହରୀମାନେ ସଦାସର୍ବଦା ଜଗିଥାଆନ୍ତି । ଦିନବେଳେ ସେ ବାଟେ ଯିବା ଆଦୌ ସମ୍ଭବ ନୁହେଁ ବୋଲି ଆମେ ଶୁଣିଥାଉ ।

 

ଏଣେ ରାତି ପାହିବାକୁ ଆଉ ଘଣ୍ଟାଏ ବାକି । ଆମେ ବାଟବଣା ହୋଇଛୁ ବୋଲି କଢ଼ାଣିଆମାନେ ଏବେ ମୁକ୍ତକଣ୍ଠରେ ସ୍ଵୀକାର କଲେଣି । ସୁଲ୍‌ତାନାର ଶିବିର କେଉଁ ଦିଗରେ ବା କେତେ ଦୂରରେ ପଡ଼ିବ–ସେ ବିଷୟରେ କାହାର କିଛି ଧାରଣା ନାହିଁ । ଅନିଶ୍ଚିତ ଅପେକ୍ଷା ଦ୍ଵାରା ଆକ୍ରମଣର ସୁଯୋଗ ପ୍ରତି ମୁହୂର୍ତ୍ତରେ ଆହୁରି ଦୂରେଇ ଯାଉଛି । ଏ ଅଚଳ ଅବସ୍ଥାର ସମାଧାନ ପାଇଁ ଉପାୟ ଖୋଜିଲି । ସୁଲ୍‌ତାନାର ଶିବିର ଆଖପାଖରେ କୌଣସି ବିଶେଷ ଚିହ୍ନ ଥିବା କଥା କଢ଼ାଣିଆଙ୍କୁ ପଚାରି ବୁଝିଲି ଯେ ଶିବିରରୁ ମାଇଲିଏ ଦକ୍ଷିଣକୁ ଗହିରିଆ ଶଗଡ଼ ଦାଣ୍ଡିଟିଏ ଅଛି । ଫ୍ରେଡିଙ୍କ ଅନୁମତି ନେଇ ଏହିଠାରୁ ମୁଁ ବାଟ କଢ଼ାଇ ଆଗରେ ଚାଲିଲି । ମୋ ସହିତ ପାଦ ମିଳାଇ ଅନ୍ୟମାନେ ଅତି ବେଗରେ ଆଗେଇବାକୁ ଲାଗିଲେ । ସମସ୍ତଙ୍କର କିନ୍ତୁ ପୂରା ସନ୍ଦେହ ଥାଏ ସେ ସେବାଟେ ଗଲେ ଆମେ ସାତଘଣ୍ଟା ତଳେ ଛାଡ଼ି ଆସିଥିବା ରେଳପଥ ପାଖରେ ପୁଣି ଥରେ ପହଞ୍ଚିଯିବୁ ।

 

ରାତି ପାହି ଆସିଲା । ବର୍ଷା ବନ୍ଦ ହୋଇଥାଏ । ପାହାନ୍ତିଆ ସୁଲୁସୁଲିଆ ପବନରେ ବଉଦ ଉଡ଼ିଯାଇ ଆକାଶ ସଫା ହେଲାଣି । ଚରିଆଡ଼ ଫର୍ଚ୍ଚା ହୋଇ ଆସିବା ବେଳକୁ ଗୋଟିଏ ଗହିରିଆ ଶଗଡ଼ଗୁଳାରେ ମୁଁ ଝୁଣ୍ଟି ପଡ଼ିଲି । ଶଗଡ଼ଦାଣ୍ଡି ମିଳିଯିବାରେ କଢ଼ାଣିଆମାନଙ୍କ ଆନନ୍ଦ ଦେଖି ଏଥି ପୂର୍ବରୁ ସେମାନେ ବିଶ୍ୱାସଘାତକତା କରୁ ନ ଥିଲେ ବୋଲି ପ୍ରତ୍ୟୟ ହେଲା । ଏହିଠାରୁ ବାଟ କଢ଼ାଇବାର ଭାର କଢ଼ାଣିଆମାନେ ନିଜ ଉପରକୁ ନେଲେ । ମାଇଲିଏ ପରେ ଜନ୍ତୁଙ୍କୁ ଚଲାବାଟଟିଏ ଶଗଡ଼ଦାଣ୍ଡିକୁ ଛେଦ କରିଥାଏ । ଚଲାବାଟରେ ଅଧମାଇଲି ଯାଇ ତିରିଶ ଫୁଟ ଓସାର ଗୋଟିଏ ଅଳ୍ପ ଗହୀର ନାଳ କୁଳରେ ପହଞ୍ଚିଲୁ । ବାଟଟି ନାଳର ଡାହାଣ ବନ୍ଧରେ ଯାଇଛି ଓ ପାଣିରେ ପଶିବାକୁ ହେବ ନାହିଁ ଦେଖି ମୁଁ ଆଶ୍ଵସ୍ତ ହେଲି । ନାଳରେ ସୁଅ ଅତି ମନ୍ଥର ହୋଇଥିଲେ ମଧ୍ୟ ତରାଇର ଏଇ ପାହାଡ଼ିଆ ନାଳମାନଙ୍କରେ ପ୍ରକାଣ୍ଡ ଅଜଗର ସାପ ରହୁଥିବା କେତେଥର ଦେଖି ଏଗୁଡ଼ିକରେ ମୁଁ ପଶିବାକୁ ଭୟ କରେ । ବାଟ ଦୁଇ ପାଖରେ କାନ୍ଧ ଉଚ୍ଚ ଘାସର ବଣ । ବଣରେ ପଶି କେତେ ଶହ ଗଜ ଯିବାପରେ କଢ଼ାଣିଆମାନେ ବାରମ୍ବାର ବାଁ ଆଡ଼କୁ ଚାହିଁ ଅତି ସନ୍ତର୍ପଣରେ ଆଗେଇବାକୁ ଲାଗିଲେ । ସେମାନେ ମଞ୍ଚା ପାଖରେ ପହଞ୍ଚିଗଲେଣି ବୋଲି ତାଙ୍କ ଗତିବିଧିରୁ ଜଣା ପଡ଼ୁଥାଏ । ସେତେବେଳକୁ ପୂରା ଦିନ ହୋଇଗଲାଣି । ସକାଳୁଆ ଖରା ଗଛର ଅଗ ଛୁଉଁଥାଏ । ହଠାତ୍ ସମସ୍ତଙ୍କ ଆଗରେ ଥିବା କଢ଼ାଣିଆ ଜଣକ ନଇଁପଡ଼ି ଘାସ ଭିତରେ ଛପିଗଲା । ଅନ୍ୟ ତିନି ଜଣ ମଧ୍ୟ ସଙ୍ଗେ ସଙ୍ଗେ ଘାସରେ ଲୁଚିଗଲେ । ତା’ପରେ ଆଗ ଲୋକଟି ହାତଠାରି ଆମକୁ ପାଖକୁ ଡାକିଲା ।

 

ସିପାହୀମାନଙ୍କୁ ବସିଯିବାକୁ ସଙ୍କେତ ଦେଇ ଫ୍ରେଡି, ଆଣ୍ଡରସନ୍ ଓ ମୁଁ ହାମୁଡ଼ି ହାମୁଡ଼ି ସବା ଆଗରେ ଥିବା କଢ଼ାଣିଆ ପାଖରେ ପହଞ୍ଚିଲୁ । ଲୋକଟି ତଳେ ଶୋଇଥାଏ । ଆମେ ତିନିହେଁ ଯାଇ ତା’ ପାଖରେ ଶୋଇଗଲୁ । ହାତଠାରି ସେ ଆମକୁ ମଞ୍ଚାଟି ଦେଖାଇଦେଲା । ତଳୁ ପ୍ରାୟ ତିରିଶ ଫୁଟ ଉଚ୍ଚରେ ଗୋଟିଏ ବଡ଼ ଗଛ ଉପରେ ମଞ୍ଚାବନ୍ଧା ହୋଇଥାଏ । ସକାଳୁଆ ନରମ ଖରାରେ ମଞ୍ଚାରେ ଥିବା ପ୍ରହରୀ ଦୁଇ ଜଣ ସ୍ପଷ୍ଟ ଦେଖାଯାଉଥାଆନ୍ତି । ଜଣେ ଆମକୁ କଡ଼ କରି ବସି ହୁକ୍‌କା ଖାଉଥାଏ । ଆର ଜଣକ ଆଣ୍ଠୁଭାଙ୍ଗି ଚିତ୍ ହୋଇ ଶୋଇଥାଏ । ଗଛଟି ଠିକ୍ ଜଙ୍ଗଲ ଧାରରେ । ଗଛ ମୂଳରୁ ପଡ଼ିଆ ଆରମ୍ଭ । ଜଙ୍ଗଲ ଧାରରେ ପହଞ୍ଚିବା ପାଇଁ ପଡିଆ ପାରି ହେବାକୁ ହେବ । ସେଠାରୁ ଜଙ୍ଗଲ ଭିତରକୁ ଆହୁରି ତିନି ଶହ ଗଜ ପଶିବା ପରେ ସୁଲ୍‌ତାନାର ଛାଉଣୀ ପଡ଼ିବ ବୋଲି କଢ଼ାଣିଆମାନେ କହିଲେ ।

 

ପ୍ରହରୀଙ୍କ ଦୃଷ୍ଟି ଏଡ଼ାଇ ଏତେଜଣ ସିପାହୀଙ୍କୁ ପଡ଼ିଆ ପାରି କରାଇବା ଅସମ୍ଭବ । ପଛକୁ ଫେରି ନାଳ ପାରି ହୋଇ ଆର ବନ୍ଧରେ କିଛି ବାଟ ଯିବା ପରେ ଉଜାଣି ପାରି ହୋଇ ଛାଉଣୀ ପାଖରେ ପହଞ୍ଚି ପାରିଥାଆନ୍ତୁ । କିନ୍ତୁ କଢ଼ାଣିଆମାନେ କହିଲେ ଯେ ଛାଉଣୀ ପାଖରେ ନାଳ ଅତି ଗହୀର ଓ ତା’ କୂଳରେ ଚୋରା ବାଲି ପଡ଼େ । ସେଠାରେ ପାରିହେବା ଆଦୌ ସମ୍ଭବ ହେବ ନାହିଁ । ଅନ୍ୟ ଉପାୟ ଖୋଜିବାକୁ ବାଧ୍ୟ ହେଲୁଁ । ଆମଠାରୁ କେଇ ଫୁଟ ଦୂରରେ ପଟାଳିଏ ବୁଦାଳିଆ ଘାସ କୋଡ଼ିଏ ଫୁଟ ଚଉଡ଼ାରେ ପଡ଼ିଆର ଅନେକ ଭିତରକୁ ମାଡ଼ି ଯାଇଥାଏ । ପ୍ରହରୀଙ୍କ ନଜର ଏଡ଼ାଇ ଏଡ଼େ ବଡ଼ ଫୌଜକୁ ଘାସ ଭିତରେ ଜଙ୍ଗଲ ପାଖ ଯାଏ ନେବା ପ୍ରାୟ ଅସମ୍ଭବ କହିଲେ ଚଳେ । କିନ୍ତୁ ତାହା ହିଁ କରିବା ଛଡ଼ା ଅନ୍ୟ ଉପାୟ ଦେଖିଲୁ ନାହିଁ ।

 

ଫ୍ରେଡିଙ୍କ ପାଖରେ କେବଳ ତାଙ୍କ ପିସ୍ତଲଟି ଥାଏ । ଆଣ୍ଡର୍‌ସନ୍‌ ଅସ୍ତ୍ରଶସ୍ତ୍ର କିଛି ଆଣି ନଥାନ୍ତି । ସିପାହୀମାନଙ୍କ ସାଧାରଣ ବନ୍ଧୁକରେ ମାତ୍ର ଷାଠିଏରୁ ଅଶୀ ଗଜ ପର୍ଯ୍ୟନ୍ତ ଛର୍‌ରା ମରାଯାଇପାରେ । ଏତେ ଦୂରରୁ ପ୍ରହରୀଙ୍କ ସହିତ ମୁକାବିଲା କରିବା ଭଳି ରାଇଫଲ୍ କେବଳ ମୋ ହାତରେ ଥିଲା । ରାଇଫଲ୍ ଆବାଜ ସୁଲ୍‌ତାନା ଛାଉଣୀକୁ ଶୁଭିଲେ କିଛି ଅସୁବିଧା ହେବ ନାହିଁ ବୋଲି ମତ ଦେଇ ଭାଣ୍ଟୁ ଦୁଇଜଣ କହିଲେ ଯେ, ବନ୍ଧୁକ ଫୁଟିବା ପରେ ପ୍ରହରୀ ଦୁହେଁ ଛାଉଣୀକୁ ନ ଫେରିଲେ କାରଣ ବୁଝିବା ପାଇଁ ସୁଲ୍‌ତାନା ଲୋକ ପଠାଇବ । ତା’ ଲୋକେ ମଞ୍ଚା ପାଖରେ ପହଞ୍ଚିବା ପୂର୍ବରୁ ସୁଲ୍‌ତାନାକୁ ଆମେ ଘେରାଉ କରି ସାରିଥିବୁ ।

 

ହାତରେ ରାଇଫଲ୍ ଧରି ଅନେକ କଥା ଭାବିଗଲି । ମଞ୍ଚାରେ ବସିଥିବା ଦୁବୃର୍ତ୍ତ ଦୁହେଁ ହତ୍ୟାକାରୀ, ଆଇନ ଆଖିରେ ଅପରାଧୀ ଓ ସମାଜର ଆଶ୍ରୟରୁ ବଞ୍ଚିତ । ହାତରେ ମୋର ଗୁଳିଭରା ରାଇଫଲ୍ । ଲକ୍ଷ୍ୟଭ୍ରଷ୍ଟ ହେବା ତ ଦୁର କଥା–ମୁଁ ଚାହିଁଥିଲେ କାହାକୁ ଆହତ ନ କରି ଜଣକ ହାତରୁ ହୁକ୍‌କା ଓ ଆର ଜଣକ ପାଦରୁ ଜୋତା ଖସାଇ ଦେଇ ପାରିଥାଆନ୍ତି । କୌଣସି ପରିସ୍ଥିତିରେ କିନ୍ତୁ ମଣିଷ ଉପରକୁ ଗୁଳି ଚଳାଇବା ମୋ ପକ୍ଷେ କଦାପି ସମ୍ଭବ ହୋଇ ନ ଥାନ୍ତା । ଏଣେ ଆଉ ଡେରି କଲେ ଚଳିବ ନାହିଁ । ପହରା ବଦଳ ହେବା ସମୟ ହେଲାଣି ବୋଲି ଭାଣ୍ଟୁ ଦୁହେଁ ଆମକୁ ଚେତାଇ ଦେଉଥାଆନ୍ତି । ଫ୍ରେଡିଙ୍କୁ ବିକଳ୍ପ ପ୍ରସ୍ତାବଟିଏ ଦେଇ କହିଲି ଯେ ଅନୁମତି ମିଳିଲେ ମୁଁ ଏକାକୀ ଘାସରେ ଲୁଚି ଛପି ମଞ୍ଚା ପାଖକୁ ଚାଲିଯିବି । ଘାସପତ୍ର ସବୁ ବର୍ଷାରେ ତିନ୍ତିଥିବାରୁ ନିଃଶବ୍ଦରେ ସେଯାଏ ଯାଇ ହେବ । ତା’ପରେ ମଞ୍ଚା ଉପରକୁ ଉଠି ପ୍ରହରୀ ଦୁହିଁଙ୍କୁ ମୁଁ ସେଠାରେ ଅଟକାଇ ରଖିବି । ସେହି ଅବସରରେ ଫ୍ରେଡି ସିପାହୀଙ୍କୁ ନେଇ ଲକ୍ଷ୍ୟସ୍ଥଳରେ ଆଗେଇ ଯିବେ । ମଞ୍ଚାରେ ପ୍ରହରୀଙ୍କ ହାତ ପାଖରେ ତାଙ୍କ ବନ୍ଧୁକ ରହିଛି ଦେଖି ଫ୍ରେଡି ଅନୁମତି ଦେବାକୁ ପ୍ରଥମେ ନାମଙ୍ଗ ହେଲେ । ଶେଷରେ ଘୋର ଅନିଚ୍ଛାସତ୍ତ୍ୱେ ମୋ ପ୍ରସ୍ତାବରେ ସେ ରାଜି ହେବା ମାତ୍ରେ ବିନା ବାକ୍ୟବ୍ୟୟରେ ରାଇଫଲ୍ ଧରି ଉଦ୍ଦିଷ୍ଟ ପଥରେ ଆଗେଇଲି ।

 

ତିନିଭାଗରୁ ଭାଗେ ବାଟ ଯାଇଛି–ପଛରୁ ଶବ୍ଦଟିଏ ଶୁଣି ଅନାଇ ଦେଖିଲି ଯେ ଆଣ୍ଡରସନ୍‍ ତରତର ହୋଇ ମୋ ପଛରେ ଆସୁଛନ୍ତି । ପାଖରେ ପହଞ୍ଚି ସେ ମୋ ସାଙ୍ଗରେ ଯିବାକୁ ସ୍ଥିର କରି ଆସିଛନ୍ତି ବୋଲି କହିଲେ । ଫ୍ରେଡି ଓ ଆଣ୍ଡରସନ୍‍ ଦୁହେଁ ମୋର ବନ୍ଧୁ । ମସୁଧା କରି ଦୁହେଁ କ’ଣ ଠିକ୍ କଲେ କେଜାଣି, ଆଣ୍ଡରସନ୍‍ ଆସି ମୋ ସଙ୍ଗେ ଯିବାକୁ ଜିଦ୍ ଧରି ବସିଲେ-। ତାଙ୍କୁ ବୁଝାସୁଝା କରି ଫେରାଇ ଦେବାକୁ ଅନେକ ଚେଷ୍ଟା କଲି । ଜଙ୍ଗଲରେ ନିଃଶବ୍ଦରେ ଚାଲିଯିବାର ଅଭ୍ୟାସ ତାଙ୍କର ନାହିଁ । ପୁଣି ଦୁଇଜଣ ଏକାଠି ଗଲେ ଧରା ପଡ଼ିବାର ଦୁଇଗୁଣ ସମ୍ଭାବନା । ମଞ୍ଚା ତଳେ ଆଉ ପ୍ରହରୀ ଥାଇ ପାରନ୍ତି । ଆଣ୍ଡରସନ୍‍ଙ୍କର ଅସ୍ତ୍ରଶସ୍ତ୍ର କିଛି ନ ଥିବାରୁ ତାଙ୍କୁ ରକ୍ଷା କରିବାର ଦାୟିତ୍ଵ ଶେଷରେ ମୋ ଉପରେ ପଡ଼ିବ । ମୋର ଯୁକ୍ତି ସବୁ ଆଣ୍ଡରସନ୍‍ ସହଜରେ ମାନି ନେଲେ; କିନ୍ତୁ ମୋତେ ଏକାକୀ ଯିବାକୁ କଦାପି ଦେବେ ନାହିଁ ବୋଲି ଅଡ଼ି ବସିଲେ । ସବୁ ସ୍କଟଲାଣ୍ଡବାସୀଙ୍କ ପରି ସେ ବଡ଼ ଏକଜିଦିଆ ଲୋକ । ଯୁକ୍ତିସବୁ ଯଥାର୍ଥ ବୋଲି ମାନି ନେବା ପରେ ମଧ୍ୟ ମୋ ସଙ୍ଗରେ ଯିବାକୁ ଜିଦ୍ କରିବାରୁ ମୁଁ ହତାଶ ହେଲି । ବାଧ୍ୟ ହୋଇ ତାଙ୍କୁ ନେଇ ସାହାଯ୍ୟ ଆଶାରେ ଫ୍ରେଡିଙ୍କ ପାଖକୁ ଫେରିଲି । ଇତିମଧ୍ୟରେ ଭାଣ୍ଟୁ ଦୁହେଁ ଫ୍ରେଡିଙ୍କୁ କହିଥାଆନ୍ତି ଯେ ମଞ୍ଜାରେ ଥିବା ପ୍ରହରୀ ଦୁଇ ଜଣ ବନ୍ଧୁକ ନିଶାଣରେ ଅତି ଧୁରନ୍ଧର । ମୋତେ ଯିବାକୁ ଅନୁମତି ଦେଇ ଫ୍ରେଡି ପଛରେ ପସ୍ତାଇ ହେଉଥିଲେ । ଆମେ ଫେରୁଛୁ ଦେଖି କାଳ ବିଳମ୍ବ ନ କରି ସିପାହୀଙ୍କୁ ଅଗ୍ରସର ହେବା ପାଇଁ ସେ ସଙ୍କେତ ଦେଲେ ।

 

ଆଗୁଆ ଦଳ ସହିତ ପଡ଼ିଆ ଅତିକ୍ରମ କରି ଆମେ ସୁଲ୍‌ତାନା ଛାଉଣୀର ପ୍ରାୟ ଦୁଇଶହ ଗଜ ପାଖକୁ ଚାଲି ଆସିଲୁ । ଆମ ପଛେ ପଛେ ପଚାଶରୁ ବେଶି ସିପାହୀ ବିନା ବାଧାରେ ପଡ଼ିଆ ଟପିଗଲେ । ଠିକ ଏତିକି ବେଳେ ଜଣେ ଅନଭିଜ୍ଞ, ଅଳ୍ପ ବୟସ୍କ ସିପାହୀ ହଠାତ୍ ମଞ୍ଚାଟି ଦେଖି ଦେଇ ଆଗ୍ରହରେ ଚୋଟେ ଗୁଳି ଫୁଟାଇ ଦେଲା । ପ୍ରହରୀ ଦୁହେଁ ଆଖିପିଛୁଡ଼ାକେ ମଞ୍ଚାରୁ ଓହ୍ଲାଇ ତଳେ ବନ୍ଧାଥିବା ଘୋଡ଼ା ଦୁଇଟିରେ ଚଢ଼ି ଶିବିର ଆଡ଼କୁ ଦ୍ରୁତବେଗରେ ଛୁଟିଲେ । ଲୁଚିଛପି ନୀରବରେ ଆଗେଇବା ଆଉ ଦରକାର ନ ଥିଲା । ଆକ୍ରମଣ କରିବା ପାଇଁ ଫ୍ରେଡି ଉଚ୍ଚସ୍ୱରରେ ହୁକୁମ୍ ଦେଲେ । ଶକ୍ତଭାବରେ ଧାଡ଼ି ବାନ୍ଧି ଆମେ ପ୍ରବଳ ବେଗରେ ଜଙ୍ଗଲ ଭିତରକୁ ମାଡ଼ିଯାଇ ଦେଖିଲୁ ଯେ ଛାଉଣୀଟି ଶୂନ୍ୟ ଓ ଜନହୀନ ହୋଇ ପଡ଼ିଛି ।

 

ଗୋଟିଏ କୁଦ ଉପରେ ତିନୋଟି ତମ୍ବୁ ପଡ଼ି ସୁଲ୍‌ତାନାର ଛାଉଣୀ ତିଆରି । ରୋଷାଇ ପାଇଁ ପାଖରେ ଘାସପତ୍ରର କୁଡ଼ିଆଟିଏ । ତମ୍ବୁରୁ ଗୋଟିଏ ଭଣ୍ଡାର ଘର । ସେଥିରେ ବସ୍ତା ବସ୍ତା ଅଟା, ଚାଉଳ, ଡାଲି, ଚିନି ଓ କେତେଟିଣ ଘିଅ ଛଡ଼ା ହଜାର ହଜାର ଗୁଳି ଭର୍ତ୍ତି ହୋଇ ବାକ୍‌ସ କେତୋଟି ସ୍ତୂପ ଆକାରରେ ସଜା ହୋଇଥାଏ । ପାଖରେ ଖୋଳରେ ପଶି ଏଗାରଟି ବନ୍ଧୁକ । ଅନ୍ୟ ଦୁଇଟି ତମ୍ଭୁରେ ଡକାୟତମାନେ ଶୁଆବସା କରୁଥିଲେ । ସେଥିରେ ଲୁଗାପଟା, ବିଛଣାପତ୍ର ସବୁ ଏଣେ ତେଣେ ବିଛାଡ଼ି ହୋଇ ପଡ଼ିଥାଏ । ରୋଷେଇଶାଳ ପାଖ ଗଛଡ଼ାଳରେ ଛାଲ ଛଡ଼ା ହୋଇ ତିନୋଟି ଛେଳି ଲଟକା ହୋଇଥାଆନ୍ତି ।

 

ପ୍ରହରୀଙ୍କଠାରୁ ଖବର ପାଇବା ମାତ୍ରେ ଡକାୟତମାନେ ଛାଉଣୀ ଛାଡ଼ି ପଳାଇଥାନ୍ତି ଓ ତନାଘନାରେ ପଳାଇବା ବେଳେ ଲୁଗା ପିନ୍ଧିବାକୁ ମଧ୍ୟ ସମୟ ପାଇ ନ ଥାନ୍ତି । ଏ ଅବସ୍ଥାରେ ସେମାନେ ବେଶି ଦୂର ନ ଯାଇ ଆଖପାଖ ଘାସବଣରେ ଲୁଚିଥିବା ସମ୍ଭବ । ବଣ ଆରପାଖରେ ହର୍‌ବର୍ଟ ଓ ତାଙ୍କ ଘୋଡ଼ସବାରମାନେ ଜଗିଥାଆନ୍ତି । ଲମ୍ଵ ଧାଡ଼ିଟିଏ ବାନ୍ଧି ଘାସବଣରୁ ଡକାୟତଙ୍କୁ ହର୍‌ବର୍ଟଙ୍କ ଆଡ଼କୁ ତଡ଼ି ନେବା ପାଇଁ ସିପାହୀଙ୍କୁ ହୁକୁମ ଦିଆଗଲା । ସିପାହୀମାନେ ଧାଡ଼ି ବାନ୍ଧିବା ଭିତରେ ମୁଁ କୁଦ ଚାରିପଟେ ବୁଲି ତଲାସ କରୁଥିଲି । ଦଶ ବାର ଜଣ ଲୋକ ଖାଲି ପାଦରେ ନିକଟରେ ଗୋଟିଏ ଶୁଖିଲା ନାଳରେ ପଶି ଯାଇଛନ୍ତି ଦେଖି ସେମାନଙ୍କୁ ଅନୁସରଣ କରିବା ପାଇଁ ଫ୍ରେଡିଙ୍କୁ ପ୍ରସ୍ତାବ ଦେଲି । ଫ୍ରେଡି, ଆଣ୍ଡ୍‌ରସନ୍‌ ଓ ମୁଁ ନାଳରେ ପଶି ପାଦଚିହ୍ନ ବାରି ଆଗେଇଲୁ । ପନ୍ଦର, ଫୁଟ ଓସାର ଓ ପାଞ୍ଚଫୁଟ ଗହୀର ଏହି ନାଳରେ ଦୁଇ ଶହ ଗଜ ଆଗେଇବା ପରେ କଙ୍କର ବିଛାହୋଇଥିବା ଗୋଟିଏ ଜାଗାରେ ପାଦଚିହ୍ନ ଆଉ ବାରି ହେଲା ନାହିଁ । ଆଗକୁ ନାଳ ଟିକିଏ ମେଲି ଯାଇଥାଏ ଓ ବାଁ ପାଖ ବନ୍ଧ ଉପରେ ଝଙ୍କାଳିଆ ବରଗଛଟିଏ ଥାଏ । ଏହାର ଅସଂଖ୍ୟ ଡାଳ ଓହଳ ଭିତରେ ଲୁଚିବା ଭଳି ଜାଗାର ଅଭାବ ନାହିଁ ଦେଖି ବନ୍ଧ ଉପରକୁ ଚେଷ୍ଟା କଲି । ସେଠାରେ ବନ୍ଧ ଟିକିଏ ବେଶି ଉଚ୍ଚ ଓ ମାଟି ଅପେକ୍ଷାକୃତ ନରମ । ଆଶ୍ରା କରି ଉଠିବା ପାଇଁ ହାତ ପାଆନ୍ତାରେ ବୁଦାଟିଏ ମଧ୍ୟ ନ ଥାଏ । ଟିକିଏ ଆଗକୁ ଯାଇ ଚଢ଼ିବାକୁ ଚେଷ୍ଟା କରିବି ଭାବୁଛି, ଏତିକିବେଳେ ଛାଉଣୀଆଡ଼ୁ କ୍ରମାଗତ ଭାବେ ଗୁଳିଚାଳନା ଓ ପାଟିଗୋଳ ଶୁଣି ତିନିହେଁ ଫେରି ପଡ଼ି ସେଇଆଡ଼େ ଧାଇଁଲୁ । ପହଞ୍ଚି ଦେଖୁ ଯେ ଜଣେ ହାବିଲ୍‌ଦାରଙ୍କ ଛାତିରେ ଗୁଳିମାଡ଼ ହୋଇଛି । ଡକାୟତ ଜଣେ ଦୁଇଗୋଡ଼ରେ ଗୁଳିଖାଇ ଅର୍ଦ୍ଧନଗ୍ନ ଅବସ୍ଥାରେ ତାଙ୍କ ପାଖରେ ପଡ଼ିଛି-

 

ହାବିଲ୍‌ଦାର୍ ଗୋଟିଏ ଗଛକୁ ଆଉଜି ବସିଥାଆନ୍ତି । ଖୋଲା କାମିଜର ଫାଙ୍କ ବାଟେ ତାଙ୍କ ଛାତିର ବାଁ ପାଖରେ ଛୋଟ ରକ୍ତବିନ୍ଦୁଟିଏ ଦେଖା ଯାଇଥାଏ । ଫ୍ରେଡି ତାଙ୍କ ବୋତଲଟି ହାବିଲ୍‌ଦାରଙ୍କ ଓଠ ପାଖକୁ ବଢ଼ାଇ ଦେଲେ । ବୋତଲ ଆଡ଼େଇ ଦେଇ ହାବିଲଦାର୍ ମୁଣ୍ଡ ହଲାଇ ତା’କୁ ଛୁଇଁବାକୁ ମନାକଲେ ଓ କହିଲେ, “ଏଇଟା ମଦ ବୋତଲ । ମଦ ମୁଁ ଛୁଇଁବି ନାହିଁ ।” ତାଙ୍କୁ ବୁଝାଇବାକୁ ଚେଷ୍ଟା ହେବାରୁ ସେ ଉତ୍ତର ଦେଲେ, “ଜୀବନସାରା ମଦ କେବେ ଛୁଇଁ ନାହିଁ । ଏବେ ମଲାବେଳକୁ ମୁହଁରେ ମଦ ନେଇ ଭଗବାନଙ୍କ ପାଖକୁ ଯିବି ନାହିଁ । ବଡ଼ ଶୋଷ କରୁଛି । ମୋତେ ଟୋପାଏ ପାଣି ଦିଅନ୍ତୁ ।” ହାବିଲ୍‌ଦାରଙ୍କ ଭାଇ ପାଖରେ ଥିଲା । ଜଣକ ଟୋପି ମାଗି ନେଇ ନାଳରୁ କିଛି ମଇଳା ପାଣି ଧରି ସେ ଧାଇଁ ଆସିଲା । ହାବିଲଦାର୍ ପାଣିତକ ଢକ ଢକ ପିଇଦେଲେ-। ତାଙ୍କ ଛାତି ପରୀକ୍ଷା କରି ଦେଖିଲି ଯେ ସେଥିରେ ଗୋଟିଏ ମାତ୍ର ଛର୍‌ରା ଫୁଟିଛି । ଛର୍‌ରାଟି ଚମତଳେ ହାତକୁ ଲାଗିଲା ନାହିଁ । ହାବିଲ୍‌ଦାରଙ୍କୁ ଦମ୍ଭ ଦେଇ କହିଲି, “ସାହସ ଧରନ୍ତୁ ହାବିଲଦାର୍ ସାହେବ ! ନଜିବାବାଦ ଡାକ୍ତର ଆପଣଙ୍କୁ ନିଶ୍ଚୟ ଭଲ କରି ଦେବେ ।” ମୋତେ ଅନାଇ ମୁହଁରେ ହସ ଫୁଟାଇ ହାବିଲଦାର୍ ଉତ୍ତର ଦେଲେ, “ମନରେ ମୋର ଖୁବ୍ ସାହସ ଅଛି, ସାହେବ । କିନ୍ତୁ କୌଣସି ଡାକ୍ତର ମୋତେ ଆଉ ଭଲ କରିପାରିବେ ନାହିଁ ।”

 

ମଦ ପିଇବା ବିରୁଦ୍ଧରେ ଡକାୟତର କିଛି ବାରଣ ନ ଥିଲା । ଅତି ପାଖରୁ ଛର୍‌ରା ମାଡ଼ ଖାଇ ତା’ ଗୋଡ଼ ଦୁଇଟିର ଅବସ୍ଥା ଅତି ଶୋଚନୀୟ ହୋଇଥାଏ । ବ୍ରାଣ୍ଡି ତା’ର ବିଶେଷ ଦରକାର ଥିଲା । ବିନା ଦ୍ଵିଧାରେ ନେଇ ଢୋକରେ ସେ ବୋତଲଟି ଖାଲି କରିଦେଲା ।

 

ସୁଲ୍‌ତାନା ଛାଉଣୀରୁ ସରଞ୍ଜାମ ଆଣି ଆହତ ଦୁଇଜଣଙ୍କ ପାଇଁ ଦୋଳା ଦୁଇଟି ବନ୍ଧାହେଲା । ହାବିଲଦାର୍ ଉଚ୍ଚଜାତିର ଲୋକ ଓ ପୋଲିସ କର୍ମଚାରୀ । ଡକାୟତଟି ଅପରାଧୀ ଓ ଜାତିରେ ଛୋଟ । ସିପାହୀମାନେ କିନ୍ତୁ ଇତର ବିଶେଷ ଜ୍ଞାନ ବା ଭେଦ ବିଚାର ନ କରି ସମାନ ଯତ୍ନରେ ଦୁହିଁଙ୍କୁ ଦୋଳାରେ ନେଇ ଜଙ୍ଗଲ ଭିତର ଦେଇ ବାର ମାଇଲ ଦୂର ନଜିବାବାଦ୍ ଡାକ୍ତରଖାନାକୁ ଚାଲିଲେ । ବାହକଙ୍କୁ ସାହାଯ୍ୟ କରିବା ପାଇଁ ଦୋଳା ପାଖେ ପାଖେ ଅଧିକା କେତେ ଜଣ ସିପାହୀ ଚାଲିଥାଆନ୍ତି । ଗୁରୁତର ଆଘାତ ଓ ରକ୍ତହାନି ଯୋଗୁଁ ଡକାୟତଟି ବାଟରେ ମରିଗଲା । ଡାକ୍ତରଖାନାରେ ଭର୍ତ୍ତି ହେବାର ଅଳ୍ପ କେତେ ମିନିଟ ମଧ୍ୟରେ ହାବିଲଦାର୍ ଶେଷ ନିଶ୍ଵାସ ତ୍ୟାଗ କଲେ ।

 

ଘାସ ଭିତରୁ ଡକାୟତଙ୍କୁ ବାହାର କରିବାର ପ୍ରଚେଷ୍ଟା ବନ୍ଦ କରାଗଲା । ଫୌଜ ନେଇ ଆମେ ଫେରି ଆସିଲୁ । ଏଇ ଅଭିଯାନରେ ହର୍‌ବର୍ଟ ଅଂଶଗ୍ରହଣ କରି ନ ଥିଲେ । ଜଙ୍ଗଲରେ ଠାଏଁ ଗୁଡ଼ିଏ ଘୋଡ଼ା ଏକାଠି ରହିଥିବା ଖବର ପାଇ ସୁଲ୍‌ତାନା ପୂର୍ବରୁ ଜାଗ୍ରତ ଥିଲା । ତା’ ଦଳର କେହି ସେଆଡ଼େ ଗଲେ ନାହିଁ । କାହାର ଦୋଷ ତ୍ରୁଟି ନ ଥାଇ ଏହି ସୁଚିନ୍ତିତ ଯୋଜନାଟି ଅନେକାଂଶରେ ବିଫଳ ହେଲା । ଲାଭ ଭିତରେ ସୁଲ୍‌ତାନାର ଛାଉଣୀ ଦଖଲ କରାଗଲା ଓ ସେ ସଙ୍ଗରେ ନେଇଥିବା କେତୋଟି ବନ୍ଧୁକ ଛଡ଼ା ତା’ର ଅଧିକାଂଶ ମାଲମତ୍ତା ବାଜ୍ୟାପ୍ତ ହେଲା । ସେତିକି ପାଇଁ ଯେଉଁ ଦୁଇ ଜଣ ପ୍ରାଣ ଦେଲେ ସେଥିରୁ ଜଣେ ଥିଲା ଡକାୟତ । ଅବରୁଦ୍ଧ ଜୀବନରୁ ମୁକ୍ତି ପାଇବା ଆଶାରେ ବନ୍ଧନ ଭାଙ୍ଗି ପଳାଇ ଆସି ଏହି ଗରିବ ଯୁବକଟି ଜୀବିକାନିର୍ବାହ ପାଇଁ ଅପରାଧ ଛଡ଼ା ଅନ୍ୟ ପନ୍ଥା ପାଇ ନ ଥିଲା । ତା’ର ମୃତ୍ୟୁରେ ନଜିବାବାଦ ଦୁର୍ଗରେ ଜଣେ ଅସହାୟ ବିଧବା କେବଳ ଏକାନ୍ତରେ ବସି ଲୁହ ଗଡ଼ାଇବ । ଗୋଟିଏ ନଷ୍ଟ ଜୀବନର ଏଇ ଚରମ ଉପସଂହାର ଅନ୍ୟ କାହାର ଦୃଷ୍ଟି ଆକର୍ଷଣ କରିବ ନାହିଁ । ହାବିଲଦାର୍ ସାହେବ ଥିଲେ ତାଙ୍କ ଉପରିସ୍ଥ କର୍ମଚାରୀ ସମ୍ମାନର ପାତ୍ର । ସିପାହୀମାନଙ୍କର ସେ ସ୍ନେହ ଓ ଶ୍ରଦ୍ଧାଭାଜନ ହୋଇପାରିଥିଲେ । ସେଦିନ “ମଦ” ପିଇଥିଲେ ଅସ୍ତ୍ରୋପଚାର ହେବା ପର୍ଯ୍ୟନ୍ତ ସେ ହୁଏ ତ ବଞ୍ଚି ପାରିଥାଆନ୍ତେ । କିନ୍ତୁ ବିଶ୍ୱାସରେ ଅଟଳ ରହି ଜୀବନ ବିନିମୟରେ ତାଙ୍କ ନୀତିକୁ ସେ ଅକ୍ଷୁର୍ଣ୍ଣ ରଖିପାରିଲେ । ତାଙ୍କ ବିଧବା ସ୍ତ୍ରୀ ଅସହାୟା ହେବେ ନାହିଁ । ତାଙ୍କ ଭରଣପୋଷଣ ପାଇଁ ଯତ୍ନର ସହିତ ବ୍ୟବସ୍ଥା କରାଯିବ ।

 

ଅଭିଯାନର ତିନି ଦିନ ପରେ ଫ୍ରେଡି ସୁଲ୍‌ତାନାଠାରୁ ଖଣ୍ଡେ ଚିଠି ପାଇଲେ । ପୋଲିସଙ୍କର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦର ବୋଧହୁଏ ଅଭାବ ଦରକାର ପଡ଼ିଲା ବୋଲି ସୁଲ୍‌ତାନା ବିଦ୍ରୂପ କରିଥାଏ । ଭବିଷ୍ୟତରେ ଏତେ କଷ୍ଟ ନ କରି ପୋଲିସଙ୍କର କେଉଁ ଅସ୍ତ୍ରରୁ କେତେ ଦରକାର ଜଣାଇ ଦେଲେ ସେ ତାହା ଖୁସିରେ ଯୋଗାଇ ଦେବ ବୋଲି ବ୍ୟଙ୍ଗ କରି ଲେଖିଥାଏ ।

 

ସୁଲ୍‌ତାନାର ଏ କଠୋର ପରିହାସ ସମ୍ପୂର୍ଣ୍ଣ ଅମୂଳକ ନ ଥିଲା । ଫ୍ରେଡିଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ସୁଲ୍‌ତାନାକୁ ଅସ୍ତ୍ରଯୋଗାଣ ବନ୍ଦ ହେଉ ନଥାଏ । କଡ଼ା ନିୟନ୍ତ୍ରଣମୂଳକ ବ୍ୟବସ୍ଥାମାନ ଜାରି ହୋଇଥିଲେ ସୁଦ୍ଧା ସବୁ କାଇଦା କଟକଣା ଭାଙ୍ଗି ବ୍ୟବସାୟୀ ଓ ଅନୁମତିପ୍ରାପ୍ତ ବନ୍ଧୁକଦାରମାନେ ସୁଲ୍‌ତାନାକୁ ଗୋଳାଗୁଳି ଯୋଗାଉଥାଆନ୍ତି । ନିୟନ୍ତ୍ରଣ କଟକଣା ଭାଙ୍ଗିଲେ ସରକାର ଅବଶ୍ୟ ରୁଷ୍ଟ ହେବେ । କିନ୍ତୁ ତା’ ନ କଲେ ସୁଲ୍‌ତାନା ତାଙ୍କର ସର୍ବସ୍ୱ ଲୁଣ୍ଠନ କରି ତାଙ୍କୁ ନିର୍ମମ ଭାବେ ହତ୍ୟା କରିବ । ଏ ଦ୍ୱନ୍ଦ ଭିତରୁ ସହଜ ସଙ୍କଟଟି ବାଛି ନେଇ ସୁଲ୍‌ତାନାକୁ ସେମାନେ ମନାଇ ରଖିଥାଆନ୍ତି-। ଏଇ ପୃଷ୍ଠଭୂମିରେ ଅସ୍ତ୍ର ଯୋଗାଇଦେବା ପାଇଁ ସୁଲ୍‌ତାନାର ପରିହାସପୂର୍ଣ୍ଣ ପ୍ରସ୍ତାବ ଫ୍ରେଡିଙ୍କୁ ଗଭୀର ଭାବେ ଆହାତ କଲା ।

 

ଅସ୍ତ୍ରଶସ୍ତ୍ର ବାଜ୍ୟାପ୍ତ ହେବା ପରେ ସୁଲ୍‌ତାନା ନୂଆ ଅସ୍ତ୍ର ଆଦାୟ କରି ତା’ ଅନୁଚରଙ୍କୁ ପୁଣି ଥରେ ଯୋଗାଇ ଦେଲା । କିନ୍ତୁ ଗୁପ୍ତ ଛାଉଣୀ ହରାଇବା ପରେ ତରାଇ–ଭାବରର ସୀମାରୁ ସୀମା ପର୍ଯ୍ୟନ୍ତ ପଳାଇ ମଧ୍ୟ ସେ ପୋଲିସ ତାଡ଼ନାରୁ ରକ୍ଷା ପାଇଲା ନାହିଁ । ତା’ ଦଳରେ ଡକାୟତଙ୍କ ସଂଖ୍ୟା କମି କମି ଶେଷରେ ଚାଳିଶ ଜଣରେ ପହଞ୍ଚିଲା । କିଛିକାଳ କ୍ରମାଗତ ଭାବେ ତା’କୁ ବ୍ୟତିବ୍ୟସ୍ତ କରିବା ପରେ ଫ୍ରେଡିଙ୍କର ବିଶ୍ୱାସ ହେଲା ଯେ ସୁଯୋଗ ପାଇଲେ ସେ ଏଥର ଆତ୍ମସମର୍ପଣ କରିପାରେ । ଏହି ମର୍ମରେ ସେ ସରକାରଙ୍କୁ ଏକ ପ୍ରସ୍ତାବ ଦେଲେ । ସେ ନିଜେ ଏଥିପାଇଁ ବ୍ୟକ୍ତିଗତ ଭାବେ ଦାୟୀ ହେବେ ବୋଲି ଜଣାଇବା ପରେ ସରକାରଙ୍କ ଠାରୁ ମଞ୍ଜୁରୀ ମିଳିଲା । ଆଲୋଚନା ପାଇଁ ସୁଲ୍‌ତାନାକୁ ନିମନ୍ତ୍ରଣ କରାଗଲା । ସୁଲ୍‌ତାନା ତାହା ଗ୍ରହଣ କଲା ଓ ସ୍ଥାନ କାଳ ନିରୂପଣ କରି ସର୍ତ୍ତ ଦେଲା ଯେ ଆଲୋଚନା ପାଇଁ ଫ୍ରେଡି ଆଉ ସେ ଏକାକୀ ଆସିବେ ଓ ସଙ୍ଗରେ କେହି ଅସ୍ତ୍ରଶସ୍ତ୍ର କିଛି ଆଣିବେ ନାହିଁ । ଘଞ୍ଚ ଜଙ୍ଗଲ ଭିତରେ ଗୋଟିଏ ଛୋଟ ପଡ଼ିଆ ମଝିରେ ବଡ଼ ଗଛଟିଏ ଥାଏ । ତାହାରି ମୂଳରେ ଦୁହିଁଙ୍କର ସାକ୍ଷାତ ହେବ ବୋଲି କଥା ହେଲା ।

 

ନିରୂପିତ ସମୟରେ ଫ୍ରେଡି ଓ ସୁଲ୍‌ତାନା ଦୁହେଁ ଦୁଇପାଖ ଜଙ୍ଗଲରୁ ବାହାରି ପଡ଼ିଆରେ ପଶିଲେ । ପ୍ରଥମଥର ପାଇଁ ଦୁଇ ପ୍ରତିଦ୍ଵନ୍ଦୀଙ୍କର ମୁହାଁମୁହିଁ ସାକ୍ଷାତ ହେଲା । ବ୍ୟକ୍ତିତ୍ୱ ଓ ଅବସ୍ଥା ଦୃଷ୍ଟିରୁ ଦୁହିଁଙ୍କ ମଧ୍ୟରେ ଆକାଶପାତାଳ ପ୍ରଭେଦ । ବିଶାଳକାୟ ଫ୍ରେଡି ସରକାରୀ କ୍ଷମତାରେ ବଳିୟାନ । ସୁଲ୍‌ତାନା କ୍ଷୁଦ୍ରକାୟ, ତା’କୁ ଧରାଇ ଦେବାକୁ ସରକାର ପୁରସ୍କାର ଘୋଷଣା କରିଥାଆନ୍ତି । ପଡ଼ିଆ ମଝିରେ ଦୁହେଁ ଗଛଛାଇରେ ବସିଲେ । ସୁଲ୍‌ତାନା ତରଭୁଜଟିଏ ଆଣିଥାଏ । ସେଥିରୁ କିଛି ସେ ଫ୍ରେଡିଙ୍କୁ ଯାଚିଲା ଓ ବିନାଦ୍ଵିଧାରେ ଗ୍ରହଣ କରିବାପାଇଁ ଅନୁରୋଧ କଲା । ଭାରତୀୟ ରୀତିରେ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ଭିତରେ ଆଲୋଚନା ଆରମ୍ଭ ହୋଇ ଶେଷରେ ଅଚଳ ଅବସ୍ଥାରେ ଅଟକିଲା । ବିନାସର୍ତ୍ତରେ ଆତ୍ମସମର୍ପଣ କରିବାପାଇଁ ଫ୍ରେଡିଙ୍କ ଆହ୍ୱାନକୁ ସୁଲ୍‌ତାନା ପୂରାପୂରି ଆଗ୍ରାହ୍ୟ କଲା । ଯିବା ପୂର୍ବରୁ ଅଯଥା ବିପଦ ବରଣ ନ କରିବାକୁ ଫ୍ରେଡିଙ୍କୁ ସେ ସତର୍କ କରିଦେଲା । ତା’ ଶିବିର ଉପରେ ଆକ୍ରମଣର ଦୃଷ୍ଟାନ୍ତ ଦେଇ ସେ କହିଲା ଯେ, ସେଦିନ ଦଶଜଣ ଅନୁଚରଙ୍କ ସହିତ ସେ ବନ୍ଧୁକ ଧରି ନାଳବନ୍ଧ ଉପର ସେହି ଝଙ୍କାଳିଆ ବରଗଛ ଉହାଡ଼ରେ ଲୁଚିଥିଲା । ସଙ୍ଗରେ “ଆଉ ଦୁଇଜଣ ସାହେବ” ଙ୍କୁ ନେଇ ଫ୍ରେଡି ନାଳ ଭିତରେ ସେଇ ଗଛଆଡ଼େ ଆଗଉଥିବା ସେମାନେ ଲକ୍ଷ୍ୟ କରୁଥିଲେ । “ଜଣେ ସାହେବ” ନାଳବନ୍ଧକୁ ଚଢ଼ିବାକୁ ଚେଷ୍ଟାକଲେ । ସେଦିନ ସେ ବନ୍ଧ ଉପରକୁ ଉଠିଥିଲେ ସାହେବ ତିନିଜଣଙ୍କୁ ଗୁଳିକରି ମାରିଦେବାକୁ ପଡ଼ିଥାଆନ୍ତା ।

 

ସୁଲ୍‌ତାନା ସହିତ ଶେଷ ସଂଗ୍ରାମ ପାଇଁ ଫ୍ରେଡି ପ୍ରସ୍ତୁତ ହେଲେ । ଏଥିରେ ଅଂଶଗ୍ରହଣ କରିବାପାଇଁ ଉଇଣ୍ଡ୍‍ହାମ୍‍ଙ୍କୁ ଓ ମୋତେ ନିମନ୍ତ୍ରଣ କରାଗଲା । କ୍ରମାଗତ ଭାବେ ପଳାୟନ କରି ସୁଲ୍‌ତାନା ଓ ତା’ ଦଳର ଅବଶିଷ୍ଟ କେତେଜଣ ଶ୍ରାନ୍ତ ହୋଇ ନଜିବାବାଦ୍ ଜଙ୍ଗଲ ମଝିରେ ଗୋଟିଏ ଗୋଶାଳାରେ ଆଶ୍ରୟ ନେଇଥାଆନ୍ତି । ସଦଳବଳେ ନୌକାରେ ଗଙ୍ଗାନଦୀରେ ଯାଇ ଗୋଟିଏ ସୁବିଧା ଜାଗାରେ ଓହ୍ଲାଇ ରାତାରାତି ଗୋଶାଳାକୁ ଘେରାଉ କରିବା ଫ୍ରେଡିଙ୍କ ଉଦ୍ଦେଶ୍ୟ ଥାଏ । ପୂର୍ବଥର ପରି ଅନ୍ଧାର ରାତିରେ ନ ଯାଇ ଏଥର ପୂର୍ଣ୍ଣିମୀ ରାତିରେ ଅଭିଯାନ ଚଳାଇବାକୁ ସ୍ଥିର ହୋଇଥାଏ ।

 

ନିର୍ଦ୍ଧାରିତ ଦିନ ପହଞ୍ଚିଲା । ହରଦ୍ୱାରଠାରୁ ଅଳ୍ପ କେତେ ମାଇଲ ତଳେ ଗଙ୍ଗାର ଡାହାଣକୂଳରେ ଦଶଟି ବଡ଼ ବଡ଼ ପଟୁଆ ବନ୍ଧା ହୋଇଥାଏ । ରାତି ଘନେଇ ଆସିବା ବେଳକୁ ତିନିଶହ ସିପାହୀଙ୍କ ସହିତ ଆମେ ସମସ୍ତେ ଯାଇ ଡଙ୍ଗାରେ ବସିଲୁଁ । ଫ୍ରେଡି, ଉଇଣ୍ଡ୍‍ହାମ୍‍ ଓ ମୋ ଛଡ଼ା ଫ୍ରେଡିଙ୍କର ଜଣେ ସମ୍ପର୍କୀୟ ଭାଇ ମଧ୍ୟ ଦଳରେ ଥାଆନ୍ତି । ସବା ଆଗ ଡଙ୍ଗାଟିରେ ମୁଁ ବସିଥାଏ । ସହଜ ଗତିରେ ନଈ ପାରିହୋଇ ବାଁ ପାଖର ଗୋଟିଏ ସରୁ ଧାରରେ ପଶିଲୁ । ଏହା ପରେ ଯେପରି ଭାବେ ଯାତ୍ରା କରିବାକୁ ପଡ଼ିଲା, ସେଭଳି ଭୟାବହ ଜଳଯାତ୍ରା ମୁଁ ଜୀବନରେ କେବେ କରି ନାହିଁ ।

 

ଧାରର ପ୍ରଥମ ଭାଗଟି ପ୍ରଶସ୍ତ । କେତେ ଶହ ଗଜ ପର୍ଯ୍ୟନ୍ତ ନାଆଗୁଡ଼ିକ ଶାନ୍ତ ସହଜ ଗତିରେ ଭାସି ଚାଲିଗଲେ । ପୂର୍ଣ୍ଣିମା ଜ୍ୟୋତ୍ସ୍ନାରେ ନଈ ଝଲମଲ କରୁଥାଏ । ନିସ୍ତରଙ୍ଗ ଜଳ ଉପରେ କୂଳର ଗଛଗୁଡ଼ିକ ସ୍ଥିର ଭାବେ ପ୍ରତିବିମ୍ବିତ । ଏହାପରେ ଜଳଧାରାଟି କ୍ରମେ ସଂକୀର୍ଣ୍ଣ ହୋଇଆସିଲା ଓ ସ୍ରୋତର ବେଗ ସେହି ଅନୁପାତରେ ବଢ଼ିଲା । ଡଙ୍ଗାଗୁଡ଼ିକ ଛୁଟି ଚାଲିଲେ । ଗଙ୍ଗାନଦୀର ଏହି କରନାଳୀମାନଙ୍କରେ ଭଲ ମାଛ ମିଳେ । ଏଠାକୁ କେତେ ଥର ମାଛ ମାରିବାକୁ ଆସି ଏହି ଜଳଧାରାଗୁଡ଼ିକ ସହିତ ମୁଁ ଭଲଭାବରେ ପରିଚିତ । ଆଗକୁ ସ୍ରୋତ ଆହୁରି ପ୍ରଖର ହୋଇ ଉଠିବ ବୋଲି ମୋତେ ଜଣାଥାଏ । କ୍ରମେ ଦୂରରୁ ନଈର ଗର୍ଜ୍ଜନ ସ୍ପଷ୍ଟ ଶୁଣାଗଲା । ଏଇ ଖୋଲା ମାଲବୁହା ପଟୁଆଗୁଡ଼ିକ ସ୍ଥିର ଜଳ ପାଇଁ ଉପଯୁକ୍ତ । ସୁଅ ମୁହଁରେ ଏଗୁଡ଼ିକୁ ଅକ୍ତିଆରରେ ରଖିବା ଅତି କଷ୍ଟକର । ନିଜ ଜୀବନ ବିପନ୍ନ କରି ପ୍ରବଳ ସୁଅରେ ନାଆ ଚଳାଇ ନାଉରୀମାନେ ଯେଉଁ ଅପୂର୍ବ ସାହସର ପରିଚୟ ଦେଲେ, ତାହା ମୋତେ ଚମତ୍କୃତ କରିଦେଲା । ପାଣିରେ ଲୁଚି ରହିଥିବା ବିରାଟ ପଥରମାନଙ୍କରେ ପିଟି ହୋଇ ଡଙ୍ଗାଗୁଡ଼ିକରେ ଚୂରମାର ହୋଇଯିବାର ଭୟ ପ୍ରତି ମୁହୂର୍ତ୍ତରେ ଥାଏ । ଦୁଇ କୂଳରେ ମଧ୍ୟ ଅସଂଖ୍ୟ ପଥର । ନାଉରୀଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ସୁଅ ସମ୍ଭାଳି ନ ପାରି ଡଙ୍ଗାଗୁଡ଼ିକ ପେଲିହୋଇ କୂଳକୁ ଆଉଜି ଆସୁଥାଆନ୍ତି । କୂଳରୁ ନାଆ ଛଡ଼ାଇ ମଝିନଈରେ ରଖିବା ପାଇଁ ମଙ୍ଗୁଆଳମାନେ ଉଚ୍ଚସ୍ଵରରେ ମାଝିଙ୍କୁ ଡାକ ଦେଉଥାଆନ୍ତି । ତାଙ୍କ ସ୍ୱରରେ ଆସନ୍ନ ବିପଦର ସୂଚନା ଆମକୁ ଆହୁରି ଭୟଭୀତ କରୁଥାଏ । ଦୁଃସ୍ଵପ୍ନ ଯେତେ ବିଭୀଷିକାମୟ ହେଲେ ମଧ୍ୟ ତାହା ନିଶ୍ଚୟ ଶେଷ ହେବ–କେବଳ ଏଇ ଆଶା ନେଇ ଆମେ ଅପେକ୍ଷା କରିଥାଉ । ବିଷମ ସଙ୍କଟ ଭିତରେ ଦୀର୍ଘ କୋଡ଼ିଏ ମାଇଲ ଯାତ୍ରା କରିବା ପରେ ଲକ୍ଷ୍ୟସ୍ଥଳରେ ପହଞ୍ଚିଲୁ । ମାଝି ଜଣେ ଡେଇଁପଡ଼ି ନଈ ବା କୂଳରେ ଗଛରେ ନାଆ ଖଟାଇ ଦେଲା-। ପରେ ପରେ ଆଉ ନଅଟି ନାଆ ଗୋଟିଏ ଧାଡ଼ିରେ ବନ୍ଧା ହୋଇଗଲା ।

 

ଡଙ୍ଗାରେ ଛେଚିକୁଟି ହୋଇ କେତେକଙ୍କର ଦେହ ହାତ ଛିଡ଼ି ଥାଏ । ନଈବାଲିରେ ବସି କ୍ଷତଗୁଡ଼ିକର ପ୍ରାଥମିକ ଚିକିତ୍ସା କରାଗଲା । ପାଞ୍ଚ ମାଇଲ ତଳକୁ ନାଆ ନେଇ ଅନ୍ୟ ଆଦେଶ ପାଇବା ଯାଏ ସେଠାରେ ଅପେକ୍ଷା କରିବାକୁ ନାଉରୀମାନଙ୍କୁ ନିର୍ଦ୍ଦେଶ ଦିଆଗଲା । ଆଗକୁ ଅଧ ମାଇଲ ଯାଏ ହାତୀଆ ଘାସର ଅତି ଗହନ ଜଙ୍ଗଲ । ଏହାକୁ ଅତିକ୍ରମ କରିବା ପାଇଁ ଯେଉଁ କଠିନ ସଂଗ୍ରାମ କରିବାକୁ ହେବ, ସେଥିପାଇଁ ପ୍ରସ୍ତୁତ ହୋଇ ଆଗେଇଲୁ । ଦଶ ବାର ଫୁଟ ଉଚ୍ଚ ଏହି ଘାସ ପାଣି କାକରରେ ଓଦା ହୋଇ ତଳକୁ ନଇଁ ଆସିଥାଏ । ଘାସବଣରେ ପଶି ଶହେ ଗଜ ନ ଯାଉଣୁ ସମସ୍ତେ ପୁରା ଓଦା ହୋଇଗଲୁ । ବହୁ କଷ୍ଟରେ ବଣ ପାରି ହୋଇ ଆରପାଖରେ ପହଞ୍ଚି ଦେଖୁଁ, ଆଗରେ ଗଙ୍ଗାନଦୀର ଗୋଟିଏ ପ୍ରଶସ୍ତ ଜଳଧାରା ପଥରୋଧ କରି ରହିଛି । ପାରିହେବା ପାଇଁ ସୁବିଧା ଥଳୀଟିଏ ଖୋଜି ବାହାର କରିବାକୁ ଦୁଇ ଆଡ଼କୁ ଦୁଇଦଳ ଲୋକ ପଠାଗଲା । ପ୍ରଥମ ଦଳ ଫେରିଆସି ଜଣାଇଲେ ଯେ ପାଏ ବାଟ ଉପରେ ଧାରଟି ସରୁ ହୋଇଯାଇଛି । କିନ୍ତୁ ସୁଅର ଏତେ ବେଗ ଯେ ସେଠାରେ ପାରି ହେବାକୁ ସୁବିଧା ହେବ ନାହିଁ । ଅନ୍ୟ ଦଳକ ଆସି କହିଲେ ଯେ ସେ ଆଡ଼େ ଅକାତକାତ ପାଣି । ପାରି ହେବାକୁ ଥଳ ମିଳୁ ନାହିଁ । ନାଉରୀମାନେ ଜାଣିଶୁଣି ବା ଭୁଲ୍‍କରି ଆମକୁ ପାଣିଘେର ଭିତରେ ଗୋଟିଏ ଟାପୁରେ ଜାଣିଶୁଣି ବା ଭୁଲକରି ଆମକୁ ପାଣିଘେର ଭିତରେ ଗୋଟିଏ ଟାପୁରେ ଓହ୍ଲାଇ ଦେଇଛନ୍ତି ବୋଲି ଜଣା ପଡ଼ିଲା ।

 

ଡଙ୍ଗାଗୁଡ଼ିକ କେତେବେଳୁ ଚାଲିଗଲେଣି । ରାତି ପାହିବାକୁ ଆଉ ବେଶି ଡେରି ନାହିଁ । କୌଣସି ମତେ ନଈ ପାରି ହେବାକୁ ହେବ । ଟିକିଏ ତଳକୁ ଗୋଟିଏ ଅପେକ୍ଷାକୃତ କମ୍ ଓସାର ଜାଗାରେ ପାରି ହେବା ସମ୍ଭବ ମନେ ହେଲା । ସେଠାରୁ ଠିକ୍ ଉପରକୁ ଗଣ୍ଡରେ କୋଡ଼ିଏ ଫୁଟ ପାଣି । ତଳକୁ ନଈରେ ପ୍ରବଳ ସୁଅ । ପାଣିରେ ପଶିବୁ କି ନାହିଁ ଭାବୁଛୁ, ଦେଖିଲୁ ଯେ ଉଇଣ୍ଡ୍‍ହାମ୍ ନିଜ ଲୁଗାପଟା ସବୁ ଖୋଲିବାରେ ଲାଗିଛନ୍ତି । ସେ ପୂରା ଓଦା ହୋଇ ଘାସବଣରୁ ବାହାରି ଥାଆନ୍ତି । ତାଙ୍କ ଓଦା ସରସର ପୋଷାକଟି ନଈରେ ଆଉ ବେଶି ତିନ୍ତିବ ନାହିଁ ବୋଲି ମୁଁ ମନ୍ତବ୍ୟ ଦେବାରୁ ଉଇଣ୍ଡ୍‍ହାମ୍ କହିଲେ ଯେ ପୋଷାକକୁ ନେଇ ସେ ମୁଣ୍ଡ ଘୁରାଉ ନାହାନ୍ତି । ପ୍ରାଣ ବଞ୍ଚାଇ କିପରି ନଈ ପାରିହେବେ–କେବଳ ଏଇ ଚିନ୍ତା ହିଁ ତାଙ୍କୁ ଘାରିଛି । ପୋଷକକୁ କାମିଜରେ ପୁଟୁଳା କରି ବାନ୍ଧି ମୁଣ୍ଡରେ ରଖିବା ପରେ ପାଖରେ ଛିଡ଼ା ହୋଇଥିବା ଜଣେ ଯୁବକ ସିପାହୀର ବାହା ଧରି ପକାଇ ସେ କହିଲେ, “ଆସ ଯିବା ।” କମିଶନର ସାହେବଙ୍କ ସହିତ ବୁଡ଼ି ମରିବାର ସମ୍ମାନ ପାଇଁ ମନୋନୀତ ହୋଇଥିବା ସିପାହୀଟି ବିସ୍ମୟରେ ହତବାକ୍ ହୋଇଗଲା । ସେ କିଛି କହିବା ପୁର୍ବରୁ ଉଇଣ୍ଡ୍‌ହାମ୍ ତା’ ସହିତ ହାତ ଛନ୍ଦି ପାଣିରେ ପଶିଲେ ।

 

ଏ କୂଳରୁ ଆମେ ସ୍ତବ୍‌ଧ ହୋଇ ଦୁହିଙ୍କ ଅଗ୍ରଗତି ଲକ୍ଷ୍ୟ କରୁଥାଉ । ପ୍ରବଳ ଉତ୍କଣ୍ଠାରେ ଶ୍ୱାସରୁଦ୍ଧ ହେଉଥାଏ । କେଉଁଠି ସେମାନଙ୍କୁ ଅଣ୍ଟାଏ, କେଉଁଠି ବା କାଖେ ପାଣି । ଜାଗା ଜାଗାଏ ମନେ ହେଉଥାଏ ଯେ ଏଥର ଦୁହେଁ ନିଶ୍ଚୟ ତଡ଼ି ହୋଇ ତଳକୁ ଚାଲିଯିବେ । ତଳେ ପ୍ରବଳ ସୁଅ । ଖୁବ୍ ଭଲ ପହଁରାଳି ମଧ୍ୟ ସେଠାରୁ ବର୍ତ୍ତିପାରିବ ନାହିଁ । ଉଇଣ୍ଡ୍‌ହାମ୍‌ଙ୍କ ବୟସ ଆମ ସମସ୍ତଙ୍କଠାରୁ ବେଶି । ସିପାହୀଟି ଅଳ୍ପ ବୟସ୍କ ଅର୍ବାଚୀନ ଯୁବକ । ବହୁ ସମୟ ସଂଗ୍ରାମ କରି ବୀର ଦୁହେଁ ନଈ ଆରବନ୍ଧକୁ ଉଠିବା ମାତ୍ରେ ଏ କୂଳରେ ସମସ୍ତେ ଆଶ୍ୱସ୍ତିର ଦୀର୍ଘଶ୍ଵାସ ଛାଡ଼ିଲେ । ସମ୍ପୂର୍ଣ୍ଣ ମୌନତା ରକ୍ଷା କରିବାକୁ ନିର୍ଦ୍ଦେଶ ନ ଥିଲେ ଆନନ୍ଦଧ୍ୱନିରେ ଆକାଶ ଫାଟି ପଡ଼ିଥାଆନ୍ତା । ଦୁଇଜଣ ଯେଉଁଠାରେ ଯାଇ ପାରିଲେ, ସେଠାରେ ତିନିଶହ ଜଣ ଅନାୟାସରେ ଯାଇ ପାରିବେ । ହାତ ଛନ୍ଦି ଧାଡ଼ି ବାନ୍ଧି ପାଣିରେ ପଶିଲୁ । ସୁଅରେ ଠେଲି ହୋଇ କେତେ ଜଣଙ୍କ ଗୋଡ଼ ଖସିଲା । କିନ୍ତୁ ଶେଷ ପର୍ଯ୍ୟନ୍ତ ଧାଡ଼ି ନ ଭାଙ୍ଗି ସମସ୍ତେ ନିର୍ବିଘ୍ନରେ ଆରକୂଳରେ ଯାଇ ପହଞ୍ଚିଲୁ ।

 

ସେତେବେଳକୁ ସୂର୍ଯ୍ୟ ଉଦୟ ହେଲାଣି । ଫ୍ରେଡିଙ୍କର ଜଣେ ବିଶ୍ଵାସୀ ଗୁଇନ୍ଦା ଆମକୁ ଅପେକ୍ଷା କରିଥିଲା । ଡେରି ଯୋଗୁ ଦୁଃଖ ପ୍ରକାଶ କରି ଲୋକଟି କହିଲା ଯେ ଗୋଶାଳା ପାଖ ଜଙ୍ଗଲରେ ପଶିବା ପୂର୍ବରୁ ବାଟରେ ଖୋଲା ପଡ଼ିଆଟିଏ ପଡ଼ିବ । ଗାଈଆଳମାନେ ଗୋରୁ ନେଇ ସେଠାରୁ ଚାଲି ଆସିବେଣି । ସେମାନଙ୍କ ଅଜାଣତରେ ପଡ଼ିଆବାଟେ ଯିବା ଏବେ ଆଉ ସମ୍ଭବ ହେବ ନାହିଁ । ଟାପୁକୁ ଉଜାଣି ଫେରିବା ଛଡ଼ା ବାଟ ନାହିଁ ଦେଖି ପୁଣି ଫେରିବାକୁ ପଡ଼ିଲା । ଏ ପାଖରୁ ନଈ ପାରି ହେବାକୁ ସେତେ ଅସୁବିଧା ହେଲା ନାହିଁ ।

 

ଘାସବଣକୁ ଫେରି ପ୍ରଥମେ ଓଦା ଲୁଗା ସବୁ ଶୁଖାଇଲୁ । ଖରା ତେଜ ଥିବାରୁ ଲୁଗା ଅତି ଶୀଘ୍ର ଶୁଖିଗଲା । ଶୁଖିଲା ଲୁଗା ପିନ୍ଧି ଟିକିଏ ଆରାମରେ ବସିବା ପରେ ଫ୍ରେଡି ତାଙ୍କ ବ୍ୟାଗ ଖୋଲି ସେଥିରୁ ପାଉଁରୁଟି ଓ ରନ୍ଧା କୁକୁଡ଼ାଟିଏ ବାହାର କଲେ । ଗଙ୍ଗାପାଣିରେ ସେଗୁଡ଼ିକ ପୂରା ଭିଜି ଯାଇଥିଲେ ସୁଦ୍ଧା ମହା ଆନନ୍ଦରେ ଆମେ ସବୁତକ ଶେଷ କରିଦେଲୁ । ସ୍ଥାନ କାଳ ନିର୍ବିଚାରରେ ମୁଁ ଅତି ସହଜରେ ଶୋଇପାରେ । ବାଲିରେ ଟୋପଟିଏ ଖୋଜି ଅନେକ ସମୟ ଯାଏ ନିଘୋଡ଼ ନିଦରେ ଶୋଇ ପଡ଼ିଲି । କାହାର ଛିଙ୍କିବା ଶବ୍ଦରେ ନିଦ ଭାଙ୍ଗିଲା । ଉଠି ଦେଖେ ଯେ ମୋ ବନ୍ଧୁମାନେ ସମସ୍ତେ ଘାସଜ୍ଵର(hay fever) ରେ ପୀଡ଼ିତ ହୋଇ ପଡ଼ିଛନ୍ତି । ଘାସଫୁଲର ପରାଗ ପ୍ରଶ୍ଵାସରେ ଗଲେ ଏ ଜ୍ୱର ହୁଏ । ଘନ ଘନ ଛିଙ୍କ ଉଠି ରୋଗୀକୁ ବ୍ୟତିବ୍ୟସ୍ତ କରିପକାଏ । ଭାରତୀୟଙ୍କୁ ଘାସଜ୍ୱର ହୁଏ ନାହିଁ । ମୋ ଉପରେ ପରାଗର ଏ ଭଳି ପ୍ରଭାବ ପଡ଼ୁ ନ ଥିବାରୁ ଏଥିରୁ ମୁଁ ତ୍ରାହି ପାଇଥାଏ । ସକାଳେ ଆମେ ପହଞ୍ଚିବା ବେଳକୁ ଫୁଲଗୁଡ଼ିକ କାକରରେ ଓଦା ଥିଲା । ଖରାରେ ଶୁଖିଯିବା ପରେ ଫୁଲରୁ ପରାଗ ଝରେ । ମୋ ବନ୍ଧୁମାନେ ଏଣେ ତେଣେ ବୁଲି ଶୁଖିଲା ଫୁଲରୁ ପରାଗ ଝଡ଼ାଇ ନିଜେ ଏହି ବିପତ୍ତିକୁ ବରଣ କରିଥାଆନ୍ତି । ଏ ରୋଗ ସମ୍ବନ୍ଧରେ ପୂର୍ବରୁ ମୋର ଅନୁଭୂତି ନ ଥିଲା । ଏହାର ଉପସର୍ଗମାନ ଦେଖି ମୁଁ ବିଚଳିତ ହୋଇ ପଡ଼ିଲି । ଫ୍ରେଡିଙ୍କ ଭାଇଙ୍କର ଅବସ୍ଥା ସବୁଠାରୁ ଶୋଚନୀୟ । ତାଙ୍କ ଆଖିଦୁଇଟି ଫୁଲ ବୁଜିଯାଇଥାଏ ଓ ନାକ ଆଖିରୁ ଅନବରତ ପାଣି ବୋହୁଥାଏ । ଫ୍ରେଡିଙ୍କୁ ଅଳ୍ପ ଦେଖାଯାଉଥିଲେ ସୁଦ୍ଧା ସେ ଅବିଶ୍ରାନ୍ତ ଭାବେ ଛିଙ୍କୁଥାଅନ୍ତି । ଫ୍ରେଡିଙ୍କ ଛିଙ୍କ ପୁଣି ସାଧାରଣ ଛିଙ୍କ ନୁହେଁ । ସେ ଛିଙ୍କି ଦେଲେ ଭୂଇଁ ଥରିଯାଏ । ଉଇଣ୍ଡ୍‌ହାମ୍ ତାଙ୍କର କିଛି ହୋଇନାହିଁ ବୋଲି ବାରମ୍ବାର କହି ସମସ୍ତଙ୍କୁ ଦମ୍ଭ ଦେଉଥାଆନ୍ତି । ଏ କଥା କହୁ କହୁ ସେ ରୁମାଲରେ ଆଖି ନାକ ପୋଛି ପକାଉ ଥାଆନ୍ତି ।

 

ଏତେ ବାଧାବିଘ୍ନ ପରେ ଏହି ଚରମ ଦୁର୍ଯୋଗ ଘଟିବାରୁ ମନଟା ବଡ଼ ଦବିଗଲା । ଖୋଲା ପଟୁଆରେ ଧକଚକ ହୋଇ ଆସି ଅପନ୍ତରାରେ ପଡ଼ିଲୁ । ଜୀବନକୁ ପାଣି ଛଡ଼ାଇ ସୁଅ କାଟି ଦୁଇଥର ନଈ ପାରି ହେଲୁ । ମୋ ବନ୍ଧୁ ତିନିଜଣ ଏବେ ଦୃଷ୍ଟି ଶକ୍ତି ହରାଇବା ଉପରେ । ଶେଷରେ ତିନିଶହ ସିପାହୀ ଓ ରୋଗୀ ତିନିଜଣଙ୍କୁ ମୋତେ ହିଁ ହରଦ୍ୱାର ଫେରାଇ ନେବାକୁ ପଡ଼ିବ–ଏ କଥା ଭାବିଲାବେଳକୁ ଦେହ ଶୀତେଇ ଉଠୁଥାଏ । ସନ୍ଧ୍ୟାବେଳକୁ ରୋଗୀଙ୍କ ଅବସ୍ଥାରେ କ୍ରମେ ଉନ୍ନତି ଘଟୁଥିବା ଦେଖି ସାହସ ଫେରିଲା । ସନ୍ଧ୍ୟାରେ ପୁଣି ଥରେ ନଈ ପାର ହୋଇ ଆର କୂଳରେ ପହଞ୍ଚିବା ବେଳକୁ ଉଇଣ୍ଡ୍‌ହାମ୍ ଓ ଫ୍ରେଡିଙ୍କୁ ପୁରା ଦେଖାଗଲାଣି । ଫ୍ରେଡିଙ୍କ ଭାଇଙ୍କୁ ମଧ୍ୟ ଅଳ୍ପ ଦେଖାଯାଉଥାଏ ଓ ତାଙ୍କ ହାତ ଧରି ବାଟ କଢ଼ାଇବା ଆଉ ଦରକାର ପଡ଼ୁ ନ ଥାଏ ।

 

ନଈ ସେ ପାରିରେ ପହଞ୍ଚିବା ବେଳକୁ ଜହ୍ନ ଉଠିଲାଣି । ଚାରିଆଡ଼ ଦିନ ପରି ଫର୍ଚ୍ଚା । ଜଣେ ବାଟକଢ଼ାଣିଆ ସହିତ ଫ୍ରେଡିଙ୍କ ଗୁଇନ୍ଦା ଆମ ଆସିବା ବାଟକୁ ଅନାଇ ବସିଥିଲା । ଦୁହେଁ ବାଟ କଢ଼ାଇ ଆଗେ ଆଗେ ଚାଲିଲେ । ପଡ଼ିଆ ପାରି ହୋଇ ଶହେ ଗଜ ଓସାର ଗୋଟିଏ ଶୁଖିଲା ନାଳର ମୁହାଣରେ ପହଞ୍ଚିଲୁ । ନାଳରେ କିଛି ବାଟ ଯାଇ ମୋଡ଼ ବୁଲିବା ମାତ୍ରେ ଗୋଟାଏ ମାରଣା ହାତୀ ସହିତ ମୁହାଁମୁହିଁ ହୋଇଗଲୁ । ଏ ଅଞ୍ଚଳରେ ମାରଣା ହାତୀଟାଏ ମାତିଥିବା କଥା ଆଗରୁ ଶୁଣାଥିଲା । ସବୁ ଅଘଟଣ ପରେ ପୁଣି ତା’ ସହିତ ଭେଟ ହେବାର ଦୁର୍ଯୋଗ ଆସି ଜୁଟିଗଲା । ହାତୀ କାନ ଡେରି ବାଟ ଓଗାଳି ଉଚ୍ଚସ୍ଵରରେ କୁହାଟ ଛାଡ଼ୁଥାଏ । ଜହ୍ନ ଆଲୁଅରେ ତା’ ଦାନ୍ତ ଦୁଇଟା ଅତି ଭୟଙ୍କର ଦିଶୁଥାଏ । ତା’ର ଏ ମୂର୍ତ୍ତି ଦେଖି ଆମ ଲୋକେ ଭୟଭୀତ ହେବା ସ୍ଵାଭାବିକ । ତାଙ୍କୁ ଦମ୍ଭ ଦେବ କ’ଣ, ବାଟ କଢ଼ାଣିଆ କହିଲା ଯେ ଏ ହାତିଟା ଅତି ବଦରାଗୀ । ଆଗରୁ ସେ କେତେ ଲୋକ ମାରିଛି ଓ ଆମ ଭିତରୁ କେଇ ଜଣଙ୍କୁ ଏବେ ନିଶ୍ଚୟ ମାରିବ । କଢ଼ାଣିଆର ଏହି ପୂର୍ବ ସୂଚନାକୁ ପୂର୍ଣ୍ଣ କରିବାର ଉଦ୍ଦେଶ୍ୟ ଥିଲାପରି ହାତୀ ଶୁଣ୍ଢ ଉଞ୍ଚାଇ କେଇ ଗଜ ଆଗେଇ ଆସିଲା । ତା’ପରେ କିନ୍ତୁ ସେ ହଠାତ୍ ବୁଲି ପଡ଼ି ହୁଡ଼ାରେ ଚଢ଼ି ରଡ଼ି କରୁ କରୁ ଜଙ୍ଗଲର ଅନ୍ଧାରରେ ମିଶିଗଲା ।

 

ନାଳରେ ଆଗେଇ ଚାଲିଲୁ । ମାଇଲିଏ ପରେ ବଣପୋଡ଼ିରେ ବାଟଟିଏ ସଫା ହୋଇଯାଇଥାଏ । ସେଥିରେ କଅଁଳିଥିବା ନରମ ଘାସର ଆସ୍ତର ଉପରେ ଆମେ ଆରାମରେ ଚାଲିଥାଉ । ଜହ୍ନ ଆଲୁଅରେ ଗଛ ପତ୍ର ସବୁ ଚକ୍ ଚକ୍ କରୁଥାଏ । ସୁନ୍ଦର ଏଇ ପରିବେଶର ସୌନ୍ଦର୍ଯ୍ୟ ଉପଭୋଗ କରୁ କରୁ ଆମ ଯାତ୍ରାର ଅସଲ ଉଦ୍ଦେଶ୍ୟ ମୁଁ ଭୁଲିଗଲି । ଥୁଣ୍ଟା ଗଛର ଡାଳରୁ ମୟୂରଟିଏ ରାବ ଦେଇ ଜନ୍ତୁଜଗତକୁ ଚେତାବନୀ ଶୁଣାଉଥିଲା । ହଠାତ୍ ସେଇ ଗଛ ପାଖରୁ ହଳେ ଚିତାବାଘ ବାଟ ଉପରକୁ ବାହାରି ଆସିଲେ ଓ ଆମକୁ ଦେଖି ଦେଇ ଅତି ସୁନ୍ଦର ଠାଣିରେ ଡେଇଁପଡ଼ି ଅନ୍ଧାରରେ ପୁଣି କୁଆଡ଼େ ଲୁଚିଗଲେ । ଜଳଯାତ୍ରା କରିବା ବେଳେ ମୋର ପରିଚିତ ପରିବେଶରେ ମୁଁ ନ ଥିଲି । ଏବେ ମୋର ଅତି ପରିଚିତ, ଅତି ପ୍ରିୟ ଜଙ୍ଗଲକୁ ଫେରିଆସି ମନ ଆନନ୍ଦରେ ନାଚି ଉଠିଲା । ହାତୀର କୁହାଟ, ମୟୂରର ଚେତାବନୀ, ଚିତାବାଘଙ୍କ ମନୋହର ଅଙ୍ଗଭଙ୍ଗୀ–ଏସବୁ ଭିତରେ ମନେ ହେଲା ଯେ ମୁଁ ପୁଣି ଥରେ ମୁଁ ନିଜ ଦୁନିଆକୁ ଫେରି ଆସିଛି ।

 

ବଣପୋଡ଼ିରେ ପଦା ହୋଇଥିବା ରାସ୍ତାଟି ପୂର୍ବରୁ ପଶ୍ଚିମକୁ ଯାଇଥାଏ । ତା’କୁ ଛାଡ଼ି ଲଟାବୁଦା ଓ ବଡ଼ ବଡ଼ ଗଛ ଗହଳରେ ପଶି ଉତ୍ତରକୁ ମାଇଲିଏ ଯିବାପରେ ରାତି ବାରଟା ବେଳେ ଗୋଟିଏ ଛୋଟ ଝରଣା କୂଳରେ ପହଞ୍ଚିଲୁ । ଝଙ୍କାଳିଆ ବରଗଛଟିଏ ଝରଣା ଉପରକୁ ନଇଁ ଆସିଥାଏ । ଆମକୁ ଗଛମୂଳେ ବସାଇ ଦେଇ କଢ଼ାଣିଆ ତା’ ଭାଇ ସଙ୍ଗେ ପରାମର୍ଶ କରିବାକୁ ଗୋଶାଳାକୁ ଗଲା । ହାଲିଆ ହୋଇ ସମସ୍ତେ ସେଇଠି ବସିଲୁ । ପାଉଁରୁଟି ଟିକକ ଛଡ଼ା ସକାଳୁ ପେଟରେ କିଛି ପଡ଼ି ନ ଥାଏ । ଭୋକରେ କରଡ଼ି ଜଳୁଥାଏ । ମୋ ପାଖରେ ସିଗାରେଟ୍ ବି ଶେଷ-। ଆଉ କାହାର ସେ ଅଭ୍ୟାସ ନ ଥିବାରୁ ସିଗାରେଟ୍ ମିଳିବାର ଆଶା ମଧ୍ୟ ନ ଥାଏ । ଅତି କଷ୍ଟରେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ପାହାନ୍ତା ପହରକୁ କଢ଼ାଣିଆ ଗୋଶାଳାରୁ ଫେରିଲା । ଶୁଣିଲୁ ଯେ ପୂର୍ବ ସନ୍ଧ୍ୟାରୁ ସୁଲ୍‌ତାନା ତା’ର ଅବଶିଷ୍ଟ ନଅଜଣ ମାତ୍ର ଅନୁଚରଙ୍କୁ ନେଇ ହରଦ୍ଵାର ପାଖ ଗୋଟିଏ ଗାଁ ଉପରେ ଚଢ଼ାଉ କରିବାକୁ ଯାଇଛି । ଆଜି ରାତିରେ କିମ୍ବା କାଲି ଦିନ ଭିତରେ ସେ ଫେରିବ ।

 

ଆମ ପାଇଁ କିଛି ଖାଦ୍ୟ ଯୋଗାଡ଼ କରିବାକୁ ଲୋକଟିକୁ ପଠାଗଲା । ଆମେ ଏବେ ସୁଲ୍‌ତାନାର ମୁଲକରେ ଅଛୁ ଓ ବରଗଛ ଉହାଡ଼ରୁ ବାହାରିବା ଆଦୌ ନିରାପଦ ନୁହେଁ ବୋଲି ତାଗିଦ୍ କରି ଲୋକଟି ଚାଲିଗଲା । ଦିନସାରା ସେ ଫେରିଲା ନାହିଁ । ଦିନଟି ଖାଡ଼ା ଉପାସରେ କଟିଲା । ଉଇଣ୍ଡ୍‌ହାମ୍‌ଙ୍କର ସେହି ଦିନଟି ଆମ ସଙ୍ଗରେ ରହିବାର ଥାଏ । କୁମାୟୁଁର କମିଶନର ଥିବା ଛଡ଼ା ସେ ତେହେରି ରାଜ୍ୟର ପଲିଟିକାଲ୍ ଏଜେଣ୍ଟ ମଧ୍ୟ ଥାଆନ୍ତି । ଦୁଇଦିନ ମଧ୍ୟରେ ନରେନ୍ଦ୍ର ନଗର ଠାରେ ରାଜ୍ୟର ଶାସକଙ୍କ ସହିତ ସାକ୍ଷାତ କରିବା ପାଇଁ ତାଙ୍କୁ ପରଦିନ ଯେ କୌଣସି ମତେ ଏଠାରୁ ବାହାରିବାକୁ ପଡ଼ିବ ।

 

ରାତି ହେବା ପରେ ଗୋଟିଏ ବଳଦ ଗାଡ଼ିରେ ଘାସ ବୋଝାଇ କରି କଢ଼ାଣିଆ ଆସି ପହଞ୍ଚିଲା । ଘାସ ତଳେ କେଇବସ୍ତା ଭଜା ବୁଟ ଓ କୋଡ଼ିଏ ସେର ଗୁଡ଼ ଲୁଚା ହୋଇଥାଏ । ଲୋକଟି “ସାହେବ ଚାରିଜଣ”ଙ୍କ ପାଇଁ ଖଣ୍ଡେ କନାରେ ଗୁଡ଼ାଇ ଚପାଟି କେଇପଟ ଆଣିଥାଏ । ଚପାଟିର ଅବସ୍ଥା ଦେଖି ମନେ ହେଉଥାଏ ଯେ ସେଗୁଡ଼ିକ ବହୁ ଦୁଃଖ ଦୁର୍ଦ୍ଦଶା ଅଙ୍ଗେ ନିଭାଇ ଶେଷରେ ଆମ ପାଖରେ ଆସି ପହଞ୍ଚିଛନ୍ତି । ମୁହଁରେ କ’ଣ ଦି’ଟା ଦେଇ ଗଛ ମୂଳେ ଗଡ଼ି ପଡ଼ିଲୁ-। କଥାବାର୍ତ୍ତା ହେବାକୁ ଆଉ ବିଷୟବସ୍ତୁ କିଛି ନ ଥାଏ । ଯେଝା ଜାଗାରେ ଯିଏ ତୁନି ହୋଇ ପଡ଼ିଥାଉ-

 

ଗଛମୂଳେ ଶୋଇ ଶୋଇ ହରଦ୍ୱାରର ଗରମ ଖାନା ଓ ନରମ ଶେଯକୁ ମୁଁ ମନେ ମନେ ଝୁରୁଥାଏ । ଏତିକିବେଳେ ଅଳ୍ପ ଦୂରରେ ଚିତାବାଘ ହରିଣ ମାରିଥିବା ଶୁଣି ଖୁସିଟାଏ ହୋଇଗଲି । ଚପାଟି କେଇଖଣ୍ଡରେ ମୋର ଭୋକ ମରି ନ ଥିଲା । ମାଂସ ଖାଇବାର ଏ ସୁଯୋଗ ଛାଡ଼ିବାର ନୁହେଁ । ଧଡ଼ପଡ଼ ହୋଇ ଉଠି ଯାଇ ଫ୍ରେଡିଙ୍କୁ ତାଙ୍କ କୁକ୍‌ରିଟି (ନେପାଳୀ ଖଣ୍ଡା) ମାଗିଲି-। ଫ୍ରେଡି ଆଶ୍ଚର୍ଯ୍ୟ ହୋଇ କୁକ୍‌ରି କ’ଣ କରିବି ବୋଲି ପଚାରିଲେ । ଅଳ୍ପ ଦୂରରେ ଚିତାବାଘ ହରିଣ ମାରିଥିବା କଥା ତାଙ୍କୁ ବୁଝାଇ ହରିଣର ପଛ ଫଡ଼ିଆ ଦୁଇଟା ଯାଇ କାଟି ଆଣିବି ବୋଲି କହିଲି । ଫ୍ରେଡି ହରିଣ ବୋବାଇବା ଶୁଣିଥିଲେ କିନ୍ତୁ ଚିତାବାଘ ତା’କୁ ମାରିଛି ବୋଲି ବିଶ୍ୱାସ କଲେ ନାହିଁ । ସୁଲ୍‌ତାନା ଦଳର କାହାକୁ ଦେଖି ହରିଣ ବୋବାଇ ପାରିଥାଏ ବୋଲି ସେ ଯୁକ୍ତି କଲେ । ଆମକୁ ବନ୍ଧୁକ ଫୁଟାଇବାକୁ ମନାଥାଏ । ବିନା ବନ୍ଧୁକରେ ଚିତାବାଘ ମୁହଁରୁ ଶିକାର ଛଡ଼ାଇ ଆଣିବା ସମ୍ଭବ ବୋଲି ସେ ମାନିବାକୁ ରାଜି ହେଲେ ନାହିଁ । (ପୂର୍ବ ଅଭିଯାନର ଅନୁଭୂତି ପରେ କେଉଁ ପରିସ୍ଥିତିରେ ବନ୍ଧୁକ ବ୍ୟବହାର କରିବାକୁ କୁହାଯିବ ନ ଜାଣି ମୁଁ ଏଥର ରାଇଫଲ ଛାଡ଼ି ଆସିଥାଏ । ଫ୍ରେଡି ଏଠାରେ ପୋଲିସ ବନ୍ଧୁକ ବିଷୟ କହୁଥିଲେ । ) ମୋ କଥାକୁ ଅସଙ୍ଗତ ବୋଲି ଉଡ଼ାଇ ଦେଇ ସେ ମୋତେ ଯିବାକୁ ଅନୁମତି ଦେଲେ ନାହିଁ ।

 

ମନରେ ଦୁଃଖ ଓ ପେଟରେ ଭୋକ ଫେରିଆସି ନିଜ ଜାଗାରେ ଶୋଇଲି । ଜନ୍ତୁଜଗତ ଭାଷା ଯିଏ ଶିଖି ନାହିଁ, ବନ୍ୟଜନ୍ତୁଙ୍କ ସ୍ୱରସୂଚନା ତା’କୁ କେମିତି ବୁଝାଇବି ? ହରିଣର ସ୍ୱରରେ ମଣିଷକୁ ଦେଖିବାର କୌଣସି ସଙ୍କେତ ନ ଥିଲା–ତାଙ୍କ ପଲରୁ ଗୋଟିକୁ ଚିତାବାଘ ମାରିଦେଉଛି ବୋଲି ସେ ସ୍ପଷ୍ଟ ଭାବେ ଘୋଷଣା କରୁଥିଲା–ଏ କଥା ଅନଭିଜ୍ଞ ଲୋକକୁ କହିଲେ ସେ କାହିଁକି ବା ବିଶ୍ଵାସ କରିବ ? ଚିତାବାଘ ମୁହଁରୁ ମୁଁ ଅନାୟାସରେ ଶିକାର ଛଡ଼ାଇ ଆଣି ପାରିବି ଓ ସେଥିରେ ବିପଦ କିଛି ପଡ଼ିବ ନାହିଁ–ଏ କଥା ତା’ର ପ୍ରତ୍ୟୟ ହେବ କିପରି ?

 

ରାତିର ବାକି ଅଂଶତକ ସୁରୁଖୁରରେ କଟିଗଲା । ବଡ଼ି ଭୋରରୁ ଉଇଣ୍ଡ୍‌ହାମ୍ ଓ ମୁଁ ହରଦ୍ୱାର ବାହାରିଲୁ । ଦୀର୍ଘ ପଦଯାତ୍ରା ପରେ ଭୀମ୍‌ଗୋଡ଼ାଠାରେ ଗଙ୍ଗା ପାରି ହୋଇ ବନ୍ଧ ପାଖ ବଙ୍ଗଳାରେ ପହଞ୍ଚିଲୁ ଓ ଶୀଘ୍ର ଖିଆପିଆ ସାରି ସନ୍ଧ୍ୟାବେଳଟି ମାଛ ମାରିବାରେ କଟାଇଲୁ । ଗଙ୍ଗାର ପ୍ରଶସ୍ତ ବକ୍ଷ ଉପରେ ସେହି ସୁନ୍ଦର ସନ୍ଧ୍ୟାଟି ଅନେକ କାଳଯାଏ ସ୍ମୃତିପଟରେ ଅଲିଭା ରହିବ ।

 

ପରଦିନ ସକାଳ । ଉଇଣ୍ଡ୍‌ହାମ୍ ନରେନ୍ଦ୍ର ନଗର ଯିବାକୁ ବାହାରି ଥାଆନ୍ତି । ମୋ ବନ୍ଧୁମାନେ ତେଣେ ଉପାସ ଥିବେ ଜାଣି ଫେରିବା ପୂର୍ବରୁ ସେମାନଙ୍କ ପାଇଁ କିଛି ଖାଇବା ଜିନିଷ ମୁଁ ଯୋଗାଡ଼ କରୁଥାଏ । ଏତିକିବେଳେ ଜଣେ ଧାଉଡ଼ିଆ ଆସି ଖବର ଦେଲା ଯେ ଫ୍ରେଡି ସୁଲ୍‌ତାନାକୁ ବନ୍ଦୀ କରିଛନ୍ତି ।

 

ସୁଲ୍‌ତାନା ତା’ ଅନୁଚରଙ୍କ ସହିତ ସନ୍ଧ୍ୟାରେ ଫେରିଲା । ରାତିରେ ପୋଲିସ ଦଳ ଗୋଶାଳାକୁ ଘେରିଗଲେ । ଫ୍ରେଡି ଅତି ସନ୍ତର୍ପଣରେ ଭିତରକୁ ପଶିଲେ ଓ ସବୁଠାରୁ ବଡ଼ ବଖରାରେ ଦଉଡ଼ିଆ ଖଟରେ ଜଣେ କେହି ଘୋଡ଼ି ହୋଇ ଶୋଇଥିବା ଦେଖି ତା’ ଉପରେ ଯାଇ ବସି ପଡ଼ିଲେ । ଫ୍ରେଡିଙ୍କର ଦୁଇ ଶହ ଚୌରାଅଶି ପାଉଣ୍ଡ ଓଜନରେ ସୁଲ୍‌ତାନା ହଲଚଲ ମଧ୍ୟ ହୋଇ ପାରିଲା ନାହିଁ । ପୂର୍ବରୁ ସେ ସଙ୍କଳ୍ପ କରିଥିଲା ଯେ ଜୀବିତାବସ୍ଥାରେ କେହି ତା’କୁ ବନ୍ଦୀ କରି ପାରିବ ନାହିଁ । ସଙ୍କଳ୍ପ ପୂର୍ଣ୍ଣ କରିବା ତ ଦୂର କଥା, ଫ୍ରେଡିଙ୍କ ଚାପରେ କାବୁ ହୋଇ ସେ ପ୍ରତିରୋଧ ମଧ୍ୟ କରି ପାରିଲା ନାହିଁ । ସେ ବଖରାରେ ଶୋଇଥିବା ମୋଟ ଛଅ ଜଣ ଡକାୟତଙ୍କ ଭିତରୁ ସୁଲ୍‌ତାନା ସମେତ ଚାରିଜଣ ଧରା ପଡ଼ିଲେ । ଦଳର ଦୁଇଜଣ ଉପନେତା ବାବୁ ଓ ପହଲବାନ୍ ପୋଲିସ ଘେର ଭାଙ୍ଗି ପଳାଇ ଗଲେ ।

 

ସୁଲ୍‌ତାନା ଘଟାଇଥିବା ହତ୍ୟାକାଣ୍ଡ ଗୁଡ଼ିକର ଠିକ୍ ହିସାବ ମୋତେ ଜଣାନାହିଁ । ତା’ ଦଳରୁ ଜଣେ ଲାମାଚୁର ଗାଁର ସେ ସାହସୀ ପ୍ରଜାଟିକୁ ହତ୍ୟା କରିଥିବା ଅଭିଯୋଗରେ ତା’ ବିରୁଦ୍ଧରେ ମୋକଦ୍ଦମା ଦାଏର ହେଲା । ଦଣ୍ଡିତ ହୋଇ କାରାବାସରେ ଥିବାବେଳେ ସୁଲ୍‌ତାନା ଫ୍ରେଡିଙ୍କୁ ଡକାଇ ପଠାଇଲା । ନଜିବାବାଦ୍ ଦୁର୍ଗରେ ତା’ ସ୍ତ୍ରୀ ଓ ପୁଅଟିଏ ଭାର ସେ ଫ୍ରେଡିଙ୍କ ଉପରେ ଅର୍ପଣ କଲା ଓ ତା’ର ଅତି ଆଦରର କୁକୁରଟି ତାଙ୍କୁ ଉପହାର ଦେଲା । ଏ ଦାୟିତ୍ଵ ଓ ଉପହାର ଫ୍ରେଡି ସମ୍ମାନ ସହ ଗ୍ରହଣ କରିଥିଲେ । ସୁଲ୍‌ତାନା ପରିବାରର ରକ୍ଷଣାବେକ୍ଷଣା କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଅତି ନିଷ୍ଠାର ସହିତ ସେ ତାହା ପୂରଣ କରିଥିଲେ ।

 

କେତେମାସ ପର କଥା । ଫ୍ରେଡିଙ୍କୁ ପଦୋନ୍ନତି ଦିଆଯାଇଥାଏ । ମହାମାନ୍ୟ ସମ୍ରାଟ ତାଙ୍କୁ ସି. ଆଇ. ଇ. ଉପାଧିରେ ଭୂଷିତ କରିଥାଆନ୍ତି । ଭାରତୀୟ ପୋଲିସ ବିଭାଗରେ କେହି ଏତେ ଅଳ୍ପ ବୟସରେ ଏ ଉପାଧି ପାଇ ନ ଥିଲେ ଏହାର ଠିକ୍ ପରେ ପରେ ବାର୍ଷିକ ପୋଲିସ ସପ୍ତାହ ଉପଲକ୍ଷେ ଫ୍ରେଡି ମୋରାଦାବାଦ୍ ଯାଇଥାଆନ୍ତି । କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶର ସବୁ ପୋଲିସ ଅଫିସରଙ୍କ ପାଇଁ ରାତ୍ରିଭୋଜନ ଆୟୋଜନ ହୋଇଥାଏ । ଖିଆପିଆ ଚାଲିଥିବା ବେଳେ ଜଣେ ପରିଚାରକ ଫ୍ରେଡିଙ୍କୁ ଖବର ଦେଲା ଯେ ତାଙ୍କ ଅର୍ଦ୍ଦଳି ତାଙ୍କୁ ଦେଖା କରିବାକୁ ଚାହେଁ । ସୁଲ୍‌ତାନା ବିରୁଦ୍ଧରେ ଅଭିଯାନ ଚାଲିଥିବା ବେଳେ ଏ ଅର୍ଦ୍ଦଳି ଫ୍ରେଡିଙ୍କ ପାଖେ ପାଖେ ଥିଲା । ସେଦିନ ସନ୍ଧ୍ୟାରେ ଫୁରୁସତ ପାଇ ଲୋକଟି ମୋରାଦାବାଦ୍ ଷ୍ଟେସନ ଆଡ଼େ ବୁଲି ଯାଇଥିଲା । ସେତିକିବେଳେ ଗାଡ଼ି ପହଞ୍ଚିଯିବାରୁ ସେ ଅଟକି ରହି ଯାତ୍ରୀ ଗହଳିକୁ ଲକ୍ଷ୍ୟ କରୁଥାଏ । ପାଖର ଗୋଟିଏ ରେଳ ଡବାରୁ ଦୁଇଜଣ ଯାତ୍ରୀ ଓହ୍ଲାଇଲେ । ଜଣକ ନାକରେ ତୁଳା ଖଣ୍ଡେ ଲାଗିଥାଏ । ଆର ଯାତ୍ରୀଟି ତା’କୁ ତାଗିଦ୍ କରି ଦେବାରୁ ସେ ନାକରେ ରୁମାଲ ଦେଇ ଅପେକ୍ଷାଗାରରେ ପଶିଗଲା । ଅର୍ଦ୍ଦଳି ତାଙ୍କ ପଛେ ପଛେ ଚାଲିଲା । ଯାତ୍ରୀ ଦୁହେଁ ଗୋଟିଏ କୋଣରେ ଯାଇ ବସିଲେ-। ପାଖରେ ଗୁଡ଼ିଏ ମାଲପତ୍ର ଜମା କରି ସେମାନେ ସ୍ଥିର ହୋଇ ବସିଛନ୍ତି ଦେଖି ଅର୍ଦ୍ଦଳି ଏକା ଗାଡ଼ିଟିଏ ଧରି ଫ୍ରେଡିଙ୍କୁ ଆସି ଖବର ଦେଲା ।

 

ବାବୁ ଓ ପହଲବାନ୍ ପୋଲିସ ଘେର ଭାଙ୍ଗି ପଳାଇବା ବେଳେ ତାଙ୍କୁ ଲକ୍ଷ୍ୟ କରି କେତେ ଚୋଟ ଗୁଳି ମରା ଯାଇଥିଲା । ଏହାର ଠିକ୍ ପରେ ପରେ ଜଣେ ଲୋକ ଚିକିତ୍ସା ପାଇଁ ନଜିବାବାଦ୍‌ର ଏକ ଛୋଟ ଡାକ୍ତରଖାନାରେ ହାଜର ହୋଇ କହିଲା ଯେ ତା’ ନାକକୁ କୁକୁର କାମୁଡ଼ି ଦେଇଛି । କମ୍ପାଉଣ୍ଡର ଘାଆ ଧୋଇ ପଟି ବାନ୍ଧିଥିଲେ । ଘାଆଟି ଛୁର୍‍ରା ମାଡ଼ଦ୍ୱାରା ହୋଇଛି ବୋଲି ସନ୍ଦେହ ହେବାରୁ କମ୍ପାଉଣ୍ଡର ଏ ବିଷୟ ପୋଲିସଙ୍କୁ ଜଣାଇ ଥିଲେ । ସୁଲ୍‌ତାନା ଦଳର ଅଧିକାଂଶ ହତ୍ୟାକାଣ୍ଡ ବାବୁ ଓ ପହଲବାନ୍ ଘଟାଇ ଥାଆନ୍ତି । ଏହି କୁଖ୍ୟାତ ଡାକୁ ଦୁହିଁଙ୍କୁ ଧରିବା ପାଇଁ ଉତ୍ତର ପ୍ରଦେଶର ପୋଲିସ ସଜାଗ ଥାଆନ୍ତି । ନାକରେ ଆଘାତ ପାଇଥିବା ଜଣେ ବ୍ୟକ୍ତିକୁ ଧରିବାକୁ ଜାଗତିଆର ହୋଇ ରହିବା ପାଇଁ ସମସ୍ତଙ୍କୁ ସତର୍କ କରାଯାଇଥାଏ ।

 

ଅର୍ଦ୍ଦଳି ଠାରୁ ଏ ଖବର ଶୁଣି ଫ୍ରେଡି ଗାଡ଼ି ନେଇ ଷ୍ଟେସନକୁ ଛୁଟିଲେ । ଫ୍ରେଡି ବେଗରେ ଗାଡ଼ି ଚଳାଇବା ବେଳେ ତାଙ୍କ ଗତିକୁ “ଛୁଟିବା” ଛଡ଼ା ଆଉ କିଛି କହି ହେବ ନାହିଁ । ସେତେବେଳେ ରାସ୍ତାର ଲୋକବାକ, ଗାଡ଼ି ଘୋଡ଼ା, ବାଙ୍କ ମୋଡ଼ ଆଦି କିଛି ସେ ମାନନ୍ତି ନାହିଁ । ଷ୍ଟେସନରେ ପହଞ୍ଚିବା ମାତ୍ରେ ଅପେକ୍ଷାଗାରର ପ୍ରତ୍ୟେକ ଦ୍ୱାରରେ ପ୍ରହରୀ ଜଗାଇ ଦେଇ ଭିତରକୁ ପଶି ସେ ଯାତ୍ରୀ ଦୁହିଁଙ୍କୁ ପରିଚୟ ପଚାରିଲେ । ଦୁହେଁ ଉତ୍ତର ଦେଲେ ଯେ ସେମାନେ ବେପାରୀ–ବରେଲୀରୁ ପଞ୍ଜାବ ଯାଉଛନ୍ତି । ଯେଉଁ ଗାଡ଼ିରେ ସେମାନେ ଆସିଥିଲେ, ସେଇଟି ମୋରାଦାବାଦ୍‌ରେ ଯାତ୍ରା ଶେଷ କରେ । ପଞ୍ଜାବ ଯିବାକୁ ସେମାନେ ଏ ଗାଡ଼ି କାହିଁକି ଧରିଲେ ବୋଲି ପଚାରିବାରୁ ଜଣେ କହିଲା ଯେ ବରେଲି ଷ୍ଟେସନରେ ଏକ ସମୟରେ ଦୁଇଟି ଗାଡ଼ି ଛିଡ଼ା ହୋଇଥିଲେ । ସେମାନେ ଭୁଲରେ ମୋରାଦାବାଦ୍ ଗାଡ଼ିରେ ଚଢ଼ି ଯାଇଛନ୍ତି । ପଞ୍ଜାବକୁ ଗାଡ଼ି ପାଇବା ପାଇଁ ଏଠାରେ ତାଙ୍କୁ ସକାଳ ଯାଏ ଅପେକ୍ଷା କରିବାକୁ ହେବ । ସେମାନେ ସେ ପର୍ଯ୍ୟନ୍ତ କିଛି ଖାଇ ନାହାନ୍ତି ବୋଲି ପ୍ରକାଶ କରିବାକୁ ଫ୍ରେଡି ଦୁହିଁଙ୍କୁ ଖାଇବା ପାଇଁ ନିମନ୍ତ୍ରଣ କଲେ । ଟିକିଏ ଇତସ୍ତତଃ ହେବା ପରେ ଦୁହେଁ ଆସି ମୋଟରରେ ବସିଲେ ।

 

ଯାତ୍ରୀ ଦୁହେଁ ପଛରେ ବସିଥାଆନ୍ତି । ଧୀରେ ଧୀରେ ଗାଡ଼ି ଚଳାଇ ଫ୍ରେଡି ତାଙ୍କୁ ନାନା ବିଷୟ ଖୋଳିତାଡ଼ି ପଚାରୁଥାଆନ୍ତି । ପ୍ରତ୍ୟେକ ପ୍ରଶ୍ନର ଉପଯୁକ୍ତ ଉତ୍ତର ସଙ୍ଗେ ସଙ୍ଗେ ମିଳୁଥାଏ । ରାତିରେ ଷ୍ଟେସନରୁ ଯାତ୍ରୀଙ୍କୁ ଜବରଦସ୍ତି ଧରି ନେବା ଏବଂ ଚୋର ତସ୍କରଙ୍କ ପାଇଁ ତାଙ୍କ ଜିନିଷପତ୍ର ସବୁ ପିଙ୍ଗିଦେଇ ଆସିବା କ’ଣ ସାହେବମାନଙ୍କ ରୀତି ବୋଲି ଯାତ୍ରୀ ଦୁହେଁ ଫ୍ରେଡିଙ୍କୁ ପ୍ରଶ୍ନ କଲେ । ଫ୍ରେଡିଙ୍କ ମନକୁ ଏଣେ ପାପ ଛୁଇଁଲାଣି । ମୋରାଦାବାଦ୍ ଜେଲରେ ସୁଲ୍‌ତାନାର ଅନୁଚରମାନେ ଏ ଦୁହିଁଙ୍କୁ ଯଦି ଚିହ୍ନଟ ନ କରନ୍ତି, ତେବେ ଏକ ଗୁରୁତର ସମସ୍ୟାର ସୂତ୍ରପାତ ହେବ । ବିନା ପରବାନାରେ ଷ୍ଟେସନରୁ ଦୁଇଜଣ ଯାତ୍ରୀଙ୍କୁ ଧରି ନେବା “ପୋଲିସ୍ ଜୁଲୁମ” ବୋଲି ଆଖ୍ୟା ଦିଆଯାଇ ନାନା କନ୍ଦଳ ଆରମ୍ଭ ହୋଇଯିବ । ଏସବୁ ସେ ଭାବୁ ଭାବୁ ବଙ୍ଗଳା ଫାଟକ ପାଖରେ ଗାଡ଼ି ଅଟକିଲା ।

 

ଫ୍ରେଡିଙ୍କୁ କୁକୁରମାନେ ଖୁବ୍ ଭଲ ପାଆନ୍ତି । ଇତି ମଧ୍ୟରେ ସୁଲ୍‌ତାନାର କୁକୁରଟି ତାଙ୍କ ପ୍ରତି ବଡ଼ ଅନୁରକ୍ତ ହୋଇ ପଡ଼ିଥାଏ । ଗାଡ଼ି ଅଟକିବା ମାତ୍ରେ କୁକୁର ବଙ୍ଗଳାରୁ ଧାଇଁ ଆସିଲା । ହଠାତ୍ ଯାତ୍ରୀ ଦୁହିଁଙ୍କୁ ଦେଖି ଦେଇ ସେ ଥତମତ ହୋଇ ଅଟକିଗଲା ଓ ତା’ପରେ ସେମାନଙ୍କ ଉପରକୁ କୁଦି ପଡ଼ି ଆନନ୍ଦରେ ଲାଙ୍ଗୁଳ ହଲାଇ ସ୍ୱାଗତ ଜଣାଇଲା । ଯାତ୍ରୀ ଦୁହେଁ ପରସ୍ପର ମୁହଁକୁ ଅନାଇଲେ । ତା’ପରେ କୁକୁରର ମୁଣ୍ଡ ଆଉଁସି ଦେଇ ପହଲବାନ୍ କହିଲା, “ଏ ସଚ୍ଚୋଟ ସାକ୍ଷୀ ଆଗରେ ଆଉ ମିଛ କହି ଲାଭ ନାହିଁ ସାହେବ !”

 

ସମାଜ ଅପରାଧୀଙ୍କ ଠାରୁ ରକ୍ଷା ପାଇବାକୁ ଚାହେଁ । ସୁଲ୍‌ତାନା ଥିଲା ଅପରାଧୀ । ଦେଶର ଦଣ୍ଡବିଧି ଅନୁଯାୟୀ ତା’ର ବିଚାର ହେଲା । ଦୋଷୀ ସାବ୍ୟସ୍ତ ହୋଇ ସେ ଫାଶି ପାଇଲା-। ମୁଁ କିନ୍ତୁ ତା’କୁ ପ୍ରଶଂସା ନ କରି ରହିପାରୁ ନାହିଁ । ଦୀର୍ଘ ତିନିବର୍ଷ ଧରି ଏହି ସାମାନ୍ୟ ଲୋକଟି ପ୍ରତାପୀ ସରକାରଙ୍କ ପରାକ୍ରମକୁ ସମ୍ପୂର୍ଣ୍ଣ ବ୍ୟର୍ଥ କରି ଦେଇଥିଲା । ଫାଶି ଆସାମୀ ଭାବେ କାରାବାସରେ ଥିବାବେଳେ ତା’ର ସାହସିକ ଆଚରଣ ଯୋଗୁଁ ରକ୍ଷୀମାନେ ମଧ୍ୟ ତା’କୁ ସମ୍ମାନ କରୁଥିଲେ ।

 

ମୋକଦ୍ଦମା ବିଚାର ବେଳେ ସୁଲ୍‌ତାନାର ହାତ ଗୋଡ଼ରେ ବେଡ଼ି ପିନ୍ଧାଇ ତା’କୁ ଯେପରି ଭାବେ ପ୍ରଦର୍ଶନ କରାଗଲା, ତାହା ନ କରିଥିଲେ ହୁଏ ତ ଭଲ ହୋଇଥାଆନ୍ତା । ଯେଉଁମାନେ ତା’ ନାଁ ଶୁଣିଲେ ଦିନେ ଭୟରେ ଥରହର ହେଉଥିଲେ, ଅବସ୍ଥାର ସୁଯୋଗ ନେଇ ସେମାନେ ତା’କୁ ବିଦ୍ରୁପ କରିବାକୁ ଛାଡ଼ିଲେ ନାହିଁ । ତା’ ପ୍ରତି ଚରମ ଶାସ୍ତିବିଧାନ ହୋଇ ନ ଥିଲେ ମୁଁ ଖୁସି ହୋଇଥାନ୍ତି । ନିଜ ସମ୍ପ୍ରଦାୟରେ ଜନ୍ମିବାର ଅପରାଧ ଯୋଗୁଁ ଜନ୍ମରୁ ତା’ ଉପରେ “ଅପରାଧୀ” ବୋଲି କଳଙ୍କର ଦାଗ ଲଗାଇ ଦିଆଗଲା । ଏ ଜନ୍ମଗତ କଳଙ୍କରୁ ନିଜକୁ ମୁକ୍ତ କରିବା ପାଇଁ କେହି କେବେ ତା’କୁ ଅବକାଶ ବା ସୁଯୋଗ ଦେଇ ନ ଥିଲା । କ୍ଷମତାର ଶୀର୍ଷରେ ଥାଇ ଗରିବଙ୍କ ଉପରେ ସେ ଅତ୍ୟାଚାର କେବେ କରି ନ ଥିଲା । ପ୍ରଥମ ଅଭିଯାନରେ ତା’କୁ ଅନୁସରଣ କରି ସେଇ ବରଗଛ ପାଖରେ ପହଞ୍ଚିବା ବେଳେ ସେ ଇଚ୍ଛା କରିଥିଲେ ଆମକୁ ସହଜରେ ମାରି ଦେଇଥାଆନ୍ତା । ସେଦିନ ସେ ଆମକୁ ନ ମାରି ଛାଡ଼ିଦେଲା । ପରିଶେଷରେ, ଫ୍ରେଡିଙ୍କ ସହିତ ସାକ୍ଷାତ କରିବା ବେଳେ ଛୁରୀ ତରବାରୀ ଧରି ଆସିଲା ନାହିଁ । ତାଙ୍କ ହାତରେ ତରଭୁଜଟିଏ ଦେଇ ପରମଶତ୍ରୁକୁ ବନ୍ଧୁ ଭାବେ ସମ୍ଭାଷଣ କରିବାଦ୍ୱାରା ସାହସ ଓ ଉଦାରତାର ଯଥେଷ୍ଟ ପରିଚୟ ସେ ଦେଇଥିଲା ।

Image

 

Unknown

ଅନୁରକ୍ତି

 

ଘଣ୍ଟାକୁ ତିରିଶି ମାଇଲ ବେଗରେ ଡାକ ଗାଡ଼ି ଗାଙ୍ଗେୟ ଉପତ୍ୟକାରେ ଛୁଟି ଚାଳିଛି । ଭାରତର ଏହି ସର୍ବାପେକ୍ଷା ଉର୍ବର ଅଞ୍ଚଳ ସହିତ ମୁଁ ବହୁକାଳରୁ ପରିଚିତ । ସୂର୍ଯ୍ୟ ଉଦୟ ହେଲେଣି । ଦିଗନ୍ତବ୍ୟାପୀ ସୁନେଲି ଗହମ କ୍ଷେତ କଅଁଳିଆ ଖରାରେ ଝଲସି ଉଠୁଛି । ଅପ୍ରେଲ ମାସ–ଗହମ କଟା ସମୟ । ଲୋକେ ବଡ଼ି ସକାଳୁ ଆସି ଫସଲ କାଟିବାରେ ଲାଗି ପଡ଼ିଛନ୍ତି । ଗତବର୍ଷ ଭାରତରେ ଯେଉଁ ଦୁର୍ଭିକ୍ଷ ପଡ଼ିଥିଲା, ସେପରି ଭୟାବହ ଦୁର୍ଭିକ୍ଷ ଏ ଦେଶରେ କ୍ଵଚିତ୍ ଦେଖାଯାଏ । ଦେଶବ୍ୟାପୀ ଏହି ଦାରୁଣ ବିପତ୍ତିରୁ ଏ ଉର୍ବର ଅଞ୍ଚଳ ମଧ୍ୟ ରକ୍ଷା ପାଇ ନ ଥିଲା । ଗାଁ ଗଣ୍ଡାରେ ଲୋକେ ସେତେବେଳେ ଗଛ ବକଳ ଖାଇ ଚଳୁଥିବା ମୁଁ ଦେଖିଛି । ଭୋକ ବିକଳରେ କିଏ ପଡ଼ିଆରୁ ଘାସମଞ୍ଜି ଓଳାଇ ଆଣି ଖାଇଲା । କେହି ଅରମାରୁ କୋଳି ଗୋଟାଇ ଜୀବନ ବଞ୍ଚାଇଲା । ଯୋଗକୁ ଶୀତ ଦିନେ ଭଲ କେଇ ଅସ୍ରା ବର୍ଷା ହୋଇ ଶୁଖିଲା ଫଟା ଭୂଇଁ ପୁଣି ଥରେ ଫସଲରେ ହସି ଉଠିଲା । ବର୍ଷେ କାଳ ଭୋକ ଉପାସରେ କାଟି ଚାଷୀମାନେ ଏବେ ମହା ଆନନ୍ଦରେ ନୂଆ ଫସଲ ଆଦାୟ କରିବାରେ ଲାଗିଛନ୍ତି । ରାତି ନ ପାହୁଣୁ ସେମାନେ ମୂଲିଆ କୋଠିଆ ଧରି ବିଲରେ ହାଜର । ସମସ୍ତ କାମରେ ବ୍ୟସ୍ତ । ନିଶ୍ୱାସ ମାରିବାକୁ କାହାକୁ ତର ନାହିଁ । ମୁଲିଆଣୀମାନେ ଗହମ କଟିବାରେ ଲାଗିଛନ୍ତି । ସେମାନଙ୍କ ଭିତରୁ ଅଧିକାଂଶଙ୍କର ନିଜର ଜମିବାଡ଼ି ନାହିଁ । ଗହମ ପାଚିଲେ ସେମାନେ ଗାଁ ଗାଁ ବୁଲି ମୂଲ ଲାଗନ୍ତି । ବଡ଼ି ଭୋରରୁ ମୁହଁ ସଞ୍ଜଯାଏ ଫସଲ କଟା ଚାଲେ । ଦିନ ଭିତରେ ଯାହା କଟା ହୁଏ, ସ୍ଥାନ ବିଶେଷରେ ତା’ର ବାର ଭାଗ ବା ଷୋହଳ ଭାଗରୁ ଭାଗେ ମୁଲିଆଣୀଙ୍କୁ ମୂଲ ଦିଆଯାଏ ।

 

ବିସ୍ତୀର୍ଣ୍ଣ ଏହି ଅଞ୍ଚଳରେ ଦୃଷ୍ଟିରୋଧ କାରିବା ଭଳି ବନ୍ଧବାଡ଼ କିଛି ନାହିଁ । ଗୋଟିଏ ହେଲେ କୃଷିଯନ୍ତ୍ର କେଉଁଠାରେ ଦେଖାଯାଉ ନାହିଁ । ଏଠାକାର ବାସିନ୍ଦାମାନେ ଯତ୍ରଯୁଗରୁ ବହୁ ଦୂରରେ । କେତେ ଯୁଗ ତଳର ପ୍ରାଚୀନ ସରଞ୍ଜାମ ଦ୍ୱାରା ଚାଷବାସ କରିବାରେ ସେମାନେ ଅଭ୍ୟସ୍ତ । ଆବହମାନ କାଳର ସେଇ ପୁରୁଣା ଲଙ୍ଗଳରେ ବଳଦ ହଳେ ଜୋଚି କେଇ ମାସ ତଳେ ଏଠାରେ ହଳ ବୁଲାଯାଇଥିଲା । ଫସଲ କାଟିବା ପାଇଁ ଏହି ଅଠର ଇଞ୍ଚ ଲମ୍ଵ ଦାଆଟି ମାନ୍ଧାତା ଅମଳରୁ ଚଳିଆସୁଛି । ପାଳ ଦଉଡ଼ିରେ କଳେଇ ବନ୍ଧା ହୋଇ ବଳଦଗାଡ଼ିରେ ଖଳାକୁ ବୁହାଚାଲିଛି-। ଖଳାଟି ପୂର୍ବରୁ ଗୋବରରେ ଲିପାପୋଛା ହୋଇ ନିର୍ମଳ ହୋଇଥିଲା । ମେରୁଖୁଣ୍ଟରେ ଧାଡ଼ିଏ ବଳଦ ବାନ୍ଧି ଏବେ ସେଥିରେ ବେଙ୍ଗଳା ବୁଲା ଆରମ୍ଭ ହୋଇଗଲାଣି । କେତୋଟି କ୍ଷେତରୁ ଗହମ କଟା ସରିଛି । ଥୁଣ୍ଟା ଖାଇବା ପାଇଁ ଗାଁ ପିଲାଏ ସେଥିରେ ଗୋରୁ ପୂରାଇଛନ୍ତି । ବୁଢ଼ୀମାନେ ଗୋରୁଗୋଠରେ ଗଳି ପଶି କ୍ଷେତ ଓଳାଇ ଗହମ ଗୋଟାଉଛନ୍ତି । ଝଡ଼ାଝଡ଼ିରୁ ଯାହା ମିଳିବ ସେଥିରୁ ଅଧେ କ୍ଷେତବାଲାର । ବାକି ସେରେ ଅଧେ ଗହମ ନେଇ ସେମାନେ ଘରକୁ ଫେରିବେ ।

 

ଗାଙ୍ଗେୟ ଅବବାହିକାରେ ଦୀର୍ଘ ଛତିଶ ଘଣ୍ଟା ମୋତେ ଯାତ୍ରା କରିବାକୁ ପଡ଼ିବ । ଖିଆପିଆର ସୁବିଧା ପାଇଁ ଗାଡ଼ି ଠିକ୍ ସମୟରେ ଠିକ୍ ଜାଗାରେ ଅଟକିବ । ଡବାରେ ମୋ ଛଡ଼ା ଆଉ କେହି ନାହାନ୍ତି । ପୂରା ଡବାଟି ଉପରେ ମୋର ଅବାଧ ଅଧିକାର । ବାହାରେ ଗାଙ୍ଗେୟ ଉପତ୍ୟକାର ସୁନ୍ଦର ଦୃଶ୍ୟ । ଅନ୍ୟ ସମୟରେ ଓ ଭିନ୍ନ ପରିସ୍ଥିତିରେ ଏ ଯାତ୍ରା ମୋତେ କେତେ ଆନନ୍ଦ ଦେଇ ନ ଥାନ୍ତା ! ସେଦିନ କିନ୍ତୁ ମୋତେ ବଡ଼ ଅସ୍ଥିର ଲାଗୁଥାଏ । ମୋ ଆସନ ତଳେ ଲୁହା ବାକ୍‌ସରେ ଦୁଇଶହ ଟଙ୍କା ଥଳୀରେ ବନ୍ଦ ହୋଇ ରହିଥାଏ । ପାଖରେ ଥିଲେ ମଧ୍ୟ ସେ ଟଙ୍କାତକ ମୋର ନ ଥିଲା । ସେଇ ଟଙ୍କା ବିଷୟରେ ନାନା ଦୁଶ୍ଚିନ୍ତା ସେଦିନ ମୋ ମନରେ ଖେଳୁଥାଏ ।

 

ଅଠର ମାସ ପୂର୍ବେ ଏଇ ରେଳବାଇରେ ଜାଳ–ନିରୀକ୍ଷକ (Fuel Inspector) ରୂପେ ମୁଁ ନିଯୁକ୍ତି ପାଇଥିଲି । ସ୍କୁଲରୁ ବାହାରି ସିଧାସଳଖ ଚାକିରିରେ ଯୋଗ ଦେଲି । ତା’ପରେ ଅଠର ମାସ କାଳ ଜଙ୍ଗଲରେ ଏକାକୀ ରହି କାଠ କଟାଇବାକୁ ପଡ଼ିଲା । ସେକାଳେ ରେଳ ଇଞ୍ଜିନରେ କାଠଜାଳ ବ୍ୟବହୃତ ହେଉଥିଲା । ଏଥିପାଇଁ ପାଞ୍ଚଲକ୍ଷ ଘନ ଫୁଟ ଜାଳେଣି କାଠ ଯୋଗାଇବା ଥିଲା ମୋର କାମ । ଗଛକଟା ହୋଇ ଗଣ୍ଡିଗୁଡ଼ିକୁ ଛତିଶ ଇଞ୍ଚ ଲମ୍ବରେ ଗଡ଼ି କରାହୁଏ । ବଳଦଗାଡ଼ିରେ ଗଡ଼ିଗୁଡ଼ିକ ଲଦି ଦଶ ମାଇଲ ଦୂର ରେଳ ମୁଣ୍ଡରେ ପହଞ୍ଚାଇବାକୁ ପଡ଼େ । ସେଠାରେ ଥାକ ମରା ହୋଇ ମାପିଚୁପ ହେବା ପରେ ତାହା ସ୍ୱତନ୍ତ୍ର ମାଲ ଗାଡ଼ିରେ ବୋଝାଇ ହୋଇ ଦରକାର ମୁତାବକ ବିଭିନ୍ନ ରେଳଷ୍ଟେସନମାନଙ୍କୁ ଯୋଗାଇ ଦିଆଯାଏ ।

 

ଜଙ୍ଗଲରେ ଏକାକୀ ଅଠର ମାସ କାଟିବାକୁ କିଛି ଅସୁବିଧା ହେଲା ନାହିଁ । ମୋର ସ୍ୱାସ୍ଥ୍ୟ ଭଲ ରହୁଥାଏ । କଠିନ ପରିଶ୍ରମ ପଡ଼େ ସତ କିନ୍ତୁ ସେଥିରୁ ମୋତେ ଆନନ୍ଦ ମିଳେ । ଜଙ୍ଗଲରେ ହରିଣ, ଚାରିଶିଙ୍ଘା ମିରିଗ, ବାର୍‌ହା, ମୟୂର ଆଦି ପଶୁପକ୍ଷୀଙ୍କ ଅଭାବ ନ ଥାଏ । ଜଙ୍ଗଲ ସୀମାରେ ଥିବା ନଈଟିରେ ବିଭିନ୍ନ ରକମ ମାଛ, କୁମ୍ଭୀର ଓ ଅଜଗର ସାପ ବହୁ ସଂଖ୍ୟାରେ ମିଳନ୍ତି । ଦିନସାରା କାମରୁ ଫୁରସତ୍ ନ ଥାଏ । ଶିକାର କରିବାକୁ ବା ମାଛ ମାରିବାକୁ କେବଳ ରାତିରେ ସମୟ ମିଳେ । ଦିନ ଶିକାର ଓ ରାତି ଶିକାର ଭିତରେ କିନ୍ତୁ ଅନେକ ପ୍ରଭେଦ । ଅନ୍ଧାର ରାତିରେ ଲୁଚିଛପି ହରିଣ ବା ବାର୍‍ହାଙ୍କ ପାଖକୁ ଆଗେଇ ଯିବା ବେଶ୍ ସହଜ । କିନ୍ତୁ ରାଇଫଲ୍‍ର ମାଛି ଉପରେ ଜହ୍ନ ଆଲୁଅ ନ ପଡ଼ିଲେ ଲାଖ ଠିକ୍ ହେବା କଷ୍ଟକର । ରାତିରେ ମୟୂରଙ୍କୁ ତାଙ୍କ ବସାରେ ଖୋଜି ମାରିବାକୁ ହୁଏ । ଏହାକୁ ଶିକାର ନ କହି ହତ୍ୟା କହିଲେ ଅତ୍ୟୁକ୍ତି ହେବ ନାହିଁ । କିନ୍ତୁ ସେଇ ଅଠର ମାସ କାଳ ଏହା କରିବା ଛଡ଼ା ମାଂସ ପାଇବାର ଅନ୍ୟ ଉପାୟ ନ ଥିଲା । ତାହା ପୁଣି କେବଳ ଜହ୍ନ ରାତିରେ ସମ୍ଭବ ହୁଏ । କୃଷ୍ଣପକ୍ଷ ସାରା ମୋତେ ପୂରା ନିରାମିଷାଶୀ ହେବାକୁ ପଡ଼େ ।

 

ଜଙ୍ଗଲ ପଦା ହେବାରୁ ବନ୍ୟଜନ୍ତୁଙ୍କ ସ୍ୱାଭାବିକ ଜୀବନରେ ନାନା ବ୍ୟାଘାତ ଘଟିଲା । ମାତୃହରା କେତେ ପଶୁଶାବକ ନିରାଶ୍ରୟ ହୋଇ ଏଣେ ତେଣେ ଘୁରି ବୁଲିଲେ । ସେମାନଙ୍କ ଲାଳନପାଳନ ଦାୟିତ୍ୱ ଶେଷରେ ମୋ ଉପରେ ପଡ଼ିଲା । ଛୋଟ ମୋ ତମ୍ବୁଟିର ଗୋଟିଏ ପାଖ ମୁଁ ସେମାନଙ୍କ ପାଇଁ ଛାଡ଼ିଦେଲି । ତମ୍ବୁରେ ଏକ ସମୟରେ କଳା ଓ ଧୂସରରଙ୍ଗର ଦୁଇଦଳ ଚକୋର ଚଢ଼େଇ, ଚାରୋଟି ମୟୂରଛୁଆ, ଦୁଇଟି ଠେକୁଆଛୁଆ ଓ ଚାରିଶିଙ୍ଘା ମିରିଗଛୁଆ ଦୁଇଟି ଏକାଠି ରହୁଥାଆନ୍ତି । ଭିତରେ ଭାରି ଗହଳି ହେଉଥାଏ । ଏଇ ସମୟରେ ଦିନେ ତମ୍ବୁରେ ଅଜଗର ସାପ “ରେକ୍‍ସ”ର ଆବିର୍ଭାବ ହେଲା । ସେଦିନ ରାତି ଘଡ଼ିଏ ବେଳକୁ ତମ୍ବୁକୁ ଫେରି ଛୁଆଗୁଡ଼ିକୁ ଦୁଧ ପିଆଇବା ବେଳେ କୋଣରେ କ’ଣ ଗୋଟାଏ ଚକ୍ ଚକ୍ କରୁଥିବା ଦେଖିଲି । ମିରିଗଛୁଆ ଦୁଇଟିଙ୍କ ପାଇଁ ସେଠାରେ ନଡ଼ାର ଶେଯଟିଏ ବିଛା ହୋଇଥିଲା । ଲଣ୍ଠଣ ଟେକି ଦେଖେ ଯେ ଇତିମଧ୍ୟରେ ଅଜଗର ସାପଟାଏ ଆସି ସେଥିରେ ଚକା ମାଡ଼ି ଶୋଇଛି । ଛାନିଆରେ ପ୍ରଥମେ ଛୁଆଗୁଡ଼ିକୁ ଗଣତି କରି ପକାଇଲି । ସମସ୍ତେ ଠିକ୍ ଅଛନ୍ତି ଦେଖି “ରେକ୍‍ସ”କୁ ସେଠାରେ ଶୋଇବାକୁ ଛାଡ଼ିଦେଲି । ସେଦିନରୁ ଦୁଇ ମାସ ଯାଏ “ରେକ୍‍ସ” ତମ୍ବୁରେ ରହିଲା । ସକାଳୁ ସେ ଖରା ପୋଇଁବାକୁ ପଦାକୁ ଯାଏ । ଖରା ନଇଁଲେ ତମ୍ବୁକୁ ଫେରିଆସି ତା’ ଜାଗାରେ ଶୋଇପଡ଼େ । ଛୁଆଗୁଡ଼ିକର ସେ କେବେ କିଛି ଅନିଷ୍ଟ କରେ ନାହିଁ ।

 

ଛୁଆଗୁଡ଼ିକ ଟିକିଏ ପାରିଗଲେ ମୁଁ ତାଙ୍କୁ ଜଙ୍ଗଲରେ ନେଇ ଛାଡ଼ିଦିଏ । ଚାରିଶିଂଘା ମିରିଗଛୁଆଟିଏ ମୋତେ ଛାଡ଼ିବାକୁ ରାଜି ନ ହେବାରୁ ତା’କୁ ପାଖରେ ରଖିଲି । ତା’ ନାଁ “ଟିଡ୍‍ଲ୍‌ଡି ଉଇଙ୍କସ” ଦେଇଥାଏ । ଟିଡ୍‍ଲ୍‌ଡି ସବୁବେଳେ ମୋ ପାଖେ ପାଖେ ଥାଏ । କିଛିଦିନ ପରେ ସେଠାରୁ ଡେରା ଉଠାଇ ରେଳରାସ୍ତାର ଆହୁରି ନିକଟକୁ ଚାଲି ଆସିଲି । ଟିଡ୍‍ଲ୍‌ଡି ମୋ ସାଙ୍ଗରେ ଆସିଲା । ପିଲାଦିନୁ ମୋ ପାଖରେ ବଢ଼ିଥିବାରୁ ମଣିଷକୁ ସେ ଭୟ କରିବାକୁ ଶିଖି ନ ଥାଏ । ଏଥିପାଇଁ ଥରେ ତା’କୁ ଆଉ ଅଳ୍ପକେ ପ୍ରାଣ ହରାଇବାକୁ ପଡ଼ିଥାଆନ୍ତା ।

 

ଦିନେ ସନ୍ଧ୍ୟାରେ ତମ୍ବୁକୁ ଫେରି ଦେଖିଲି ଯେ ଟିଡ୍‍ଲ୍‌ଡି ମୋ ଖଟ ପାଖରେ ପଡ଼ିଛି । ତା’କୁ ତଳୁ ଉଠାଇ ନେଇ ଦେଖେ ଯେ ତା’ ଆଗଗୋଡ଼ ଦୁଇଟି ଆଣ୍ଠୁତଳୁ ପୂରା ଭାଙ୍ଗିଯାଇଛି ଓ ଭଙ୍ଗା ହାଡ଼ ଦୁଇଟା ଚମଡ଼ା ଫୁଟାଇ ପଦାକୁ ବାହାରିଛି । ଗଭୀର ମନସ୍ତାପରେ ଅନ୍ୟ ଉପାୟ ନ ପାଇ ତା’କୁ ଦୁଧ ଟିକିଏ ପିଆଉଥାଏ ଓ ଯନ୍ତ୍ରଣାରୁ ତା’କୁ ମୁକ୍ତ କରିବା ପାଇଁ ଯେଉଁ ନିର୍ମମ ପଦକ୍ଷେପ ନେବାକୁ ହେବ, ସେଥିପାଇଁ ମନରେ ସାହସ ବାନ୍ଧିବାକୁ ଚେଷ୍ଟା କରୁଥାଏ । ଏତିକିବେଳେ ଜଣେ ଲୋକକୁ ସଙ୍ଗରେ ନେଇ ମୋ ଚାକର ଆସି ପହଞ୍ଚିଲା । ଟିଡ୍‍ଲଡି‌ର ଏ ଅବସ୍ଥା ପାଇଁ ନିଜକୁ ଦାୟୀ କରି ଲୋକଟି ସବୁ କଥା ମୋତେ କହି ବସିଲା । କ୍ଷେତରେ ସେ କାମ କରୁଥିବା ବେଳେ ଟିଡ୍‍ଲ୍‌ଡି ତା’ ପାଖ ଯାଏ ନିର୍ଭୟରେ ଚାଲିଗଲା । ମିରିଗଛୁଆଟାଏ ଗୋଠଛଡ଼ା ହୋଇ ଜଙ୍ଗଲରୁ ପଳାଇ ଆସିଛି ଭାବି ଲୋକଟି ଠେଙ୍ଗାରେ ତା’କୁ ପାହାରେ ପିଟିଦେଇ ଧରିବା ପାଇଁ ଗୋଡ଼ାଇଲା । ଟିଡ୍‍ଲ୍‌ଡି ମୋ ତମ୍ବୁରେ ପଶିବା ପରେ ସେ ପୋଷା ମିରିଗ ବୋଲି ଲୋକଟିର ଚେତା ପଶିଲା । ମୁଁ ଫେରିବା ଆଗରୁ ସେଠାରୁ ପଳାଇଯିବା ପାଇଁ ମୋ ଚାକର ତା’କୁ ପରାମର୍ଶ ଦେଇଥିଲା । ସେଥିରେ ରାଜି ନ ହୋଇ ସେ ସାହସ ବାନ୍ଧି ମୁଁ ଆସିବା ଯାଏ ଅପେକ୍ଷା କରି ରହିଲା । ପରଦିନ ସକାଳୁ ଅସ୍ଥି ଚିକିତ୍ସା ଜାଣିଥିବା ତାଙ୍କ ଗାଁର ଜଣେ ବୈଦ୍ୟଙ୍କୁ ସେ ନେଇଆସିବ ବୋଲି କଥା ଦେଇ ଲୋକଟି ଚାଲିଗଲା । ନରମା ବିଛଣାଟିଏ ପାରି ଟିଡ୍‍ଲ୍‌ଡିକୁ ସେଥିରେ ଶୁଆଇ ଦେଲି । ରାତିସାରା ଉଜାଗର ରହି ତା’କୁ ଅଳ୍ପ ଅଳ୍ପ ଦୁଧ ପିଆଇବା ଛଡ଼ା ଆଉ କିଛି କରିବାକୁ ନ ଥିଲା ।

 

ପରଦିନ ପାହାନ୍ତାରୁ ବୈଦ୍ୟକୁ ନେଇ ଲୋକଟି ଫେରିଲା । ଭାରତରେ ଲୋକର ରୂପ ଭେକ ଦେଖି ତା’ ଗୁଣ ବିଚାର କରିବା ଠିକ ନୁହେଁ । ବୈଦ୍ୟଟି ଥୁରୁଥୁରିଆ ବୁଢ଼ା । ବେଶି କଥା ମଧ୍ୟ ସେ କହେ ନାହିଁ । ତା’ ଦୁର୍ବଳ ଦେହ ଓ ଛିଣ୍ଡା ମାଇଳା ଲୁଗା ଦାରିଦ୍ର୍ୟର ଯଥେଷ୍ଟ ପରିଚୟ ଦେଉଥାଏ । ନିଜ ବିଦ୍ୟାରେ ସେ କିନ୍ତୁ ବଡ଼ ପାରଙ୍ଗମ । ତା’ କହିବା ଅନୁସାରେ ଟିଡ୍‍ଲ୍‌ଡିକୁ ମୁଁ ତଳୁ ଉଠାଇ ଟେକି ଧରିଲି । ବୁଢ଼ା ସେହିଠାରେ ଛିଡ଼ା ହୋଇ କିଛି ସମୟ ତା’କୁ ଅନାଇ ଦେଖିଲା-। ତା’ପରେ ସେ ବୁଲିପଡ଼ି ଦୁଇ ଘଣ୍ଟାରେ ଫେରି ଆସିବ କହି ଚାଲିଗଲା ।

 

କେତେମାସ ଅବିଶ୍ରାନ୍ତ ପରିଶ୍ରମ ପରେ ସେଦିନ ସକାଳଟି କାମରୁ ଛୁଟି ନେବାକୁ ସ୍ଥିର କଲି । ବୈଦ୍ୟ ଫେରିବା ଭିତରେ ଜଙ୍ଗଲରୁ ଖୁଣ୍ଟି କେତୋଟି କାଟି ତମ୍ବୁ କୋଣରେ ଛୋଟ ଖୁଆଡ଼ଟିଏ ତିଆରି କଲି । ଖୁଆଡ଼ ତିଆରି ସରିବା ବେଳକୁ ବୁଢ଼ାଟି ଫେରିଆସିଲା । କେଇଖଣ୍ଡ କାଉଁରିଆ କାଠି, ବଡ଼ ବଡ଼ କେତୋଟି ଜଡ଼ା ପତ୍ର, କିଛି ବଟା ଔଷଧ ଓ କେରାଏ ବାଣି ଦଉଡ଼ି ଧରି ସେ ଆସିଥାଏ । ଖଟଧାରରେ ବସି ଟିଡ୍‍ଲ୍‌ଡିକୁ ଆଣ୍ଠୁ ଉପରେ ଟେକି ଧରି ତା’ ଆଗଗୋଡ଼ ଦୁଇଟି ମୁଁ ତଳକୁ ଝୁଲାଇ ରଖିଲି । ଚିକିତ୍ସାର ଉପକରଣ ସବୁ ହାତ ପାଖରେ ଥୋଇ ବୁଢ଼ା ମୋ ଆଗରେ ଭୂଇଁରେ ବସିଲା ।

 

ଟିଡ୍‍ଲ୍‌ଡିର ଦୁଇଟି ଗୋଡ଼ ମଝିରୁ ଭାଙ୍ଗିଯାଇ ମୋଡ଼ି ହୋଇ ରହିଥାଏ । ବୁଢ଼ା ପ୍ରଥମେ ମୋଡ଼ ଫିଟାଇ ଗୋଡ଼ ଦୁଇଟିକୁ ସିଧା କଲା ଓ ଆଣ୍ଠୁରୁ ଖୁରାଯାଏ ବଟା ଔଷଧର ମୋଟ ଲେପ ସେଥିରେ ଜଡ଼ା ପତ୍ରତକ ଛାପିଦେଲା । ତା’ଉପରେ କାଉଁରିଆ କାଠି କେଇ ଖଣ୍ଡ ସଜାଡ଼ି ରଖି ବାଣି ଦଉଡ଼ିରେ ଶକ୍ତ କରି ବାନ୍ଧିଲା । ପରଦିନ ସକାଳୁ ବୁଢ଼ା ପୁଣି ଆସି ହାଜର । କାଉଁରିଆର ଦୁଇଟି ତକ୍ତା ତିଆରି କରି ସେ ସଙ୍ଗରେ ଆଣିଥାଏ । ଟିଡ୍‍ଲ୍‌ଡିର ଗୋଡ଼ରେ ତାହା ଖଞ୍ଜି ଦେବା ପରେ ସେ ଆଣ୍ଠୁ ଭାଙ୍ଗିପାରିଲା ଓ ଖୁରାରେ ଭାର ଦେଇ ତଳେ ଖୋଜ ପକାଇଲା ।

 

ବୁଢ଼ାର ପାରିଶ୍ରମିକ ଗୋଟିଏ ଟଙ୍କା । ଚିକିତ୍ସା ସାମଗ୍ରୀଗୁଡ଼ିକର ଦାମ ଅଧିକା ଦୁଇ ଅଣା । ଏତିକି ଉପରେ ତା’କୁ କିଛି ବକ୍‌ସିସ୍ ଦେବାକୁ ମୁଁ ମନ କରିଥାଏ । ଆରମ୍ଭରୁ କିଛି ଗ୍ରହଣ କରିବାକୁ ବୁଢ଼ା କିନ୍ତୁ ନିହାତି ନାରାଜ । ଟିଡ୍‍ଲ୍‌ଡି ପୂରା ଭଲ ହୋଇ ପୁଣି ନାଚିବାକୁ ଖେଳିବା ପରେ ସେ ତା’ ପାଉଣାତକ ନେବାକୁ ମଙ୍ଗିଲା ।

 

ସେହି କର୍ମମୟ ମାସ କେତୋଟି ବେଶ୍ ଖୁସିରେ କଟିଗଲା । ସେଥି ମଧ୍ୟରେ ରେଳଇଞ୍ଜିନ୍‌ଗୁଡ଼ିକୁ କୋଇଲା ଜାଳ ପାଇଁ ପ୍ରବର୍ତ୍ତନ କରାଯାଇଥାଏ । ଜାଳେଣି କାଠର ଆଉ ଚାହିଦା ନ ରହିବାରୁ ରେଳବାଇ ସଦର ମହକୁମା ସମସ୍ତିପୁରରେ ହିସାବପତ୍ର ଦାଖଲ କରି ସାରି ନିଜ ପାଇଁ ନୂଆ ଚାକିରି ଖଣ୍ଡେ ଖୋଜିବା ଦରକାର ପଡ଼ିଲା । ସେଦିନ ମୁଁ ହିସାବପତ୍ର ନେଇ ଡାକ ଗାଡ଼ି ଯୋଗେ ସମସ୍ତିପୁର ଯାଉଥାଏ । କାଠକଟା ସରିବାକୁ ଅନ୍ତତଃ ଦୁଇବର୍ଷ ଲାଗିବ ବୋଲି ପୂର୍ବରୁ ଅଟକଳ ହୋଇଥିଲେ ସୁଦ୍ଧା ଅକ୍ଳାନ୍ତ ପରିଶ୍ରମ କରି ଅଠର ମାସରେ ମୁଁ ଲକ୍ଷ୍ୟପୂରଣ କରିଥାଏ । ମୋ ଖାତା ଖତିଆନରେ ହିସାବପତ୍ର ସବୁ ପୂରା ଠିକ୍ ଥାଏ । ଏସବୁ ପାଇଁ ଆତ୍ମସନ୍ତୋଷ ଆସିବା ସ୍ୱାଭାବିକ । ସେଦିନ କିନ୍ତୁ ମୋ ମନରେ ଆନନ୍ଦ ନ ଥାଏ । ନାନା ଦୁଶ୍ଚିନ୍ତାରେ ବଡ଼ ଅସ୍ଥିର ଲାଗୁଥାଏ । ଏ ଅଶାନ୍ତିର ଏକମାତ୍ର କାରଣ ଥିଲା ବାକ୍‍ସରେ ବନ୍ଦ ହୋଇ ରହିଥିବା ସେହି ଦୁଇଶହଟି ଟଙ୍କା ।

 

ଦିନ ନଅଟା ବେଳେ ସମସ୍ତିପୁରରେ ପହଞ୍ଚିଲି । ଜିନିଷପତ୍ର ଅପେକ୍ଷାଗାରରେ ରଖି ହିସାବଖାତା ଓ ଟଙ୍କା ଥଳୀଟି ନେଇ ବିଭାଗୀୟ ମୁଖ୍ୟଙ୍କ ଦପ୍ତରଖାନାରେ ପହଞ୍ଚିଲି । ବାହାରେ ଦରୱାନ୍ ଥାଟ ବଜାୟ ରଖି ଛିଡ଼ା ହୋଇଥାଏ । ସାହେବ ଏବେ ବ୍ୟସ୍ତ ଅଛନ୍ତି ଓ ମୋତେ ଅପେକ୍ଷା କରିବାକୁ ହେବ ବୋଲି ଶୁଣିଲି । ବାହାର ବାରଣ୍ଡାଟି ଖୋଲା । ସେହିଠାରୁ ଗରମରେ ମୋତେ ଧାରଣା ଦେବାକୁ ପଡ଼ିଲା । ସମୟର ଗତି ସଙ୍ଗେ ମନର ଉଦ୍‌ବେଗ ବଢ଼ି ଚାଲିଥାଏ । ହିସାବପତ୍ର ଲେଖିବାରେ ଜଣେ ପୁରୁଖା ରେଳବାଇ କର୍ମଚାରୀ ମୋତେ ସାହାଯ୍ୟ କରୁଥିଲେ । ଖାତାରେ ଜମାଖର୍ଚ୍ଚର ହିସାବ ସମାନ ଦେଖାଇବା ପରେ ଦୁଇଶହ ଟଙ୍କା ବଳକା ରହୁଛି ଜଣାପଡ଼ିଲେ ମୁଁ ବଡ଼ ଅସୁବିଧାରେ ପଡ଼ିବି ବୋଲି ସେ ବାରମ୍ବାର ଚେତାଇ ଦେଇଥାଆନ୍ତି । ତା’ ସତ୍ତ୍ୱେ କଥାଟିକୁ ସିଧାସଳଖ ମାନିଯିବାକୁ ମୁଁ ସ୍ଥିର କରିଥାଏ । ବାରଣ୍ଡାରେ ବସି ଏସବୁ କଥା ଭାବୁଛି, ହଠାତ୍ ଜଣେ ଭଦ୍ରଲୋକ କବାଟ ଖୋଲି ପଦାକୁ ବାହାରି ପଡ଼ିଲେ । ତାଙ୍କ ହାବଭାବରୁ ସେ ବଡ଼ ହଇରାଣ ହୋଇଛନ୍ତି ଜଣାପଡ଼ୁଥାଏ । ତାଙ୍କ ଅବସ୍ଥା ଦେଖି ମନରେ ଆହୁରି ଦକା ପଶିଲା । ଦରୱାନ୍ କବାଟ ଆଉଜାଇ ଦେବା ପୂର୍ବରୁ ରାଇଲ୍‌ସ୍ ସାହେବ ମୋତେ ଦେଖିପାରି ଭିତରକୁ ଆସିବାକୁ ବଡ଼ ପାଟିରେ ଡାକ ଦେଲେ ।

 

ରାଇଲ୍‌ସ୍ ସେତେବେଳେ ବଙ୍ଗୀୟ ଓ ଉତ୍ତର–ପଶ୍ଚିମ ରେଳପଥର ସ୍ଵୟଂଚଳଯାନ ବିଭାଗର ମୁଖ୍ୟ । ଭଦ୍ରଲୋକ ଦୀର୍ଘକାୟ–ଓଜନ ଦୁଇଶହ ପାଉଣ୍ଡରୁ ବେଶି । ବାହାରୁ ସେ ବଡ଼ କଡ଼ା ମିଜାଜର ଲୋକ ପରି ଜଣାପଡ଼ନ୍ତି । ତାଙ୍କ ଉଚ୍ଚ ସ୍ୱର ଶୁଣିଲେ ଅଧୀନସ୍ଥ କର୍ମଚାରୀଙ୍କର ହୃତ୍‌କମ୍ପ ହୁଏ । ରାଇଲ୍‌ସ୍ କିନ୍ତୁ ପ୍ରକୃତରେ ବଡ଼ ଦୟାଳୁ । ଉଗ୍ରତାର ଆବରଣ ତଳୁ ତାଙ୍କ ମହାନୁଭବତା ସହଜରେ ପ୍ରକାଶ ପାଏ ନାହିଁ । ଭିତରକୁ ପଶିବା ମାତ୍ରେ ମୋତେ ବସିବାକୁ କହି ମୋ ହିସାବଖାତାଗୁଡ଼ିକ ସେ ପାଖକୁ ଟାଣିନେଲେ ଓ ଜଣେ କିରାଣୀଙ୍କ ସାହାଯ୍ୟରେ ବିଭିନ୍ନ ଷ୍ଟେସନମାନଙ୍କରୁ ଆସିଥିବା ହିସାବ ଯାଞ୍ଚ କରିବା ପରେ ଦୁଃଖ ପ୍ରକାଶ କରି ସେ କହିଲେ ଯେ ମୋତେ ଚାକିରିରେ ରଖିବା ଆଉ ଦରକାର ହେବ ନାହିଁ ଓ କାର୍ଯ୍ୟ ସମାପ୍ତିର ଆଦେଶନାମା ମୋତେ ସେହିଦିନ ଦେଇ ଦିଆଯିବ ।

 

ତାଙ୍କ ସ୍ୱରରୁ ସାକ୍ଷାତକାଳ ଶେଷ ହେବାର ସୂଚନା ପାଇ ଟୋପିଟି ତଳୁ ଗୋଟାଇ ନେଇ ବାହାରକୁ ଚାଲିଲି । ରାଇଲ୍‌ସ୍ ମୋତେ ପଛରୁ ତାଙ୍କ ଟେବୁଲ୍ ଉପରେ ଛାଡ଼ି ଯାଇଥିବା ଟଙ୍କା ଥଳୀଟି ନେଇଯିବାକୁ କହିଲେ । ନିର୍ବୋଧଙ୍କ ପରି ମୁଁ ସେ ପର୍ଯ୍ୟନ୍ତ ଭାବିଥାଏ ଯେ ଥଳୀଟି ତାଙ୍କ ଟେବୁଲରେ ରଖିଦେଇ ଚାଲିଗଲେ ସମସ୍ୟାର ସହଜ ସମାଧାନ ହୋଇଯିବ । ଥଳୀଟି ଛାଡ଼ି କିଛି ନ ଜାଣିଲା ପରି ଚାଲି ଯାଉଥିଲି । ଏଥର ସତ କଥାଟି ପ୍ରକାଶ କରିବା ଛଡ଼ା ଉପାୟ ନ ଥିଲା-। ବାଧ୍ୟ ହୋଇ କହିଲି ଯେ ଥଳୀରେ ଥିବା ଟଙ୍କାତକ ମୋର ନୁହେଁ, ରେଳବାଇର । ସେତକ ମୋ ପାଖରେ ବଳି ପଡ଼ିଛି ଓ ତା’ର ହିସାବ ଦେଖାଇ ନ ପାରି ମୁଁ ତା’କୁ ଫେରାଇ ଦେବାକୁ ଆଣିଛି । ରାଇଲ୍‌ସ୍ କହିଲେ, “ଜମାଖର୍ଚ୍ଚର ହିସାବ ପୂରା ସମାନ ଥାଇ ବଳକା ଟଙ୍କା କେଉଁଠୁ ଆସିଲା, ତା’ର କୈଫିୟତ ମୁଁ ଚାହେଁ ।” ଇତି ମଧ୍ୟରେ ଦପ୍ତରଖାନାର ମୁଖ୍ୟ କିରାଣୀ ତେୱାରିବାବୁ କିଛି କାଗଜପତ୍ର ଧରି ରାଇଲ୍‌ସ୍‌ଙ୍କ ଚୌକି ପଛରେ ଆସି ଛିଡ଼ା ହୋଇଥାଆନ୍ତି । ଏହି ବୃଦ୍ଧ ଭଦ୍ରଲୋକଙ୍କ ସଦୟ ଚାହାଣୀରୁ ସହନୁଭୂତିର ଆଭାସ ପାଇ ଟିକିଏ ସାହସ ଫେରିଲା । ଟଙ୍କା ବଳିବାର କାରଣ ସ୍ୱରୂପ ତଳଲିଖିତ କୈଫିୟତଟି ରାଇଲ୍‌ସ୍‌ଙ୍କ ଆଗରେ ପ୍ରକାଶ କଲି ।

 

“ଜଙ୍ଗଲକଟା ଶେଷ ହୋଇ ଆସୁଥାଏ । ରେଳମୁହାଣକୁ କାଠ ବୋହୁଥିବା ଶଗଡ଼ିଆ ପନ୍ଦର ଜଣ ଦିନେ ରାତିରେ ଆସି ମୋତେ ଜଣାଇଲେ ଯେ ଜରୁରୀ କାମରେ ସେମାନେ ସଙ୍ଗେ ସଙ୍ଗେ ଗାଁକୁ ଚାଲିଯିବେ । ସେମାନେ ଯେତେ କାଠ ବୋହିଥିଲେ, ସବୁ ଏଣେ ତେଣେ ବିଛାଡ଼ି ହୋଇ ପଡ଼ିଥାଏ । ତା’କୁ ଏକାଠି କରି ଥାକ ମାରି ମାପଚୁପ କରାଇବାକୁ ଅନେକ ଦିନ ଲାଗିଥାଆନ୍ତା । ଏଣେ ରାତାରାତି ଗାଁକୁ ଯିବାକୁ ସେମାନଙ୍କ ଜିଗର । ଅନ୍ଧାର ରାତି । କାଠ ମାପକରି ହିସାବ କରିବା ସମ୍ଭବ ନୁହେଁ । ସେମାନେ ଯାହା ହିସାବ ଦେବେ ମୁଁ ତାହା ମାନିନେବି ବୋଲି କହିଲି । ଦୁଇଘଣ୍ଟା ପରେ ଶଗଡ଼ିଆମାନେ କାଠ ସୁମାରି କରି ଫେରିଲେ ଓ ଟଙ୍କା ପାଇବାର କେଇ ମିନିଟ ପରେ ଶଗଡ଼ ନେଇ ଗାଁକୁ ବାହାରି ଗଲେ । ଯିବା ଆଗରୁ ସେମାନେ ତାଙ୍କ ଠିକଣା ମୋତେ ଦେଲେ ନାହିଁ । କେତେ ସପ୍ତାହ ପରେ କାଠସବୁ ଥାକ ମାରି ମାପିବାରେ ଜଣା ପଡ଼ିଲା ଯେ ସେମାନେ ହିସାବ ଭୁଲ କରି ଦୁଇଶହ ଟଙ୍କା ଛାଡ଼ି ଚାଲି ଯାଇଛନ୍ତି ।”

 

ରେଳବାଇ ପ୍ରତିନିଧି ଇଜାଟ୍ ସାହେବ ପରଦିନ ସମସ୍ତିପୁର ଆସିବାର ଥାଏ । ଭାରତର ସବୁଠାରୁ ସମୃଦ୍ଧିଶାଳୀ ତିନୋଟି ରେଳବାଇର ସେ ଏକାକୀ ପ୍ରତିନିଧିତ୍ୱ କରୁଥାନ୍ତି । ମୋ କୈଫିୟତ ଶୁଣି ରାଇଲ୍‌ସ୍ କହିଲେ ଯେ ଏକଥା ସେ ଇଜାଟ୍ ସାହେବଙ୍କୁ କହିବେ ଓ ଇଜାଟ୍ ଏହାର ବିଚାର କରିବେ ।

 

ପରଦିନ ସକାଳୁ ଇଜାଟ୍ ସମସ୍ତିପୁରରେ ପହଞ୍ଚିଲେ । ଡାକରା ପାଇ ଖରାବେଳେ ରାଇଲ୍‌ସ୍‌ଙ୍କ ଦପ୍ତରଖାନାରେ ହାଜର ହେଲି । ଇଜାଟ୍ କ୍ଷୁଦ୍ରକାୟ ହେଲେ ସୁଦ୍ଧା ତାଙ୍କ ତୀକ୍ଷ୍‌ଣ ଦୃଷ୍ଟି ଏଡ଼ାଇବା ସହଜ ନୁହେଁ । ମୁଁ ପହଁଞ୍ଚିବା ବେଳେ ଦପ୍ତରଖାନାରେ ସେ ଏକାକୀ ଥିଲେ । ନିର୍ଦ୍ଦିଷ୍ଟ ସମୟର ଛଅମାସ ପୂର୍ବରୁ ମୁଁ କାମ ସାରିଥିବାରୁ ସନ୍ତୋଷ ପ୍ରକାଶ କରି ଅଭିନନ୍ଦନ ଜଣାଇବା ପରେ ଇଜାଟ୍ କହିଲେ ଯେ ରାଇଲ୍‌ସ୍ ମୋ ହିସାବ ସବୁ ତାଙ୍କୁ ଦେଖାଇଛନ୍ତି ଓ ବଳକା ଟଙ୍କା ବିଷୟରେ ମତାମତ ଜଣାଇ ଟିପଣାଟିଏ ଦେଇଛନ୍ତି । ନିଜ ତରଫରୁ ସେ କେବଳ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହାନ୍ତି । ମୁଁ ଇଚ୍ଛା କରିଥିଲେ ସହଜରେ ଟଙ୍କାତକ ପକେଟସ୍ଥ କରି ସେ ବିଷୟରେ ନୀରବ ରହିଥାଆନ୍ତି । ତାହା ମୁଁ କଲି ନାହିଁ କାହିଁକି ? ମୋ ଉତ୍ତର ତାଙ୍କୁ ସନ୍ତୁଷ୍ଟ କରିଥିଲା ବୋଲି ପରେ ଜାଣିଲି । ଅନିଶ୍ଚିନ୍ତ ଅବସ୍ଥାରେ ଅସ୍ଥିର ହୋଇ ସନ୍ଧ୍ୟାରେ ଷ୍ଟେସନଠାରେ ଅପେକ୍ଷା କରିଥିବା ବେଳେ ଦୁଇ ଖଣ୍ଡ ଚିଠି ପାଇଲି । ପ୍ରଥମଟି ତେୱାରୀ ଲେଖିଥାଆନ୍ତି । ରେଳବାଇ ଅନାଥ ପାଣ୍ଠିକୁ ମୁଁ ଦୁଇଶହ ଟଙ୍କା ଦାନ କରୁଥିବାରୁ ସେଥିର ଅବୈତନିକ ସମ୍ପାଦକ ଭାବେ ସେ କୃତଜ୍ଞତା ଜଣାଇଥାନ୍ତି । ଆରଟି ଇଜାଟ୍‌ଙ୍କ ପାଖରୁ ଆସିଥାଏ । ମୋତେ ଚାକିରିରେ ବାହାଲ କରାଯାଇଛି ଜଣାଇ କାର୍ଯ୍ୟାଦେଶ ପାଇଁ ରାଇଲ୍‌ସ୍‌ଙ୍କ ସହିତ ସାକ୍ଷାତ କରିବାକୁ ସେଥିରେ ନିର୍ଦ୍ଦେଶ ଥାଏ ।

 

ଏହା ପରେ ବର୍ଷେକାଳ ରେଳବାଇରେ ବିଭିନ୍ନ ଦାୟିତ୍ୱ ନେଇ ନାନାପ୍ରକାର କାମ ମୋତେ ତୁଲାଇବାକୁ ପଡ଼ିଲା । ବେଳେବେଳେ ରେଳଇଞ୍ଜିନ୍‌ରେ ଯାତ୍ରା କରି କୋଇଲା ଖର୍ଚ୍ଚ ଉପରେ ମୋତେ ମନ୍ତବ୍ୟ ଦେବାକୁ ହୁଏ । ରେଲଗାଡ଼ି ଚଳାଇବାକୁ ସୁଯୋଗ ମିଳୁଥିବାରୁ ଏ କାମ ମୁଁ ବେଶ୍ ପସନ୍ଦ କରେ । ଦରକାର ପଡ଼ିଲେ ମୁଁ ରେଳ-ରକ୍ଷକ (guard) ଦାୟିତ୍ୱ ନେଇ ମାଲଗାଡ଼ି ସହିତ ଯାଏ । ଲୋକ ଅଭାବରୁ ସମୟ ସମୟରେ ଏ କାମରେ ଏକାଦିକ୍ରମେ ଅଠଚାଳିଶ ଘଣ୍ଟା ପଡ଼ି ରହିବାକୁ ହୁଏ । କେତେବେଳେ ମୁଁ ସହକାରୀ ଭଣ୍ଡାର-ରକ୍ଷକ ତ ଆଉ କେତେବେଳେ ସହକାରୀ ଷ୍ଟେସନମାଷ୍ଟର । ଏହିପରି ବର୍ଷଟିଏ କଟିବା ପରେ ମୋକାମା ଘାଟ ଯାଇ ସେଠାକାର ଘାଟ-ପରିଦର୍ଶକ (Ferry Superintendent) ଷ୍ଟୋରାର୍ ସାହେବଙ୍କ ସହିତ ସାକ୍ଷାତ କରିବାକୁ ଦିନେ ଆଦେଶ ପାଇଲି । ବଙ୍ଗୀୟ ଓ ଉତ୍ତର-ପଶ୍ଚିମ ରେଳବାଇର ପ୍ରଧାନ ରେଳରାସ୍ତା ଦୀର୍ଘଦୂର ଯାଏ ଗଙ୍ଗାନଦୀର କଡ଼େ କଡ଼େ ଯାଇଥାଏ ଓ ଶାଖା ରେଳରାସ୍ତାଗୁଡ଼ିଏ ସେଥିରୁ ବାହାରି ନଈକୂଳକୁ ଲମ୍ବି ଥାଏ । ନଈ ଆରପାରିରେ ବ୍ରଡଗେଜ୍ ରେଳରାସ୍ତା । ଦୁଇ ରେଳରାସ୍ତା ମଧ୍ୟରେ ଷ୍ଟିମର ଯୋଗେ ସଂଯୋଗ ସ୍ଥାପିତ ହୁଏ । ଦୁଇ କୂଳରେ ଥିବା ଷ୍ଟିମରଘାଟମାନଙ୍କ ମଧ୍ୟରୁ ଡାହାଣ କୂଳର ମୋକାମା ଘାଟ ପ୍ରଧାନ ବୋଲି ଧରାଯାଏ ।

 

ବଡ଼ ସକାଳୁ ସମସ୍ତିପୁରରୁ ବାହାରିଲି । ଶାଖା ରେଳପ୍ରାନ୍ତ ସାମରିଆ ଘାଟରେ ଷ୍ଟିମରଦ୍ଵାରା ନଈ ପାରି ହେଲି । ମୁଁ ଆସୁଥିବା କଥା ଷ୍ଟୋରାର୍‍ଙ୍କୁ ଜଣାଇ ଦିଆଯାଇଥିଲା କିନ୍ତୁ ମୋ ଆସିବାର କାରଣ ସେ ଜାଣି ନ ଥିଲେ । ମୋତେ ମୋକାମା ଘାଟ କାହିଁକି ପଠାଯାଇଛି ସେ ସମ୍ବଦ୍ଧରେ ମୁଁ ମଧ୍ୟ ସମ୍ପୂର୍ଣ୍ଣ ଅଜ୍ଞ । ଷ୍ଟୋରାର୍‍ଙ୍କ ଘରେ କିଛି ସମୟ କଟାଇବା ପରେ ତାଙ୍କ ସହିତ ମୋକାମା ଘାଟର ବିରାଟ ରେଳବାଇ ମାଲଗୋଦାମ ସବୁ ବୁଲି ଦେଖିଲି । ଅତ୍ୟଧିକ ମାଲ୍‌ପତ୍ର ଜମା ହୋଇ ଗୋଦାମରେ ଖୁବ୍ ଭିଡ଼ ହୋଇଥାଏ । ଏହିପରି ଦୁଇ ଦିନ କଟିବା ପରେ ରେଳବାଇ ସଦର ମହକୁମା ଗୋରଖପୁରରେ ହାଜର ହେବା ପାଇଁ ପୁଣି ଆଦେଶ ଆସିଲା । ସେଠାରେ ପହଞ୍ଚି ଜାଣିଲି ସେ ମୋକାମା ଘାଟର ମାଲ୍-ସରବରାହ ନିରୀକ୍ଷକ (Transshipment Inspector) ଭାବେ ମୋତେ ନିଯୁକ୍ତ କରାଯାଇଛି । ମୋର ମାସିକ ଦରମା ମଧ୍ୟ ଶହେରୁ ଦେଢ଼ ଶହ ଟଙ୍କାକୁ ବଢ଼ିଛି । ସପ୍ତାହେ ଭିତରେ ମାଲ୍ ସରବରାହ ଦାୟିତ୍ଵ ଠିକାଦାରୀ ସୂତ୍ରରେ ଗ୍ରହଣ କରିବାକୁ ଆଦେଶ ନେଇ ଫେରିଲି ।

 

ମୋକାମା ଘାଟରେ ପହଞ୍ଚିଲାବେଳକୁ ରାତି ହେଲାଣି । ନାନା ଦୁଶ୍ଚିନ୍ତାରେ ମନ ବଡ଼ ଦବି ଯାଇଥାଏ । ଯେଉଁ କାମ ମୋ ଉପରେ ଲଦି ଦିଆଗଲା, ତାହା ବିଷୟରେ ମୋର ଲେଶମାତ୍ର ଧାରଣା ନା ଥାଏ । ଶ୍ରମିକଟିଏ କେଉଁଠୁ ଖୋଜି ପାଇବି, ତାହା ମଧ୍ୟ ମୁଁ ଜାଣେନା । ଅଢ଼େଇ ବର୍ଷ ଚାକିରି କରି ଦେଢ଼ଶହଟି ଟଙ୍କା ମୁଁ ସଞ୍ଚୟ କରିଥାଏ । କାମ ବିଷୟରେ କିଛି ନ ଜାଣି, ଏକ ସାମାନ୍ୟ ପୁଞ୍ଜିକୁ ମୂଳଧନ କରି ବଡ଼ ଦାୟିତ୍ଵ ମୁଣ୍ଡକୁ ନେବାକୁ ସାହସ ପାଉ ନ ଥାଏ ।

 

ମୁଁ ଫେରି ଆସିବି ବୋଲି ଷ୍ଟୋରାର୍ ଜାଣି ନ ଥିଲେ । ଅବେଳାରେ ପହଞ୍ଚିଥିଲେ ମଧ୍ୟ ସେ ଅଳ୍ପ ସମୟ ଭିତରେ ମୋ ଖିଆପିଆର ଆୟୋଜନ କଲେ । ବଙ୍ଗଳା ବାହାର ବାରଣ୍ଡାକୁ ନଈରୁ ସୁଲୁସୁଲିଆ ପବନ ବହୁଥାଏ । ଖାଇସାରି ସେଠାରେ ବସି ଦୁହେଁ ଅନେକ ରାତି ଯାଏ କଥାବାର୍ତ୍ତା ହେଲୁ । ଷ୍ଟୋରାର୍‌ଙ୍କ ବୟସ ପ୍ରାୟ ମୋର ଦୁଇଗୁଣ । ମୋକାମା ଘାଟରେ ସେ ଅନେକ ବର୍ଷ କଟାଇଥାଆନ୍ତି । ବଙ୍ଗୀୟ ଓ ଉତ୍ତର-ପଶ୍ଚିମ ରେଳବାଇର ମିଟର୍‌ଗେଜ୍ ରେଳ ସଂସ୍ଥା ତରଫରୁ ଘାଟପାରି ବ୍ୟବସ୍ଥା ତାଙ୍କ ଦାୟିତ୍ୱରେ ଥାଏ । ସେଠାକାର ଷ୍ଟିମର ସମୂହ ତାଙ୍କ ନିର୍ଦ୍ଦେଶରେ ଚଳାଚଳ ହେଉଥାଆନ୍ତି । ଯାତ୍ରୀମାନଙ୍କୁ ଏବଂ ମିଟରଗେଜ୍ ମାଲ୍‌ଡ଼ବାଗୁଡ଼ିକୁ ମୋକାମା ଘାଟ ଓ ସାମାରିଆ ଘାଟ ମଧ୍ୟରେ ଷ୍ଟିମରଦ୍ୱାରା ନେବା ଆଣିବା କରାଯାଏ । ରେଳ ଯୋଗେ ଚଳାଚଳ ହେଉଥିବା ଯାତ୍ରୀ ଓ ମାଲ୍‌ମତ୍ତାର ଶତକଡ଼ା ଅଶୀଭାଗ ମୋକାମା ଘାଟ ବାଟେ ଯାଏ । ମାର୍ଚ୍ଚରୁ ସେପ୍ଟେମ୍ବର ମଧ୍ୟରେ ମାଲ୍ ଯାତାୟତରେ ବଡ଼ ଭିଡ଼ ହୁଏ । ମାଲ୍‍ପତ୍ର ଖଲାସ ହୋଇ ନ ପାରି ବହୁ ପରିମାଣରେ ମୋକାମା ଘାଟରେ ପଡ଼ି ରହିଯାଏ । ରେଳବାଇକୁ ଏଥିପାଇଁ ଅପର୍ଯ୍ୟାସ୍ତ କ୍ଷତି ସହିବାକୁ ହୁଏ ।

 

ମୋକାମା ଘାଟରେ ବ୍ରଡ୍‍ଗ୍ରେଜ୍ ଓ ମିଟର୍‌ଗେଜ୍ ଦୁଇ ପ୍ରକାର ରେଳରାସ୍ତା ଥିବାରୁ ଗୋଟିକରୁ ମାଲ ଓହ୍ଲାଇ ଆରଟିରେ ବୋଝେଇ କରିବାକୁ ପଡ଼େ । ମାଲ୍‌ପତ୍ର ରଖାଉଠା କରିବାର ଠିକାଦାରୀ ଗୋଟିଏ ବଡ଼ ଶ୍ରମସଂସ୍ଥାକୁ ଦିଆଯାଇଥାଏ । ଏହି ବିରାଟ ଶ୍ରମ-ସଂସ୍ଥା ବ୍ରଡ୍‍ଗ୍ରେଜ୍ ରେଳବାଇର ଏ ଧରଣର ସବୁ କାମ ଠିକାରେ ନେଇଥାଏ । ଏହି ସଂସ୍ଥାର ନିରୁଦ୍ୟମ ଓ ନିରୁତ୍ସାହ ହିଁ ସବୁ ବିଭ୍ରାଟର କାରଣ ବୋଲି ଷ୍ଟୋରାର୍‍ ମତଦେଲେ । ରେଳବାଇର ସ୍ୱାର୍ଥ ପ୍ରତି ଏ ସଂସ୍ଥା ଅତି ଉଦାସୀନ । ପୁଣି ଗହମକଟା ସମୟ ହେଲେ ଶ୍ରମିକ ଆଉ ମିଳନ୍ତି ନାହିଁ । ମୁଖ୍ୟତଃ ଏହି ଦୁଇଟି କାରଣରୁ ପ୍ରତିବର୍ଷ ମାଲ୍ ଖଲାସ ହୋଇ ନପାରି ବହୁ ପରିମାଣରେ ଏଠାରେ ପଡ଼ିରହେ । ରେଳବାଇ ଗୋଦାମଗୁଡ଼ିକରେ ଏବେ ମାଲ୍ ଜମି ଛାତକୁ ଲାଗିଲାଣି । ମାଲ୍ ଖଲାସ କରି ନ ପାରି ଚାରିଶହ ରେଳଡ଼ବା ଅଚଳ ହୋଇ ପଡ଼ିଛି । ନଈ ସେପାରିରେ ଆହୁରି ହଜାରେ ବୋଝାଇ ମାଲ୍‍ଡ଼ବା ପାରି ହେବା ଅପେକ୍ଷାରେ ରହିଛି । ବିଶାଳ ଏଇ ଶ୍ରମସଂସ୍ଥା ତା’ର ସମସ୍ତ ଶକ୍ତି ଖଟାଇ ଯେଉଁ କାମ ତୁଲାଇ ପାରିନାହିଁ, ତା’କୁ ମୋ ପରି ଜଣେ ନିଃସ୍ୱ ବିଦେଶୀ ହାତକୁ ନେବାକୁ ଦୁଃସାହସ କରିବ କିପରି ? ମୋର ସାମାନ୍ୟ ସମ୍ବଳ ଦେଢ଼ଶହଟି ଟଙ୍କା ଷ୍ଟୋରାର୍ ହିସାବକୁ ମଧ୍ୟ ଆଣିଲେ ନାହିଁ । ସବୁ ବୁଝାଇ ସାରି ସେ ପରାମର୍ଶ ଦେଲେ, “କାଲି ସାମାରିଆ ଘାଟରୁ ସକାଳ ଷ୍ଟିମର ଧରି ସିଧାସଳଖ ଗୋରଖପୁର ଫେରିଯାଅ । ରେଳବାଇ କର୍ମକର୍ତ୍ତାଙ୍କୁ ଜଣାଇ ଦିଅ ଯେ ଏ କାମ ନେବା ତୁମ ପକ୍ଷେ ସମ୍ଭବ ହେବ ନାହିଁ ।”

 

ପରଦିନ ଭୋରରୁ ଘରୁ ବାହାରିଲି । କିନ୍ତୁ ସାମାରିଆ ଘାଟରୁ ଷ୍ଟିମର ନ ଧରି ମାଲ୍‍ଗୋଦାମ ଓ ମାଲ୍‍ ମହଜୁଦ୍‍ କେନ୍ଦ୍ରଗୁଡ଼ିକ ପୁଣି ଥରେ ବୁଲି ଦେଖିଲି । ଷ୍ଟୋରାର୍‍ କିଛି ବଢ଼ାଇ କହି ନ ଥିଲେ । ପରିସ୍ଥିତିର ପୂର୍ଣ୍ଣଚିତ୍ର ତା’ଠାରୁ ଯଥେଷ୍ଟ ବେଶି ଶୋଚନୀୟ ମନେହେଲା । ଚାରିଶହ ମିଟର୍‍ଗେଜ୍‍ ମାଲ୍‍ଡ଼ବା ପଡ଼ିରହିଛି ବୋଲି ଶୁଣିଥିଲି । ସେତିକିଟି ବ୍ରଡ୍‍ଗେଜ୍‍ ମାଲ୍‍ଡ଼ବା ମଧ୍ୟ ବୋଝାଇ ହୋଇ ପଡ଼ି ରହିଥିବା ଦେଖିଲି । ଗୋଦାମ ଗୁଡ଼ିକରେ ଅନ୍ତତଃ ପନ୍ଦର ହଜାର ଟନ୍ ମାଲ ଗଦା ହୋଇଥାଏ । ଏ ଘୋର ଅବ୍ୟବସ୍ଥା ମୋତେ ଏକାକୀ ସୁଧାରିବାକୁ ହେବ ଜାଣି ବିଚଳିତ ହୋଇ ପଡ଼ିଲି । ମୋ ବୟସ ସେତେବେଳେ ଏକୋଇଶି ବର୍ଷରୁ କମ୍ । ପୁଣି ଖରାଦିନେ ଆମ ସମସ୍ତଙ୍କ ମଗ୍‍ଜ ମିଜାଜ ଟିକିଏ ଗରମ ଥାଏ । ଠିକ୍‍ ଏଇ ଦୁର୍ବଳ ମୁହୂର୍ତ୍ତରେ ରାମଶରଣଙ୍କ ସହିତ ଦେଖା ହେଲା । ସେହି ମୁହୂର୍ତ୍ତରୁ ଫଳାଫଳର ଆଉ ବିଚାର ନ କରି କାମ ହାତକୁ ନେବାକୁ ସ୍ଥିର କଲି ।

 

ରାମଶରଣ ମୋକାମା ଘାଟର ଷ୍ଟେସନ ମାଷ୍ଟର । ଭଦ୍ରଲୋକ ପୌଢ଼–ପାଞ୍ଚୋଟି ପିଲାଙ୍କ ବାପ । ବୟସ ମୋଠାରୁ କୋଡ଼ିଏ ବର୍ଷ ବେଶି । ଦୀର୍ଘ କଳା ଦାଢ଼ିଟିଏ ତାଙ୍କ ଛାତି ଉପରକୁ ଲମ୍ବି ଆସିଥାଏ । ଏଠାରେ ତାଙ୍କର ଦୁଇବର୍ଷ କଟିଲାଣି । ମୋ ଆସିବା କଥା ତାଙ୍କୁ ତାରଦ୍ୱାରା ଜଣାଇ ଦିଆଯାଇଥିଲା । ମୁଁ ମାଲ୍‍ ସରବରାହ ଦାୟିତ୍ୱ ନେବାକୁ ଆସୁଛି ବୋଲି ସେ ଜାଣି ନ ଥିଲେ । ମୋଠାରୁ ଏ କଥା ଶୁଣିବା ମାତ୍ରେ ତାଙ୍କ ମୁହଁ ଆନନ୍ଦରେ ଉଜ୍ଜ୍ୱଳ ହୋଇ ଉଠିଲା-। ହସି ହସି କହିଲେ, “ଖୁବ୍‍ ଭଲ ହେଲା । ଆମେ ଦୁହେଁ ସବୁ ତୁଲାଇ ନେବା ।” ତାଙ୍କ ମୁହଁରୁ “ଆମେ ଦୁହେଁ” ପଦ ଦୁଇଟି ଶୁଣିବା ମାତ୍ରେ ଶ୍ରଦ୍ଧା ଓ ସମ୍ମାନରେ ମୋ ଅନ୍ତର ଭରି ଉଠିଲା । ସେଇ ମୁହୂର୍ତ୍ତରୁ ଦୀର୍ଘ ପଇଁତିରିଶ ବର୍ଷ ପରେ ରାମଶରଣଙ୍କ ଦେହାନ୍ତ ହେବାଯାଏ ଆମ ସଦ୍ଭାବ କେବେ ଶିଥିଳ ହୋଇ ନ ଥିଲା ।

 

ସେ ଦିନ ଜଳଖିଆ ଖାଇବା ବେଳେ ଷ୍ଟୋରାର୍‌ଙ୍କୁ ଜଣାଇଲି ଯେ କାମ ହାତକୁ ନେବାକୁ ମୁଁ ନିଷ୍ପତ୍ତି କରିଛି । ସେ କ୍ଷୁର୍ଣ୍ଣ ହୋଇ କହିଲେ ଯେ ନିର୍ବୋଧମାନେ ସଦୁପଦେଶ ଗ୍ରହଣ ନ କରିବା ଅତି ସ୍ଵାଭାବିକ କଥା ! ତା’ ସତ୍ତ୍ୱେ ସେ ନିଜେ ମୋତେ ପାରୁପର୍ଯ୍ୟନ୍ତ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଲେ । ପରେ ଏହି ପ୍ରତିଶ୍ରୁତିକୁ ସେ ଅତି ନିଷ୍ଠାର ସହିତ ପୂରଣ କରିଥିଲେ । କେତେ ମାସ ଯାଏ ଷ୍ଟିମରଗୁଡ଼ିକୁ ରାତିଦିନ ଅନବରତ ଚଳାଇ ମୋର ଦରକାର ମୁତାବକ ରେଲଡ଼ବା ସେ ଯୋଗାଇ ଦେଇଥିଲେ ।

 

କାମରେ ଯୋଗ ଦେବାପାଇଁ ମୋତେ ସପ୍ତାହେ ସମୟ ଦିଆଯାଇଥିଲା । ଗୋରଖପୁରରୁ ମୋକାମା ଘାଟ ଫେରିବାରେ ସେଥିରୁ ଦୁଇ ଦିନ ଚାଲିଗଲା । କାମ ବିଷୟ ବୁଝି ସୁଝି ଦାୟିତ୍ୱ ଗ୍ରହଣ କରିବାକୁ ଆଉ ମାତ୍ର ପାଞ୍ଚ ଦିନ ଥାଏ । ଦୁଇ ଦିନ ଲାଗି ସହକର୍ମୀମାନଙ୍କ ସହିତ ପରିଚିତ ହେଲି । ମୋକାମା ଘାଟ କାର୍ଯ୍ୟସଂସ୍ଥାରେ ରାମଶରଣ ଷ୍ଟେସନ ମାଷ୍ଟର । ତାଙ୍କ ସହକାରୀ ଚାଟାର୍ଜୀବାବୁ ମୋ ଅଜାଙ୍କ ବୟସର ଲୋକ । ଏହାଛଡ଼ା ପଅଁଷଠୀ ଜଣ କିରାଣୀ ଏବଂ ଇଞ୍ଜିନ ଚାଳକ, ସଣ୍ଟ୍‌ର୍, ପଏଣ୍ଟସ୍‌ମ୍ୟାନ୍ ଓ ଜଗୁଆଳ ମିଶି ଶହେ ଜଣ କର୍ମଚାରୀ ସେଠାରେ ଥାଆନ୍ତି । ସାମାରିଆ ଘାଟ ନଈ ଆରପାରିରେ । ସେଠାରେ କିରାଣୀ ଓ ତଳିଆ କର୍ମଚାରୀଙ୍କ ସଂଖ୍ୟା ଏକ ଶହ । ଏ ଦୁଇ ସଂସ୍ଥାର କର୍ମଚାରୀଙ୍କ କାମ ତନଖି କରିବା ଛଡ଼ା ଚଳାଚଳ ହେଉଥିବା ମାଲ୍ ଉପରେ ମୋତେ ନଜର ରଖିବାକୁ ହେବ । ବର୍ଷକୁ ପାଞ୍ଚ ଲକ୍ଷ ଟନ୍ ମାଲ୍‌ର ନିୟମିତ ଯାତାୟାତ ପାଇଁ ଆବଶ୍ୟକ ସଂଖ୍ୟାରେ ଶ୍ରମିକ ଯୋଗାଇବା ମଧ୍ୟ ମୋ କାମ । ଏତେଗୁଡ଼ିଏ ଦାୟିତ୍ୱ ଏକ ସଙ୍ଗରେ ଗ୍ରହଣ କରି ବଡ଼ ସନ୍ତ୍ରସ୍ତ ହୋଇ ପଡ଼ିଲି ।

 

ମାଲ୍‍ସରବରାହ ଠିକାଦାରୀ ଗୋଟିଏ ବଡ଼ ଶ୍ରମସଂସ୍ଥାକୁ ଦିଆ ଯାଇଥିବା କଥା ଆଗରୁ କହିଛି । ଏ ପ୍ରତିଷ୍ଠାନ ତା’ର ଶ୍ରମିକଙ୍କୁ କାମ ହିସାବରେ ମଜୁରୀ ଦିଏ । ସେତେବେଳେ ଏହି ସଂସ୍ଥା ତରଫରୁ ସବୁ କାମ ପ୍ରାୟ ବନ୍ଦ ଥାଏ । ଶହ ଶହ ଶ୍ରମିକ ବେକାର ହୋଇ ବସିଥାଆନ୍ତି । ମିଟର୍ ଗେଜ୍ ରେଳପଥ ତରଫରୁ ମୁଁ କାମ ଆରମ୍ଭ କରିବି ଶୁଣି ସେମାନଙ୍କ ଭିତରୁ ଅନେକେ ମୋ ପାଖରେ କାମ କରିବାକୁ ଚାହିଁଲେ । ଶ୍ରମସଂସ୍ଥାର ଶ୍ରମିକଙ୍କୁ ନେବି ନାହିଁ ବୋଲି କୌଣସି ଚୁକ୍ତି କରି ନ ଥିଲେ ସୁଦ୍ଧା ସେପରି କରିବା ଭଲ ଦେଖାଯିବ ନାହିଁ ଭାବିଲି । ସେମାନଙ୍କ ବନ୍ଧୁବାନ୍ଧବଙ୍କୁ କିନ୍ତୁ କାମ ଦେବାରେ ବାଧା ନ ଥିଲା । ହାତରେ ଆଉ ମୋଟେ ତିନି ଦିନ ଥାଏ । ପ୍ରଥମେ ବାର ଜଣ ଲୋକ ବାଛି ସର୍ଦ୍ଦାର ଭାବେ ନିଯୁକ୍ତି କଲି । ଏଥିରୁ ଏଗାର ଜଣ ପ୍ରତ୍ୟେକେ ଦଶ ଜଣ କରି ଶ୍ରମିକ ଆଣି ମାଲ୍ ବୋହିବାରେ ଲଗାଇବେ ବୋଲି ଜବାବ ଦେଲେ । କୋଇଲା ବୋହିବା ପାଇଁ ସ୍ତ୍ରୀ ଓ ପୁରୁଷ ଶ୍ରମିକ ଷାଠିଏ ଜଣ ଯୋଗାଡ଼ କରିବାକୁ ଆର ସର୍ଦ୍ଦାର ଜଣକୁ ବରାଦ ଦିଆଗଲା । ଜାତିଗତ ବାରଣମାନ ଥିବାରୁ ବିଭିନ୍ନ ପ୍ରକାର ମାଲ ରଖାଉଠା ପାଇଁ ଭିନ୍ନ ଭିନ୍ନ ଜାତିର ଶ୍ରମିକ ନିଯୁକ୍ତି କରାଯାଏ । ଏଥିପାଇଁ ମୁଁ ଦୁଇ ଜଣ ହରିଜନଙ୍କୁ ସମେତ ଦଶ ଜଣ ହିନ୍ଦୁ ଓ ଦୁଇ ଜଣ ମୁସଲମାନ ସର୍ଦ୍ଦାର ବାଛିଥାଏ । ଜଣକ ଛଡ଼ା ଆର ସର୍ଦ୍ଦାରମାନେ ସମସ୍ତେ ନିରକ୍ଷର ହୋଇଥିବାରୁ ହିସାବପତ୍ର ରଖିବା ପାଇଁ ଜଣେ କରି ହିନ୍ଦୁ ଓ ମୁସଲମାନ ଗୁମାସ୍ତା ନିଯୁକ୍ତ ହୋଇଥାଆନ୍ତି ।

 

ଦୁଇ ରେଳବାଇର ମାଲ୍‍ ପରିବହନ ବ୍ୟବସ୍ଥା ଗୋଟିଏ ସଂସ୍ଥା ଦାୟିତ୍ୱରେ ଥିବାବେଳେ ଗୋଟିଏ ରେଳବାଇର ମାଲ୍‍ମତ୍ତାସବୁ ଅନ୍ୟଟିକୁ ସିଧାସଳଖ ବୁହା ଯାଉଥିଲା । ପରିବହନ ସଂସ୍ଥା ପୃଥକ୍ ହେବା ପରେ ତାହା ଆଉ ସମ୍ଭବ ହେଲା ନାହିଁ । ଗୋଟିଏ ରେଳବାଇର ମାଲ୍‌ପତ୍ର ସବୁ ଗୋଦାମରେ ଓହ୍ଲାଇ ତାହା ସେଠାରୁ ନେଇ ଆର ରେଳବାଇର ଡବାରେ ଚଢ଼ାଇବାକୁ ପଡ଼ିଲା । ଓଜନଦାର ଯନ୍ତ୍ରପାତି ଓ କୋଇଲା ଛଡ଼ା ଅନ୍ୟ ମାଲ୍ ଲଦିବା ଓହ୍ଲାଇବା ପାଇଁ ହଜାର ମହଣକୁ ମୋତେ ଟଙ୍କାଏ ସାତଅଣା ପାଉଣା ଦିଆଯାଏ । ଓଜନଦାର ଯନ୍ତ୍ରପାତି ଓ କୋଇଲା ଡବାରୁ ଡବାକୁ ସ୍ଥାନାନ୍ତରିତ ହେଉଥିବାରୁ ଏ କାମ ଜଣେ ଠିକାଦାର ଚଳାଏ ଓ ମୋତେ ଏହା ଠିକା ଦିଆଯାଇଥାଏ । ଏ ଦୁଇ କିସମର ମାଲ୍ ପାଇଁ ହଜାର ମହଣ ପ୍ରତି ମୋତେ ଟଙ୍କାଏ ଚାରିଅଣା ମିଳେ । ମୋ ପାଉଣା ହାର ଏତେ କମ୍ ଥିଲା ବୋଲି ଆଜିକାଲି କେହି ଯଦି ବିଶ୍ୱାସ ନ କରନ୍ତି ତେବେ ରେଳବାଇ ଦୁଇଟିର ପୁରୁଣା ନଥିପତ୍ରରୁ ଏହା ସହଜେ ପ୍ରମାଣ କରାଯାଇ ପାରିବ ।

 

ମୋତେ ଦିଆଯାଇଥିବା ସପ୍ତାହର ଶେଷ ସନ୍ଧ୍ୟାରେ ହାଜିରା ନିଆଗଲା । ଏଗାର ଜଣ ସର୍ଦ୍ଦାର ପ୍ରତ୍ୟେକ ଦଶ ଜଣ କରି ଶ୍ରମିକ ଆଣିଥାଆନ୍ତି । ଆର ସର୍ଦ୍ଦାର ଜଣକ ଷାଠିଏ ଜଣ ସ୍ତ୍ରୀ ଓ ପୁରୁଷ ମଜୁରିଆ ନେଇ ଆସିଥାଏ । ଗୁମାସ୍ତା ଦୁହେଁ ଉପସ୍ଥିତ ଥାଆନ୍ତି । ପ୍ରସ୍ତୁତି ଶେଷ ହୋଇଛି ଦେଖି ପରଦିନ ସକାଳୁ କାର୍ଯ୍ୟଭାର ଗ୍ରହଣ କରି ତାରଦ୍ୱାରା ଗୋରଖପୁରକୁ ଜଣାଇଦେଲି ।

 

ମୋକାମା ଘାଟରେ ଟମ୍ କେଲି ନାମକ ଜଣେ ଆଇରିଶ୍ ଭଦ୍ରଲୋକ ବ୍ରଡ୍‍ଗେଜ୍‍ ରେଳବାଇର ଷ୍ଟେସନ ମାଷ୍ଟର ଥାଆନ୍ତି । ମୋକାମା ଘାଟରେ ତାଙ୍କର କେତେ ବର୍ଷର ଅନୁଭୂତି । ମୋ ଉଦ୍ୟମର ସଫଳତା ସମ୍ବନ୍ଧରେ ତାଙ୍କର ଘୋର ସନ୍ଦେହ ଥିଲେ ସୁଦ୍ଧା ମୋତେ ଯଥା ସମ୍ଭବ ସାହାଯ୍ୟ କରିବାକୁ ସେ କଥା ଦେଲେ । ମାଲ୍ ଜମା ହୋଇ ଗୋଦାମ ସବୁ ଭରପୂର । କୌଣସି ପ୍ରକାରେ ଗୋଦାମରେ ଜାଗା ଖାଲି ନ କଲେ ଦୁଇ ରେଳବାଇର ଚାରିଶହ କରି ମାଲ୍‍ଡ଼ବା ଖଲାସ ହୋଇପାରୁ ନାହିଁ । ଏ ଅଚଳ ଅବସ୍ଥାର ସମାଧାନ ପାଇଁ କେଲି ଓ ମୁଁ ପରାମର୍ଶ କରି ଗୋଟିଏ ବିଶେଷ କାର୍ଯ୍ୟପନ୍ଥା ସ୍ଥିର କଲୁ । ମୋ ରେଳବାଇର ହଜାର ଟନ୍ ଗହମ ଗୋଦାମ ବାହାରେ ପଦାରେ ଓହ୍ଲାଇ ଦେଇ ଡବାଗୁଡ଼ିକୁ ଖାଲି କରିଦେବି ବୋଲି ମୁଁ ପ୍ରସ୍ତାବ ଦେଲି । ଏଥିରେ ନାନା ବିପଦର ସମ୍ଭାବନା ଥିଲେ ସୁଦ୍ଧା ସେପରି ଦୁଃସାହସ କରିବା ଛଡ଼ା ପନ୍ଥା ନ ଥିଲା । ଖାଲି ଡବାଗୁଡ଼ିକରେ ମାଲ୍ ଚଢ଼ାଇ ଗୋଦାମରେ ଜାଗା କରାଯିବ । ସେତକ ଜାଗାରେ କେଲି ତାଙ୍କର ହଜାରେ ଟନ୍ ଲୁଣ ଓ ଚିନି ଓହ୍ଲାଇ ଦେବେ ଓ ସେଇ ଡବାଗୁଡ଼ିକରେ ଗୋଦାମରୁ ଅନ୍ୟ ମାଲ୍ ଉଠାଇ ମୋ ଗହମ ପାଇଁ ଜାଗା କରିଦେବେ । ଯୋଜନାଟି କାର୍ଯ୍ୟରେ ଖୁବ୍ ସଫଳ ହେଲା । ଗହମତକ ପଦାରେ ପଡ଼ିଥିବା ବେଳେ ଯୋଗକୁ ବର୍ଷା ହେଲା ନାହିଁ । ଏହିପରି ମାଲ୍‍ମତ୍ତାସବୁ ଏପଟ ସେପଟ କରି ଦଶ ଦିନରେ ଆମେ ଗୋଦାମରୁ ଭିଡ଼ କମାଇ ଦେଲୁ । ବହୁ କାଳରୁ ପଡ଼ିରହିଥିବା ମାଲ୍‍ଗାଡ଼ି ସବୁ ବୋଝାଇ ହୋଇ ଚାଲିଗଲେ । ମାଲ୍‍ ଚଳାଚଳରେ ଅଚଳ ଅବସ୍ଥା ସୃଷ୍ଟି ହେବା ପରେ ଦୁଇ ରେଳବାଇର ମାଲ୍ ଚଲାଣ ବ୍ୟବସ୍ଥା ପନ୍ଦର ଦିନ ଧରି ବାତିଲ୍ କରି ଦିଆଯାଇଥିଲା । ଏବେ ପୁଣି ମାଲ୍ ଚଲାଣ ଆରମ୍ଭ କରାଯାଇ ପାରେ ବୋଲି ଆମେ ନିଜେ ନିଜ ସଦର କାର୍ଯ୍ୟାଳୟକୁ ଜଣାଇ ଦେଲୁ ।

 

ଖରାଦିନ ଆରମ୍ଭରେ ମୁଁ କାମରେ ଯୋଗ ଦେଇଥିଲି । ଖରାଦିନେ ଭାରତୀୟ ରେଳବାଇମାନଙ୍କରେ ମାଲ୍ ଯାତାୟାତର ବଡ଼ ଭିଡ଼ ହୁଏ । ମାଲ୍ ଚାଲାଣ ଆରମ୍ଭ ହେବା ମାତ୍ରେ ଦୁଇ ରେଳବାଇର ବୋଝେଇ ମାଲ୍‍ଗାଡ଼ିମାନ ଦୁଇଆଡ଼ୁ ବହୁ ସଂଖ୍ୟାରେ ଆସି ପହଞ୍ଚିବାକୁ ଲାଗିଲେ । ଭାରତର ସବୁ ଠିକାଦାରଙ୍କ ମଧ୍ୟରୁ ମୋର ମାସୁଲ ସର୍ବନିମ୍ନ ହାରରେ ନିର୍ଦ୍ଧାରଣ କରାଯାଇଥାଏ । ଅନ୍ୟମାନଙ୍କ ପରି ମୁଁ କାମ ଅନୁସାରେ ଶ୍ରମିକଙ୍କୁ ମଜୁରୀ ଦିଏ । ଅନ୍ୟ ଶ୍ରମିକଙ୍କ ତୁଳନାରେ ସେମାନେ ଯେପରି ସମାନ ବା ବେଶି ରୋଜଗାର କରିବେ, ସେଥିପାଇଁ ମୁଁ ଯେତେ ସମ୍ଭବ କମ୍ ସଂଖ୍ୟାରେ ଶ୍ରମିକ ନିଯୁକ୍ତ କରିଥାଏ । ଅନ୍ୟମାନଙ୍କ ଅପେକ୍ଷା ମୋ ଲୋକଙ୍କୁ ଅବଶ୍ୟ ବେଶି ଖଟିବାକୁ ପଡ଼େ । କିନ୍ତୁ ସେହି ଅନୁପାତରେ ସେମାନେ ବେଶି ରୋଜଗାର କରନ୍ତି । କାମ ଚାଲିବାର ସପ୍ତାହେ ପରେ ହିସାବରୁ ଜଣାପଡ଼ିଲା ଯେ ମୋ ଲୋକେ ଶ୍ରମସଂସ୍ଥାର ଶ୍ରମିକଙ୍କଠାରୁ ପ୍ରାୟ ଦେଢ଼ଗୁଣ ବେଶି ରୋଜଗାର କରିଛନ୍ତି । ମଜୁରୀ ଛିଣ୍ଡାଇ ଦେବାକୁ ହାତରେ ପାଣ୍ଠି ନ ଥିଲେ ସୁଦ୍ଧା ଏ ହିସାବ ଦେଖି ମୋର ଆନନ୍ଦର ସୀମା ନ ଥାଏ ।

 

ଦାୟିତ୍ୱ ନେବାବେଳେ ରେଳବାଇ କର୍ମକର୍ତ୍ତାମାନେ ମୋତେ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ଯେ ପ୍ରତି ସପ୍ତାହରେ ମୋ ପାଉଣାତକ ନିୟମିତ ଦିଆଯିବ । ତାଙ୍କ କଥାରେ ଭରସା କରି ପ୍ରତି ସପ୍ତାହରେ ମଜୁରୀ ଛିଣ୍ଡାଇ ଦେବି ବୋଲି ଶ୍ରମିକଙ୍କୁ ମୁଁ ଜବାବ ଦେଇଥିଲି । ଠିକାଦାର ବଦଳ ହେଲେ ହିସାବ-ସମୀକ୍ଷା (Audit) ବିଭାଗରେ କାଗଜପତ୍ର ସଜାଡ଼ିବାକୁ ଡେରି ହୁଏ ବୋଲି ରେଳବାଇ କର୍ତ୍ତୃପକ୍ଷ ସେତେବେଳେ ବୁଝି ନ ଥିଲେ । ହିସାବ ନିକାଶ ନ କରି ଦିନ ଗଡ଼ାଇବା ବିରାଟ ରେଳବାଇ ପ୍ରତିଷ୍ଠାନ ପକ୍ଷରେ ଅତି ଗୁରୁତର ସମସ୍ୟାର ଆକାର ନେଲା । ଦେଢ଼ଶହଟି ଟଙ୍କା ଧରି ମୁଁ ମୋକାମା ଘାଟରେ ପହଞ୍ଚିଥିଲି । କାହା ପାଖରୁ କିଛି ହାତ ଉଧାର ଆଣି ଗରଜ ଚଳାଇ ଦେବି–ଏପରି ନିଜ ଲୋକ ସଂସାରରେ କେହି ନ ଥିଲେ । ରେଳବାଇ ପ୍ରତିଷ୍ଠାନ ମୋ ପାଉଣା ନ ଦେବା ଯାଏ ଶ୍ରମିକଙ୍କୁ ମଜୁରୀ ଦେଇ ପାରିବି ନାହିଁ–ଏଇ ଦୁଶ୍ଚିନ୍ତାରେ ମୁଁ ମ୍ରିୟମାଣ ହୋଇପଡ଼ିଲି ।

 

ଏ ଗପଟିକୁ ମୁଁ “ଅନୁରକ୍ତି” ନାଁ ଦେଇଛି । ମୋକାମା ଘାଟର ସେଇ ଦୁଃଖଦୈନ୍ୟଭରା ପ୍ରଥମ ତିନିମାସରେ ଶ୍ରମିକ ଓ ସହକର୍ମୀଙ୍କଠାରୁ ଯେଉଁ ଗଭୀର ଅନୁରକ୍ତିର ପରିଚୟ ମୁଁ ପାଇଛି, ତାହା କେହି କେବେ ପାଇ ନ ଥିବ । ବିନା ମଜୁରୀରେ ଭୋକ ଉପାସ ସହି ମୋ ଶ୍ରମିକମାନେ ପୂର୍ବପରି ହାଡ଼ଭଙ୍ଗା ପରିଶ୍ରମ କରି ଚାଲନ୍ତି । ଭୋର ଚାରିଟାରୁ କାମ ଆରମ୍ଭ ହୋଇ ରାତି ଆଠଟାରେ ସରେ । ଅନ୍ୟ ଦିନ ପରି ରବିବାରରେ ମଧ୍ୟ କାମ ଚାଲେ । ଅବିରାମ ଗତିରେ କାମ ଚଳାଇବା ପାଇଁ ମାଲ ଯାଞ୍ଚ କରୁଥିବା କିରାଣୀମାନେ ଭିନ୍ନ ଭିନ୍ନ ସମୟରେ ଖାଇବାକୁ ଯାଆନ୍ତି । ଶ୍ରମିକଙ୍କ ପାଇଁ ଖାଇବାକୁ ନେଇ ତାଙ୍କ ସ୍ତ୍ରୀ ପିଲାମାନେ କାମ ପାଖକୁ ଆସନ୍ତି । ସେଇ ଗୋଦାମ ଘରେ ସେମାନଙ୍କ ଖିଆପିଆ ସରେ । ଶ୍ରମିକମାନେ କେତେ କାମ କରିବେ ବା କେତେ ସମୟ ଖଟିବେ, ଏଥିରେ କାଇଦା କଟକଣା ବା ବାଧ୍ୟବାଧକତା ନ ଥାଏ । କାମ ଅନୁସାରେ ମଜୁରୀ ମିଳୁଥିବାରୁ ପ୍ରତ୍ୟେକ ଇଚ୍ଛା ଓ ଶକ୍ତି ମୁତାବକ କାମ କରେ । କେହି ଚାହେଁ ଯେ ତା’ ପିଲାଏ ଭଲ ଖାଇବାକୁ ପିନ୍ଧିବାକୁ ପାଇବେ । କାହାର ଋଣର ଦାୟ ଅଛି । କାହାର ହଡ଼ା ବଳଦଟି ଆଉ କାମକୁ ପାରୁନାହିଁ–ଦାମୁଡ଼ିଟିଏ କିଣିବା ଦରକାର । ଯୋଗ୍ୟତା ଓ ଶକ୍ତି ଖଟାଇ ଆଶା ଆକାଙ୍‌କ୍ଷା ପୂର୍ଣ୍ଣ କରିବାକୁ ପ୍ରତ୍ୟେକକୁ ଯଥେଷ୍ଟ ସୁଯୋଗ ମିଳେ ଓ ଲାଭର ଆଶା ତା’କୁ ଏଥିପାଇଁ ପ୍ରେରଣା ଯୋଗାଏ । କାମ ଆଦାୟ କରିବା ଦରକାର ହୁଏନା । ଶ୍ରମିକକୁ କେହି କ୍ରୀତଦାସ ପରି ହେୟଜ୍ଞାନ କରେ ନାହିଁ କିମ୍ବା ମୁନିବ ଦାସ ବ୍ୟବସାୟୀ ପରି ବ୍ୟବହାର କରେ ନାହିଁ । ଫଳରେ ଶ୍ରମ–ସଙ୍ଗଠନମାନ ଗଢ଼ିବାର ଆବଶ୍ୟକତା ନ ଥାଏ ।

 

ରାତି ଆଠଟାରେ ଅନ୍ୟମାନଙ୍କ କାମ ସରିବାବେଳକୁ ରାମଶରଣଙ୍କର ଓ ମୋର ଆହୁରି ଅନେକ କାମ ବାକି ଥାଏ । ସମସ୍ତେ ଯିବା ପରେ ଆମର ଚିଠିପତ୍ର ଲେଖା ଦେଖା ଆରମ୍ଭ ହୁଏ ଓ ପରଦିନର କାର୍ଯ୍ୟନିର୍ଘଣ୍ଟ ପ୍ରସ୍ତୁତ କରି ସେଥିରେ ଆୟୋଜନ ସବୁ କରିବାକୁ ପଡ଼େ । ସେହି ପ୍ରଥମ ତିନିମାସ ଆମ ଦୁହିଁଙ୍କୁ ଶୋଇବା ପାଇଁ ରାତିକେ ଚାରିଘଣ୍ଟାରୁ ବେଶି ମିଳୁ ନ ଥିଲା । ମୁଁ ସେତେବେଳେ କୋଡ଼ିଏ ଏକୋଇଶ ବର୍ଷର ଯୁବକ । ଦେହ ମୋର ଲୁହା ପରି ଟାଣ ଓ କଠିନ ପରିଶ୍ରମ ପ୍ରତି ମୁଁ ବହୁକାଳରୁ ଅଭ୍ୟସ୍ତ । ରାମଶରଣଙ୍କ ବୟସ କିନ୍ତୁ ମୋଠାରୁ କୋଡ଼ିଏ ବର୍ଷ ବେଶି-। ଏତେ କାମ କରିବାର ଅଭ୍ୟାସ ତାଙ୍କର ନ ଥାଏ । ମୋ ସଙ୍ଗରେ ପଡ଼ି ତାଙ୍କ ଓଜନ ତିନି ମାସରେ ଚଉଦ ପାଉଣ୍ଡ କମିଗଲା କିନ୍ତୁ ମନର ପ୍ରଫୁଲ୍ଲତା ତିଳେ ହେଲେ କମିଲା ନାହିଁ-

 

ଅର୍ଥର ଅଭାବ ଆରମ୍ଭରୁ ମୋତେ ବିବ୍ରତ କରୁଥିଲା । କ୍ରମେ ତାହା କାଳରାତ୍ରିର ଦୁଃସ୍ଵପ୍ନ ପରି ଜୀବନକୁ ବିଷମୟ କରିଦେଲା । ମୋ ଶ୍ରମିକଙ୍କ ଦୁଃଖ ଦୁର୍ଦ୍ଦଶା କହିଲେ ନ ସରେ । ଦିନକୁ ଦିନ ତାହା ଆହୁରି ଶୋଚନୀୟ ହେବାକୁ ଲାଗିଲା । ପ୍ରଥମେ ସର୍ଦ୍ଦାରମାନେ ଓ ପରେ ଶ୍ରମିକମାନେ ସ୍ତ୍ରୀ ପିଲାଙ୍କ ଗହଣା ସମେତ ତାଙ୍କ ସାମାନ୍ୟ ସର୍ବସ୍ଵ ବନ୍ଧା ପକାଇଦେଲେ । ଏ ଦୁଃସମୟରେ କଟା ଘାଆରେ ଚୂନ ଦେଲାପରି ଶ୍ରମସଂସ୍ଥାର ଶ୍ରମିକମାନେ ମୋ ଲୋକଙ୍କୁ ଛିଗୁଲେଇବାକୁ ଲାଗିଲେ । ମୋ ଲୋକେ ବେଶି ରୋଜଗାର କରୁଥିବାରୁ ସେମାନେ ତାଙ୍କୁ ଈର୍ଷା କରୁଥିଲେ । ଏବେ ଆମର ଏ ଦୟନୀୟ ଅବସ୍ଥା ପରିହାସ ପାଇଁ ସେମାନଙ୍କୁ ଯଥେଷ୍ଟ ଉପାଦାନ ଯୋଗାଇ ଦେଲା । ମୁଁ ଶେଷରେ ସମସ୍ତଙ୍କୁ ଚିତାକାଟି ଚାଲିଯିବି କହି ମୋ ଲୋକଙ୍କୁ ସେମାନେ ଟିହାଉଥାନ୍ତି । କ୍ରମାଗତ ଭାବେ ଅଭାବ ଅନାଟନ ଭୋଗ କରି ମୋ ଲୋକଙ୍କ ସହନ ଶକ୍ତି ଅନେକ କମି ଯାଇଥାଏ । ମୋ ବିରୁଦ୍ଧରେ ଏ ପ୍ରଚ୍ଛନ୍ନ ଅଭିଯୋଗ ସେମାନେ ବରଦାସ୍ତ କରିପାରନ୍ତି ନାହିଁ । ଅନେକ ସମୟରେ ଦୁଇ ଦଳ ଭିତରେ ବଚସା ହୋଇ ହାଙ୍ଗାମା ଲାଗିବା ପୂର୍ବରୁ ଅବସ୍ଥାକୁ ଅଳ୍ପକେ ଏଡ଼ାଇ ଦିଆଯାଏ ।

 

ବର୍ଷା ସେ ବର୍ଷ ଦେଖା ନ ଥାଏ । ପ୍ରଚଣ୍ଡ ଖରାରେ ନିଆଁ ବର୍ଷିଲା ପରି ଲାଗୁଥାଏ । ଝାଞ୍ଜି ପବନ ପିଟି ଜୀବନ ଅତିଷ୍ଠ କରିପକାଏ । ଦିନେ କାମ ସାରି କ୍ଳାନ୍ତି ହୋଇ ଘରକୁ ଫେରିବା ବେଳେ ତାର ଯୋଗେ ଖବର ପାଇଲି ଯେ ସାମାରିଆ ଘାଟରେ ଗୋଟିଏ ରେଳଇଞ୍ଜିନ୍ ଲାଇନଚ୍ୟୁତ ହୋଇଛି । ଲଞ୍ଚରେ ପାରିହୋଇ ସେଠାରେ ପହଞ୍ଚିଲି । ଜ୍ୟାକ୍ ଲଗାହୋଇ ତିନିଘଣ୍ଟା ଭିତରେ ଇଞ୍ଜିନକୁ ପହି ଦୁଇ ଥର ଧାରଣା ଉପରକୁ ଉଠାଗଲା । ପ୍ରତି ଥର ସେଇଟି ପୁଣି ତଳକୁ ଖସି ପଡ଼ୁଥାଏ । ପବନର ବେଗ କମିବା ପରେ ରେଳଧାରଣା ତଳେ ସରୁବାଲି ଠେସା ହେଲା । ତୃତୀୟ ଚେଷ୍ଟାରେ ଇଞ୍ଜିନ୍ ପହି ଉପରକୁ ଉଠିଲା ଓ ରେଳରାସ୍ତା ପୁଣି ଚଳାଚଳ ଉପଯୋଗୀ କରାଗଲା ।

 

କ୍ଳାନ୍ତ ଦେହ ମନ ନେଇ ଘରକୁ ଫେରିଲା । ଝାଞ୍ଜି ପବନ ଓ ବାଲି ମାଡ଼ରେ ଆଖି ଫୁଲିଯାଇ ଭାରି ପୋଡ଼ୁଥାଏ । ସାରାଦିନ କିଛି ଖାଇ ନ ଥିଲି । ଘରେ ପହଞ୍ଚିବା ମାତ୍ରେ ଚାକର ଖାଇବାକୁ ବାଢ଼ିଦେଲା । ଦିନ ଭିତରେ ତାହା ହିଁ ଥିଲା ମୋର ପ୍ରଥମ ଭୋଜନ । ଠିକ୍ ଖାଇ ବସିଛି, ସର୍ଦ୍ଦାର ବାର ଜଣ ସେଠାରେ ପହଞ୍ଚି ଭିତରକୁ ପଶି ଆସୁଥିଲେ । ମୁଁ ଖାଉଛି ଦେଖି ଭାରତୀୟ ରୀତିରେ ଶିଷ୍ଟାଚାର ଦେଖାଇ ସେମାନେ ବାହାରକୁ ଚାଲିଗଲେ । ମୋ ଚାକର ବାରଣ୍ଡାରେ ଥିଲା । ତା’ ସହିତ ସର୍ଦ୍ଦାରମାନଙ୍କ କଥାବାର୍ତ୍ତା ସବୁ କାନରେ ବାଜୁଥାଏ । ଯାହା ଶୁଣିଲି ତାହା ତଳେ ଉଦ୍ଧାର କରୁଛି ।

 

ଜଣେ ସର୍ଦ୍ଦାର–ସାହେବଙ୍କୁ କଅଣ ଖାଇବାକୁ ଦେଲ ?

 

ଚାକର–ଖଣ୍ଡେ ରୁଟି ଆଉ ଟିକିଏ ଡାଲି ।

 

ସର୍ଦ୍ଦାର–ଖଣ୍ଡେ ରୁଟି, ଟିକିଏ ଡାଲି ? ଆଉ କିଛି ନାହିଁ ?

 

ଚାକର–ଘରେ ଆଉ କିଛି ନାହିଁ । କିଣିବାକୁ ପଇସା ବି ନାହିଁ ।

 

ସର୍ଦ୍ଦାର–ସାହେବ ଦିନ ଭିତରେ ଆଉ କଅଣ ଖାଆନ୍ତି ?

 

ଚାକର–ଆଉ କିଛି ଖାଆନ୍ତି ନାହିଁ ।

 

କିଛି ସମୟ ଯାଏ ସମସ୍ତେ ନୀରବ । ଜଣେ ମୁସଲମାନ ସର୍ଦ୍ଦାର ବୟସରେ ଅନ୍ୟମାନଙ୍କ ଠାରୁ ବଡ଼ । ହେନାରେ ରଙ୍ଗ ହୋଇଥିବା ତା’ ଲମ୍ବ ଦାଢ଼ି ଯୋଗୁଁ ଲୋକଟି ବାରି ହୋଇପଡ଼େ । ଅନ୍ୟ ସର୍ଦ୍ଦାରମାନଙ୍କୁ ସେ କହିଲା, “ତୁମେ ସମସ୍ତେ ଘରକୁ ଯାଅ । ମୁଁ ରହୁଛି । ସାହେବ ସାଙ୍ଗରେ କଥାବାର୍ତ୍ତା କରିବି ।”

 

ଚାକର ମୋ ଥାଳି ନେଇ ଚାଲିଯିବା ପରେ ସର୍ଦ୍ଦାର ଅନୁମତି ମାଗି ଘରେ ପଶିଲା ଓ ମୋ ଆଗରେ ଛିଡ଼ାହୋଇ କହିଲା, “ଆମ ପେଟରେ କେବେଠୁ ଦାନା ପଡ଼ିନି ସାହେବ ! ଭୋକ ଉପାସରେ କାଲିଠାରୁ ଆଉ କାମ କରିପାରିବୁ ନାହିଁ ବୋଲି ଜଣାଇ ଦେବାକୁ ଆସିଥିଲୁ । ଆପଣଙ୍କ ହାଲ୍‍ ତ ଆଖିରେ ଦେଖିଲୁ । ଆପଣଙ୍କୁ କ’ଣ ବା କହିବୁ ? ଛିଡ଼ା ହେବାକୁ ବଳ ପାଇବା ଯାଏ ଆମେ କାମ ଚଳାଇବୁ । ଆମର ଖାଲି ଏତିକି ମାଗୁଣି–ଆପଣ ଆଉ ଥରଟିଏ ଚେଷ୍ଟା କରନ୍ତୁ-। ତେଣିକି ଆଲ୍ଲାଙ୍କ ଇଚ୍ଛା ।”

 

କେତେ ମାସ ଧରି ପ୍ରତିଦିନ ଗୋଖରପୁର ସଦର କାର୍ଯ୍ୟାଳୟକୁ ମୁଁ ଟଙ୍କା ପାଇଁ ଅନୁନୟ କରି ଚାଲିଥାଏ । ଉତ୍ତରରେ ବାରମ୍ବାର ସେହି ଗୋଟିଏ ଶୁଖିଲା ଆଶ୍ୱାସନା ପାଏ ଯେ ମୋ ପାଉଣା ଦେବାପାଇଁ ବ୍ୟବସ୍ଥା କରାଯାଉଛି । ରାସ୍ତା ଆର ପାଖରେ ତା’ର ଅଫିସ । ସର୍ଦ୍ଦାର ଚାଲିଯିବା ପରେ ସେଠାକୁ ଗଲି । ତାରବାବୁ ରାତିରେ ରହି ମୋ ଦୈନିକ କାର୍ଯ୍ୟକ୍ରମର ବିବରଣୀ ତାରଦ୍ଵାରା ଗୋରଖପୁର ପଠାନ୍ତି । ତାଙ୍କ ଟେବୁଲ୍ ଉପରୁ ଫାର୍ମଟିଏ ନେଇ ତାରବାର୍ତ୍ତା ପଠାଇବା ପାଇଁ ଲାଇନ ଖୋଲା ରଖିବାକୁ କହିଲି । ରାତି ବାରଟା ପରେ ବାର୍ତ୍ତା ପଠାଗଲା । ମୁଁ ଲେଖିଥାଏ, “ସକାଳ ଗାଡ଼ିରେ ବାର ହଜାର ଟଙ୍କା ପଠାଯାଇଛି ବୋଲି ଖବର ନ ଆସିଲେ କାଲି ଠିକ୍ ଦିନ ବାରଟା ବେଳେ ମୋକାମା ଘାଟରେ କାମ ବନ୍ଦ କରିଦିଆଯିବ ।” ବାର୍ତ୍ତା ପଢ଼ି ତାରବାବୁ କହିଲେ, “ଗୋରଖପୁର ତାର ଅଫିସରେ ମୋ ଭାଇ ଏବେ କାମ କରୁଛି । ଆପଣ କହିଲେ ବାର୍ତ୍ତାଟି ରେଳବାଇ ଦପ୍ତରଖାନାରେ ସଙ୍ଗେ ସଙ୍ଗେ ପହଞ୍ଚାଇ ଦେବାକୁ ତା’କୁ କହିବି । କାଲି ସକାଳ ଯାଏ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।” ସେହିପରି କରିବାକୁ ତାଙ୍କୁ ଅନୁରୋଧ କଲି ।

 

ଦଶଘଣ୍ଟା ପରର କଥା । ଚରମ ପତ୍ରରେ ନିର୍ଦ୍ଦିଷ୍ଟ ସମୟ ପୂରିବାକୁ ଆଉ ମାତ୍ର ଦୁଇଘଣ୍ଟା ବାକି । ଜଣେ ତାର–ହରକରା ମାଟିଆ ଲଫାପାଟିଏ ଧରି ଦ୍ରୁତବେଗରେ ମୋ ଆଡ଼କୁ ଆସୁଥିବା ଦେଖିଲି । ପୂର୍ବ ରାତିର ତାରବାର୍ତ୍ତା ବିଷୟ ସମସ୍ତଙ୍କୁ ଜଣାଥାଏ । ହରକରାକୁ ଦେଖି ଦଳ ଦଳ ଶ୍ରମିକ ହାତ ବନ୍ଦ କରି ଅନାଇ ରହିଲେ । ହରକରା ମୋ ଅଫିସ ଚପରାସିର ପୁଅ । ମୁଁ ବାର୍ତ୍ତା ପଢ଼ି ସାରିବା ମାତ୍ରେ ଖବର ଭଲ କି ମନ୍ଦ ବୋଲି ସେ ପଚାରିଲା ଓ ଖବର ଭଲ ବୋଲି ଶୁଣି ଗୋଦାମ ଆଡ଼େ ଛୁଟିଲା । ବାଟସାରା ଶ୍ରମିକମାନେ ତା’ଠାରୁ ଖବର ଶୁଣି ଆନନ୍ଦ ଧ୍ଵନି କରିବାକୁ ଲାଗିଲେ । ଅବଶ୍ୟ ଖବର ଆସିଥାଏ ଯେ କାଲି ସକାଳ ଆଗରୁ ଟଙ୍କା ପହଞ୍ଚି ପାରୁନାହିଁ-। ତେବେ ସେଥିରେ ଯାଏ ଆସେ କ’ଣ ? ଯେଉଁମାନେ ମାସ ମାସ ଧରି ଭୋକ ଉପାସରେ ରହିପାରିଲେ, ସେମାନେ କ’ଣ ଆଉ ଘଣ୍ଟା କେଇଟା ଅପେକ୍ଷା କରିପାରିବେ ନାହିଁ ?

 

ପରଦିନ ପୋଲିସ ଜଗୁଆଳି ସହିତ ଟଙ୍କା ଆସି ପହଞ୍ଚିଲା । ଟଙ୍କା ବାକ୍‍ସ ବାଉଁଶରେ ଝୁଲାଇ ମୋ ଲୋକେ କାନ୍ଧେଇ ଆଣି ଦପ୍ତରଖାନାରେ ରଖିଲେ । ଟଙ୍କା ସଙ୍ଗରେ ରେଳବାଇ ତରଫରୁ ହିନ୍ଦୁ ତହବିଲ୍‍ଦାର ଜଣେ ଆସିଥାଆନ୍ତି । ଭଦ୍ରଲୋକ ଆକାରରେ ଠିକ୍ ଚାରିକୋଣିଆ–ଯେତିକି ଉଚ୍ଚ ପ୍ରାୟ ସେତିକି ମୋଟା । କପାଳରେ ଚଷମାଟିଏ ବନ୍ଧା । ବେଶ୍ ଖୁସ୍‌ମିଜାଜିଆ ଲୋକ ସେ । ମୁହଁରୁ ତାଙ୍କର ହସ ଓ ଝାଳ ପ୍ରାୟ ସମାନ ପରିମାଣରେ ଝରି ପଡ଼ୁଥାଏ । ଦପ୍ତରଖାନା ଚଟାଣରେ ଚକାପକାଇ ବସି ବେକରେ ବାନ୍ଧିଥିବା ସୁତୁଲିଟିଏ ଧରି ସେ ଟାଣିବାକୁ ଲାଗିଲେ । ବେଶ୍ କିଛି ସୁତୁଲି ବାହାରିବା ପରେ ଅନେକ ଭିତରୁ ଚାବିଟିଏ ବାହାରିଲା । ବାକ୍‍ସ ଖୋଲା ହେଲା । ଭିତରେ ବାରଟି ଥଳି । ପ୍ରତି ଥଳିରେ ହଜାରେ କରି ନୂଆ ଟଙ୍କା ଗଣା ହୋଇ ରହିଥାଏ । ଥଳିଗୁଡ଼ିକ ତଳେ ରଖି ଭଦ୍ରଲୋକ ରସିଦ ଖଣ୍ଡିଏ କାଢ଼ି ଟିକଟଟିଏ ଜିଭରେ ମାରି ତା’ ତଳେ ଛାପି ଦେଲେ । ଟିକଟ ଉପରେ ମୁଁ ଦସ୍ତଖତ କରିବା ପରେ ଭଦ୍ରଲୋକ ପକେଟ୍‍ ଅଣ୍ଡାଳିବାକୁ ଆରମ୍ଭ କଲେ । ପକେଟ୍‍ଟି ଛୋଟ ନୁହେଁ । ଯୋଡ଼ିଏ ଠେକୁଆ ସେଥିରେ ସ୍ୱଚ୍ଛନ୍ଦରେ ରହିଯିବେ । ଅନେକ ଖୋଜା ଖୋଜି ପରେ ବହୁତ ଭିତରୁ ଲଫାପାଟିଏ ଉଦ୍ଧାର କରି ମୋ ହାତକୁ ବଢ଼ାଇ ଦେଲେ । ମୋର ତିନିମାସର ଦରମା ବାବଦକୁ ଚାରିଶହ ପଚାଶ ଟଙ୍କା ସେଥିରେ ଥାଏ । ଲଫାପା ଓ ଥଳିଗୁଡ଼ିକ ମୋତେ ଜିମାଦେଇ ଭଦ୍ରଲୋକ ବିଦାୟ ନେଲେ ।

 

ସର୍ଦ୍ଦାର ବାରଜଣଙ୍କୁ ଡାକି ପ୍ରତ୍ୟେକର ହାତରେ ହଜାରେ ଟଙ୍କlର ଥଳିଟିଏ ଧରାଇ ଦେଲେ । ଟଙ୍କା ଦିଆନିଆ ବେଳେ ଆମ ମନରେ ସେଦିନ ଯେଉଁ ଆନନ୍ଦ ଥିଲା ତାହା କେହି କେବେ ଅନୁଭବ କରି ନ ଥିବେ । ତହବିଲ୍‌ଦାର ପହଞ୍ଚିବା ମାତ୍ରେ ଅନେକ ଦିନର ରୁଦ୍ଧ ପୁଞ୍ଜୀଭୂତ ଉତ୍କଣ୍ଠା ହଠାତ୍‍ କୁଆଡ଼େ ଉଭେଇ ଗଲା । ଦିନର ବାକି ଅଂଶଟି ଛୁଟି ଘୋଷଣା କରିଦେଲି । ନବେ ଦିନ ଅବିଶ୍ରାନ୍ତ ପରିଶ୍ରମ ପରେ ଏଇ ଥିଲା ଆମର ପ୍ରଥମ ଛୁଟି । ତାହା ଅନ୍ୟମାନେ କେମିତି ଉପଭୋଗ କଲେ ଜାଣେନା । ମୁଁ କିନ୍ତୁ ଦିନ ତମାମ୍ ନିଘୋଡ଼ ନିଦରେ ଶୋଇ ପଡ଼ିଲି ।

 

ଏଇ ସହକର୍ମୀମାନଙ୍କ ସହାୟତାରେ ମୋକାମା ଘାଟରେ ମୁଁ ଏକୋଇଶ ବର୍ଷ ଠିକାଦାରୀ କରିଛି । ଏ ଦୀର୍ଘ କାଳ ମଧ୍ୟରେ ମାଲ୍‍ପତ୍ରର ନିୟମିତ ଚଳାଚଳରେ ବ୍ୟତିକ୍ରମ କେବେ ହୋଇ ନାହିଁ । ସେ ଭିତରେ ପ୍ରଥମ ମହାଯୁଦ୍ଧରେ ଯୋଗଦେଇ ୧୯୧୪ ରୁ ୧୯୧୮ ମସିହା ପର୍ଯ୍ୟନ୍ତ ମୁଁ ପ୍ରଥମ ଫ୍ରାନ୍‌ସ ଓ ପରେ ୱାଜିରିସ୍ଥାନରେ ରହିଲି । ସେ ସମୟରେ ମୋର ସହକର୍ମୀମାନେ ସୁଚାରୁ ରୂପେ କାମ ଚଳାଇ ମାଲ୍ ସରବରାହ ପୂର୍ବପରି ଅବ୍ୟାହତ ରଖିଲେ । ମୁଁ ଠିକାଦାରୀ ଗ୍ରହଣ କରିବା ବେଳେ ମୋକାମା ଘାଟ ବାଟେ ବର୍ଷକୁ ଚାରିଲକ୍ଷରୁ ପାଞ୍ଚଲକ୍ଷ ଟନ୍ ମାଲ୍ ଯାଉଥିଲା । ମୋ କାର୍ଯ୍ୟକାଳ ଭିତରେ ଏହା ଦୁଇଗୁଣ ବୃଦ୍ଧି ପାଇଲା । ରାମଶରଣଙ୍କୁ ମୁଁ ଦାୟିତ୍ଵ ହସ୍ତାନ୍ତର କରିବା ବେଳକୁ ବର୍ଷର ଦଶଲକ୍ଷ ଟନ୍ ମାଲର ସରବରାହ ବ୍ୟବସ୍ଥା ଆମେ ପରିଚାଳନା କରୁଥିଲୁଁ ।

 

ଭାରତ ପର୍ଯ୍ୟଟନ ପାଇଁ କିମ୍ୱା ବ୍ୟବସାୟଗତ କାରଣରୁ ଯେଉଁ ବିଦେଶୀମାନେ ଏ ଦେଶକୁ ଅଳ୍ପଦିନ ପାଇଁ ଆସନ୍ତି, ଭାରତୀୟଙ୍କ ନିବିଡ଼ ସଂସ୍ପର୍ଶରେ ଆସିବାର ସୁଯୋଗ ସେମାନେ ପାଆନ୍ତି ନାହିଁ । ଭାରତୀୟଙ୍କ ଅନ୍ତରରେ ଶ୍ରଦ୍ଧା ଓ ଅନୁରକ୍ତି ଅତି ଗଭୀର ଭାବରେ ନିହିତ । ଏହି ଦୁଇଟି ଗୁଣର ସୁଯୋଗ ନେଇ ମୁଷ୍ଟିମେୟ କେତେ ଜଣ ଶାସକ ଏଇ ଉପମହାଦେଶର ଅସଂଖ୍ୟ ଅଧିବାସୀଙ୍କ ଉପରେ ଦୀର୍ଘ ଦୁଇଶହ ବର୍ଷ ଶାସନ ଚଳାଇ ପାରିଲେ । ସେ ଶାସନର ଦୋଷଗୁଣ ବିଚାର କରିବା ମୋ ଗଳ୍ପର ଉଦ୍ଦେଶ୍ୟ ନୁହେଁ । ସେ ଶାସନ ‘ମୋର ଭାରତ’ର ଗରିବମାନଙ୍କର କଲ୍ୟାଣ ବା ଅକଲ୍ୟାଣ ସାଧନ କରିଥିଲା, କେବଳ ନିରପେକ୍ଷ ଐତିହାସିକମାନେ ତାହା ବିଚାର କରିପାରିବେ ।

Image

 

Unknown

ବୁଦ୍ଦୁ

 

ବୁଦ୍ଦୁ ଜାତିରେ ହରିଜନ । ବହୁବର୍ଷର ପରିଚୟ ଭିତରେ ସେ କେବେ ହସିବା ମୁଁ ଦେଖି ନାହିଁ । ତା’କୁ ଦେଖିଲେ ମନେହୁଏ ଜୀବନର ନିର୍ମମ ଅନୁଭୂତିସବୁ ଲୌହ ଶଳାକା ପରି ତା’ ହୃଦୟକୁ ବିଦ୍ଧ କରି ରହିଛି । ସ୍ତ୍ରୀ ଓ ଛୋଟ ପିଲା ଦୁଇଟିଙ୍କୁ ନେଇ କାମ ପାଇବା ଆଶାରେ ସେ ମୋ ପାଖରେ ହାଜର ହେଲା । ବୟସ ତା’ର ପଇଁତିରିଶ, ଆକୃତି ଡେଙ୍ଗା ଓ ଦେହର ଗଠନ ଦୁର୍ବଳ । ତା’ ସ୍ତ୍ରୀ ସହିତ ସେ ଏକାଠି କାମ କରିବ ବୋଲି କହିଲା । କେବଳ କୋଇଲାବୁହା ଦଳରେ ସ୍ତ୍ରୀ ଓ ପୁରୁଷ ଶ୍ରମିକ ଏକାଠି କାମ କରିବା ବ୍ୟବସ୍ଥା ଥାଏ । ତାଙ୍କ ଇଚ୍ଛା ଅନୁସାରେ ସ୍ୱାମୀ ସ୍ତ୍ରୀ ଦୁହିଙ୍କୁ ମୁଁ ସେହି ଦଳରେ ରଖାଇ ଦେଲି । ରହିବା ପାଇଁ ତାଙ୍କୁ ବସାଘରଟିଏ ମଧ୍ୟ ଯୋଗାଇ ଦେଲି ।

 

ଗୋଟିଏ ଚାରିଫୁଟ ଓସାର ଗଡ଼ାଣିଆ ଚଉତରା ଦୁଇ ପାଖରେ ଦୁଇଧାଡ଼ି ବ୍ରଡଗେଜ୍ ଓ ମିଟର୍ ଗେଜ୍ ମାଲ୍‍ଡ଼ବା ଛିଡ଼ା ହୋଇଥାଏ । ବ୍ରଡଗେଜ୍ ଡବାରୁ ବେଲ୍‍ଚାରେ କୋଇଲା ତାଡ଼ି ମିଟର୍ ଗେଜ୍ ଡବାକୁ ଟୋକେଇରେ ବୋହି ନେବାକୁ ହୁଏ । ଚଉତରା ଉପରେ ଛାତ ବା ଅନ୍ୟ କିଛି ଆଚ୍ଛାଦନ ନ ଥାଏ । ଅକଥନୀୟ ଯନ୍ତ୍ରଣା ସହି ଶ୍ରମିକଙ୍କୁ ଖରାତରାରେ ସେଠାରେ ହାଡ଼ଭଙ୍ଗା ପରିଶ୍ରମ କରିବାକୁ ପଡ଼େ । ଶୀତଦିନେ ପ୍ରବଳ ଶୀତ କାକରରେ ଥରି ଥରି ସେମାନେ କାମ କରନ୍ତି । ବର୍ଷାଦିନ ସାରା ତାଙ୍କୁ ଏକାଦିକ୍ରମେ ଦିନ ଦିନ ଧରି ତିନ୍ତିବାକୁ ପଡ଼େ । ଖରାଦିନେ ଖଇଫୁଟା ତାତିରେ ଚଉତରା ଓ ରେଲଡ଼ବାରେ ଖାଲି ପାଦରେ ଚାଲିଲେ ପାଦ ଫୋଟକା ହୋଇଯାଏ । ପେଟ ଚାଖଣ୍ଡକ ପାଳି ଛୁଆପିଲାଙ୍କ ମୁହଁରେ ଆହାର ଦେବା ଆଶାରେ କେତେ ଉପାୟହୀନ ଅର୍ବାଚୀନ ଶ୍ରମିକ ଏ କାମ କରିବାକୁ ଆଗେଇ ଆସନ୍ତି । ଅଭ୍ୟାସ ନ ଥିବା ଲୋକକୁ ବେଲ୍‍ଚା ଚଳାଇବାଠାରୁ ଦାରୁଣ ଦଣ୍ଡ ବୋଧହୁଏ ଆଉ କିଛି ଦିଆଯାଇ ନ ପାରେ । ବେଲ୍‍ଚା ଚଳାଇବାର ଦିନକ ଭିତରେ ପାପୁଲିରୁ ଚମ ଉତୁରିଯାଏ ଓ ପିଠି ଦରଜ ହୁଏ । ପରଦିନ ହାତରେ ଫୋଟକା ବାହାରି ପଡ଼େ ଓ ପିଠିର ପୀଡ଼ା ବଢ଼ିଯାଏ । ତୃତୀୟ ଦିନ ଫୋଟକା ଫାଟି ଘାଆ ହୁଏ । ପିଠି ସଳଖି ହୁଏ ନାହିଁ । ଏହା ପରେ ଦଶଦିନଯାଏ ଯମଯନ୍ତ୍ରଣା ଭୋଗ କରି ଏ କାମରେ ଲାଗି ରହିବାକୁ ଯେତେ ସଙ୍କଳ୍ପ ଓ ସାହସ ଦରକାର ହୁଏ, ତାହା ମୁଁ ନିଜ ଅନୁଭୂତିରୁ ଭଲଭାବେ ଜାଣେ ।

 

ବୁଦ୍ଦୁ ଓ ତା’ ସ୍ତ୍ରୀକୁ ଏହାର ପ୍ରତ୍ୟେକ ପର୍ଯ୍ୟାୟ ଦେଇ ଯିବାକୁ ପଡ଼ିଲା । ଅଧିକା ରୋଜଗାର ଆଶାରେ ଷୋହଳ ଘଣ୍ଟା ପରିଶ୍ରମ କରି ହାଲିଆ ହୋଇ ଘରକୁ ଫେରିବା ବେଳେ ଗୋଡ଼ ଉଠାଇ ଚାଲିବାକୁ ତାଙ୍କର ଶକ୍ତି ପାଏ ନାହିଁ । ଏତେ କଷ୍ଟ ନ କରି ସହଜ କାମଟିଏ ବାଛି ନେବା ପାଇଁ ମୁଁ ମୋ କେତେ ଥର ସେମାନଙ୍କୁ ବୁଝାଇବାକୁ ଚାହିଁଛି । କିନ୍ତୁ ଏ କାମରେ ସେମାନେ ଯେତେ ରୋଜଗାର କରୁଥାଆନ୍ତି, ତାହା ଜୀବନରେ କେବେ କରି ନ ଥିଲେ । କାମ ବଦଳାଇବାକୁ ସେମାନେ ରାଜି ହେବେ ନାହିଁ ଜାଣି ମୁଁ ମଧ୍ୟ ବେଶି ବଳାଏ ନାହିଁ । ଦିନାକେତେ ପରେ କାମ ସବୁ ଅଭ୍ୟାସରେ ପଡ଼ିଗଲା । ପାପୁଲିରେ ବିଣ୍ଡି ହୋଇଗଲା । ପିଠିରୁ ଦରଜ ଛାଡ଼ିଲା । ପରିଶ୍ରମ ଆଉ ବାଧିଲା ନାହିଁ । କାମ ସାରି ଦିନଶେଷରେ ଦୁହେଁ ବେଶ୍ ଫୁର୍ତ୍ତିରେ ଘରକୁ ଫେରି ପାରିଲେ ।

 

ସେତେବେଳେ ଭାରତବର୍ଷରୁ ଅନେକ ଜିନିଷ ବିଦେଶକୁ ରପ୍ତାନି ହେଉଥାଏ । ଖାଦ୍ୟଶସ୍ୟ, ଅଫିମ, ନୀଳରଙ୍ଗ, ଚମଡ଼ା ଓ ହାଡ଼ ପ୍ରଭୃତି ମାଲ୍‍ଗାଡ଼ିରେ ବୋଝାଇ ହୋଇ କଲିକତା ଚାଲାଣ ହୁଏ । ବଙ୍ଗଦେଶରୁ କୋଇଲା ନେଇ ଗାଡ଼ିଗୁଡ଼ିକ ଉତ୍ତର ଭାରତକୁ ଫେରନ୍ତି । ବର୍ଷକୁ ପ୍ରାୟ ପାଞ୍ଚଲକ୍ଷ ଟନ୍ କୋଇଲା ମୋକାମା ଘାଟ ବାଟେ ଚଳାଚଳ ହୁଏ । ବିଶେଷ କରି ଖରାଦିନେ କୋଇଲା ଯାତାୟାତ ବହୁତ ବଢ଼ିଯାଏ । ଏହାକୁ ରଖା ଉଠା କରିବା ପାଇଁ ମୋକାମା ଘାଟରେ ସ୍ତ୍ରୀ ପୁରୁଷ ମିଶି ପ୍ରାୟ ଦୁଇଶହ ମଜୁରିଆ କାମରେ ଲାଗିଥାଆନ୍ତି ।

 

ଦିନେ ବୁଦ୍ଦୁ ଓ ତା’ ସ୍ତ୍ରୀ କାମକୁ ଆସିଲେ ନାହିଁ । ଦଳର ସର୍ଦ୍ଦାର ଚମାରୀଠାରୁ ଶୁଣିଲି ଯେ ବୁଦ୍ଦୁ ପୂର୍ବଦିନ ଖଣ୍ଡିଏ ପୋଷ୍ଟକାର୍ଡ ପାଇ ସେହିଦିନ ସକାଳୁ ସ୍ତ୍ରୀ ପିଲାଙ୍କୁ ନେଇ ଗାଁକୁ ବାହାରି ଯାଇଛି । ସୁବିଧା ହେବା ମାତ୍ରେ କାମକୁ ଫେରିବ ବୋଲି ଗଲାବେଳେ ସେ କହିଯାଇଛି ।

 

ଦୁଇମାସ ପରେ ବୁଦ୍ଦୁ ପରିବାର ନେଇ ଫେରିଲା । ଆଗ ପରି ସେମାନେ ତାଙ୍କ ବସାରେ ଆସି ରହିଲେ । ସ୍ୱାମୀ ସ୍ତ୍ରୀ ଦୁହେଁ ପୁଣି ଥରେ ତାଙ୍କ ଧନ୍ଦାରେ ଲାଗିଗଲେ । ପରବର୍ଷ ଠିକ୍ ସେଇ ସମୟରେ ବୁଦ୍ଦୁ ପୁଣି ପିଲାଛୁଆ ନେଇ ଗାଁକୁ ଚାଲିଗଲା । ସେଥର ଗାଁରେ ତିନିମାସ ରହି ଫେରିବା ପରେ ତାଙ୍କ ଚେହେରାରେ ଅନେକ ପରିବର୍ତ୍ତନ ଲକ୍ଷ୍ୟ କଲି । ଯିବା ଆଗରୁ ବୁଦ୍ଦୁ ବେଶ୍ ଗୋଲଗାଲ ହୋଇ ଯାଇଥିଲା । ତା’ ସ୍ତ୍ରୀ ମଧ୍ୟ ପୂର୍ବପରି ଆଉ ରୋଗୀ ଦେଖାଯାଉ ନ ଥିଲା-। ଏଥର ଗାଁରୁ ଫେରିବା ପରେ ଦୁହେଁ ଅତି କ୍ଲାନ୍ତ ଓ ଦୁର୍ବଳ ହୋଇଯାଇଛନ୍ତି ମନେ ହେଲା-

 

କେହି ଶ୍ରମିକ ନିଜ ଇଚ୍ଛାରେ ମୋ ସହିତ ପରାମର୍ଶ କଲେ ବା ହାରି ଗୁହାରି କିଛି ଜଣାଇବାକୁ ଚାହିଁଲେ, ତା’ କଥାସବୁ ମୁଁ ମନଦେଇ ଶୁଣେ; କିନ୍ତୁ ନିଜ ତରଫରୁ ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କେବେ କୌତୂହଳ ପ୍ରକାଶ କରେ ନାହିଁ । ଜୀବନର ଗୋପନୀୟ ବିଷୟଗୁଡ଼ିକୁ ନେଇ କେହି କୌତୂହଳ ପ୍ରକାଶ କଲେ ଭାରତୀୟମାନେ ତାହା ପସନ୍ଦ କରନ୍ତି ନାହିଁ-। ଖଣ୍ଡିଏ ପୋଷ୍ଟକାର୍ଡ ପାଇବା ପରେ ବୁଦ୍ଦୁ ହଠାତ୍ କାହିଁକି କାମ ଛାଡ଼ି ଗାଁକୁ ଚାଲିଯାଏ, ତାହାର କାରଣ ଜାଣିବାର ଉପାୟ ମୋର ନ ଥିଲା । ଶ୍ରମିକଙ୍କ ଚିଠିପତ୍ର ସବୁଦଳର ସର୍ଦ୍ଦାରମାନେ ନେଇ ବାଣ୍ଟନ୍ତି । ବୁଦ୍ଦୁ ଆଉ କେବେ ଯଦି ପୋଷ୍ଟକାର୍ଡ ପାଏ, ତା’କୁ ମୋ ପାଖକୁ ପଠାଇ ଦେବାକୁ ଚମାରୀକୁ ନିର୍ଦ୍ଦେଶ ଦେଲି ।

 

ନଅମାସ ପରର କଥା । କୋଇଲା ବୁହା ଜୋରସୋରରେ ଚାଲିଥାଏ । ସେ ବର୍ଷ ବହୁତ ବେଶି କୋଇଲା ଆସୁଥିବାରୁ ମୋତେ ଓ ମୋ ସଙ୍ଗଠନର ଅନ୍ୟମାନଙ୍କୁ ଆଦୌ ଫୁରସତ ନ ଥାଏ । ଏଇ ସମୟରେ ଦିନେ ପୋଷ୍ଟକାର୍ଡ ଖଣ୍ଡିଏ ଧରି ବୁଦ୍ଦୁ ଆସି ମୋ ଦପ୍ତରଖାନାରେ ହାଜର ହେଲା । ଚିଠିର ଭାଷା ମୋତେ ଜଣା ନ ଥିବାରୁ ସେଇଟି ପଢ଼ି ଶୁଣାଇ ଦେବାକୁ ତା’କୁ କହିଲି । ବୁଦ୍ଦୁ ନିଜେ ନିରକ୍ଷର । ତେବେ ଚମାରୀ ଚିଠି ପଢ଼ି ତା’କୁ ସବୁ ବୁଝାଇ ଦେଇଛି ବୋଲି ସେ କହିଲା । ପୋଷ୍ଟକାର୍ଡଟି ତାଙ୍କ ଗାଁ ମହାଜନେ ଲେଖିଛନ୍ତି । ମହାଜନଙ୍କ ଫସଲ ଅମଳ ହେବା ସମୟ ହେଲାଣି । ଚିଠି ପାଇବା ମାତ୍ରେ ଗାଁକୁ ପଳାଇ ଆସିବାକୁ ବୁଦ୍ଦୁକୁ ସେ ହୁକୁମ୍ ଦେଇଛନ୍ତି । ଦପ୍ତରଖାନାରେ ସେଦିନ ବୁଦ୍ଦୁ ତା’ ଜୀବନର ଯେଉଁ କରୁଣ କାହାଣୀ ମୋତେ ଶୁଣାଇଲା ତାହା ତଳେ ପ୍ରକାଶ କରୁଛି । ତାହା କେବଳ ବୁଦ୍ଦୁର ଜୀବନ କାହାଣୀ ନୁହେଁ–“ମୋର ଭାରତ”ର ଅସଂଖ୍ୟ ଦରିଦ୍ରଙ୍କ ବ୍ୟର୍ଥ ନିଷ୍ପୀଡ଼ିତ ଜୀବନର ତାହା ଏକ ଅବିକଳ ନମୁନା ।

 

“ମୋ ଜେଜେବାପା ବିଲବାଡ଼ିରେ ମୂଲ ଲାଗି ପେଟ ପୋଷୁଥିଲେ । ଗାଁ ମହାଜନଠାରୁ ସେ ଥରେ ଦୁଇଟଙ୍କା ଧାର ନେଲେ । ମହାଜନ ତାଙ୍କୁ ଟଙ୍କାଟିଏ ଦେଇ ଆର ଟଙ୍କାଟି ସୁଧ ବାବଦକୁ ଆଗତୁରା କାଟି ରଖିଲେ । ଦୁଇଟଙ୍କା କରଜ ନେବା କଥା ଖାତାରେ ଚଢ଼ିଲା । ଜେଜେବାପା ସେଥିରେ ଟିପ ଦେଇ ଟଙ୍କାଟିଏ ନେଇ ଘରକୁ ଫେରିଲେ । ତାଙ୍କ ଅମଳରେ କେବେ କେମିତି ସୁଧ ବାବଦକୁ ସେ କେଇଅଣା ପଇସା ନେଇ ଦେଇଆସନ୍ତି । ଜେଜେବାପାଙ୍କ ଅନ୍ତେ ଦେଣାର ଦାୟ ମୋ ବାପାଙ୍କ ଉପରେ ପଡ଼ିଲା । ସେତେବେଳକୁ ସୁଧମୂଳ ମିଶି ସେତକ ପଚାଶ ଟଙ୍କା ହେଲାଣି । ବାପାଙ୍କ ଜୀବଦ୍ଦଶାରେ ତାହା ବଢ଼ି ବଢ଼ି ଶହେ ପନ୍ଦର ଟଙ୍କାରେ ପହଞ୍ଚିଲା ।”

 

ସେ ଭିତରେ ବୁଢ଼ା ମହାଜନେ କାଳ ହୋଇଗଲେ । ତାଙ୍କ ପୁଅ ମହାଜନି କରୁଥାଆନ୍ତି-। ମୋ ବାପା ଚାଲିଯିବା ପରେ ନୂଆ ମହାଜନେ ମୋତେ ଡକାଇ କହିଲେ ଯେ ଏତେ ଟଙ୍କାର ମାମଲତ ଆଉ ଖାତାରେ ରହିଲେ ଚଳିବ ନାହିଁ । ମୋହରଦିଆ କାଗଜରେ ରୀତିମତ ତମସୁକ ଲେଖିଦେବାକୁ ପଡ଼ିବ । କାଗଜ କିଣି ତମସୁକ ଲେଖାଇ ରେଜେଷ୍ଟ୍ରି କରିବାକୁ ମୁଁ ଅବା ପଇସା କାହୁଁ ପାଇବି ? ମହାଜନେ ନିଜ ଆଡ଼ୁ ସବୁ ଖର୍ଚ୍ଚ କରି ଦେଣାରେ ସେତକ ମିଶାଇ ଦେଲେ-। ମୋଟ ଶହେ ତିରିଶ ଟଙ୍କା ପାଇଁ ତମସୁକ ଲେଖାହେଲା । ମୁଁ ନେହୁରା ହୋଇ କୁହବୋଲା କରିବାରୁ ମହାଜନେ ଦୟାକରି ଶହେକେ ମୋଟ ପଚିଶ ଟଙ୍କା ସୁଧ ନେବାକୁ ରାଜି ହେଲେ । କିନ୍ତୁ ଦେଣା ନ ସୁଝିବା ଯାଏଁ ଆମେ ସ୍ଵାମୀ ସ୍ତ୍ରୀ ଦୁହେଁ ବିନା ମୂଲରେ ତାଙ୍କ ଫସଲ କାଟିବୁ ବୋଲି କଥା ହେଲା । ଏଥିରେ ମୁଁ ରାଜି ହେବା ପରେ ଆଉ ଖଣ୍ଡିଏ କାଗଜରେ ଚୁକ୍ତିପତ୍ର ଲେଖା ହେଲା । ସେଥିରେ ମୁଁ ଟିପଚିହ୍ନ ଦେଲି । ମହାଜନେ ପ୍ରତିବର୍ଷ ଦେଣାର ସୁଦ୍ଧମୂଳ ହିସାବ କରି ତମଶୁକ ପିଠିରେ ଦରଜ କରନ୍ତି । ତା’ ତଳେ ମୁଁ ଟିପଚିହ୍ନ ଦିଏ । ଦେଣା ଏବେ କେତେରେ ପହଞ୍ଚଲାଣି ମତେ ଜଣା ନାହିଁ । ଆଗରୁ କିଛି ସୁଝି ପାରି ନଥିଲି । ଆପଣଙ୍କ ପାଖରେ କାମ କରିବା ଦିନୁ ଥରେ ପାଞ୍ଚ ଟଙ୍କା, ଥରେ ସାତ ଟଙ୍କା, ଆଉଥରେ ତେର ଟଙ୍କା–ଏମିତି ମୋଟ ପଚିଶ ଟଙ୍କା ଦେଇଛି ।”

 

ପୂର୍ବପୁରୁଷଙ୍କ ଋଣ ଯେ ଅସ୍ଵୀକାର କରିହେବ–ଏକଥା ବୁଦ୍ଦୁ ସ୍ୱପ୍ନରେ ସୁଦ୍ଧା ଭାବି ନଥାଏ । ସେପରି ଭାବିବା ତା’ ପରି ଲୋକ ପକ୍ଷରେ ସମ୍ଭବ ନୁହେଁ । ସେ କାମ କଲେ ମୁଁହରେ କାଳି ଲାଗିଯିବ ! ଗାଁରେ ମୁଣ୍ଡ ଟେକି ଚାଲି ହେବନାହିଁ ! ତା’ପରେ ଏ ହେଲା ବାପ ଗୋସେଇଁ ବାପଙ୍କର କରଜ । ୟାକୁ ନ ମାନିଲେ ମହତ ରହିବ ? ସେପରି କାମ ସେ କଦାପି କରିବ ନାହିଁ । ଜୀବନସାରା ପେଟ କାଟି, ବେଠି ଖଟି ଦେଣାରୁ ଅଳ୍ପ କିଛି ମଜୁରା କରିବ । ଏ ଋଣ କିନ୍ତୁ ସୁଝିବାର ନୁହେଁ । ଜୀବନଯାକ ଡହଳ ବିକଳ ହୋଇ ସୁଦ୍ଧା ସେଥିରୁ ସେ ମୁକୁଳିବ ନାହିଁ । ତା’ର ସମସ୍ତ ଚେଷ୍ଟା ସତ୍ତ୍ୱେ ଦେଣ ଆହୁରି ବଢ଼ି ଚାଲିବ । ଶେଷରେ ଦିନେ ପୁଅ ମୁଣ୍ଡରେ ଏ ଦାୟ ଲଦି ଦେଇ ସେ ସଂସାରରୁ ବିଦାୟ ନେବ ।

 

ତା’ ଗାଁରେ ଜଣେ ବ୍ରାହ୍ମଣ ଓକିଲ ରହୁଥିବା କଥା ବୁଦ୍ଦୁଠାରୁ ଶୁଣିଲି । ଓକିଲଙ୍କ ନାଁ ଗାଁ ଟିପି ରଖି ମହାଜନ କଥା ମୁଁ ନିଜେ ବୁଝିବି କହି ବୁଦ୍ଦୁକୁ କାମକୁ ପଠାଇ ଦେଲି । ଏହା ପରେ ଅନେକ ଦିନ ଯାଏ ଓକିଲଙ୍କ ସହିତ ଚିଠି ପତ୍ର ଦିଆନିଆ ଚାଲିଲା । ଓକିଲ ବେଶ୍ ନିର୍ଭୀକ ଲୋକ-। ମହାଜନ ତାଙ୍କୁ କେତେଥର ଏଥିରେ ମୁଣ୍ଡ ନ ପୁରାଇବାକୁ ତାଗିଦ୍ କରି କହିଲା । ଶେଷରେ ଦିନେ ଅପମାନ ଦେଇ ସେ ତାଙ୍କୁ ଘରୁ କାଢ଼ିଦେବା ପରେ ଓକିଲ ଆହୁରି ଆଗ୍ରହରେ ଆମକୁ ସାହାଯ୍ୟ କଲେ । ତାଙ୍କଠାରୁ ଜାଣିଲି ଯେ ଖାତାରେ କେବଳ ମୃତବ୍ୟକ୍ତିଙ୍କ ଟିପଚିହ୍ନ ଥିବାରୁ ମହାଜନ ତା’କୁ ଅଦାଲତରେ ଦାଖଲ କରି ପାରି ନ ଥାନ୍ତା । ତେଣୁ କାରସାଦି କରି ବୁଦ୍ଦୁଠାରୁ ସେ ନୂଆ କରି ତମସୁକ ଲେଖାଇ ନେଲା । ବର୍ଷକୁ ଶତକଡ଼ା ପଚିଶ ଟଙ୍କା ସୁଧରେ ବୁଦ୍ଦୁ ନିଜେ ଦେଢ଼ଶହ ଟଙ୍କା କରଜ କରିଛି ବୋଲି ମହାଜନ ଚଞ୍ଚକ କରି ଲେଖାଇ ନେଇଛି । ତମସୁକଟି କାଗଜ କଲମରେ ଦୋରସ୍ତ ଥିବାରୁ ଆଇନ ଅନୁସାରେ ସିଦ୍ଧ ହେବ । ତା’ପରେ ତିନି କିସ୍ତିରେ ସୁଧ ପଇଠ କରି ଓ ସେ ସମୟରେ ଦଲିଲ ପିଠିରେ ଟିପଚିହ୍ନ ଦେଇ ତମସୁକର ବୈଧତାକୁ ବୁଦ୍ଦୁ ସ୍ୱୀକାର କରିଛି । ଏପରି ସ୍ଥଳେ ଏହାକୁ ଜାଲ୍‍ ଦଲିଲ କହି ନାଲିସ୍ କଲେ କିଛି ଲାଭ ହେବନାହିଁ ବୋଲି ଓକିଲ ପରାମର୍ଶ ଦେଲେ । କରଜର ସୁଧମୂଳ ହିସାବ କରି ଯାହା ହେଲା ସବୁ ଟଙ୍କା ମୁଁ ଡାକ ଯୋଗେ ଓକିଲଙ୍କ ପାଖକୁ ପଠାଇଲି । ଟଙ୍କା ପାଇବା ପରେ ମହାଜନ ବୁଦ୍ଦୁର ତମସୁକଟି କେବଳ ଫେରସ୍ତ ଦେଲା । ତା’କୁ ବେଠି ଖଟାଇବାକୁ ଲେଖାଇ ନେଇଥିବା ଚୁକ୍ତିପତ୍ରଟି ଫେରାଇବାକୁ ସେ ମନାକଲା । ଓକିଲଙ୍କ ପରାମର୍ଶରେ ଅନ୍ୟାୟ ଉତ୍ପୀଡ଼ନ ବିରୁଦ୍ଧରେ ନାଲିସ୍‍ କରିବି ବୋଲି ମୁଁ ଧମକ ଦେବାରୁ ମହାଜନ ଚୁକ୍ତିପତ୍ର ଫେରାଇବାକୁ ବାଧ୍ୟ ହେଲା ।

 

ଦୀର୍ଘସମୟ ଧରି ଏସବୁ କାରବାର ଚାଲିଥିବା ବେଳେ ବୁଦ୍ଦୁ ବଡ଼ ଅସ୍ଥିର ଜଣା ପଡୁ଼ଥାଏ । ପ୍ରବଳ ପ୍ରତାପୀ ମହାଜନ ସହିତ ମୁକାବିଲା କରିବାକୁ ମୋତେ ଛାଡ଼ିଦେଇ ସେ ଠିକ୍ କରିଛି କି ନାହିଁ–ଏଇ ଚିନ୍ତା ତା’କୁ ବିବ୍ରତ କରୁଥାଏ । ମୋତେ ସେ ମୁହଁ ଫିଟାଇ କିଛି କହେ ନାହିଁ । କିନ୍ତୁ ତା’ ପାଖ ଦେଇ ଗଲାବେଳେ ତା’ ଚାହାଣୀରୁ ତା’ ମନର ଭାବ ମୁଁ ସ୍ପଷ୍ଟ ବୁଝିପାରେ । ତା’ର ଭୟଥାଏ ଯେ ମହାଜନ ଯଦି ହଠାତ୍ ସେଠାରେ ପହଞ୍ଚିଯାଇ ଏସବୁ ପାଇଁ କୈଫିୟତ୍ ମାଗେ, ତେବେ ସେ ତା’କୁ କି ଉତ୍ତର ଦେବ ! କିଛିଦିନ ପରେ ଓକିଲଙ୍କଠାରୁ ଢେରଗୁଡ଼ିଏ ଜଉମୁଦ ଦିଆ ରେଜିଷ୍ଟ୍ରି ଲଫାପାଟିଏ ପାଇଲି । ସେଥିରେ ବୁଦ୍ଦୁର ତମସୁକ, ଚୁକ୍ତିପତ୍ର, ଓକିଲଙ୍କ ପାଉଣା ପାଇଁ ରସିଦ ଓ ତାଙ୍କଠାରୁ ଚିଠିଖଣ୍ଡିଏ ଥାଏ । ଦଲିଲ ଗୁଡ଼ିକ ଟିପଚିହ୍ନରେ ଛାଇ ହୋଇଥାଏ । ଓକିଲ ଲେଖିଥାଆନ୍ତି ଯେ ବୁଦ୍ଦୁ ଏବେ ସମ୍ପୂର୍ଣ୍ଣ ୠଣମୁକ୍ତ । ଏତକ କରାଇବା ପାଇଁ ମୋତେ ଦୁଇ ଶହ ପଚିଶି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଲା ।

 

ସେଦିନ ସନ୍ଧ୍ୟାରେ ବୁଦ୍ଦୁ କାମରୁ ଫେରିବା ବାଟରେ ତା’ ସହିତ ଦେଖା ହେଲା । ତା’କୁ ଦେଖାଇବା ପରେ ଦିଆସିଲି ଜଳାଇ କାଗଜଗୁଡ଼ିକରେ ନିଆଁ ଧରାଇ ଦେବାକୁ ବାହାରିଲି । ବୁଦ୍ଦୁ ମୋତେ ବାଧାଦେଇ କହିଲା, “ନା ସାହେବ, କାଗଜ ପୋଡ଼ନ୍ତୁ ନାହିଁ । ଆଜିଠୁଁ ମୁଁ ଆପଣଙ୍କ କିଣା ଚାକର ହୋଇ ରହିଲି । ଠାକୁରେ ଚାହିଁଲେ ଆପଣଙ୍କ ଟଙ୍କା ମୁଁ ଦିନେ ନା ଦିନେ ନିଶ୍ଚୟ ସୁଝିଦେବି-।”

 

କାଗଜତକ ତା’ ହାତକୁ ବଢ଼ାଇ ଦେଇ କହିଲି ଯେ ସେଗୁଡ଼ିକ ବରଂ ତା’ରି ପାଖରେ ଥାଉ । ବୁଦ୍ଦୁ ସବୁଦିନେ ଖୁବ୍ ଗମ୍ଭୀର–ତା’କୁ ହସିବାର ମୁଁ କେବେ ଦେଖିନାହିଁ । ଅଧିକାଂଶ ସମୟ ସେ ନୀରବ ରହେ । ବେଶି କଥା କହିବା ଅଭ୍ୟାସ ତା’ର ନ ଥାଏ । ସେଦିନ ସେ ହାତଯୋଡ଼ି ମୋ ପାଦ ଛୁଇଁ ପ୍ରଣାମ କଲାବେଳେ ସନ୍ଧ୍ୟାର ଅସ୍ପଷ୍ଟ ଆଲୁଅରେ ତା’ ମୁଁହ ମୋତେ ଦିଶିଗଲା । କୋଇଲାଗୁଣ୍ଡ ବୋଳା ତା’ର କଳା ମୁଁହରେ ଲୁହ ଦୁଇଧାର ଗାର କାଟି ବହିଯାଉଥାଏ ତଳକୁ ।

 

ଗୋଟିଏ ଟଙ୍କା ପାଇଁ ତିନିପୁରୁଷ ଧରି ଉତ୍ପୀଡ଼ିତ ହେବା ପରେ ବୁଦ୍ଦୁ ଶେଷରେ ମୁକ୍ତି ପାଇଲା । “ମୋର ଭାରତ”ର କୋଟି କୋଟି ସର୍ବହରାଙ୍କ ମଧ୍ୟରୁ ମାତ୍ର ଜଣଙ୍କୁ ନିଷ୍ପେଷଣରୁ ମୁକ୍ତ କରିପାରିଲି । ବୁଦ୍ଦୁର ପ୍ରଣାମରେ ଭରି ରହିଥିବା ନୀରବ କୃତଜ୍ଞତା ଏ ସାମାନ୍ୟ ସାହାଯ୍ୟର ପୂର୍ଣ୍ଣ ପ୍ରତିଦାନ ଦେଇଥିଲା । ରାତି ଘନେଇ ଆସୁଥାଏ । ଆଖିରେ ଲୁହ ଭରି ଅନ୍ଧାରରେ ବୁଦ୍ଦୁ ରାସ୍ତା ବାରି ପାରୁ ନଥାଏ । ମୁକ୍ତିର ସୁସମ୍ବାଦ ସ୍ତ୍ରୀକୁ ଜଣାଇବା ପାଇଁ ସେ ଅନ୍ଧପରି ବାଟ ଅଣ୍ଡାଳି ଆଗେଇ ଚାଲିଲା । ତା’ ଯିବା ବାଟକୁ ମୁଁ ଅନାଇ ରହିଲି । ଗଭୀର ଆନନ୍ଦରେ ଅନ୍ତର ପୂରି ଉଠୁଥିଲା ।

Image

 

ଲାଲାଜୀ

 

ସେଦିନ ସାମାରିଆ ଘାଟରୁ ଆସୁଥିବା ଯାତ୍ରୀବାହୀ ଷ୍ଟିମର ମୋକାମା ଘାଟରେ ପହଞ୍ଚିବାକୁ ଡେରି ହେଲା । ଏଣେ ବ୍ରଡଗେଜ୍ ରେଳଗାଡ଼ି ଆସି ଷ୍ଟେସନରେ ଛିଡ଼ା ହୋଇଗଲାଣି । ଗାଡ଼ି କିଛି ସମୟ ଅଟକାଇବା ପାଇଁ ବ୍ୟବସ୍ଥା କରି ମୁଁ ଘାଟ ପାଖରେ ଷ୍ଟିମରକୁ ଅପେକ୍ଷା କରିଥାଏ-। ଷ୍ଟିମର ଲାଗିବା ମାତ୍ରେ ଯାତ୍ରୀମାନେ ତରତରରେ ଓହ୍ଲାଇ ଦ୍ରୁତବେଗରେ ଷ୍ଟେସନ ଆଡ଼େ ଛୁଟିଲେ-। ସମସ୍ତଙ୍କ ପରେ ଜଣେ ଯାତ୍ରୀ ଧୀରେ ଧୀରେ ତଳକୁ ଓହ୍ଲାଇବାକୁ ଲାଗିଲେ । ଦେହ ତାଙ୍କର ଦୁର୍ବଳ; ଆଖି କୋରଡ଼ରେ ପଶିଯାଇଛି । ପୁରୁଣା ତାଳିପକା ପୋଷାକଟିର ରଙ୍ଗ ଦିନେ କେବେ ଧଳା ଥିଲା । ଏବେ ମଇଳା ଭିତରୁ ତା’ର ଅସଲ ରଙ୍ଗ ବାରି ହେଉ ନ ଥାଏ । ହାତରେ ରଙ୍ଗୀନ କନାର ଛୋଟ ପୁଟୁଳିଟିଏ । ବାଡ଼ାରେ ଭରା ଦେଇ ଅତି କଷ୍ଟରେ ସେ ତକ୍ତାରୁ ତଳକୁ ଗଡ଼ିଲେ ଓ ସେଠାରୁ ଷ୍ଟେସନକୁ ନ ଯାଇ ସେ ଧୀରେ ଧୀରେ ନଈକୂଳ ଆଡ଼େ ଆଗେଇଲେ-। ପାଣି ପାଖରେ ପହଞ୍ଚିବା ମାତ୍ରେ ତାଙ୍କର ପ୍ରବଳ ବେଗରେ ଉକାର ଉଠି ତୁହାକୁ ତୁହା ବାନ୍ତି ହେବାକୁ ଲାଗିଲା । ବାନ୍ତି ଥମିବା ପରେ ନଈ ପାଣିରେ ସେ ମୁହଁ ଧୋଇଲେ ଓ ପୁଟୁଳାରୁ ଚଦରଟିଏ କାଢ଼ି ବାଲିରେ ବିଛାଇ ସେଥିରେ ଢଳି ପଡ଼ିଲେ । ପାଦ ଦୁଇଟି ଗଙ୍ଗା ପାଣିରେ ପଡ଼ି ଧୋଇ ହେଉଥାଏ । ତେଣେ ଷ୍ଟେସନରେ ଗାଡ଼ି ଛାଡ଼ିବା ଘଣ୍ଟି ବାଜିଲା । ଇଞ୍ଜିନର ସିଟି ଶୁଣାଗଲା-। କେଉଁଥିକୁ ଭ୍ରୁକ୍ଷେପ ନ କରି ସେ ନିଶ୍ଚଳ ରହିଛନ୍ତି ଦେଖି ମନେହେଲା ଯେ ତାଙ୍କର ଗାଡ଼ି ଧରିବାର ଇଚ୍ଛା ନାହିଁ । ପାଖକୁ ଆସି ସେ ଆଖି ବୁଜି ଚିତ୍‍ହୋଇ ପଡ଼ିଛନ୍ତି ଦେଖିଲି । ସେ ଏବେ ଆଉ ଗାଡ଼ି ପାଇବେ ନାହିଁ ବୋଲି ମୁଁ କହିବାରୁ ଆଗନ୍ତୁକ ଆଖି ମେଲି ନିସ୍ତେଜ ଦୃଷ୍ଟିରେ ମୋତେ ଅନାଇ ଉତ୍ତର ଦେଲେ “ଗାଡ଼ି ଧରିବା ମୋର ଦରକାର ହେବନାହିଁ ସାହେବ । ମୋ ପ୍ରାଣ ଯିବା ଉପରେ ।”

 

ଖରାଦିନ–ଆମ୍ବ ପାଚିବାବେଳ । ଏ ସମୟରେ ଉତ୍କଟ ହଇଜା ମହାମାରୀ ପ୍ରବଳ ବେଗରେ ଚାରିଆଡ଼େ ବ୍ୟାପିଯାଏ । ଘାଟଠାରେ ଯାତ୍ରୀ ଜଣକ ମୋ ପାଖ ଦେଇ ଗଲାବେଳୁ ତାଙ୍କୁ ହଇଜା ଧରିଛି ବୋଲି ସନ୍ଦେହ କରୁଥିଲି । ବାନ୍ତିର ବେଗ ଦେଖି ଆଉ ସନ୍ଦେହ ରହିଲା ନାହିଁ । ମୋ ବଙ୍ଗଳା ନଈକୂଳରୁ ଦୁଇଶହ ଗଜ ଦୂର । ବଙ୍ଗଳା ହତାରେ ଚାକରଙ୍କ ବସାରୁ ଅଳ୍ପ ଛଡ଼ାରେ ପଙ୍ଖାବାଲାର ଘରଟି ଖାଲି ଥାଏ । ଆଗନ୍ତୁକଙ୍କୁ ଧରାଧରି କରି ଛିଡ଼ା କରାଇ ସେଯାଏ ଚଲାଇ ନେଲି ଓ ସେଠାରେ ତାଙ୍କୁ ଯଥାସମ୍ଭବ ଆରାମରେ ରଖିବା ପାଇଁ ବ୍ୟବସ୍ଥା କଲି ।

 

ସେତେବେଳେକୁ ମୋକାମା ଘାଟରେ ମୋର ଦଶ ବର୍ଷ ବିତିଲାଣି । ମୋ ଅଧୀନରେ କାମ କରୁଥିବା ବହୁ ଶ୍ରମିକଙ୍କ ମଧ୍ୟରୁ ଅଳ୍ପ କେତେଜଣଙ୍କୁ ମୁଁ ରହିବା ଘର ଯୋଗାଇ ଦେଇଥାଏ । ଅନ୍ୟମାନେ ଆଖପାଖ ଗାଁ ଗଣ୍ଡାରେ ବସାକରି ରହନ୍ତି । ହଇଜା ଲାଗିଲେ ମୋ ଶ୍ରମିକ ଓ ଗ୍ରାମବାସୀମାନେ ସେଥିରୁ ରକ୍ଷା ପାଆନ୍ତି ନାହିଁ । ଏ କଦର୍ଯ୍ୟ ରୋଗ ସମ୍ବନ୍ଧରେ ମୋର ଜାଣିବାକୁ ଆଉ କିଛି ବାକି ନ ଥାଏ । ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା ଯେ ମୁଁ ଯଦି କେବେ ହଇଜାରେ ପଡ଼େ, କେହି ହିତାକାଙ୍‍କ୍ଷୀ ବନ୍ଧୁ ମୋତେ ଗୁଳିକରି ବା ଅଫିମ ଦେଇ ମାରିଦେଉ ।

 

ହଇଜା ଯୋଗୁ ପ୍ରତିବର୍ଷ ହଜାର ହଜାର ଲୋକ ମରନ୍ତି । ସେଥିରୁ ଅଧାଅଧି କେବଳ ଅତ୍ୟଧିକ ଭୟ ଯୋଗୁ ପ୍ରାଣ ହରାନ୍ତି ବୋଲି ମୋର ବିଶ୍ୱାସ । ଏ ଧାରଣା ଅନେକେ ମାନିନେବାକୁ ରାଜି ହେବେ ନାହିଁ ଜାଣେ । ଏ ଦେଶରେ ଅଳ୍ପ ସମୟ କଟାଇଥିବା ବିଦେଶୀଙ୍କ କଥା ମୁଁ କହୁନାହିଁ-। ଆମପରି ଏଠାକାର ସ୍ଥାୟୀ ବାସିନ୍ଦାମାନେ ସମସ୍ତେ ଊଣା ଅଧିକେ ଭାଗ୍ୟ ଉପରେ ବିଶ୍ୱାସ କରନ୍ତି । ଆୟୁଷ ନ ପୂରିଲେ କେହି ମରେ ନାହିଁ ବୋଲି ବିଶ୍ୱାସରୁ ଆମେ ସାହସ ପାଉ । କିନ୍ତୁ ହଇଜା ମହାମାରୀ ଲାଗିଲେ ଅନ୍ୟ ବିଶ୍ୱାସ ସହିତ ଆମ ଆତ୍ମବିଶ୍ଵାସ ମଧ୍ୟ ଭାଙ୍ଗିପଡ଼େ-। ଚାରିଆଡ଼େ କୋକୁଆଭୟ ଖେଳିଯାଏ । ରୋଗରେ ଯେତେ ଲୋକ ମରନ୍ତି, ପ୍ରାୟ ସେତିକି ଭୟ ଓ ଆତଙ୍କ ଯୋଗୁଁ ମୃତ୍ୟୁବରଣ କରନ୍ତି ବୋଲି ମୁଁ ମନେକରେ ।

 

ଆଗନ୍ତୁକ ଯେ ହଇଜାରେ ସାଙ୍ଘାତିକ ଭାବେ ପୀଡ଼ିତ, ଏଥିରେ ସନ୍ଦେହ ନ ଥିଲା । ଏଥିରୁ ବର୍ତ୍ତିବାକୁ ହେଲେ ନିଜ ମନର ଦମ୍ଭ ଓ ମୋ ତୁଟୁକାତୁଟୁକି ଚିକିତ୍ସା ଉପରେ ତାଙ୍କର ବିଶ୍ୱାସ ରହିବା ଦରକାର । ଏ ଅଞ୍ଚଳର ଏକମାତ୍ର ଡାକ୍ତର ମୋକାମା ଘାଟରେ ରହୁଥିଲେ ସୁଦ୍ଧା ତାଙ୍କଠାରୁ ସାହାଯ୍ୟର ଆଶା ନ ଥାଏ । ଏ ଡାକ୍ତର ଜଣକ ଅତି ନୃଶଂସ ନିର୍ଦ୍ଦୟ ପ୍ରକୃତିର ଲୋକ । ସଙ୍ଗଠନର ସମସ୍ତେ ତାଙ୍କୁ ଏତେ ଘୃଣା କରୁଥାଆନ୍ତି ଯେ କେହି ତାଙ୍କୁ ପ୍ରାଣରେ ମାରିଦେବା ପୂର୍ବରୁ ଏଠାରୁ ତାଙ୍କୁ କିପରି ବିଦାୟ ଦେବି–ଏଇ ଚିନ୍ତା ମୋତେ ଘାରିଥାଏ । ମୋ ପାଖରେ ତାଲିମ ପାଉଥିବା ଜଣେ ଶିକ୍ଷାନବିସ୍ କିରାଣୀ ଡାକ୍ତରଙ୍କୁ ତଡ଼ିବାର ଗୋଟିଏ ସହଜ ବ୍ୟବସ୍ଥା କରି ମୋତେ ଦୁଶ୍ଚିନ୍ତାରୁ ରକ୍ଷାକଲେ । ଏ ଭାରତୀୟ ଯୁବକ ପ୍ରଥମେ ଡାକ୍ତର ଦମ୍ପତିଙ୍କ ସହିତ ବନ୍ଧୁତା କରି ନିଜ ଉପରେ ସେମାନଙ୍କ ଆସ୍ଥା ଜନ୍ମାଇଲେ । ଡାକ୍ତର ନିଜେ ଯେପରି ଦୁଶ୍ଚରିତ୍ର, ତାଙ୍କ ସ୍ତ୍ରୀଙ୍କ ସ୍ଵଭାବ ଚରିତ୍ର ମଧ୍ୟ ତଦ୍ରୂପ । ଏଠାକୁ ଆସିବା ପୂର୍ବରୁ ଦୁହେଁ ମିଶରରେ ଥିଲେ । ଇନ୍ଦ୍ରିୟ ବିଳାସ ପାଇଁ ସେ ଦେଶରେ ଯେତେ ସୁବିଧା ଥାଏ ତାହା ମୋକାମା ଘାଟରେ କାହୁଁ ମିଳିବ ? ସେଠାକାର ଆମୋଦ ପ୍ରମୋଦକୁ ଝୁରି ଏଇ ବିଚିତ୍ର ଦମ୍ପତି ଏଠାରେ ଅତି ଦୁଃଖରେ କାଳ କାଟୁଥାଆନ୍ତି । ସେମାନଙ୍କ ମରମ କଥା ଜାଣିପାରି କିରାଣୀ ଦୁହିଁଙ୍କୁ ଉଚିତ ଶିକ୍ଷା ଦେବାକୁ ଗୋଟିଏ ଫିକର କଲେ ।

 

ଦିନେ ରାତିରେ ସାମାରିଆ ଘାଟକୁ ଷ୍ଟିମର ବାହାରିବା ଠିକ ପୂର୍ବରୁ ଡାକ୍ତରବାବୁ ଖଣ୍ଡିଏ ଚିଠି ପାଇଲେ । ଚିଠି ପଢ଼ି ସହଧର୍ମ୍ମିଣୀଙ୍କୁ ସେ ଜଣାଇ ଦେଲେ ଯେ ଜଣେ ସାଙ୍ଘାତିକ ରୋଗୀ ଦେଖିବା ପାଇଁ ତାଙ୍କୁ ସାମାରିଆ ଘାଟ ଯିବାକୁ ହେବ ଓ ରାତିରେ ସେ ସେହିଠାରେ ରହିଯିବେ । ଡାକ୍ତର ବାବୁ ବେଶ ବାଗେଇ ସଜବାଜ ହୋଇ ଘରୁ ବାହାରି କିରାଣୀଙ୍କୁ ବାଟରେ ଭେଟିଲେ । ବସ୍ତି ଶେଷରେ ବଖରାଏ ଘର ଖାଲି ଥାଏ । ସେଥିରେ ରହୁଥିବା ପଏଣ୍ଟସ୍‍ମ୍ୟାନ୍‍ ଜଣକ ବିଷାକ୍ତ ବାଷ୍ପ ଯୋଗୁଁ ଅଳ୍ପଦିନ ତଳେ ପ୍ରାଣ ହରାଇଥାଏ । କୋଠରୀଟିରେ ଜାଲିଦିଆ ଗୋଟିଏ ଝରକା ଓ ଶକ୍ତ କବାଟଟିଏ । କିରାଣୀ ଅତି ଗୋପନରେ ଡାକ୍ତରବାବୁଙ୍କୁ ନେଇ ସେଇ କୋଠରୀରେ ଛାଡ଼ିଦେଲେ । ଡାକ୍ତରବାବୁ ଅପେକ୍ଷା କରିଥାଆନ୍ତି । କିଛି ସମୟ ପରେ ଭଲଭାବେ ଘୋଡ଼ାଘୋଡ଼ି ହୋଇ ଆଉ ଜଣେ ସେ ଘରେ ପ୍ରବେଶ କଲେ । କିରାଣୀ ଏହି ସୁଯୋଗରେ କବାଟ ଆଉଜାଇ ନେଇ ବାହାରୁ ତାଲା ପକାଇ ଦେଲେ ।

 

ସେ ରାତିରେ ମୁଁ ମାଲ୍‍ଗୋଦାମରୁ ବେଶ୍‍ ଡେରିରେ ଫେରୁଥାଏ । ବାଟରେ ଦୁଇ ଜଣ ଲୋକ ବଡ଼ ପାଟିରେ କଥାବାର୍ତ୍ତା ହେଉଥିବା ମୋ କାନରେ ପଡ଼ିଲା । ଦେଖିଲି, କିରାଣୀ ତାଙ୍କୁ କାର୍ଯ୍ୟରୁ ନିଷ୍କୃତି ଦେବାକୁ ଆସିଥିବା ଜଣେ ସହକର୍ମୀଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି । ପରଦିନ ସକାଳୁ ସେବାଟେ କାମକୁ ଯିବାବେଳେ ପଏଣ୍ଟସ୍‌ମ୍ୟାନ୍‌ର ଦ୍ୱାର ପାଖରେ ଅନେକ ଲୋକ ରୁଣ୍ଡ ହୋଇଥିବା ଦେଖିଲି । ଜଣେ ଲୋକ ଆସି କିଛି ନ ଜାଣିଲା ପରି କହିଲା ଯେ ବାହାରୁ ତାଲା ପଡ଼ିଛି କିନ୍ତୁ ଘରେ କିଏ ସବୁ ଥିଲା ପରି ଜଣାଯାଉଛି । ହାତୁଡ଼ି ଆଣି ତାଲା ଭାଙ୍ଗିଦେବାକୁ କହି ମୁଁ ନିଜ କାମରେ ଚାଲିଗଲି । ନିଜ ଅପକର୍ମ ପାଇଁ ଡାକ୍ତର ଦମ୍ପତିଙ୍କ ପ୍ରତି ଏହା ଉପଯୁକ୍ତ ପରାଭବ ହୋଇଥିଲେ ମଧ୍ୟ ସେଠାରେ ରହି ସେମାନଙ୍କୁ ଆହୁରି ଅପଦସ୍ଥ କରିବାକୁ ମୋର ଇଚ୍ଛା ନ ଥିଲା । ଏ ଘଟଣାର ପରିସମାପ୍ତି ସେଦିନର କାର୍ଯ୍ୟସମୀକ୍ଷାରେ ତିନୋଟି ଦଫାରେ ଲେଖା ହୋଇ ରହିଛି ।

 

(୧)

ଡାକ୍ତର ଓ ତାଙ୍କ ସହଧର୍ମ୍ମିଣୀ “ଜରୁରୀ ବ୍ୟକ୍ତିଗତ କାମ” ରେ ଏଠାରୁ ଚାଲିଗଲେ ।

 

 

(୨)

ଶିକ୍ଷାନବିସ୍ କିରାଣୀ ଶିବ ଦେବଙ୍କୁ ମାସିକ କୋଡ଼ିଏ ଟଙ୍କା ବେତନରେ ଯାଞ୍ଚକାରୀ କିରାଣୀ (Tally Clerk) ଚାକିରିରେ ମୁକରିର୍‍ କରାଗଲା ।

 

 

(୩)

ଇଞ୍ଜିନ ଚଢ଼ି ଭାଙ୍ଗିଯାଇଥିବା ଗୋଟିଏ ତାଲା ଓ ଅନ୍ୟ କେତେକ ଉପକରଣ ବିନିମୟରେ ନୂଆ ସରଞ୍ଜାମମାନ ଯୋଗାଇ ଦିଆଗଲା ।

 

ଏହା ପରଠାରୁ ଡାକ୍ତରୀ ବ୍ୟବସାୟୀର ଏ ଜୀବନ୍ତ କଳଙ୍କଟିକୁ ମୋକାମା ଘାଟରେ ଆଉ କେହି କେବେ ଦେଖି ନାହିଁ ।

 

ଆଗନ୍ତୁକ ଏଠାକୁ ଆସିବା ବେଳେ ଆହୁରି ତିନିଜଣ ହାଇଜାରୋଗୀ ମୋ ଚିକିତ୍ସାରେ ଥାଆନ୍ତି । ନୂଆ ରୋଗୀର ସେବା ଶୁଶ୍ରୂଷା ପାଇଁ ବେଶି ସମୟ ଦେବା ସମ୍ଭବ ହେଉ ନ ଥାଏ । ଚାକରଙ୍କଠାରୁ ସାହାଯ୍ୟର ଆଶା ନ ଥିଲା । ରୋଗୀ ଓ ସେମାନେ ଭିନ୍ନ ଭିନ୍ନ ଜାତିର ଲୋକ । ତା’ପରେ, ସଂକ୍ରାମକ ରୋଗ ସହିତ ସେମାନଙ୍କୁ ଗୋଳଘାଣ୍ଟ କରିବା ଉଚିତ ନୁହେଁ । ରୋଗୀ ମନରେ ଦୃଢ଼ଭାବେ ବିଶ୍ଵାସ ଜନ୍ମାଇ ପାରିଲେ ଅନ୍ୟ କିଛିର ଅଭାବ ବିଶେଷ କ୍ଷତି କରିବି ନାହିଁ ବୋଲି ମନେ କଲି । ଆଗନ୍ତୁକଙ୍କୁ ବୋଧ ଦେଇ କହିଲି ଯେ ମୁଁ ତାଙ୍କୁ ଭଲ କରିବା ପାଇଁ ଏଠାକୁ ଆଣିଛି ଓ ତାଙ୍କ ସହଯୋଗ ପାଇଲେ ନିଶ୍ଚୟ ଭଲ କରିଦେବି । ସେଦିନ ରୋଗର ନାନା ଉପସର୍ଗ ଦେଖି ଆଶଙ୍କା ହେଲା ଯେ ମୋର ସମସ୍ତ ଉଦ୍ୟମ ସତ୍ଵେ ସେ ସେଇ ରାତିରେ ହିଁ ମରିଯିବେ । ପାହାନ୍ତା ପହରକୁ ରୋଗ ଟିକିଏ ସମ୍ବଳା ପଡ଼ିଲା ଓ ଅବସ୍ଥା କ୍ରମେ ଭଲ ଆଡ଼କୁ ଗତି କଲା । ତା’ପରେ ବେଳୁବେଳ ଉନ୍ନତି ଘଟି ଶେଷରେ ତାଙ୍କ ସ୍ଵାଭାବିକ ସ୍ଵାସ୍ଥ୍ୟ ଫେରାଇ ଆଣିବା ହିଁ ବାକି ରହିଲା । ଅନ୍ୟ ରୋଗ ଅପେକ୍ଷା ହଇଜା ରୋଗୀକୁ ଅତି ଶୀଘ୍ର ଦୁର୍ବଳ କରି ପକାଏ । ପୂର୍ବ ସ୍ଵାସ୍ଥ୍ୟ ଫେରି ପାଇବାକୁ ତା’କୁ ଅନେକ ଦିନ ଲାଗେ । ଆଗନ୍ତୁକଙ୍କୁ ପାଖରେ ରଖି ମୁଁ ହେପାଜତ କରୁଥାଏଁ । ସପ୍ତାହକ ପରେ ଦିନେ ସେ ନିଜ କଥା ମୋତେ ଫିଟାଇ କହିଲେ ।

 

ଭଦ୍ରଲୋକ ପୂର୍ବେ ଶସ୍ୟ ବ୍ୟବସାୟୀ ଥିଲେ ଓ ବ୍ୟବସାୟରୁ ବେଶ୍‍ ଲାଭ କରୁଥିଲେ । ଗୋଟିଏ ଅଶୁଭ ମୁହୂର୍ତ୍ତରେ ଜଣେ ଅପରିଚିତ ଲୋକକୁ ବ୍ୟବସାୟରେ ଭାଗୀଦାର ଭାବେ ଗ୍ରହଣ କରି ସେ ବିରାଟ ଭୁଲଟିଏ କରି ବସିଲେ । କେତେ ବର୍ଷ ଯାଏ ବ୍ୟବସାୟ ସୁରୁଖୁରୁରେ ଚଳିଲା । ତା’ପରେ ତାଙ୍କୁ କିଛିଦିନ ପାଇଁ ବାହାରକୁ ଯିବାକୁ ପଡ଼ିଲା । ଘରକୁ ଫେରି ଦେଖନ୍ତି ଦୋକାନ ଖାଲି ପଡ଼ିଛି ଓ ଭାଗୀଦାରର ଦେଖାନାହିଁ । ସାମାନ୍ୟ ଯାହା ସମ୍ବଳ ଥିଲା ସବୁ ଧାର ଉଧାର ସୁଝିବାରେ ଗଲା । ନୂଆ କରି ବ୍ୟବସାୟ ଆରମ୍ଭ କରିବାକୁ ଋଣ ମଧ୍ୟ ମିଳିଲା ନାହିଁ । ଶେଷରେ ସେ ଚାକିରି ଖୋଜି ବୁଲିଲେ । ବ୍ୟବସାୟ କ୍ରମରେ ତାଙ୍କ ସହିତ ପୂର୍ବରୁ ସଂପୃକ୍ତ ଥିବା ଜଣେ ବେପାରୀଙ୍କ ପାଖରେ ମାସିକ ସାତଟଙ୍କା ଦରମାରେ ଚାକିରି ଖଣ୍ଡିଏ ମିଳିଲା । ଭାଗୀଦାର ହାତରେ ସର୍ବସ୍ଵ ହରାଇବାର କିଛି ଦିନ ମଧ୍ୟରେ ତାଙ୍କ ସ୍ତ୍ରୀଙ୍କର ମଧ୍ୟ କାଳ ହୋଇଗଲା । ଘରକୁ ରହିଲେ ସେ ନିଜେ ଓ ତାଙ୍କ ପୁଅଟି । ଦଶବର୍ଷକାଳ ମାସିକ ସାତଟି ଟଙ୍କାକୁ ସମ୍ବଳ କରି ଦୁହେଁ ଯଥାତଥା ଚଳୁଥିଲେ । ଏବେ ମୁନିବର କାମରେ ମୁଜାଫରପୁରରୁ ଗୟା ଯିବାବେଳେ ବାଟରେ ତାଙ୍କୁ ହଇଜା ଧରିଲା । ଅବସ୍ଥା କ୍ରମେ ଖରାପ ହେଉଛି ଦେଖି ସେ ବଞ୍ଚିବାର ଆଶା ଛାଡ଼ିଲେ । ଷ୍ଟିମରରୁ ଓହ୍ଲାଇ ଗଙ୍ଗାପ୍ରାପ୍ତି ଆଶାରେ ସେ ନଈକୂଳରେ ଶୋଇଥିଲେ ।

 

ଏଠାରେ ବ୍ୟବସାୟୀଙ୍କୁ “ଲାଲା” କୁହାଯାଏ । ଭଦ୍ରଲୋକଙ୍କୁ ମୁଁ କେବଳ “ଲାଲାଜୀ” ବୋଲି ଜାଣେ । ଏହାଛଡ଼ା ତାଙ୍କର ଆଉ କିଛି ପରିଚୟ ମୋତେ ଏ ପର୍ଯ୍ୟନ୍ତ ଜଣାନାହିଁ । ମୋ ପାଖରେ ପ୍ରାୟ ମାସେ ରହିବା ପରେ ଲାଲାଜୀ ଗୟା ଫେରିବାକୁ ଅନୁମତି ମାଗିଲେ । ସେତେବେଳକୁ ସେ ଚଲାବୁଲା କରି ପାରିଲେଣି । ନିତି ସକାଳେ ମୁଁ କାମକୁ ଯିବାବେଳେ ସେ ମୋତେ ବଳାଇ ଦେବାକୁ କିଛି ବାଟ ସଙ୍ଗରେ ଯାଆନ୍ତି । ସେଦିନ ଆମେ ମାଲ୍‍ଗୋଦାମ ଭିତର ଦେଇ ଯିବାବେଳେ ଲାଲାଜୀ ଗୟା ଯିବା କଥା ଉଠାଇଲେ । ଗୟାରେ ତାଙ୍କ ଚାକିରିରେ ନୂଆ ଲୋକ ରହିଛି ଦେଖିଲେ ସେ କ’ଣ କରିବେ ବୋଲି ପଚାରିଲି । ଲାଲାଜୀ ଉତ୍ତର ଦେଲେ ଯେ ତାହା ହୋଇଥିଲେ ତାଙ୍କୁ ଆଉ ଖଣ୍ଡିଏ ଚାକିରି ଖୋଜିବାକୁ ପଡ଼ିବ । କାହାଠାରୁ କିଛି ସାହାଯ୍ୟ ନେଇ ସେ ନୂଆକରି ବ୍ୟବସାୟଟିଏ ଆରମ୍ଭ କରିବେ ନାହିଁ କାହିଁକି ବୋଲି ମୁଁ ପ୍ରଶ୍ନ କଲି । ଲାଲାଜୀ କହିଲେ, “ବ୍ୟବସାୟ ଖଣ୍ଡେ କଲେ ପୁଅଟିକୁ ଦି’ଅକ୍ଷର ପାଠ ପଢ଼ାଇ ପାରନ୍ତି । ସେଇ ଚିନ୍ତା ମୋତେ ଦିନରାତି ଘାରୁଛି ସାହେବ । ତେବେ ବୃଥା ଚିନ୍ତାରେ ଲାଭ କଣ ? ବ୍ୟବସାୟ କରିବାକୁ ମୋର ସମ୍ପତ୍ତିବାଡ଼ି କିଛି ନାହିଁ । ମାସକୁ ସାତଟା ଟଙ୍କା ପାଇଁ ମୁଁ ପରର ଚାକର । ମୋ ପରି ଲୋକକୁ ଭରସି କରି ଏତେଗୁଡ଼ାଏ ଟଙ୍କା କିଏ ଧାର ଦେବ ?”

 

ରାତି ଆଠଟା ଗାଡ଼ିରେ ଲାଲାଜୀ ଗୟା ଯିବା କଥା । ସେଦିନ ମୁଁ ସନ୍ଧ୍ୟାବେଳୁ ବଙ୍ଗଳା ଫେରି ଆସିଲି । ବିଦାୟ ନେବା ପାଇଁ ଲାଲାଜୀ ବାରଣ୍ଡାରେ ଅପେକ୍ଷା କରିଥାନ୍ତି । ପୂର୍ବର ଲାଲାଜୀ ଓ ସେ ଦିନର ଲାଲାଜୀଙ୍କ ଭିତରେ ଅନେକ ପ୍ରଭେଦ । ଲୁଗାପଟା ସଦ୍ୟ ସଫା ହୋଇଥାଏ । ପୁଟୁଳିର ଆକାର ମଧ୍ୟ ଆଗ ଅପେକ୍ଷା ଟିକିଏ ବଡ଼ । ଗୟା ଷ୍ଟେସନକୁ ଖଣ୍ଡିଏ ରେଳ ଟିକଟ୍ ଓ ପାଞ୍ଚଖଣ୍ଡ ଶହେ ଟଙ୍କିଆ ନୋଟ୍ ତାଙ୍କ ହାତକୁ ବଢ଼ାଇ ଦେଲି । ଲାଲାଜୀ ପ୍ରଥମେ କିଛି ବୁଝି ନ ପାରି ଅବାକ୍‍ ହୋଇ ମୋ ମୁହଁକୁ ବଲବଲ କରି ଅନାଇ ରହିଲେ–ଠିକ୍ ଯେମିତି ବୁଦ୍ଦୁ ସେଦିନ ମୋତେ ଅନାଇ ରହିଥିଲା । ପାଟିରୁ ତାଙ୍କର କଥା ବାହାରୁ ନ ଥାଏ । ଥରେ ନୋଟ୍‌ଗୁଡ଼ିକୁ ଆଉ ଥରେ ମୋ ମୁହଁକୁ କାବା ହୋଇ ଅନାଉ ଥାଆନ୍ତି । ତେଣେ ଷ୍ଟେସନରେ ଘଣ୍ଟି ବାଜିଉଠିଲା । ଆଉ ପାଞ୍ଚ ମିନିଟରେ ଗାଡ଼ି ଛାଡ଼ିବ । ଲାଲାଜୀ ଆଣ୍ଠେଇ ପଡ଼ି ମୋ ପାଦରେ ମୁଣ୍ଡ ଲଗାଇ କହିଲେ, “ବର୍ଷକ ଭିତରେ ଏ ଗୋଲାମ ଆପଣଙ୍କ ଟଙ୍କାରୁ ଫେରାଇ ଦେବ ସାହେବ ।”

 

ଲାଲାଜୀ ଚାଲିଗଲେ । ଜୀବନ ସାରା ଯାହା ସଞ୍ଚୟ କରିଥିଲି ତା’ର ଅଧିକ ଅଂଶ ତାଙ୍କୁ ଦେଇ ଦେଲି । “ମୋର ଭାରତ” ର ସର୍ବହରାମାନେ ଉପକାର କେବେ ଭୁଲନ୍ତି ନାହିଁ । ଲାଲାଜୀ ଯେ ନିଶ୍ଚୟ ଦିନେ ଫେରିବେ, ଏଥିରେ ମୋର ତିଳେ ମାତ୍ର ସନ୍ଦେହ ନ ଥିଲା । ତେବେ ଗୋଟାଏ ବର୍ଷରେ ପାଞ୍ଚ ଶହ ଟଙ୍କା ପରିଶୋଧ କରିବା ତାଙ୍କ ପକ୍ଷରେ କେବେ ସମ୍ଭବ ହେବ ନାହିଁ ବୋଲି ଭାବିଥିଲି । ଏ ଧାରଣା ଭୁଲ ବୋଲି ପ୍ରମାଣିତ ହୋଇଗଲା । ଲାଲାଜୀ ଏଠାରୁ ଯିବାର ବର୍ଷେ ପୂରିବାକୁ ଆଉ ଅଳ୍ପ ଦିନ ଥାଏ । ଦିନେ ରାତିରେ ଘରକୁ ଫେରି ଦେଖେ ଯେ ପରିଷ୍କାର ଧଳା ଲୁଗାପଟା ପିନ୍ଧି ବାରଣ୍ଡାରେ କିଏ ଜଣେ ଛିଡ଼ା ହୋଇଛନ୍ତି । ଘରେ ଆଲୁଅ ଜଳୁଥାଏ । ଆଗନ୍ତୁକ ଖୋଲା କବାଟ ପାଖରେ ଆଲୁଅକୁ ପଛକରି ଛିଡ଼ା ହୋଇଥିବାରୁ ପ୍ରଥମେ ତାଙ୍କୁ ଚିହ୍ନି ପାରିଲି ନାହିଁ-। ପରେ ସ୍ଵର ଶୁଣି ଜାଣିଲି ଯେ ଲାଲାଜୀ କଥା ରକ୍ଷା କରି ବର୍ଷ ପୂରିବା ଆଗରୁ ଫେରି ଆସିଛନ୍ତି ।

 

ସେଦିନ ଅନେକ ରାତି ଯାଏ ଦୁହେଁ କଥାବାର୍ତ୍ତା ହେଲୁ । ଚୌକିଟିଏ ପକାଇ ମୁଁ ବାରଣ୍ଡାରେ ବସିଥାଏ । ଲାଲାଜୀ ମୋ ପାଖରେ ଚଟାଣରେ ବସି ବର୍ଷକ ଭିତରେ ବ୍ୟବସାୟରେ କିପରି ସଫଳ ହୋଇପାରିଲେ ତାହା ବର୍ଣ୍ଣନା କରୁଥାଆନ୍ତି । ପ୍ରଥମେ ଅଳ୍ପ କେଇବସ୍ତା ଖାଦ୍ୟଶସ୍ୟ କିଣି ସେ ବ୍ୟବସାୟ ଆରମ୍ଭ କଲେ ଓ ବସ୍ତାକେ ମୋଟେ ଚାରିଅଣା ଲାଭ ରଖି ମାଲ୍ ଛାଡ଼ିଦେଲେ-। ବ୍ୟବସାୟ କ୍ରମେ ବଢ଼ିବାକୁ ଲାଗିଲା । ଏବେ ଦୈନିକ ତିରିଶ ଟନ୍ ଖାଦ୍ୟଶସ୍ୟରେ ତାଙ୍କ କାରବାର । ପ୍ରତି ଟନରେ ତିନି ଟଙ୍କା ଲାଭ । ଏଥି ମଧ୍ୟରେ ପାଟନାର ଜଣେ ବିଶିଷ୍ଟ ବ୍ୟବସାୟୀଙ୍କ ଝିଅକୁ ସେ ବିଭା ହୋଇଛନ୍ତି । ତାଙ୍କ ପୁଅ ଗୋଟିଏ ଭଲ ସ୍କୁଲରେ ପାଠ ପଢ଼ୁଛି । ବର୍ଷକରୁ କମ୍ ସମୟରେ ସେ ଅସାଧାରଣ ସଫଳତା ହାସଲ କରିପାରିଛନ୍ତି ।

 

ଅଳ୍ପ ସମୟ ପରେ ଲାଲାଜୀ ଫେରଯିବେ । ଗାଡ଼ି ଆସିବାକୁ ଆଉ ବେଶି ଡେରି ନାହିଁ । ପାଞ୍ଚ ଖଣ୍ଡ ଶହେ ଟଙ୍କିଆ ନୋଟ କାଢ଼ି ସେ ମୋ କୋଳରେ ରଖିଲେ । ତା’ପରେ ପକେଟ୍‌ରୁ ଥଳିଟିଏ ବାହାର କରି ମୋ ଆଡ଼କୁ ବଢ଼ାଇ ଦେଇ କହିଲେ, “ବର୍ଷକୁ ଶତକଡ଼ା ପଚିଶ ଟଙ୍କା ହାରରେ ଆପଣଙ୍କ ଏତିକି ସୁଧ ହେଲା ।” ମୁଁ ହସିଲି । ବନ୍ଧୁମାନଙ୍କଠାରୁ ସୁଧ ନେବାର ଅଭ୍ୟାସ ମୋର ନାହିଁ ବୋଲି କହିଲି । ଅନେକ ବୁଝାସୁଝା କରିବା ପରେ ଘୋର ଦୁଃଖ ଓ ଅନିଚ୍ଛାର ସହିତ ସୁଧତକ ଫେରାଇ ନେବାକୁ ସେ ରାଜି ହେଲେ ।

 

ଲାଲାଜୀ ଯିବାକୁ ବାହାରିଲେ । ବିଦାୟ ନେବା ବେଳେ ସେ କହିଲେ, “ଏଠାରେ ଥିବା ବେଳେ ଆପଣଙ୍କ ଲୋକଙ୍କଠାରୁ ଗୋଟିଏ କଥା ଶୁଣିଥିଲି । ଥରେ କୁଆଡ଼େ ଅଭାବ ଅସୁବିଧାରେ ପଡ଼ି ଦିନ ଭିତରେ ଖଣ୍ଡିଏ ରୁଟି ଓ ଟିକିଏ ଡାଲି ଖାଇ ଆପଣ ଚଳୁଥିଲେ । ଭଗବାନ କରନ୍ତୁ ଆପଣଙ୍କର ସେ ଦୁର୍ଦ୍ଦଶା ଆଉ କେବେ ନ ଆସୁ । ତେବେ, ଯଦି କେବେ କିଛି ଅଭାବ ହୁଏ ତେବେ ମୋତେ ଭୁଲିବେ ନାହିଁ । ମୁଁ ଶୁଣିବା ମାତ୍ରେ ମୋର ସର୍ବସ୍ୱ ବୋହି ଆଣି ଆପଣଙ୍କ ପାଦତଳେ ସମର୍ପି ଦେବି ।”

 

ଲାଲାଜୀଙ୍କର ବ୍ୟବସାୟ କରିବାର ଅଭିଳାଷ ପୂର୍ଣ୍ଣମାତ୍ରାରେ ଚରିତାର୍ଥ ହେଲା । ଗୋଟାଏ ପ୍ରତାରକର ବିଶ୍ୱାସଘାତକତା ତାଙ୍କୁ ଉଚ୍ଛନ୍ନ କରିଥିଲା । ଜଣେ ବନ୍ଧୁର ସାମାନ୍ୟ ସାହାଯ୍ୟ ଓ ନିଜ ଅଧ୍ୟବସାୟ ତାଙ୍କୁ ପୁଣି ପ୍ରତିଷ୍ଠିତ କରିପାରିଲା । ସେ ବିଦାୟ ନେବା ଦିନଠାରୁ ଏଗାର ବର୍ଷ ଯାଏ ମୁଁ ମୋକାମା ଘାଟରେ ଥିଲି । ଲାଲାଜୀ ଶେଷ ପର୍ଯ୍ୟନ୍ତ ମୋତେ ଭୁଲି ନ ଥିଲେ । ପ୍ରତିବର୍ଷ ଖରାଦିନେ ତାଙ୍କ ବଗିଚାରୁ ବଛା ବଛା ଆମ୍ବ ଝୁଡ଼ିଏ ସେ ନିୟମିତ ମୋ ପାଇଁ ପଠାଉଥିଲେ ।

Image

 

ଚମାରୀ

 

ଚମାରୀର ଜାତିକୁଳ ତା’ ନାଁରୁ ଜଣାପଡ଼େ । ଭାରତର ଛଅକୋଟି ହରିଜନଙ୍କ ମଧ୍ୟରେ ନିମ୍ନତମ ସ୍ତରରେ ତା’ର ଜନ୍ମ । ଲୋକଟି ଆକୃତିରେ ସାନ–ଦେହର ଗଠନ ଦୁର୍ବଳ । ଖଣ୍ଡିଏ କାମ ପାଇବା ଆଶାରେ ସ୍ତ୍ରୀ ଓ ପିଲା ଦୁଇଟିଙ୍କୁ ନେଇ ସେ ଆସିଥାଏ । ତା’ ସ୍ତ୍ରୀର ରୁକ୍ଷ ମୁଖଭଙ୍ଗୀରେ ଅଭାବ ଅନଟନ ବିରୁଦ୍ଧରେ ଜୀବନବ୍ୟାପୀ ସଂଗ୍ରାମର ଚିହ୍ନମାନ ସ୍ପଷ୍ଟ ବାରି ହେଉଥାଏ । ମା’ର ଚିରା ଘାଗରାକୁ ମୁଠାଇ ଧରି ପିଲାଦୁଇଟି ପଛରୁ ଉଙ୍କି ମାରୁଥାଆନ୍ତି । ଏଭଳି ସ୍ୱାସ୍ଥ୍ୟ ନେଇ ମାଲଗୋଦାମ କାମକୁ ସେମାନେ ପାରିବେ ନାହିଁ ଭାବି ଚମାରୀ ଓ ତା’ ସ୍ତ୍ରୀକୁ କୋଇଲା ବୁହାରେ ଲଗାଇଲି । ପରଦିନ ସକାଳୁ ବେଲଚା ଟୋକେଇ ନେଇ ଦୁହେଁ କାମକୁ ଗଲେ ଓ ନିଜ ଶକ୍ତି ସାମର୍ଥ୍ୟର ବିଚାର ନ ରଖି ବଡ଼ ସାହସରେ କାମ ଆରମ୍ଭ କରିଦେଲେ । ଏ କାମରେ କିନ୍ତୁ ମନର ଜୋର୍ ବେଶି ଦରକାର । ସଞ୍ଜ ନ ହେଉଣୁ ତାଙ୍କ କାମ ଧିମେଇବାକୁ ଲାଗିଲା । ପଚାଶଟି ମାଲ ଡବାରୁ ଗୋଟିଏ ଖାଲି ହେବାକୁ ଡେରି ହେଲେ ଶହ ଶହ ଲୋକ ହାତବାନ୍ଧି ବସିଯିବେ । ଶେଷରେ ମୋତେ ଅନ୍ୟ ଲୋକ ଲଗାଇ ତାଙ୍କ କାମତକ ସାରିବାକୁ ପଡ଼ିଲା ।

 

ଦୁଇଦିନ ଗଲା । ଦୁହେଁ ପ୍ରାଣମୂର୍ଚ୍ଛା ଚେଷ୍ଟା ଚଳାଇଥାଆନ୍ତି । ପାପୁଲିରେ ଫୋଟକା ବାହାରି ପଡ଼ିଲା କିନ୍ତୁ କାମ ସରିଲା ନାହିଁ । ତୃତୀୟ ଦିନ ସକାଳୁ ସ୍ୱାମୀ ସ୍ତ୍ରୀ ହାତରେ କନା ଗୁଡ଼ାଇ କାମ ବରାଦ ନେବାକୁ ଅପେକ୍ଷା କରିଥିବା ବେଳେ ତାଙ୍କୁ ଭେଟିଲି । ଲେଖାପଢ଼ା ଜାଣିଛି କି ନାହିଁ ବୋଲି ଚମାରୀକୁ ପଚାରି ବୁଝିଲି ଯେ ସେ ସାମାନ୍ୟ ହିନ୍ଦୀ ଜାଣେ । ବେଲ୍‍ଚା ଟୋକେଇ ଫେରସ୍ତ କରି ଦପ୍ତରଖାନାରେ ମୋତେ ଦେଖା କରିବାକୁ ତା’କୁ କହିଲି । ଘଟଣା କ୍ରମେ କିଛି ଦିନ ତଳେ ସବୁବେଳେ ମାତାଲ ରହୁଥିବା କୋଇଲାବୁହା ଦଳର ଜଣେ ସର୍ଦ୍ଦାରକୁ ମୁଁ କାମରୁ ବରଖାସ୍ତ କରିଥାଏ । (ଜୀବନରେ ଆଉ କାହାକୁ କେବେ କାମରୁ ବାହାର କରିନାହିଁ) । ସେମାନେ କୋଇଲା ବୋହି ପାରିବେ ନାହିଁ ଜାଣି ଚମାରୀକୁ କିଛି ଦିନ ପାଇଁ ସର୍ଦ୍ଦାର ଭାବେ ପରୀକ୍ଷା କରିବାକୁ ଠିକ୍ କଲି ।

 

ଚମାରୀ ଡରି ଡରି ଆସି ଦପ୍ତରଖାନାରେ ହାଜର ହେଲା । ତା’କୁ କାମରୁ ତଡ଼ି ଦିଆଯିବ ବୋଲି ସେ ଭାବିଥାଏ । ନୂଆ ହିସାବ ଖାତା ଖଣ୍ଡିଏ ଓ ପେନ୍‌ସିଲ୍‌ଟିଏ ତା’କୁ ଧରାଇ ଦେଇ ପ୍ରତି ମାଲ୍‍ଡ଼ବାର ନମ୍ବର ଓ ସେଥିରେ କାମ କରୁଥିବା ଶ୍ରମିକଙ୍କ ନାଁ ଲେଖି ଆଣିବାକୁ କହିଲି । ଚମାରୀ ଆଶ୍ଵସ୍ତ ହୋଇ ଚାଲିଗଲା । ଅଧଘଣ୍ଟା ଭିତରେ ପ୍ରତ୍ୟେକଟି କଥା ଖାତାରେ ପରିଷ୍କାର ଭାବେ ଲେଖି ସେ ନେଇ ଆସିଲା । ପଢ଼ି ଦେଖିଲି ଯେ ଲେଖା ସବୁ ପୂରାପୂରି ଠିକ୍ । ତା’କୁ କୋଇଲାବୁହା ଦଳର ସର୍ଦ୍ଦାର ଭାବେ ନିଯୁକ୍ତ କରାଗଲା କହି ଖାତା ଖଣ୍ଡିକ ତା’ ହାତକୁ ବଢ଼ାଇ ଦେଲି । ସେ ଦଳରେ ସେତେବେଳେ ସ୍ତ୍ରୀ ପୁରୁଷ ମିଶି ସମୁଦାୟ ଦୁଇ ଶହ ଲୋକ କାମ କରୁଥାଆନ୍ତି । ସେମାନଙ୍କ ପ୍ରତି ସର୍ଦ୍ଦାରର କର୍ତ୍ତବ୍ୟ ଓ ଦାୟିତ୍ୱ ଚମାରୀକୁ ଭଲଭାବେ ବୁଝାଇ କାମ ପାଖକୁ ପଠାଇଲି । ଘଣ୍ଟାଏ ପୂର୍ବରୁ ଚମାରୀ ଥିଲା ଜଣେ ସାଧାରଣ ହରିଜନ ଶ୍ରମିକ । ଜୀବନର ଦୁର୍ବହ ବୋଝ ନୀରବ ଓ ନତମସ୍ତକ ହୋଇ ବୋହି ନେବା ପ୍ରତି ସେ ଥିଲା ଅଭ୍ୟସ୍ତ । ଏବେ କାଖରେ ଖାତା ଜାକି, କାନରେ ପେନ୍‌ସିଲ୍ ଗୁଞ୍ଜି ସର୍ଦ୍ଦାର ହୋଇ ଦପ୍ତରଖାନାରୁ ବାହାରିବା ବେଳେ ପ୍ରଥମ ଥର ପାଇଁ ଦୁନିଆ ଆଡ଼େ ମୁଣ୍ଡଟେକି ଅନାଇବାକୁ ସେ ସାହସ କଲା ।

 

ମୋ ପାଖରେ କାମ କରିଥିବା ବହୁ ଲୋକଙ୍କ ଭିତରେ ଚମାରୀ ପରି ବିବେକୀ ଓ କର୍ମଶୀଳ ଲୋକ ମୁଁ ଦେଖି ନାହିଁ । ବ୍ରାହ୍ମଣ, କ୍ଷତ୍ରିୟ, ଠାକୁର ଆଦି ତା’ ଦଳର ନାନା ଉଚ୍ଚଜାତିର ଶ୍ରମିକଙ୍କୁ ଚମାରୀର ନିର୍ଦ୍ଦେଶ ମାନି ଚଳିବାକୁ ପଡ଼େ । ଅନ୍ୟ ଜାତିଙ୍କ ଠାରୁ ସମ୍ମାନ ପାଇବାକୁ ଏମାନେ ନିଜ ଜନ୍ମଗତ ଅଧିକାର ମନେ କରନ୍ତି । ଚମାରୀ ଯଥୋଚିତ ସମ୍ମାନ ଦେଖାଇ ସେମାନଙ୍କୁ ସନ୍ତୁଷ୍ଟ କରି ରଖିଥାଏ । ତା’ ନିର୍ଦ୍ଦେଶ ବିରୁଦ୍ଧରେ ସେମାନେ ପ୍ରତିବାଦ କେବେ କରନ୍ତି ନାହିଁ । ଦଳର ପ୍ରତ୍ୟେକ ଶ୍ରମିକର ମଜୁରୀ ହିସାବ ରଖିବା ଚମାରୀର କାମ । କୋଡ଼ିଏ ବର୍ଷ ସର୍ଦ୍ଦାରୀ କରିବା ଭିତରେ ତା’ର ହିସାବ ନେଇ କେହି କେବେ ଦ୍ଵିରୁକ୍ତି କରି ନାହିଁ ।

 

ରବିବାର ସନ୍ଧ୍ୟାରେ ମଜୁରୀ ବଣ୍ଟାଯାଏ । ମୁଣ୍ଡଝାଳ ତୁଣ୍ଡରେ ମାରି ସପ୍ତାହେ ମିହନ୍ତ କରିବା ପରେ ମଜୁରୀ ପାଇ ଶ୍ରମିକମାନେ ଯେତିକି ଖୁସି ହୁଅନ୍ତି, ଏଇ ଅମାୟିକ ଶ୍ରମଶୀଳ ଲୋକଗୁଡ଼ିକୁ ତାଙ୍କ ପାଉଣା ଦେଇ ମୁଁ ମଧ୍ୟ ସେତିକି ଆନନ୍ଦ ପାଏ । ମଜୁରୀ ବାଣ୍ଟିବା ବେଳେ ମୁଁ ଗୋଟିଏ ଖଟୁଲିରେ ବସେ । ଆସନଟିଏ ପାରି ଚମାରୀ ତଳେ ବସିଯାଏ । ମଝିରେ ଗଦାଏ ତମ୍ବା ପଇସା ଜମା ହୋଇଥାଏ । ଶ୍ରମିକମାନେ ଆମକୁ ଘେରି ବସନ୍ତି । କୋଇଲାବୋଳା ତାଙ୍କ କଳା ମୁହଁଗୁଡ଼ିକ ଆଗ୍ରହରେ ଉଜ୍ଜ୍ୱଳ ଦିଶୁଥାଏ । ସେମାନଙ୍କ ଭିତରୁ କେତେଜଣଙ୍କୁ ମୁଁ ଘର ଯୋଗାଇ ଦେଇଥାଏ । ଅନ୍ୟମାନେ ଆଖ ପାଖ ଗାଁ ଗଣ୍ଡାରେ ବସା କରି ରହନ୍ତି । ଦିନସାରା ଅଧମାଇଲ ଲମ୍ବ ଚଉତରାଟିରେ କିଏ କେଉଁଠି କାମ କରେ । ରାତିରେ ଯେଝା ଘରକୁ ଯିଏ ବାହୁଡ଼ିଯାଏ । ସପ୍ତାହ ସାରା କେହି କାହାକୁ ଭେଟି ନ ଥିବାରୁ ରବିବାର ସନ୍ଧ୍ୟାରେ ସାକ୍ଷାତର ଏହି ସୁଯୋଗକୁ ସମସ୍ତେ ପୂରାମାତ୍ରାରେ ଉପଭୋଗ କରନ୍ତି । ପରିଶ୍ରମୀ ଲୋକେ ସବୁବେଳେ ଖୁସିଥାଆନ୍ତି । ଅକର୍ମାଙ୍କ ପରି ବସି ବସି ମନଗଢ଼ା ସମସ୍ୟାମାନ ସୃଷ୍ଟି କରିବାକୁ ତାଙ୍କର ସମୟ ନ ଥାଏ । ମୋ ଶ୍ରମିକମାନେ ସମସ୍ତେ ଗରିବ । ବାସ୍ତବ ଜୀବନରେ ନାନା ଜଞ୍ଜାଳ ସହିବା ସତ୍ତ୍ୱେ ସେମାନେ ସଦାପ୍ରସନ୍ନ ରହିଥାଆନ୍ତି । ଏକାଠି ହେବା ମାତ୍ରେ ନିଜ ନିଜ ଭିତରେ ତାଙ୍କର ଥଟ୍ଟା ପରିହାସ ଆରମ୍ଭ ହୋଇଯାଏ । ଏହି ସଜୀବ ସନ୍ଧ୍ୟାଗୁଡ଼ିକର ଉଛୁଳା ଆନନ୍ଦରୁ ସେମାନେ ମୋତେ ମଧ୍ୟ ବାଦ୍ ଦିଅନ୍ତି ନାହିଁ । ମୁଁ ବି ସେମାନଙ୍କୁ ଛାଡ଼େ ନାହିଁ । ତାଙ୍କ ଭାଷା ଠିକ୍ ତାଙ୍କରି ପରି କହିପାରୁଥିବାରୁ ଥଟ୍ଟାତାମସା ହସଖୁସିରେ ମୁଁ ମନ ଖୋଲି ଯୋଗଦିଏ ।

 

ରେଳବାଇ କର୍ତ୍ତୁପକ୍ଷ ମାଲ୍‌ର ଓଜନ ଅନୁସାରେ ମୋ ପାଉଣା ହିସାବ କରନ୍ତି । ଖଲାସ ବା ବୋଝାଇ ହୋଇଥିବା ମାଲ୍‍ଡ଼ବା ସୁମାରି କରି ମୁଁ ଶ୍ରମିକଙ୍କୁ ମଜୁରି ଦିଏ । ଗୋଦାମ କାମ ପାଇଁ ମୋଟ ଯାହା ମଜୁରି ହୁଏ, ସର୍ଦ୍ଦାରମାନେ ତାହା ନେଇ ନିଜ ଦଳର ଶ୍ରମିକଙ୍କ ଭିତରେ ଭାଗ କରନ୍ତି । କେବଳ କୋଇଲାବୁହା ଦଳର ମଜୁରିତକ ମୁଁ ନିଜେ ବାଣ୍ଟେ । ଚମାରୀ ଦିନ ବେଳୁ ମୋଠାରୁ ନୋଟଗୁଡ଼ିଏ ନେଇ ମୋକାମା ଘାଟ ବଜାରରେ ଭଙ୍ଗାଇ ତମ୍ବା ପଇସା ନେଇ ଆସେ । ସନ୍ଧ୍ୟାବେଳେ ପଇସା ତକ ମଝିରେ ଗଦାକରି ଦୁହେଁ ଦୁଇପାଖରେ ବସୁ । ଚମାରୀ ମାଲ୍‌ଡ଼ବା ଖଲାସ କରିଥିବା ପ୍ରତି ଶ୍ରମିକର ନାଁ ଧରି ଡାକ ଦିଏ । ମୁଁ ହିସାବ କରି ତା’ ପାଉଣାତକ ବଢ଼ାଇ ଦିଏ । ଡବାଟିଏ ଖଲାସ କରିବା ପାଇଁ ଦଶଅଣା ମଜୁରି ମିଳେ । ସେଥିରେ ଖଟିଥିବା ଶ୍ରମିକଙ୍କ ମଧ୍ୟରେ ତାହା ଭାଗ କରାଯାଏ । ବେଳେ ବେଳେ ଭାଗ ପୂରା ନ ଛିଡ଼ି ପାଇସାଟିଏ ବଳିପଡ଼େ । ଅଧଲା ପାହୁଲା କରି ସମାନ ଭାବେ ବାଣ୍ଟି ନ ହେଲେ ପଇସାଟି ମୁଁ ତାଙ୍କ ଭିତରୁ ଜଣକୁ ଜିମା ଦିଏ ଓ ସେ ପରେ ବଜାରରୁ ପଇସାକର ଲୁଣ କିଣି ସମସ୍ତଙ୍କ ଭିତରେ ବାଣ୍ଟି ଦିଏ । ଏହି ବିଧିରେ ମଜୁରି ପାଇ ଶ୍ରମିକମାନେ ବେଶ୍ ସନ୍ତୁଷ୍ଟ ଥାଆନ୍ତି । ଦୀର୍ଘ ସମୟ କଠିନ ପରିଶ୍ରମ କରିବାକୁ ପଡ଼ୁଥିଲେ ମଧ୍ୟ ଏ କାମରେ ଚାଷବାସ ଅପେକ୍ଷା ତିନିଗୁଣ ବେଶି ରୋଜଗାର ହୁଏ । ତା’ପରେ ଏ ହେଲା ବାରମାସୀ କାମ । ଚାଷୀଙ୍କ ପରି ଏମାନଙ୍କୁ ବର୍ଷରେ କେତେମାସ ନିକମା ହୋଇ ବସିବାକୁ ପଡ଼େ ନାହିଁ ।

 

ଚମାରୀକୁ ପ୍ରଥମେ ମାସକୁ ପନ୍ଦର ଟଙ୍କା ଦରମା ଦେଉଥିଲି । କ୍ରମେ ତାହା ବଢ଼ି ଚାଳିଶ ଟଙ୍କାରେ ପହଞ୍ଚିଲା । ସେତେବେଳେ ରେଳବାଇର ଅଧିକାଂଶ କିରାଣୀ ଏହାଠାରୁ କମ୍ ଦରମା ପାଉଥାଆନ୍ତି । ଏହାଛଡ଼ା ଗୋଦାମ କାମରେ ଦଶଜଣ ଲୋକ ଲଗାଇବାକୁ ଚମାରୀକୁ ମୁଁ ଅନୁମତି ଦେଇଥାଏ । ସେଥିରୁ ସେ ଅଧିକା କିଛି ରୋଜଗାର କରେ । କିଏ କେତେ ରୋଜଗାର କରେ ଓ ତାହା କିପରି ଭାବରେ ଉପଯୋଗ କରେ–ଭାରତରେ ଏଇ ଦୁଇଟି ମାନଦଣ୍ଡଦ୍ୱାରା ଲୋକର ଯୋଗ୍ୟତା ମାପ ହୁଏ । ଭଲ ରୋଜଗାର କରୁଥିବାରୁ ଚମାରୀକୁ ଯଥେଷ୍ଟ ମର୍ଯ୍ୟାଦା ମିଳୁଥିଲା । ପୁଣି ଅହଙ୍କାର ନ କରି ସତ୍‍କାର୍ଯ୍ୟରେ ଅର୍ଥ ବିନିଯୋଗ କରୁଥିବାରୁ ସମସ୍ତେ ତା’କୁ ଆହୁରି ଶ୍ରଦ୍ଧା ଓ ସମ୍ମାନ କରୁଥିଲେ । ନିଜ ଜୀବନରେ ଅନାହାରର ବିଭୀଷିକା ଚମାରୀ ଶେଷ ପର୍ଯ୍ୟନ୍ତ ଭୁଲି ନ ଥିଲା । ଶକ୍ତି ପାଇବାଯାଏ ସେ ଯନ୍ତ୍ରଣା ଅନ୍ୟ କାହାକୁ ଭୋଗିବାକୁ ଦେବ ନାହିଁ–ଏହାକୁ ସେ ଜୀବନର ବ୍ରତ କରିଥିଲା । ଜାତିଭାଇ କେହି ତା’ ଘରକୁ ଆସିଲେ ତା’କୁ ନ ଖୁଆଇ ସେ ଛାଡେ଼ ନାହିଁ । ଉଚ୍ଚଜାତିର ଲୋକେ ତା’ ରୋଷାଇରେ ଖାଇବେ ନାହିଁ ବୋଲି ସଞ୍ଚା ସଜାଡ଼ି ଅତି ବିନୀତ ଭାବେ ସେମାନଙ୍କୁ ଦାନ କରେ ।

 

ଏସବୁ ଦାନ ଖଇରାତ ଚମାରୀ ସ୍ତ୍ରୀ ଆଖିରେ ଯାଉ ନ ଥାଏ । ସେ ବାରମ୍ବାର ଆସି ମୋ ପାଖରେ ଫେରାଦ ହୁଏ । ଚମାରୀକୁ ପଚାରିଲେ ସେ ସବୁଦିନେ ସେଇ ଗୋଟିଏ କଥା କହେ ଯେ ମାସକୁ ପନ୍ଦର ଟଙ୍କାରେ ତା’ ଘର ଭଲ ଚଳୁଥିଲା ଓ ସେତିକିରେ ଏବେ ମଧ୍ୟ ବେଶ୍‍ ଚଳିବ । ବେଶି ଟଙ୍କା ହାତରେ ପଡ଼ିଲେ ତା’ ସ୍ତ୍ରୀ ବଦ୍‌ଖର୍ଚ୍ଚକୁ ମନ ବଳାଇବ । ତା’ ସ୍ତ୍ରୀ କି ପ୍ରକାର ବଦ୍‌ଖର୍ଚ୍ଚ କରିବାକୁ ଚାହେଁ ବୋଲି ଥରେ ପଚାରିବାରୁ ଚମାରୀ କହିଲା ଯେ, ସେ ସର୍ଦ୍ଦାର ବୋଲି ଶ୍ରମିକଙ୍କ ଅପେକ୍ଷା ଭଲ ଲୁଗାପଟା ପିନ୍ଧିବାକୁ କହି ତା’ ସ୍ତ୍ରୀ ତା’କୁ ବିରକ୍ତ କରୁଛି । ତା’ ନିଜ ମତରେ ପୋଷାକପତ୍ରରେ ପଇସା ବରବାଦ୍ ନ କରି ବରଂ ଗରିବଙ୍କୁ ଖୁଆଇବାରେ ଖର୍ଚ୍ଚ କରିବା ଉଚିତ । ଏହି ମତ ସମର୍ଥନ କରିବାକୁ ସେ ମୋ ପୋଷାକର ନିଜର ଦେଖାଇ କହିଲା, “ଆପଣଙ୍କ ନିଜକଥା ଦେଖୁନାହାନ୍ତି ମହାରାଜ ! କେତେ ବର୍ଷ ଧରି ଆପଣ ତ ଏଇ ସାଜେ ପୋଷାକ ପିନ୍ଧୁଛନ୍ତି । ଆପଣ ଯଦି ଏମିତି ଚଳିପାରୁଛନ୍ତି, ମୁଁ ବା ନ ଚଳିବି କାହିଁକି ?” ଚମାରୀ ସବୁଦିନେ ମୋତେ ‘ମହାରାଜ’ ବୋଲି ସମ୍ବୋଧନ କରେ । ଅବଶ୍ୟ ମୁଁ ଏକବସ୍ତ୍ରୀ ହୋଇ ଚଳୁଥିବା କଥା ଠିକ୍ ନୁହେଁ । ଅସଲରେ ମୋର ଏକାପରି ଦୁଇ ସାଜ ପୋଷାକ ଥିଲା । ଗୋଟିକରୁ କୋଇଲାଗୁଣ୍ଡ ସଫା ହେଉଥିବା ବେଳେ ମୁଁ ଆରଟି ପିନ୍ଧୁଥିଲି ।

 

ଜର୍ମାନ କାଇଜର ପ୍ରଥମ ମହାଯୁଦ୍ଧର ସୂତ୍ରପାତ କରିବା ବେଳକୁ ମୋକାମା ଘାଟରେ ମୋର ଷୋହଳ ବର୍ଷ ବିତିଲାଣି । ରେଳବାଇ କର୍ତ୍ତୃପକ୍ଷ ଯୁଦ୍ଧରେ ଯୋଗ ଦେବାକୁ ମୋତେ ପ୍ରଥମେ ଅନୁମତି ଦେଲେ ନାହିଁ । ଯୁଦ୍ଧରେ ଯୋଗ ଦେଲେ ମୁଁ ଠିକାଦାରୀ ଛାଡ଼ିବି ନାହିଁ ବୋଲି ଜବାବ ଦେବା ପରେ ସେମାନେ ମୋତେ ଛାଡ଼ିବାକୁ ରାଜି ହେଲେ । ଯିବା ପୂର୍ବରୁ ମୋ ଲୋକମାନଙ୍କୁ ଡକାଇ ସଭାଟିଏ କରାଇଲି । ଯୁଦ୍ଧର ତାତ୍ପର୍ଯ୍ୟ ସେମାନଙ୍କୁ ବୁଝାଇବା ସମ୍ଭବ ହେଲା ନାହିଁ । କିନ୍ତୁ ମୋ ଅନୁପସ୍ଥିତିରେ ମୋକାମା ଘାଟରେ ଅନବଚ୍ଛିନ୍ନ ଭାବେ କାମ ଚଳାଇ ନେବେ ବୋଲି ପ୍ରତ୍ୟେକେ ବ୍ୟକ୍ତିଗତ ଭାବେ ମୋତେ ପ୍ରତିଶ୍ରୁତି ଦେଲେ । ମୁଁ ଫେରିବାଯାଏ ମାଲ୍ ସରବରାହ ଅବ୍ୟାହତ ରଖି ଗଭୀର ଆନ୍ତରିକତା ଓ କର୍ତ୍ତବ୍ୟନିଷ୍ଠାର ପରିଚୟ ସେମାନେ ଦେଇଥିଲେ ।

 

ଯୁଦ୍ଧରେ ଯୋଗଦେଇ ମୁଁ ପ୍ରଥମେ ଫ୍ରାନ୍‌ସ ଓ ପରେ ଓ୍ୟାଜିର୍ ସ୍ଥାନରେ ରହିଲି । ରାମଶରଣ କାର୍ଯ୍ୟଭାର ଗ୍ରହଣ କରି ଦକ୍ଷତା ସହିତ ସବୁ ତୁଲାଇଲେ । ମାଲ୍ ଚଳାଚଳରେ ବ୍ୟାଘାତ ବା ବ୍ୟତିକ୍ରମ କେବେ ଘଟି ନଥିଲା । ଚାରି ବର୍ଷ ପରେ ଫେରି ସବୁ ଶାନ୍ତି ଶୃଙ୍ଖଳାରେ ଚାଲୁଥିବା ଦେଖି ମନେହେଲା ଯେପରି ମୁଁ କେବଳ ଦିନକ ପାଇଁ ମୋ ସହକର୍ମୀମାନଙ୍କୁ ଛାଡ଼ି ଚାଲିଯାଇଥିଲି । ମୁଁ ନିରାପଦରେ ଫେରି ଆସେ ବୋଲି ମାନସିକ କରି ମୋ ଲୋକେ ନିଜ ନିଜ ଧର୍ମପୀଠରେ ପୂଜା ପ୍ରାର୍ଥନା କରିଥିଲେ । ତାଙ୍କ ପୁଣ୍ୟବଳରୁ ମୁଁ ଏଡ଼େ ବଡ଼ ଯୁଦ୍ଧରୁ ଭଲେ ଭଲେ ଫେରିଆସିଲି ଭାବି ସେମାନେ ଆତ୍ମପ୍ରସାଦ ଲାଭ କଲେ ।

 

ପରବର୍ଷ ଖରାଦିନେ ହଇଜା ଅତି ଉତ୍କଟ ଆକାରରେ ବଙ୍ଗଦେଶ ସାରା ବ୍ୟାପିଗଲା । ମୋ ଶ୍ରମିକଙ୍କ ଭିତରୁ ଦୁଇଜଣ ମହିଳା ଓ ଜଣେ ପୁରୁଷ ଏକ ସମୟରେ ହଇଜାରେ ପଡ଼ିଲେ । ଚମାରୀ ଓ ମୁଁ ପାଳିକରି ସେମାନଙ୍କ ସେବାଶୁଶ୍ରୁଷା କଲୁ । ରୋଗୀଙ୍କୁ ଆଶା ଭରସା ଦେଇ କେବଳ ମନର ଦମ୍ଭ ଦ୍ୱାରା ବଞ୍ଚାଇ ଦେଇ ପାରିଲୁ । ଏହାର କିଛିଦିନ ପରେ ଦିନେ ରାତିରେ ମୁଁ ବଙ୍ଗଳାରେ ଶୋଇଥାଏ । ଷ୍ଟୋରାର୍‍ ପଦୋନ୍ନତି ପାଇ ଚାଲିଯିବା ପରେ ପୂରା ବଙ୍ଗଳାଟି ମୋ ଦଖଲରେ ଥାଏ । ବାହାର ବାରଣ୍ଡାରୁ କାହାର ପାଦଶଦ୍ଦ ଶୁଣି “ବାହାରେ କିଏ” ବୋଲି ପଚାରିଲି । ଅନ୍ଧାରରୁ ଉତ୍ତର ଆସିଲା, “ମୁଁ ଚମାରୀର ସ୍ତ୍ରୀ । ଚମାରୀକୁ ହଇଜା ଧରିଛି । ଆପଣଙ୍କୁ ଖବର ଦେବାକୁ ଆସିଥିଲି ।” ତା’କୁ ଅପେକ୍ଷା କରିବାକୁ କହି ତରତରରେ ଲୁଗାପଟା ପିନ୍ଧିଲି । ସାପଙ୍କ ଦାଉରୁ ମୋକାମା ଘାଟରେ ଅନ୍ଧାରରେ ଯିବା ନିରାପଦ ନୁହେଁ । ଲଣ୍ଠଣ ଲଗାଇ ବାଡ଼ି ଧରି ଚମାରୀ ସ୍ତ୍ରୀ ସହିତ ବାହାରି ପଡ଼ିଲି ।

 

ଚମାରୀ ଦିନସାରା କାମ ଉପରେ ଥିଲା । ସେଦିନ ପାର୍ବତୀ ବୋଲି ତା’ ଦଳର ଜଣେ ମହିଳା ଶ୍ରମିକ ସାଙ୍ଘାତିକ ବେମାର ଥିବା ଖବର ମୁଁ ପାଇଥାଏ । ପାର୍ବତୀର ଗାଁ ସେଠାରୁ ଅଳ୍ପ ଦୂରରେ । ଖରାବେଳେ ଚମାରୀକୁ ନେଇ ପାର୍ବତୀକୁ ଦେଖିବାକୁ ଯାଇଥିଲି । ରୋଗିଣୀଟି ବିଧବା–ତିନୋଟି ପିଲାଙ୍କ ମା । ମହିଳା ଶ୍ରମିକଙ୍କ ମଧ୍ୟରୁ ମୋ କାମରେ ଯୋଗ ଦେବା ପାଇଁ ସେ ସର୍ବପ୍ରଥମେ ନିଜ ଇଚ୍ଛାରେ ଆଗେଇ ଆସିଥିଲା ଓ ସେହିଦିନରୁ ଦୀର୍ଘ କୋଡ଼ିଏ ବର୍ଷକାଳ ମୋ ପାଖରେ କାମ କରିଥିଲା । ବିଚାରୀଟି ବଡ଼ ଖୁସ୍‌ମିଜାଜୀ ଲୋକ । ଆପଦ ବିପଦରେ ସମସ୍ତଙ୍କୁ ସାହା ହୁଏ । ରବିବାର ସନ୍ଧ୍ୟାର ଶ୍ରମିକ ସମାବେଶ ତା’ର ଉପସ୍ଥିତିରେ ସଜୀବ ହୋଇଉଠେ । ପୁରୁଷଙ୍କ ଥଟ୍ଟାତାମସାରେ ଯୋଗ ଦେବା ପାଇଁ ବିଧବାଙ୍କୁ ମନା ନାହିଁ । ଭାରତର କଡ଼ା ସାମାଜିକ ରୀତିରେ ଏହା ବିରୁଦ୍ଧରେ ବାରଣ ନ ଥିବାରୁ ପାର୍ବତୀ ଟାହୁଲି ଟାପରାର ଠିକଣା ଜବାବ ଦେଇ ଶ୍ରମିକ ସମୂହଙ୍କୁ ସଜାଗ ଓ ସରସ କରି ରଖିଥାଏ ।

 

ତା’ର ବେରାମ ଖବର ନେଇ ଆସିଥିବା ପିଲାଟି ବେମାରି ବିଷୟରେ ବିଶେଷ କିଛି କହି ପାରିଲା ନାହିଁ । କିନ୍ତୁ ପାର୍ବତୀର ଅବସ୍ଥା ଅତି ଶୋଚନୀୟ ବୋଲି ତା’ କଥାରୁ ଅନୁମାନ କଲି-। ସଙ୍ଗରେ ଔଷଧ କିଛି ନେଇ ଚମାରୀ ସହିତ ପାର୍ବତୀ ଘରେ ପହଞ୍ଚିଲି । ମା’ ବୁଢ଼ୀ କୋଳରେ ମୁଣ୍ଡ ଦେଇ ସେ ଭୂଇଁରେ ଶୋଇଥାଏ । ସେଦିନ ମୁଁ ପ୍ରଥମ ଥର ପାଇଁ ଧନୁଷ୍ଟଙ୍କାର ବାତ ଦେଖିଲି-। ଏ ରୋଗକୁ ଆଉଥରେ ଦେଖିବାର ଦୂର୍ଯୋଗ କେବେହେଲେ ନ ଘଟୁ । ପାର୍ବତୀର ଅବସ୍ଥା ଦେଖି କେହି ଦେହ ଧରି ରହିପାରିବ ନାହିଁ । ତା’ର ସୁନ୍ଦର ଦାନ୍ତଗୁଡ଼ିକ ଦେଖିଲେ ଚିତ୍ରତାରକାମାନେ ମଧ୍ୟ ଈର୍ଷା କରିବେ । ଏବେ ତା’ ଦାନ୍ତପାଟି ପଡ଼ିଯାଇଥାଏ । ଜୋର୍‌କରି ଜାପ ଖୋଲି ପାଟିରେ ପାଣି ଦେବାକୁ ଚେଷ୍ଟା କରାଯିବା ଫଳରେ କେତୋଟି ଦାନ୍ତ ଭାଙ୍ଗି ଯାଇଥାଏ । ପାର୍ବତୀ ସମ୍ପୂର୍ଣ୍ଣ ସଚେତ ଥାଇ ଏ ଅକଥନୀୟ ଯନ୍ତ୍ରଣା ତିଳେ ତିଳେ ଭୋଗ କରୁଥାଏ । ଏଭଳି ଦୁରାରୋଗ୍ୟ ବେମାରି ବିରୁଦ୍ଧରେ ମୁଁ ବା କ’ଣ କରିଥାଆନ୍ତି ? ଶ୍ଵାସ ପ୍ରଶ୍ୱାସ ସୁଗମ କରିବା ଉଦ୍ଦଶ୍ୟରେ କଣ୍ଠନାଳୀ ପାଖରେ ଟାଣ ହୋଇ ଆସିଥିବା ମାଂସପେଶୀଗୁଡ଼ିକୁ ଧୀରେ ଧୀରେ ଆଉଁସି ଦେଉଥିଲି । ହଠାତ୍ ବିଜୁଳି ଧକ୍‌କା ଲାଗିବା ପରି ପାର୍ବତୀକୁ ଆଉଥରେ ବାତ ମାରିଲା ଓ ସେହି ମୁହୂର୍ତ୍ତରେ ହୃତପିଣ୍ଡ ନିଷ୍ପନ୍ଦ ହୋଇଯାଇ ନର୍କ ଯନ୍ତ୍ରଣାରୁ ସେ ମୁକ୍ତି ପାଇଗଲା ।

 

ଶବଦାହ ପାଇଁ ଆୟୋଜନ ଆରମ୍ଭ ହେଲା । ଭଙ୍ଗାମନ ନେଇ ଦୁହେଁ ଫେରିଆସିଲୁ । ବାକ୍ୟାଳାପ ପାଇଁ ଭାଷା ନ ପାଇ ନୀରବରେ ଚାଲିଥାଉ । ଉଚ୍ଚଜାତିର ଏହି ହିନ୍ଦୁ ମହିଳା ଓ ଆମ ଭିତରେ ଥିଲା ଜାତିଭେଦ, ଧର୍ମଭେଦ ଆଦି ନାନା ଭ୍ରାନ୍ତବିଶ୍ୱାସର ବିରାଟ ବ୍ୟବଧାନ । ତା’ ସତ୍ଵେ ମଣିଷ ଭାବେ ଆମେ ପରସ୍ପରକୁ ଶ୍ରଦ୍ଧା ଓ ସମ୍ମାନ କରୁଥିଲୁଁ । ପ୍ରକାଶ୍ୟରେ କିଛି ନ କହିଲେ ସୁଦ୍ଧା ଦୁହେଁ ଜାଣିଥିଲୁ ଯେ ଏଇ ଅମାୟିକ ମହିଳାର ଅଭାବ ଆମେ ଗଭୀର ଭାବେ ଅନୁଭବ କରିବୁ । କିଛିଦୂର ଆସିବା ପରେ ଚମାରୀ ବାଟ ଭାଙ୍ଗି ତା’ ଧନ୍ଦାରେ ଚାଲିଗଲା । ସୁସ୍ଥ ଅବସ୍ଥାରେ ଚମାରୀ ସହିତ ସେଇ ହେଲା ମୋର ଶେଷ ସାକ୍ଷାତ । ସେଦିନ ସନ୍ଧ୍ୟାରେ ମୁଁ କାମରେ ସାମାରିଆ ଘାଟ ଯାଇଥିଲି । ରାତିରେ ଫେରି ଶୋଇବା ପରେ ଚମାରୀ ସ୍ତ୍ରୀ ଠାରୁ ଏ ଦୁଃସମ୍ବାଦ ପାଇଲି ।

 

ଆମେ ଭାରତୀୟମାନେ ହଇଜାକୁ ଭୟ କରୁ, ଘୃଣା କରୁ । କିନ୍ତୁ ଅଦୃଷ୍ଟବାଦୀ ହେଇଥିବାରୁ ରୋଗ ସଂକ୍ରମଣକୁ ଆମର ଭୟ ନ ଥାଏ । ଚମାରୀର ଦଉଡ଼ିଆ ଖଟକୁ ଅନେକ ଲୋକ ଘେରି ବସିଥିବାରେ ଆଶ୍ଚର୍ଯ୍ୟ ହେବାର କିଛି ନ ଥିଲା । ରାତି ଦୁଇଟା ବାଜିଥାଏ । ଘର ଭିତରେ କିଟିକିଟି ଅନ୍ଧାର । ଲଣ୍ଠଣ ଆଲୁଆରେ ମୋତେ ଚିହ୍ନିପାରି ଚମାରୀ କହିଲା, “ମୋ ସ୍ତ୍ରୀକୁ ମାଫ୍ କରିବେ । ସକାଳ ହେବା ଆଗରୁ ଆପଣଙ୍କୁ ହଇରାଣ ନ କରିବାକୁ ତା’କୁ କେତେ ବୁଝାଇ କହିଲି । ସେ ମନା ମାନିଲା ନାହିଁ ।” ଦଶଘଣ୍ଟା ତଳେ ଚମାରୀ ମୋ ପାଖରୁ ବିଦାୟ ନେଇ ଆସିଥିଲା । କେଇଘଣ୍ଟାରେ ତା’ ଚେହେରାର ପରିବର୍ତ୍ତନ ଦେଖି ମୁଁ ଆବାକ୍ ହୋଇଗଲି । ଆଖି ଦୁଇଟି କୋରଡ଼ରେ ପଶିଯାଇଥାଏ । ଦୁର୍ବଳ ସ୍ୱରରେ ସେ ଥିରିଥିରି କଥା କହୁଥାଏ । ଦେହ ତା’ର ସବୁଦିନେ ଦୁର୍ବଳ । ଏଇ ଦଶଘଣ୍ଟା ଭିତରେ କିନ୍ତୁ ସେ ଶୁଖି ଅଧା ହୋଇଯାଇଥାଏ । ଘର ଭିତରେ ଅସହ୍ୟ ଗରମ । ଚମାରୀକୁ ଘୋଡ଼ାଘୋଡ଼ି କରି ଖଟ ସହିତ ଅଗଣାକୁ ଟେକି ଆଣିଲୁ । ଖୋଲା ଜାଗା ହଇଜା ରୋଗୀକୁ ଅସୁବିଧା । କିନ୍ତୁ ଘର ଭିତରେ ରୁନ୍ଧି ହେବା ଅପେକ୍ଷା ତା’କୁ ପଦାକୁ ନେଇ ଆସିବା ଭଲ ବୋଲି ବିଚାରିଲି ।

 

ଚମାରୀ ଓ ମୁଁ ସାଥି ହୋଇ ହଇଜା ବିରୁଦ୍ଧରେ କେତେ ଲଢ଼ିଛୁ । ସାହସ ନ ହରାଇ ଚିକିତ୍ସା ଉପରେ ନିର୍ଭର ବିଶ୍ୱାସ ରଖିବା ରୋଗୀ ପକ୍ଷରେ କେତେ ଜରୁରୀ ତାହା ସେ ଭଲ ଭାବରେ ଜାଣିଥାଏ । ଅସୀମ ସାହସ ସହିତ ରୋଗ ବିରୁଦ୍ଧରେ ସେ ସଂଗ୍ରାମ ଚଳାଇଲା । ଚିକିତ୍ସାକ୍ରମରେ ମୁଁ ଯାହା ଦେଲି ତାହା ବିନା ଦ୍ଵିଧାରେ ଖାଇଦେଲା । ନିଶ୍ଚୟ ଭଲ ହୋଇଯିବ ବୋଲି ମନରେ ଦମ୍ଭ ରଖିଥାଏ । ରାତିରେ ବଡ଼ ଗରମ ପଡ଼ିଥିଲେ ସୁଦ୍ଧା ତା’ ଦେହ ହେମାଳ ହୋଇ ଯାଉଥାଏ । ଖଟ ତଳେ ଉମ୍ଭେଇରେ ରଡ଼ନିଆଁ ରଖାଗଲା । ପାପୁଲି ଓ ତଳିପାରେ ଶୁଣ୍ଠି ଗୁଣ୍ଡ ଘଷା ହେଲା । ମୃତ୍ୟୁ ବିରୁଦ୍ଧରେ ଅଠଚାଳିଶ ଘଣ୍ଟା ଅବିଶ୍ରାନ୍ତ ସଂଗ୍ରାମ ଚଳାଇ ସାହସୀ ସୈନିକଟି ଶେଷରେ ଅଚେତ ହୋଇଗଲା । ନାଡ଼ୀ ତା’ର ଧୀରେ ଧୀରେ ଛାଡ଼ି ଆସିଲା । ନିଃଶ୍ୱାସର ଗତି ଥମି ଥମି ଆଖିକୁ ଆଉ ଦିଶିଲା ନାହିଁ ।

 

ଅଧରାତିରୁ ଭୋର ପର୍ଯ୍ୟନ୍ତ ଅବସ୍ଥାରେ କୌଣସି ଉନ୍ନତି ନ ଦେଖି ମୋ ବନ୍ଧୁର ଜୀବନର ଆଶା ମୁଁ ହରାଇ ବସିଲି । ଅନ୍ୟମାନେ ନିଶ୍ଚଳ ହୋଇ ମୋ କାର୍ଯ୍ୟକଳାପ ଦେଖୁଥିଲେ । ଏବେ ଆମେ ସମସ୍ତେ ନୀରବ ହୋଇ ବସିଲୁଁ । ଏତିକିବେଳେ ଚମାରୀ ହଠାତ୍ ଖଟ ଉପରେ ଉଠି ବସି ସ୍ଵାଭାବିକ ସ୍ୱରରେ ଡାକିଲା, “ମହାରାଜ ! ମହାରାଜ ! କାହାନ୍ତି ଆପଣ ?” ସ୍ୱରରେ ତା’ର ବ୍ୟଗ୍ରତାର ସୂଚନା । ମୁଁ ତା’ ମୁଣ୍ଡ ପାଖରେ ଛିଡ଼ା ହୋଇଥିଲି । ଝୁଙ୍କି ପଡ଼ି ତା’ କାନ୍ଧରେ ହାତ ରଖିଲି । ମୋ ହାତକୁ ଦୁଇ ହାତରେ ଚାପି ଧରି ଚମାରୀ କହିଲା, “ମହାରାଜ ! ପରମେଶ୍ୱର ମୋତେ ଡାକୁଛନ୍ତି । ମୋତେ ଯିବାକୁ ହେବ ।” ତା’ପରେ ହାତଯୋଡ଼ି ମୁଣ୍ଡ ନୁଆଇଁ ଭଗବାନଙ୍କ ଉଦ୍ଦେଶ୍ୟରେ ନମସ୍କାର କରି ସେ ଉଚ୍ଚ ସ୍ୱରରେ କହିଲା, “ହେ ପରମେଶ୍ୱର ! ମୁଁ ଆସୁଛି ।” ତା’ ଶୀର୍ଣ୍ଣ ଦେହଟିକୁ ମୁଁ ଖଟରେ ଶୁଆଇ ଦେବାବେଳେ ସେଥିରେ ଆଉ ପ୍ରାଣ ନ ଥିଲା ।

 

ବିଭିନ୍ନ ଜାତିର ପ୍ରାୟ ଶହେ ଲୋକ ସେଠାରେ ଥିଲେ । ଚମାରୀର ଶେଷ କଥା ସମସ୍ତେ ସ୍ପଷ୍ଟ ଭାବେ ଶୁଣିଲେ । ସେଥି ମଧ୍ୟରେ ଜଣେ ଅପରିଚିତ ବ୍ୟକ୍ତି ଆସି ସେ ଶୁଆଇ ଦେବା ପରେ ଆଗନ୍ତୁକ ମୃତବ୍ୟକ୍ତି ଠାରେ ପହଞ୍ଚି ଥାଆନ୍ତି । ତାଙ୍କ କପାଳରେ ଚନ୍ଦନ ତିଳକ ବ୍ରାହ୍ମଣତ୍ୱର ପରିଚୟ ଦେଉଥାଏ । ଚମାରୀକୁ ମୁଁ ଖଟରେ ଶୁଆଇ ଦେବା ପରେ ଆଗନ୍ତୁକ ମୃତବ୍ୟକ୍ତିର ପରିଚୟ ପଚାରିଲେ । ମୋ’ ଠାରୁ ଚମାରୀର ପରିଚୟ ପାଇ ବ୍ରାହ୍ମଣ କହି ଉଠିଲେ, “ଏତେ ଦିନ ଯାହାକୁ ଖୋଜି ବୁଲୁଥିଲି ତା’ର ଆଜି ଦର୍ଶନ ପାଇଲି । ମୁଁ କାଶୀର ବିଖ୍ୟାତ ବିଷ୍ଣୁମନ୍ଦିରର ପୂଜକ । ମୋ ଗୁରୁ ଚମାରୀଙ୍କର ସତ୍‌କାର୍ଯ୍ୟର ପ୍ରଶଂସା ଶୁଣି ତାଙ୍କୁ ଦର୍ଶନ କରିବାକୁ ମନ ବଳାଇଲେ । ତାଙ୍କୁ ଖୋଜି ମନ୍ଦିରକୁ ନେଇଆସିବା ପାଇଁ ଆଦେଶ ପାଇ ମୁଁ ବାହାରିଲି । ମୋ ଯାତ୍ରା ଆଜି ଶେଷ ହେଲା । ଏବେ ଗୁରୁଙ୍କ ପାଖକୁ ଫେରି ଚମାରୀଙ୍କ ଶେଷ କଥାଗୁଡ଼ିକ ତାଙ୍କୁ ଶୁଣାଇବି ।” ଏତିକି କହି ସେ ପୁଟୁଳାଟି ତଳେ ରଖି ଗୋଡ଼ରୁ ପାଦୁକା ଖୋଲି ଦେଲେ । ତା’ପରେ ଏ ନୈଷ୍ଠିକ ବ୍ରାହ୍ମଣ ନତଜାନୁ ହୋଇ ମୃତ ହରିଜନର ପାଦତଳେ ପ୍ରଣାମ କଲେ ।

 

ଚମାରୀର ଦାହକ୍ରିୟା ଦିନର ଦୃଶ୍ୟ ମୋକାମା ଘାଟରେ ଆଉ କେବେ ଦେଖାଯିବ ନାହିଁ-। ଜାତି ଧର୍ମ ନିର୍ବିଶେଷରେ ହିନ୍ଦୁ, ମୁସଲମାନ ଓ ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟର ସମସ୍ତେ ଶବାଧାର ସହିତ ଶୋଭାଯାତ୍ରାରେ ଚାଲିଲେ । ଉଚ୍ଚ, ନୀଚ, ଧନୀ ଦରିଦ୍ର–ସମସ୍ତେ ସେଦିନ ଏକତ୍ରିତ ହୋଇ ଯାହା ନାଁ ଧରି ମୁକ୍ତକଣ୍ଠରେ ଧନ୍ୟ ଧନ୍ୟ କରୁଥିଲେ, ସେ ଥିଲା ଜଣେ ଗରିବ ହରିଜନ । ଜନ୍ମ ଓ ଭାଗ୍ୟର ଦୁର୍ବହ ଭାରରେ ଅବନତ ହୋଇ ଦିନେ ସେ ଏଠାରେ ଆସି ପହଞ୍ଚିଥିଲା । ନିଜ ମହାନୀୟତା ଦ୍ୱାରା ସମସ୍ତଙ୍କ ଶ୍ରଦ୍ଧା ଓ ସମ୍ମାନ ପାଇ ସେ ସଂସାରରୁ ବିଦାୟ ନେଲା ।

 

ହିନ୍ଦୁସମାଜରେ ଚମାରୀ ଥିଲା ହରିଜନ–ଅସ୍ପୃଶ୍ୟ । ଆମ ଖ୍ରୀଷ୍ଟିଆନ୍ ମତରେ ତା’କୁ ବିଧର୍ମୀ କୁହାଯାଏ । କିନ୍ତୁ ପରଧାମରେ ଚମାରୀର ଆତ୍ମା ଯେଉଁଠାରେ ଅଛି, ସେଠାରେ ମୋତେ ଟିକିଏ ସ୍ଥାନ ମିଳିଲେ ମୋ ଜୀବନ ସାର୍ଥକ ବୋଲି ମନେ କରିବି ।

Image

 

ମୋକାମା ଘାଟରେ ଜୀବନ

 

ମୋକାମା ଘାଟରେ ଆମେ କେବଳ କାମ କରି ବା ଶୋଇ ଶୋଇ ସମୟ କଟାଉଥିଲୁ ବୋଲି ଭାବିବା ଠିକ୍ ନୁହେଁ । ସେଠାକାର କାମ ପ୍ରଥମେ ବଡ଼ ଭିଡ଼ ଲାଗୁଥିଲା । ସମୟକ୍ରମେ ସବୁ ଅଭ୍ୟାସରେ ପଡ଼ିଗଲା । ହାତରେ ବିଣ୍ଡି ହୋଇଗଲା । ପିଠି ମଜବୁତ୍ ହେଲା । କାମ ଆଉ ବୋଝ ପରି ଲାଗିଲା ନାହିଁ । ନିଜେ କିପରି ଉନ୍ନତି କରିବୁ ଓ ପରିବାରକୁ ସୁଖରେ ରଖିବୁ–ଏହି ଆଶା ନେଇ ସମସ୍ତେ ଏକ ମନରେ ଏକ ଦିଗରେ ଆଗେଇଲୁ । ଆମର ସମନ୍ୱିତ ଉଦ୍ୟମ ଯୋଗୁ ସୁରଖୁରରେ କାମ ଚଳି ଆମୋଦ ପ୍ରମୋଦ ପାଇଁ ସମୟ ବଳିପଡ଼ିଲା । ଅଚଳ ଅବସ୍ଥାରେ ପରିବର୍ତ୍ତନ ଆଣି ମାଲ୍‍ ଚଳାଚଳ ଅବ୍ୟାହତ ରଖିବା ଦ୍ୱାରା ଆମେ ଯେଉଁ ସୁନାମ ଅର୍ଜ୍ଜନ କରିଥିଲୁ, ତାହା କେବଳ ଆମର ସୁସଂହତ ଓ ସମ୍ମିଳିତ ଉଦ୍ୟମ ଯୋଗୁଁ ସମ୍ଭବ ହୋଇଥିଲା । ଏଥିରେ ସମସ୍ତଙ୍କର ଅବଦାନ ଥିବାରୁ ପ୍ରତ୍ୟେକେ ନିଜକୁ ସମ୍ମାନିତ ମନେ କରି ଏହାକୁ ଅକ୍ଷୁଣ୍ଣ ରଖିବାକୁ ବଦ୍ଧପରିକର ହେଲେ । କାମ ନିରବଚ୍ଛିନ୍ନ ଭାବେ ଆଗେଇ ଚାଲିଲା । କେହି କେବେ କାମକୁ ଆସି ନ ପାରିଲେ ଅନ୍ୟମାନେ ଖୁସିରେ ତା’ ଦାୟିତ୍ୱ ତୁଲାଇ ନେଲେ ।

 

ଶ୍ରମିକ ଓ ସ୍ଵଳ୍ପ-ବେତନଭୋଗୀ କର୍ମଚାରୀଙ୍କ ପିଲାଙ୍କ ପାଇଁ ସ୍କୁଲଟିଏ କରିବାକୁ ମୁଁ ପ୍ରଥମରୁ ସ୍ଥିର କରିଥିଲି । ସେତେବେଳେ ସମୟର ବଡ଼ ଅଭାବ ଓ ଘୋର ଆର୍ଥିକ ଅନଟନ ଭିତରେ ଆମେ ଗତି କରୁଥାଉ । ସେସବୁ ବିଚାର ନ କରି ସ୍କୁଲ କାମଟି ପ୍ରଥମେ ହାତକୁ ନେଲୁଁ । ରାମଶରଣ ଏହି ପରିକଳ୍ପନାର ସୂତ୍ରପାତ କରି ଏ ଦିଗରେ ପ୍ରାରମ୍ଭିକ ପଦକ୍ଷେପ ନେବାରେ ଅନେକ ସାହାଯ୍ୟ କରିଥିଲେ । ନିଜେ ଶିକ୍ଷାଲାଭରୁ ବଞ୍ଚିତ ହୋଇଥିବାରୁ ଶିକ୍ଷାର ଅଗ୍ରଗତି ଓ ପ୍ରସାର ପାଇଁ ତାଙ୍କର ପ୍ରବଳ ଆଗ୍ରହ ଥାଏ । ଦୁହେଁ ସ୍କୁଲ ପାଇଁ ଘରଟିଏ ଭଡ଼ା ନେଇ ଜଣେ ମାଷ୍ଟର ନିଯୁକ୍ତ କଲୁ । “ରାମଶରଣ ସ୍କୁଲ” ବୋଲି ନାମକରଣ ହେବା ପରେ କୋଡ଼ିଏ ଜଣ ଛାତ୍ର ନେଇ ସ୍କୁଲ ଖୋଲିଲା । ଆରମ୍ଭରୁ କିନ୍ତୁ ଛାତ୍ରଙ୍କ ଜାତିଭେଦ ସମ୍ବନ୍ଧରେ ନାନା ଜଟିଳ ପ୍ରଶ୍ନ ଉଠି ଏକ ମୌଳିକ ସମସ୍ୟାର ଆକାର ନେଲା । ମାଷ୍ଟରବାବୁ ଏହାର ସମାଧାନ ଦିଗରେ ସୁବିଧା ପ୍ରସ୍ତାବଟିଏ ଦେଇ କହିଲେ ଯେ ଭିନ୍ନ ଭିନ୍ନ ଜାତିର ପିଲା ଗୋଟିଏ ଘରେ ଏକାଠି ବସିବା ବିରୁଦ୍ଧରେ ବାରଣ ଥିଲେ ସୁଦ୍ଧା ସମସ୍ତେ ଗୋଟିଏ ଚାଳିଆରେ ବସିବା ପାଇଁ ମନା ନାହିଁ । କୁଡ଼ିଆର କାନ୍ଥସବୁ ଭଙ୍ଗା ଯାଇ ତା’କୁ ଚାଳିଆ କରାଯିବା ପରେ ଆଉ କାହାର କିଛି ଆପତ୍ତି ରହିଲା ନାହିଁ ।

 

ରାମଶରଣଙ୍କ ଅଦମ୍ୟ ଉତ୍ସାହ ଯୋଗୁ ସ୍କୁଲଟି ଆରମ୍ଭରୁ ଖୁବ୍ ଭଲଭାବେ ଚଳିଲା । ସ୍କୁଲ ପାଇଁ ନୂଆ ଘରଟିଏ ତିଆରି ହେଲା । ଆହୁରି ସାତ ଜଣ ଶିକ୍ଷକ ନିଯୁକ୍ତ ହେଲେ । ଛାତ୍ରସଂଖ୍ୟା କ୍ରମେ ବଢ଼ି ଦୁଇଶହରେ ପହଞ୍ଚିବା ପରେ ସରକାର ସ୍କୁଲଟି ହାତକୁ ନେଲେ । ଆର୍ଥିକ ଦାୟିତ୍ୱରୁ ଆମେ ମୁକ୍ତି ପାଇଲୁ ଓ ସ୍କୁଲର ଉନ୍ନୟନର ବାଟ ଫିଟିଲା । ନିମ୍ନପ୍ରାଥମିକ ସ୍ତରରୁ ଉଠି ଏହା ଉଚ୍ଚପ୍ରାଥମିକ ସ୍କୁଲ ହେଲା । ଏ ଦିଗରେ ରାମଶରଣଙ୍କ ପ୍ରଗାଢ଼ ଉଦ୍ୟମ ଯୋଗୁ ସରକାର ତାଙ୍କୁ “ରାୟସାହେବ” ଉପାଧି ଦେଲେ । ଯୋଗ୍ୟ ଲୋକ ଉପଯୁକ୍ତ ସମ୍ମାନ ପାଇଥିବାରୁ ଆମେ ସମସ୍ତେ ଅତି ଆନନ୍ଦିତ ହେଲୁ ।

 

ବ୍ରଡଗେଜ୍ ରେଳବାଇର ଷ୍ଟେସନ ମାଷ୍ଟର ଟମ୍ କେଲିଙ୍କର ଖେଳରେ ବଡ଼ ସଉକ । ଅବସର ବିନୋଦନ ପାଇଁ ଆମେ ଦୁହେଁ କ୍ଲବଟିଏ ଗଢ଼ିଲୁ । ଜାଗା ସଫାହୋଇ ଫୁଟ୍‌ବଲ ଓ ହକି ଖେଳପାଇଁ ଦୁଇଟି ପଡ଼ିଆ ପ୍ରସ୍ତୁତ କରାଗଲା । ଗୋଲ୍‌ପୋଷ୍ଟ ଲାଗିଯିବା ପରେ ଖେଳର ସରଞ୍ଜାମମାନ କିଣି ଆମେ ଦୁହେଁ ନିଜ ନିଜ ଖେଳୱାଡ଼ ଦଳଙ୍କୁ ତାଲିମ୍ ଦେବାକୁ ଆରମ୍ଭ କଲୁ । ଖେଳାଳୀମାନେ ଫୁଟ୍‌ବଲ ଖେଳ ଅତି ସହଜରେ ଶିଖିଗଲେ । ସେମାନଙ୍କୁ ହକି ଖେଳ ଶିଖାଇବା କିନ୍ତୁ ଦୁଷ୍କର ହେଲା । ଅର୍ଥ ଅଭାବରୁ ଆମେ ଅସଲି ହକି ବାଡ଼ି ନ କିଣି ଶସ୍ତା ଦରରେ “ଖାଲ୍‌ସା ବାଡ଼ି” କିଣିଥାଉ । ଏ ପ୍ରକାର ବାଡ଼ି ସେତେବେଳେ ପଞ୍ଜାବରେ ତିଆରି ହେଉଥାଏ । ବ୍ଲାକ୍‌ଥର୍ନ ଓ ଛୋଟ ଓକ୍‌ଗଛର ଚେରକୁ ବଙ୍କାକରି ଏହା ତିଆରି ହୁଏ । ବାଡ଼ିଗୁଡ଼ିକ ବେଶ୍ ଓଜନ । ପୁଣି ଅସଲି ହକି ବାଡ଼ି ପରି ସେଥିରେ ଫିତା ଗୁଡ଼ାହୋଇ ନ ଥାଏ । ପେଣ୍ଡୁଟି ମଧ୍ୟ କାଠରେ ତିଆରି । ଏ ଭଳି ଉପକରଣ ସଙ୍ଗକୁ ଶତକଡ଼ା ଅଠାନବେ ଜଣ ଖେଳାଳୀ ଖାଲି ପାଦରେ ଖେଳୁଥିବାରୁ ତାଲିମ୍ ଆରମ୍ଭରୁ ଢେର ଲୋକ ଖଣ୍ତିଆଖାବରା ହେଲେ । ବହୁ ଚେଷ୍ଟା ପରେ ଖେଳ ବିଷୟରେ ସେମାନଙ୍କର ଯତ୍‌କିଞ୍ଚିତ୍ ଧାରଣା ହେଲା । ପେଣ୍ଡୁ କେଉଁଆଡ଼େ ମାରିବାକୁ ହୁଏ–ଖେଳାଳୀମାନେ ଏତିକି ବୁଝିବାମାତ୍ରେ ଆମେ ଆନ୍ତଃ–ରେଳବାଇ ଖେଳ ପ୍ରତିଯୋଗିତା ଆରମ୍ଭ କରିଦେଲୁ । ପ୍ରତିଯୋଗିତାରେ ଖେଲୱାଡ଼ ଓ ଦେଖାଣାହାରୀଙ୍କର ସମାନ ଉତ୍ସାହ ପ୍ରକାଶ ପାଉଥାଏ । କେଲି ଟିକିଏ ମୋଟା ବୋଲି ନିଜେ ପ୍ରକାଶ୍ୟରେ ନ ମାନିଲେ ସୁଦ୍ଧା ସେହି କାରଣରୁ ସେ ତାଙ୍କ ଦଳର ଗୋଲ୍‌ରକ୍ଷକ ଭାବେ ଖେଳନ୍ତି । ରେଳବାଇ ତରଫରୁ ବାହାରକୁ ଖେଳିବାକୁ ଗଲେ ଦୁଇ ଦଳରୁ ଭଲ ଖେଳାଳୀ ବଛା ହୋଇ ଗୋଟିଏ ଦଳ ଗଢ଼ାଯାଏ । କେଲି ମିଳିତ ଦଳର ଗୋଲ୍‌ରକ୍ଷକ ହୁଅନ୍ତି-। ମୁଁ ପତଳା ଓ ଉଶ୍ୱାସିଆ ହୋଇଥିବାରୁ ସେଣ୍ଟର୍ ଫର୍‌ଓ୍ୱାଡ ଭାବେ ଖେଳେ । ଖେଳ ଭିତରେ କାହା ଗୋଡ଼ ବା ବାଡ଼ିକୁ ଝୁଣ୍ଟି ପଡ଼ିଲେ ମୋତେ ବଡ଼ ଅପଦସ୍ତ ହେବାକୁ ହୁଏ । କେଲିଙ୍କ ଛଡ଼l ଆଉ ସବୁ ଖେଳାଳୀ ଖେଳ ଛାଡ଼ି ମୋତେ ଟୋକାଟେକି କରି ଲୁଗାପଟାରୁ ଧୂଳି ଝlଡ଼ିବାରେ ଲାଗିପଡ଼ନ୍ତି । ଥରେ ସେମାନେ ମୋ ପିଛା ଏପରି ଲାଗିଥିବା ବେଳେ ପ୍ରତିପକ୍ଷର ଜଣେ ଖେଳାଳୀ ପେଣ୍ଡୁନେଇ ଆମକୁ ଗୋଲ୍ ଦେବାକୁ ଆଗେଇ ଯାଉଥିଲେ । କିନ୍ତୁ ଦେଖଣାହାରୀମାନେ ହସ୍ତକ୍ଷେପ କରି ପେଣ୍ଡୁ ଛଡ଼ାଇ ନେଲେ ଓ ଖେଳାଳୀଙ୍କୁ ଜବତ୍ କରି ରଖିଲେ । ଫଳରେ ଆମକୁ ଗୋଲ୍ ଦେବା ନୋହିଲା ।

 

କ୍ଲବ ଗଢ଼ିବାର କିଛିଦିନ ପରେ ବଙ୍ଗୀୟ ଓ ଉତ୍ତର-ପଶ୍ଚିମ ରେଳବାଇ ପ୍ରତିଷ୍ଠାନ ଆମ ପାଇଁ ଗୋଟିଏ କ୍ଳବଘର ଓ ଟେନିସ୍ ଖେଳି ଜାଣିଥାଉ । କେଲିଙ୍କୁ ଆମ ସାଙ୍ଗରେ ମିଶାଇଲୁ । କେଲି ଟେନିସ୍ ଓ ବିଲିଆଡ୍‍ ଖୁବ୍ ଭଲ ଖେଳନ୍ତି । ଆମ ସହିତ ସେ ଯୋଗ ଦେବା ପରେ ଖେଳର ଅନେକ ଉନ୍ନତି ହେଲା । ତେବେ ଦିନସାରା ନାନା ଧନ୍ଦାରେ ବାରଆଡ଼େ ବ୍ୟସ୍ତଥାଇ କେଲି ଓ ମୁଁ ମାସକୁ ମାସକୁ ମାତ୍ର ଦୁଇ ତିନିଥର ଟେନିସ୍ ଖେଳିବାକୁ ସମୟ ପାଉ । ବିଲିୟାଡ୍‍ ଖେଳ ସନ୍ଧ୍ୟାପରେ ହୁଏ । ଦିନଯାକର କାମ ସାରି ଆମେ ଦୁହେଁ ବିଲିୟାଡ୍‍ ଖେଳି ସନ୍ଧ୍ୟାଗୁଡ଼ିକ ଆନନ୍ଦରେ କଟାଉ ।

 

ମୋକାମା ଘାଟ ଷ୍ଟେସନରେ ମାଲଗୋଦାମ ଓ ପାର୍ଶ୍ଵ ରେଳପଥ (siding) ଗୁଡ଼ିକର ବିସ୍ତୃତ ଦେଢ଼ ମାଇଲରୁ ବେଶି । ଏସବୁ କେଲିଙ୍କୁ ତନଖି କରିବାକୁ ପଡ଼େ । ତାଙ୍କୁ ଅଯଥା ପଦଯାତ୍ରାରୁ ନିଷ୍କୃତି ଦେବାପାଇଁ ରେଳବାଇ ତରଫରୁ ଗୋଟିଏ ରେଳ-ଟ୍ରଲି ଯୋଗାଇ ଦିଆଗଲା । ଟ୍ରଲି ଚଳାଇବା ପାଇଁ ଚାରିଜଣ ଖଲାସୀ ନିଯୁକ୍ତ ହୋଇଥାଆନ୍ତି । ଟ୍ରଲିଟି ପାଇ ଆମର ଆନନ୍ଦର ସୀମା ନ ଥାଏ । ଶୀତଦିନେ ଏ ଅଞ୍ଚଳରେ ଛୋଟ ପାଉଁସିଆ ହଂସ ଓ ରାଜହଂସ ବହୁ ସଂଖ୍ୟାରେ ଆସି ପଡ଼ନ୍ତି । ପୂର୍ଣ୍ଣମୀ ବେଳକୁ ଟ୍ରଲି ନେଇ ଆମେ ଦୁହେଁ ଶିକାରରେ ବାହାରିପଡ଼ୁ । ପ୍ରଧାନ ରେଳରାସ୍ତାରେ ନଅ ମାଇଲ ଯିବା ପରେ ଜାଗାଏ ପୋଖରୀଗୁଡ଼ିଏ ପଡ଼େ । କେଇଗଜ ଓସାର ଛୋଟ ଚବକାଠାରୁ ମାଣକରୁ ବେଶି ଆୟତନର ବିରାଟ ଜଳାଶୟମାନ ସେଠାରେ ଥାଏ । ଚାରିପାଖର ଗହଳିଆ ରବିଫସଲ କ୍ଷେତରେ ଲୁଚି ବସିବାକୁ ବେଶ୍‍ ସୁବିଧା ହୁଏ । ସୂର୍ଯ୍ୟାସ୍ତ ପୂର୍ବରୁ ପହଞ୍ଚି ଦୁହେଁ ଦୁଇଟି ପୋଖରୀ ପାଖରେ ଜଗି ବସୁ । ଅଳ୍ପ ସମୟ ପରେ ହଂସ ଦଳ ଦଳ ହୋଇ ଆମ ଆଡ଼େ ଉଡ଼ି ଆସିବାକୁ ଆରମ୍ଭ କରନ୍ତି । ପୋଖରୀ କୂଳର ଅନାବନା ଘାସ ଓ ଦଳ ଏବଂ ଆଖପାଖ କିଆରୀର ପାଚିଲା ଗହମ ଓ ରବିଫସଲ ସେମାନଙ୍କର ଅତି ପ୍ରିୟ ଖାଦ୍ୟ । ଦିନତମାମ୍ ଗଙ୍ଗାନଦୀର ପଠାମାନଙ୍କରେ ରହି ସନ୍ଧ୍ୟାବେଳକୁ ହଜାର ହଜାର ହଂସ ଦଳବାନ୍ଧି ଏଠାରେ ଆସି ପଡ଼ନ୍ତି । ନଈକୂଳ ଓ ପୋଖରୀ ଭିତରେ ଅଧବାଟରେ ରେଳରାସ୍ତା ପଡ଼େ । ହଂସଗୁଡ଼ିକ ରେଳଧାରଣା ଉପରୁ ଧୀରେ ଧୀରେ ତଳକୁ ଖସି ଆମ ପାଖରେ ପହଞ୍ଚିବା ବେଳକୁ ଅନେକ ତଳକୁ ଆସିଯାଇଥାଆନ୍ତି । ଜହ୍ନଆଲୁଅରେ ଉଡ଼ନ୍ତା ଚଢ଼େଇ ମାରିବା ଅନଭ୍ୟସ୍ତ ଶିକାରୀ ପକ୍ଷରେ ଆଦୌ ସହଜ ନୁହେଁ । ଉପର ଦେଇ ଯିବାବେଳେ ପକ୍ଷୀଗୁଡ଼ିକ ଖୁବ୍ ପାଖରେ ଥିଲେ ମଧ୍ୟ ଅନେକ ଦୂରରେ ଥିଲା ପରି ମନେ ହୁଏ । ନୂଆ ଶିକାରୀ ଭ୍ରମରେ ପଡ଼ି ଅନେକ ଆଗକୁ ଲକ୍ଷ୍ୟ କରିଥାଏ । ଥରେ ଲକ୍ଷ୍ୟଭ୍ରଷ୍ଟ ହେଲେ ଆଉ ଥରେ ଗୁଳି ଚଳାଇବାକୁ ସମୟ ମିଳେନା । ବନ୍ଧୁକ ଫୁଟିବା ମାତ୍ରେ ହଂସଗୁଡ଼ିକ ସିଧାସଳଖ ଏତେ ଉପରକୁ ଉଠିଯାଆନ୍ତି ଯେ ଆର ନଳୀରୁ ଗୁଳି ଚଳାଇବାକୁ ଆଉ ଅବକାଶ ନ ଥାଏ । ସେଇ ଶୀତଳ ସନ୍ଧ୍ୟାଗୁଡ଼ିକର ସୁନ୍ଦର ଛବି ଏବେ ମଧ୍ୟ ଆଖି ଆଗରେ ନାଚି ଉଠେ । ପୂର୍ଣ୍ଣମୀ ଜହ୍ନ ନଈକୂଳ ତାଳବଣ ଉପରକୁ ଉଠୁଥାଏ । ଶହ ଶହ ପକ୍ଷୀଙ୍କ କଳରେବ ଓ ପକ୍ଷଚାଳନର ଶୀତ୍କାରରେ ନିସ୍ତବ୍‌ଧ ସନ୍ଧ୍ୟାଟି ହଠାତ୍ ମର୍ମରିତ ହୋଇଉଠେ-। ମୋକାମା ଘାଟରେ ଦୀର୍ଘ କେତେ ବର୍ଷର ଅନୁଭୂତି ଭିତରୁ ସେହି ଅପୂର୍ବ ସନ୍ଧ୍ୟାଗୁଡ଼ିକୁ ସ୍ମରଣ କଲେ ମନ ଏବେ ମଧ୍ୟ ଗଭୀର ଆନନ୍ଦରେ ଭରିଯାଏ ।

 

ମୋକାମା ଘାଟର କାମ ମୋତେ କେବେ ମାନ୍ଦା ଲାଗୁ ନ ଥିଲା । ଏକ ସମୟରେ ଅନେକଗୁଡ଼ିଏ କାମ ପ୍ରତି ନଜର ଦେବାକୁ ପଡ଼ୁଥିବାରୁ ମୋର ବଳକା ସମୟ ପ୍ରାୟ ନ ଥାଏ । ବର୍ଷକୁ ଦଶଲକ୍ଷ ଟନ୍ ମାଲ୍ ଚଳାଚଳ ପାଇଁ ବ୍ୟବସ୍ଥା କରିବା ଛଡ଼ା ମାଲ୍ ପାରି କରାଇବା ଓ ବର୍ଷକୁ ଲକ୍ଷାଧିକ ଯାତ୍ରୀଙ୍କୁ ଷ୍ଟିମର ଦ୍ୱାରା ନେବା ଆଣିବା କରିବାର ଭାର ମୋ ଉପରେ ଥାଏ ।

 

ହିମାଳୟ ଉପର ଅଞ୍ଚଳରେ ବର୍ଷା ହେଲେ ଗଙ୍ଗାରେ ବଢ଼ି ପାଣି ମାଡ଼ିଆସେ । ନଈ ଦୁଇକୂଳ ଖାଇ ଚାରି ପାଞ୍ଚମାଇଲ ଓସାରରେ ବହି ଚାଲେ । ସେତେବେଳେ ଷ୍ଟିମରରେ ନଈ ପାରି ହେବାରେ ଆନନ୍ଦ ଥାଏ । ସେତିକି ସମୟ ଗୋଡ଼ ଦୁଇଟାକୁ ଟିକିଏ ବିଶ୍ରାମ ମିଳେ । ସିଗାରେଟ ଖଣ୍ଡିଏ ଲଗାଇ ନିରୋଳାରେ ବସି ମୁଁ ଯାତ୍ରୀମାନଙ୍କ ଗତିବିଧି ଓ କାର୍ଯ୍ୟକଳାପ ଲକ୍ଷ୍ୟ କରେ । ଷ୍ଟିମରଗୁଡ଼ିକ ନଈ ଦୁଇ ପଟେ ଥିବା ଦୁଇଟି ବିରାଟ ରେଳପଥ ଭିତରେ ଯୋଗାଯୋଗ ସ୍ଥାପନ କରନ୍ତି । ଏଥରୁ ଗୋଟିଏ ରେଳବାଇ ଉତ୍ତର ଭାରତରେ ଶାଖାପ୍ରଶାଖା ମେଲାଇ ରହିଥାଏ । ଆରଟି ସେହିପରି ଦକ୍ଷିଣ ଭାରତରେ ବିସ୍ତୃତ । ଭାରତର ସବୁ ଆଡ଼ୁ ବହୁ ଯାତ୍ରୀ ଓ ଅନେକ ବିଦେଶୀ ପର୍ଯ୍ୟଟକ ଏଠାରେ ଏକତ୍ରିତ ହୋଇ ଷ୍ଟିମର ଯୋଗେ ନଈ ପାରି ହୁଅନ୍ତି । ଥରକେ ପାରି ହେଉଥିବା ସାତଶହ ଯାତ୍ରୀଙ୍କ ମଧ୍ୟରେ ବିଭିନ୍ନ ଅଞ୍ଚଳର ନାନା ରକମ ଲୋକ ଦେଖିବାକୁ ମିଳନ୍ତି । ଲୋକଙ୍କ ଆଚାର ବ୍ୟବହାରରୁ ତାଙ୍କ ବିଷୟରେ ଧାରଣା କରିବା ମୋର ଗୋଟିଏ ନିତିଦିନିଆ ଅଭ୍ୟାସ । ଷ୍ଟିମର ଯାତ୍ରାରେ ଏଥିପାଇଁ ବିଶେଷ ସୁଯୋଗ ମିଳେ ।

 

ଥରେ କ୍ରସ୍‌ଥ୍‌ୱେଟ୍ ନାମକ ଜଣେ ଯୁବକ ଇଂରେଜ ବନ୍ଧୁ ଷ୍ଟିମରରେ ମୋ ସହିତ ସାମାରିଆ ଘାଟ ଯାଉଥିଲେ । ସଦ୍ୟ ବିଲାତରୁ ଆସି ରେଳବାଇରେ ସେ ନୂଆ କରି ଯୋଗ ଦେଇଥାଆନ୍ତି । ମୋକାମା ଘାଟର କାର୍ଯ୍ୟବିଧି ସମ୍ବନ୍ଧରେ ପ୍ରତ୍ୟକ୍ଷ ଅଭିଜ୍ଞତା ହାସଲ କରିବା ପାଇଁ ତାଙ୍କୁ ମୋ ପାଖକୁ ପଠାଯାଇଥିଲା । ଏଠାରେ ପନ୍ଦର ଦିନ କଟାଇ ସେ ଫେରୁଥାଆନ୍ତି । ସାମାରିଆ ଘାଟ ଷ୍ଟେସନରୁ ରେଳ ଧରି ଦୀର୍ଘଯାତ୍ରା ପରେ ସେ ଗୋରଖପୁରରେ ପହଞ୍ଚିବେ । ତାଙ୍କୁ ବଳାଇ ଦେବାକୁ ମୁଁ ସାମାରିଆ ଘାଟ ଯାଉଥାଏ । ଷ୍ଟିମର ଉପର ମହଲା ବାଡ଼ରୁ ଝୁଙ୍କିପଡ଼ି ଆମେ ତଳ ମହଲାରେ ତୃତୀୟ ଶ୍ରେଣୀ ଯାତ୍ରୀମାନେ ନିଜ ନିଜ ଜାଗାରେ ଆସି ବସୁଥିବା ଦେଖୁଥାଉ । ସେମାନଙ୍କ କଥାବାର୍ତ୍ତା ସବୁ କାନରେ ବାଜୁଥାଏ । ଆମ ପାଖରେ ଜଣେ ଭାରତୀୟ ଭଦ୍ରଲୋକ ବେଞ୍ଚ ଉପରେ ଚକା ପକାଇ ବସିଥାଆନ୍ତି । ଆମ ପରି ସେ ମଧ୍ୟ ତଳକୁ ଅନାଇ ଯାତ୍ରୀଙ୍କୁ ଦେଖୁଥାଆନ୍ତି । କ୍ରସ୍‌ଥ୍‌ୱେଟ୍‌ ଭାରତରେ ନୂଆ । ଏ ଦେଶ ବିଷୟରେ ସବୁ ଜାଣିବାକୁ ତାଙ୍କର ପ୍ରବଳ ଆଗ୍ରହ । ଯାତ୍ରୀମାନେ କି ଧରଣର ଲୋକ, ସେମାନେ କେଉଁଠାରୁ ଆସିଛନ୍ତି ଓ ଦୂର ଦୂରାନ୍ତକୁ କାହିଁକି ଯାତ୍ରା କରୁଛନ୍ତି–ଏସବୁ ଜାଣିବା ପାଇଁ ସେ ଇଚ୍ଛା ପ୍ରକାଶ କଲେ । ସେତେବେଳକୁ ଯାତ୍ରୀମାନେ ନିଜ ନିଜ ଜାଗାରେ ଜାକିଜୁକି ହୋଇ ବସିଲେଣି । ଧାଡ଼ିଏ ଷ୍ଟିମରର ବାହାର ବାଡ଼ାକୁ ଆଉଜି ବସିଥାଆନ୍ତି । ବନ୍ଧୁଙ୍କ ଅନୁରୋଧରେ ମୁଁ ସେମାନଙ୍କ ବିଷୟରେ ମନ୍ତବ୍ୟ ଦେବାକୁ ଆରମ୍ଭ କଲି ।

 

ଧାଡ଼ି ମୁଣ୍ଡରେ ବସିଥିବା ବ୍ରାହ୍ମଣ ତିନିଜଣ ବିଖ୍ୟାତ ଜଣେ ମହାରାଜାଙ୍କ ପରିଜନ । ତାଙ୍କ ପାଖରେ ଥିବା ବଡ଼ ବଡ଼ ତମ୍ବା କଳସଗୁଡ଼ିକରେ ମହାରାଜାଙ୍କ ପାଇଁ ସେମାନେ ଗଙ୍ଗାଜଳ ନେଉଛନ୍ତି । ମହାରାଜା ଅନ୍ୟ ଜଳ ବ୍ୟବହାର କରନ୍ତି ନାହିଁ । ଏପରିକି ସେ ଯାତ୍ରା କରିବାବେଳେ ମଧ୍ୟ ତାଙ୍କ ସହିତ ଗଙ୍ଗାଜଳ ବୁହା ହୋଇଯାଏ । ଲୋକ ମତରେ ଗଙ୍ଗାର ଡାହାଣ କୂଳ ବାଁ କୂଳ ଅପେକ୍ଷା ପବିତ୍ର । କଳସ ସବୁ ସେଠାକୁ ନେଇ ପୂର୍ଣ୍ଣ କରିବା ପରେ କାଦୁଅ ଲେସି ସେଗୁଡ଼ିକର ମୁହଁ ବନ୍ଦ କରାଯାଇଛି । ରେଳ ଓ ଷ୍ଟିମର ଯୋଗେ ଦୀର୍ଘ ଅଶୀ ମାଇଲ ଯାତ୍ରା କରି ଏମାନେ ଉଆସରେ ପହଞ୍ଚିବେ । ବ୍ରାହ୍ମଣଙ୍କ ପାଖରେ ବସିଥିବା ମୁସଲମାନ ତୁଳାଭିଣାଟି କାମ ଖୋଜି ଏଣେ ତେଣେ ଘୁରି ବୁଲେ । ପାଖରେ ତା’ ଧନୁଟି ରହିଛି । ସେଥିରେ ବିଣ୍ଡା ବାନ୍ଧି ଯାଇଥିବା ପୁରୁଣା ତୁଳାକୁ ସେ ଟିକି ଟିକି କରି ଭିଣି ରେଶମ ପରି ନରମ କରିଦିଏ । ତା’ପରେ ବସିଥିବା ତିଦ୍ଦତୀୟ ଲାମା ଦୁଇଜଣ ଗୟାର ବୌଦ୍ଧପୀଠ ମାନଙ୍କରୁ ତୀର୍ଥ କରି ଫେରୁଛନ୍ତି । ଆମେ ଏଣେ ଶୀତରେ ଥରୁଥିବାବେଳେ ଗରମରେ ଲାମା ଦୁହିଁଙ୍କ କପାଳରୁ ଝାଳ ବୋହି ପଡ଼ୁଛି । ଲାମାଙ୍କ ପାଖରେ ନେପାଳର ପାହାଡ଼ିଆ ଅଞ୍ଚଳର ଚାରିଜଣ ଲୋକ । ପ୍ରତ୍ୟେକେ ଦୁଇଟି କରି କାଚକଳସୀ ଚାଙ୍ଗୁଡ଼ିରେ ପୂରାଇ ବାଡ଼ି ଅଗରେ ଅତି ସାବଧାନରେ ଝୁଲାଇ ରଖିଛନ୍ତି । କଳସୀଗୁଡ଼ିକ ବନାରସରେ ପବିତ୍ର ଗଙ୍ଗାଜଳରେ ପୂର୍ଣ୍ଣ କରାଯାଇଛି । ତାଙ୍କ ମୁଲକରେ ପୂଜାପର୍ବରେ ଗଙ୍ଗାଜଳ ଦରକାର ହୁଏ । ଦେଶରେ ପହଞ୍ଚି ଏମାନେ ନିଜ ଗାଁରେ ଓ ଆଖପାଖ ଗାଁମାନଙ୍କରେ ଗଙ୍ଗାଜଳ ଟୋପା ହିସାବରେ ବିକିବେ । ଧାଡ଼ି ଶେଷରେ ବସିଥିବା ଲୋକଟି ସହିତ ମୁଁ ବହୁକାଳରୁ ପରିଚିତ-। ସେ ମୋର ଜଣେ ଶ୍ରମିକର ବାପ । ନଈ ସେପାରିରେ ତା’ ଚାଷଜମିରେ ହଳ ବୁଲାଇବାକୁ ଯାଉଛି ।

 

ମୋ କଥାସବୁ ମନଦେଇ ଶୁଣିବା ପରେ କ୍ରସ୍‌ଥ୍‌ୱେଟ୍ ଆମ ପାଖରେ ବେଞ୍ଚରେ ବସିଥିବା ଭାରତୀୟ ଭଦ୍ରଲୋକଙ୍କ ବିଷୟ ଜାଣିବାକୁ ଚାହିଁଲେ । ମୁଁ କହିଲି, “ଏ ଭଦ୍ରଲୋକ ? ଇଏ ଜଣେ ମୁସଲମାନ ଚମଡ଼ା ବ୍ୟବସାୟୀ । ଗୟାରୁ ମୁଜାଫରପୁର ଯାଉଛନ୍ତି ।” ମୋ ପାଟିରୁ କଥା ନ ସରୁଣୁ ଭଦ୍ରଲୋକ ସଳଖି ବସି ବଡ଼ ପାଟିରେ ହସି ଉଠିଲେ । ତା’ପରେ ମୋତେ ଅନାଇ ସୁନ୍ଦର ଶୁଦ୍ଧ ଇଂରାଜୀରେ କହିଲେ, “ଆପଣ ମୋ ବିଷୟରେ ଓ ଅନ୍ୟ ଯାତ୍ରୀଙ୍କ ବିଷୟରେ ଯାହା ଯାହା କହିଲେ ମୁଁ ବେଶ୍ ଆମୋଦ ସହିତ ସବୁ ଶୁଣୁଥିଲି ।” ଭଦ୍ରଲୋକ ଇଂରାଜୀ ଜାଣିଥିବେ ବୋଲି ମୁଁ ଆଦୌ ଭାବି ନ ଥିଲି । ତାଙ୍କ ମୁହଁରୁ ଇଂରାଜୀ ଶୁଣି ଲାଜରେ ନାଲି ପଡ଼ିଗଲି । ଭଦ୍ରଲୋକ କହି ଚାଲିଲେ, “ଗୋଟିଏ କଥା ବାଦ୍ ଦେଲେ ଆପଣଙ୍କ ଅନୁମାନ ସବୁ ପୂରାପୂରି ଠିକ୍-। ମୁଁ ଜାତିରେ ମୁସଲମାନ । ଗୟାରୁ ମୁଜାଫରପୁର ଯାଉଥିବା କଥା ଆପଣ କେମିତି ଜାଣିଲେ ବୁଝି ପାରୁନାହିଁ । ଗୟାରେ ରେଳ ଟିକଟ କିଣିବା ପରେ ମୁଁ କାହାକୁ ତ ଦେଖାଇ ନାହିଁ ! କିନ୍ତୁ ମୋତେ ଚମଡ଼ା ବେପାରୀ ବୋଲି ଯାହା କହିଲେ, ସେଇଠି ଟିକିଏ ଭୁଲ ରହିଗଲା । ମୁଁ ଚମଡ଼ା ବେପାର କରେନା–ତମାଖୁ ବ୍ୟବସାୟ କରେ ।”

 

ବିଶିଷ୍ଟ ବ୍ୟକ୍ତିମାନେ ଏଠାରେ ପହଞ୍ଚିଲେ ସ୍ୱତନ୍ତ୍ର ଷ୍ଟିମର ଦ୍ୱାରା ସେମାନଙ୍କୁ ନଈ ପାରି କରାଇବା ଦାୟିତ୍ୱ ମୋ ଉପରେ ପଡ଼େ । ଥରେ ନେପାଳର ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ରେଳଗାଡ଼ିରେ ଆସି ସାମାରିଆ ଘାଟରେ ପହଞ୍ଚିଲେ । ତାଙ୍କ ରାଜଧାନୀ କାଠମାଣ୍ଡୁରୁ ସେ କଲିକତା ଯାଉଥାଆନ୍ତି-। ମନ୍ତ୍ରୀଙ୍କ ଗହଣରେ ତାଙ୍କ ପରିବାରର କୋଡ଼ିଏ ଜଣ ମହିଳା, ମନ୍ତ୍ରୀଙ୍କ ସଚିବ ଓ ଚାକର ପରିଜନ ମିଶି ଅନେକ ଲୋକ ଥାଆନ୍ତି । ସେମାନଙ୍କୁ ସମ୍ବର୍ଦ୍ଧନା ଜଣାଇ ପାଛୋଟି ନେବା ପାଇଁ ଖରାବେଳୁ ମୁଁ ଷ୍ଟେସନରେ ଅପେକ୍ଷା କରିଥାଏ । ଗାଡ଼ି ଅଟକିବା ସଙ୍ଗେ ସଙ୍ଗେ ନେପାଳର ଜାତୀୟ ପୋଷାକ ପିନ୍ଧିଥିବା ଜଣେ ଅତି ଦୀର୍ଘକାୟ ଲୋକ ଗାଡ଼ିରୁ ଡେଇଁପଡ଼ି ମନ୍ତ୍ରୀଙ୍କ କୋଠରୀ ପାଖକୁ ଚାଲିଆସିଲା ଓ ବଡ଼ ଛତାଟିଏ ମେଲାଇ ଡାହାଣ ହାତ ଅଣ୍ଟାରେ ରଖି ଦ୍ୱାର ପାଖରେ ଅପେକ୍ଷା କରି ରହିଲା । ସୁନାର ଗୋବମରା ବାଡ଼ିଟିଏ ଧରି ପ୍ରଧାନମନ୍ତ୍ରୀ ଦ୍ୱାର ଖୋଲି ବାହାରିଲେ ଓ ସିଧାସଳଖ ଯାଇ ଲୋକଟିର ହାତ ଉପରେ ବସିପଡ଼ିଲେ । ଲୋକଟି ମନ୍ତ୍ରୀଙ୍କୁ କାଖକରି ଛତା ଟେକି ସରୁବାଲି ଉପରେ ତିନିଶହ ଗଜ ବାଟ ଅନାୟାସରେ ଚାଲିଯାଇ ତାଙ୍କୁ ଷ୍ଟିମର ପାଖରେ ପହଞ୍ଚାଇଦେଲା । ଲୋକଟିର ଅସାମାନ୍ୟ ଶକ୍ତି ଦେଖି ଅବାକ୍‍ ହୋଇଗଲି । ସଚିବଙ୍କ ସହିତ ପୂର୍ବରୁ ମୋର ପରିଚୟ ଥାଏ । ଏଭଳି କରାମତି କେବେ ଦେଖିନାହିଁ ବୋଲି ମୁଁ କଥା ପ୍ରସଙ୍ଗରେ କହିବାରୁ ସଚିବ କହିଲେ ଯେ ଯାନବାହନର ଅନ୍ୟ ବ୍ୟବସ୍ଥା ନ ଥିଲେ ପ୍ରଧାନମନ୍ତ୍ରୀ ଏ ଲୋକକୁ ବାହନ ରୂପେ ବ୍ୟବହାର କରନ୍ତି । ଲୋକଟି ନେପାଳର ଅଧିବାସୀ ବୋଲି ସେ କହିଲେ । କିନ୍ତୁ ତା’ର ଫିକା କହରା ବାଳ ଦେଖି ମୁଁ ଅନୁମାନ କଲି ସେ ଉତ୍ତର ଇଉରୋପର ଲୋକ । କୌଣସି କାରଣରୁ ନିଜ ଦେଶରୁ ପଳାଇ ଆସି ଭାରତ ସୀମାନ୍ତର ଏହି ସ୍ୱାଧୀନ ରାଜ୍ୟରେ ସେ ଚାକିରି କରୁଛି ।

 

ମନ୍ତ୍ରୀଙ୍କୁ ଷ୍ଟିମର ପାଖକୁ ନିଆଯିବାବେଳେ ଚାରିଜଣ ଲୋକ କଳା ରେଶମର ଚାରିକୋଣିଆ ଚାନ୍ଦୁଆଟିଏ ଆଣି ଗୋଟିଏ ରେଳ କୋଠରୀ ଆଗରେ ବିଛାଇ ଦେଲେ । ବାରଫୁଟ ଲମ୍ବ ଓ ଆଠଫୁଟ ଓସାର ଏହି ଚାନ୍ଦୁଆ ଚାରିକୋଣରେ ଫିତାର ଫାଶ ଲାଗିଥାଏ । ଚାରୋଟି ରୂପାର ଖୁଣ୍ଟି କଢ଼ାଯାଇ ତାହା ଆଗରେ ଥିବା ଆଙ୍କୁଶୀଗୁଡ଼ିକୁ ଫାସରେ ଗଳାଇ ଦିଆଗଲା । ଚାରିକଡ଼ରୁ ପରଦା ଖସାଇ ଚାନ୍ଦୁଆ ଟେକିଦେବା ମାତ୍ରେ ତାହା ଗୋଟିଏ ବାକ୍‌ସ ପରି ହୋଇଗଲା-। ରେଶମ ବାକ୍‌ସଟିକୁ ବାହକମାନେ କୋଠରୀ ଦ୍ଵାରକୁ ଲଗାଇ ଦେଇ ସେ ପାଖ ପରଦା ଟେକି ଦେଲେ । ମନ୍ତ୍ରୀ ମହଲର ମହିଳାମାନେ ଏହି ଟେରାବାଡ଼ରେ ପଶିବାମାତ୍ରେ ପରଦା ଖସାଇ ଦିଆଗଲା । ଚାରିଜଣ ବାହକ ରୂପାଖୁଣ୍ଟି ଧରି ବାହାରେ ଚାଲିଥାଆନ୍ତି । ପରଦା ତଳୁ ମହିଳାମାନଙ୍କ ଚକ୍‌ଚକିଆ ଚମଡ଼ା ଜୋତାଗୁଡ଼ିକ କେବଳ ପଦାକୁ ଦିଶୁଥାଏ । ଷ୍ଟିମର ତଳମହଲାରେ ପହଞ୍ଚିବା ପରେ ସେ ପାଖରେ ପରଦା ପୁଣି ଟେକା ହେଲା ଓ ମହିଳାମାନେ ଦୃତ ବେଗରେ ପାହାଚରେ ଉଠି ଉପର ମହଲାକୁ ଚାଲିଗଲେ । ଉପରେ ପ୍ରଧାନମନ୍ତ୍ରୀଙ୍କ ସହିତ ମୁଁ କଥାବାର୍ତ୍ତା ହେଉଥିଲି । ମହିଳାମାନେ ପହଞ୍ଚିବା ମାତ୍ରେ ମୁଁ ଚାଲିଯିବାକୁ ଅନୁମତି ମାଗିଲି । ମୋତେ ବୁଝାଇ ଦିଆଗଲା ଯେ ସାଧାରଣ ଲୋକଙ୍କ ଦୃଷ୍ଟି ଏଡ଼ାଇବା ପାଇଁ ଟେରାବାଡ଼ ବ୍ୟବହାର କରାଯାଏ । ସୁତରାଂ ମୁଁ ସେଠାରୁ ଚାଲିଯିବାର ଆବଶ୍ୟକତା ନାହିଁ । ମନ୍ତ୍ରୀ ପରିବାରର ଏହି ସମ୍ଭ୍ରାନ୍ତ ମହିଳାମାନଙ୍କ ବେଶଭୂଷା ବର୍ଣ୍ଣନା କରିବା ମୋ ପକ୍ଷରେ ସମ୍ଭବ ନୁହେଁ । ଦେହକୁ ଜଡ଼ାଇ ସେମାନେ ସୁନ୍ଦର ରଙ୍ଗୀନ କାଞ୍ଚଲାମାନ ପିନ୍ଧିଥାଆନ୍ତି । ତଳେ ଦାମିକା ଝଲମଲ ରେଶମର ଢିଲା ପାଇଜାମା । ପ୍ରତି ପାଇଜାମାରେ ଚାଳିଶଗଜ ରେଶମ ଲାଗେ । ବୟସ ସମସ୍ତଙ୍କର ଷୋହଳରୁ ଅଠର ଭିତରେ । ନାନାରଙ୍ଗର ସୁନ୍ଦର ପୋଷାକ ପିନ୍ଧି ମନ ଆନନ୍ଦରେ ସେମାନେ ଏଣେ ତେଣେ ଛୁଟି ବୁଲିବା ବେଳେ ବିଚିତ୍ର କେତୋଟି ରଙ୍ଗୀନ ପ୍ରଜାପତି ପରି ଦେଖାଯାଉଥାଆନ୍ତି ।

 

ପ୍ରଧାନମନ୍ତ୍ରୀଙ୍କୁ କଲିକତା ନେବାପାଇଁ ସ୍ୱତନ୍ତ୍ର ରେଲଗାଡ଼ି ମୋକାମା ଘାଟରେ ଅପେକ୍ଷା କରିଥିଲା । ମନ୍ତ୍ରୀ ଓ ମହିଳାମାନଙ୍କୁ ଷ୍ଟିମରରୁ ଗାଡ଼ିପାଖକୁ ନେବାବେଳେ ପୂର୍ବ ଯାତ୍ରାବିଧିର ପୁନରାବୃତ୍ତି ହେଲା । ମନ୍ତ୍ରୀଙ୍କ ସହିତ ପର୍ବତ ପ୍ରମାଣ ମାଲ୍‌ପତ୍ର ଆସିଥାଏ । ସେଗୁଡ଼ିକ ବୋଝାଇ ସରିବା ପରେ ଗାଡ଼ି ଛାଡ଼ିଲା । ଦଶଦିନ ପରେ ମନ୍ତ୍ରୀ ସଦଳବଳେ କଲିକତାରୁ ଫେରି ସାମାରିଆ ଘାଟରୁ ସ୍ୱତନ୍ତ୍ର ରେଳଗାଡ଼ି ଯୋଗେ କାଠମାଣ୍ଡୁ ଯାତ୍ରା କଲେ । ସେହିଠାରେ ସେମାନଙ୍କଠାରୁ ବିଦାୟ ନେଇ ମୁଁ ଫେରିଲି ।

 

କିଛିଦିନ ପରର କଥା । ଗୋଟିଏ ଜରୁରୀ ରିପୋର୍ଟ୍‌ ଲେଖିବାରେ ମୁଁ ବ୍ୟସ୍ତଥାଏ । ରିପୋର୍ଟ୍‌ଟି ସେହି ରାତିରେ ପଠାଯିବ । ଦପ୍ତରଖାନାରେ ନିରୋଳାରେ ବସି କାମ କରୁଛି, ଏତିକିବେଳେ ହଠାତ୍ ମନ୍ତ୍ରୀଙ୍କ ସଚିବ ଅତର୍କିତ ଭାବେ ଭିତରକୁ ପଶିଲେ । ସାମାରିଆ ଘାଟରେ ତାଙ୍କୁ ବିଦାୟ ଦେବା ବେଳେ ତାଙ୍କ ବ୍ୟବହାର ବା ପୋଷାକପତ୍ରରେ ବାରିବାକୁ କିଛି ନ ଥିଲା । ଏଇ କେଇ ଦିନ ଭିତରେ ତାଙ୍କର ରୂପଭେକ ପୂରା ବଦଳି ଯାଇଛି ଦେଖି ଆଶ୍ଚର୍ଯ୍ୟ ହେଲି । ପୋଷାକ ଲୋଚାକୋଚା ଓ ମଇଳା ହୋଇଥାଏ । ସେ ନିଜେ କେତେ ରାତି ଶୋଇ ନ ଥିବା ପରି ଦିଶୁଥାଆନ୍ତି । ଚଉକି ଗ୍ରହଣ କରି କୌଣସି ଅବତରଣିକା ନ ଦେଇ ସେ ବଡ଼ ବିପଦରେ ପଡ଼ିଛନ୍ତି ବୋଲି କହି ପକାଇଲେ । ତା’ପରେ ସେ ଯାହା କହିଲେ ତାହା ତଳେ ଉଦ୍ଧାର କରୁଛି ।

 

“ଆମ କଲିକତା ରହଣିର ଶେଷଦିନ ପ୍ରଧାନମନ୍ତ୍ରୀ ମହିଳାମାନଙ୍କୁ ନେଇ ବିଖ୍ୟାତ ଅଳଙ୍କାର ଦୋକାନ ହାମିଲ୍‌ଟନ୍ ଆଣ୍ଡ୍ କୋ:କୁ ଗଲେ । ପସନ୍ଦ ମୁତାବକ ଅଳଙ୍କାର ବାଛିବା ପାଇଁ ମହିଳାମାନଙ୍କୁ କୁହାଗଲା । ନେପାଳରୁ ବାହାରକୁ ଗଲେ ଖର୍ଚ୍ଚ କରିବାକୁ ସଙ୍ଗରେ ଯଥେଷ୍ଟ ନଗଦ ଟଙ୍କା ଆମେ ନେଇଥାଉ । ରୂପାଟଙ୍କା ଗଣା ହୋଇ ଅଳଙ୍କାରର ଦାମ ଦିଆହେଲା । ସଙ୍ଗରେ ମୁଁ ବାକ୍‌ସଟିଏ ନେଇଥାଏ । ସେଥିରେ ଅଳଙ୍କାରସବୁ ସଜାଡ଼ି ରଖି ଦୋକାନଦାର ଜଉମୁଦରେ ନିଜ ମାର୍କା ମାରି ବାକ୍‌ସ ମୁହଁ ବନ୍ଦ କରିଦେଲେ । ଏସବୁ କରୁ କରୁ ଅନେକ ଡେରି ହେଲା । ତେଣେ ଷ୍ଟେସନରେ ଗାଡ଼ି ଆମକୁ ଅପେକ୍ଷା କରିଥାଏ । ଦୋକାନରୁ ତରତରରେ ଫେରି ହୋଟେଲରୁ ଜିନିଷପତ୍ର ଓ ଲୋକବାକଙ୍କୁ ଏକାଠି କରି ଆମେ ଅତି ଶୀଘ୍ର ଯାଇ ଷ୍ଟେସନରେ ପହଞ୍ଚିଲୁ ।”

 

“କାଠମାଣ୍ଡୁରେ ପହଞ୍ଚିବା ବେଳକୁ ରାତି ହୋଇଥାଏ । ପରଦିନ ସକାଳେ ପ୍ରଧାନମନ୍ତ୍ରୀ ମୋତେ ଡକାଇ ଅଳଙ୍କାର ବାକ୍‌ସଟି ମାଗିଲେ । ଦୋକାନରୁ ଫେରିବା ପରେ ମୁଁ ନିଜେ ମୋଟରରୁ ବାକ୍‌ସ ଓହ୍ଲାଇ ହୋଟେଲରେ ପହଞ୍ଚାଇଥିଲି । କିନ୍ତୁ ହୋଟେଲରୁ ବାହାରିବା ଓ କାଠମାଣ୍ଡୁରେ ପହଞ୍ଚିବା ଭିତରେ ଆଉ କେଉଁଠାରେ ବାକ୍‌ସଟି ମୁଁ ଦେଖି ନ ଥିଲି । ଉଆସର ଅନ୍ଧିସନ୍ଧି ସବୁ ତନ୍ନତନ୍ନ କରି ଖୋଜାହେଲା । ଆମ ସଙ୍ଗରେ ଯାଇଥିବା ଲୋକମାନଙ୍କୁ ଅନେକ ପଚରା ଉଚରା କଲୁ । ଶେଷ ସୁଦ୍ଧା ଅଳଙ୍କାର ବାକ୍‌ସ ପତ୍ତା ମିଳିଲା ନାହିଁ । ବାକ୍‌ସଟି ମୋ ଦାୟିତ୍ୱରେ ଥିବାବେଳେ ହଜିଛି । ଆମ ଦେଶରେ ଆଇନ ଅନୁସାରେ ଏହା ଅତି ଗୁରୁତର ଅପରାଧ । ବାକ୍‌ସ ନ ମିଳିଲେ ଚାକିରି ହରାଇବା ଛଡ଼ା ମୋତେ ଆହୁରି ଅନେକ ଦଣ୍ଡ ଭୋଗିବାକୁ ପଡ଼ିବ ।”

 

“ନେପାଳର ଗୋଟିଏ ପର୍ବତ ଗୁମ୍ଫାରେ ଜଣେ ସିଦ୍ଧଯୋଗୀ ରଖନ୍ତି । ସେ ଦିବ୍ୟଦର୍ଶୀ ବୋଲି ଲୋକମୁଖରୁ ଶୁଣାଯାଏ । ବନ୍ଧୁମାନଙ୍କ ପରାମର୍ଶରେ ଯୋଗୀଙ୍କ ସନ୍ଧାନରେ ବାହାରିଲି ଓ ଗୁମ୍ଫାରେ ପହଞ୍ଚି ତାଙ୍କୁ ଦୁଃଖ ଜଣାଇଲି । ଯୋଗୀ ଗୋଟିଏ ସୁଦ୍ଧା ପ୍ରଶ୍ନ ପଚାରିଲେ ନାହିଁ । ନୀରବରେ ସବୁ ଶୁଣିବା ପରେ ପରଦିନ ସକାଳୁ ତାଙ୍କୁ ପୁଣି ଭେଟିବାକୁ ଆଦେଶ ଦେଲେ । ସକାଳୁ ସେଠାରେ ପହଞ୍ଚିଲି । ଯୋଗୀ କହିଲେ ଯେ ପୂର୍ବରାତିରେ ସେ ଗୋଟିଏ ସ୍ୱପ୍ନ ଦେଖିଛନ୍ତି । କୌଣସି ଗୋଟିଏ ନଈକୂଳରୁ ଅଳ୍ପ ଦୂରରେ ବଖରାଏ ଘର । ଘର ପୂର୍ବପଟେ ଗୋଟିଏ ମାତ୍ର କବାଟ । ନାନା ରକମ ବାକ୍‍ସ ବସ୍ତାନି ଆଦି ବହୁ ଜିନିଷ ଘରକୋଣରେ ଜମା ହୋଇଛି । ଗଦା ତଳେ ଅଳଙ୍କାର ବାକ୍‌ସଟି ଅଛି ଓ ବାକ୍‌ସ ମୁହଁରେ ଜଉମୁଦ ଏ ପର୍ଯ୍ୟନ୍ତ ଅକ୍ଷତ ରହିଛି । ଯୋଗୀ ଏତିକି ଛଡ଼ା ଆଉ କିଛି କହି ପାରିଲେ ନାହିଁ । ସେ ସ୍ୱପ୍ନରେ ଦେଖିଥିବା ନଈଟି ଗଙ୍ଗାନଦୀ ହୋଇଥିବ ବୋଲି ଆଶା ହେଲା । ଦେଶ ଛାଡ଼ି ବାହାରକୁ ଯିବାକୁ ସପ୍ତାହେ ମହଲତ ମାଗି ଆପଣଙ୍କ ସାହାଯ୍ୟ ଆଶାରେ ଏତେ ଦୂର ଧାଇଁ ଆସିଛି ।” ଏକଥା କହୁ କହୁ ସଚିବଙ୍କ ଆଖି ଛଳଛଳ ହୋଇଗଲା । ଉତ୍କଣ୍ଠା ଓ ଆବେଗରେ କଣ୍ଠରୋଧ ହୋଇ ସ୍ୱର ଭାଙ୍ଗି ଭାଙ୍ଗି ଯାଉଥାଏ । ସ୍ୱପ୍ନାଦେଶ ଉପରେ ଅଟଳ ବିଶ୍ୱାସ ରଖି ସେ ଏଠାକୁ ଆସିଛନ୍ତି–ଏଥିରେ ସନ୍ଦେହ ନ ଥାଏ । ଦିବ୍ୟଦୃଷ୍ଟି ଦ୍ୱାରା ହଜିଥିବା ଜିନିଷର ସନ୍ଧାନ ମିଳେ ବୋଲି ହିମାଳୟ ଅଞ୍ଚଳର ଲୋକେ ଦୃଢ଼ ବିଶ୍ୱାସ କରନ୍ତି । ଦେଢ଼ ଲକ୍ଷ ଟଙ୍କାର ଅଳଙ୍କାର କେହି ଚୋରାଇ ନେବା ପୂର୍ବରୁ ବାକ୍‌ସଟି ଦସ୍ତଗତ କରିବାକୁ ସଚିବ ବଡ଼ ବ୍ୟାକୁଳ ହୋଇ ପଡ଼ିଥାଆନ୍ତି ।

 

ମାଲ୍‌ପତ୍ର ରଖିବା ପାଇଁ ମୋକାମା ଘାଟରେ ଗୋଦାମ ଘରର ଅଭାବ ନ ଥାଏ । ଯୋଗୀଙ୍କ ବର୍ଣ୍ଣନା ସହିତ ଏଥିରୁ କୌଣସିଟି ଖାପ ଖାଇଲା ନାହିଁ । ତେବେ ମୋକାମା ଜଙ୍କ୍‌ସନ୍‌ର ପାର୍ସଲ ଘର ସହିତ ସେ ବର୍ଣ୍ଣନାର ଅନେକ ମେଳ ଥିବା ପରି ମନେହେଲା । ମୋକାମା ଜଙ୍କ୍‌ସନ୍ ସେଠାରୁ ଦୁଇ ମାଇଲ ଦୂର । ଟମ୍ କେଲିଙ୍କଠାରୁ ଟ୍ରଲି ମଗାଇ ରାମଶରଣଙ୍କ ସହିତ ସଚିବଙ୍କୁ ସେଠାକୁ ପଠାଇଲି । ଜଙ୍କ୍‌ସନ୍‌ର ପାର୍ସଲ କିରାଣୀ ବାକ୍‌ସ ବିଷୟରେ କିଛି ଜାଣନ୍ତି ନାହିଁ ବୋଲି କହିଲେ । ମାଲ୍‌ପତ୍ର ସବୁ ବାହାରକୁ କାଢ଼ିଦେଇ ପାର୍ସଲ ଘରେ ଖୋଜାଖୋଜି କରିବା ବିରୁଦ୍ଧରେ ସେ ଆପତ୍ତି ଉଠାଇଲେ ନାହିଁ । ସବୁ ଜିନିଷ ବାହାରକୁ କଢ଼ାଯିବା ପରେ ଗଦା ତଳୁ ବାକ୍‌ସଟି ମିଳିଲା । ବାକସ ମୁହଁରେ ଜଉମୁଦ ନୂଆ ପରି ରହିଥାଏ ।

 

ପାର୍ସଲ ଅଫିସ୍ କିରାଣୀଙ୍କ ଅଜାଣତରେ ବାକ୍‌ସ ସେଠାକୁ କିପରି ଆସିଲା–ଏ ପ୍ରଶ୍ନ ନେଇ ନାନା ଘାଣ୍ଟଚକଟା ଆରମ୍ଭ ହୋଇଗଲା । ଷ୍ଟେସନ ମାଷ୍ଟର ନିଜେ ଆସି ତଦନ୍ତ କରିବା ପରେ ଜଣାପଡ଼ିଲା ଯେ ଜଣେ ଝାଡ଼ୁଦାର ବାକ୍‍ସଟି ସେଠାରେ ରଖି ଦେଇଥିଲା । ଝାଡ଼ୁଦାରଟି ଷ୍ଟେସନର ସବୁ କର୍ମଚାରୀଙ୍କଠାରୁ କମ୍ ଦରମା ପାଏ । ପ୍ରଧାନମନ୍ତ୍ରୀ ମୋକାମା ଘାଟରେ ଓହ୍ଲାଇଯିବା ପରେ ରେଳଗାଡ଼ିରେ ଝାଡ଼ୁ ଦେବାକୁ ଯାଇ ସେ ଦେଖିଲା ଯେ ଗୋଟିଏ କୋଠରୀରେ ଆସନ ତଳେ ବାକ୍‍ସଟିଏ ରହିଯାଇଛି । କାମ ସାରି ବାକ୍‌ସଟି ପାଏ ବାଟ ବୋହି ନେଇ ସେ ପାର୍ସଲ ଘରେ ପହଞ୍ଚାଇଲା । ସେତେବେଳେ ପାର୍ସଲ ଘରେ ବା ଷ୍ଟେସନରେ କେହି ନ ଥିଲେ । ବାକ୍‍ସ କାହାକୁ ଜିମା ଦେବ ବୁଝି ନ ପାରି ସେ ତା’କୁ ପାର୍ସଲ ଘରକୋଣରେ ରଖି ଦେଇ ଚାଲିଗଲା । ଗରିବ ଝାଡ଼ୁଦାରଟିର ସଚ୍ଚୋଟପଣିଆ ଦେଖି ଆମେ ମୁଗ୍‍ଧ ହୋଇଗଲୁ । ସେ କିନ୍ତୁ କାନ୍ଦୁଣି ମାନ୍ଦୁଣି ହୋଇ କହୁଥାଏ ଯେ ତା’ର ଦୋଷ ହୋଇଥିଲେ ତାହା ମାଫ୍ କରାଯାଉ ।

 

ଅବିବାହିତ ଲୋକଙ୍କ ଦୈନନ୍ଦିନ ଜୀବନ କ୍ରମେ ଗୋଟିଏ ଗତିରେ ପଡ଼ିଯାଏ । ତାଙ୍କ ଚାକରବାକରଙ୍କ କାର୍ଯ୍ୟକଳାପ ମଧ୍ୟ ସେହି ଛାଞ୍ଚରେ ଗଢ଼ି ଉଠେ । ମୁଁ ଓ ମୋ ଚାକରମାନେ ଏଥିରୁ ବାଦ୍ ଗଲୁନାହିଁ । କାମ ଭିଡ଼ ନ ଥଲେ ମୁଁ ଠିକ୍ ରାତି ଆଠଟାବେଳେ ବଙ୍ଗଳାକୁ ଫେରି ସବୁଦିନେ ଗରମ ପାଣିରେ ଗାଧାଏ । ଚାକର ସେତିକିବେଳକୁ ବାହାର ବାରଣ୍ଡାରେ ଜଗି ବସିଥାଏ । ମୋତେ ଦେଖିଦେବା ମାତ୍ରେ ଗାଧୁଆ ସଜିଲ କରିବା ପାଇଁ ପାଣିବାଲାକୁ ସେ ଡାକଦିଏ । ବଙ୍ଗଳାରେ ତିନି ବଖରା ଘର ଓ ପ୍ରତ୍ୟେକ ଘରୁ ବାହାର ବାରଣ୍ଡାକୁ ବାଟ । ଏହାକୁ ମୁଁ ଯଥାକ୍ରମେ ଖାଇବା ଘର, ବୈଠକଖାନା ଓ ଶୋଇବା ଘର ଭାବେ ବ୍ୟବହାର କରେ । ଶୋଇବା ଘରକୁ ଲାଗିଥିବା ଦଶଫୁଟ ଲମ୍ବ ଓ ଛଅ ଫୁଟ ଓସାର ଗାଧୁଆ ଘରେ ଦୁଇଟି କବାଟ । ଏଥୁରୁ ଗୋଟିଏ ବାହାର ବାରଣ୍ଡାକୁ ଓ ଆରଟି ଶୋଇବା ଘରକୁ ଖୋଲେ । ଶୋଇବା ଘରର ବିପରୀତ ପାଖରେ ଗାଧୁଆ ଘର ବାହାର କାନ୍ଥରେ ଚଟାଣରୁ ଦଶଫୁଟ ଉପରେ ଛୋଟ ଝରକାଟିଏ ଥାଏ । ଗାଧୁଆ ଘର ଆସବାବ ଭିତରେ ଅଣ୍ଡାପରି ଆକୃତିର କାଠକୁଣ୍ଡଟିଏ । କୁଣ୍ଡଟି ବେଶ୍ ଲମ୍ବ ହୋଇଥିବାରୁ ପାଣିରେ ପଶି ସେଥିରେ ସହଜରେ ଗାଧୋଇ ହୁଏ । ଛିଡ଼ା ହୋଇ ପାଣି ଢ଼ାଳି ହେବାପାଇଁ କୁଣ୍ଡ ପାଖରେ ପିଢ଼ାଟିଏ ପଡ଼ିଥାଏ । ପାଣି ନିଗିଡ଼ି ଯିବାପାଇଁ ପିଢ଼ାରେ ଫୋଡ଼ଗୁଡ଼ିଏ ଥାଏ । ପାଣିବାଲା ଦୁଇ ମାଠିଆ ଥଣ୍ଡା ପାଣି ରଖି ଦେବା ପରେ ଚାକର ସବୁ ସଜିଲ ସାରି ଗାଧୁଆ ଘରର ବାରଣ୍ଡାପଟ କବାଟ ଭିତରୁ କିଳି ଦେଇ ଶୋଇବା ଘରବାଟେ ବାହାରେ ଓ ଶୋଇବା ଘରୁ ମୋ ଜୋତା ହଳକ ଗୋଟାଇ ନେଇ ସଫା କରିବାକୁ ରୋଷାଇ ଘର ଆଡ଼େ ଚାଲିଯାଏ । ମୁଁ ଗାଧୋଇ ସାରି ଖାଇବାକୁ ମାଗିବା ପର୍ଯ୍ୟନ୍ତ ସେ ସେଇଠି ରହେ ।

 

ସେଦିନ ରାତିରେ ଚାକର ରୋଷାଇ ଘର ଆଡ଼େ ଚାଲିଯିବା ପରେ ଛୋଟ କିରାସିନୀ ବତୀଟିଏ ଧରି ଗାଧୁଆ ଘରେ ପଶିଲି । ଚଟାଣରେ ପାଣି ବାନ୍ଧିବା ପାଇଁ ନଅଇଞ୍ଚ ଉଚ୍ଚ ଓ ଛଅଇଞ୍ଚ ଓସାର କାନ୍ଥି ଦିଆଯାଇ ଚୌବଚାଟିଏ ତିଆରି ହୋଇଥାଏ । ବତୀଟି କାନ୍ଥି ଉପରେ ରଖି ଶୋଇବା ଘର ଆଡ଼ କବାଟ କିଳି ଭିତରୁ ହୁଡ଼ୁକା ଲଗାଇ ଦେଲି । କବ୍‌ଜା ହୁଗୁଳି ଯାଇଥିବାରୁ ହୁଡ଼ୁକା ନ ଲଗାଇଲେ କବାଟ ବନ୍ଦ ହୁଏ ନାହିଁ । ଏହାପରେ କୁଣ୍ଡରେ ପଶି ଗାଧୁଆ ଆରମ୍ଭ କଲି । ଦିନତମାମ୍ କୋଇଲା ଗୋଦାମରେ କଟାଇ ମୁଁ ଯେପରି ବେପରବାୟ ଭାବେ ସାବୁନ ବୋଳି ହୋଇ ଗାଧାଏ, ତାହା ଦେଖିଲେ ସାବୁନ୍ ବ୍ୟବସାୟୀମାନେ ଭାରି ଖୁସି ହୁଅନ୍ତେ । ସବୁଦିନ ପରି ଦେହ ମୁଣ୍ଡରେ ଭଲ ଭାବେ ସାବୁନ ଲଗାଇଲି । ତା’ପରେ ସାବୁନଟି ତା’ ଜାଗାରେ ରଖିବାକୁ ଯାଇ ଆଖି ମେଲି ଦେଖେ-ମୋ ପାଦରୁ ଅଳ୍ପ କେଇଇଞ୍ଚ ଛଡ଼ାରେ ଗୋଖର ସାପଟାଏ କୁଣ୍ଡ ଫନ୍ଦ ଉପରକୁ ଫଣା ଟେକି ରହିଛି । ସାବୁନ ଲଗାଇବା ବେଳେ ମୁଁ ହଲ୍‌ଚଲ୍ ହୋଇଥିବାରୁ କିମ୍ୱା ତା’ ଉପରେ ପାଣି ଛିଟିକା ପଡ଼ିବା ଯୋଗୁ ସାପ ରାଗରେ ଫଣା ମେଲାଇ ଜିଭ ଲହଲହ କରି ଏକ ଦୃଷ୍ଟିରେ ମୋତେ ଅନାଇ ଥାଏ । ଏ ପରିସ୍ଥିତିରେ ସାପ ଉପରୁ ଦୃଷ୍ଟି ନ ଉଠାଇ ହାତ ପୂର୍ବପରି ହଲାଇ ରଖି ପ୍ରଥମେ ପାଦ ଦୁଇଟା ପଛକୁ ଘୁଞ୍ଚାଇ ଆଣିବା ଉଚିତ ଥିଲା । ତା’ପରେ ଧୀରେ ଧୀରେ ଛିଡ଼ା ହୋଇ ଅତି ସନ୍ତର୍ପଣରେ କବାଟ ଆଡ଼କୁ ପଛେଇ ଯିବା ହୁଏତ ସମ୍ଭବ ହୋଇଥାଆନ୍ତା । ସେତେବେଳେ କିନ୍ତୁ ଏ ବୁଦ୍ଧି ମୋତେ ଦିଶିଲା ନାହିଁ । ଅତର୍ଚ୍ଛରେ ଫନ୍ଦରେ ଭରା ଦେଇ ନିର୍ବୋଧଙ୍କ ପରି ହଠାତ୍ ଛିଡ଼ା ହୋଇଯାଇ ପଛ କାନ୍ଥି ଉପରକୁ କୁଦି ପଡ଼ିଲି । ସିମେଣ୍ଟରେ ଗୋଡ଼ ଖସିଗଲା । ନିଜକୁ ସମ୍ଭାଳି ନେବାକୁ ଚେଷ୍ଟା କରୁ କରୁ କହୁଣୀରୁ ପାଣି ଧାରେ ଝରି ପଡ଼ି ବତୀଟି ଧପ୍ କରି ଲିଭିଗଲା । କିଟିକିଟି ଅନ୍ଧାରରେ ଭାରତର ସବୁଠାରୁ ବିଷାକ୍ତ ସାପ ସହିତ ଛୋଟ ଘରଟିରେ ବନ୍ଦ ହୋଇ ରହିବାକୁ ପଡ଼ିଲା । ପଛକୁ କିମ୍ବା ବାଁ ପାଖକୁ ପାହୁଣ୍ଡେ ଯାଇଥିଲେ କୌଣସି ଗୋଟିଏ କବାଟ ପାଖରେ ପହଞ୍ଚି ପାରିଥାଆନ୍ତି । କିନ୍ତୁ ସାପକୁ ଠାବ ନ କରି ଆଗେଇଲେ ତା’ ଉପରେ ଗୋଡ଼ ପଡ଼ିଯିବା ଭୟ । କବାଟ ପାଖରେ ପୁଣି ଆହୁରି ବିପଦ । କବାଟ ଦୁଇଟିର ତଳେ ହୁଡ଼ୁକା ଲାଗିଥାଏ । ପଳାଇବା ଚେଷ୍ଟାରେ ସାପ ମଧ୍ୟ କବାଟ ପାଖକୁ ଯାଇଥିବା ଖୁବ୍ ସମ୍ଭବ । ଅନ୍ଧାରରେ ହୁଡ଼ୁକା ଅଣ୍ଡାଳିବା ବେଳେ ସାପ ଉପରେ ହାତ ପଡ଼ିଗଲେ ସର୍ବନାଶ !

 

ରୋଷାଇ ଘର ବଙ୍ଗଳା ଆରପାଖରେ ଏଠାରୁ ପ୍ରାୟ ପଚାଶ ଗଜ ଦୂର । ଚାକର ସେଇଠି ଥିବ । ଯେତେ ପାଟି କରି ଡାକିଲେ ମଧ୍ୟ ତା’କୁ ଶୁଭିବ ନାହିଁ । ତେବେ ବେଶି ଡେରି ହେଲେ ସେ ହୁଏତ ବିରକ୍ତ ହୋଇ ଏଣେ ଆସିପାରେ । କେହି ବନ୍ଧୁ ଏ ଭିତରେ ମୋ ଘରକୁ ବୁଲି ଆସି ପାରନ୍ତି । ଜୋର୍‌ କରି ଏସବୁ ଆଶା ସୃଷ୍ଟି କରି ନିଜକୁ ଦମ୍ଭ ଦେବା ସଙ୍ଗେ ସଙ୍ଗେ ସାପ ମୋତେ ଚୋଟ ମାରିବା ପୂର୍ବରୁ କେହିହେଲେ ପହଞ୍ଚି ଯାଉ ବୋଲି ବିକଳରେ ମନପ୍ରାଣ ଲଗାଇ ପ୍ରାର୍ଥନା କରୁଥାଏ । ଅଳ୍ପ ଦିନ ପୂର୍ବରୁ ଘଟିଥିବା ମୋର ଜଣେ ଶ୍ରମିକର ଦୁର୍ଦ୍ଦଶା ମନେ ପଡ଼ି ଭୟ ଆହୁରି ବଢ଼ିଗଲା । ଲୋକଟି ତା’ ମଜୁରି ତକ ରଖି ଆସିବା ପାଇଁ ଖରାବେଳେ ଘରକୁ ଫେରି ସିନ୍ଦୁକ ଫିଟାଇଛି, ପଛରୁ ସୁଉ ସୁଉ ଶବ୍ଦ ଶୁଣି ବୁଲି ଦେଖେ ଯେ ଖୋଲା କବାଟ ବାଟେ ଗୋଖର ସାପଟାଏ ତା’ ଆଡ଼େ ଛୁଟି ଆସୁଛି । ଘରେ ସେଇ ଗୋଟିଏ କବାଟ । ପଳାଇ ଯିବାକୁ ବାଟ ନାହିଁ-। ବିଚାରା କାନ୍ଥ ପାଖକୁ ପଛେଇ ଯାଇ ହାତରେ ସାପର ଚୋଟ ଏଡ଼ାଇବାକୁ ଚେଷ୍ଟା କଲା । ପାଖପଡ଼ିଶାମାନେ ଡାକ ଶୁଣି ଆସି ପହଞ୍ଚିବା ଭିତରେ ସାପ ତା’ ଗୋଡ଼ ହାତରେ ସମୁଦାୟ ବାର ଥର ଚୋଟ ମାରିଥାଏ । କିଛି କରିବାର ଉପାୟ ଆଉ ନ ଥିଲା । ଲୋକଟି କେଇ ମିନିଟ୍ ମଧ୍ୟରେ ପ୍ରାଣ ହରାଇଲା ।

 

ଭୟଭୀତ ଅବସ୍ଥାରେ ସାମାନ୍ୟ ଅନୁଭୂତିଗୁଡ଼ିକ କଳ୍ପନାଦ୍ୱାରା ରୂପାନ୍ତରିତ ହୋଇ କି ଭୟଙ୍କର ଆକାର ନିଏ, ତାହା ସେହି କାଳରାତିରେ ମୁଁ ଭଲଭାବେ ଜାଣିଗଲି । ଦେହରୁ ପାଣି ଟୋପାଏ ନିଗିଡ଼ି ଆସିଲେ ମନହୁଏ ସାପ ଚୋଟ ମାରିବା ପୁର୍ବରୁ ଜିଭ ଲହ ଲହ କରି ମୋତେ ଚାଟୁଛି । ସାପ ସହିତ ସେ ଅନ୍ଧାର ଘରେ ସେଦିନ କେତେ ସମୟ ବନ୍ଦ ହୋଇ ରହିଲି ଠିକ୍ କହିପାରୁ ନାହିଁ । ଚାକର ପରେ କହିଲା ଯେ ଗାଧୁଆ ଘରେ ମୁଁ ମୋଟେ ଅଧଘଣ୍ଟା ଥିଲି । ସେଇ ଅଧଘଣ୍ଟା ସେଦିନ ଗୋଟାଏ ଯୁଗ ପରି ଲାଗିଥିଲା । ଶେଷରେ ଖାଇବା ଘରେ ମୋ ପାଇଁ ବଢ଼ାବଢ଼ି ହେଉଥିବା ଶୁଣି ମନେହେଲା ଏତେ ପ୍ରୀତିକର ଶବ୍ଦ ଜୀବନରେ ଆଉ କେବେ ଶୁଣିନାହିଁ-। ଚାକରକୁ କବାଟ ପାଖକୁ ଡାକି ଅବସ୍ଥା ବୁଝାଇ ଶିଡ଼ି ଓ ଲଣ୍ଠଣ ଆଣିବାକୁ ବରାଦ୍‌ କଲି-। କିଛି ସମୟ ଯାଏଁ ସବୁ ଶୁନ୍‌ଶାନ୍ । ତା’ପରେ ପଦାରୁ ପାଟିତୁଣ୍ଡ ଶୁଭିଲା ଓ ବାହାର କାନ୍ଥରେ ଶିଡ଼ି ଲଗା ହେବାର ଶବ୍ଦ ହେଲା । ମୋ ଲୋକେ ଶିଡ଼ିରେ ଚଢ଼ି ଝରକା ବାଟେ ଲଣ୍ଠଣ ଦେଖାଇଲେ କିନ୍ତୁ ଝରକା ବହୁତ ଉପରେ ଥିବାରୁ ତଳକୁ ଆଦୌ ଆଲୁଅ ପଡ଼ିଲା ନାହିଁ । ଝରକା କାଚ ଭାଙ୍ଗି ଲଣ୍ଠନ ଭିତରକୁ ବଢ଼ାଇ ଦେବାକୁ କହିଲି । ଛୋଟ ଝରକାଟିରେ ଲଣ୍ଠଣ ସିଧାରେ ପଶୁ ନ ଥାଏ ଓ ଅଣାଇ ଦେବା ମାତ୍ରେ ଲିଭି ଯାଉଥାଏ । ଏପରି ତିନିଥର ଲିଭିବା ଲାଗିବା ପରେ ଲଣ୍ଠଣ ବହୁ କଷ୍ଟରେ ଝରକା ବାଟେ ଭିତରକୁ ପୂରା ହେଲା ।

 

ଆଲୁଅରେ ଦେଖିଲି ଯେ ସାପ ମୋ’ଠାରୁ ଠିକ୍ ଦୁଇ ଫୁଟ ଛଡ଼ାରେ ଶୋଇବା ଘର କବାଟ ପାଖରେ ଶୋଇଛି । ଗାଧୁଆ ପିଢ଼ାଟି ଅତି ସନ୍ତର୍ପଣରେ ଧୀରେ ଧୀରେ ଉଠାଇଲି ଓ ସାପ ମୋ ଆଡ଼େ ଆଗେଇବା ମାତ୍ରେ ଓଜନିଆ ପିଢ଼ାଟି ଲକ୍ଷ୍ୟ କରି ତା’ ଉପରକୁ ଫିଙ୍ଗିଲି । ଯୋଗକୁ ଲାଖ ଠିକ୍ ହେଲା । ପିଢ଼ା ସାପ ମୁଣ୍ଡରୁ ଛଅ ଇଞ୍ଚ ପଛରେ ପଡ଼ି ତା’ ବେକ ମାଡ଼ି ବସିଲା । ସାପ ଲାଞ୍ଜ ଛଟଛଟ କରି ପିଢ଼ାକୁ ଚୋଟ ପରେ ଚୋଟ ମାରୁଥିବା ବେଳେ ମୁଁ ଆଖି ପିଛୁଳାକେ ପାହୁଣ୍ଡେ ପଛାଇ ଆସି ଖୋଲି ବାରଣ୍ଡାକୁ ପଳାଇ ଆସିଲି ।

 

ଚାରିଆଡ଼େ ହୁରି ହୋଇ ଯାଇଥାଏ ଯେ ମୁଁ ଗାଧୁଆ ଘରେ କବାଟ କିଳି ଗୋଟାଏ ପ୍ରକାଣ୍ଡ ସାପ ସହିତ ଜୀବନ ମରଣ ସଂଗ୍ରାମ ଚଳାଇଛି । ଲୋକେ ବାଡ଼ି ଲଣ୍ଠଣ ଧରି ବହୁସଂଖ୍ୟାରେ ଆସି ବାରଣ୍ଡାରେ ରୁଣ୍ଡ ହୋଇଥାଆନ୍ତି । ସାପ ମରାଯିବା ପରେ ଲୋକେ କ’ଣ କ’ଣ କରି ମୋତେ ଅଭିନନ୍ଦନ ଜଣାଇ ବିଦାୟ ନେଲେ । ସମସ୍ତେ ଯିବା ପରେ ଆଖି ପୋଡ଼ିବାରୁ ମୋର ନିଜକଥା ହେଜ ହେଲା । ଚମକି ପଡ଼ି ଦେଖିଲି ଯେ ଲଜ୍ଜା ନିବାରଣ କରିବାକୁ ମୋ ଦେହରେ ସୁତାଖିଏ ସୁଦ୍ଧା ନାହିଁ । ତରତରରେ ଦେହ ମୁହଁରୁ ସାବୁନ ଧୋଇ ଲୁଗାପଟା ପିନ୍ଧି ପ୍ରକୃତିସ୍ଥ ହେଲି ।

 

ସାପ କେଉଁବାଟେ ଘରେ ପଶିଲା, ତାହା ଶେଷ ପର୍ଯ୍ୟନ୍ତ ରହସ୍ୟରେ ହିଁ ରହିଗଲା । ଚାଳରେ ଅସଂଖ୍ୟ ମୂଷା, ଘରଚଟିଆ ଓ ଗୁଣ୍ଡୁଚିମୂଷା ବସା ବାନ୍ଧିଥାଆନ୍ତି । କବାଟ ବାଟେ ପଶିବା ଠାରୁ ସାପ ଚାଳରୁ ଖସିଥିବାର ବେଶି ସମ୍ଭାବନା । ସେ ଯାହା ହେଉ, କେବଳ ଭାଗ୍ୟ ଜୋରରୁ ମୁଁ ଓ ମୋର ଚାକର ସେଦିନ ନିଶ୍ଚିତ ମୃତ୍ୟୁ ମୁହଁରୁ ବର୍ତ୍ତିଗଲୁ ।

 

ରବିବାର ଓ ଅନ୍ୟ ଛୁଟି ଦିନରେ ମୋକାମା ଘାଟରେ କାମ ଚାଲେ । ବର୍ଷ ଭିତରେ କେବଳ ‘ବଡ଼ଦିନ’ଟି ମୁଁ ଛୁଟି ନିଏ । ସେଇ ଦିନଟିକୁ ସମସ୍ତେ ଆଗ୍ରହରେ ଅପେକ୍ଷା କରିଥାଆନ୍ତି । ସକାଳ ଦଶଟା ଆଗରୁ ମୁଁ ସେଦିନ ଘରୁ ବହାରିବି ନାହିଁ ବୋଲି କଥା ହୋଇଥାଏ । ରାମଶରଣ ସେ ଦିନ ପାଇଁ ସାଜେ ଭଲ ପୋଷାକ ଓ ଗୋଲାପୀ ରଙ୍ଗର ବିରାଟ ପଗଡ଼ିଟିଏ ସାଇତି ରଖିଥାଆନ୍ତି । ପୋଷାକ ପିନ୍ଧି ପଗଡ଼ି ବାନ୍ଧି ମୋତେ ନେବାପାଇଁ ସକାଳ ଦଶଟା ବେଳେ ସେ ବଙ୍ଗଳାରେ ହାଜର ହୁଅନ୍ତି । ପାହାନ୍ତାରୁ ଦିନ ଦଶଟା ଯାଏ ଲାଗି ସେ ଓ ମୋର ଅନ୍ୟ ସହକର୍ମୀମାନେ ଦପ୍ତରଖାନା ଓ ତା’ ଚଉହଦି ସୁନ୍ଦର ଭାବେ ସଜାଇ ଥାଆନ୍ତି । ପାଣ୍ଠି ଅଭାବରୁ କାଗଜ ପତାକା ତିଆରି ହୁଏ ନାହିଁ । ତେବେ ରେଳବାଇ ଗୋଦାମରେ ନାଲି ଓ ସାଗୁଆ ରଙ୍ଗର ସଙ୍କେତ–ପତାକା ବହୁସଂଖ୍ୟାରେ ଗଚ୍ଛିତ ଥାଏ । ପତାକାଗୁଡ଼ିକୁ ବାନା କରି ସେଥିରେ ମଲ୍ଲୀ ଓ ଗେଣ୍ଡୁଫୁଲର ଝରା ଦେଇ ନାନାପ୍ରକାର ସାଜସଜ୍ଜା ଦ୍ୱାରା ଆନନ୍ଦ ଉତ୍ସବର ବାତାବରଣ ସୃଷ୍ଟି ହୋଇଥାଏ । କବାଟ ପାଖରେ ମୋ ପାଇଁ ଟେବୁଲ ଚଉକି ପଡ଼ିଥାଏ । ଟେବୁଲରେ ମୋ ବଗିଚାର ସବୁଠାରୁ ବଡ଼ ବଡ଼ ଗୋଲାପ ଫୁଲର ପ୍ରକାଣ୍ଡ ତୋଡ଼ାଟିଏ ଥାଏ । ସବୁ ରେଳବାଇ କର୍ମଚାରୀ, ସର୍ଦ୍ଦାର ଓ ଶ୍ରମିକ ଧାଡ଼ି ହୋଇ ଟେବୁଲ ଆଗରେ ବସିଥାଆନ୍ତି । ସଫା ଲୁଗାପଟା ପିନ୍ଧିଥିବାରୁ ସେମାନଙ୍କୁ ସେଦିନ ସହଜରେ ଚିହ୍ନି ହୁଏନା ।

 

ମୁଁ ଆସନ ଗ୍ରହଣ କରେ । ରାମଶରଣ ମୋ ବେକରେ ମଲ୍ଲୀମାଳଟିଏ ପିନ୍ଧାଇ ଦେବା ପରେ ସଭା ଆରମ୍ଭ ହୁଏ । ରାମଶରଣ ତାଙ୍କ ଦୀର୍ଘ ପ୍ରାରମ୍ଭିକ ବକ୍ତୃତାଟି ସାରିବା ପରେ ମୁଁ ଅତି ସଂକ୍ଷେପରେ ଭାଷଣ ଶେଷ କରେ । ତା’ପରେ ପିଲାମାନଙ୍କୁ ମିଠାଇ ବଣ୍ଟା ଯାଏ । କୋଳାହଳ ଭିତରେ ଏ କାର୍ଯ୍ୟକ୍ରମଟି ଯଥାବିଧି ସମାହିତ ହେବାପରେ ସଭାର ଅସଲ କାର୍ଯ୍ୟ ଆରମ୍ଭ ହୁଏ ।

 

ବର୍ଷସାରା ଠିକାଦାରୀ କରି ମୁଁ ଯାହା ଲାଭ କରିଥାଏ, ତା’ର ଅଧିକାଂଶ ସେଦିନ ମୋ ସହକର୍ମୀ ଓ ଶ୍ରମିକଙ୍କୁ ପାରିତୋଷିକ ଭାବେ ଦେଇ ଦିଏ । ଯେଉଁ ହାରରେ ମୁଁ ପାଉଣା ପାଉଥିଲି ତାହା ଅତି ନଗଣ୍ୟ । କେବଳ ମୋ ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ଫଳରେ ଯାହା ଅଳ୍ପ କିଛି ଲାଭ ମିଳିଥାଏ ତା’ର ଶତକଡ଼ା ଅଶୀ ଭାଗ ସେଦିନ ସେମାନଙ୍କ ଭିତରେ ବାଣ୍ଟି ଦିଏ । ଜଣ ପିଛା ଯାହା ଭାଗ ପଡ଼େ ତାହା କାହାର ମାସକର ଦରମା ବା ମଜୁରିରୁ କେବେ ବେଶି ହୁଏନା । କିନ୍ତୁ ଏହି ସାମାନ୍ୟ ଉପହାରରେ ନିହିତ ଥିବା ଶ୍ରଦ୍ଧା ଓ ସମ୍ମାନ ସେମାନଙ୍କ ହୃଦୟକୁ ସ୍ପର୍ଶ କରେ । ସହକର୍ମୀଙ୍କଠାରୁ ଜୀବନସାରା ଯେତେ ଗଭୀର ସଦିଚ୍ଛା ଓ ଅକୃତ୍ରିମ ଶ୍ରଦ୍ଧା ମୁଁ ପାଇଛି, ତା’ ତୁଳନାରେ ଏ ଉପହାର ଅତି ତୁଚ୍ଛ । ସେଇମାନଙ୍କ ସହଯୋଗ ଓ ସହାନୁଭୂତି ଯୋଗୁଁ ବର୍ଷକୁ ଦଶଲକ୍ଷ ଟନ୍ ମାଲ୍‌ର ସରବରାହ ବ୍ୟବସ୍ଥା ମୁଁ ଏକୋଇଶ ବର୍ଷ ଅନବଚ୍ଛିନ ଭାବେ ଚଳାଇ ପାରିଲି-। ମୋର ଦୀର୍ଘ କାର୍ଯ୍ୟକାଳ ମଧ୍ୟରେ କୌଣସି ଅପ୍ରୀତିକର ଘଟଣା କେବେ ଘଟି ନଥିଲା କିମ୍ବା ଗୋଟିଏ ଦିନ ପାଇଁ ମଧ୍ୟ କାମ ବନ୍ଦ କରିବାକୁ ପଡ଼ି ନଥିଲା ।

 

ଆଜିକାଲି ଶ୍ରମିକ ଅଶାନ୍ତି, ଧର୍ମଘଟ ଓ ସାମ୍ପ୍ରଦାୟିକ ଗଣ୍ଡଗୋଳ ବିଷୟ ଶୁଣିଲେ ମୋର ଆନନ୍ଦମୟ କର୍ମଜୀବନ ପାଇଁ ଭଗବାନଙ୍କୁ ମୁଁ ଧନ୍ୟବାଦ ଦିଏ । ମୁଁ ଓ ମୋର ସହକର୍ମୀମାନେ ଯେତେବେଳେ ଭାରତର ସେବାରେ ନିଜକୁ ଉତ୍ସର୍ଗ କରିଥିଲୁଁ–ସେତେବେଳେ ଗଣର ସ୍ୱାର୍ଥ ସହିତ ଜଣର ସ୍ୱାର୍ଥ ଅତି ନିବିଡ଼ ଭାବେ ଜଡ଼ିତ ଥିଲା । ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ ଓ ହରିଜନ–ସମସ୍ତେ ଏକସଙ୍ଗରେ ଆନନ୍ଦରେ ଚଳି ପାରୁଥିଲେ, ଖେଳି ପାରୁଥିଲେ ଓ ଖଟି ପାରୁଥିଲେ । ‘ମୋର ଭାରତ’ର ଗରିବଙ୍କ ଅନ୍ତରରେ ପରସ୍ପର ପ୍ରତି ଶତ୍ରୁତା ବା ଅନ୍ୟ ପ୍ରତି ବିଦ୍ୱେଷ କେବେ ନ ଥିଲା ଓ ଆଜି ମଧ୍ୟ ନାହିଁ । ଅଳ୍ପ କେତେଜଣ ବିଭେଦକାରୀଙ୍କ ପ୍ରଭାବ ଏଡ଼ାଇ ପାରିଲେ ‘ମୋର ଭାରତ’ର ସବୁ ଅଧିବାସୀ ଏବେ ମଧ୍ୟ ସୁଖଶାନ୍ତିରେ ଏକାଠି ଚଳି ପାରିବେ ।

 

ଚିକିତ୍ସା ମହାବିଦ୍ୟାଳୟ

ବ୍ରହ୍ମପୁର

ମାର୍ଚ୍ଚ ୨୫, ୧୯୭୦

Image